Latest Odisha News

BREAKING NEWS

ଚାରିପଟେ ଶତ୍ରୁ ଘେରିଛନ୍ତି କିନ୍ତୁ ଛତିଶଗଡରେ ଜିତିଯିବ କଂଗ୍ରେସ!

ଭୁବନେଶ୍ୱର: ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଥିବା ବେଳେ ଛତିଶଗଡ଼ରେ ପ୍ରଚାର ଆହୁରି ଜୋରଦାର ହୋଇଛି। ଉଭୟ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ସମେତ ଅନ୍ୟାନ୍ୟ ଦଳର ହେଭିୱେଟ ମାନେ ପ୍ରଚାର କରୁଛନ୍ତି।

ଏହି କ୍ରମରେ କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜୋରଦାର ପ୍ରଚାର କରିଛନ୍ତି। ସେପଟେ ନିର୍ବାଚନ ଫଳାଫଳ ଓ ଆଗାମୀ ରାଜନୈତିକ ଚିତ୍ରକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

କଂଗ୍ରେସ ଓ ବିଜେପି ଲଢେଇ ଭିତରେ କେଉଁ ତୃତୀୟ ଶକ୍ତି ପ୍ରମୁଖ ଭୂମିକା ଗ୍ରହଣ କରିବ ତାକୁ ନେଇ ଆଲୋଚନା ଜୋର ଧରିଛି। ବିଭିନ୍ନ ସମୟରେ ବହୁ ଛୋଟ ଛୋଟ ଦଳ ନିର୍ବାଚନରେ ଅଂଶଗ୍ରହଣ କରିଥିବା ବେଳେ ବିଶେଷ ପ୍ରଭାବ ପକାଇପାରି ନାହାନ୍ତି।

୨୦୧୬ ରେ ଅଜିତ ଯୋଗୀ କଂଗ୍ରେସରୁ ଅଲଗା ହୋଇ ନୂଆ ଦଳ କରିବା ପରେ ୨୦୧୮ ନିର୍ବାଚନରେ ତ୍ରିଶଙ୍କୁ ଅବସ୍ଥା ହେବ ବୋଲି କୁହାଯାଉଥିଲା। ଅଜିତ ଯୋଗୀ ମଧ୍ୟ ସେତେବେଳେ ରାଜ୍ୟରେ ତାଙ୍କ ବିନା ସହଯୋଗରେ କୌଣସି ଦଳର ସରକାର ହୋଇପାରିବନି ବୋଲି କହୁଥିଲେ।

ଏପରିକି ଅଜିତ ଯୋଗୀଙ୍କ ଦଳ ବହୁଜନ ସମାଜବାଦୀ ପାର୍ଟି ସହ ବୁଝାମଣା ମଧ୍ୟ କରିଥିଲେ। ନିର୍ବାଚନରେ ତାଙ୍କ ଦଳକୁ ପାଞ୍ଚୋଟି ଓ ବିଏସପିକୁ ଦୁଇଟି ସିଟ ମିଳିଥିଲା। କିନ୍ତୁ କଂଗ୍ରେସକୁ ବହୁମତ ମିଳିବାରୁ ସେମାନେ ପ୍ରଭାବହୀନ ହୋଇଥିଲେ।

ଏବେ ଆଉ ଏକ ବଡ଼ ଲଢେଇ ଚାଲିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ବସ୍ତର ଅଞ୍ଚଳ ସମେତ ୨୦ ଟି ସିଟ ପାଇଁ ନିର୍ବାଚନ ସରିଛି। ଆଉ ୭୦ ସିଟ ପାଇଁ ନଭେମ୍ବର ୧୭ ତାରିଖରେ ନିର୍ବାଚନ ହେବ।

