Latest Odisha News

BREAKING NEWS

ପୁସ୍ତକ ପରିଚୟ : ଲଣ୍ଠନ

ଲଣ୍ଠନ
ଗାଳ୍ପିକ : ଦିଲ୍ଲୀପ ବେହେରା
ପ୍ରକାଶକ : ପଶ୍ଚିମା ପବ୍ଲିକେଶନସ
ନୟାପଲ୍ଲୀ , ଭୁବନେଶ୍ୱର
ପୃଷ୍ଠା : ୧୩୫
ମୂଲ୍ୟ : ୧୩୦ 

ଗପଟିଏ ଲେଖାହୁଏ କିଛି ଚରିତ୍ରଙ୍କୁ ନେଇ। ସେଇ ଗପ ଭିତରେ ଗାଳ୍ପିକ ନିଜର ଅନେକ ଅନୁଭବ ଓ ଅନୁଭୂତିକୁ ଭାବ ଭାଷା ସହ କାଳ୍ପନିକ ପୁଟଦେଇ ପରଶି ଦିଅନ୍ତି ପାଠକମାନଙ୍କୁ। ମଣିଷ ଜୀବନର ଅନେକ ଅକୁହା ଯନ୍ତ୍ରଣା,  କିଛି ସ୍ୱପ୍ନ ଓ ସମ୍ଭାବନାର ନିଚ୍ଛକ ପରିପ୍ରକାଶ ଭିତରେ ପାଠକଟିଏ ସେଇ ଗଳ୍ପଗୁଡ଼ିକ ଭିତରେ ଅଣ୍ଡାଳି ହୁଏ ନିଜର ଅସହାୟତା। ଭଙ୍ଗାରୁଜା ସ୍ୱପ୍ନର ହାହାକାର ଭିତରର ନିର୍ଲଜତା । ଆଉ କେତେବେଳେ ସଜାଡ଼ିନିଏ କିଛି କିଛି ଯୋଡ଼ାଯୋଡ଼ି ପ୍ରତ୍ୟୟର ଫର୍ଦ୍ଦଟିଏ।

ମଣିଷ ଜୀବନର କିଛି କଥା  ଓ ବ୍ୟଥାକୁ ନେଇ ସମୁଦାୟ ନଅଟି ଗଳ୍ପର ସମାହାର  ଗାଳ୍ପିକ ଦିଲ୍ଲୀପ ବେହେରାଙ୍କର ଗଳ୍ପ ସଙ୍କଳନ “ଲଣ୍ଠନ”  ଏକ ଅନୁପମ ସୃଷ୍ଟି।

ଗଳ୍ପ ସଙ୍କଳନର ପ୍ରଥମ ଗଳ୍ପ “ଛାଇ”  ମଣିଷ ଜୀବନର  ବଦଳିଯାଉଥିବା ଅବସ୍ଥାର କଥା କହେ।  ଆଜନ୍ମ ନିଜ ଅସ୍ତିତ୍ବର ସ୍ୱତନ୍ତ୍ରତା ପାଇଁ ଅଣନିଃଶ୍ଵାସ ହୋଇ ପଡୁଥିବା ବ୍ୟକ୍ତିଟି ସବୁବେଳେ ହାର ମାନୁଥାଏ ତା’ ନିଜ ଛାଇ ପାଖରେ। ସେ ଛାଇ ଖରାରେ ଠିଆ ହୋଇଥିବାରୁ ନୁହେଁ କି ଡିବିରି ଆଲୁଅରେ ନୁହେଁ ;  ସେ ଛାଇ ନିଜ ଭିଟାମାଟିର , ଷଠୀଘରର ଅନ୍ଧାରର , ବାପାଙ୍କ ପଛରେ ଧାଉଁଥିବା କୁନି ପାଦର ଓ ଆଜୀବନ ନିଜର ବୋଲି ଭାବୁଥିବା ପ୍ରିୟ ମଣିଷର ବଦଳି ଯାଉଥିବା ରୂପରେଖର ।  ସବୁଠି ଗୋଟେ ଛାପ। ସ୍ନେହ , ଅନୁଶାସନ , ବାତ୍ସଲ୍ୟ ଓ ଆଦରପଣର ଛାପ। ମଣିଷ ବ୍ୟକ୍ତିଗତ ଉପଲବ୍ଧିର ଯେଉଁ ଶିଖରକୁ ବି ଉଠିଯାଉ ,ସେଇଠୁ ତା ମନ ଭିତରୁ ତା ସତ୍ତାର ଛାଇ ଉଙ୍କି ମାରୁଥାଏ। ସେ ଛାଇ ଅସ୍ତିତ୍ୱର ଚିହ୍ନ ହୋଇପାରେ କିନ୍ତୁ  ସତ୍ତ୍ଵାଧିକାରୀ ହୋଇପାରେ ନାହିଁ ।

