Latest Odisha News

BREAKING NEWS

ଟ୍ରାନ୍ସଲେଟିଙ୍ଗ ଓଡିଶା, କେବଳ ଓଡିଆ ସାହିତ୍ୟ ନୁହେଁ, ଓଡିଶା ଓ ଓଡିଆ ହୃଦୟର ଅନୁବାଦ

 

ବହି- ଟ୍ରାନ୍ସଲେଟିଙ୍ଗ ଓଡିଶା

ଲେଖକ- ପଲ ସେଣ୍ଟ ପିଅର

ପ୍ରକାଶକ – ଧଉଳି ବୁକ୍ସ, ଭୁବନେଶ୍ବର

ମୂଲ୍ୟ- ୯୯୫ ଟଙ୍କା, ପ୍ରୁଷ୍ଠା-୩୪୦ , ୨୦୧୯

————————————————————————————

ଗତ ୨୮ ବର୍ଷ ଧରି ପ୍ରତିବର୍ଷ ଅତି କମରେ ଥରେ ଓଡିଶା ଆସନ୍ତି କାନାଡାରେ ସାହିତ୍ୟ ପଢାଉଥିବା ପ୍ରାଧ୍ୟାପକ ପଲ ସେଣ୍ଟ ପିଅର। ଅନୁବାଦ ତାଙ୍କ ଅଧ୍ୟାପନା ଓ ଅଧ୍ୟୟନର ବିଶେଷ ଦିଗ। ସେ କାନାଡା ସ୍ଥିତ କାନାଡିଆନ ଆସୋସିଏସନ ଅଫ ଟ୍ରାନ୍ସଲେସନ ଷ୍ଟଡିଜର ଅଧ୍ୟକ୍ଷ। ଅନୁବାଦ ପାଇଁ କାମ କଲାବେଳେ ଭାରତୀୟ ସାହିତ୍ୟ ଓ ତାରି ଭିତରେ ଓଡିଆ ସାହିତ୍ୟ ପଲ ସେଣ୍ଟ ପିଅରଙ୍କ ନଜରରେ ପଡିଲା କେମିତି? ଓଡିଆ ଭାଷାର ବିଶାଳ ସାହିତ୍ୟକୁ ଅନ୍ୟ ଭାଷାରେ ରୂପାନ୍ତରିତ ବା ଅନୁଦିତ କରିବାର ପରମ୍ପରା ଖୁବ ସମୃଦ୍ଧ ନୁହେଁ। ଓଡିଆରୁ ଇଂରାଜୀ ଭାଷାକୁ ଅନୁବାଦ କ୍ଷେତ୍ରରେ ଜନ ବିମ୍ସଙ୍କ ପରି କେତେଜଣ ଇଂରେଜ ସାହେବ କିଛି ଉଦ୍ୟମ କରିଥିଲେ। ତାପରେ ଓଡିଆରୁ ଇଂରାଜୀକୁ ବା ଅନ୍ୟାନ୍ୟ ୟୁରୋପୀୟ ଭାଷାକୁ ଖୁବ କମ ଅନୁବାଦ ଆମର ହୋଇଛି। ସ୍ଵାଧୀନତା ପରେ ଯେ ଏ ଚିତ୍ର ବଦଳିଛି, ତା ନୁହେଁ।

