Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ମାଇକ୍ , ଏକ ମସ୍ତକହୀନର ବୃତ୍ତାନ୍ତ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୪

 

ନିହାତି ପରିତାପର କଥା ,ଜଣେ ଯେତେବେଳେ ଆଉ କିଛି ନପାଇ ଇତିହାସରୁ ଗୋଟିଏ କୁକୁଡା ବାହାର କରି ଆଣିବ ଆଉ କହିବ,ବନ୍ଧୁଗଣ ଦେଖନ୍ତୁ,ଏଇ କୁକୁଡାକୁ ଦେଖନ୍ତୁ ଆଉ ତାହାପରେ ସେ  ସେହି କୁକୁଡା ବିଷୟରେ ସାତକାହାଣ କରି କହି ବସିବ ସେତେବେଳେ ଆମର ନିଶ୍ଚୟ ପ୍ରଶ୍ନ କରିବା ଉଚିତ୍,ଏତେ ରାଜା ମହାରାଜା,ଏତେ ଯୁଦ୍ଧ  ଥାଉ ଥାଉ ସାମାନ୍ୟ ଗୋଟିଏ କୁକୁଡା କାହିଁକି ?

ମାଇକ୍ ହେଉଛି ଗୋଟିଏ କୁକୁଡାର ନାଆଁ,ଏଇଠି । ଇତିହାସରେ ବିବୃତ ଥିବା ଏକ ଅଦ୍ଭୁତ କୁକୁଡା ସେ।

ଯୁକ୍ତରାଜ୍ୟ ଆମେରିକାର କଲୋରାଡୋ ସହରର ଫ୍ରୁଇଟାସ୍ ନାମକ ସ୍ଥାନରେ ଓଲସେନ୍ ବୋଲି ଜଣେ କୃଷକ ଥିଲା । ତାହାର ପରିବାର କହିଲେ ତାହାର ପତ୍ନୀ ଏବଂ ତାହାର ଶାଶୁ । ପିଲାପିଚିକା ନାହାଁନ୍ତି । ତେଣୁ ଓଲସେନର ଘରଟି ସବୁବେଳେ ବେଶ୍ ଚୁପଚାପ୍ । ତାହାର ଘରରୁ ଯାହାକିଛି ଶବ୍ଦ ବାହାରକୁ ଶୁଭୁଥାଏ ତାହା କେବଳ କିଛି କୁକୁଡାଙ୍କର ମଝିରେ ମଝିରେ ଚିତ୍କାର କରିବାର ଶବ୍ଦ ।

ଓଲସେନର କୁକୁଡା ପାଳିବାରେ ଭାରି ସଉକ। ବେଶ୍ ପଲେ କୁକୁଡା ପାଳିଥାଏ ସେ । ମଝିରେ ମଝିରେ କୁକୁଡା ଆଉ ଅଣ୍ଡାକୁ ବିକ୍ରିକରି ସେ କିଛି କିଛି ଆୟୋଜନ କରି ପକାଏ ମାତ୍ର ସେହି କୁକୁଡା ଗୁଡିକୁ ପାଳିପୋଷି ରଖିବା ପଛରେ ଓଲସେନର ସବୁଠୁ ବଡ କାରଣ ହେଅଛି,ଯେତେବେଳେ ଇଚ୍ଛା ହେବ ସେ ସେମାନଙ୍କୁ ମାରି ସୁସ୍ୱାଦୁ ଭୋଜନର ଆନନ୍ଦ ଉଠାଇବ ।

