Latest Odisha News

ତରୁଣ ପିଢ଼ି ଆଜିର ସାମାଜିକ ବାସ୍ତବତା ପ୍ରତି ଆକୃଷ୍ଟ ନୁହନ୍ତି : ଶାନ୍ତନୁ କୁମାର ଆଚାର୍ଯ୍ୟ

ଶାନ୍ତନୁ କୁମାର ଆଚାର୍ଯ୍ୟ ଓଡ଼ିଆ କଥାସାହିତ୍ୟର ଅନ୍ୟତମ ମୂର୍ଦ୍ଧନ୍ୟ କଥାକାର । ପନ୍ଦରଟି ଉପନ୍ୟାସ, କୋଡିଏଟି ଗଳ୍ପ ସଂକଳନ ସହିତ ତାଙ୍କର ରହଚି ଆତ୍ମଜୀବନୀ, ଭ୍ରମଣ କାହାଣୀ ଏବଂ ଅନ୍ୟୂନ ଦଶଟି ଶିଶୁସାହିତ୍ୟ ପୁସ୍ତକ । ଏହା ବ୍ୟତୀତ “କରଂଜିଆ ଡାଏରି “ ପରି ବହୁ ମୂଲ୍ୟବାନ ଫିଚର ଲେଖା ତାଙ୍କୁ ଦେଇଚି ସିଦ୍ଧି ଓ ପ୍ରସିଦ୍ଧି । ତାଙ୍କର ବହୁ ଚର୍ଚ୍ଚିତ କେତୋଟି ଉପନ୍ୟାସ ଓ ଗଳ୍ପ ସଂଭାର ହେଲା- ନର-କିନ୍ନର, ଶତାବ୍ଦୀର ନଚିକେତା, ତିନୋଟି ରାତିର ସକାଳ, ଦକ୍ଷିଣାବର୍ତ୍ତ, ଶକୁନ୍ତଳା, ଧରିତ୍ରୀର କାନ୍ଦ, ଅନୁ ହଜିଯିବା ପରେ, ତୃଷ୍ଣା, ଅନୋମାର କନ୍ୟା । ଶତାଧିକ ଗଳ୍ପ ମଧ୍ୟରେ ତାଙ୍କ ରଚିତ ଗଳ୍ପ ଦୁର୍ବାର, ଅଦିନ ବଉଳ, ପ୍ଲଶ ଓ ମାଇନସ, ସର୍ପଯାନ, ରମା, ଆମ ମାଉସୀ, ପ୍ରଭୃତି ଅନେକ ଗଳ୍ପ ଆଧୁନିକ ଗଳ୍ପ ସାହିତ୍ୟ ରଚନାରେ ଆଦର୍ଶ ସ୍ଥାନୀୟ ରୂପେ ବିଚାର କରାଯାଏ । କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର, ଓଡିଶା ସହିତ୍ୟ ଏକାଡେମି ପୁରସ୍କାର, ଶାରଳା ପୁରସ୍କାର, ଭାରତୀୟ ଭାଷା ପରିଷଦ ସମ୍ମାନ, ସାହତ୍ୟ ଭାରତୀ ପୁରସ୍କାର, କଥା ପୁରସ୍କାର (ନୂଆଦିଲ୍ଲୀ), ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ଭଳି ବହୁ ଉଲ୍ଲେଖନୀୟ ସ୍ୱୀକୃତି ପାଇଥିବା ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କ ସହ ସରୋଜ ବଳଙ୍କ ଅନ୍ତରଙ୍ଗ ଆଳାପ:

