Latest Odisha News

ପୁସ୍ତକ ପରିଚୟ : କେମିତି ବଦଳିଯାଏ ମଣିଷ

କେମିତି ବଦଳିଯାଏ ମଣିଷ
ଗାଳ୍ପିକ : ରବି ପଣ୍ଡା
ପ୍ରକାଶକ : ବ୍ଲାକ ଇଗଲ ବୁକସ
ପୃଷ୍ଠା : ୨୨୮
ମୂଲ୍ୟ : ୨୪୫

ଗପଟିଏ ଲେଖାହୁଏ କିଛି ଚରିତ୍ରଙ୍କୁ ନେଇ। ସେଇ ଗପ ଭିତରେ ଗାଳ୍ପିକ ନିଜର ଅନେକ ଅନୁଭବ ଓ ଅନୁଭୂତିକୁ ଭାବ ଭାଷା ସହ କାଳ୍ପନିକ ପୁଟଦେଇ ପରଶି ଦିଅନ୍ତି ପାଠକମାନଙ୍କୁ। ମଣିଷ ଜୀବନର ଅନେକ ଅକୁହା ଯନ୍ତ୍ରଣା,  କିଛି ସ୍ୱପ୍ନ ଓ ସମ୍ଭାବନାର ନିଚ୍ଛକ ପରିପ୍ରକାଶ ଭିତରେ ପାଠକଟିଏ ସେଇ ଗଳ୍ପଗୁଡ଼ିକ ଭିତରେ ଅଣ୍ଡାଳି ହୁଏ ନିଜର ଅସହାୟତା। ଭଙ୍ଗାରୁଜା ସ୍ୱପ୍ନର ହାହାକାର ଭିତରର ନିର୍ଲଜତା । ଆଉ କେତେବେଳେ ସଜାଡ଼ିନିଏ କିଛି କିଛି ଯୋଡ଼ାଯୋଡ଼ି ପ୍ରତ୍ୟୟର ଫର୍ଦ୍ଦଟିଏ ।

ଗାଳ୍ପିକ ରବି ପଣ୍ଡାଙ୍କର ଗଳ୍ପ ସଙ୍କଳନ “କେମିତି ବଦଳି ଯାଏ ମଣିଷ” ଠିକ ସେହିପରି ଏକ ସ୍ୱତନ୍ତ୍ର ସୃଷ୍ଟି ।

ବଦଳି ଯିବାର କୌଣସି କାରଣ ଯଦି ଥାଏ, ତେବେ ତାହା ସବୁବେଳେ ଦେଖାଯାଏ ନାହିଁ। କାରଣ ଭିତରେ କାରଣ ପୁଣି କାରକର ସନ୍ଧାନ , ଏସବୁ ଭିତରେ ବଦଳିଯାଏ ଆହୁରି ଅନେକ କିଛି। କିଛି ଗାଟିଏର ସନ୍ଧାନ ପାଇଁ ହଜାର ହଜାର ଆଖିର ଅନିସନ୍ଧିତ୍ସୁ ଆଖିପାଇଁ ସକାରାତ୍ମକ ଚିତ୍ରଟେ ଯୋଗାଡ଼ିବାକୁ ହୁଏ। ନିଜ ବିଫଳତାର ଅସହାୟତାକୁ ଘୋଡ଼ାଇବାକୁ ଅନ୍ୟର ପାରିବା ପଣ ଆଗରେ କାନ୍ଥଟେ ଠିଆ କରିଦେଲେ କ’ଣ ମନ ,ମସ୍ତିଷ୍କ ଓ ମନସ୍ତତ୍ତ୍ୱ ବଦଳି ଯାଏକି ? ଜଣେ ନିଜକୁ ଖୋଜୁ ଖୋଜୁ ଅନେକଙ୍କର ଆବିଷ୍କାର କରିଦିଏ । ସେ ଆବିଷ୍କାର ଭିତରେ ବଦଳେଇ ଚାଲିଥାଏ ନିଜର ପରିଚୟ । ଏକ ନୂଆ ପରିଚୟ ଅସ୍ତିତ୍ୱ କିନ୍ତୁ ବଦଳୁଥାଏ ବାରମ୍ବାର। ଗଳ୍ପ ସଙ୍କଳନର ପ୍ରଥମ ଗଳ୍ପ ‘କେମିତି ବଦଳି ଯାଏ ମଣିଷ’ ଠିକ ସେହିପରି କିଛି କଥା କହେ ।

