Latest Odisha News

ଫଟୋ କହେ କଥା, ବ୍ରାଜିଲର ଶ୍ରବଣ କୁମାର

ଭୁବନେଶ୍ୱର: ରାମାୟଣରେ ନିଜ ପିତାମାତାଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ ଶ୍ରବଣ କୁମାର । ନିଜ ବାପାମାଆଙ୍କୁ ଦୁଇଟି ଟୋକେଇରେ ବସାଇ ସେ କାନ୍ଧରେ ବୋହିନେବା ଭଳି ଅନେକ ଚିତ୍ର ଆମେ ଦେଖିଛୁ । ତେବେ ନିକଟରେ ଏକ ଫଟୋ ବି ଠିକ୍ ସେମିତି କିଛି ମର୍ମ ନେଇ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

କୋଭିଡ୍ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାରା ବିଶ୍ୱରେ ଚାଲିଛି ଟିକାକରଣ । ଗାଁଠୁ ସହର ସବୁଠି କୋଭିଡ୍ ଟିକା ନେବା ପାଇଁ ସଚେତନ କରାଯାଉଛି । ଏହି ଫଟୋଟି ବ୍ରାଜିଲରୁ ସାମ୍ନାକୁ ଆସିଛି । ଆମାଜାନ ଅଂଚଳରେ ରହୁଥିବା ଜଣେ ଯୁବକ ନିଜ ବାପାଙ୍କୁ ଭାକ୍ସିନ୍ ଦେବା ପାଇଁ ପ୍ରାୟ ୬ ଘଣ୍ଟା ଧରି କାନ୍ଧରେ ବୋହି ଲମ୍ବା ରାସ୍ତା ଅତିକ୍ରମ କରିଥିଲେ । ଏହି ଫଟୋଟି ବାପ ପୁଅଙ୍କ ଗଭୀର ନିଃସ୍ୱାର୍ଥପର ସଂପର୍କକୁ ସ୍ପଷ୍ଟ ଦେଖାଇବାରେ ସକ୍ଷମ ହୋଇଛି ।

ଏହି ଫଟୋଟିକୁ ଏରିକ୍ ଜେନିଙ୍ଗସ୍ ସିମୋସ୍ ନିଜ ଇନଷ୍ଟାଗ୍ରାମ୍ ପୋଷ୍ଟରେ ସେୟାର କରିଥିଲେ । ଫଟୋରେ ଥିବା ଯୁବକ ଜଣକ ହେଉଛନ୍ତି୨୪ ବର୍ଷୀୟ ତାୱି । କୋଭିଡ୍ ସ୍ଥିତିରେ ସେ ନିଜ ୬୭ ବର୍ଷୀୟ ବାପା ୱାହୁ ପିଗିବେକଙ୍କୁ କାନ୍ଧରେ ବସାଇ ଦୀର୍ଘ ସମୟର ରାସ୍ତା ଅତିକ୍ରମ କରି କୋଭିଡ୍ ଭାକ୍ସିନେସନ୍ ସେଣ୍ଟରରେ ପହଂଚିଥିଲେ ।

 

View this post on Instagram

 

A post shared by Erik Jennings (@erikjenningssimoes)

କରୋନା ସଂକ୍ରମଣରେ ବ୍ରାଜିଲର ସ୍ଥିତି ବେଶ ସମ୍ବେଦନଶୀଳ ରହିଛି । ଏହି ଫଟୋଟିକୁ ଗତବର୍ଷ ଜାନୁଆରୀ ମାସରେ ଭାକ୍ସିନେସନ୍ କାର୍ଯ୍ୟକ୍ରମ ସମୟରେ ଉତ୍ତୋଳନ କରାଯାଇଥିଲା । ଗତବର୍ଷ ଏହି ଫଟୋଟି ଉତ୍ତୋଳନ ହୋଇଥିଲେ ହେଁ ଲୋକଙ୍କୁ ସଚେତନ ତଥା ଟିକା ନେବା ପାଇଁ ଉତ୍ସାହିତ କରିବା ଲାଗି ଚଳିତବର୍ଷ ଏହି ଫଟୋଟିକୁ ସାର୍ବଜନୀନ କରାଯାଇଛି ।

ବିବିସି ରିପୋର୍ଟ ଅନୁଯାୟୀ ଫଟୋରେ ଥିବା ତାୱି ଏବଂ ୱାହୁ ଅପହଂଚ ଇଲାକାରେ ରହୁଥିବା ଜନଜାତି ସହ ଜଡିତ । ସେମାନଙ୍କ ଲୋକସଂଖ୍ୟା ମାତ୍ର ୩୨୫ରେ ସୀମିତ । ଏହି ଫଟୋଟିକୁ ଜଣେ ଡାକ୍ତର ଉତ୍ତୋଳନ କରିଥିଲେ । ସବିଶେଷ ରିପୋର୍ଟ ଅନୁଯାୟୀ କୋଭିଡ୍ ଟିକା ନେବା ସତ୍ତ୍ୱେ ଏକାଧିକ ରୋଗରେ ପୀଡିତ ଥିବା ୱାହୁ ଗତବର୍ଷ ସେପ୍ଟେମ୍ବର ମାସରେ ମୃତ୍ୟୁବରଣ କରିଥିଲେ ।

Comments are closed, but trackbacks and pingbacks are open.