ତରୁଣ ପିଢ଼ି ଆଜିର ସାମାଜିକ ବାସ୍ତବତା ପ୍ରତି ଆକୃଷ୍ଟ ନୁହନ୍ତି : ଶାନ୍ତନୁ କୁମାର ଆଚାର୍ଯ୍ୟ

ଆପଣ ଗଳ୍ପରେ ବେଶ୍‍ ପାରଂଗମ । ତେବେ ଉପନ୍ୟାସ ପ୍ରତି ଆଗ୍ରହୀ କାହିଁକି ହେଲେ? ଏମିତି କିଛି କଥା ଅଛି କି ଯାହା ଗଳ୍ପରେ ନକହି କେବଳ ଉପନ୍ୟାସରେ କହିହୁଏ?
ଗଳ୍ପ, ଉପନ୍ୟାସ ଦୁଇ ଜାତିର ଜିନିଷ; ଯେମିତି ବାଘ ସିଂହ । ଦୁହେଁ ଶିକାରି ପ୍ରାଣୀ ହେଲେ ବି ସେମାନଙ୍କର ଶିକାର କରିବା ଢଙ୍ଗ ପୂରା ଅଲଗା । ବାଘ ଲୁଚିଲୁଚି ଶିକାରର ପିଛା କରି ଶିକାରକୁ ସଂପୂର୍ଣ୍ଣ ଅପ୍ରସ୍ତୁତ ଅବସ୍ଥାରେ ଆକ୍ରମଣ କରେ । କିନ୍ତୁ ସିଂହ ତାର ଶିକାରକୁ ଯୁଦ୍ଧ ଡାକରା ଦେଲା ପରି ଆକ୍ରମଣ କରେ । ଗଳ୍ପର ଧର୍ମ ହେଲା– ଏହା ଆକାରରେ ଛୋଟ ହେଲେବି ଚମକ ପ୍ରଦ । ପୁଣି ଗଳ୍ପ ଲୁଚିଲୁଚିକା ଶେଷରେ ତା କାମ ଦେଖାଏ । ତେଣୁ ଗଳ୍ପର ପ୍ରଭାବ ଜଣାପଡେ଼ ମୁଣ୍ଡି ମଲା ପରେ । କିନ୍ତୁ ଉପନ୍ୟାସର କାମ ଅଲଗା । ଏହା ଗଳ୍ପ ନୁହେଁ- ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢିବା ଭିତରେ ଉତ୍କଣ୍ଠା ବଢ଼ିବଢ଼ି ଯାଉଥାଏ । ଶେଷରେ ଉପନ୍ୟାସର ବାର୍ତ୍ତାଟି ବୁଝିହୁଏ । ଆଦ୍ୟ ଓ ପ୍ରାନ୍ତ ମଧ୍ୟରେ ବିଷୟବସ୍ତୁର ଏକ ରୂପାନ୍ତରୀକରଣ ଘଟାଇବା ହେଉଛି ସଫଳ ଉପନ୍ୟାସର ଧର୍ମ । ଏହା ବ୍ୟତୀତ ଉପନ୍ୟାସର ଅନ୍ୟ ଧର୍ମ ହେଲା- ଭବିଷ୍ୟବାଣୀ । ଉପନ୍ୟାସରେ ଏହି ଭବିଷ୍ୟବାଣୀ ସାଧାରଣତଃ ଔପନ୍ୟାସିକର ରୁଷିଦୃଷ୍ଟି ଉପରେ ନିର୍ଭରଶୀଳ । ବହୁ ସମୟରେ ତାହା ସତ୍ୟ ପ୍ରମାଣିତ ହୋଇଥାଏ ।

ଆପଣଙ୍କ ପ୍ରଥମ ଉପନ୍ୟାସ ‘ନର-କିନ୍ନର’ର ପ୍ରକାଶନ କେବେ ହୋଇଥିଲା ଓ ସେତେବେଳର ପାଠକଙ୍କ ପ୍ରତିକ୍ରିୟା କିପରି ଥିଲା? 
‘ନର-କିନ୍ନର’ର ପ୍ରଥମ ପ୍ରକାଶନ ୧୯୬୨ରେ । ଏହା ସାଧାରଣ ପାଠକମାନଙ୍କ ପାଇଁ ସହଜ ପାଠ୍ୟ ନଥିଲା; କାରଣ ଏହାର ବିଷୟବସ୍ତୁ ଓ ଶୈଳୀ ଗତାନୁଗତିକ ନଥିଲା । ଏ ଧରଣର ଉପନ୍ୟାସ ଓଡିଆ ସାହିତ୍ୟ ପାଠକମାନଙ୍କ ପାଇଁ ସଂପୂର୍ଣ୍ଣ ଅଭିନବ ଥିଲା । କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ବିଶ୍ୱସାହିତ୍ୟର ଧର୍ମ ସହିତ ପରିଚିତ ମୁଷ୍ଟିମେୟ ପାଠକ ଏବଂ ସମାଲୋଚକ ଏହି ଉପନ୍ୟାସର ଆବିର୍ଭାବକୁ ଉଚ୍ଛ୍ୱସିତ ସ୍ୱାଗତ ଜଣାଇଥିଲେ ।

