Latest Odisha News

ଯେ ପକ୍ଷୀ ଯାଇଛି ଉଡ଼ି

ଯେ ପକ୍ଷୀ ଯାଇଛି ଉଡ଼ି
ଡ. ବିବୁଧରଂଜନ

ସବୁଦିନପରି ସେଦିନ ବି ଯାଉ ଯାଉ ବଡ଼ଗଛଟା ଉପରେ ଗୋଟେ ଖୁବ୍ ସୁନ୍ଦର ହଳଦୀବସନ୍ତ ଚଢେଇ ବସିଥିବାର ଦେଖିଲି । ମୋ ପାଦ ଆପେ-ଆପେ ଥମିଗଲା । ମୁଁ ଯାଇ ଛିଡାହେଲି ସେ ଗଛତଳେ । ଗୋଟିଏ ଦୃଷ୍ଟିରେ ଚାହିଁ ରହିଲି ସେ ଚଢେଇଟିକୁ । କି ସୁନ୍ଦର ଏ ହଳଦୀବସନ୍ତ ଚଢେଇଟି ସତେ ! କିଛି ସମୟ ଦେଖିସାରିବାପରେ ଫେରିଆସିଲି। ତା’ପରଦିନ ଗଲାବେଳେ ମୁଁ ତାକୁ ପୁଣି ଦେଖିଲି । କିଛି ସମୟ ଛିଡା ହୋଇ ଦେଖିବାପରେ ଚାଲିଆସିଲି । କ୍ରମେ ଏହା ଯେପରି ମୋର ଅଭ୍ୟାସରେ ପଡିଗଲା ! ହଳଦୀବସନ୍ତ ଚଢେଇଟା ଡାଳଉପରେ ବସି ଫୁକୁରୁ ଫୁକୁରୁ ଡିଏଁ । ଚିଁଚାଁ ରାବେ । ଯେତେ ଡାକିଲେ ବି ପାଖକୁ ଆସେନି ସେ । ଚଢେଇଟିକୁ ଦେଖିବାବେଳେ ମୋର ମୋ ବୁଢୀମା କଥା ମନେପଡେ ।

ମୁଁ ପିଲାଦିନେ ତାକୁ ଥରେ ପଚାରିଲି – “ମା’ ହଳଦୀବସନ୍ତ ଚଢେଇର ଦେହ ହଳଦୀ କାହିଁକି ହେଲା ? ନାଲି କାହିଁକି ହେଲା ନି?” ମା’ ମୋତେ କହିଲା “ସୀତା ଯେତେବେଳେ ଛୁଆ ହୋଇଥିଲେ; ଥରେ ସୀତାଙ୍କୁ ତାଙ୍କ ମା’ ଗୋଡରେ ବସାଇ ହଳଦୀ ଲଗେଇ ଦେଉଥିଲେ । ସୀତା ରାହା ଧରି କାନ୍ଦୁଥିଲେ । ସେତିକିବେଳକୁ ଗୋଟାଏ ଚଢେଇ ଆସି ପିଣ୍ଡାଉପରେ ବସିପଡିଲା । ସୀତାଙ୍କ ମା’ ସେ ଚଢେଇ ଧରି ସୀତାଙ୍କୁ ଦେଖେଇବାରୁ ତାଙ୍କ କାନ୍ଦ ବନ୍ଦ ହୋଇଗଲା । ହେଲେ ତାଙ୍କ ମା’ଙ୍କ ହାତର ହଳଦୀ ସେ ଚଢେଇ ଦେହରେ ଲାଗିଗଲା । ସେହିଦିନଠାରୁ ତା’ ଦେହ ହଳଦିଆ ।”

