Latest Odisha News

ଆରମ୍ଭ ଆଉ ଶେଷ ମଝିରେ ପ୍ରେମ ପରିକା କିଛି…

ଆରମ୍ଭ ଆଉ ଶେଷ ମଝିରେ ପ୍ରେମ ପରିକା କିଛି…
କମଳା ଶତପଥୀ

ପନୱେଲ୍‍ରୁ ଛତ୍ରପତି ଶିବାଜୀ ଟର୍ମିନସ୍‍କୁ ଲୋକାଲ୍‍ ଟ୍ରେନ୍‍ ଧରିଲା ବେଳେ, ଆଶ୍ଚର୍ଯ୍ୟଜନକ ଭାବେ ବଗିଟି ଏକଦମ୍‍ ଖାଲି ଖାଲି ଥିବାର ଦେଖି ସ୍ମିତ ହସଟିଏ ଖେଳିଗଲା ପ୍ରାଜକ୍ତାଙ୍କ ଓଠରେ । ସାମାନ୍ୟ ଆଶ୍ୱସ୍ତ ବି ଅନୁଭବ କଲେ । ମୁମ୍ବଈର ଲୋକାଲ୍‍ ଟ୍ରେନ୍‍ର ଭିଡ, ଘରୁ ବାହାରିବା ବେଳେ ସବୁବେଳେ ତାଙ୍କୁ ଚିନ୍ତିତ କରିପକାଏ, ଯେପର୍ଯ୍ୟନ୍ତ ଭିତରକୁ ଆସି ସେ ବସି ନଯାଆନ୍ତି । ଦିନକୁ ଦିନ ବଢ଼ି ଚାଲିଥିବା ଲୋକସଂଖ୍ୟା ପାଇଁ ଆଗରୁ କେବଳ ଅଫିସ୍‍ ଟାଇମ୍‍ରେ ଭିଡ ହେଉଥିବା ଲୋକାଲ୍‍ ଟ୍ରେନ୍‍ ମାନଙ୍କରେ, ଏବେ ଦିନ ତମାମ ପାଦ ପକେଇବାକୁ ଜାଗା ନଥାଏ । ଆଜି କିନ୍ତୁ ସେଥିର ବ୍ୟତିକ୍ରମ ଘଟିଛି । ତାଙ୍କ ଆଶାର ବିପରୀତ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଏହି ବଗିଟି ଭିତରେ ଜମାରୁ ଦଶ ବାର ଜଣ ମହିଳା ହିିଁ ଥିଲେ । ନିଶ୍ଚିନ୍ତରେ ଝରକା ପାଖର ସିଟ୍‍ଟିଏ ଦେଖି ସେ ବସିଗଲେ ।

ଟ୍ରେନ୍‍ ଷ୍ଟେସନ୍‍ ଛାଡୁ ଛାଡୁ ତାଙ୍କ ପାଖରେ ଆସି ବସିଗଲା ଏକୋଇଶ ବାଇଶ ବର୍ଷର ଝିଅଟିଏ । ଆଖିରେ କଳା ଚଷମା, କାନରେ ଇଅର୍‍ ଫୋନ୍‍, ହାତରେ ମୋବାଇଲ୍‍, ପାଟିରେ ଚୁଇଙ୍ଗମ୍‍, ଅଧା ପେଟ ଦେଖା, ଅଧା ବେକ ମୁକୁଳା .. ହଁ ଏଇତ ବେଶ ଆଜିକାଲିଆ ଝିଅଙ୍କର! ଆଉ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି! ବସୁ ବସୁ ଫୋନ୍‍ରେ କାହା ସହିତ କଥା ହେବାକୁ ଲାଗିଲା ସେ ଝିଅ । ତା’ର କଥାକୁହା ଢ଼ଙ୍ଗ ବଡ ବିଚିତ୍ର ଲାଗିଲା ପ୍ରାଜକ୍ତାଙ୍କୁ । କିଛି କିଛି ଆଗ୍ରହ ବି । କାନେଇଲେ ସେ । ଝିଅଟି ତାଙ୍କ ଉପସ୍ଥିତି ପ୍ରତି ସତର୍କ ଥିଲା ନିଶ୍ଚୟ, ସ୍ୱରକୁ ଖୁବ୍‍ ଧିମା ରଖିଥିଲା ।

