Latest Odisha News

BREAKING NEWS

ସ୍ୱାବଲମ୍ବୀ ହେବାର ନୂତନ ବିକଳ୍ପ – କୃଷି

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’)

ବର୍ତ୍ତମାନର ପରିସ୍ଥିତିକୁ ଅବଲୋକନ କଲେ ଆମେ କରୋନାର ଭୟାବହତାକୁ ଅନେକ ମାତ୍ରାରେ ଅନୁଭବ କରିପାରୁଛେ । ସମୟ ବଦଳିବା ସହ ପରିସ୍ଥିତି ବି ବଦଳୁଛି । ମଣିଷର ଚଳଣି ବି ବଦଳୁଛି । ଦୁନିଆରେ ପରିପାଟୀ ବି ବଦଳିବାକୁ ଲାଗିଲାଣି । ଏପରି ସ୍ଥିତିରେ ଆମକୁ ଏସବୁ ସହ ସାମ୍ନା କରି, ଏସବୁକୁ ସାଙ୍ଗ କରି ବଂଚିବାକୁ ହେବ । ଏହାକୁ ବେଖାତିର କରି ଆଗକୁ ଯିବାଟା ଧୃଷ୍ଟତା ବ୍ୟତୀତ ଆଉ କିଛି ହେବ ନାହିଁ । କାରଣ ଚାରି ମାସ ପୂର୍ବକୁ ଲକ୍ଷ୍ୟ କଲେ ଆମ ଚାଲିଚଳଣ ସହ ସବୁକିଛି ଏକରକମର ଠିକ୍‌ଠାକ୍ ଥିଲା । କିନ୍ତୁ ସାମ୍ପ୍ରତିକ ସମୟରେ କରୋନାର ଭୟ ଆମ ଭିତରେ ଆଶଙ୍କାର ମାୟାଜାଲ ରଚନା କରିସାରିଛି ।

ତେବେ ଏପରି ସ୍ଥିତିରେ ଅନେକ ଯୁବକଯୁବତୀ ବେକାର ହୋଇ ଘରେ ବସିଛନ୍ତି । ରୋଜଗାରର ମାଧ୍ୟମ କିଛି ନଥିବା ବେଳେ ସମସ୍ତେ ଘରେ ତାଲାବନ୍ଦ ଭାବେ ଜୀବନଯାପନ କରୁଛନ୍ତି । ତେବେ ଏପରି ସ୍ଥିତିରେ ଆମେ କିପରି ଉଦଯୋଗୀ ହୋଇପାରିବା ତାହାକୁ ଅନୁଧ୍ୟାନ କରିବା ଆବଶ୍ୟକ ।

କୃଷି ଆମ ସଭ୍ୟତାର ମାନଦଣ୍ଡ ବୋଲି ବିବେଚନା କରାଯାଏ ସତ କିନ୍ତୁ କୃଷି ପାଠ୍ୟକ୍ରମର ବିଷୟକୁ ଯଦି କୃଷି କ୍ଷେତ୍ରରେ ଉପଯୋଗ କରାଯାଇପାରିଲା, ତାହେଲେ ଏହା ଉଦ୍ୟୋଗୀ ହେବାର ବାଟ ଦେଖାଇପାରିବ । ତେବେ କୃଷି ପାଇଁ ଏତେ ଅନାଦର କ’ଣ ପାଇଁ? କୃଷି ପାଇଁ ଆଗ୍ରହ ସୃଷ୍ଟି ନହେବାର କାରଣ କ’ଣ ? ଏସବୁକୁ ଖୋଜି ବସିଲେ କେବଳ ଦୃଢ଼ ମନୋବଳର ଅଭାବ ହିଁ ଏହାର ମୁଖ୍ୟ କାରଣ ।

କୃଷି – ଭାରତୀୟ ସଭ୍ୟତାର ଏନ୍ତୁଡ଼ିଶାଳ ଅଟେ । ତେବେ କୃଷିକୁ ଉପଯୋଗ କରି ଆମେ ଉଦ୍ୟୋଗୀ ହୋଇପାରିବା ଏଥିରେ ସନ୍ଦେହ ନାହିଁ । ଆଗରୁ ଆମ ବାପା ଜେଜେ ଅମଳରେ କେବଳ ଚାଷକୁ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିଲେ । ଚାଷ ଥିଲା ପ୍ରମୁଖ ଆୟର ମାଧ୍ୟମ । ସେତେବେଳର ସମୟ ଲୋକ ଚାଷକୁ ଆଗ୍ରହ ସହକାରେ ଗ୍ରହଣ କରୁଥିଲେ । ମନରେ ଅହେତୁକ ନିଶା ଥିଲା ଚାଷ ପାଇଁ ।