ସୀତାଙ୍କପରି ମୁଁ ବି ମନେ ମନେ ଅନେକ ଦିନ ଧରି କାନ୍ଦୁଥିଲି । ଆଉ ଏ ହଳଦୀବସନ୍ତ ପକ୍ଷୀକୁ ଦେଖିବା ପରଠାରୁ ମୋ କାନ୍ଦ ବନ୍ଦ ହୋଇଗଲା । ତା’ପରେ ଧୀରେ ଧୀରେ ଚଢେଇଟା ଯେତେବେଳେ ମୋତେ ଚିହ୍ନିଗଲା ଦିନେ ଆସି ମୋ ହାତରେ ବସିଲା । ମୁଁ ତାକୁ ଧରି ଗେଲ କଲି । ତା’ ଦେହ ଆଉଁସିଲି । ପ୍ରତିଦିନ ମୁଁ ତା’ ପାଖକୁ ଯାଏ । ସେ ମୋ ହାତରେ ଧରାଦିଏ । ଖାଲି ଚିଁଚାଁ ଶବ୍ଦ କରେ । ସେ ମୋ କଥା ସ୍ପଷ୍ଟ ବୁଝିପାରେନି କି ମୁଁ ତା କଥା । କିନ୍ତୁ ସେ ମୋର ପୋଷା ମାନିଯାଇଥିଲା ।

ବାପା ଏ କଥା ଜାଣିଲେ । ଦିନେ ଡାକି କହିଲେ- “ବିବୁ ! ତୁ ସେ ହଳଦୀବସନ୍ତ ଚଢେଇଟା ଉପରେ ଯେତିକି ମନ ଦେଉଛୁ ସେତିକି ଯଦି ପଢାରେ ଦିଅନ୍ତୁ ତା’ହେଲେ ଭଲ ହୁଅନ୍ତା । ମୁଁ ତ ଦେଖୁଛି ତୁ ଦିନକୁଦିନ ପଢାପଢି ଛାଡିସାରିଲୁଣି ।”

ବାପାଙ୍କର ଏଇ କେତେ ପଦ କଥା ମୋତେ ମୋର ହଜି ଯାଇଥିବା ବୋଉ ପାଖକୁ ଫେରାଇ ନେଇଥିଲା । ଠିକ୍ ବାପାଙ୍କପରି ବୋଉ ବି ଦିନେ ପିଲାବେଳେ ମୋତେ ଆକଟ କରି କହିଥିଲା – “ବିବୁ ! ମୁଁ ଏବେ ଦେଖୁଛି ତୁ ତ ସବୁବେଳେ ଖାଲି କଙ୍କି ଧରିବାରେ ବ୍ୟସ୍ତ । ପଢାପଢି ଆଦୌ କରୁନୁ । ତୃତୀୟ ଶ୍ରେଣୀ ପାସ୍ କରିବୁ କେମିତି ?” ମୋର ସେତେବେଳେ କଙ୍କି ପଛରେ ଗୋଡେଇ ଗୋଡେଇ ଧରି, ତା’ ଲାଙ୍ଗୁଡିରେ ସୂତା ବାନ୍ଧି ଉଡେଇବା ଗୋଟାଏ ନିଶା ହୋଇଯାଇଥିଲା । ବୋଉର ସକଳ ବାରଣ ସତ୍ତେ୍ୱ ମୁଁ ଯେତେବେଳେ ତା କଥା ମାନିଲି ନାହିଁ ଦିନେ ବୋଉ କହିଲା- “ବିବୁ ! ତୁ କଙ୍କି ଧରା ଛାଡୁନୁ । କ’ଣ ତୋତେ ସେଥିରୁ ମିଳୁଛି ? ତୁ ଜାଣିଛୁ ନା “କଙ୍କି ଧରଣ ମା ମରଣ” । ଯିଏ କଙ୍କି ଧରିବ ତା’ ବୋଉ ମରିଯିବ । ଆଉ ସତକୁ ସତ ତା’ର କିଛି ଦିନପରେ ବୋଉ ମୋର ମରିଗଲା । ବୋଉ ମରିଗଲା ପରେ ମୁଁ ସବୁଦିନପାଇଁ କଙ୍କି ଧରିବା ଛାଡିଦେଲି ।”

