Latest Odisha News

BREAKING NEWS

ଛାତିତଳର କଥା

ଛାତିତଳର କଥା
ଅମିୟ ବେଜ୍

― ଏଇ ଦେହଟାରେ ଛୁରୀ କତୁରୀ ଚାଲିବ ? ପୁଣି ଛୁଞ୍ଚି ଫୋଡି ସିଲେଇ ହେବ । ଶେଷକୁ କଟାମଟା ଦାଗ ଛାଡ଼ିଦେଇ ଯିବ ସବୁଦିନକୁ ?

ନାଃ ! ଥାଉ । ସେଇମିତି ଅକଟା ଥା’ ତୁମେ । ଦର୍କାର ନାହିଁ ଆମର । ଆଉରି କେତେ ରକମର ବ୍ୟବସ୍ଥା ଅଛି। ନୋଇଲେ ନିଜକୁ ଟିକେ ସମ୍ଭାଳି ନେଲେ ଚଳିବ । ଦୁନିଆ ଟାକୁ ଦେଖେଇ – ଜଣେଇ ଫାଇଦା ବି କଣ ? ନିଜକଥା ନିଜ ଭିତରେ ଥାଉ । ତୁମ ପେଟରେ କଟା କଟି ମାନେ , କିଏ ମୋ କଲିଜାରେ ଛୁରୀ ଚଲେଇ ଦେଲା ପରି । ବୁଝିଲ ?

― ସବୁ କରୁଛନ୍ତି । କରି ଆଇଲେଣି । ଛୁଆ ତ ବଡ଼ ହେଲାଣି । ଆଉ ନାହିଁ ବୋଲି ମୂଳରୁ ନିଷ୍ପତ୍ତି । ଏଇ ନାହିଁ ନାହିଁରେ ଦି ଦି ଥର ମୋତେ ହଇରାଣ କଲଣି । ତୁମର ଯେଉଁ ଅସମ୍ଭାଳ ରୂପ । ବାହାର ଦେହଟାକୁ ଏତେ ସରାଗ, ଭିତରେ ହଇରାଣ କଥାଟା ତୁମେ କାହୁଁ ବୁଝିବ ?

ପୁରୁଷ ପିଲା ତୁମେ ! ସରିଗଲେ ସରିଯାଏ । ଭୋଗୁଁ ତ ଆମେ ନା ?

― ହେଃ ! ଚୁପ୍ । ନାହିଁ ମାନେ ନାହିଁ । ଏବେଠୁ ସେସବୁ ବି ନାହିଁ । ହେଲାତ ? ନା’ ବାଜିବ ବଂଶୀ ନା ନାଚିବ ରାଧା !

― ସତ କଥା କହୁନ ?

― କ’ଣ ?

― ଭଲ ପାଅ ମତେ । ମୋ’ ଏଇ ଦେହଟାକୁ । ଛୁଞ୍ଚି ଟେ ମୋ’ ଠେଇଁ ଫୁଟିଲେ, କାଟେ ତୁମକୁ ।

― ଜାଣ ତ ପୁଣି …

― ଲଭ୍ୟୁ ! କିନ୍ତୁ ଏଇ ଦେହ ସରାଗ କେତେ ଦିନ ଆଉ ? ପୁରୁଣା ହେବ ଦିନେ । ଖଣ୍ଡ ଖଣ୍ଡ ହୋଇ ଝଡ଼ିବ ସବୁ। ସେତେବେଳେ ?

― ଦେଖିବ ସେତେବେଳେ ପ୍ରେମ ଆଉରି ବହଳିଆ ହେବ । ସୁନ୍ଦରତା କେବେ କମେନି । ବଢିବଢି ଚାଲେ । ଥିଲ କ’ଣ ହେଲଣି କେମିତି ? ଆଉରି ହେବ । କେବଳ ଠାକୁରେ ମୋ’ ଦେଖିବା ଆଖିହଳକୁ ଏଇମିତି ପ୍ରେମିକ ପ୍ରେମିକ କରି ରଖିଥାନ୍ତୁ ।

