Latest Odisha News

BREAKING NEWS

ଚିତ୍ର ଜଗତର ଅମ୍ଳାନ ପ୍ରତିଭା : ଶିଳ୍ପୀ ଅସିତ୍ ମୁଖାର୍ଜୀ

 କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା 

ଶିଳ୍ପୀ ଅସିତ ମୁଖାର୍ଜୀ ଓଡିଆ ଚିତ୍ରକଳା ଜଗତର ଜଣେ ଲୋକପ୍ରିୟ ସ୍ରଷ୍ଠା । ସନ୍ୟାସୀ ଭଳି ଚଳଣି ଓ ସରଳ ବ୍ୟବହାର ଅନ୍ୟକୁ କ୍ଷଣିକରେ ଆପଣାରେ କରି ନିଏ । ସର୍ବଦା କର୍ମତପ୍ତର । ଶହ ଶହ ଚିତ୍ର, ଅସଂଖ୍ୟ ପୁସ୍ତକର କଭର ଡିଜାଇନ ଆଙ୍କି ଉତ୍କଳର ଶ୍ରେଷ୍ଠ ଚିତ୍ରଶିଳ୍ପୀ ଭାବେ ଧର୍ମପଦ ଭଳି ବହୁ ସମ୍ମାନର ଅଧିକାରୀ ହୋଇପାରିଥିଲେ ସେ । ଚିତ୍ରକଳା ପ୍ରତି ସଂପୂର୍ଣ୍ଣ ସର୍ମପିତ ଥିଲା, ଚିତ୍ରଶିଳ୍ପୀ ଅସିତ ମୁଖାର୍ଜୀଙ୍କ ସମଗ୍ର ଜୀବନ ।

୧୯୩୩ ମସିହା ଜାନୁଆରୀ ମାସ ୭ ତାରିଖରେ ପୁରୀ ସହରର ପଥୁରିଆ ସାହିରେ ଭୂମିଷ୍ଠ ହୋଇଥିଲେ ଚିତ୍ରଶିଳ୍ପୀ ଅସିତ୍ ମୁଖାର୍ଜୀ । ପିତା ଥିଲେ ଜଣେ ସ୍ୱନାମଧନ୍ୟ ଚିତ୍ରଶିଳ୍ପୀ, ମଞ୍ଚ-କଳା ନିର୍ଦ୍ଦେଶକ ଓ ଅଭିନେତା । ସ୍ୱର୍ଗତଃ କୃଷ୍ଣଦାସ ମୁଖାର୍ଜୀ; ମାତା ସୁଧାରାଣୀ ମୁଖାର୍ଜୀଙ୍କର ଅସିତ ଥିଲେ ଦ୍ୱିତୀୟ ସନ୍ତାନ । ଅସିତ୍ ପୁରୀ ଜିଲ୍ଲା ସ୍କୁଲରେ ସ୍କୁଲ ଶିକ୍ଷା ଏବଂ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ କଲେଜ ଶିକ୍ଷା (ଆଇ.ଏସ୍‌ସି) ସମାପ୍ତ କରିବା ପରେ ଚାରୁକଳା ଅଧ୍ୟୟନ ପାଇଁ କଲିକତାର ସରକାରୀ ଚାରୁ ଓ ଚାରୁକଳା ମହାବିଦ୍ୟାଳୟରେ ଯୋଗ ଦେଇଥିଲେ ୧୯୫୧ ମସିହାରେ । ବ୍ୟବସାୟିକ କଳା ରେ ୫ବର୍ଷିଆ ଡ଼ିପ୍ଲୋମା ଲାଭକରି ସେଠାରୁ ଉତ୍ତୀର୍ଣ୍ଣ ହୋଇଥିଲେ ୧୯୫୬ ମସିହାରେ । ଚାରୁକଳା ଶିକ୍ଷାପାଇଁ ତାଙ୍କ ପ୍ରେରଣାର ଉତ୍ସଥିଲେ ପିତା କୃଷ୍ଣଦାସ ମୁଖାର୍ଜୀ ଏବଂ ସ୍କୁଲର କଳାଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସିଂହ । କଲିକତାରୁ ଫେରି ଶ୍ରୀ ମୁଖାର୍ଜୀ ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକକୁ ନିଜର କର୍ମସ୍ଥଳୀ ରୂପେ ବାଛି ନେଇଥିଲେ ଏବଂ ସ୍ଥାପନ କରିଥିଲେ ନିଜର ଷ୍ଟୁଡ଼ିଓ ‘ଶିଳ୍ପ ରୂପମ୍‌’ । ସ୍ୱାଧୀନ ଭାବରେ ଜୀବିକା ନିର୍ବାହ କରିବା ଥିଲା ତାଙ୍କ ଜୀବନର ବ୍ରତ ।