ପ୍ରକାଶନରେ କିଛି ସମସ୍ୟା ଉପୁଜିଥିଲା କି? 
ହଁ, ପ୍ରକାଶନ ଜନିତ ସମସ୍ୟା ମଧ୍ୟ ଥିଲା । ଜଣେ ପ୍ରତିଷ୍ଠିତ ପ୍ରକାଶକ ‘ନର-କିନ୍ନର’ର ଦୀର୍ଘ ୪୦୦ ପୃଷ୍ଠାର ହାତଲେଖା ପାଣ୍ଡୁଲିପି ଏବଂ ଉପନ୍ୟାସର ଭାଷାଶୈଳୀକୁ ନାପସନ୍ଦ କରିଥିଲେ । କିନ୍ତୁ ଖୁବଶୀଘ୍ର ଜଣେ ଅର୍ଖନୂଆ ପ୍ରକାଶନ ସଂସ୍ଥା ନିଜଆଡୁ ଆଗ୍ରହ ଦେଖାଇ ଉପନ୍ୟାସଟିକୁ ମାତ୍ର ପନ୍ଦର ଦିନ ଭିତରେ ଛପାଇ ଥିଲେ । ସେଇ ସଂସ୍ଥାର ସେଭଳି ଅଭୂତପୂର୍ବ ଦକ୍ଷତା ପ୍ରଦର୍ଶନ ମତେ ଆଶ୍ଚର୍ଯ୍ୟ କରିଦେଇଥିଲା । ଆଶ୍ଚର୍ଯ୍ୟର କାରଣ– ସେ ସମୟ ଥିଲା ୧୯୬୨ର ଭାରତ-ଚୀନ ଯୁଦ୍ଧସମୟ (ଅକ୍ଟୋବର ୧୯୬୨) । ବଜାରରେ ଛାପା କାଗଜ ଦୁଷ୍ପ୍ରାପ୍ୟ… ଇତ୍ୟାଦି ନାନା ପ୍ରତିବନ୍ଧକ ସତ୍ତ୍ୱେ, କଟକର ବିନୋଦ ବିହାରୀ ଗଳିର ଗୋଟିଏ ଗୁମୁଟି କୋଠରିରେ ସଦ୍ୟ ବହି ଦୋକାନଟିଏ ଖୋଲିଥିବା ‘ଫ୍ରେଣ୍ଡସ୍‍ ପବ୍ଲିସର୍ସ’ ନାମକ ଏକ କଂଚା ଅନଭିଜ୍ଞ ନୂଆ ପ୍ରକାଶନ ସଂସ୍ଥା, ଜଣେ ନୂଆ ଲେଖକଙ୍କ ପ୍ରଥମ ଉପନ୍ୟାସ ଏବଂ ‘ନର-କିନ୍ନର’ ଭଳି ଏକ ପରୀକ୍ଷାମୂଳକ ଉପନ୍ୟାସକୁ ଛପାଇବା ପାଇଁ ଆଗ୍ରହ ପ୍ରକାଶ କରିବା ଭଳି ଦୃଷ୍ଟାନ୍ତ ନିଶ୍ଚୟ ଏକ ବିରଳ ଘଟଣା ।