କିନ୍ତୁ ବର୍ତ୍ତମାନ ସମୟରେ ଆଉ କାଦୁଅ କ୍ଷେତରେ ଗୋଡ଼ ପଶେଇବାକୁ ବେହି ବି ଆଗ୍ରହ ପ୍ରକାଶ କରୁନାହାନ୍ତି । ବଡ଼ ବଡ଼ କଲେଜରୁ ଡ଼ିଗ୍ରୀ ହାସଲ ପରେ ଚାକିରୀ ପଛରେ ଗୋଡ଼ାଇ ଶେଷରେ କେଇଟା ପଇସାରେ କାମ କରିବା ବ୍ୟତୀତ ଆଉ କିଛି ଉପାୟ ନଥାଏ । କିନ୍ତୁ ଆମେ ଯଦି ଚାହିଁବା କୃଷି କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ପାରିବା । ଜଣେ ଜୈବିକ ଉପାୟରେ ଚାଷ କରି ନିଜ ଆୟକୁ ଦ୍ୱିଗୁଣ କରିପାରିବ । ଜୈବିକ ଉପାୟରେ ଚାଷ କରି ଫସଲର ଗୁଣବତ୍ତା ଆଉ ମାଟିର ମାନ ବି ବଢ଼ାଇପାରିବ । ଅଳ୍ପ ଟଙ୍କା ଆଉ ସ୍ୱଳ୍ପ ସମୟ ଭିତରେ ଅଧିକ ଅମଳ କରିପାରିବା ।

କୃଷି କ୍ଷେତ୍ରରେ ବିଭିନ୍ନ ନୂତନ ପ୍ରଣାଳୀ ବ୍ୟବହାର କରି ଆମେ ନିଜ କର୍ମମୟ ଜୀବନରେ ବେଶ କିଛି ରୋଜଗାର କରିପାରିବା । ଏସବୁ ଭିତରେ ରୁଫ୍‌ଟପ୍ ଗାର୍ଡ଼େନିଂ, ପାକଶାଳା ବଗିଚା , ସମନ୍ୱିତ କୃଷି , ହାଇଡ଼୍ରୋପନିକ୍ସ ପ୍ରଭୃତି ଆମକୁ ସ୍ୱାବଲମ୍ବୀ ହେବାର ମାର୍ଗ ଦେଖାଇପାରିବ । ଏଠାରେ ମୁଁ ଏସବୁର ଉପଯୋଗିତା ବିଷୟରେ ସମ୍ୟକ  ତଥ୍ୟ ଦେବାକୁ ଚାହୁଁଛି ।

ରୁଫ୍‌ଟଫ୍ ଗାର୍ଡ଼େନିଂ

ସହରାଂଚଳ କୃଷିର ଏକ ସ୍ୱତନ୍ତ୍ର ଅବଦାନ । ଏବେ ସମସ୍ତେ ନିଜ ଘରେ ଛାତ ଉପରେ ବଗିଚା ସୃଷ୍ଟି କରିବାରେ ଲାଗିଗଲେଣି । ଏହା ମନକୁ ହାଲୁକା ରଖିବା ସହ ଘର ଛାତର ସୌନ୍ଦର‌୍ୟ୍ୟ ବି ବଢ଼ିପାରିବ ।

ହାଇଡ଼୍ରୋପନିକ୍ସ

ଏହା କୃଷି ଉପାôଦନର ଏକ ଉନ୍ନତ ପଦ୍ଧତି । ସାଧାରଣତଃ ଆମେ ମାଟିରେ ଗଛ ବଢୁଥିବା ଦେଖିଛେ କିନ୍ତୁ ହାଇଡ୍ରୋପୋନିକ୍ସ ସେ ସବୁରୁ ଟିକିଏ ଭିନ୍ନ । ବିନା ମୃତ୍ତିକା ସାହାଯ୍ୟରେ ଉଦ୍ଭିଦ ବଢାଇବା ପଦ୍ଧତିକୁ ହାଇଡ୍ରୋପୋନିକ୍ସ କୁହାଯାଏ । ଶୁଣିବାକୁ ଟିକେ ଆଶ୍ଚର‌୍ୟ୍ୟ ଲାଗୁଥିଲେ ହେଁ ସତ । ଏହି ପ୍ରଣାଳୀରେ କେବଳ ପାଣିରେ ସମସ୍ତ ବୃକ୍ଷ ବଢିପାରିବ । ମୋଟ ଉପରେ କହିବାକୁ ଗଲେ ମୃତ୍ତିକାର ବିନା ସାହାଯ୍ୟରେ ପାଣିରେ ସମସ୍ତ