― ପ୍ରେମିକ ନୁହେଁ , ପ୍ରେମ ପାଗଳ କରି ରଖନ୍ତୁ କୁହ ।

― ହଁ ! ସେୟା ।

ଲାଲି ବହୁଜଣଙ୍କଠୁଁ ଗୋଟିଏ ସମାନ ଅଭିଯୋଗ ଶୁଣେ । ସ୍ତ୍ରୀ ମାନଙ୍କୁ ଖୁବ୍ ଯତ୍ନରେ , ଭଲରେ ରଖିବା ଚେଷ୍ଟାରେ ସ୍ୱାମୀ ମାନେ ସେମାନଙ୍କ ସବୁଯାକ ବଳ ବୟସ ଖର୍ଚ୍ଚ କରିଦିଅନ୍ତି । ନାରୀ କିନ୍ତୁ ସବୁବେଳେ ଗୋଟେ , ଆଦିମ – କଠୋର – ପାଗଳ ପ୍ରେମିକ ପୁରୁଷର କାମନାରେ ସନ୍ତୁଳି ହେଉଥାଏ । ଏଇକଥାତକ ସ୍ବାମୀ ମାନଙ୍କୁ ହୃଦବୋଧ ହୁଏନି। ସେଥିଲାଗି ସବୁତକ ପରିଶ୍ରମ ସେମାନଙ୍କର ଅଜାଣତରେ ତୁଚ୍ଛ ହୋଇପଡେ ।

ଯେ’ ମୁହୂର୍ତ୍ତ ମାନଙ୍କୁ ଉଜାଗର କରି ସତେଜ କରି ନ ପାରେ ସେ କି ପୁରୁଷ ? ତା’ ବୀରୁ କିନ୍ତୁ ଭିନ୍ନ । ସ୍ୱାମୀ କିନ୍ତୁ ସ୍ୱାମୀତ୍ୱ କାଣିଚାଏ ନଥାଏ ତା’ଠେଁ।

― ଯାହା ସ୍ୱପ୍ନ-କଳ୍ପରେ ଭାବିଭାବି ନିଜକୁ ବଡ଼ କରିଥିଲି , ହୁବହୁ ମିଳିଛି ସେତକ ମୋତେ । ବରଂ ତତୋଧିକ କହିପାର। ମୁଁ ଭାଗ୍ୟବନ୍ତ ।

ଏଇପରି ସ୍ବୀକାରୋକ୍ତିରେ ପୃଥିବୀର କେଉଁ ସ୍ତ୍ରୀ ନାହିଁ ଯେ ଉଛୁଳି ପଡେନି । ସମ୍ଭାଳି ପାରେନି ଲାଲି । ଆଉ କୌଣସି ଉପକ୍ରମଣିକା ନରଖି , ନିରୋଳା ସ୍ତ୍ରୀଟିଏ ରୁ ଅଝଟ ପ୍ରେମିକାଟିଏକୁ ରୂପାନ୍ତରିତ ହୋଇଯାଏ ।

ଏଇ ଏକାନ୍ତ-ଏକାକାର ବେଳଗୁଡ଼ାକ ଏତେଯାକ ସଜୀବ ହୋଇପଡନ୍ତି ଯେ’ ଆଖପାଖର ନିର୍ଜୀବ ବସ୍ତୁ- ପଦାର୍ଥ ମାନଙ୍କ ଦେହରେ ଉର୍ଜା ଭରିଯାଏ । ଆଘାତ ସମ୍ଭାଳି ପାରନ୍ତିନି କିଛି । କିଛି ଭାଙ୍ଗିରୁଜି ମଧ୍ୟ ଯା’ନ୍ତି ।

ଏଇ ହେଲାତ ପ୍ରେମ । ଦୈହିକ । ଦେହ ଭିନ୍ନ ପ୍ରେମ ସତ୍ତାହୀନ । ଭଲକି ବୁଝେ ବୀରୁ ଏଇତକ । ଲାଲୀର ଏଇ ଅକ୍ଷତ ନିଟୋଳ ଦେହଟା ହିଁ ତା’ ପ୍ରାଣବିନ୍ଦୁ । ଏଇ ହିଁ ଆଗ୍ରହ , ଏଇ ହିଁ ଶକ୍ତି , ଏଇ ହିଁ ଭବିଷ୍ୟତର ଉତ୍ସାହ।

ଆଉ ମନ ବୋଲି ଯାହା ସବୁ , ସେତକକୁ ହାତ ଆଞ୍ଜୁଳାରେ ଆଣି ଥୋଇଦିଏ ବୀରୁ , ଲାଲୀର ପାପୁଲି ମୁଠାରେ । ମନତକ ଉତ୍ସର୍ଗ କରିଦେଇ କୁହେ-

― ସାଇତି ରଖିଥା । କେବେ କିଛି ଅନିୟନ୍ତ୍ରିତ ହେବାର ଆଉ ଯୁ’ ନ ଥିବ । ବାସ୍ ! ଭୋଗବାଦର ଏଇ ଛୋଟ ଛୋଟ ମୁହୂର୍ତ୍ତ ସବୁ ଖୁବ୍ ଆତ୍ମୀୟ । ଯେ’ ସଂରକ୍ଷିତ କରି ପାରିଲା ସେ ସଫଳ ସଂସାରୀ । ଆଉ ଯେ’ ନ ପାରିଲା ….. ।

ଦିନେ ଏକ ଝାଉଁଳା ପୂର୍ବାହ୍ନରେ ବୀରୁ ଘରକୁ ଆସି ଆଶ୍ଚର୍ୟ୍ୟ କରିଦେଲା ଲାଲୀକୁ ।

― ଫିନିସ୍ ! ଆଉ ନା ଭୟ ନା ଦ୍ଵନ୍ଦ ।

― ହେଃ ! ସଫା ସଫା କୁହ । କଣ ହୋଇଛି ?