ବିଶାଳ ହେବା କ’ଣ ବିନାଶ ହେବା !  ଗୋଟିଏ ଜୀବର ଆକାର କ’ଣ ତା’ର ଧ୍ଵଂସର କାରଣ ହୋଇପାରେ ?  ହାତୀ ଗପଟିରେ ଗାଳ୍ପିକ ପୃଥିବୀରେ ବଦଳୁଥିବା ପରିବେଶ ମଧ୍ୟରେ ଉପଯୋଜନ ଓ ପରିବର୍ତ୍ତନର କଥା କହିଛନ୍ତି। ହାତୀ ମାତିଲେ ଫସଲ ନଷ୍ଟ ହୁଏ ।  ସେଥିରେ  ହନ୍ତ ସନ୍ତ ହୁଏ ଚାଷୀର ପେଟ  ।   ବର୍ଷସାରା ଚଳିବା ପାଇଁ ଭାତ ମୁଠାକ ବି ଉଭେଇଯାଏ ତା’ ହାଣ୍ଡିରୁ। ହେଲେ ଏଥପାଇଁ କ’ଣ ହାତୀ ଦାୟୀ ହେବେ ? ବିଶାଳ ଅଥଚ ମୁକ ଜୀବଟିଏ  ଆହାରର ଅନ୍ୱେଷଣରେ ଯଦି ଫସଲ ଉଜାଡ଼ିଲା ତେବେ ତା’ର ଭୁଲ କ’ଣ ? ସେକଥା କେହି କାହାକୁ ବୁଝେଇ ପାରନ୍ତି ନାହିଁ। ବଦଳୁଥିବା ପରିସ୍ଥିତିର ଦ୍ୱାହି ଦେଇ ସମ୍ପୂର୍ଣ୍ଣ ଜୀବଜଗତ ଘାଣ୍ଟି ହେଉଥାନ୍ତି।

“ଲଣ୍ଠନ” ଗପଟି ଗାଳ୍ପିକଙ୍କର ଏକ ସ୍ୱତନ୍ତ୍ର ସୃଷ୍ଟି।  ନିଆଁ ଭିତରେ ମଣିଷ ଓ ମଣିଷ ଭିତରେ ନିଆଁ । ଉଭୟ ସବୁବେଳେ ପରିପୁରକ । ତାତି ଥିଲେ ହିଁ  ଜୀବନ ଥାଏ। ଜୀବନ ଥିଲା ଯାଏଁ ଭୋକ ଥିବ। ଭୋକ କେବଳ ପେଟରେ ନଥାଏ, ମନରେ ଆଉ ଦେହରେ ବି ଥାଏ। ଅସହାୟ ମଣିଷ ସାଲିସ କରି ଶିଖିଲେ ଆଉ ଛଟପଟ ହୁଏନି ଅନ୍ଧାରରେ। ଗୋଟିଏ ଲଣ୍ଠନରୁ ଆଉ ଗୋଟିଏ ଲଣ୍ଠନର ଫିତାକୁ ସମ୍ପ୍ରସାରିତ ହେଉଥାଏ ଆଲୁଅ। ବାହାର ଆଲୁଅ ସହିତ ଭିତର ଅନ୍ଧାର ଲଢ଼ି ଚାଲିଥାଏ। ରକ୍ତ ଝରାଏ ,  କ୍ଷତାକ୍ତ ହୁଏ । ରକ୍ତର ଧାରରୁ କଞ୍ଚା ମାଂସ ଆଡ଼େ ଯିବାବେଳେ ମଣିଷତ୍ୱର ବିଳାପରେ ପ୍ରକୃତିସ୍ଥ ହୁଏ , ଆପେ ସଜାଡ଼ି ହୋଇଯାଏ।  ବିଛାଡ଼ି ହୋଇ ପଡ଼ିଥିବା ଭଙ୍ଗା କାଚରୁ ଲଣ୍ଠନର ତାତି ଅନୁଭୂତ ହେଉଥାଏ।