ବୋଉ ପାଇଁ ସିନା କଙ୍କି ଧରିବା ଛାଡିଦେଲି; ହେଲେ ବାପାଙ୍କ କଥା ମାନି ମୁଁ ସେ ଚଢେଇପାଖକୁ ଯିବା ବନ୍ଦ କରିପାରିଲିନି । ଗଞ୍ଜେଇ ଅଫିମର ନିଶାପରି ଏହା ମୋର ଅଭ୍ୟାସରେ ପଡିଯାଇଥିଲା ।

ତେବେ ଦିନେ ମୁଁ ମୋ ସମୟରେ ପହଁଚିଲାବେଳକୁ ଯାହା ଦେଖିଲି ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରିଲିନି । ଦେଖିଲି ମୋ ବଡଭାଇ ସେ ଗଛମୂଳେ ଛିଡା ହୋଇଛନ୍ତି । ତାଙ୍କ ହାତଉପରେ ସେ ହଳଦୀବସନ୍ତ ଚଢେଇଟା ବସି ପାଚିଲାଫଳ ଖାଉଛି । ତା’ପରେ ଭାଇଙ୍କୁ ମୁଁ ସେହି ଦୃଶ୍ୟରେ ଅନେକ ଥର ଦେଖିଲି । ଶୀତ-ସନ୍ଧ୍ୟାରେ ମୋ ଦେହରେ ଜଳନ୍ତା ନିଆଁ ଲାଗିଲାପରି ମୁଁ ଅନୁଭବ କଲି।

ମୁଁ କିନ୍ତୁ ପୁର୍ବଭଳି ଯାଏ । ହଳଦୀବସନ୍ତ ଚଢେଇଟି ମୋ ହାତରେ ପୂର୍ବପରି ଆସି ବସେ । ମୋ ଦେହ ଖୁମ୍ପେ । ଶୀତ-ସନ୍ଧ୍ୟାରେ କୁହୁଡି ଆସ୍ତେ ଆସ୍ତେ ଘନେଇଲା ପରି ସନେ୍ଦହର କୁହୁଡି ମୋ ମନ ଭିତରେ ଜମାଟ ବାନ୍ଧିବାକୁ ଲାଗିଲା । ଚଢେଇଟା ତ ମୋ ହାତରେ ବସୁଛି-ବସୁଛି ବି ଭାଇଙ୍କ ହାତରେ । ମୋତେ ଦେଖିଲେ ଯେମିତି ଖୁସି-ସେମିତି ବି ଖୁସି ଭାଇଙ୍କ ପାଖରେ । ତେବେ ପ୍ରକୃତରେ ସେ କାହାର ପୋଷା ମାନିଛି ? ଆମ ଦୁହିଁଙ୍କ ଭିତରୁ କାହାକୁ ମାଲିକଭାବେ ଗ୍ରହଣ କରିଛି ? କିଛି ଜାଣିପାରିଲିନି ।

ଖରାଦିନେ ପର୍ବତରୁ ବରଫ ତରଳିଲାପରି ଆସ୍ତେ ଆସ୍ତେ ଭାଇଙ୍କ ଉପରେ ଆସୁଥିବା ମୋର ଈର୍ଷା, ରାଗ, ସନ୍ଦେହ ସବୁ ଯେମିତି ତରଳିଗଲା ।

ମୁଁ ଜାଣିବାକୁ ପାଇଲି ଯେ ଏଇ କିଛିଦିନ ତଳେ ଭାଇଙ୍କ ପଞ୍ଜୁରି ଶୂନ୍ୟ କରି ଗୋଟେ ଚଢେଇ ଦୁଇବର୍ଷ ରହିବାପରେ ଉଡିଗଲା । ଭାଇଙ୍କ ହାତରେ ଏମିତି ଅନେକ ଚଢେଇ ମନକୁମନ ଆସି ଧରାଦିଅନ୍ତି । ପଞ୍ଜୁରିଭିତରେ କେଇ ମାସ ବର୍ଷ ଧରି ରହିଲା ପରେ ପୁଣି ଉଡିଯାଆନ୍ତି । କିନ୍ତୁ ଏଇ ଶେଷ ଚଢେଇଟିପ୍ରତି ତାଙ୍କର ବେଶୀ ଆନ୍ତରିକତା ଆସିଯାଇଥିଳା ।