― କରିଦେଇ ଆସିଲି । ପରିବାର ନିୟୋଜନ।

― ହ୍ଵାର୍ଟ ? ତୁମେ ? ତୁମର ……

― ହଁ ! ପ୍ରୋବ୍ଲେମ କ’ଣ ?

― ହେଃ ! ମୋତେ ନ ଜଣେଇ …?

ଛାତି ଉପରକୁ ଭିଡ଼ିନେଇ ବୀରୁ କହିଲା –

― ତୁମ ଏଇ ଅକ୍ଷତ , ଅଭିନ୍ନ ଦେହଟା ଉପରେ କିଏ ଅସ୍ତ୍ରାଘାତ କରିଥାନ୍ତା । ଆଉ ମୁଁ ସମ୍ଭାଳିଥାନ୍ତି କେମିତି ? ସେଥିପାଇଁ ନିଷ୍ପତ୍ତି ଓଲଟାଇ ଦେଲି ।ଏବେଠୁଁ ଆମ ପ୍ରେମ ଭୟମୁକ୍ତ । ବଞ୍ଚିଥିବା ଯାଏଁ । ନିର୍ଭୟ , ନିର୍ଭୁଲ ପ୍ରେମର କଥା କିଛି ଦୋସରା । ନୁହଁ ?

ଫାଟି ପଡୁଥିଲା ଲାଲି । ଟୋପା ଟୋପା ଉଷୁମ ଲୁହରେ ବୀରୁର ଛାତି ଭିଜୁଥିଲା । ଲାଲିକୁ ଭଲକି ଜଣା ବୀରୁର ସମ୍ବେଦନଶୀଳତା । କେଡେ କିପରି କଷ୍ଟ ପାଇଥିବ ଏସବୁ କରି ସେ । ତା’କୁ ନ ଜଣାଇ ଏ କ’ଣ କରି ଆସିଲା ? ମୁହଁ ଗୁଞ୍ଜି ଦେଲା ଆସ୍ତେକି ଲାଲି ସେ କଷ୍ଟ ଉପରେ ।

ପ୍ରେମବେଳା ମାନଙ୍କରେ ଢ଼େର୍ ଭୁଲ୍ ଭଟକା ରହେ । ମଣିଷ ଏକ ଅନିୟନ୍ତ୍ରିତ ଜୀବ । ପୁଣି ନିୟନ୍ତ୍ରଣ କରିନେଲେ ପ୍ରେମ ଅପୂର୍ଣ୍ଣତା ବ୍ୟାଧିରେ ପୀଡିତ ହୋଇପଡେ । ଏଇ ନ୍ୟାୟରେ ଦୁଇ ଦୁଇ ଥର ଅବାଞ୍ଛିତ ଗର୍ଭଧାରଣ କରି ସାରିଥିଲା ଲାଲି। ସେସବୁ ସଜାଡ଼ିବାର କଷ୍ଟ ଭାରି ବିଷମ । ପ୍ରାଣୀ ଜଗତରେ କେବଳ ମଣିଷ , ଯେ’ ଏସବୁକୁ ନେଇ ଅବସୋସ କରୁଥାଏ ବାରମ୍ବାର । ସେଥିପାଇଁ ଏକ ଦୃଢ଼ ନିଷ୍ପତ୍ତି ବାକିମାନଙ୍କ ପରି ନେବାକୁ ଇଚ୍ଛା କଲାବେଳେ , ମନା କରିଦେଇଥିଲା ବୀରୁ ।

― ନାଃ ! ତୁମ ଦେହରେ କୌଣସି କଟା ଛଟା ଅସମ୍ଭବ । କାହାକୁ ନେଇ ମୁଁ ଆଉ ପାଗଳ ହେବି ?

ଆଉ ସେଇ ପାଗଳ ଆଜି ନିଜେ ଯାଇ …..।

ପ୍ରେମର ଚକ୍ରବୃଦ୍ଧି ସୁଧ ଏଇମିତି ବଢ଼ିବନି ତ ଆଉ କ’ଣ ?

★★★

ପହିଲି ରାତିରେ ଶେଜରେ ନିର୍ବିକାର- ନିଶ୍ଚଳ ହୋଇ ଘଡ଼ିଏ ସରିକି ଚାହିଁ ରହିଥିବା ବୀରୁକୁ ନିଜଆଡୁ ସାହସ କରି ପ୍ରଶ୍ନ କରିଥିଲା ଲାଲି-

― କ’ଣ ଦେଖୁଛ ଏତେ ?