ଆବଶ୍ୟକୀୟ ପୋଷକ ପଦାର୍ଥ ମିଶାଇ ଯେ କୌଣସି ଗଛ ବଢାଇବାକୁ ହାଇଡ୍ରୋପୋନିକ୍ସ କୁହାଯାଏ । ଏହାର ମୁଖ୍ୟ ଉପକାରିତା ମଧ୍ୟରେ ହାଇଡ୍ରୋପୋନିକ୍ସ ଦ୍ୱାରା ବର୍ଷର ଯେ କୈାଣସି ସମୟରେ ମଧ୍ୟ ଫସଲ ଚାଷ ଏବଂ ଅମଳ କରାଯାଇ ଖାଦ୍ୟ ସମସ୍ୟାକୁ ଦୂର କରାଯାଇପାରିବ । ଏହି ଉପାୟରେ ୯୦ ପ୍ରତିଶତ ଜଳ ସଂରକ୍ଷଣ କରାଯାଇପାରିବ । ସ୍ୱଳ୍ପ ସ୍ଥାନ ଏବଂ ଖୁବ କମ ସମୟରେ ଅଧିକ ଫସଲ ଅମଳ କରାଯାଇପାରିବ । ଏହା ଦ୍ୱାରା ଜୈବିକ ଫସଲ ଉତ୍ପାଦନ କରାଯାଇପାରିବ ।

ସମନ୍ୱିତ ଚାଷ

ଏହା ବ୍ୟତୀତ ସମନ୍ୱିତ ଚାଷ ହେଉଛି ଏକ ପ୍ରକାରର ମିଶ୍ରିତ ଚାଷ । ଏହି ପଦ୍ଧତିରେ ସମସ୍ତ ପ୍ରକାର ଚାଷର ମିଶ୍ରଣରେ ଏକ ସନ୍ତୁଳିତ ପରିବେଶ ସୃଷ୍ଟି କରାଯାଇ ପାରିବ । ସମନ୍ୱିତ ଚାଷର ମୌଳିକ ତଥ୍ୟ ହେଉଛି ଏକ ସୀମିତ ଜାଗାରେ ସମସ୍ତ ପ୍ରକାର ଚାଷ କରାଯାଇ ପାରିବ ଯେଉଁ ଭଳି ଗୋଟିଏ ଚାଷର ଅତିରିକ୍ତ ଉପାଦାନ ଅନ୍ୟ ଏକ ଚାଷର ମୁଖ୍ୟ ଉତ୍ପାଦନ ଭାବରେ ବ୍ୟବହାର କରାଯାଇ ପାରିବ । ବିଭିନ୍ନ ପ୍ରକାର ଫସଲ ଉତ୍ପାଦନ ସହିତ ନିୟମିତ ଭାବରେ ରୋଜଗାର ପ୍ରଦାନ ଓ ଅର୍ଥ ଉପାର୍ଜନ କରିହେବ ।

ସମନ୍ୱିତ ଚାଷ ପଦ୍ଧତି ଦ୍ୱାରା ଜମିର ଉତ୍ପାଦତା ବଢ଼ିଥାଏ । ସୀମିତ ଜମିରୁ ଅଧିକ ଲାଭ ହୋଇଥାଏ । ଚାଷ ଚିରନ୍ତନ ହୋଇଥାଏ ଏବଂ ଋତୁକାଳୀନ ଚାଷର କ୍ଷତି ହ୍ରାସ ପାଇଥାଏ । ଚାଷୀ ପରିବାର କର୍ମନିଯୁକ୍ତି ହୋଇଥାଏ । କ୍ଷୁଦ୍ର ବା ମଧ୍ୟମ ଧରଣର ଚାଷୀଙ୍କ ରୋଜଗାର ବୃଦ୍ଧି ପାଇଥାଏ । ଅଳ୍ପ ବିନିଯୋଗରେ ପ୍ରତିବର୍ଷ ଲାଭ ବଢ଼ିଥାଏ । ଏହା ସହିତ ପରିବେଶ ସୁରକ୍ଷା ମଧ୍ୟ ହୋଇଥାଏ ।

ତେବେ ବର୍ତ୍ତମାନ ଏପରି ମହାମାରୀ ପରିସ୍ଥିତିରେ  ଆମକୁ ସମୟ ଆସିଛି ଉଦଯୋଗୀ ହେବାର । ତେବେ ଏହି ସମୟରେ ଆମେ କୃକ୍ଷି କ୍ଷେତ୍ରରେ ନିଜର ସମୟକୁ ବିନିଯୋଗ କରି ଟଙ୍କା ଉପାର୍ଜନ କରିପାରିବା । କୃଷି କ୍ଷେତ୍ରରେ କରାଯାଉଥିବା ଏହି ସବୁ ନୂତନ ପ୍ରଣାଳୀକୁ ବିନିଯୋଗ କରି ଆମେ ବି ସ୍ୱାବଲମ୍ବୀ ହୋଇପାରିବା , ଏଥିରେ ସନ୍ଦେହ ନାହଁ ।

(ସମ୍ପାଦକ- ଶ୍ୟାମଳ ସୁବର୍ଣ୍ଣ , ବାସୁଦେବପୁର , ଭଦ୍ରକ)

Leave A Reply

Your email address will not be published.