Latest Odisha News

BREAKING NEWS

ଜିଓ ପ୍ଲାଟଫର୍ମରେ ଅତିରିକ୍ତ ୪୫୪୬.୮୦ କୋଟି ଟଙ୍କା ନିବେଶ କରିବେ ସିଲଭର ଲେକ୍ ଏବଂ ଏହାର ସହଯୋଗୀ ନିବେଶକ

ଭୁବନେଶ୍ୱର: ଆମେରିକୀୟ ଘରୋଇ ଇକ୍ୱିଟି ସଂସ୍ଥା ସିଲଭର ଲେକ୍ ଏବଂ ଏହାର ସହ-ନିବେଶକମାନେ  ଜିଓ ପ୍ଲାଟଫର୍ମସରେ ଅତିରିକ୍ତ ୪୫୪୬.୮୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବେ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ମଇ ୪, ୨୦୨୦ରେ ସିଲଭର ଲେକ୍ ଦ୍ୱାରା  ଜିଓ ପ୍ଲାଟଫର୍ମରେ ୫,୬୫୫.୭୫ କୋଟି ଟଙ୍କାର ନିବେଶ ଘୋଷଣା କରାଯାଇଥିଲା । ଏହି ଅତିରିକ୍ତ ନିବେଶ ପରେ ସିଲଭର ଲେକ୍ ଏବଂ ଏହାର ସହ-ନିବେଶକାରୀଙ୍କ ଦ୍ୱାରା ଜିଓ ପ୍ଲାଟ୍‌ଫର୍ମସ୍‌ରେ ମୋଟ ପୁଞ୍ଜିନିବେଶ ପରିମାଣ  ୧୦୨୦୨.୫୫ କୋଟି ଟଙ୍କାରେ ପହଞ୍ଚିଛି । ଜିଓ ପ୍ଲାଟଫର୍ମସର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଓøଦ୍ୟୋଗିକ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ସିଲଭର୍ ଲେକ୍‌ର ଏହି ପୁଞ୍ଜିନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣଭିତିରେ ବିଘଟିତ ହୋଇପାରୁଥିବା ୨.୦୮ ପ୍ରତିଶତ ଅଂଶଧନରେ ରୂପାନ୍ତରିତ ହେବ ।
ଏହି ନିବେଶ ଘୋଷଣା ସହିତ ଜିଓ ପ୍ଲାଟଫର୍ମସ୍ ଛଅ ସପ୍ତାହରୁ କମ୍ ସମୟ ମଧ୍ୟରେ ବିଶ୍ୱର ଅଗ୍ରଣୀ ବୈଷୟିକ ନିବେଶକମାନଙ୍କ ଠାରୁ ମୋଟ ୯୨୨୦୨.୧୫ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିିଛି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ କମ୍ପାନୀ ଭାବେ ଜିଓ ପ୍ଲାଟଫର୍ମସ ହେଉଛି ଏକ ପରବର୍ତୀ ପିଢ଼ିର ଟେକ୍ନୋଲୋଜି ପ୍ଲାଟଫର୍ମ ଯାହାକି ୩୮୮ ନିୟୁତରୁ ଅଧିକ ଗ୍ରାହକଙ୍କୁ ନେଇ ସମଗ୍ର ଭାରତରେ ଉଚ୍ଚମାନର ତଥା ସୁଲଭ ମୂଲ୍ୟରେ ଡିଜିଟାଲ୍ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛି । ଜିଓ ପ୍ଲାଟଫର୍ମ ଏହାର ଡିଜିଟାଲ ଇକୋସିଷ୍ଟମ ମଧ୍ୟରେ ବ୍ରଡ୍‌ବ୍ୟାଣ୍ଡ ସଂଯୋଗୀକରଣ, ସ୍ମାର୍ଟ ଡିଭାଇସ୍‌, କ୍ଲାଉଡ୍ ଏବଂ ଏଜ୍ କମ୍ପ୍ୟୁଟିଂ, ବୃହତ ଡାଟା