― ଉଁ ଉଁ ଉଁ । ତୁମକୁ । ଦେଖିବାକୁ ଦିଅ । ପ୍ରଶ୍ନ କରନି ।

ମଜା କରି ଲାଲି ପୁଣି ପ୍ରଶ୍ନ କଲା –

― ଦେଖିଲ କେତେବେଳେ ? ମୁଁ ତ ଏବେବି…..

― ସେଇତ ବ୍ୟତିକ୍ରମ । ବୁଝିପାରିବନି ତୁମେ । ପୁରୁଷ ଦେଖିପାରେ । ତା’ ଆଖିହଳକ ସେଇମିତି । ଆବରଣକୁ ଭେଦି ପାରିବାର କୌଶଳ , ସବୁପୁରୁଷଙ୍କ ଠାରେ ଭରିଥାଏ ।

― ଓଃ ! ଏ କି କଥା ?

ଏଥର ନିଜକୁ ନିଜଆଡୁ ଅନାବୃତ କଲାବେଳେ , ଲାଲିର ଦୁଇହାତକୁ ଜାବୁଡି ଧରି ବୀରୁ କହିଥିଲା –

― ରୁହ ! ଅନ୍ଧାର କରିନିଏ । ନଚେତ୍ ଦୃଷ୍ଟିହୀନ ହୋଇଯିବି ମୁଁ ।

ଜୁଆରରେ ଆବେଗ ରହିଲେ ଭଟ୍ଟା ସବୁ ମୂଲ୍ୟହୀନ ହୋଇପଡେ । ପହିଲି ଦିନ ମାନଙ୍କ ପ୍ରେମ ଜୁଆର ମାନଙ୍କରେ ଏଯାବତ୍ ଭଟ୍ଟା ପଡିପାରିନି ଦୁହିଁଙ୍କର । ଲାଲି ଆଉରି ନିଖୁଣ , ସୁଢୋଳ , କମନୀୟ ହୋଇ ଚାଲିଛି ସଂସାର ପଥରେ। ବୀରୁର ଯୁକ୍ତି ଭିନ୍ନ ଆଉ ବିଚିତ୍ର ।

ନିଜ ପତ୍ନୀ ପାଇଁ ଅନ୍ତଃବସ୍ତ୍ର ହଳେ କିଣି ଆଣିବାକୁ ଆଗ୍ରହ ଅବା ସାହସଟିଏ କରି ପାରୁନଥିବା ସମର୍ଥ ପୁରୁଷତକ ଜୀବନସାରା ଜଣେ ଭଲ ସ୍ୱାମୀର ଦାୟିତ୍ବ ନିଭାଇ ପାରନ୍ତି ସତ କିନ୍ତୁ କେବେହେଲେ “ବୀରୁ” ଟିଏ ହୋଇ ପାରନ୍ତିନି । ବୀରୁର ଶ୍ରଦ୍ଧା ଭିନ୍ନ ରକମର।ପ୍ରେମକୁ କାନମୋଡ଼ି ଆଣି ଥୋଇଦିଏ ଲାଲୀର ହାତ ଆଞ୍ଜୁଳାରେ ।

ବିଫଳ, ହତଭାଗ୍ୟ ମଣିଷଗୁଡା ସବୁକଥାକୁ ଅନ୍ୟଥା ନେଇଥାନ୍ତି । ବୀରୁର ଏଇ ଯୁକ୍ତିକୁ ମଧ୍ୟ କିଏ କିଏ ବିଚିତ୍ର ଭାବନ୍ତି। ସମୟ କିନ୍ତୁ ବୋହିଚାଲେ ପ୍ରେମର ଫଲଗୁଧାରାରେ । ପ୍ରେମର ପଶାଖେଳରେ ବେଳେବେଳେ ଆଗ୍ରହୀ ହୋଇ ଲାଲୀ ପଚାରିବସେ –

– କହିବକି ସ୍ପଷ୍ଟକରି ,ଏତେ ଭଲପାଇବାର ରହସ୍ୟତକ ?

– ଭାରି ସ୍ପଷ୍ଟ । ତୁମେ ଅଭିନ୍ନ ଅନନ୍ୟ । ମୋ’ ଗର୍ବ ଏତକ ।

– ଆଉ ଅସୁନ୍ଦରୀ ହୋଇଥିଲେ ?

– ମିଛୁଆ ହେବାକୁ ବାଧ୍ୟ କରିଥାନ୍ତି ନିଜକୁ ଅବଶ୍ୟ ।

– ମଧ୍ୟାହ୍ନ ବୟସରେ ଏତେ ଆସେ କେଉଁଠୁ ସୌନ୍ଦର୍ୟ୍ୟବୋଧ ?