ମାଟି ବିଳାପ ଗଳ୍ପରେ ଗାଳ୍ପିକ ଏକ ଅବସର ପ୍ରାପ୍ତ ବୟସ୍କ ବ୍ୟକ୍ତିର ସନ୍ଦିହାନ ଅବସ୍ଥାକୁ ନିଖୁଣ ଭାବରେ ଉପସ୍ଥାପନ କରିଛନ୍ତି ।
ଆଜୀବନ ସବୁ ମୋର ନର କହୁଥିବା ଲୋକଟି କିଛି ସମୟ ଗଡ଼ିଗଲା ପରେ ହିଁ ଠିକ ଜାଣିପାରେ ଯେ “ମୋର ” ଆଉ କାହାର ହୋଇସାରିଥାଏ । ଶେଷ ବେଳକୁ ଗୋଟିଏ ଗୋଟିଏ ହିସାବ କରିବସିଲେ ସ୍ୱାଭିମାନର ସନ୍ଧିହାନ ଅବସ୍ଥା ପଇଁତରା ମାରେ । ସହର ଛାଡି ଗାଁ କୁ ଧାଇଁଲା ବେଳେ ଗାଁ ସହରକୁ ବଳିଯାଉଥାଏ । ମୁଣ୍ଡ ” ମୁଣ୍ଡି ” ହୋଇଗଲେ ବିକଟାଳ ରୂପ ଧାରଣ କରେ । ଶିକ୍ଷା , ସଂସ୍କାର , ସମ୍ଭ୍ରମତା ରାଜନୀତିର ନିଆଁରେ ଜାଳି , ଅର୍ଥନୀତିକ ବିକାଶ ନାଁ ରେ ଧୂଆଁ ଛାଡ଼ୁଥାଏ । ଏତେ ସବୁ ଦହଗଞ୍ଜ ଭିତରେ ନିରବ ନିଃଶ୍ଚଳ ମାଟି ମୁଠାକ ବିଳାପ ଛଡ଼ା ଆଉ କଣ କରିପାରେ ?

‘ଅସୁର’ ଏକ ପ୍ରବୃତ୍ତି ନା ମାନସିକ ସନ୍ତୁଳନର ଅଭାବ ଏବଂ ଶେଷରେ ଏକ ଅବାଂଛିତ ପରିଣତି । ପ୍ରକୃତରେ ସମସ୍ତଙ୍କ ଭିତରେ ଲୁଚି ରହିଥାଏ ସେ । ବାହାର କରିଦେଲେ ଅସୁର ନା ହେଲେ ସଂସ୍କାର । ଅସୁରକୁ ମାଡ଼ି ମକଚି ରଖି ହୁଏ ନାହିଁ । ତା ଆତ୍ମାକୁ ଆଘାତ ଦେଇ କିଛି କ୍ଷଣ ଶାନ୍ତ କରିହୁଏ କେବଳ । ଅସମର୍ଥ ବିଦ୍ରୋହର ନିଃସଙ୍ଗ କରୁଣ କାହାଣୀ କେବଳ ଏକ ଅସୁରର ହୋଇପାରେ । ‘ପାହାଡ଼ର ଛାଇ’ ଗପରେ ଜୀବନ ଜୀଇଁବା ଓ ଜୀବନକୁ ଜୀଆଁଇ ରଖିବା କେତେବେଳେ ବି ସମାନ ନୁହେଁ । ଯେଉଁ ଜମିରେ ଭାତ ହାଣ୍ଡି ହୁଏ ସେଇ ହିଡ଼ରେ ସମାଧି ବି ତିଆରି ହୁଏ ଏବଂ ଏସବୁ ନିର୍ଭର କରେ ପରିସ୍ଥିତି ଉପରେ । ଦୁଃଖ ବେଳେ ଆଖପାଖର ନିର୍ଜୀଵ ଵସ୍ତୁ ବି ଲୁହ ଢାଳି ଦିଅନ୍ତି ହେଲେ ଅପରପକ୍ଷେ ଜିଅନ୍ତା ଲୋକକୁ ଶବ ବୋଲି ଭାବି ନିଅନ୍ତି । ବଞ୍ଚି ଥାଉ ଥାଉ ଅନ୍ୟ ଆଖିରେ ନିଜକୁ ଶବ ରୂପରେ ଦେଖି ସାରିଲା ପରେ ପ୍ରିୟ ଖାଦ୍ୟର ଜହରଟା ଖୁବ ସୁଆଦିଆ ମନେ ହୁଏ ।