‘ନର-କିନ୍ନର’କୁ ଶାନ୍ତନୁ କୁମାର ଆଚାର୍ୟ୍ୟଙ୍କର ମାଷ୍ଟର୍‍ ପିସ୍‍ ବୋଲି କୁହାଯାଏ । ଆପଣ ଏକମତ କି? 
ମୁଁ ବିଗତ ପଚାଶ ବର୍ଷ ଭିତରେ ପନ୍ଦରଟି ଉପନ୍ୟାସ ଲେଖିଛି । ପ୍ରତ୍ୟେକଟି ଉପନ୍ୟାସ ଶୈଳୀ ଏବଂ ବିଷୟବସ୍ତୁ ଦୃଷ୍ଟିରୁ ସଂପୂର୍ଣ୍ଣ ଭିନ୍ନ । କିନ୍ତୁ ‘ନର-କିନ୍ନର’ର କଳାତ୍ମକ ଅନନ୍ୟତାକୁ ଲକ୍ଷ୍ୟ କଲେ ଏହାକୁ ଯଥାର୍ଥରେ ମୋର ଏକ ‘ମାଷ୍ଟର ପିସ୍‍’ ସୃଷ୍ଟି ବୋଲି ମନେକରେ ।

ସାଧାରଣରେ ବିଶ୍ୱାସ ଅଛି ଯେ ଉପନ୍ୟାସ ପଢ଼ିଲେ ପିଲାଏ ଖରାପ ହେଇଯାଆନ୍ତି । ସେଥିପାଇଁ ପାଠକୀୟତାର ଆରମ୍ଭକାଳରେ ଜଣେ ଉପନ୍ୟାସକୁ ଅପରାଧ କରିବା ଭଳି ଲୁଚେଇଲୁଚେଇ ପଢେ଼ । ଆପଣଙ୍କ ପ୍ରତିକ୍ରିୟା କଣ?
ସେ ଯୁଗ ଆଉ ନାହିଁ, ଯେତେବେଳେ ଏପରି ଆଶଙ୍କା କରଯାଉଥିଲା । କିନ୍ତୁ ସେ ସମୟରେ ଲୋକେ ଖୁବ୍‍ ଆଗ୍ରହର ସହିତ ଧର୍ମସାହିତ୍ୟ ଏବଂ ପୁରାଣ ପଢୁଥିଲେ ଓ ପିଲାମାନଙ୍କୁ ପଢ଼ିବାକୁ ଉତ୍ସାହିତ କରୁଥିଲେ । କିନ୍ତୁ ଶସ୍ତା ଉପନ୍ୟାସ ପଢିବାକୁ ଅଭିଭାବକମାନେ ପିଲାମାନଙ୍କୁ ମନା କରୁଥିଲେ । ତା ସତ୍ତ୍ୱେ ବି କିଛିକିଛି ପିଲା, ସେତେବେଳେ ଯାହାକିଛି ପ୍ରକାଶ ପାଉଥିଲା, ପଢୁଥିଲେ । ବିଶେଷତଃ ପ୍ରେମମୂଳକ ଉପନ୍ୟାସ ଓ ଡିଟେକ୍ଟିଭ ଉପନ୍ୟାସ ପଢିବା ସ୍କୁଲ ପିଲାମାନଙ୍କର ମୁଖ୍ୟ ମନୋରଂଜନ ସାମଗ୍ରୀ ଥିଲା । ଆଜି ପରି ଟିଭି, ଟେଲିଫୋନ ଓ କମ୍ପ୍ୟୁଟରର ପ୍ରଚଳନ ନଥିବାରୁ ଏବଂ ପତ୍ରପତ୍ରିକାର ବହୁଳ ଚଳଣି ଅଭାବରୁ ସେତେବେଳର ପିଲାମାନେ ଉପନ୍ୟାସ ପଢ଼ିବା ମାଧ୍ୟମରେ କିଂଚିତ ମନୋରଂଜନର ସୁଯୋଗ ହାସଲ କରି ପାରୁୁଥିଲେ ।