– ଏଇ ତୁମ ଛାତିତଳର ଗୁଞ୍ଜରଣ ମାନଙ୍କଠୁଁ ।

ମୁହଁ ଗୁଞ୍ଜି ଦିଏ ଲାଲୀର ଛାତି ଭିତରେ ବୀରୁ । ଛାତି ତଳର ଧକଧକ୍ ସବୁଙ୍କୁ ଆତ୍ମସ୍ଥ କରି ରୋମାଞ୍ଚିତ ହୋଇପଡେ । କୁହେ ହୃଦୟର ପ୍ରତିଟି ଉଚ୍ଚାରଣ ରେ ଅଛି ଵେଦମନ୍ତ୍ର ପରି ପବିତ୍ରତା । ଜଣେ ତା’କୁ କାନେଇ ପାରିଲେ ହେଲା ।

– ସତକୁହ । କ’ଣ ଭଲଲାଗେ ? ଛାତି ନା ହୃଦୟ ?

– ଉଁଉଁଉଁ । ଦୁହେଁ । ଜାଣ ! ଅନୁଚ୍ଚ ଅସ୍ପଷ୍ଟ ବକ୍ଷଧାରିଣୀ ମାନେ ଜଣେଜଣେ ବାଧ୍ୟସୁନ୍ଦରୀ ହୋଇପାରନ୍ତି ସତ କିନ୍ତୁ ଭାରି ଅପ୍ରାକୃତିକ । ଅନାକର୍ଷଣୀୟ।

– ହା ହା । ସେମିତି ନୁହଁ । ତଥାପି ଏଇତକକୁ ସିଧାସିଧା କହିବାର ଅଧିକାର ଅଛି ତୁମର । ପତ୍ନୀ ମୁଁ । ନିଜ ପ୍ରିୟତମ ଠୁଁ ଅକୁଣ୍ଠ ପ୍ରଶଂସା ଶୁଣିବାରେ କେଉ ନାରୀ ଲୋଭଟିଏ ରଖିନଥାଏ ?

― ଜାଣ ! ମୋତେ ବେଳେବେଳେ ଲାଗେ ନଜମ୍ମା ର ସ୍ୱାମୀ ଠିକ୍ କରନ୍ତି । ସେଇ ଯେଉଁ ତୁମ ସାଙ୍ଗ ମଁ ? ଯା’ ମୁହଁ ଦେଖା ଯାଏନି । ଅଥଚ ତୁମେ କୁହ ସେ’ ଭାରି ସୁନ୍ଦରୀ ।

― ଓଃ ! କ’ଣ ଠିକ୍ କରନ୍ତି ତା’ ସ୍ବାମୀ ?

― ନିଜ ପ୍ରେମକୁ ଢାଙ୍କି ରଖିଥାନ୍ତି । ମୋ’ର ବି ବେଳେବେଳେ ଇଚ୍ଛା ହୁଏ ତୁମକୁ ଢାଙ୍କି ରଖିବାକୁ । ଯାହା କେବଳ ମୋ’ର , ତାହା ଆଉ ସବୁଙ୍କୁ ଅଗୋଚର ହେଉ ।

― ହା ହା । ଆଣିଦିଅ ତା’ ହେଲେ ମୋ’ ପାଇଁ ବୁର୍ଖାଟେ ।

― ନାଁ ଯେ’ କିନ୍ତୁ ମୋ’ର ଏଇ ହୀନମନ୍ୟତାକୁ ତୁମେ ପ୍ରେମ କହିପାର ।

― ନାଃ ! ପ୍ରେମ ପାଗଳ କୁହାଯାଏ ୟା’କୁ ।

ସତରେ ଲାଲି ପାଇଁ ପାଗଳ ହେବାକୁ ପ୍ରସ୍ତୁତ ବୀରୁ ଅଟକି ଯାଏ ସେ ସବୁବେଳେ ଲାଲିଠାରେ ଯାଇ । ନିଶାଗ୍ରସ୍ତ ହୋଇପଡେ । ଝୁମେ , ନାଚେ । ସାରା ଦୁନିଆ ତାକୁ ଅନାକର୍ଷଣୀୟ ବୋଧ ହୁଏ ।

ପାଗଳ ହେବା ସହଜ ନୁହେଁ । ଲାଲି ଟିଏ ଭାଗ୍ୟ ହେବା ଜରୁରୀ । ସଂସାର ଚକରେ ଉର୍ଜା କମେନି । ଗାଡି ଆଗକୁ ଆଗକୁ ଅଗ୍ରସର ହୁଏ । ସିଏ ଇଏ କୁହାକୁହି ହୁଅନ୍ତି , ଏଇଗୁଡା ତୁଚ୍ଛାକୁ ଏତେ…।

