Latest Odisha News

BREAKING NEWS

ଧାରଣୀୟ ବିକାଶ ନୁହେଁ ନିରନ୍ତର ବିନାଶର ଦସ୍ତାବିଜ୍ ଓଏସ୍‌ଆଇଏଫ୍‌-୨.୦: ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର: ଦୁଇ ଦିନ ତଳେ ଓଡ଼ିଶା ସସ୍ଟେନେବଲ ଡେଭେଲପମେଣ୍ଟ ଗୋଲ୍ ଇଣ୍ଡେକ୍ସ ଫ୍ରେମ ୱାର୍କର ଦ୍ୱିତୀୟ ସଂସ୍କରଣ ବା ଓଏସଆଇଏଫ-୨.୦ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ନାଗିରକ କୈନ୍ଦ୍ରିକ ଯୋଜନାକୁ ଧାରଣୀୟ ବିକାଶ ଲକ୍ଷ୍ୟର ଗୋଟିଏ ଗୋଟିଏ ପ୍ରତୀକ ବୋଲି ଏହି ଓଏସଆଇଏଫ-୨.୦ ରେ କୁହାଯାଇଛି । ସେହି ପ୍ରତୀକମାନଙ୍କ ମଧ୍ୟରୁ ମିଶନ ଶକ୍ତି କଥାର ମଧ୍ୟ ଉଲ୍ଲେଖ ରହିଛି । ୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀରୁ ମାତ୍ର ୬୯ ହଜାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କୌଣସି ଉତ୍ପାଦନଶୀଳ କାର୍ଯ୍ୟକଳାପରେ ନିଯୁକ୍ତ କରାଇ ପାରିବା ଧାରଣୀୟ ବିକାଶର ଏହି ତଥାକଥିତ ପ୍ରତୀକଟିର ସଫଳତାକୁ ପଦାରେ ପକାଇ ଦେଇଛି ବୋଲି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ୨୩ ବର୍ଷ ଶାସନରେ ଓଡିଶାର ଧାରଣୀୟ ବିକାଶ କେବଳ ଏକ ଦିବାସ୍ୱପ୍ନ ପାଲଟିଛି । କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ନବୀକରଣ ଶକ୍ତି ପ୍ରକଳ୍ପ ଯାଞ୍ଚ ଡିଭିଜନ୍‌ର ତଥ୍ୟାନୁଯାୟୀ ୨୦୨୧ ମେ ମାସରେ ଭାରତର ନବୀକରଣ ଶକ୍ତିତ୍ତଉତ୍ପାଦନ ଦେଶର ସମୁଦାୟ ବିଦ୍ୟୁତ ଉତ୍ପାଦନର ୧୨.୩୨ ପ୍ରତିଶତ ଥିଲା । ଓଡିଶାରେ ତାହା ଥିଲା ମାତ୍ର ୧.୫ ପ୍ରତିଶତ । ମଦ, ଖଣି ଓ କେନ୍ଦ୍ରୀୟ ସହାୟତାରେ ସରକାର ପରିଚାଳନା କରୁଥିବା ଓଡିଶା ସରକାରଙ୍କ ନିରନ୍ତର ବିକାଶ (ସସ୍ଟେନେବଲ୍ ଡେଭେଲପମେଂଟ) ଦାବୀ ଲଙ୍କାରେ ହରି ଶବ୍ଦ ସଦୃଶ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