ଶେଷ ପାଦର ଭୂଇଁ ଗପରେ ମୁଣ୍ଡି ମାରିଥିବା ଅବୋଧଟେ ‘ତୁଣ୍ଡି’ ମାରିଦେବାର ଯୋଗ୍ୟତା ରଖିପାରେ। ପ୍ରାକୃତିକ ବିପର୍ଯ୍ୟୟ ପ୍ରକୃତିର ପ୍ରଭାବକୁ ଚିହ୍ନେଇ ଦେଲା ବେଳେ ମନସ୍ତାତ୍ତ୍ୱିକ ବିପର୍ଯ୍ୟୟ ସମ୍ପର୍କ ମଝିରେ ବାତ୍ୟା କରେଇ ସମ୍ବୋଧନକୁ ବିପର୍ଯ୍ୟସ୍ତ କରିବାର କ୍ଷମତା ରଖେ। ଯିଏ ଯୋଡ଼ି ପାରେ ସିଏ ନ ଭାଙ୍ଗି ବି ଖଣ୍ଡ ଖଣ୍ଡ କରିଦେଇପାରେ ତା କାରୁକାର୍ଯ୍ୟ।ସେଇ ବିଖଣ୍ଡିତ ଅବସ୍ଥିତିରେ ପୁଣି ସାଉଁଟିପାରେ ପାଦେ ଅଖଣ୍ଡିତ ଭୂଇଁ।

ବାହ୍ୟ ଜଗତରୁ ବିଛିନ୍ନ ହୋଇ ନିଜ ବଳୟ ଭିତରେ ରହୁଥିବା ମଣିଷଟିଏ ଅଜାଣତରେ ଭିଡ଼ି ହୋଇଯାଇପାରେ କୌଣସି ଏକ ବ୍ୟୁହ ଭିତରକୁ। ଆବେଗର ବେଗ ଧାରରେ ସେଇ ବ୍ୟୁହ ଭିତରେ ତିଆରି ନିଏ ନିଜତ୍ବ ନିଡ଼ ଟିଏ। କିନ୍ତୁ ସତ କେବେ ଲୁଚି ରହେନା ଯଥାର୍ଥରେ ବ୍ୟୁହର ଫାଙ୍କ ଦେଇ ହାବୁକାଏ ପବନ ପଶିଆସିଲେ ପଶିଥିବା ମଣିଷଟି ପ୍ରକୃତିସ୍ଥ ହୋଇଯାଏ। ଆଉ ତାପରେ , ସର୍ବୋଚ୍ଚ ପ୍ରାପ୍ତିର ଆସନରେ ଥିବା ମଣିଷର ସାମାନାରେ ପରସ୍ତ ପରସ୍ତ ହୋଇ ଖୋଲୁଥିବା ସବୁଠୁ ପ୍ରିୟ ମଣିଷର ମୁଖାଟି ତାକୁ ବାରମ୍ବାର ପରାସ୍ତ କରୁଥାଏ । ଏପରି କିଛି କଥା କଥାକୁ ନେଇ ‘ଟ୍ରାପ’ ଗପଟି ସେହିପରି କିଛି କଥାବସ୍ତୁର ସମାହାର ।

ମଣିଷ ଭିତରେ ଥିବା ତେଜିଆନ ସ୍ମୃତି କେବେବି ଜାତିସ୍ମର ହୋଇପାରେନା। ବରଂ ତାହା ଯେକୌଣସି ମୁହୂର୍ତ୍ତରେ ଆହ୍ଵାନ ସାଜି ଅନୈତିକତାର ବିରୋଧ କରିପାରେ। ‘ଗାନ୍ଧୀବାଡ଼ି’ ଗପରେ ପରିବର୍ତ୍ତନଶୀଳ ଦୁନିଆରେ ସବୁ ବଦଳି ଯାଉଥିବା ବେଳେ ଦେଶ ଓ ଦେଶପ୍ରେମର ସଂଜ୍ଞା ମଧ୍ୟ ବଦଳିଯାଉଛି। କିନ୍ତୁ ସେଇ ରୂପାନ୍ତରଣ ମଧ୍ୟରେ କେଉଁଠି ନା କେଉଁଠି ଅବଚେତନ ମନରେ ଗାନ୍ଧୀବାଦ ଲୁଚି ରଚିଛି। ଗାନ୍ଧୀବାଡ଼ି କେବଳ ଏକ ପ୍ରତୀକ ମାତ୍ର। ନୀତି, ଆଦର୍ଶର ଲଢ଼େଇ ପାଇଁ ଜନଶକ୍ତି ନୁହେଁ କେବଳ ଏକ ନିରୁତା ‘ଆହ୍ୱାନ’ ହିଁ ଯଥେଷ୍ଟ ।