ସେ ଜାଣିଥିଲେ ଝିଅଟି ଚାହୁଁନି ସେ ତା’ କଥା ଶୁଣନ୍ତୁ । ତେଣୁ ଶୋଇ ପଡିବାର ଛଳନା କରିବାକୁ ସେ ଲାଗିଲେ । ଝିଅର ସ୍ୱର ଧିରେ ଧିରେ ସ୍ପଷ୍ଟ ହେବାକୁ ଲାଗିଲା, “ନା ମ ଜାନୁ .. ମୁଁ କହିଥିଲି ତ ତମକୁ, ଘରେ କେହି ବି ରାଜି ହେଉନାହାନ୍ତି! ଭାଇ ତ ପୂରା ଧମକ ଦେଇଛି, ତମ ସହିତ ଆଉ ମିଶିଲେ ଛାଡିବନି ଦୁଇଜଣଙ୍କୁ । ତମେ ଖାଲି ଡରୁଛ ବୋଲି, ନହେଲେ ମୁଁ ତ କହୁଛି…”
…..

ସେପଟର କଥା ଜାଣି ନପାରିଲେ ବି ଅନୁମାନ କରି ପାରୁଥିଲେ ପ୍ରାଜକ୍ତା ।
“ଏମିତି ଡରୁଥିଲେ ତ ସାରା ଜୀବନ ଡରୁ ହି ଥିବ! ମୁଁ ତ ରେଡି ଅଛି ପଳେଇବାକୁ ତମ ସହିତ .. ଭଲ ପାଇଛେ ଆମେ, କିଛି ଚୋରି ତ କରିନେ ଯେ ସବୁକଥାରେ ‘ଘରଲୋକେ କ’ଣ କହିବେ’ ର ଭୟରେ ଘାରି ହେଉଥିବା! ଏମିତି ବି ଘରଲୋକଙ୍କୁ ଯଦି ଆମ ଖୁସି ମହତ୍ତ୍ୱପୂର୍ଣ୍ଣ ଲାଗୁନି, ତେବେ ଆମେ କାହିଁକି ସେମାନଙ୍କ ଖୁସି କଥା ଏତେ ଚିନ୍ତା କରିବ! ମୋ କଥା ମାନ, ତୁମର ସେ ସାଙ୍ଗକୁ କୁହ ଦୁଇ ଚାରି ଦିନ ଆମର କୋଉଠି ରହିବା ବ୍ୟବସ୍ଥା କରିଦେବ, ମୁଁ ସିଧା ଚାଲିଆସିବି ସେଠିକୁ ..”

ଆଶ୍ଚର୍ଯ୍ୟ ହେଉଥିଲେ ପ୍ରାଜକ୍ତା ଝିଅଟିର ସାହସକୁ ଦେଖି । ଏତେ ଛୋଟ ବୟସରେ ବି କେତେ ଦୃଢ଼ ସେ ନିଜ ନିର୍ଣ୍ଣୟରେ! ଏଇ ବୟସରେ ତ ତାଙ୍କ ପାଟିରୁ କଥା ହି ବାହାରୁ ନଥିଲା । ନିଜ ଭଲ ପାଇବା କଥା ଘରେ କହିବାକୁ ସାହସ କରିପାରିଲେନି ବୋଲି ସାରା ଜୀବନ ଏମିତି ଗୋଟିଏ ଲୋକର ସ୍ତ୍ରୀ ହୋଇ ରହିଗଲେ, ଯାହା ପାଇଁ ସ୍ତ୍ରୀ ର ମାନେ, ଜଣେ କ୍ରୀତଦାସୀ କେବଳ! କେତେ ଭଲ ପାଉଥିଲେ ଚନ୍ଦ୍ରକାନ୍ତ ତାଙ୍କୁ! ବହୁତ କରି କହିଥିଲେ ନିଜ ପସନ୍ଦ ଅପସନ୍ଦ କଥା ଘରେ ଥରେ କହିବାକୁ । ହେଲେ ସେ ପାଟି ଖୋଲି ପାରିନଥିଲେ । ଯେତେବେଳେ ଗୌରାଙ୍ଗଙ୍କ ଘରୁ ପ୍ରସ୍ତାବ ଆସିଲା, ସେତେବେଳେ ସବୁ ଠିକ୍‍ ହେଇସାରିଲା ପରେ ମା’ ଦ୍ୱାରା ଖବରଟା ତାଙ୍କୁ ଜଣେଇ ଦିଆ ଯାଇଥିଲା । ମତ ଅମତ ପଚାରିବାର ଔଚିତ୍ୟ କେହି ମଣିନଥିଲେ କି ସେ ବି ନିଜ ଆଡୁ ‘ନାହିଁ’ ବୋଲି କହି ପାରିନଥିଲେ ।