ଆପଣ ଅନ୍ୟ ଲେଖକଙ୍କ ଓଡ଼ିଆ ଉପନ୍ୟାସ ପଢ଼ିବାକୁ ଆଗ୍ରହ ରଖନ୍ତିକି? ଯଦି ହଁ, ଆପଣଙ୍କ ପ୍ରିୟ ଓଡ଼ିଆ ଔପନ୍ୟାସିକ ଓ ଉପନ୍ୟାସ ବିଷୟରେ ଅଳ୍ପରେ ସୂଚନା ଦେବେକି? ଉପନ୍ୟାସ ଲେଖିବାବେଳେ ସେମାନଙ୍କ ମଧ୍ୟରୁ କାହାର ଆଦର୍ଶ ଆପଣଙ୍କୁ ଉଦ୍‍ବୁଦ୍ଧ କରେ?
ଫକୀରମୋହନ ସେନାପତି, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (ଜଣେ ଅସହଯୋଗୀର ଆତ୍ମକଥା), କାଳିନ୍ଦୀ ଚରଣ ପାଣିଗ୍ରାହୀ, କାହ୍ନୁଚରଣ ମହାନ୍ତି, ଗୋପୀନାଥ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ବିଭୂତି ପଟ୍ଟନାୟକ, କୃଷ୍ଣପ୍ରସାଦ ମିଶ୍ର, ମହାପାତ୍ର ନୀଳମଣି ସାହୁ, ଗଣେଶ୍ୱର ମିଶ୍ର, ଚନ୍ଦ୍ରଶେଖର ରଥ, ମନୋଜ ଦାସ, ବୀଣାପାଣି ମହାନ୍ତି, ପ୍ରତିଭା ରାୟ, ରାମଚନ୍ଦ୍ର ବେହେରା, ଗୌରହରି ଦାସଙ୍କଠାରୁ ଲମ୍ବି ଯଶୋଧାରା ମିଶ୍ର, ସୁସ୍ମିତା ବାଗଚୀ, ରଶ୍ମୀ ରାଉଳ, ପାରମିତା ଶତପଥୀଙ୍କ ପର୍ଯ୍ୟନ୍ତ ଶତାଧିକ ଉପନ୍ୟାସ ପଢ଼ିବା ପରେ ହୃଦୟଙ୍ଗମ ହୋଇଛି– ଓଡିଆ ଭାଷାରେ ଉପନ୍ୟାସ ଲେଖିବାର ପରମ୍ପରାରେ ପ୍ରବଳ ଅନ୍ତର୍ନିହିତ ଶକ୍ତି ରହିଛି । କିନ୍ତୁ ବିଷୟବସ୍ତୁ ଏବଂ ମାନବିକ ସମସ୍ୟା ଦୃଷ୍ଟିରୁ ଏହା ଅଦ୍ୟାବଧି ପାରିବାରିକ, ସାମାଜିକ ଏବଂ ଆଂଚଳିକ ଚେତନାର ବଳୟ ମଧ୍ୟରେ ସୀମାବଦ୍ଧ । ଏହି ଦୃଷ୍ଟିରୁ ଆଜି ମଧ୍ୟ ଓଡିଆ ଉପନ୍ୟାସ ଜ୍ଞାନବିଜ୍ଞାନ ଏବଂ ଟେକ୍ନୋଲଜି ଯୁଗର ସମୃଦ୍ଧ ରୁଚିକୁ ଆକର୍ଷଣ କରିବାକୁ ବିଷେଷ ସାମର୍ଥ୍ୟ ପ୍ରଦର୍ଶନ କରିପାରୁନାହିଁ । ତେଣୁ ଆଜିର ଯୁବ ପାଠକଗୋଷ୍ଠୀ ପାଇଁ ଏ ସବୁ ପ୍ରାୟ ଅପାଂକ୍ତେୟ ହୋଇ ପଡ଼ିଛି ।