ଓଲସେନର ଅବସେସନ୍ କହିଲେ ସେହି ଗୋଟିଏ। ଆଖପାଖର ସମସ୍ତେ ସେକଥା ଜାଣନ୍ତି । ସବୁବେଳେ ତାହାର ପ୍ରଚେଷ୍ଟା ଥାଏ କେମିତି ସେ ଭଳିକିଭଳି କୁକୁଡା ମାଂସର ବ୍ୟଞ୍ଜନ ପ୍ରସ୍ତୁତ କରିପାରିବ । ସେ ସଂକ୍ରାନ୍ତରେ ସେ ନୂଆ କିଛି ରେସିପି ପାଇଲେ ସେ ଆଗ ତାହାକୁ ତାହାର ଏକ ଟିପାଖାତାରେ  ଲେଖି ବସୁଥିଲା ଆଉ ତାହାପରେ ସେ ପ୍ରସ୍ତୁତ ହୋଇ ସେହି ବ୍ୟଞ୍ଜନକୁ ତାହାର  ଅସଲ ସ୍ୱରୂପ ପ୍ରଦାନ କରିବା ପାଇଁ ରୋଷେଇ ଘରକୁ ଯାଇ ରନ୍ଧନ କାମରେ ନିଷ୍ଠାପର ଭାବରେ ଲାଗି ପଡୁଥିଲା ।

ଦିନେ ସେ ରାତ୍ରୀଭୋଜନ ପ୍ରସ୍ତୁତ କରିବା ପାଇଁ ତାହାର ପତ୍ନୀକୁ କୁକୁଡା ପଲାରୁ ଯାଇ ଗୋଟିଏ କୁକୁଡାକୁ ଆଣିବାକୁ କହିଥିଲା ।

ରୋଷେଇ ହେବା ପାଇଁ ଓଲସେନର ପତ୍ନୀ ସେଦିନ ଯେଉଁ କୁକୁଡାଟିକୁ ଆଣିଥିଲା ତାହାର ନାଆଁ ଥିଲା ମାଇକ୍ ।

ମାଇକକୁ କାଟିବା ବେଳେ କିନ୍ତୁ ଗୋଟିଏ ବଡ ଅଘଟଣ ଘଟିଯାଇଥିଲା । ସେଇ ଅଘଟଣଟି ହେଉଛି ଆଜି ଏଇ କାହାଣୀ କହି ବସିବା ପଛ ର ପ୍ରମୁଖ କାରଣ ।

ମାଇକର ବେକଟିକୁ କାଟିବା ବେଳେ ଓଲସେନ୍ ଟିକିଏ ଅନ୍ୟମନସ୍କ ଥିଲା କି କ’ଣ ମାଇକ୍ ତାହାର ଛୁରୀ ଦାଢରୁ ପୋହଳାମାଛ ପରି ପିଛୁଳି ଯାଇଥିଲା । ମାତ୍ର ସେତେବେଳର ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ମାଇକର ଗଣ୍ଡି ଆଉ ମୁଣ୍ଡ ପୁରାପୁରି ଅଲଗା ହୋଇଯାଇଥିଲା ତଥାପି ମାଇକ୍ ତାହାର ଗଣ୍ଡିସର୍ବସ୍ୱ ଅବସ୍ଥାନରେ ସ୍ୱାଭାବିକ ଭାବରେ କିଛି ବାଟ ଆଗେଇ ଯାଇ ଭୂଇଁରୁ ଖାଦ୍ୟ ଖୁଣ୍ଟିବାକୁ ଲାଗିଗଲା,ଯଦିଓ ସେତେବେଳକୁ ତାହାର ମୁଣ୍ଡ କହିଲେ ସେମିତି କିଛି ତା’ ସହିତ ନଥିଲା ।