୨୦୧୮ରୁ ଆରମ୍ଭ ହୋଇଥିବା ମହାନଦୀ ସବୁଜ ମିଶନରେ ୧୨୧.୫୪ କୋଟି ଟଙ୍କା ପାଣିରେ ପଡିଲା । କିନ୍ତୁ ସବୁଜ ବଳୟ ପାଇଁ ମହାନଦୀ, ଇବ୍ ଓ ତେଲ ନଦୀ ପଠାର ୪୧ ହଜାର ହେକ୍ଟର ପରିମିତ ଅଂଚଳରେ ୫କୋଟି ଚାରା ରୋପଣ କେବଳ କାଗଜ ପତ୍ରରେ ସୀମିତ ରହିଗଲା । ରାଜ୍ୟର ନଦୀମାନଙ୍କରୁ ଶିଳ୍ପ କାରଖାନାଗୁଡିକ ନିର୍ବିରୋଧ ପାଣି ଶୋଷି ଚାଲିଛନ୍ତି । ୫ଟି ସହର ସମେତ ଶାତାଧିକ ଜନବସତି ଉଜୁଡିବାକୁ ବସିଲାଣି । ଏସିଆ ମହାଦେଶର ସର୍ବବୃହତ ଶାଳ ଜଙ୍ଗଲ ସେରେଣ୍ଡା ଜଙ୍ଗଲ ମରୁଭୁମିରେ ପରିଣତ ହେବାର ଆଶଂକା ପ୍ରକାଶ ପାଇଲାଣି ।

ବୈତରଣୀରୁ ବିଆରପିଏଲ୍ ଓ ନିପ୍ପୋ ମିତଲ ଯଥାକ୍ରମେ ବାର୍ଷିକ ୪୧,୯୯,୫୪୪ କ୍ୟୁସେକ୍ ମିଟର ଓ ୧,୦୫,୧୬,୭୩୦ କ୍ୟୁସେକ୍ ମିଟର ପାଣି ବ୍ୟବହାର କରୁଛନ୍ତି । ଜେଏସ୍‌ଡବ୍ଲ୍ୟୁ ଓ ଜେଏସପିଏଲ ନିଜ ନିିଜ ସ୍ଲରୀ ପାଇପ ବିଚାଇବା ଆରମ୍ଭ କରିସାରିଲେଣି । ଆଉ ୨ଟି କଂପାନୀ ଏଥି ସକାଶେ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି । ଏହା ଛଡା ୮୧ଟି ଶିଳ୍ପ ସଂସ୍ଥାକୁ ବୈତରଣୀ ଅବବାହିକାରେ ଗଭୀର ନଳକୁପ ଖୋଳିବାର ଅନିମତି ଦିଆଯାଇଛି । ଫଳରେ ମାର୍ଚ୍ଚ ମାସରେ ବିଭିନ୍ନ ଶିଳ୍ପ ସଂସ୍ଥା ବୈତରଣୀର ୭୨ ପ୍ରତିଶତ ଓ ଏପ୍ରିଲରେ ୮୭ ପ୍ରତିଶତ ଜଳ ଶୋଷିନେବେ । ବୈତରଣୀର ଅକାଳ ମୃତ୍ୟୁ ହେବାକୁ ବସିଲାଣି ।