★★★

ଅନୁଚ୍ଚ , ଅସ୍ପଷ୍ଟ ବକ୍ଷ ଧାରିଣୀ ମାନେ ଜଣେ ଜଣେ ଅପ୍ରାକୃତିକ , ଅନାକର୍ଷଣୀୟ , ବାଧ୍ୟସୁନ୍ଦରୀ । ଏଇ ମାନସିକତାରେ ରହିଥା’ନ୍ତି ସବୁ ପୁରୁଷ ।

ତା’ର ସୁଢୋଳ ବକ୍ଷୋଜଙ୍କର ଆକର୍ଷଣରେ ବାରମ୍ବାର ପଥହୁଡେ ବୀରୁ । ମୋହାଛନ୍ନ ଅବା ବଶୀଭୂତ ହେଲାପରି । ଏଇ ନିରୀହପଣକୁ ଖୁବ୍ ଉପଭୋଗ କରୁଥାଏ ଲାଲି । ବୀରୁର ଦୁଷ୍ଟାମୀରେ ଥାଏ ଗୋଟେ ଗୋଟେ ଅନଭ୍ୟସ୍ତ ପ୍ରେମକଳା । ବ୍ଲାଉଜ୍ ର ଅବାଧ୍ୟ ବନ୍ଦ ବୋତାମ ମାନେ ବ୍ୟୁନ୍ତଚ୍ୟୁତ ହୋଇ ଖସି ପଡୁଥିବା ବେଳେ ହସି ହସି ବୀରୁ କୁହେ –

― ଏସବୁର ଦୋଷ, ତୁମର ଭାରିପଣ ।

― ଦୁଷ୍ଟ ଭାରି ।

― କାରଣଟି ବି ତୁମେ ହିଁ କେବଳ । ସତକହୁଛି ତୁମେ ଭାରି ଅସହ୍ୟ ।

ପ୍ରେମର ଏଇ ସବୁ ମହାର୍ଘ୍ୟ ବେଳରେ ଦିନେ କିନ୍ତୁ ଖୁବ୍ ଆଶ୍ଚର୍ୟ୍ୟଚକିତ ହୋଇ ଲାଲି ଦେଖାଇଥିଲା ନିଜ ବାଁପଟ ଛାତିଟିକୁ ନେଇ ।

― ହେଇ ! ଦେଖିଲ ଟିକେ ? ଆରଟାରୁ ସାମାନ୍ୟ ବଡ଼ ଲାଗୁନି ?

ମୁହଁକୁ ଦୁଇ ହାତରେ ତୋଳି ଧରି ବୀରୁ ମନ୍ତବ୍ୟ ଦେଲା

― ଲାଗିବନି ? ଏଇ ପଟରେ ହୃଦୟ ଯେଉଁ ଅଛି । ଆମ ହୃଦୟର ଆକାର-ଆୟତନ ଖୁବ୍ ବିଶାଳ ।

ଏବଂ ଦୁହେଁ ଚିନ୍ତାହୀନ ହୋଇପଡିଲେ। ପ୍ରେମର ବହଳ ପ୍ରଲେପରେ ଆଉରି ନିର୍ଭୀକ ମଧ୍ୟ । ସମୟ ଗଡିଚାଲିଥିଲା ନିଜ ଠିକଣାରେ ।

ଅନ୍ଧାରରେ କେବଳ ନିଜକୁ ଆବିଷ୍କୃତ କରିହୁଏ , ବହୁକିଛି ଅନାବିଷ୍କୃତ ରହିଯାଏ । ଯାହାକୁ ଲୋଡାପଡ଼େ ଆଲୁଅ ।

ଢେର୍ ଦିନପରେ ଦିନେ ପୁଣି ଗାଧୁଆଘରେ ନିଜକୁ ଆବିଷ୍କାର କଲା ଲାଲି । ନାଃ ! ତା ବାମପାଖ ସ୍ତନଟି ଡାହାଣ ପାଖଠୁଁ ଅସ୍ଵାଭାବିକ ବୃଦ୍ଧି ପାଉଛି କେମିତି ଗୋଟେ । କିଛି ଭାଗର ରଙ୍ଗ ମଧ୍ୟ ବଦଳି ଯାଉଛି। ହାତଦେଇ ଚିପିବାରୁ ଜଣା ପଡୁଥିଲା ଭିନ୍ନତା । ନଥିଲା ଡାହାଣ ପଟର କୋମଳତା ସେଠି। କିଛି ତ ବ୍ୟତିକ୍ରମ ଅଛି ।

ପୁଅକୁ ସ୍କୁଲରେ ଛାଡି ଡ୍ରଇଂରୁମରେ ବସିଛି ବୀରୁ । ସେଇ ଅବସ୍ଥାରେ ଗାଧୁଆ ଘରୁ ଚାଲି ଆସିଲା ଲାଲି ବାହାରକୁ ।