ଏବେ କିନ୍ତୁ ଅଜିତ ଯୋଗୀ ନାହାଁନ୍ତି। ତାଙ୍କ ଦଳ କିନ୍ତୁ ବହୁ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେଇଛି। ସେହିପରି ବିଏସପି ମଧ୍ୟ ଅଲଗା ଲଢୁଛି। ଆମ ଆଦମୀ ପାର୍ଟି ମଧ୍ୟ ଦ୍ବିତୀୟଥର ପାଇଁ ସବୁ ଶକ୍ତି ଖଟାଇ ନିର୍ବାଚନ ଲଢୁଛି। ସେହିପରି ଅନ୍ୟକିଛି ଛୋଟ ଦଳ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି।

ତେଣୁ ଏସବୁ ଲଢେଇ ମଧ୍ୟରେ ସରକାର ଗଢିବାକୁ କଂଗ୍ରେସ କିମ୍ବା ବିଜେପିକୁ ଆଉ କେଉଁ ଦଳର ସହାୟତା ଲୋଡ଼ା ପଡିବ କି ବୋଲି ଆଲୋଚନା ହେଉଛି। ଅଜିତ ଯୋଗୀଙ୍କ ଜନତା କଂଗ୍ରେସ ଛତିଶଗଡ଼ରେ ଏଥର ୮୪ ଟି ସିଟରେ ଲଢେଇ କରୁଛି।

ଅଜିତ ଯୋଗୀଙ୍କ ପୁଅ ଅମିତ ଯୋଗୀ ପାଟନ ସିଟରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ବିରୋଧରେ ଲଢ଼ୁଛନ୍ତି। ୨୦୧୮ ନିର୍ବାଚନରେ ଯୋଗୀ, ବିଏସପି ଓ ସିପିଆଇ ମେଣ୍ଟକୁ ୧୧ ପ୍ରତିଶତ ଭୋଟ ମିଳିଥିଲା। ତେଣୁ ସେତେବେଳେ ରାଜନୈତିକ ଚିତ୍ର ଭିନ୍ନ ଥିବାବେଳେ ଅଜିତ ଯୋଗୀ ଏକ ବଡ଼ ମାହୋଲ ତିଆରି କରିଥିଲେ। କିନ୍ତୁ ଏବେ ଆଉ ସେ ସ୍ଥିତି ନାହିଁ।

ସେପଟେ ଅମିତ ଯୋଗୀଙ୍କ ଉପରେ ବିଜେପିର ବି ଟିମ ବୋଲି ଅଭିଯୋଗ ହୋଇଛି। ଟିକେଟ ବଣ୍ଟନ ବେଳେ ମଧ୍ୟ ସେ ନିଜ ଦଳର ନେତାଙ୍କ ବଦଳରେ ବିଜେପି ଓ କଂଗ୍ରେସର ବହୁ ବିଦ୍ରୋହୀ ନେତାଙ୍କୁ ପ୍ରାର୍ଥୀ କରିଛନ୍ତି।

କିଛି ସିଟରେ ତାଙ୍କ ଦଳ କଂଗ୍ରେସକୁ ଅଡୁଆରେ ପକାଇପାରେ କିନ୍ତୁ ବଡ଼ ଧରଣର ସମସ୍ୟା କରିପାରିବ ନାହିଁ ବୋଲି ଆଲୋଚନା ହେଉଛି। ସେହିପରି ବିଏସପି ଏଥର ଗୋଣ୍ଡବାନା ଗଣତନ୍ତ୍ର ପାର୍ଟି ସହ ମେଣ୍ଟ କରି ନିର୍ବାଚନ ଲଢୁଛି।

ବିଏସପି ୫୮ ସିଟ ଓ ଗୋଣ୍ଡବାନା ପାର୍ଟି ୩୨ ସିଟରେ ନିର୍ବାଚନ ଲଢ଼ୁଛନ୍ତି। ବିଏସପିର ପ୍ରଭାବ ସବୁବେଳେ ବିଳାଶପୁର ଅଞ୍ଚଳରେ ରହିଥାଏ। ରାଜ୍ୟର ଏମିତି କିଛି ସିଟ ଅଛି ଯେଉଁଠି ବିଏସପି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ବିଏସପିର ଟାର୍ଗେଟ ଦଳିତ ଭୋଟର ହୋଇଥିବାବେଳେ ଦଳ ଆଦିବାସୀ ଭୋଟକୁ ସେଥିରେ ଯୋଡିବାକୁ ଚେଷ୍ଟା କରୁଛି।