ଆଲୁଅ ଯେତିକି ଦରକାର , ଅନ୍ଧାର ତା’ଠୁ ଅଧିକ ଦରକାର। ଆଲୁଅରେ କେତେ ଆକର୍ଷଣ ଅଛି ତାହା କେବଳ ଅନ୍ଧାରରେ ହିଁ ଜଣାପଡ଼େ। ଜୀବନକୁ ଯୁଝି ଚାଲିଥିବା ମଣିଷକୁ ଅନ୍ଧାର ହିଁ ନିରାପଦ ଲାଗେ । ଗାଳ୍ପିକ “ଲୋଡ଼ା ଟିକେ ଅନ୍ଧାର ଗପରେ” ଜୁଳୁଜୁଳିଆ ପୋକକୁ ଏକ ଚରିତ୍ର କରି ଗଳ୍ପର କଳେବରକୁ ସମୃଦ୍ଧ କରିଛନ୍ତି।

ଜୀବନ ଓ  ଜୀବିକା ଭିତରେ ନିଜକୁ ବୁଡ଼େଇ ଦେଇଥିବା ମଣିଷଟି ସବୁବେଳେ ସାମନା କରୁଥାଏ ତାର ଚାରିପାଖର ରଙ୍ଗ ବଦଳାଉଥିବା ପରିସ୍ଥିତିମାନଙ୍କୁ । ହାତ ପାହାନ୍ତାରେ ସବୁଥାଇ ବି ଆକଳନ କରିପାରେ ନାହିଁ ରଙ୍ଗର ଭେଦକୁ। ସବୁଦିନିଆ ଧାଁ ଦୌଡ଼ ଭିତରେ କିଛି ଗୋଟେ ନିର୍ଦ୍ଦିଷ୍ଟ କରିବା ଆଦୌ ସହଜ ନୁହେଁ । “ଜାମୁକୋଳି ଗପ” ଠିକ ସେହିପରି ଗୋଟେ କାହାଣୀକୁ ନେଇ ଗତିଶୀଳ ହୁଏ। ପ୍ରକୃତରେ ଭରପୁର ଜୀବନ ପାଇଁ କୌଣସି ନିର୍ଦ୍ଦିଷ୍ଟ ରଙ୍ଗ ହିଁ ନଥାଏ। ରଙ୍ଗଟିଏ ବାଛିବାକୁ ପଡ଼େ କିମ୍ବା ଆପଣେଇ ନେବାକୁ ହୁଏ।

“ଗଣିତ” କେବଳ ଗୋଟିଏ ବିଷୟ ନୁହେଁ ;  ଅନେକ ଅସମାହିତ ରହସ୍ୟର ହିସାବ କିତାବର ମାଧ୍ୟମ ବି ହୋଇପାରେ। ଯିଏ ଗଣିତକୁ ଆତ୍ମସ୍ଥ କରେ ତାକୁ ବାକିସବୁ ମୂଲ୍ୟହୀନ ଲାଗେ। ଜୀବନର କେଉଁ ଭାଗରେ କେତେ ଯୋଗ କଲେ, କାହାକୁ ବିଯୋଗ କରି କାହାସହ ଗୁଣିଲେ ପୁଣି ଇଚ୍ଛା ଅନିଚ୍ଛାକୁ ମନରୁ  ହରଣ କଲେ ଯାଇ କିଛି ଭାଗଶେଷ ପାଇ ହୁଏ।ସେତେବେଳକୁ ଅନ୍ୟ ସବୁ ବିଷୟ ମୂଲ୍ୟହୀନ ହୋଇ ପଡ଼ିଥାନ୍ତି। ଯଦିବା କିଛି ଥାଏ ତାହା ଦଶମିକ ଚିହ୍ନ ପରେ ତାର ଅସ୍ତିତ୍ୱ ଖୋଜୁଥାଏ।