ଆନାଲିଟିକ୍ସ, କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଟେଂଲିଜେନ୍ସ), ଇଂଟରନେଟ୍ ଅଫ୍ ଥିଙ୍ଗସ୍‌, ଅଗମେଂଟେଡ୍ ଆଣ୍ଡ୍ ମିକ୍ସଡ୍ ରିଅଲିଟି ଏବଂ ବ୍ଲକ୍ ଚେନ୍ ଆଦି ଅଗ୍ରଣୀ ଟେକ୍ନୋଲୋଜିକୁ ଆଧାର କରି ବ୍ୟାପକ ବିନିଯୋଗ କରିଛି । ଜିଓର ଲକ୍ଷ୍ୟ ହେଉଛି ସାରା ଦେଶର ୧୩୦ କୋଟି ଲୋକ ଏବଂ ବ୍ୟବସାୟଗୁଡିକ ପାଇଁ ଏକ ଡିଜିଟାଲ୍ ଇଣ୍ଡିଆକୁ ସକ୍ଷମ କରିବା ଯାହା ଛୋଟ ବ୍ୟବସାୟୀ, କ୍ଷୁଦ୍ର ବ୍ୟବସାୟ ଏବଂ କୃଷକମାନଙ୍କୁ ସାମୂହିକ ଅଭିବୃଦ୍ଧିର ଫଳ ପ୍ରଦାନ କରିପାରିବ ।
ପ୍ରାୟ ୪୦ ବିଲିୟନ ଡଲାରର ମିଳିତ ସମ୍ପତ୍ତି ପରିଚାଳନା କରିବା ସହିତ ବିଶ୍ୱର ପ୍ରମୁଖ ବୈଷୟିକ ତଥା ବୈଷୟିକ-ସାମର୍ଥ୍ୟପୂର୍ଣ୍ଣ ଉଦ୍ୟୋଗଗୁଡିକରେ ସୁଯୋଗ ସୃଷ୍ଟି କରିବାର ମୂଳ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ସିଲଭର ଲେକ୍ ହେଉଛି ବୈଷୟିକ କ୍ଷେତ୍ରରେ ବ୍ୟାପକ ନିବେଶ କରୁଥିବା ବିଶ୍ୱସ୍ତରର ଏକ ଅଗ୍ରଣୀ ନିବେଶକ ସଂସ୍ଥା । ଏହାର ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରୀୟ ପରିଚାଳନା ଟିମ୍‌ଗୁଡିକ ସହିତ ସହଭାଗୀ ହୋଇ ପ୍ରତିଷ୍ଠିତ କମ୍ପାନୀ ଗଠନ କରିବା ଏବଂ ଅଭିବୃଦ୍ଧି ଆଣିବା । ଏହାର ପ୍ରମୁଖ ପୁଞ୍ଜିନିବେଶ ମଧ୍ୟରେ ରହିଛି ଏୟାର ବିଏନବି, ଆଲିବାବା, ଆଲଫାବେଟ୍ ଭେରିଲି ଏବଂ ୱେମୋ ୟୁନିଟ୍‌, ଡେଲ୍ ଟେକ୍ନୋଲୋଜି, ଟ୍ୱିଟର ଏବଂ ଅନ୍ୟାନ୍ୟ ବିଶ୍ୱସ୍ତରୀୟ ବୈଷୟିକ କମ୍ପାନୀ ସମୂହ ।
ସିଲଭର୍ ଲେକ୍ ଦ୍ୱାରା କରାଯାଇଥିବା ମୋଟ ପୁଂଜିନିବେଶକୁ ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମୁକେଶ ଅମ୍ବାନୀ କହିଛନ୍ତି, “ଆମେ ସମସ୍ତ ଭାରତୀୟଙ୍କ ଲାଭ ପାଇଁ ଭାରତୀୟ ଡିଜିଟାଲ୍ ଇକୋସିଷ୍ଟମ୍‌ର ବୃଦ୍ଧି ଓ ପୁନର୍ବିନ୍ୟାସ ଜାରି ରଖିଥିବାବେଳେ ସିଲଭର ଲେକ୍ ଏବଂ ଏହାର ସହ-ନିବେଶକମାନେ ହେଉଛନ୍ତି ମୂଲ୍ୟବାନ ଅଂଶୀଦାର । ଆମପ୍ରତି ସେମାନଙ୍କ ଦୃଢ ବିଶ୍ୱାସ ଏବଂ ସମର୍ଥନ ପାଇ ଆମେ ବେଶ୍ ଆନନ୍ଦିତ ହେବା ସହିତ ଆନ୍ତର୍ଜାତିକସ୍ତରରେ ବୈଷୟିକ କ୍ଷେତ୍ରରେ ସେମାନଙ୍କର ନେତୃତ୍ୱ ଏବଂ ସମ୍ପର୍କର ମୂଲ୍ୟବାନ ନେଟୱର୍କକୁ ନେଇ ଲାଭବାନ ହେବୁ । ମୁଁ ଜୋର ଦେଇ କହିବାକୁ ଚାହେଁ ଯେ କୋଭିଡ୍‌-୧୯ ମହାମାରୀ ସମୟରେ ଏବଂ ପାଂଚ ସପ୍ତାହ ମଧ୍ୟରେ ଜିଓ ପ୍ଲାଟଫର୍ମରେ ସିଲଭର ଲେକ୍‌ର ଅତିରିକ୍ତ ବିନିଯୋଗ ଭାରତୀୟ ଅର୍ଥନୀତିର ଅନ୍ତର୍ନିହିତ ସ୍ଥିରତା ପାଇଁ ଏକ ଦୃଢ ସମର୍ଥନ ଏବଂ ସାମଗ୍ରିକ ଡିଜିଟାଲ୍ ସାମର୍ଥ୍ୟ ବୃଦ୍ଧି ସହିତ ଏହା ନିଶ୍ଚିତ ଭାବରେ ଅଧିକ ପରିବର୍ଦ୍ଧିତ ହେବ ।” 
ଏହି ପୁଞ୍ଜିନିବେଶ ସଂପର୍କରେ ସୂଚନା ଦେଇ ସିଲଭର ଲେକ୍ ସହ-ସିଇଓ ତଥା ସହଭାଗୀ ପରିଚାଳନା ଅଂଶୀଦାର ଶ୍ରୀ ଏଗନ୍ ଡର୍ବାନ୍ କହିଛନ୍ତି, “ଆମର ନିବେଶ ବୃଦ୍ଧି କରି ଏବଂ ଆମର ଅଧିକ ସହ-ନିବେଶକମାନଙ୍କୁ ଏହି ସୁଯୋଗରେ ସହଭାଗୀ କରି ଆମେ ଉତ୍ସାହିତ । ଜିଓ ପ୍ଲାଟଫର୍ମକୁ ସାଧାରଣ ଉପଭୋକ୍ତା ଏବଂ କ୍ଷୁଦ୍ର ବ୍ୟବସାୟମାନଙ୍କୁ ଉଚ୍ଚ-ଗୁଣାତ୍ମକ ଏବଂ ସୁଲଭ ଡିଜିଟାଲ୍ ସେବା ଯୋଗାଇଦେବା ନେଇ ଏହାର ଲକ୍ଷ୍ୟ ସାଧନରେ ଏହା ଅଧିକ ସହାୟକ ହେବ । ଜିଓ ପ୍ରତି ନିବେଶର ଏହି ସ୍ରୋତ ଏହାର ଅନନ୍ୟ ବ୍ୟବସାୟ ମଡେଲ୍‌ର ପରିଚାୟକ ଏବଂ ବିଶ୍ୱର ଅନ୍ୟତମ ଉଲ୍ଲେଖନୀୟ ପ୍ରଯୁକ୍ତି କମ୍ପାନୀ ଗଠନ କରିବାକୁ ମୁକେଶ ଅମ୍ବାନୀ, ତାଙ୍କ ଟିମ୍ ଯେଉଁ ସାହସିକ ଦୁରଦୃଷ୍ଟି ରଖିଛନ୍ତି, ସେଥିପ୍ରତି ଆମ ସମ୍ମାନର ପ୍ରତିଫଳନ ।”
ଏହି ସହଭାଗିତା ନିୟାମକ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଅନୁମୋଦନ ପ୍ରକ୍ରିୟା ଉପରେ ନିର୍ଭରଶୀଳ ରହିଛି । ମୋର୍ଗାନ ଷ୍ଟାନ୍‌ଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପାଇଁ ଆର୍ଥିକ ପରାମର୍ଶଦାତା ଏବଂ ଏଜେଡ୍‌ବି ଆଣ୍ଡ ପାର୍ଟନର୍ସ ଓ ଡେଭିସ୍ ପୋଲ୍କ ଆଣ୍ଡ ୱାର୍ଡୱେଲ ଆଇନ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି ।  ଲାଥାମ୍ ଆଣ୍ଡ ୱାଟକିନ୍ସ ଏଲ୍‌ଏଲ୍‌ପି, ଶାର୍ଦୁଲ ଅମରଚାନ୍ଦ ମଙ୍ଗଲଦାସ୍ ଆଣ୍ଡ କୋ ଏବଂ ସିମ୍ପସନ୍ ଥାଚର ଏବଂ ବାର୍ଟଲେଟ୍ ଏଲ୍‌ଏଲ୍‌ପି ସିଲଭର ଲେକ୍ ପାଇଁ ଆଇନ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି ।
Leave A Reply

Your email address will not be published.