ଅବଶ୍ୟ ଆମର ପରିଚୟ ଆମର  ମୁଣ୍ଡ ଆଧାରିତ ନା ଆମର ଗଣ୍ଡି ଆଧାରିତ ,ସେହି ପ୍ରଶ୍ନର ଗୋଟିଏ ସମାଧାନ ଆମର ଦଣ୍ଡୀଙ୍କ ଦଶକୁମାର ଚରିତର ଏକ କାହାଣୀରେ କରାଯାଇଅଛି। ପ୍ରଖ୍ୟାତ ଲେଖକ ଟମାସ୍ ମ୍ୟାନ୍ ତାଙ୍କର ପ୍ରସିଦ୍ଧ ଉପନ୍ୟାସ ” ଦି ଟ୍ରାନସପୋଜିଟେଡ୍ ହେଡ୍” ଏବଂ ପ୍ରଖ୍ୟାତ ନାଟ୍ୟକାର ଗିରିଶ କର୍ଣ୍ଣଡ୍ ତାଙ୍କର “ହୟବଦନ” ନାଟକରେ ଏହି ଆଖ୍ୟାନର ଉପଯୋଗ କରିଅଛନ୍ତି । `ଦଣ୍ଡୀଙ୍କ ବିରଚିତ ଏହି ଆଖ୍ୟାନ ଅନୁସାରେ ଜଣେ ରାଜକନ୍ୟା ତାହାର ସ୍ୱାମୀ ତଥା ଜଣେ ରାଜପୁତ୍ର ଏବଂ ସ୍ୱାମୀର ବନ୍ଧୁ ତଥା ଜଣେ ମନ୍ତ୍ରୀପୁତ୍ର ସହ ଜଙ୍ଗଲକୁ ପାରିଧି ନିମନ୍ତେ ଯାଇଛି । ସେଇ ଅଗନାଅଗନି ବନସ୍ତରେ ହଠାତ୍ ଗୋଟିଏ ଡକାୟତ ଆବିର୍ଭାବ ହୋଇ ରାଜପୁତ୍ର ଏବଂ ମନ୍ତ୍ରୀପୁତ୍ରଙ୍କୁ ମୁଣ୍ଡ ଗଣ୍ଡିକୁ କାଟି ଅଲଗା କରିଦେଇଛି । ତାହାପରେ ରାଜକନ୍ୟାର ଦୁଃଖରେ ବିଗଳିତ ହୋଇ ବନଦେବୀ ସେଇଠି ସ୍ୱୟଂ ପ୍ରକଟ ହୁଅନ୍ତି ଏବଂ ରାଜକନ୍ୟାକୁ ଅଭୟ ପ୍ରଦାନ କରି କହନ୍ତି ଯେ,ଉଭୟ ରାଜପୁତ୍ର ଆଉ ମନ୍ତ୍ରୀପୁତ୍ରଙ୍କ ଗଣ୍ଡି ଆଉ ମୁଣ୍ଡକୁ ଏକାଠି ଯୋଡିଦେଇ ସେ ପାଖ କମଣ୍ଡଳୁରେ ଥିବା ପାଣିକୁ ସେମାନଙ୍କ ଉପରେ ଛିଞ୍ଚିଦେଲେ ସେମାନେ ତତକ୍ଷଣାତ୍ ଜୀବନ୍ୟାସ ଲାଭ କରିବେ । ସେହି ଭଳି ଘଟଣା ଅବଶ୍ୟ ଘଟିଥିଲା । ତାହାପରେ ରାଜପୁତ୍ର ଆଉ ମନ୍ତ୍ରୀପୁତ୍ର ବନଦେବୀ ଙ୍କ କୃପାରୁ ନବ ଜୀବନ ଲାଭ କରିଥିଲେ । କିନ୍ତୁ ସେଇଠି ଗୋଟିଏ ଗୁରୁତର ତ୍ରୁଟି ଘଟିଥିଲା । ଶୋକ ବିହ୍ୱଳ ରାଜକନ୍ୟା ଜଣକ ରାଜପୁତ୍ର ଆଉ ମନ୍ତ୍ରୀପୁତ୍ରର ମୁଣ୍ଡ ଆଉ ଗଣ୍ଡିକୁ ଯୋଡିବା ବେଳେ ସେହି ତ୍ରୁଟିଟି କରିଥିଲା । ସେତିକିବେଳେ ରାଜପୁତ୍ରର ଗଣ୍ଡି ସହିତ ମନ୍ତ୍ରୀପୁତ୍ରର ମୁଣ୍ଡ ଆଉ ମନ୍ତ୍ରୀପୁତ୍ରର ଗଣ୍ଡି ସହିତ ରାଜପୁତ୍ରର ମୁଣ୍ଡ ଭୂଲବଶତଃ ଯୋଡା ହୋଇଯାଇଥିଲା ଆଉ ଠିକ୍ ସେହି ଭଳି ଅବସ୍ଥାରେ ସେମାନେ ନୂତନ ଜନ୍ମ ଲାଭ କରିଥିଲେ । ରାଜପୁତ୍ର ର ମୁଣ୍ଡ ତଳେ ମନ୍ତ୍ରୀପୁତ୍ରର ଶରୀର ଏବଂ ମନ୍ତ୍ରୀପୁତ୍ର ମୁଣ୍ଡ ତଳେ ରାଜପୁତ୍ର ର ଶରୀର ରହିବା ଭଳି ଘଟଣାରେ ସେମିତି କିଛି ଅସୁବିଧା ନଥିଲେ ମଧ୍ୟ ଏହା କୁ ନେଇ ଗୋଟିଏ ଗୁରୁତର ପ୍ରଶ୍ନ ଉପସ୍ଥିତ ହୋଇ ଏହି ଭଳି ମୁଣ୍ଡବଦଳ କଥାର ତ୍ରୁଟି ଭାଗକୁ ସାମ୍ନାକୁ ଆଣିଥିଲା । ଏହି ଘଟଣା ଘଟିବା ସମୟରେ ରାଜକନ୍ୟା ଗର୍ଭବତୀ ଥିଲେ ଏବଂ ସେହି କାରଣରୁ ପ୍ରଶ୍ନଟି ଉଠିଥିଲା ଯେ,ଏବେ ରାଜକନ୍ୟାର ଗର୍ଭସ୍ଥ ସନ୍ତାନର ପିତା କିଏ ? ରାଜପୁତ୍ରର ମୁଣ୍ଡ ଥିବା ଶରୀର ନା ରାଜପୁତ୍ରର ଶରୀର ଧାରଣ କରିଥିବା ମନ୍ତ୍ରୀପୁତ୍ରର ମୁଣ୍ଡ ? ଯେହେତୁ ଏଇଠି ଗୋଟିଏ ଶାରିରୀକ ଘଟଣାକୁ ନେଇ ପ୍ରଶ୍ନ ଉଠିଛି ତେଣୁ ଏହି ଭଳି ଦ୍ୱନ୍ଦ୍ୱ । ମହାରାଜାଙ୍କ ଦରବାର ରେ ଏହି ପ୍ରଶ୍ନର ସମାଧାନ କରାଯାଇଥିଲା ।ଅନେକ ବିଚାର ପରେ ସ୍ଥିର କରାଯାଇଥିଲା ଯେ ମଣିଷର ମସ୍ତକ ହେଉଛି ତାହାର ଅସଲ ନିୟନ୍ତ୍ରକ, ତେଣୁ ତାହାର ଅସଲ ପରିଚୟ। ଏହା ଯେମିତି ଷୋଡଶ ଶତାବ୍ଦୀର ଫରାସୀ ଦାର୍ଶନିକ ରେନେ ଦେକାର୍ତ ଙ୍କର ସେହି ପ୍ରସିଦ୍ଧ ” ଆଇ ଥିଙ୍କ ଦେୟାରଫୋର ଆଇ ଆମ୍” ଅର୍ଥାତ ” ମୁଁ ଚିନ୍ତା କରେ ଆଉ ସେଇଥିପାଇଁ ମୁଁ ଉପସ୍ଥିତ” ଭଳି କଥା । ତେଣୁ ରାଜକନ୍ୟାର ଗର୍ଭସ୍ଥ ସନ୍ତାନର ପିତା ସେହି ଶରୀରକୁ ସ୍ଥିର କରାଯାଇଥିଲା ଯାହାର ଉପରେ ରହିଥିଲା ରାଜପୁତ୍ରର ମସ୍ତକ ।