― ହେଈ ! ଦେଖତ ! ଯାହାକୁ ସେଦିନ ହୃଦୟର ଭାରିପଣ କହୁଥିଲ ସେ’ ବୋଧେ ଆଉକିଛି ।

ସଚ୍ଚୋଟ୍ ପ୍ରେମିକଟିଏ ଉଲଗ୍ନ ପ୍ରେମିକାକୁ ସହି ପାରେନି ବରଂ ଦୃଷ୍ଟିହୀନ ହୋଇପଡିବାକୁ ଇଛାକରେ । ହୃଦୟର କିଛି ନଗ୍ନତା ନଥାଏ । ଛାତି ଆବରଣ ତଳେ ଲୁଚି ରହିଥିବାରୁ , ତୁଚ୍ଛାଟାରେ ଛାତିର ନିର୍ଦ୍ଧାରିତ ନଗ୍ନବୋଧ ପାଇଁ ସର୍ବଦା ନିନ୍ଦିତ ହେଉଥାଏ ।

ମୁଣ୍ଡ ଉପରେ ବିଶ୍ୱାସର ଭରା ଆକାଶ , ପାଦତଳୁ ସାହାଭରସାର ଅପର୍ୟ୍ୟାପ୍ତ ପୃଥିବୀ ଯେମିତି ହାତ ଛାଟି ଖସି ପଡୁଥିଲେ ବୀରୁ ପାଖରୁ । ସେ’ ପ୍ରେମାନ୍ଧ ହୋଇପାରେ ଜନ୍ମାନ୍ଧ ନୁହେଁ । ବହୁଦିନ ଆଗରୁ ଏଇ ବାମସ୍ତନର ଅସ୍ୱାଭାବିକ ପରିବର୍ତ୍ତନ ନେଇ ଚିନ୍ତା ବ୍ୟକ୍ତ କରିଥିଲା ଲାଲି । ସେ ଏଡାଇ ଦେଇଥିଲା । କିନ୍ତୁ ଆଜି ସ୍ପଷ୍ଟ ଆଲୁଅରେ ଦୃଶ୍ୟ ହେଲାପରେ ?

ହାରିଗଲା ସବୁତକ ପ୍ରେମବୋଧ । ନିର୍ବାକ ନିଶ୍ଚଳ ବୀରୁ !

ଲାଲି ଦେହର ସାମାନ୍ୟ ଆଂଚୁଡା ତାକୁ ବ୍ୟସ୍ତ କରିଦିଏ।
ସନ୍ଦେହରେ ଲାଲି ପ୍ରଶ୍ନ କରୁଥାଏ , କାହାକୁ ଭଲ ପାଅ ତୁମେ , ମୋତେ ନା’ ଏ ଦେହଟାକୁ ?

ଅଥଚ ଏଇ ସୁନ୍ଦରତାରେ ସେ ପାଗଳ ହେଉଥାଏ , ଅହଂକାରରେ ଫାଟି ପଡୁଥାଏ । କିନ୍ତୁ ସେଇ ଦେହରେ ଆଜି ?

― କହିଥିଲି ନା ? ଏ ଦେହ ଦିନେ ଖଣ୍ଡ ଖଣ୍ଡ ହୋଇ ଝଡ଼ିଯିବ । ସତକୁହ , ଏ ଦେହ ବିକୃତ ବିକଳାଙ୍ଗ ହୋଇଗଲେ, ତୁମେ ଆଉ ତୁମ ପାଗଳାମି?

― ଓଃ ! ବନ୍ଦ୍ କର । ଚାଲ ତୁରନ୍ତ । ବାହାରି ପଡ଼।

― ଏବେ ତ କୁହ ଥରେ , କିଛି କ’ଣ ହୋଇଗଲେ ଆଖି ହଳକୁ ଆଗପରି ପ୍ରେମିକ- ପ୍ରେମିକ କରି ଧରି ରଖି ପାରିବ ତ ତୁମେ ?

― ଓଃ ! ଲାଲି ! ଷ୍ଟପ୍ ଇଟ୍ । ହୃଦୟର ସୌନ୍ଦର୍ୟ୍ୟ କେବେ ଫିକା ପଡେନି । ସେଥିପାଇଁ ସେ ଅଦୃଶ୍ୟ । ଚାଲ ଜଲଦି।

― ଶୁଣ ଭଲକି । ମୋ’ତେ ପୁଅକୁ ବଡ଼ ହେବା ଦେଖିବାର ଅଛି। ତୁମ ପାଇଁ ଆଉରି ଢେର୍ ଭଲ ପାଇବା ବାଢିବାର ଅଛି । ମୋତେ ନିଶ୍ଚୟ ବଞ୍ଚାଇ ରଖିବ କହୁଛି ।

― ଷ୍ଟପ୍ । ଷ୍ଟପ୍ । ଷ୍ଟପ୍ ।

ମରିବା ଯାଏଁ ବଂଚି ରହିବାର କାଳଖଣ୍ଡକର ଦୈର୍ଘ୍ୟ କେତେ ସତେ ? ସବୁକିଛି ପୂର୍ବନିର୍ଦ୍ଧାରିତ ନା ନିଜକୁ ବଞ୍ଚାଇ ନପାରିବାର ବିଫଳତା ?

