ବନ୍ଦନା ପଣ୍ଡା
ଧନ ମୋର!
କାହିଁକି ଶୁଖେଇଛୁ ମୁହଁ ?
ପହଣ୍ଡିରେ ଯେମିତି ଆସୁଥିଲୁ
ସେମିତି ଆସିବୁ ଝୁଲି ଝୁଲି,
ରାଗିଛୁକି ଆମେ କେହି ଯାଇନାହୁଁ ବୋଲି ?
ବଡ଼ଦାଣ୍ଡେ ଗଲାବେଳେ ଶଗଡ଼ିରେ ଗଡ଼ି
ଖୋଜିବୁନି ପାଗଳ ଭକତ ଗହଳି ଚହଳି।
ହାତଟେକି କେହି ଡେଇଁବେନି,
ଡାକିବେନି କେହି ନାଁ ତୋର ଧରି
ଆରାମରେ ନନ୍ଦିଘୋଷ ଆଗେଯିବ ମାଡ଼ି।
ଚକାଡୋଳା ଘୂରେଇ ଘୂରେଇ,
ଖୋଜିବୁନି କାହା ଚେତା ଗଲା….
କିଏସେ ଉପାସ,କିଏସେ କାନ୍ଦିଲା..
ଚାଲିଯିବୁ ନୀରବରେ ଅଧରକୁ ଚାପି
ସମସ୍ତଙ୍କ କଥା ଭାବି ଭାବି,
କି ଲାଭ ପାଉଛୁ ତୁ ଭଲା !!
ନଥିବୁ ଆମେ କେହି ସେଠିସଙ୍ଖୁଳିବାକୁ କୁ ତୋତେ
ମାଉସୀମା ଅଗଣାରେ,
ଡେରିହେବନି ତୋର କୌଣସିବିଧିରେ, ନୀତିକାନ୍ତିରେ..
ଅମସାଙ୍ଗେ ଭିଡା ଓଟରାରେ।
ନିଜେ ତ କରୁଛୁ ସବୁ, କାହିଁକି କାନ୍ଦୁଛୁ ?
ଆମକୁ କନ୍ଦେଇ କି ସୁଖ ପାଉଛୁ ?
ଦୂରଦର୍ଶନରେ, ହୃଦୟ ରଥରେ
ଦେଖୁଅଛୁ ସିନା!
ଲୁହର ଶ୍ରାବଣ ରୋକି କି ପାରୁଛୁ ?
ଆ’ ଆମେ ଆଜି କରିବା ଏ ପଣ..
ଆଗାମୀ ଆଷାଢେ ନାଚିବ ଗଗନ
ଖେଳିବ ପବନ,
ମୋ ଚକାନୟନ!
ଦେଖି ପାରୁନି ତୋର ଏ ଦୁଃଖୀ ବଦନ….
ହସିଦେ ଟିକେ ଥରେ, ତତେ ମୋ ରାଣ।
ଲୁମ୍ବିନୀ ବିହାର
୯୪୩୮୧୬୨୮୦୧
Comments are closed.