ସୀମାର ଆରପାରି ଗପରେ ବୃତ୍ତିଗତ ଜୀବନର ନିର୍ଦ୍ଦିଷ୍ଟ ଭାଗମାପ ଜାଣିଥିବା ଝିଅଟିଏ ଯେତେ ଆଧୁନିକ ହେଲେ ମଧ୍ୟ ନିଜପାଇଁ ତିଆରିଥାଏ ଚନ୍ଦ୍ରବନ୍ଧନୀ ଟିଏ। ହାତମୁଠା ଟାଣ କଲେ ହୁଗୁଳି ଯିବାର ଭୟ ଥାଏ । ଖୋଲା ପାପୁଲିରୁ ବା କ’ଣ ଏପଟ ସେପଟ ହୋଇପାରିବ ! ଜୀବନ ଯେତେ ପାକଳ ହେଉଥାଏ ନିଜସ୍ୱ ସତ୍ତାଟିଏ ସେତେ ଅଧିକ ଉବୁଟୁବୁ ହେଉଥାଏ । ହେଲେ ଭାସିଯାଏ ନାହିଁ। ଅନୁଭବ ଓ ଅନୁଭୂତି ତାକୁ ଶକ୍ତ କରିଦିଏ। ଅରପାରିରେ ଯାହା ବି ଥାଉ ସୀମାରେଖା ଡେଇଁବା ପାଇଁ ସଠିକ କାରଣଟିଏ ନିହାତି ଆବଶ୍ୟକ ହୁଏ।

ଜନ୍ମଭୂମି ସ୍ପର୍ଶ ପୂର୍ବରୁ ସମଗ୍ର ସତ୍ତାକୁ ଆବୋରି ରଖିଥିବା ଏକ ନିବିଡ଼ ଅନୁଭବ ‘ବୋଉ’। ଯେତେବେଳେ ‘ବୋଉ’ ଟିଏ ଇଚ୍ଛା , ଅନିଚ୍ଛା, ବେଗ ଆବେଗ ପରିସ୍ଥିତିର ଦ୍ୱାହିରେ ନିଷ୍ପ୍ରାଣ ହୋଇଯାଏ ସେତେବେଳେ ‘ବୋଉ’ ମାନେ ରକ୍ତ ମାଂସର ପିତ୍ତୁଳା ହୋଇଯାଆନ୍ତି। ବିନା କିଛି ଆଶାରେ ବଂଶ ବୁନିଆଦିର ଆଦର୍ଶକୁ ଶେଷ ନିଶ୍ୱାସ ଯାଏଁ ବାନ୍ଧି ରଖିପାରନ୍ତି ‘ବୋଉ’ ମାନେ।
ସେଇ ଆଦର୍ଶକୁ ଅନାୟାସରେ ଆଉ ଗୋଟିଏ ପୀଢ଼ିକୁ ଉତ୍ତରାଧିକାରୀ ସୂତ୍ରରେ କେତେବେଳେ ଦେଇଦିଅନ୍ତି ତାହା ଆକଳନର ବାହାରେ ହୋଇଯାଏ।

ଯାହା କହିହୁଏ ନାହିଁ , ତାକୁ ଅନୁଭବି ହୁଏ। ଅନୁଭବ ଆଖିରୁ ସଞ୍ଚରି ଯାଏ ହୃଦୟ ପର୍ଯ୍ୟନ୍ତ। ପ୍ରେମମୟ କରିଦିଏ ଦୁଇଟି ଭିନ୍ନ ଭିନ୍ନ ପରିଚିତ ରଖୁଥିବା ମଣିଷଙ୍କୁ। ଜାତି ଧର୍ମ ବର୍ଣ୍ଣ ଏସବୁର ଉର୍ଦ୍ଧ୍ୱରେ ଆଉ ଗୋଟିଏ ଧର୍ମ , ମାନବ ଧର୍ମ। ସେଥିରେ କୌଣସି ଚିହ୍ନ ବର୍ଣ୍ଣ ନଥାଏ। ମୁକୁଳିତ ଆକୃତିରେ , ମାନସିକ ସଂକୀର୍ଣ୍ଣତାର ବହୁ ଦୂରରେ ଏବଂ ମାନବୀୟ ଗୁଣର ଖୁବ ନିକଟରେ ସେ ତାର ଅସ୍ତୁତ୍ୱଟେ ତିଆରିଥାଏ। ‘

ଅନେକ କିଛି ପରିବର୍ତ୍ତନ ସହ ସମୟ ମଣିଷକୁ ଆଗକୁ ଟାଣୁଥାଏ। କିନ୍ତୁ କିଛି ମାନସିକ ସ୍ଥିତି ସେଇଠି ରହିଯାଇଥାଏ। ବାରମ୍ବାର ଅପଦସ୍ଥ ହେଉଥିବା ଲୋକଟି ସମୟ ସହ ଆଗକୁ ବଢ଼ିପାରେ ନାହିଁ। ବରଂ ନିଜକୁ ପଛକୁ ଫେରାଇ ନେବାକୁ ଚେଷ୍ଟା କରେ। ଅବଚେତନ ମନରେ ନିଜ ଖିଆଲି ଦୁନିଆଁ ଭିତରେ ହଜିଯାଇ ତା ଆଖ ପାଖର ଲୋକଙ୍କୁ ମଧ୍ୟ ଭିତରକୁ ଟାଣି ନେବାକୁ ଚେଷ୍ଟା କରେ। ହାରିଯାଉଥିବା ମଣିଷର ମନସ୍ତାତ୍ତ୍ୱିକ ଅବସ୍ଥା ହିଁ ‘କାଳସନ୍ଧି’ । ନିର୍ଜନତାର ବିଳାପଠୁ ବଡ଼ ଦୁଃଖ ଆଉ କ’ଣ ହୋଇପାରେ? କାହାକୁ ବା ଭଲ ଲାଗେ ନିର୍ଜନ ହୋଇ ରହିବାକୁ ? କିନ୍ତୁ ବେଳେ ବେଳେ ଏମତି ହୁଏ। ଅତି ନିଜର ବ୍ୟକ୍ତି ହିଁ ନିର୍ଜନତା ଭିତରେ ଠେଲିଦେଇ ନିଜ ପାଇଁ ନିର୍ଜନତାଟେ ଆମନ୍ତ୍ରଣ କରିଆଣେ। ସମ୍ପର୍କର ମଧୁର ବନ୍ଧନ ଭିତରେ ସମର୍ପଣ ଓ ତ୍ୟାଗ ଦୁଇଟି ବଳିଷ୍ଠ ଦିଗ। ଯଦି ତା ମଝିରେ ସ୍ୱାର୍ଥ ଆସିଯାଏ , ତେବେ ତାହା ଏକାନ୍ତକୁ ଆବୋରି ଆଣିଥାଏ। ପ୍ରତି ପ୍ରଶ୍ନ ପାଇଁ ତିଆରି ହୋଇଥିବା ପୃଷ୍ଠଭୂମି ବାରମ୍ବାର ଅଭିସମ୍ପାତ ଦେଉଥିବ । ତାପରେ, ସବୁ ଥିବ ଶବ୍ଦ, ସ୍ଵର , ସଂଶ୍ଲିଷ୍ଟ କୋଳାହଳ ବାସ ଏକ ନିର୍ଜନତାର ଛାଇ ତାକୁ ଘୋଡାଇ ରଖୁଥିବ।

ରଙ୍ଗ କାହାର ବଦଳେ ସମୟର ନା ଜୀବନର ! କିଛି ପାଦ ଆଗକୁ ବଢ଼ିଗଲେ ଲାଗେ ବାସ , ଛାଡ଼ିଗଲା । ଆଉ ଇତସ୍ତତଃ କରିବ ନାହିଁ। କିନ୍ତୁ କେତେବେଳେ କେଉଁ ରୂପରେ ରଙ୍ଗଛଡ଼ା ଅତୀତ ରଙ୍ଗୀନ ହୋଇଯାଏ ତାହା ଜଣାପଡ଼େ ନାହିଁ। ସେଇ ରଙ୍ଗରେ ଆଉ କାହାକୁ ଦେଖିଲେ ଧୋଇ ମାଜି ଛଡ଼େଇ ଦେବାକୁ ଇଚ୍ଛା ହୁଏ । କେବଳ ଇଚ୍ଛା ହୁଏ ! ପୂର୍ବାଶାର ରଙ୍ଗ ଠିକ ଏହିପରି । ‘ଚେନାଏ ଆକାଶ’ ଗପରେ ପାଦତଳେ ମାଟି ଅଛି କି ବୋଲି କିଏ ପଚାରେ ? ହଁ ମୁଣ୍ଡ ଉପରେ ଆକାଶ ଅଛି ନା ନାହିଁ ସଭିଏଁ ଦେଖନ୍ତି। ମାଟିରେ ଯୋଡ଼ି ହୋଇ ରହିବାର ସ୍ପୃହା ଆଉ କଣ ଅଛି ?ସବୁ ଆକାଶମୁହାଁ । ତାପରର ଅନୁଭୂତି ଯାହା ହେଉ , ତା’ପ୍ରତି ଆଉ କାହାର ନଜର ନାହିଁ। ହଁ ପରିସ୍ଥିତି ବାଧ୍ୟକରେ ବେଳେ ବେଳେ ଭୂଇଁ ସହ ଯୋଡ଼ିହେବାକୁ। ସେଇ ଭୂଇଁର କେଉଁ ଫାଙ୍କ ଦେଇ ଚେନାଏ ଆକାଶ ପଶିଆସେ। ପ୍ରକୃତରେ ଚେନାଏ ଆକାଶ ନୁହେଁ , ଚେନାଏ ପ୍ରତ୍ୟୟ ଉଙ୍କି ମାରୁଥାଏ।