ଚନ୍ଦ୍ରକାନ୍ତଙ୍କର ସବୁ ସ୍ମୃତିକୁ ଅଳିଆଗଦାକୁ ଫିଙ୍ଗିଦେଇ ଯାଇ ବିବାହ ବେଦୀରେ ବସିଥିଲେ । ଆସିଥିଲେ ଚନ୍ଦ୍ରକାନ୍ତ ବିନା ନିମନ୍ତ୍ରଣରେ, ଦେଇଥିଲେ ଛୋଟ ଲଫାଫାଟିଏ, ଆଉ ସୁଖୀ ହେବାର ଶୁଭେଚ୍ଛା ଜଣେଇ ସବୁଦିନ ପାଇଁ କୁଆଡେ ହଜିଯାଇଥିଲେ ଯେ ଆଜି ପର୍ଯ୍ୟନ୍ତ ବି ତାଙ୍କର ପତା ଠିକଣା ସେ ପାଇନାହାନ୍ତି । ତାଙ୍କର ସେ ଉଦାସ ଚେହେରା ଆଡକୁ ଚାହିଁ, ନିଜ ଭୀରୁତା ପାଇଁ ଝର ଝର ଲୁହ ଝରେଇ ପକେଇଥିଲେ । ସେତେବେଳେ ସମସ୍ତେ ଭାବିଥିଲେ ଏ ଲୁହଧାର ପରଘରକୁ ଚାଲିଯାଉଥିବାର ଦୁଃଖର!

“ନା, ନା, ମୁଁ ଆଉ କିଛି ଶୁଣିବିନି । କାଲି ପଅରିଦିନ ଭିତରେ ମୁଁ ଆସୁଛି ତମ ପାଖକୁ ସବୁ ଛାଡିଛୁଡି । ତମ ପାଇଁ ଜୀବନ ଦେଇପାରିବି ମୁଁ । ବାପ ଭାଇଙ୍କର ଭୟ ମତେ କାଟୁ କରିବନି ଜମା । ତୁମେ ଖାଲି କୁହ ଆମକୁ ମୁମ୍ବଇରେ ହି ରହିବାକୁ ହେବ କିଛି ଦିନ, ନା ଆମେ ଅନ୍ୟ କୋଉଠି ଯାଇ ରହିପାରିବା? ପଇସା କଥା ତୁମେ ଚିନ୍ତା କରନାହିଁ, ମୋ ପାଖରେ ବହୁତ ଅଛି । କମ୍‍ ସେ କମ୍‍ କିଛି ଦିନ କାଳ ବିନା ଚିନ୍ତାରେ ଚଳିଯାଇ ହେବ । ତା’ପରେ ଦେଖିବା କ’ଣ କରିହେବ!”
…..