ସ୍ଵାଧୀନତା ପରେ କିଛି ଆଗ୍ରହୀ ଅନୁବାଦକ ଓଡିଶା ଆସିଛନ୍ତି ଓ ଓଡିଆ ଭାଷାରୁ ଇଂରାଜୀକୁ ଅନୁବାଦ ଆରମ୍ଭ ହୋଇଛି। ଇଂରାଜୀ ଅନୁବାଦ କ୍ଷେତ୍ରରେ ଆମେ ଦୁଇଟି ଧାରାକୁ ଏହି ସମୟରେ ଦେଖିବା। ୧- ଓଡିଆ ସାହିତ୍ୟକୁ ଓଡିଆମାନେ କିଛି କିଛି ଇଂରାଜୀରରେ ଅନୁବାଦ କରିଛନ୍ତି ଓ ୨- ପ୍ରଫେସର ଜନ ବୋଲଟନ, ପଲ ସେଣ୍ଟ ପିଅର, ମରିସିଓ ଡି ଲିଣ୍ଡେ, ୟୋହାନ୍ସ ବେଲ୍ସ, ବେଟିନା ବୋମରଙ୍କ ଭଳି କିଛି ପ୍ରତିବଦ୍ଧ ବିଦେଶୀ ଗବେଷକ ଏବଂ ଅନୁବାଦକ ଓଡିଆ ସାହିତ୍ୟର ଶକ୍ତିଶାଳୀ ଅନୁବାଦ କରିଛନ୍ତି। ଏଇ ଖ୍ୟାତନାମା ଅନୁବାଦକଙ୍କ ଭିତରେ ପଲ ସେଣ୍ଟ ପିଅର ଅଲଗା ବାରି ହୋଇ ପଡନ୍ତି, କାରଣ ତାଙ୍କ ଲାଗି ଓଡିଆ ଅନୁବାଦ କେବଳ ଏକ “ପ୍ରୋଜେକ୍ଟ” କାମ ହୋଇ ରହିନାଇଁ। ଗତ ୨୮ ବର୍ଷ ଧରି ଓଡିଶା ତାଙ୍କ ଗବେଷଣା ଏବଂ ଅନୁବାଦର ପ୍ରମୁଖ ସର୍ଜନକ୍ଷେତ୍ର ପାଲଟି ଯାଇଛି। ୧୯୯୩ ପରଠୁ ଅନେକ ଓଡିଆ ଉପନ୍ୟାସ, ଗଳ୍ପ ଓ କବିତାର ସେ ଅନୁବାଦ କରିଛନ୍ତି। ତାଙ୍କ ଅନୁବାଦ ପରିଧିରେ ଆସିଛନ୍ତି ଫକୀର ମୋହନ ସେନାପତି, ଗୋପୀନାଥ ମହାନ୍ତି, କିଶୋରୀ ଚରଣ ଦାସ, ଜଗନ୍ନାଥ ପ୍ରସାଦ ଦାସ, ଗଣେଶ୍ଵର ମିଶ୍ର, କମଳାକାନ୍ତ ମହାପାତ୍ର ଓ ଆହୁରି ଅନେକ।

ଅନୁବାଦ ସହିତ ଅନୁବାଦକୁ ନେଇ ଚର୍ଚ୍ଚା ଓ ସମାଲୋଚନା ପ୍ରଫେସର ପଲଙ୍କର ବିଶେଷ ଅବଦାନ। ଗତ ୨୮ ବର୍ଷ ଧରି ଓଡିଶାରେ ସେ ଅନୁବାଦ କୁ ନେଇ ଲେଖିଥିବା ବିଭିନ୍ନ ଆଲୋଚନା, ଟୀକା ଓ ସମୀକ୍ଷା ସବୁକୁ ଏକାଠି କରି ୪୩୬ ପୃଷ୍ଠାର ଏକ ବହି ପ୍ରକାଶ ପାଇଛି, ଯାହାର ଶୀର୍ଷକ ରହିଛି “ଟ୍ରାନ୍ସଲେଟିଙ୍ଗ ଓଡିଶା”। ଏହି ଶୀର୍ଷକକୁ ନେଇ ହିଁ ଗୋଟେ ଉତ୍କଣ୍ଠା ଜାଗିପାରେ। ଓଡିଆରୁ ଅନୁବାଦ ନା ଓଡିଶାର ଅନୁବାଦ? ପ୍ରଫେସର ପଲ କେବଳ ଓଡିଆ ସାହିତ୍ୟକୁ ନେଇ ଅନୁବାଦ ଓ ଆଲୋଚନା କରି ନାହାନ୍ତି। ତାଙ୍କ ଅଧ୍ୟୟନର କ୍ଷେତ୍ର ବେଶ ବ୍ୟାପକ। ଓଡିଶାର ଖାଦ୍ୟ ସଂସ୍କୃତି, ସାମାଜିକ ଜୀବନ, ସାଂସ୍କୃତିକ ଧାରା ଓ ଅନୁବାଦର ବିବିଧ ସମସ୍ୟାକୁ ନେଇ ସେ ବ୍ୟାପକ ଚର୍ଚ୍ଚା କରିଛନ୍ତି।