୧୯୬୧ ରୁ ୧୯୬୨ ପର୍ଯ୍ୟନ୍ତ ସେ ଥିଲେ ଓଡ଼ିଶା ସରକାରଙ୍କର କଳା ପରାମର୍ଶଦାତା । ସରକାରଙ୍କ ପକ୍ଷରୁ ରାଜ୍ୟରେ ଓ ରାଜ୍ୟ ବାହାରେ ଆୟୋଜିତ ଜାତୀୟ ତଥା ଆନ୍ତର୍ଜାତୀୟ ପ୍ରଦର୍ଶନୀ ଅବସରରେ ନିର୍ମାଣ କରାଯାଉଥିବା ମଣ୍ଡପ ତାଙ୍କରି ନିର୍ଦ୍ଦେଶନା ଓ ଦିଗ୍‌ଦର୍ଶନରେ କରାଯାଉଥିଲା । ୧୯୭୨ ମସିହା ଗାନ୍ଧୀ ଶତ଼ବାର୍ଷିକୀ ଅବସରରେ ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଶା ମଣ୍ଡପ ଜାତୀୟ ସ୍ତରରେ ସର୍ବଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କାର ଲାଭ କରିଥିଲା । ଏମ୍‌.ଏନ. ଦସ୍ତୁର, ଅଟୋମେଟିକ୍ ଟାୟାର ଇଣ୍ଡଷ୍ଟ୍ରିଜ୍ ଅଫ୍ ଇଣ୍ଡିଆ ବଂ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ପ୍ୟାକେଜିଂ ଆଦି ଖ୍ୟାତନାମା କମ୍ପାନୀମାନଙ୍କର ପାଭିଲିୟନ ନିର୍ମାଣ କରି ଏସିଆ -୭୨ ଶିଳ୍ପ ମେଳାରେ ଶ୍ରୀ ମୁଖାର୍ଜୀ ଉଚ୍ଚ ପ୍ରଶଂସିତ ହୋଇଥିଲେ ।

୧୯୬୯ରେ ଭୁବନେଶ୍ୱରଠାରେ ଅନ୍ୟାନ୍ୟ ଶିଳ୍ପୀବନ୍ଧୁମାନଙ୍କୁ ନେଇ ଗଠିତ ‘ଶିଳ୍ପୀ ସଂସଦ’ର ସେ ଥିଲେ ସଭାପତି ଏବଂ ଏହି ଅନୁଷ୍ଠାନଦ୍ୱାରା ପରିଚାଳିତ ‘ଚିତ୍ରମ’ ଆର୍ଟ ସ୍କୁଲର ଅଧ୍ୟକ୍ଷ । କଟକଠାରେ ୧୯୭୭ରେ ଆରମ୍ଭ ହୋଇଥିବା କଲେଜ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍‌ଟର ସେ ଥିଲେ ଅନ୍ୟତମ ଉଦ୍ୟୋକ୍ତା । ଏହାର ଉପାଧ୍ୟକ୍ଷଭାବେ ୧୯୮୧ ପର୍ଯ୍ୟନ୍ତ ସେ ଦାୟିତ୍ୱ ନିର୍ବାହ କରିଥିଲେ । ସେଠରେ ଅଧ୍ୟୟନ କରିଥିବା ତାଙ୍କର ଅଧିକାଂଶ ଛାତ୍ର କଳାକ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ପ୍ରକାଶନ କ୍ଷେତ୍ରରେ ତାଙ୍କର ସ୍ୱତନ୍ତ୍ର ରୁଚି ରହିଥିଲା । ଦୈନିକ ‘ସମ୍ବାଦ’ ପକ୍ଷରୁ ୧୯୮୪ରେ ପ୍ରକାଶିତ ସଚିତ୍ର ‘ରବିବାର ସମ୍ବାଦ’ ର ଦିଗ୍‌ଦର୍ଶନ ଦେଉଥିଲେ ଶ୍ରୀ ମୁଖାର୍ଜୀ । ତାଙ୍କୁ ସେତେବେଳେ ସହଯୋଗ କରୁଥିବା ଯୁବ ସାମ୍ବାଦିକମାନେ ଅଧୁନା ସ୍ୱସ୍ୱ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି ।