ବ୍ରାହ୍ମଣୀ ନଦୀର ମୁଖଶାଳା ଖରୋସ୍ରୋତା ନଦୀ ଯା୍‌ଜପୁରର ଟିକରପଡାରୁ ଖଣ୍ଡିତର ଭିତରେ ନିଜ ଅସ୍ତିତ୍ୱ ହରାଇବାକୁ ବସିଲାଣି । ପୁନରୁଦ୍ଧାର ପାଇଁ ପ୍ରସ୍ତାବିତ ୪.୬୭ କୋଟି ଟଙ୍କାର ବନ୍ଦୋବସ୍ତ ରାଜ୍ୟ ସରକାର କରୁନାହାନ୍ତି । ମହାନଦୀର ଶାଖା ସୁକ ପାଇକା ନଦୀର ଅବସ୍ଥା କିଶନନଗର, କଟକ ସଦର, ନିଶ୍ଚିନ୍ତକୋଇଲି ଓ ରଘୁନାଥପୁର ଅଂଚଳରେ ଅତ୍ୟନ୍ତ ଦୟନୀୟ । ବର୍ଜ୍ୟବସ୍ତୁ ଯୋଗୁଁ ସୁନା, ପ୍ରାଚୀ ଓ ଗଙ୍ଗୁଆ ନଦୀର ଜଳଧାôଣା କ୍ଷମତା ହ୍ରାସ ବା ପ୍ରଦୁଷିତ ହୋଇଛି । ଲୁହାପଥର ଗୁଣ୍ଡରେ କାରୋ ନଦୀର ସୁନ୍ଦରଗଡ ଜିଲ୍ଲା ଟେନସାସ୍ଥିତ ଉତ୍ପତି ସ୍ଥାନ ପୋତି ହୋଇଗଲାଣି । ରାଜ୍ୟ ନଦନଦୀକୁ ଏହି ଭଳି ବିଭତ୍ସ ଭାବେ ହତ୍ୟା କରି ରାଜ୍ୟ ସରକାର ଧାରଣୀୟ ବିକାଶର ବେଦପାଠ କରୁଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବକ୍ରମେ ୨୦୨୩ ମସିହାକୁ ମିଳିତ ଜାତିସଂଘ ଆନ୍ତର୍ଜାତୀକ ମିଲେଟ ବର୍ଷ ଭାବେ ଘୋଷଣା କରିଛନ୍ତି । ୨୦୧୭ରୁ ୧୫ଟି ଜିଲ୍ଲାର ୮୫ଟି ବ୍ଲକରେ ଓଡିଶା ମିଲେଟ ମିଶନ କାର୍ଯ୍ୟକାରୀ ହେଉଛି । ବଜେଟରେ ବ୍ୟୟବରାଦ ମଧ୍ୟ ହୋଇଛି । ଏକର ପିଛା ୧୦ରୁ ୧୫ କ୍ୱିଂଟାଲ ମିଲେଟ ଉତ୍ପାଦନ ହେବା କଥା, ହେଉଛି ମାତ୍ର ୧.୮୮ କ୍ୱିଂଟାଲ । ଟ୍ରାନ୍ସପ୍ଲାଂଟିଙ୍ଗ ମେସିନ, ଗିଲିଂ ମେସିନ ଓ ହାରଭେସ୍ଟିଙ୍ଗ ମେସିନ ଭଳି ଉନ୍ନତମାନର କୃଷି ଯନ୍ତ୍ରପାତି ଉପଲବ୍ଧ ହେଉନାହିଁ । ସର୍ବନିମ୍ନ ସଂଗ୍ରହ ମୂଲ୍ୟରେ ମାଣ୍ଡିଆ କ୍ରୟ ବ୍ୟବସ୍ଥା ଅସଜଡା ରହିଛି । କୁଦୋ, କୁରୁଜି ଓ କାଙ୍ଗୁର ଭଳି ଅଣ ମାଣ୍ଡିଆ ମିଲେଟ ସଂଗ୍ରହ ପାଇଁ ସରକାରୀ ବ୍ୟବସ୍ଥା ନାହିଁ । ମାଣ୍ଡିଆ ମିଶନ କେବଳ କାଗଜ ପତ୍ରରେ ରହିଯାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ସେହିପରି ମାତୃ ଓ ନବଜାତଙ୍କ ସ୍ୱାସ୍ଥ୍ୟ ପାଇଁ ମମତା ଓ ମା ଗୃହ ର ଅବତାରଣା କରାଯାଇଛି । ମାତ୍ର ଜାତୀୟ ପରିବାର ସ୍ୱାସ୍ଥ୍ୟ ପରୀକ୍ଷଣ-୫ ତଥ୍ୟ ଅନୁଯାୟୀ ୨୦୧୫-୧୬ ରେ ରାଜ୍ୟରେ ୫ ବର୍ଷରୁ କମ୍ ବୟସ୍କ ଶିଶୁଙ୍କ ମଧ୍ୟରୁ ୪୪.୬ ପ୍ରତିଶତ ରକ୍ତହୀନତା ଭୋଗୁଥିବାବେଳେ ୨୦୨୦-୨୧ ରେ ତାହା ୬୪.୨ ପ୍ରତିଶତକୁ ବୃଦ୍ଧି ପାଇଛି । ୧୫ ରୁ ୪୯ ବର୍ଷ ବୟସ୍କ ମହିଳାଙ୍କ ପାଇଁ ଏହା ଥିଲା ୫୧ ପ୍ରତିଶତ । ଏବେ ବଢିଛି ୬୪.୪ ପ୍ରତିଶକୁ । ୧୫ ରୁ ୧୯ ବର୍ଷ ବୟସ୍କ କିଶୋରୀ ବର୍ଗରେ ଏହା ଥିଲା ୫୧ ପ୍ରତିଶତ, ଏବେ ଏହା ୬୪.୪ ପ୍ରତିଶତକୁ ପହଂଚିଛି । ବିଶ୍ୱରେ ଓଡିଶା ଏକମାତ୍ର ସରକାର, ଯିଏକି ଉଭୟ ମହିଳା ଓ ଶିଶୁଙ୍କ ରକ୍ତହୀନତା ନିୟନ୍ତ୍ରଣରେ ବିଫଳତା ସତ୍ୱେ ଧାରଣୀୟ ବିକାଶର ଚିଠା ପ୍ରସ୍ତୁତ କରିପାରେ ବୋଲି ଶ୍ରୀ ପଣ୍ଡା ତାତ୍ସଲ୍ୟ କରିଛନ୍ତି ।