“ଶ୍ରାବଣୀ ମିଶ୍ରର ସଂସାର ଚିନ୍ତା ଓ ସଙ୍ଗରୋଧରେ ଶ୍ରାବଣୀ ” ଗପ ଦୁଇଟିରେ ଗାଳ୍ପିକ ଏକ ମଧ୍ୟବିତ୍ତ ପରିବାରର ଝିଅର ମନସ୍ତତ୍ତ୍ୱକୁ ନିଖୁଣ ଭାବରେ ଉପସ୍ଥାପନ କରିଛନ୍ତି। ଦୁନିଆ ଯେତେ ଆଗେଇ ଯାଉ , ଝିଅଟିଏ ସବୁବେଳେ ନିଜ ଦେହର ରଙ୍ଗ ଓ ଶାରୀରିକ ଗଢ଼ଣ ହିସାବରେ ସମାଜରେ ପରିଚିତ ହୁଏ । ସେଇ ଦୁଇଟି ଯୋଗ୍ୟତା ପାଇଁ ଆଜୀବନ ନିଜକୁ ବିଜ୍ଞାପିତ କରିଚାଲିଥାଏ ଝିଅଟିଏ। ଗଳ୍ପର ଚରିତ୍ର  ଶ୍ରାବଣୀ ମିଶ୍ର ଲଢ଼ି ଚାଲିଛି ତା’ର ରୂପ ରଙ୍ଗ ସହ। ନିଜକୁ ଆକର୍ଷିତ କରିବା ପାଇଁ ସାଲିସ କରି ଚାଲିଛି ତାର  ଦୈନନ୍ଦିନ ଜୀବନ ଚର୍ଯ୍ୟାସହ। ତା’ ଦେହର ରଙ୍ଗ ଆଉ ପରିବାରର ଆର୍ଥନୈତିକ ଅସହାୟତା ଭିତରେ ତାର ସୁଖ  , ସାଛ୍ୱନ୍ଦ , ପ୍ରେମ ସବୁ ନିରର୍ଥକ ହୋଇ ଯାଉଛି। ପରିବର୍ତ୍ତିତ ସମୟ ସହ ଗୋଟେ ଝିଅର ମୂଲ୍ୟାୟନ ପାଇଁ ସମାଜ କେବେ ବଦଳିବ ନାହିଁ ! ଏହା ବାସ୍ତବରେ ଘୋର ଚିନ୍ତାର ବିଷୟ ।

ଗଳ୍ପ ସଙ୍କଳନର ଶେଷ ଗପ “ଶୁଆପାଞ୍ଜି”ରେ ଜଣେ ସାଧାରଣ ଯୁବକର କଥା ଅତ୍ୟନ୍ତ ଆବେଗପୁର୍ଣ ଭାବରେ ଗାଳ୍ପିକ ବର୍ଣ୍ଣନା କରିଛନ୍ତି। ଜୀବନ , ସଂଘର୍ଷ, ବିଫଳତା ଓ ପ୍ରୟାସ  ସହ ଭାଗ୍ୟ ଶବ୍ଦଟି ସବୁବେଳେ ଖୁନ୍ଦି ହୋଇଥାଏ। କେଉଁଠି ହଜି , ପୁଣି କେଉଁଠୁ ଖୋଜି  ଜୀବନକୁ ଘୋଷାଡ଼ି ନେଉଥିବା ଯୁବକ ଜଣେ ସମୟର ତାଡ଼ନାରେ ଭାଗ୍ୟ ଭବିଷ୍ୟତ ଜାଣିବା ପାଇଁ ଏକ ପଞ୍ଜୁରୀ ଆବଦ୍ଧ ଶୁଆର ନିର୍ବାଚିତ ପାଞ୍ଜି ଉପରେ ନିର୍ଭର କରି ଉଧେଇ ଯିବାର ବିଶ୍ୱାସ ରଖେ। ଏହା ଅସହାୟତା ନୁହେଁ ତ ଆଉ କ’ଣ ହୋଇପାରେ !

ଏହି ସଙ୍କଲନରେ ସଙ୍କଳିତ ସମସ୍ତ ଗଳ୍ପ ଓ ତା’ର ଚରିତ୍ର ପାଠକଙ୍କୁ ବାନ୍ଧି ରଖିବାର କ୍ଷମତା ରଖନ୍ତି । ପ୍ରତ୍ୟେକ ଗପର ଗତିଶୀଳତା ଭିତରେ କେତେବେଳେ ପାଠକ ନିଜକୁ ଭେଟିବ ତ ଆଉ କେତେବେଳେ ଚରିତ୍ର ମାଧ୍ୟମରେ ତା’ର ଚିହ୍ନା ପରିଚିତ ମୁହଁମାନଙ୍କୁ । ବିପୁଳ ପାଠକୀୟ ଆଦୃତି ସହ ଗଳ୍ପ ସଙ୍କଳନଟି ଓଡ଼ିଆ ସାହିତ୍ୟରେ ତାର ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରିବ ଏଥିରେ କୌଣସି ସନ୍ଦେହ ନାହିଁ ।

Leave A Reply

Your email address will not be published.