କେହି କହିପାରେ ଯେ କାହାର ସିନା ସିନେମା ଦେଖିବା, କ୍ରିକେଟ କମେଣ୍ଟରୀ ଶୁଣିବା; ଶିକାର କରିବାରେ ସଉକ୍-ହେଲେ ଏ ଦୁଇ ଭାଇଙ୍କର ଚଢେଇପ୍ରତି ଏତେ ଆସକ୍ତି ଆସିଲା କିପରି ? ଏ ‘କିପରି’, ‘କାହିଁକି’ର କୌଣସି ଉତ୍ତର ନାହିଁ । ଏ ସବୁ ଜୀବନର ଗୋଟିଏ ଗୋଟିଏ ନିଶା । ଏ ବଡ ଜବର ନିଶା । ଏ ନିଶା ଛାଡିବାର ନୁହେଁ ।

ତେଣୁ ଯେତେବେଳେ ଅନୁଭବ କଲି ଯେ, ଏ ହଳଦୀବସନ୍ତ ଚଢେଇଟିକୁ ପାଇ ଭାଇ ତାଙ୍କର ପୂର୍ବ ଚଢେଇ ହରେଇଥିବା ଜନିତ ଦୁଃଖକୁ ଭୁଲିବାରେ ଲାଗିଛନ୍ତି, ସେତେବେଳେ ଭାଇଙ୍କ ପ୍ରତି ଈର୍ଷା ପରିବର୍ତ୍ତେ ଦୟା ହେଲା । ତେବେ ଭାବିଲି ଭାଇ ତ ଚାକିରି କରିଛନ୍ତି । ସେ ଯେଉଁଆଡେ ଯିବେ ତାଙ୍କ ସହ ତାଙ୍କ ପଂଜୁରି ମଧ୍ୟ ଯିବ । ତେବେ ମୁଁ କଣ କରିବି ? ମନେ ମନେ ଠିକ୍ କଲି ଭାଇ ଯଦି ଏ ହଳଦୀବସନ୍ତ ଚଢେଇଟିକୁ ଆଣି ତାଙ୍କ ପଂଜୁରିରେ ରଖନ୍ତି ତେବେ ମୁଁ କିଛି ପ୍ରତିବାଦ କରିବିନି । ଭାଇଙ୍କପାଇଁ ସାମାନ୍ୟ ଏକ ଚଢେଇ କଣ ତ୍ୟାଗ କରିପାରିବିନି !

କିଛିକ୍ଷଣ ପାଇଁ ଆକାଶରେ ଛାଇ ହୋଇଥିବା ବାଦଲ ପରମୁହୂର୍ତ୍ତରେ ପବନରେ ଅପସରି ଗଲାପରି ଏ ସମସ୍ତ ଭାବନାର ଯବନିକା ଭାଇ ନିଜେ ଆସି ଦିନେ ଟାଣିଦେଲେ । ମୋତେ କହିଲେ-ବିବୁ! ମୁଁ ଜାଣି ନଥିଲି ଯେ ସେ ହଳଦୀବସନ୍ତ ଚଢେଇଟା ପ୍ରତି ମୋ ପୂର୍ବରୁ ତୋର ସଉକ ଥିଲା ବୋଲି ! ଚଢେଇଟା ପ୍ରତି ତୋର ଯେତେବେଳେ ସଉକ ଅଛି ତୁ ସେଇଟା ଆଣି ତୋ ପଂଜୁରିରେ ରଖ । ସେହିଦିନଠାରୁ ଭାଇଙ୍କୁ ସେ ଗଛମୂଳକୁ ଯିବା ମୁଁ ଆଉ କେଭେଁ ଦେଖି ନାହିଁ ।