୧୯୮୧ ରୁ ୧୯୮୪ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ଲଳିତ କଳା ଏକାଡ଼େମୀର ଉପସଭାପତି ମନୋନୀତ ହୋଇଥିଲେ । ୧୯୮୪ ରୁ ୧୯୮୭, ୧୯୮୮ ରୁ ୧୯୯୧ ଏବଂ ୧୯୯୭ ରୁ ୨୦୦୩ ମସିହା ପର୍ଯ୍ୟନ୍ତ ଏକାଡ଼େମୀର ମର୍ଯ୍ୟଦାଜନକ ସଭାପତି ପଦରେ ଅଧିଷ୍ଠିତ ଥିଲେ । ତାଙ୍କ ସଭାପତିତ୍ୱ କାଳରେ ଏକାଡ଼େମୀ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର ରାଜ୍ୟରେ ତା’ର ସ୍ଥିତି ଜାହିର୍ କରି ପାରିଥିଲା । ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ନିର୍ଦେଶନାରେ ପ୍ରସ୍ତୁତ କରାଯାଇଥିବା ଓଡ଼ିଶାର ଲୁପ୍ତପ୍ରାୟ କଳା ସଂପର୍କିତ ଅନେକ ପ୍ରାମାଣିକ ଚିତ୍ର (ଭିଡ଼ିଓ) ଏକାଡ଼େମୀର ଅମୁଲ୍ୟ ସମ୍ପଦ ହୋଇ ରହିଛି । ସେ ୧୯୮୬ରେ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର(କଲିକତା)ର ସଦସ୍ୟ, ୧୯୮୭-୯୦ ରାଜ୍ୟ ଆର୍ଟ କମିଶନ୍‌ର ସଦସ୍ୟ ଏବଂ ୨୦୦୦ ମସିହାରେ ଏହାର ଅଧ୍ୟକ୍ଷ ରହିଥିଲେ ।