ପ୍ରଫେସର ପଲ ତାଙ୍କ ଅନୁବାଦରେ ତିନିଜଣ ଓଡିଆ ଲେଖକଙ୍କୁ ବିଶେଷ ଆଲୋଚନାର ପରିସରକୁ ଆଣିଛନ୍ତି- ଫକୀର ମୋହନ ସେନାପତି, ଗୋପୀନାଥ ମହାନ୍ତି ଏବଂ ଜଗନ୍ନାଥ ପ୍ରସାଦ ଦାସ। ସ୍ଵାଭାବିକ ଭାବରେ ଫକୀର ମୋହନ ତାଙ୍କୁ ଅଧିକ ଆକର୍ଷିତ କରିଛନ୍ତି। ସେ ନିଜେ ସେନାପତିଙ୍କର “ଛ ମାଣ ଆଠଗୁଣ୍ଠ” ଓ “ଆତ୍ମ ଚରିତ”ର ଅନୁବାଦ କରିଛନ୍ତି। ( ସିକ୍ସ ଏକର ଆଣ୍ଡ ଏ ଥାର୍ଡ- ସତ୍ୟପ୍ରକାଶ ମହାନ୍ତି, ଯତୀନ୍ଦ୍ର କୁମାର ନାୟକ, ରବିଶଙ୍କର ମିଶ୍ର ଏବଂ ପଲ ସେଣ୍ଟ ପିଅର- ଆତ୍ମ ଚରିତ, ଦୀପ୍ତିରଞ୍ଜନ ପଟ୍ଟନାୟକ, ବସନ୍ତ ତ୍ରିପାଠୀ ଓ ପଲ ସେଣ୍ଟ ପିଅର)ଫକୀର ମୋହନଙ୍କ  କଥା ଜଗତକୁ ଏକ ଭିନ୍ନ ଭାଷାରେଅନୁବାଦ କଲାବେଳେ ଯେଉଁସବୁ ସମସ୍ୟା ଓ ସଙ୍କଟ ଆସିଛି, ତାର ପୁଙ୍ଖାନୁଫୁଙ୍କ ଆଲୋଚନା ସେ କରିଛନ୍ତି।

ସମାଲୋଚନା ଏକ ବୌଦ୍ଧିକ କଳା। ବୌଦ୍ଧକତା ଓ ବୈଜ୍ଞାନିକ ବିଶ୍ଳେଷଣ ପାଇଁ ଯେଉଁ ଗବେଷଣା ପଦ୍ଧତି ଲୋଡା ତାହା ପଲଙ୍କ ପାଖରେ ରହିଛି। ହେଲେ ଓଡିଶା ବିଷୟରେ ଲେଖିଲା ବେଳେ, ଯାହା ସବୁଠୁ ବେଶୀ ଆକର୍ଷିତ କାରେ, ତାହା ହେଉଛି ଓଡିଆ ଭାଷା ଓ ସାହିତ୍ୟ ପ୍ରତି ତାଙ୍କର ଭଲପାଇବା। ଏ ଭଲପାଇବା କେବଳ ଏକ ରୋମାନ୍ସ ନୁହେଁ, ବରଂ ଗୋଟେ ଭାଷାର ସର୍ଜନଶୀଳତାକୁ ତନ୍ନ ତନ୍ନ କରି ପରଖିବାର ଏକ ବିଶେଷ ଆଗ୍ରହ। ଏ ବହିକୁ ପଲ ସେଣ୍ଟ ପିଅରଙ୍କ ଓଡ଼ିଶାକୁ ଭଲ ପାଇବାର ଏକ ହୃଦୟବାନ ଦସ୍ତାବିଜ ବୋଲି କହିଲେ, ହୁଏତ ଏହା ଟିକେ ଆଳଙ୍କାରିକ ଲାଗିପାରେ, ତେବେ କଥାଟି ମିଛ ନୁହେଁ। ତାଙ୍କ ଆଲୋଚନାରେ ଗଭୀର ଅନୁଶୀଳନ ଓ ସତ୍ୟନିଷ୍ଠ ବିଶ୍ଳେଷଣ ରହିଛି। ହେଲେ ତା ସହିତ ଗୋଟେ ବିଦେଶୀ ଭାଷା ପ୍ରତି ତାଙ୍କର ଭଲ ପାଇବା (ଏହା ଆସକ୍ତି, ମୋହ ବା ପ୍ରେମ ନୁହେଁ। ସମାଲୋଚକ ସବୁବେଳେ ପଦ୍ମପତ୍ରରେ ପାଣି ଭଳି ନିରାସକ୍ତ ହେବାକୁ ବାଧ୍ୟ।) ତାଙ୍କୁ ସେ ଭାଷାକୁ ଅଧିକ ବ୍ୟାପକ କରାଇବାର ଏକ ସଂକଳ୍ପ ଦେଇଛି।

Leave A Reply

Your email address will not be published.