ତେବେ ଏହି କିଛିଦିନ ତଳେ ମୁଁ ଜାଣିଲି ଯେ-ଭୁବନେଶ୍ୱରଠାରେ ଭାଇଙ୍କର କେହି ଜଣେ ବନ୍ଧୁ ଏକ ସୁନ୍ଦର ଚଢେଇ ଭାଇଙ୍କପାଇଁ ଦେଖିଛନ୍ତି । ଭାଇ ସେ ଚଢେଇକୁ ଆଣି ତାଙ୍କ ପଂଜୁରିରେ ରଖିବେ । ସବୁଥର ସିନା ଲୁଚେଇ କି ଚଢେଇ ଆଣି ତାଙ୍କ ଛୋଟ ପଂଜୁରିରେ ରଖୁଥିଲେ ବୋଲି ସେ ତାଙ୍କ ସୁବିଧା ଦେଖି ଉଡି ଯାଉଥିଲେ । ହେଲେ ଏଥର ବାଣୁଆ ସହ କଥାବାର୍ତ୍ତା ହେଇ ଦାମ୍ ଛିଡିଯାଇଛି । ସଭିଙ୍କ ଆଗରେ ଭାଇ ସେ ବାଣୁଆଠାରୁ ଚଡେଇ କିଣିଆଣିବେ । ବାଣୁଆ କହିଛି ଏ ଚଢେଇଟା କୁଆଡେ ପଂଜୁରି ଭିତରେ ମରିଯିବ ସିନା ହେଲେ ଉଡି ପଳେଇବନି ।

ମୁଁ ମନେ ମନେ ଭାବିଲି ଭାଇ ତ ତାଙ୍କ ପଂଜୁରିପାଇଁ ଚଢେଇ ପାଇଗଲେ । ତେବେ ମୁଁ ସେମିତି ମୋ ହଳଦୀବସନ୍ତକୁ ବାଣୁଆଠାରୁ ସବୁଦିନପାଇଁ କିଣି ଆଣିଲେ କେମିତି ହୁଅନ୍ତା ? ବାପାଙ୍କୁ କହିଲି । ବାପା କିନ୍ତୁ ପାଟିକଲେ । କହିଲେ “ଭାଇ ରୋଜଗାର କରୁଛି, ତା’ ପାଖରେ ପଇସା ଅଛି । ସେ ମାଙ୍କଡ ରଖୁ କି କୁକୁର ରଖୁ, ଯାହା ରଖୁ- ସେ ତାକୁ ଖାଇବାକୁ ଦେଇପାରିବ । ରୋଗ ହେଲେ ଡାକ୍ତର ପାଖକୁ ନେଇପାରିବ । ସେଥିରେ ଆମର କିଛି କହିବାର ନାହିଁ । ତୁ ପରା ପାଠ ପଢୁଛୁ ପାଠ ପଢ । ଏ ସଉକି ପଛେ କରିବୁ ।” ମୋ ମନ ମରିଗଲା ।

ତଥାପି ମୁଁ ଦିନେ ଯାଇ ବାଣୁଆ ପାଖରେ ପହଞ୍ଚିଲି । କହିଲି ହେ ବାଣୁଆ ! ତୁମେ ତ ଅନେକ ଚଢେଇ ରଖିଛ । ତେବେ ତୁମର ହଳଦୀବସନ୍ତ ଚଢେଇଟା ମୋତେ ଦିଅ । ମୁଁ ତାକୁ ସୁନାର ପଞ୍ଜୁରି ଭିତରେ ଯତ୍ନରେ ରଖିବି । ହେଲେ ବାଣୁଆ କହିଲା ବାବୁ, ତୁମେ ପୁଣି ରଖିବ ହଳଦୀବସନ୍ତ ? ତୁମ ପାଖରେ ପଇସା କାହିଁ ଯେ ଚଢେଇ ପାଳିବ । ତୁମେ ଚଢେଇ ରଖିପାରିବନି । ତା’ ଛଡା ହଳଦୀବସନ୍ତ ଚଢେଇକୁ ବିକିବାକୁ ମୁଁ ଗରାଖ ଠିକ୍ କରିସାରିଲିଣି ।