ଏହି କାହାଣୀକୁ ଏଠାରେ କହିବାର ଉଦ୍ଦେଶ୍ୟ ହେଉଛି ହଠାତ୍ ନିଜର ମସ୍ତକ ହରାଇ ବସିଥିବା ସେଦିନ ର ସେହି କୁକୁଡାକୁ ଆମେ ମାଇକ୍ ବୋଲି ନାଆଁରେ ତାହାପରେ ଡାକିବା କେମିତି ? ମସ୍ତକ ନାହିଁ ତ ପରିଚୟ ନାହିଁ,ତାହାହେଲେ ? ଏହାର ଉତ୍ତର ଏହି ଭଳି ହୋଇପାରେ, ହଠାତ୍ ମସ୍ତକ କଟିଯାଇଥିବା ଭଳି ଘଟଣା ପଛରେ ମାଇକ୍ ର କୌଣସି ମସ୍ତକସୁଲଭ ଅବଦାନ ରହିନାହିଁ । ତାହାର ମସ୍ତକହୀନ ହେବା ଏକ ଅସ୍ୱାଭାବିକ ଘଟଣା ଆଉ ଏହି ଘଟଣାକୁ ସବୁସମୟ ପାଇଁ ଚିହ୍ନଟ କରି ରଖିବା ପାଇଁ ତାହାର ମାଇକ୍ ବୋଲି ସେହି ପୁରୁଣା କୁକୁଡା-ନାଆଁଟି ରହିବା ଆବଶ୍ୟକ ।