ତରୁଣ ପିଢ଼ିର ଓଡ଼ିଆ ଔପନ୍ୟାସିକଙ୍କ ପାଖରେ କଣ ଅଭାବ ଦେଖୁଛନ୍ତି? ସେମାନଙ୍କ କାନ୍ଧରେ ଓଡ଼ିଆ ଉପନ୍ୟାସର ଭାର ଆଗକୁ ବଢ଼ିବାର ସଂଭାବନା ଦେଖୁଛନ୍ତି କି?
ଆଜିର ତରୁଣ ପିଢ଼ିର ଜଗତ-ଦୃଷ୍ଟି ଆମ ସମୟର ଅଧିକାଂଶ ବରିଷ୍ଠ ଲେଖକମାନଙ୍କ ତୁଳନାରେ ଅଧିକ ବ୍ୟାପକ । କିନ୍ତୁ ସେମାନଙ୍କର ଅନ୍ତର୍ଦୃଷ୍ଟି ପୂର୍ବପିଢ଼ି ତୁଳନାରେ ନିତ୍ୟାନ୍ତ ଅଗଭୀର । ଏହି ତାରତମ୍ୟ ଯୋଗୁ ସେମାନେ ଆଜିର ସାମାଜିକ ବାସ୍ତବତା ପ୍ରତି ଆକୃଷ୍ଟ ନୁହନ୍ତି । ସେଥିପାଇଁ ସେମାନେ ଚିନ୍ତା ଉଦ୍ରେକକାରୀ କଳ୍ପନାପ୍ରବଣ ବିଦେଶୀ ସାହିତ୍ୟକୁ ଅଧିକ ମର୍ଯ୍ୟାଦା ସହକାରେ ପାଠ କରନ୍ତି । ଏ ସମସ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଆ ଉପନ୍ୟାସ, ଗଳ୍ପ ରଚିତ ହେବା ଦରକାର ବୋଲି ମୁଁ ଭାବେ ।

ଆଜିକାଲି ଉପନ୍ୟାସର କଳେବର ଓ ପାଠକୀୟତା ଉଭୟ କମିବାରେ ଲାଗିଛି ବୋଲି ଚର୍ଚ୍ଚାହୁଏ । ଆଠଶ’ ହଜାରେ ପୃଷ୍ଠା ତ ଦୂରର କଥା, ତିନିଶ’ ପୃଷ୍ଠାର ଉପନ୍ୟାସ ବି ଆଜିକାଲି କେହି ଲେଖୁନାହାନ୍ତି । ଏ ପରିବର୍ତ୍ତନକୁ ଆପଣ କିପରି ସ୍ୱୀକାର କରିବେ? କଣ କହିବେ ବର୍ତ୍ତମାନର ଔପନ୍ୟାସିକମାନଙ୍କୁ?
ଲେଖକ କୌଣସି ନିର୍ଦ୍ଧିଷ୍ଟ ପାଠକ ଗୋଷ୍ଠୀକୁ ଦୃଷ୍ଟିରେ ରଖି ଯଦି ଲେଖିବ, ତେବେ କଳେବର ସମସ୍ୟା ଉଠିପାରେ । ପାଠକର ରୁଚିକୁ ସନ୍ତୁଷ୍ଟ କରିବା ଲକ୍ଷ୍ୟରେ, ଛୋଟ ଉପନ୍ୟାସ ଲେଖିବା ପଛରେ ବ୍ୟାବସାୟିକ ମନୋବୃତ୍ତି ରହେ । ତେଣୁ ମୁକ୍ତ ସୃଜନ ପ୍ରକି୍ରୟା ବାଧାପ୍ରାପ୍ତ ହୁଏ । ମୋ ଜାଣିବାରେ ଆଜି ମଧ୍ୟ ଇଂରେଜୀ ଭାଷାରେ ଖୁବ ମୋଟାମୋଟା ଉପନ୍ୟାସ ଲେଖା ଯାଉଚି ଏବଂ ପାଠକୀୟ ଆଦୃତି ପାଉଛି । ଅସଲ କଥା ହେଲା– ଓଡ଼ିଶାରେ ବହି ପଢ଼ିବାର ସଉକ ସବୁ ସମୟରେ ଦୁର୍ବଳ ଥିଲା । ତାହା ବର୍ତ୍ତମାନ କମ୍ପ୍ୟୁଟର, ଫୋନ୍‍ ଯୁଗରେ ଆହୁରି କମି ଗଲାଣି । ତା ବୋଲି ଓଡ଼ିଆ ଭାଷାରେ ବଡ଼ ବହି ଲେଖା ନଯିବା ଗୋଟିଏ ସୁସ୍ଥ ଲକ୍ଷଣ ନୁହେଁ ।