ମୋତେ ଚାରିଆଡ ଅନ୍ଧାର ଦିଶିଲା । ଦିନବେଳା ମୋ ଆଖି ଆଗରେ ଜୁଳୁଜୁଳିଆ ପୋକ ଦେଖାଦେଲେ । ତା’ପରଠାରୁ ଯେତେଥର ମୁଁ ସେ ଗଛମୂଳକୁ ଯାଇଛି କେଭେଁ ଆଉ ହଳଦୀବସନ୍ତକୁ ଦେଖିନାହିଁ । ସେ ଚଢେଇଟା ପ୍ରତି ମୋର କିଭଳି ଏକ ଦୁର୍ବଳତା ଆସିଯାଇଥିଲା । ତା’ବିନା ମୋ ଦେହ ମନ ପୂରାପୂରି ଭାଙ୍ଗିଗଲା ।

ବାପା କହିଲେ – “ତୁ ଏଇ ଚଢେଇଟାପାଇଁ ଏତେ ମନଦୁଃଖ କରୁଛୁ ? ପାଠ ପଢ । ବଡ ମଣିଷ ହ । ତାପରେ ତୁ ତୋ ଇଚ୍ଛା ଅନୁସାରେ ଯାହା ଆଣି ତା’ ରଖିବୁ । ତେବେ ତୁ ମୋ କଥା ମାନି ଆଜିଠାରୁ ଗୀତା ପଢ । ଗୀତାକୁ ଭଲ ପାଇବାକୁ ଚେଷ୍ଟାକର। ତୁ ଯେଉଁ ଦିନଠାରୁ ସେ ଚଢେଇ ବଦଳରେ ଗୀତାକୁ ପ୍ରେମ କରି ଶିଖିବୁ, ଦେଖିବୁ ଜୀବନରେ ତୁ କେଭେଁ ଦୁଃଖ ପାଇବୁନି । ‘ଗୀତା’ ପାଖରେ ଶାନ୍ତି ପାଇବୁ ।”

କାଲି ରାତିରେ ମୋ ଭାଇ ଭୁବନେଶ୍ୱରରୁ ତାଙ୍କର ସେହି ସୁନ୍ଦର ଚଢେଇଟିକୁ ଆଣି ଘରେ ପହଞ୍ଚôଲେ । ଏଡେ ସୁନ୍ଦର ନୂଆ ଚଢେଇଟିକୁ ଦେଖିବାପାଇଁ ଛୋଟ-ବଡ, ପିଲା, ବନ୍ଧୁବାନ୍ଧବ-ସଭିଏଁ ଆମ ଘରକୁ ଧାଇଁବାରେ ଲାଗିଛନ୍ତି । ଘର ଆମର ଖାଲି ଘୋ ଘାରେ ପଡୁଛି ଉଠୁଛି ।

ହେଲେ ମୁଁ ବାପାଙ୍କ କଥା ମାନି ମୋ ‘ଗୀତା’ ପାଖରେ ବସିଛି । ଗୀତାକୁ ଏକ ଲୟରେ ଚାହିଁରହିଛି । ଗୀତାର ସେହି ପୃଷ୍ଠାଭିତରେ ମୋ ବୋଉ ମୁହଁ କେତେବେଳେ କେତେବେଳେ ନାଚିଯାଉଛି । ଆଉ ଠିକ୍ ସେତିକିବେଳେ ଲାଙ୍ଗୁଳରେ ସୂତାବନ୍ଧା କଙ୍କିଟାଏ ଆସି ଭାସିଯାଉଛି । ପୁଣି କେତେବେଳେ ହଳଦୀବସନ୍ତ ଚଢେଇଟା ତା’ ଡେଣା ଫଡ୍ ଫଡ୍ କରି ଉଡିଯାଉଛି ।

(ସୌଜନ୍ୟ : ମହାକାଳ)

Leave A Reply

Your email address will not be published.