ଯୁକ୍ତରାଜ୍ୟ ଆମେରିକା ର କଲରାଡୋ ସହରର ଫ୍ରୁଇଟାସ୍ ଅଞ୍ଚଳର କୃଷକ ଓଲସେନର ଛୁରୀରେ ମାଇକ୍ ର ମସ୍ତକ କଟିଯାଇଥିଲା ସତ କିନ୍ତୁ ସେହିଭଳି ମସ୍ତକହୀନ ଅବସ୍ଥାରେ ମାଇକ୍ ୨୦ ଏପ୍ରିଲ୍ ୧୯୪୫ ମସିହାରୁ ୧୩ ମାର୍ଚ୍ଚ ୧୯୪୭ ପର୍ଯ୍ୟନ୍ତ ପାଖାପାଖି ଅଠରମାସ ବଞ୍ଚି ରହିଥିଲା । ମସ୍ତକହୀନ ଭାବରେ  ବଞ୍ଚିରହିବା କାରଣରୁ ମାଇକ୍ ଏଇ ସମୟ ଭିତରେ ଜାତୀୟ ଖ୍ୟାତି ଅର୍ଜନ କରିଥିଲା । ଏହି ବିଷୟର ବିବରଣୀ ପ୍ରସିଦ୍ଧ ଟାଇମସ୍ ,ଲାଇଫ୍ ଭଳି ପତ୍ରିକାରେ ପତ୍ରିକାରେ ପ୍ରକାଶିତ ହୋଇଥିଲା ଆଉ ମସ୍ତକହୀନ ଭାବରେ ଏହି ଭଳି ବଞ୍ଚି ରହିବାର ବିଶ୍ୱ ରେକର୍ଡ ପାଇଁ ମାଇକ୍ ର ନାଆଁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ ରେ ନଥିଭୂକ୍ତ ହୋଇ ରହିଅଛି ।