ଏହି ସମୟ ମଧ୍ୟରେ ଓଡ଼ିଶା ଷ୍ଟେଟ୍ କାଉନ୍‌ସିଲ୍ ଅଫ୍ କଲଚର୍‌ର ସଦସ୍ୟରୁପେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୯୦ରେ ‘ଏଥ୍‌ନିକ’ ନାମକ ଏକ ଗବେଷଣା ସଂସ୍ଥାର କାର୍ଯ୍ୟନିର୍ବାହୀ ସଭାପତି ରହିଥିଲେ ଏବଂ ଏହି ସଂସ୍ଥା ଅନୁକୂଲ୍ୟରେ ଦୁରଦର୍ଶନର ଜାତୀୟ କାର୍ଯ୍ୟକ୍ରମ ନିମନ୍ତେ ‘ସଦେଇବାରିଣୀର ଧୋକ୍ରାଶିଳ୍ପ’, ‘ଆର୍ଟ ଆଣ୍ଡ କ୍ରାଫ୍‌ଟ ଆରାଉଣ୍ଡ ଦି କଲ୍ଟ୍ ଅଫ୍ ଜଗନ୍ନାଥ‘ ଏବଂ ‘ଠାକୁରାଣୀ ଯାତ୍ରା’ ଶୀର୍ଷକ ତିନୋଟି ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରିଥିଲେ । ଓଡ଼ିଶା ଖଦି କମିଶନ ନିମନ୍ତେ ‘ତାଳଗୁଡ଼’ ସମ୍ପର୍କରେ ଓଡ଼ିଆ ଓ ହିନ୍ଦୀ ବିବରଣୀ ରହିଥିବା ପ୍ରାମାଣିକ ଚିତ୍ର ତାଙ୍କ ନିର୍ଦ୍ଦେଶନାରେ କରାଯାଇଥିଲା । ଓ.ଟି.ଡ଼ି.ସି. ଆନୁକୁଲ୍ୟରେ ତାଙ୍କର ଏକକ ଚିତ୍ରକଳା ପ୍ରଦର୍ଶନୀ ଆୟାଜିତ ହୋଇଥିଲା ୧୯୮୧ ମସିହାରେ । ୨୦୦୦ରେ ଉତ୍କଳ ଚାରୁକଳା ପରିଷଦ ମାଧ୍ୟମରେ ସେ ନିଜର କଳାକୃତି ପ୍ରଦର୍ଶନ କରିଥିଲେ ।
କଟକ ଆକାଣବାଣୀ, ଦୁରଦର୍ଶନ ଏବଂ ଇ ଟି.ଭି.ରେ ତାଙ୍କର ଜୀବନୀ ଓ କଳାକୃତି ସମ୍ପର୍କୀୟ କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଥିଲା । ଅକ୍ଷୟ ମହାନ୍ତିଙ୍କ ପ୍ରୟୋଜିତ କାର୍ଯ୍ୟକ୍ରମ ‘ମଧୁ ସଂପର୍କ’ରେ ସେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମଟି କଟକ ଓ ସମ୍ବଲପୁର ଦୁରଦର୍ଶନ କେନ୍ଦ୍ରରୁ ପ୍ରସାରିତ ହୋଇଥିଲା । ୧୯୮୭ ମସିହାରେ କେନ୍ଦ୍ରୀୟ ଦୁରଦର୍ଶନର “ଗ୍ରେଟ୍ ମାଷ୍ଟର୍ସ ସିରିଜ୍‌” କାର୍ଯ୍ୟକ୍ରମରେ ସ୍ଥାନୀତ ହୋଇ ସେ ଜାତୀୟ ସ୍ତରରେ ସୁପରିଚିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନ ଲାଭ କରିବାରେ ସେ ଥିଲେ ଓଡ଼ିଶାର ଏକମାତ୍ର ଶିଳ୍ପୀ । ପୁନଶ୍ଚ ଭୁବନେଶ୍ୱର ଦୁରଦର୍ଶନର ‘ଦର୍ଶକ ଦରବାର’ କାର୍ଯ୍ୟକ୍ରମରେ ସେ ଅଂଶ ଗ୍ରହଣ କରିଥିଲେ । ରଣଜିତ ପଟ୍ଟନାୟକଙ୍କ ପ୍ରଯୋଜନାରେ ପ୍ରସ୍ତୁତ ତାଙ୍କ କୃତିତ୍ୱ ଦୂରଦର୍ଶନରେ ପ୍ରସାରିତ ହୋଥିଲା ।