“ପୁଣି ସେଇକଥା!!” ଏଥର ଝିଅଟି ସାମାନ୍ୟ ବିରକ୍ତ ହେଇପଡିଲା । ପୁଅଟି ନିଶ୍ଚୟ ବୁଝିଲା ସୁଝିଲା ପିଲା ହେଇଥିବ । ତେଣୁ ଆସନ୍ନ ବିପତ୍ତି କଥା ଚିନ୍ତା କରି ଏପରି ଏକ ପଦକ୍ଷେପ ନେବାକୁ ପଛୋଉଥିବ । କିନ୍ତୁ ଏ ପାଗିଳୀ ଝିଅ ମୁଣ୍ଡରେ ତ ଭଲ ପାଇବାର ନିଶା ସବାର ହେଇଛି, ଆଗପଛ ଚିନ୍ତା କରିବାର ସାମର୍ଥ୍ୟ ହରେଇ ସାରିଲାଣି । ତେଣୁ ଜିଦ୍‍ କରୁଛି ଘରଛାଡି ପଳେଇବା ପାଇଁ । କିନ୍ତୁ ଏଇଟା ସମାଧାନ ନୁହେଁ ବୋଲି ପୁଅଟି ବାରମ୍ବାର କହିଲାରୁ ଉତ୍‍କ୍ଷିପ୍ତ ହେଇଉଠୁଛି ଏବେ ।
“ମୁଁ ଜାଣିନଥିଲି ତମେ ଏତେ ଭୀରୁ ବୋଲି .. ଜାଣିଥିଲେ ତମକୁ ଭଲପାଇବା ପରି ଭୁଲ୍‍ କାମ କେବେ କରିନଥାନ୍ତି । ଆଜିଠୁ ସବୁଥିରେ ‘ଦ ଏଣ୍ଡ୍‍’ କରୁଛି ମୁଁ । ଏବେ ତୁମେ ତୁମ ବାଟରେ ଯାଅ, ଆଉ ମତେ ଛାଡିଦିଅ ମୋ ବାଟରେ । ଡିଲିଟ୍‍ କରିଦିଅ ମୋ ନମ୍ବର । ଆଉ ଦିନେ ବି ଫୋନ୍‍ କରିବନି ମତେ । ଛି .. ତମ ପରି ପିଲା ପୁଣି କାହାକୁ ଭଲପାଇବା କଥା କୁହନ୍ତି? ଡରୁଆ ..ବୋକା ..ରଖ ଫୋନ୍‍ ଏଥର .. ଆଉ ଯଦି କେବେ କହିଛ ଭଲପାଅ ବୋଲି, ଦେଖିବ ତା’ପରେ ..”

କହୁ କହୁ କାଟିଦେଲା ଫୋନ୍‍ । ଆଉ ମୁହଁ ଘୋଡେଇ ଚୁପ୍‍ ହେଇ ବସିରହିଲା ବେଶ୍‍ ସମୟ । ଭାରି ଖରାପ ଲାଗିଲା ପ୍ରାଜକ୍ତାଙ୍କୁ। ପ୍ରେମରେ ଏପରି ଘଟଣା ଘଟିଲେ ତାଙ୍କୁ ନିଜ ଉପରେ ବିତିଥିବା କଥା ସବୁ ମନେ ପଡିଯାଏ, ଆଉ ଛାତି ଭିତରେ ରୁଗୁ ରୁଗୁ ଯନ୍ତ୍ରଣା ହୁଏ । ଠାକୁରଙ୍କୁ ହାତଯୋଡି ପ୍ରାର୍ଥନା କରନ୍ତି ସବୁ ପ୍ରେମୀ ଯୁଗଳଙ୍କୁ ପ୍ରେମରେ ସଫଳତା ମିଳୁ । ତାଙ୍କ ପରି ଅବସୋସ ଭରା ଜୀବନ କେହି ବି ନଜିଉଁ । କେତେ କାନ୍ଦିଥିଲେ ଚନ୍ଦ୍ରକାନ୍ତ ତାଙ୍କୁ ଛାଡିକି ଗଲା ବେଳେ! ନିଜ ରକ୍ତରେ ଚିଠି ଲେଖିକି ଦେଇ ଯାଇଥିଲେ ଶେଷ ସାକ୍ଷାତରେ । ସେ ଚିଠି ଆଜି ବି ସାଇତି ରଖିଛନ୍ତି ସେ । କେବେ କେମିତି ଚନ୍ଦ୍ରକାନ୍ତଙ୍କ ସ୍ମୃତି ତାଙ୍କୁ ଅସ୍ତବ୍ୟସ୍ତ କଲେ, ସେଇ ଚିଠିକୁ କାଢ଼ି ସେ ପଢ଼ନ୍ତି, ପ୍ରତିଟି ଧାଡି ଉପରେ ନିଜ ଓଠ ବୁଲେଇ ଆଣି କୋହ ଢେ଼ାକନ୍ତି । ପ୍ରେମରେ ପାଇଥିବା ନିଷ୍ଫଳତା ପାଇଁ ସାରା ଦୁନିଆର ସମସ୍ତ ପ୍ରେମୀଙ୍କ ପାଇଁ ନିରବରେ ପ୍ରାର୍ଥନା କରନ୍ତି, ତାଙ୍କ ପରି ଭାଗ୍ୟ ଆଉ କେହି ନଭୋଗୁ ବୋଲି!