ଈଶ୍ଵର ବୋଲି ଯାହା ସବୁ ରହସ୍ୟ , ବାସ୍ତବରେ ସେସବୁ ଚକ୍ରାନ୍ତ । ଇଶ୍ଵର ରୂପୀ ପ୍ରାଣୀଟି ସର୍ବଦା ଅସହିଷ୍ଣୁ , ଅବିବେକୀ , ନିଷ୍ଠୁର । ଈଶ୍ଵରୀୟତା ବଜାୟ ରଖିବାକୁ ନାନା କୂଟଖେଳ ଖେଳେ ସେ । ଆଦୌ ସ୍ଵଛ , ପାରଦର୍ଶୀ ନୁହେଁ । କେଉଁଠି ନା କେଉଁଠି ଈଶ୍ଵରଙ୍କ ଦେହରେ ମଣିଷର ସତ୍ତାଟିଏ ଛପିଥାଏ । ଫଳତଃ ଗୋଦରାଙ୍କ ପରି ଗଢ଼େ ଯେତେ , ଭଙ୍ଗେ ସେତେ ।

★★★

― ପରିବାରରେ ଆଗକୁ କାହାକୁ , ମା – ଭଉଣୀ – ମାଉସୀ – ପିଉସୀ ଆଦିଙ୍କୁ କ୍ୟାନ୍ସର ଥିଲା କି ?

ଅର୍ଥାତ୍ ତା’କୁ କ୍ୟାନ୍ସର ? ସ୍ତନ କର୍କଟ ? ଡାକ୍ତରଙ୍କର ଏକି ଅବାନ୍ତର ପ୍ରଶ୍ନ ? ମୁହଁ ମାଡି ଦେଇଥିଲା ବୀରୁ । ଏତେ କଷ୍ଟ ସେ ସହିପାରେନି ବୋଲି ଲାଲିକୁ ଜଣା ଏକଥା ।

― ଡାକ୍ତର !!

― ହଁ ! ସାର୍ । ରିପୋର୍ଟ ସେୟା କହୁଛି ।

― ଏବେ ?

― ଡିଟେକ୍ଟ କରିବାରେ ଆପଣମାନେ ବିଳମ୍ବ କରିଛନ୍ତି। ପ୍ରକୃତ କଥା ହେଲା କିଛି ସ୍ୱାଭାବିକ ଅଙ୍ଗକୁ ଗୁପ୍ତାଙ୍ଗର ମୋହର ଲଗାଇ ଏମିତି ଆଢୁଆଳରେ ରଖି ଦିଆଯାଏ ଯେ , ମଣିଷ ନିଜକୁ ପରଖିବାକୁ ବି ଅସହଜବୋଧ କରୁଥାଏ । କାହାର ପରାମର୍ଶ ନେବାକୁ ତତୋଧିକ ଅନିଚ୍ଛା । ଆଉ ଶେଷକୁ ବିଳମ୍ବ ହୋଇଯାଇଥାଏ ।

― କେତେ ବିଳମ୍ବ ହୋଇ ସାରିଛି ମ୍ୟାମ୍ ?

― ସମ୍ଭବତଃ ରିମୁଭ୍ କରିବାକୁ ହେବ । ମୁଁ ସିନିୟର୍ ଙ୍କର ପରାମର୍ଶ ନେଇ ଜଣାଇବି ।

― ରିମୁଭ୍ ! ତାପରେ ?

― ବାସ୍ ! ଇଶ୍ଵର !!!!
………………
ଘଟଗାଁ, କେନ୍ଦୁଝର

ଓଡ଼ିଶା ସମ୍ବାଦର ସାହିତ୍ୟ ବିଭାଗକୁ ଲେଖାପଠାଇବାକୁ ଚାହୁଁଥିଲେ ତଳ ଆଇଡିରେ ମେଲ୍‍ କରନ୍ତୁ:
sahitya.odishasambad@gmail.com
(ଲେଖା ସହିତ ନିଜର ଏକ ଫଟୋ, ଜନ୍ମ ତାରିଖ, ମୋବାଇଲ ନମ୍ବର ପଠାଇବାକୁ ଭୁଲିବେନି)

Leave A Reply

Your email address will not be published.