ଚାରୁକଳା କ୍ଷେତ୍ରରେ ନିରବଚ୍ଛିନ୍ନ ସାଧନା ଓ ଅସାମାନ୍ୟ ସିଦ୍ଧି ନିମନ୍ତେ ବହୁ ଅନୁଷ୍ଠାନ ପକ୍ଷରୁ ସେ ପୁରସ୍କୃତ ଓ ସମ୍ବର୍ନ୍ଧିତ ହୋଇଥିଲେ । ସେଥିମଧ୍ୟରେ ରହିଛି, ଉତ୍ତରାୟଣୀ କ୍ଲବ (ଜଟଣୀ)ର ସୁବର୍ଣ୍ଣ ଜୟନ୍ତୀ ସମ୍ମାନ ୧୯୭୯; ଓଡ଼ିଶା ସାହିତ୍ୟ ଏକାଡ଼େମୀ ରଜତ ଜୟନ୍ତୀ ସମ୍ମାନ, ୧୯୮୨, ‘ମନପବନ’ (ଶିଶୁ ପତ୍ରିକା) ରଜତ ଜୟନ୍ତୀ ସମ୍ମାନ, ୧୯୮୨; ଉତ୍କଳ ପାଠକ ସଂସଦ ସମ୍ମାନ, ୧୯୮୭; ନୀଳଚକ୍ର ସମ୍ମାନ, ୧୯୯୩; ‘ସମୟ’ଓ ଏସିଆନ୍ ଏଜ୍ ଆନୁକୂଲ୍ୟରେ ପ୍ରଦତ୍ତ ‘ମାୟାଧର ମାନସିଂ ସମ୍ମାନ’ ୨୦୦୦; ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ‘ବିଷୁବ କଳା ସମ୍ମାନ’,୨୦୦୨; ‘ଇମଫା’ କଳା ସମ୍ମାନ, ୨୦୦୪; ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ସଦଭାବନା ପୁରସ୍କାର ୨୦୦୬; ଓଡ଼ିଶା ଲଳିତ କଳା ଏକାଡ଼େମୀ ପ୍ରଦତ୍ତ ରାଜ୍ୟର ସର୍ବଶ୍ରେଷ୍ଠ କଳା ସମ୍ମାନ ‘ଧର୍ମପଦ ପୁରସ୍କାର’ ୨୦୦୬; ‘ମହ୍ଲାର’ ଶିଳ୍ପୀ ଗୌରବ ସମ୍ମାନ ୨୦୦୭; ଏବଂ ଓଡ଼ିଶା ଚିତ୍ରକଳା ଏକାଡ଼େମୀ ସମ୍ମାନ ୨୦୦୮ ।

ଋଷିପ୍ରତିମ ଦିବ୍ୟକାନ୍ତି । ଗମ୍ଭୀର ଅଥଚ ଦରଦୀ କଣ୍ଠସ୍ୱର । ପକ୍ୱ କେଶ, ପକ୍ୱ ଶୁଶ୍ରୁ ମଧ୍ୟରେ ମୋଟା ଚଷ୍ମା ଓ ତା ମଧ୍ୟରେ ତେଜୋଦୀପ୍ତ ଅଥଚ ସ୍ନିଗଧ ଚକ୍ଷୁ । ଢିଲା ପୋଷାକ ସାଂଗକୁ ପାଦରେ ଚପଲ । କାନ୍ଧରେ ଶାନ୍ତିନିକେତନର ଝୁଲାମୁଣି । ଶିଳ୍ପୀଙ୍କର ସାଲିସବିହୀନ ସଂଘର୍ଷମୟ ଜୀବନର ଅବସାନ ଘଟିଲା ୨୦୦୮ ମସିହା ଜୁଲାଇ ୧୨ ତାରିଖରେ, କଟକ ବିହାରୀବାଗ ସ୍ଥିତ ବାସ ଭବନରେ ଏବଂ ମର ଶରୀରର ଜୁଇ ଜଳିଲା ଶ୍ରୀକ୍ଷେତ୍ର ଧାମର ସ୍ୱର୍ଗଦ୍ୱାରରେ । ସଂଯୋଗବଶତଃ ସେଦିନ ଥିଲା ପବିତ୍ର ବାହୁଡ଼ା ଯାତ୍ରା । ଶିଳ୍ପୀଙ୍କ ବିୟୋଗ ଚିତ୍ରକଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।

( ସୈାଜନ୍ୟ – ଶିଳ୍ପୀ ଅସିତ ମୁଖାର୍ଜୀ ଶିଳ୍ପୀ ସଂସଦ )

ପ୍ରିୟରଂଜନ କର
ସଂପାଦକ
ଓଡିଶା ଶିଳ୍ପୀ ମହାସଂଘ

Comments are closed.