ଏବେ ଏଇ ଝିଅଟି ପାଇଁ ତାଙ୍କର ଭାରି ଇଚ୍ଛା ହେଉଥିଲା ପ୍ରାର୍ଥନା କରିବାକୁ । ତା’ ପ୍ରେମର ଦୀର୍ଘଜୀବନ କାମନା କରିବାକୁ । ବିଚାରୀ ଦୁଃଖରେ ଭାଙ୍ଗିପଡିଛି ପୂରା । ସେ ପୁଅଟିର ଭୀରୁତା ପାଇଁ ତାଙ୍କୁ ଭାରି ରାଗ ମାଡୁଥିଲା । ଭଲ ପାଇଲା ପରେ ପରସ୍ପରକୁ ସାହସ ଦେବା କଥା .. ଦୁନିଆକୁ ଭୟକରି ନିଜ ପ୍ରେମକୁ ବଳି ପକେଇଦେବା କ’ଣ ଉଚିତ୍‍! ସେ ଚାହିଁଥିଲେ ଟିକିଏ ସାହାସ କ’ଣ କରିପାରିନଥାନ୍ତା! ଯାହାକୁ ଭଲ ପାଉଛ, ତା’ ମନରେ ଦୁଃଖ ଦେଇ ..

ପୁଣି ବାଜି ଉଠିଲା ତା’ର ଫୋନ୍‍ । ମୁଣ୍ଡ ଉଠେଇ ଚାହିଁଲା ସେ ବିରକ୍ତ ମୁଦ୍ରାରେ । ଆଖି ଲାଲ୍‍ ଦିଶୁଥିଲା । ଫଣଫଣେଇ ଯାଇଥିଲା ମୁହଁ । ଫୋନରେ କେହି ଅଜଣା ବ୍ୟକ୍ତିର ନମ୍ବର ବୋଧେ, କାଟି ଦେଇ ପୁଣି ମୁଣ୍ଡ ତଳକୁ କରିନେଲା । ଦୁଇ ମିନିଟ୍‍ ପରେ ଆଉ ଥରେ ବାଜିଲା ଫୋନ୍‍ । ସେଇ ଏକା ନମ୍ବରରୁ ଆସିଥିଲା । ରାଗରେ ଉଠେଇଲା ଫୋନ୍‍ । ତା’ର ପାଟି କରିବାକୁ ଅପେକ୍ଷା କରୁଥିଲେ ପ୍ରାଜକ୍ତା । କିନ୍ତୁ ପର ମୁହୂର୍ତ୍ତରେ ହସର ଫୁଆରାରେ ଭିଜିଗଲେ ସତେକି! ଝିଅଟିର ମୁହଁରୁ ବିଷାଦର ସବୁ ରେଖା ଅଦୃଶ୍ୟ ହେଇଗଲା ମୁହୂର୍ତ୍ତକ ଭିତରେ । ବେଶ୍‍ ହସି ହସି ଖୁସିରେ କଥା କହିବାକୁ ସେ ଲାଗିଲା । ପ୍ରାଜକ୍ତା ପୁଣି କାନ ଡେରିଲେ । ଆଶ୍ଚର୍ଯ୍ୟ ଆଉ ଅବିଶ୍ୱାସରେ ଆଖି ବଡ ବଡ ହେଇଗଲା । ଝିଅଟି ଫୋନରେ ଗପି ଚାଲିଥିଲା କାହା ସହିତ – ହଁ ୟାର୍‍ .. ବଡ ବୋର୍‍ କରୁଥିଲା ସେ । ବାରମ୍ବାର କହୁଥିଲା ବାହା ହେବ ବୋଲି । ଏମିତି ଧଡକେଇ ଦେଲି ଯେ ବାହା ହେବାର ଆଉ ନାଁ ବି ଧରିବନି କେବେ …”
…..