ମାତୃମୃତ୍ୟୁ ହାର (ପ୍ରତି ହଜାରରେ ୧୧୯), ଜନ୍ମର ୨୮ ଦିନ ମଧ୍ୟରେ ଶିଶୁ ମୃତ୍ୟୁ ହାର (ପ୍ରତି ହଜାରରେ ୨୭), ନବଜାତକ ମୃତ୍ୟୁ ହାର (ପ୍ରତି ହଜାରରେ ୩୬) ଓ ୫ ବର୍ଷରୁ କମ୍ ଆୟୁରେ ଶିଶୁ ମୃତ୍ୟୁ ହାର (ପ୍ରତି ହଜାରରେ ୪୧) ଦୃଷ୍ଟିରୁ ସାରା ଦେଶରେ ଓଡିଶା ଏକ ପଛୁଆ ରାଜ୍ୟ । କେବଳ ୨୦୨୧-୨୨ରେ କୁପୋଷଣ, ଉପଯୁକ୍ତ ଚିକିତ୍ସାର ଅଭାବ ଓ ସରକାରୀ ଅବହେଳ କାରଣରୁ ୧୪,୨୨୮ ଶିଶୁ ମୃତ୍ୟୁବରଣ କରିଛନ୍ତି ।

ଏହା ଆମ ଧାରଣୀୟ ବିକାଶ ନା ନିରନ୍ତର ବିନାଶର ପ୍ରତୀକ ? ନିର୍ଲଜତାର କେଉଁ ସୀମାକୁ ଉଲ୍ଲଂଘନ କଲେ ନିଜ ରାଜ୍ୟର ୩୧ ପ୍ରତିଶତ ଶିଶୁ ବୟସାନୁପାତରେ ଉଚ୍ଚତା ଓ ୧୮ ପ୍ରତିଶତ ଶିଶୁ ବୟସାନୁପାତରେ ଓଜନ ନଥିଲେ ବି ଗୋଟିଏ ସରକାର ନିଜ ଧାରଣୀୟ ବିକାଶ ଲକ୍ଷ୍ୟର ସୁଚନାଂକ ଢାଂଚା ପକାଶ କରିପାରେ, ତାହା ଜନସାଧାରଣଙ୍କ ବିଚାର ପାଇଁ ଆମେ ଛାଡିଦେଲୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଏବଂ ଗଣମାଧ୍ୟମ ସହ ପ୍ରମୁଖ ସୁଜିତ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.