ନାରୀଟିଏ ସବୁବେଳେ ଛଳଛଳ।ପ୍ରେମରେ ବି ଆଉ ପ୍ରତାରଣାରେ ବି। ସେ ଜାଣେ କେମିତି ଭାରସାମ୍ୟ ରଖିବାକୁ ହୁଏ। ହଁ , ଯଦି କେବେ ସ୍ମୃତି ଉଖୁରି ଯାଏ ଅବଚେତନ ମନରେ ତା’ର ହାଲକା ପ୍ରଭାବ ପଡ଼େ। କିନ୍ତୁ ତାହା ଚିରସ୍ଥାୟୀ ନୁହେଁ । ଥରେ ପଛକଲେ କେବଳ ଓଲଟି କି ଦେଖେ ସିନା କିନ୍ତୁ ଆଉ ଫେରିବାର ପ୍ରଶ୍ନ ବି ନଥାଏ। ସେଇ ଦୃଢୋକ୍ତି ତାକୁ ଦେବତ୍ୱ ଯାଏଁ ଟାଣିନିଏ। ପ୍ରକୃତରେ ‘ଦେବୀ’ ହୋଇଯାଏ। ସ୍ୱପ୍ନ ଓ ବାସ୍ତବତା ଭିତରେ ସବୁବେଳେ ଏକ ଅଜଣା କୋଳାହଳ ଲାଗି ରହିଥାଏ। ସେ କୋଳାହଳରେ ସୁଖ କମ ଓ ଦୁଃଖ ଅଧିକ ଥାଏ। ସ୍ୱପ୍ନଟେ ସଜେଇ ହୁଏ। ଯଦି ସ୍ୱପ୍ନ ଭିତରେ ଅମୂଳକ ଲୋଭ ପଶିଆସେ ତେବେ ତାହା ତାକୁ ଛାରଖାର କରିଦିଏ। ଧ୍ଵଂସର କାରଣ ହୋଇଯାଏ। ମନର ନିଆଁ ଲିଭେଇବାକୁ ।

ବାସ୍ତବରେ ଗଳ୍ପ ସଙ୍କଳନଟି କେବଳ ପାଠକଙ୍କୁ ବାନ୍ଧି ରଖିବ ନାହିଁ , ତା’ସହ ସମାଜର ଆଢ଼ୁଆଳରେ ରହୁଥିବା ଚରିତ୍ରକୁ ଆମ ସାମ୍ନାକୁ ଆଣିବ। ଆମ ଆଖିଆଗରେ ଚଳ ପ୍ରଚଳ ହେଉଥିବା ଅନେକ ଚିହ୍ନା ମୁହଁ ଭିତରେ ସେ ଗପଗୁଡ଼ିକର ଖିଅ ଯୋଡ଼ି ହେଉଥିବ । ସଙ୍କଳନସ୍ଥ ଅନେକ ଗପ ଓଡ଼ିଆ ଗପ କ୍ଷେତ୍ରରେ ବିରଳ ସୃଜନ ଓ ସେଗୁଡ଼ିକ ଅବିସ୍ମରଣୀୟ ହୋଇ ରହିବ , ସେଥିରେ କୋଣସି ସନ୍ଦେହ ନାହିଁ।

Comments are closed, but trackbacks and pingbacks are open.