“କ’ଣ ଆଉ କହିଥାନ୍ତି, କହିଲି ଚାଲ, ମୁଁ ଘରଛାଡି ଆସୁଛି .. କୋଉ ମନ୍ଦିରରେ ଯାଇ ବାହା ହେଇଯିବା .. ଘରଲୋକ ବିରୋଧ କରିବା କଥା କରୁଥାନ୍ତୁ .. ଆମେ କାହିଁ ସେମାନଙ୍କ କଥା ଶୁଣିବା ..”
…..
“ଠିକ୍‍ ଅଛି ..ମତେ ଦୁଇ ଚାରି ଦିନର ସମୟ ଦେ । ମୁଁ ତତେ କହୁଛି କୋଉଠି ଦେଖା ହେବ!ସେ ପୁରୁଣା କଥାକୁ ଛାଡ ତୁ .. ସେସବୁ ଦି’ ଚାରି ଦିନିଆ ଥିଲା .. ତୋ’ ସହିତ ତ ମୋର ପର୍ମାନେଣ୍ଟ୍‍ ବାଲା ନା!”
…..
“ନିଶ୍ଚୟ । ଏଥିରେ ଆଉ ଭାବିବାର ଅଛି! .. ସରିୟାର୍‍, ମୁଁ ସେତେବେଳେ ତା’ କଥାରେ ଭଳି ଯାଇଥିଲି । ଏବେ ଆଉ ସେମିତି ହେବନି .. ପ୍ରମିଶ୍‍ ..!ତୋର ଏଇଟା ନୂଆ ନମ୍ବର ବୋଧେ । ମୁଁ ସେଭ୍‍ କରିଦେଉଛି । ଏଥିରେ ହ୍ୱାଟ୍‍ସ ଆପ୍‍ ଅଛି ତ?”
…..
“ଓକେ ଦେନ୍‍ ..ମୁଁ ମେସେଜ୍‍ କରିବି .. ବାୟ, ସି ୟୁ ସୁନ୍‍…”

ଏଥର ବସିବା ଜାଗାରୁ ଉଠିପଡିଲା ଝିଅଟି । ତା’ର ଗନ୍ତବ୍ୟ ସ୍ଥଳ ଆସି ଯାଇଥିଲା ବୋଧେ । ଉଠୁ ଉଠି ମୋବାଇଲ୍‍ର ସ୍କ୍ରିନରେ ଦେଇଥିଲା ଗୋଟେ ଗଭୀର ଚୁମା । ହତବାକ୍‍ ହୋଇ ଚାହିଁ ରହିଥିଲେ ପ୍ରାଜକ୍ତା ସେ ଝିଅକୁ ଆଉ ତା’ ପ୍ରେମର ନିବିଡତାକୁ । ଓହ୍ଲେଇ ସାରି ଭିଡ ଭିତରେ ହଜି ଯାଇଥିଲା ସେ । ଆଉ ସେ ବସି ବସି ଭାବୁଥିଲେ ଏବେ କାହା ପାଇଁ ପ୍ରାର୍ଥନା କରିବେ!
………………………..

ଓଡ଼ିଶା ସମ୍ବାଦର ସାହିତ୍ୟ ବିଭାଗକୁ ଲେଖାପଠାଇବାକୁ ଚାହୁଁଥିଲେ ତଳ ଆଇଡିରେ ମେଲ୍‍ କରନ୍ତୁ:

sahitya.odishasambad@gmail.com
(ଲେଖା ସହିତ ନିଜର ଏକ ଫଟୋ, ଜନ୍ମ ତାରିଖ, ମୋବାଇଲ ନମ୍ବର ପଠାଇବାକୁ ଭୁଲିବେନି)

Leave A Reply

Your email address will not be published.