ଆପଣଙ୍କର ସ୍ୱପ୍ନର ଉପନ୍ୟାସ (ଡ୍ରିମ୍‍ ପ୍ରୋଜେକ୍‍ଟ) କଣ? ସେଥିପାଇଁ ଆପଣଙ୍କ ପ୍ରସ୍ତୁତି କେତେ ଦୂର ଯାଇଛି?
ସ୍ୱପ୍ନର ଉପନ୍ୟାସ ପ୍ରକାଶ ନପାଇବା ପର୍ଯ୍ୟନ୍ତ ସେ ବିଷୟରେ ସୂଚନା ଦେବା ସଂଭବ ନୁହେଁ ।

କ୍ଲାସିକ୍‍ ଉପନ୍ୟାସର ମାନଦଣ୍ଡ କଣ ହେବା ଉଚିତ୍‍ ବୋଲି ଭାବନ୍ତି? ଯଦି ଆପଣଙ୍କୁ ୫ଟି ଓଡ଼ିଆ କ୍ଲାସିକ୍‍ ଉପନ୍ୟାସର ନାମ ଲେଖିବାକୁ କୁହାଯାଏ, କେଉଁଗୁଡ଼ିକୁ ଆପଣ ଅନ୍ତର୍ଭୁକ୍ତ କରିବେ? ସେଥିରେ ନିଜର କୌଣସି ଉପନ୍ୟାସ ରଖିବାକୁ ଚାହିଁବେ କି?
କ୍ଲାସିକ ଉପନ୍ୟାସର ପ୍ରଥମ ଧର୍ମ ହେଲା– ଚିରନ୍ତନ ମୂଲ୍ୟବୋଧ ସଚେତନତା । ଦ୍ୱିତୀୟ ଧର୍ମ– ଯୁଗଧର୍ମ ପ୍ରଭାବରେ ସ୍ଖଳିତ ମାନବିକତାର ପୁନରୁଦ୍ଧାର । ତୃତୀୟ– ଔପନ୍ୟାସିକର ଭବିଷ୍ୟଦୃଷ୍ଟି । ଉପନ୍ୟାସ ପଢ଼ି ସାରିବା ପରେ ପାଠକ ମନରେ ଆସ୍ଥା, ବିଶ୍ୱାସ ଏବଂ ନୂତନ ସଂକଳ୍ପ ସୃଷ୍ଟି କରିପାରୁଥିବା ଉପନ୍ୟାସକୁ କ୍ଲାସିକ ଉପନ୍ୟାସ କୁହାଯାଏ । ପାଂଚଟି କା୍ଲସିକ ଉପନ୍ୟାସର ଉଦାହରଣ– ଫକୀର ମୋହନଙ୍କ ‘ଛମାଣ ଆଠଗୁଣ୍ଠ, କାଳିନ୍ଦୀଚରଣଙ୍କ ‘ମାଟିର ମଣିଷ’, ଗୋପୀନାଥ ମହାନ୍ତିଙ୍କ ‘ପରଜା’, ସୁରେନ୍ଦ୍ର ମହାନ୍ତିଙ୍କ ‘ନୀଳଶୈଳ’, ଶାନ୍ତନୁ ଆଚାର୍ଯ୍ୟଙ୍କର ‘ଶକୁନ୍ତଳା’ ।

ଜଣେ ଔପନ୍ୟାସିକର ବ୍ୟକ୍ତିଗତ ଜୀବନ ଓ ଲେଖକୀୟ ଆଦର୍ଶ ଭିତରେ ସାମଂଜସ୍ୟ ରହିବା କଣ ନିହାତି ଦର୍କାର?
ନିଶ୍ଚୟ ଦରକାର । ଜଣେ ଅସାଧୁ ଲେଖକର ସାଧୁତା ଉପରେ ମତାମତ ଦେବା ହାସ୍ୟାସ୍ପଦ ବୋଲି ଭାରତୀୟ ଲୋକେ ଆଜି ମଧ୍ୟ ମନେ କରନ୍ତି ।

(ସୌଜନ୍ୟ: ସାମ୍ନା)

Leave A Reply

Your email address will not be published.