ଗତ ନିର୍ବାଚନରେ ଯୋଗୀଙ୍କ ଦଳ ସହ ମେଣ୍ଟ କରି ବିଏସପି ୨ ଟି ସିଟ ଜିତିଥିଲା ଓ କିଛି ସିଟରେ ଦଳର ଭୋଟ ବଢିଥିଲା। କିନ୍ତୁ ଏଥର ଆଦିବାସୀ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଦଳ ଗୋଣ୍ଡବାନା ଗଣତନ୍ତ୍ର ଦଳ ସହ ମେଣ୍ଟ କରିଛି।

ଏସବୁ ଦଳଗୁଡିକ ପାଇଁ କିଛି ସିଟରେ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପିର କ୍ଷତି ହୋଇପାରେ। ବିଶେଷ କରି କଂଗ୍ରେସକୁ ଅଧିକ କ୍ଷତି ପହଂଚିପାରେ। କିନ୍ତୁ ବିଏସପିର ପ୍ରଭାବ ସେତେଟା ନାହିଁ। ସେହିପରି ହମର ରାଜ ପାର୍ଟି, ଛତିଶଗଡ କ୍ରାନ୍ତି ସେନା ଆଦି ଦଳ ମଧ୍ୟ କିଛି ସିଟରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି।

୨୦୧୮ ନିର୍ବାଚନରେ କଂଗ୍ରେସ ୪୩ ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେପି ୩୨ ପ୍ରତିଶତ ଭୋଟ ପାଇଥିଲା। କଂଗ୍ରେସ ୬୭ ସିଟ ଜିତିଥିବା ବେଳେ ବିଜେପି ମାତ୍ର ୧୫ ଟି ସିଟରେ ସୀମିତ ରହିଯାଇଥିଲା।

ଯୋଗୀଙ୍କ ଦଳ, ବିଏସପି, ସିପିଆଇ ମେଣ୍ଟ ୧୧ ପ୍ରତିଶତ ଭୋଟ ପାଇଥିବା ବେଳେ ଅନ୍ୟ ସବୁ ଛୋଟ ଦଳର ଭୋଟ ପ୍ରତିଶତ ମିଶି ୧୪ ପ୍ରତିଶତ ଥିଲା। ତେଣୁ ଏଥର ଚିତ୍ର କଣ ହେବ ତା ଉପରେ ସମସ୍ତଙ୍କର ନଜର ରହିଛି।

ଏଥର କଂଗ୍ରେସ ସରକାରକୁ ରିପିଟ କରିବା ପାଇଁ ବହୁ ଗ୍ୟାରେଣ୍ଟି ସହ ବଘେଲଙ୍କ ଲୋକପ୍ରିୟତାକୁ ଅସ୍ତ୍ର କରିଛି। ଦଳର ହେଭିୱେଟ ମଧ୍ୟ ପ୍ରଚାରରେ ଲାଗି ପଡିଛନ୍ତି। ସେହିପରି ବିଜେପି ମଧ୍ୟ ବିଭିନ୍ନ ଲୋଭନୀୟ ଘୋଷଣା କରି ନିଜର ଭାଗ୍ୟ ପରୀକ୍ଷା କରୁଛି। ତେଣୁ ଏସବୁ ଭିତରେ ଅନ୍ୟ ଦଳର କଣ ପ୍ରଭାବ ରହିବ ଓ ଫଳାଫଳ କଣ ହେବ ତାକୁ ନେଇ ଅନେକ ଗଣିତ କଷା ହେଉଛି।

Leave A Reply

Your email address will not be published.