ଏହି ପ୍ରସଙ୍ଗର ଗୋଟିଏ ବିଜ୍ଞାନସମ୍ମତ ବ୍ୟାଖ୍ୟାନ ରହିଛି । ଓଲସେନ୍ ର ଛୁରୀ ମାଇକ୍ ର ମୁଣ୍ଡ ଟିକୁ କାଟିବା ବେଳେ ଅସାବଧାନତା ବଶତଃ ତାହାର ଜୁଗୁଲାର୍ ଭେନ୍ ଅର୍ଥାତ୍ ମସ୍ତିଷ୍କରୁ ଅମ୍ଳଜାନପରିବାହୀ ରକ୍ତକୁ ଯାହା ସଂଚାଳନ କରିଥାଏ ସେହି ପ୍ରମୁଖ ଶିରା ଅକ୍ଷୁର୍ଣ୍ଣ ରହିଥିଲା ଆଉ ତାହା ସହିତ ତାହାର ମସ୍ତିଷ୍କର କିଛି ଷ୍ଟେମ୍ ସେଲ୍ ବି ଅକ୍ଷୁର୍ଣ୍ଣ ରହିଯାଇଥିଲା । ମାଇକ୍ ତେଣୁ ମସ୍ତକହୀନ ଭାବରେ ବେଶ କିଛିଦିନ ବଞ୍ଚିରହିବାକୁ ସକ୍ଷମ ହୋଇଥିଲା ।

ମସ୍ତକହୀନ ଅବସ୍ଥାରେ ତାହାକୁ ଗୋଟିଏ ଆଖିରେ ଔଷଧ ପକାଯାଉଥିବା ଡ୍ରପରରେ ନିୟମିତ ଖାଦ୍ୟ ଦିଆଯାଉଥିଲା ।

ମାଇକ୍ ର ଏହି ଭଳି ମସ୍ତକହୀନ ଭାବରେ ବଞ୍ଚିରହିପାରିବା ଭଳି ଅଦ୍ଭୁତ ଘଟଣାକୁ ପରେ ଏକ ଉତ୍ସବ ଆକାରରେ ନିୟମିତ ପାଳନ କରାଯାଉଛି । କଲରାଡୋ ସହରର ଫ୍ରୁଇଟାସ୍ ଅଂଚଳରେ ପ୍ରତିବର୍ଷ ମଇ ମାସରେ ମାଇକ୍ ର ସ୍ମୃତିରେ ଗୋଟିଏ ଉତ୍ସବ ପାଳନ କରାଯାଏ ଆଉ ସେହି ଉତ୍ସବର ନାଆଁ ହେଉଛି
” ମାଇକ୍,ଦି ହେଡଲେସ୍ ଚିକେନ୍ ଡେ “।

ଆରମ୍ଭରେ ଉଠାଯାଇଥିବା
ପ୍ରଶ୍ନ ପୁଣି ଶେଷରେ ।

ଏଇଭଳି ଗୋଟିଏ ମସ୍ତକହୀନ କୁକୁଡାକୁ ମାନବ ଜାତିର ଇତିହାସରେ ଉପସ୍ଥାପନା କାହିଁକି ବୋଲି ପ୍ରଶ୍ନର ଉତ୍ତର ଖୋଜିବା ବେଳେ ଆମେ ଦେଖୁ ସର୍ବତ୍ର ମସ୍ତକହୀନ ମଣିଷମାନେ କାଳକାଳଧରି ନିୟମିତ ଉତ୍ସବ ପାଳନ କରିଥାନ୍ତି ଆଉ ବଞ୍ଚି ରହିବା ପାଇଁ ସ୍ୱୈରାଚାରୀ ସତ୍ତା ସେମାନଙ୍କୁ ମୁଖ୍ୟତଃ ଆଖିରେ ଔଷଧ ପକାଇବା ଭଳି ଡ୍ରପରରେ ନିୟମିତ ଖାଦ୍ୟ ଯୋଗାଣ କରିଥାଏ ।

Leave A Reply

Your email address will not be published.