ରତ୍ନମୟ ତ୍ରିପାଠୀ
ଅନେକ ଦିନରୁ ଖୋଜୁଥିଲି
ମାନବିକତାକୁ, ସମାଜ ଭିତରେ
କେହିଜଣେ କହିଲେ
ମାନବିକତା ଥାଏ
ଭଲ ମଣିଷ ଭିତରେ l
ପୁଣି ଭଲ ମଣିଷ ଖୋଜିଲି
କିଛି ଭଲ ମଣିଷଙ୍କୁ ବି ପାଇଲି
ହେଲେ ମାନବିକତା କାହିଁ ?
ପଚାରିବାରୁ ଉତ୍ତର ପାଇଲି
ଅସହାୟ ମଣିଷ, ରୋଗୀଶଯ୍ୟା,
ରାସ୍ତାରେ ଅଚାନକ ଦୁର୍ଘଟଣା,
ଥାନା, ଡାକ୍ତରଖାନା, କଚେରୀ,
ଅନାଥ ଆଶ୍ରମ, ମନ୍ଦିର, ମଶାଣି
ସେଠି ଥାଏ ମାନବିକତା l
ଚାଲିଲି, ଦୌଡ଼ିଲି , ବୁଲିଲି
ଅସହାୟ ମାଟିଏର ମୃତ୍ୟୁପରେ ବି
ତା ଛାତିରୁ କ୍ଷୀର ଶୋଶୁଥିବା ଛୁଆକୁ ଦେଖିଲି
ପୁଣି କେଉଁଠି ଅଇଁଠା ଖଲିରୁ ଅମୃତ ଚାଟୁଥିବା
ଦେବଶିଶୁ l
ଗୋଟିଏ ପଟେ ବଳଦ ଓ ଆରପଟେ
ନିଜକୁ ଯୋଚି ଶଗଡ଼ ବାହୁଥିବା
ଗରିବ ମଣିଷ ଦେଖିଲି l
ବାରବର୍ଷର ମୃତଶିଶୁକୁ ଧରି
ମଶାଣି ଖୋଜୁଥିବା ମାଁକୁ ଦେଖିଲି l
ରାତିରେ ମୁହଁରୁ ଅକ୍ସିଜେନ ଖୋଲି
ରୋଗୀକୁ ମୃତ ଘୋଷଣା କରିବା
ଡାକ୍ତର ଦେଖିଲି l
ଦେଖିଲି କାଉଣ୍ଟରରେ ଦେଢ଼ଲକ୍ଷ ଜମା ନ ଦେବାରୁ
ତେଇଶି ଘଣ୍ଟା ଧରି ଶବକୁ ଅଟକ ରଖିବା l
ରାସ୍ତାକଡର ପସରା ଭାଙ୍ଗି ମାଡ ମାରୁଥିବା
କରୋନା ଯୋଦ୍ଧାଙ୍କୁ ଦେଖିଲି l
ଦେଖିଲି ଦୁର୍ଘଟଣା ସ୍ଥଳରୁ
ସିଧାପ୍ରସାରଣ କରୁଥିବା
ସଚେତନ ନାଗରିକ l
କେଉଁଠି କରୋନାରେ ମୃତ୍ୟୁ ପାଇଁ,
କେଉଁଠି ଜାତିରୁ ବାସନ୍ଦ ପାଇଁ
ଦୁଇଦିନ ଶବକୁ କାନ୍ଧ ନ ଦେବା
ଗ୍ରାମବାସୀଙ୍କୁ ଦେଖିଲି l
ଅନାଥ ପିଲାବିକ୍ରି ଶୁଣିଲି,
ଅପ୍ରାପ୍ତ ମାତୃତ୍ୱ ଦେଖିଲି,
ବନ୍ଦପାଳନ ବେଳେ ଆମ୍ବୁଲାନ୍ସକୁ
ବାଟଦେବା ପାଇଁ କାକୁତି ବି କଲି l
ମନ୍ଦିରକୁ ଗଲି, କିନ୍ତୁ ବାହାରୁ ତାଲାବନ୍ଦ ଦେଖି
ବାଟ ଭାଙ୍ଗିଲି l
କେହିଜଣେ କହୁଥିଲେ
ମାନବିକତାର ମୃତ୍ୟୁ ହେଲା
ଶବଦାହ ହେଉଛି ମଶାଣିରେ l
ଜୀବନ ଥିବା ବେଳେ ନୁହେଁ,
ମୃତ୍ୟୁପରେ
ଅସହାୟ ଶବ ମୁହଁରେ ନିଆଁ ଦେଉଥିବା
ମଣିଷ ଭିତରେ ହିଁ
କେବଳ ମାନବିକତାକୁ ପାଇଲି l
ଅଧ୍ୟୟନ, ବଲାଙ୍ଗୀର
Comments are closed.