Latest Odisha News

BREAKING NEWS

କ୍ରିସ୍ମସ୍ ଟ୍ରି ବା ବଡ଼ଦିନ ଗଛ ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା..  

ଭୁବନେଶ୍ୱର: କ୍ରିସ୍ମସ୍ ଟ୍ରି ବା ବଡ଼ଦିନ ଗଛ। ଏକ କୋନାକାର ଗଛ ଯାହାକୁ ବଡ଼ଦିନ ଉପଲକ୍ଷେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ସଜେଇ ଥାଆନ୍ତି । ପାଇନ୍ ଜାତୀୟ କୌଣସି ଗଛର ଅଂଶ ବା କୃତ୍ରିମ ଗଛକୁ ବଡ଼ଦିନ ଉପଲକ୍ଷେ ସଜାଇବାର ପ୍ରଥା ଉତ୍ତର ୟୁରୋପରୁ ଆରମ୍ଭ ହୋଇଥିଲା । ମଧ୍ୟଯୁଗୀୟ ଲିଭୋନିଆରେ (ବର୍ତ୍ତମାନ ସମୟର ଇଷ୍ଟୋନିଆ ଓ ଲାଟ୍‍ଭିଆ) ଏହି ପ୍ରଥା ଜନ୍ମ ହୋଇଥିଲା ଏବଂ ଆଧୁନିକ ଯୁଗର ପ୍ରାରମ୍ଭରୁ ଜର୍ମାନୀର ପ୍ରୋଟେଷ୍ଟାଣ୍ଟ୍ ଖ୍ରୀଷ୍ଟିୟାନ୍‍ମାନେ ଏହି ସଜ୍ଜିତ ଗଛ ଘରକୁ ଆଣୁଥିଲେ ବା ଗଛକୁ ଘରକୁ ଆଣି ସଜାଉଥିଲେ ।  ପରେ ଏହି ପ୍ରଥାର ଲୋକପ୍ରିୟତା ଜର୍ମାନୀର ଲୁଥେରାନ୍ ଅଞ୍ଚଳକୁ ଅତିକ୍ରମ କରି ଅନ୍ୟ ପ୍ରାନ୍ତକୁ ବ୍ୟାପି ଯାଇଥିଲା । କ୍ରମଶଃ ବଲ୍‍ଟିକ୍ ସାଗରତଟସ୍ଥ ଦେଶଗୁଡ଼ିକର ସମ୍ଭ୍ରାନ୍ତ ପରିବାରମାନଙ୍କରେ କ୍ରିସ୍ମସ୍ ଗଛ ପ୍ରଥା ପ୍ରଚଳିତ ହେବାକୁ ଲାଗିଲା।

ବର୍ତ୍ତମାନ ସମୟରେ ଏହି ଗଛଗୁଡ଼ିକୁ ନୂତନ ବଡ଼ଦିନ ମାଳା, ରଙ୍ଗବେରଙ୍ଗ ବଲ୍ ଓ ଚକୋଲେଟ୍ ଇତ୍ୟାଦିଦ୍ୱାରା ସଜାଯାଉଛି ।

ଗଛର ସର୍ବୋଚ୍ଚ ଭାଗରେ ଏକ ପ୍ରଜ୍ଜ୍ୱଳମାନ ତାରକା ଖଚିତ ହୋଇଥାଏ, ଯାହା ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ବୃତ୍ତାନ୍ତ କାହାଣୀର ଜଣେ ଚରିତ୍ର ବେଥ୍ଲେହେମ୍ ତାରକାର ଦେବଦୂତ (ଏଞ୍ଜେଲ୍) ଗାବ୍ରିଏଲ୍‍ଙ୍କ ସୂଚକ ।

ରିବନ୍ ଫିତା ସାହାଯ୍ୟରେ କ୍ରିସମାସ ଗଛର ଡାଳରୁ ଜିଞ୍ଜର୍ ବ୍ରେଡ଼୍ (ଅଦା ପାଉଁରୁଟି), ଚକୋଲେଟ୍ ଓ ଅନ୍ୟାନ୍ୟ ମିଷ୍ଟାନ୍ନ ଇଦ୍ୟାଦି ଖାଦ୍ୟ ପଦାର୍ଥ ଝୁଲାଇ ଦିଆଯାଏ ।

ଏହାକୁ ନେଇ କଣ ରହିଛି କିମ୍ବଦନ୍ତୀ;

କ୍ରିସ୍ମସ୍ ଗଛ ସମ୍ବନ୍ଧୀୟ ସବୁଠାରୁ ପୁରୁଣା କିମ୍ବଦନ୍ତୀ ଖ୍ରୀ. ୭୨୩ ବେଳର ଓ ଏଥିରେ ଜର୍ମାନୀରେ ସନ୍ଥ ବୋନିଫେସଙ୍କ ଜର୍ମାନୀରେ ଧାର୍ମିକ କାର୍ଯ୍ୟକଳାପ ବିଷୟ ବର୍ଣ୍ଣିତ । ଏହି କିମ୍ବଦନ୍ତୀ ଅନୁସାରେ ବୋନିଫେସ୍ ଥରେ କିଛି ପାଗାନ୍ ଉପାସକଙ୍କ ମେଳରେ ପହଞ୍ଚିଲେ ଓ ଦେଖିଲେ ଯେ ସେମାନେ ଏକ ସୁସଜ୍ଜିତ ଓକ୍ ଗଛ ଚାରିପଟେ ନାଚି ଏକ ଶିଶୁର ବଳି ଚଢ଼ାଇବାର ପ୍ରସ୍ତୁତି କରୁଛନ୍ତି । ବୋନିଫେସ୍ ଏକ କୁରାଢ଼ି ଧରି ଯୀଶୁଙ୍କ ନାମ ନେଇ ଗୋଟିଏ ଚୋଟରେ ଗଛଟିକୁ କାଟି ଦେଲେ ଯାହା ସେଠାରେ ଉପସ୍ଥିତ ଲୋକଙ୍କୁ ଚକିତ କରିଦେଇଥିଲା । କଟା ଗଛ ପଛରେ ଏକ ଛୋଟ ଫିର୍ ଗଛ ଅଙ୍କୁରିତ ହୋଇଥିଲା । ଭଗବାନଙ୍କ ପ୍ରତୀକ ଏହି ଛୋଟ ଗଛଟି ଚିରହରିତ୍ ହେବ ଓ କେବେ ମରିବ ନାହିଁ ବୋଲି ବୋନିଫେସ୍ କହିଥିଲେ । ଗଛଟିର ଶୁଙ୍କଯୁକ୍ତ ଅଗ୍ର ସ୍ୱର୍ଗର ଦିଗକୁ ସୂଚୀତ କରୁଛି । ତେଣୁ ପାଗାନ୍ ସଂସ୍କୃତିର ଏହି ପ୍ରଥା ଯୀଶୁଙ୍କ ନାମ ବହନ କରି ରୂପାନ୍ତରିତ ହୋଇଗଲା

Leave A Reply

Your email address will not be published.