Latest Odisha News

BREAKING NEWS

ମୋ ପିଲାଦିନ ଆଉ କଟକ ଦଶହରା

ସୁଷମା ପରିଜାଙ୍କ ସ୍ମୃତିରଖିଅରୁ…….

ହଜାରେ ବର୍ଷ ର ଏ କଟକ ସହର । ଉତ୍ତର ଦିଗରେ ମହାନଦୀ ଆଉ ଦକ୍ଷିଣ ଦିଗରେ କାଠଯୋଡି ର ମଧ୍ୟ ଭାଗ ରେ ଗଢି ଉଠିଥିବା ଏହି ସହରଟି ବାଉନବଜାର ଆଉ ତେପନ ଗଳି ରେ ଛନ୍ଦା ଛନ୍ଦି ହୋଇଛି । ହିନ୍ଦୁ ମୁସଲିମ୍ ଶିଖ୍ ଖ୍ରୀଷ୍ଟିଆନ୍ ସମସ୍ତଙ୍କୁ ଭାଇଚାରା ରେ ବାନ୍ଧି ରଖିଛି ଏ ସହର । ଭକ୍ତକବି ମଧୁସୂଦନ ରାଓ ତାଙ୍କ” ବର୍ଣ୍ଣବୋଧ”ରେ ଲେଖିଛନ୍ତି “ କଟକ ନଗର, ଧବଳ ଟଗର” , ଅର୍ଥାତ୍ ଫୁଲ ମାନଙ୍କ ମଧ୍ୟରେ ନଗର ଫୁଲଟି ଭଳି ସବୁଠାରୁ ଉଜ୍ବଳ ଆଉ ସୁନ୍ଦର ଆମ କଟକ ନଗର। ଭୂବନେଶ୍ବରରେ ମାମୁଁ ଘରେ ଜନ୍ମ ହେବାର ମାସକ ପର ଠାରୁ ଆମେ ଆସି ଏଇ ସହର ର ମଙ୍ଗଳାବାଗସ୍ଥିତ ମୋ’ର ମାଉସୀ ଘରେ ରହିଲୁ। ଏଇ ସହର ଧୂଳି,ମାଟି, ପାଣି,ପବନ ରେ ବଢିଛି ମୁଁ । ଶିକ୍ଷା ଦୀକ୍ଷା ଆଉ ବିବାହ ମଧ୍ୟ ହୋଇଛି ଏଇ ସହରରେ । ଆଜିକୁ ଛଅ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ମୋ’ର ବିତି ସାରିଲାଣି ଏଇ ସହରରେ। ତେଣୁ ଏଇ ସହରଟି କୁ ମୋ’ର ଜନ୍ମମାଟି କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ। ଏହା ସୌଭାଗ୍ୟ ବୋଲି ମୁଁ ମନେକରେ ।
ଆମେ ରହୁଥିଲୁ ମଙ୍ଗଳାବାଗ କ୍ଷତ୍ରିୟ ସାହିରେ ।ତାକୁ ସ୍ଥାନୀୟ ଭାଷାରେ କହନ୍ତି ଖଣ୍ଡାୟତ ସାହି। ଗଳି ଆରମ୍ଭ ରେ ଥିଲା ମୋ’ ମଉସା ଙ୍କର ପାରିବାରିକ ଶିଂଙ୍ଘ କାମ ର ଦୋକାନ ଟି। ମୁଖ୍ୟ ରାସ୍ତା ଉପରେ ତା’କୁ ଲାଗି ଆହୁରି ଚାରି ଛଅଟି ଦୋକାନ ଘର ମଧ୍ୟ ତାଙ୍କର ଭଡା ଲାଗିଥାଏ । ମୋ’ ବାବା କାମରେ ସବୁବେଳେ ବାହାରେ । ତେଣୁ ଦୋକାନ ପଛ ପଟକୁ ଲାଗି ଆମ ପାଇଁ ଚାଳଘରଟିଏ କରିଦେଇଥିଲେ ମୋ’ ମାଉସୀ ର ଶ୍ୱଶୁର ଶ୍ରୀ ଲୋକନାଥ ମହାପାତ୍ର ।ସେଇମାନେ ସବୁ ଦାୟିତ୍ଵ ନେଉଥିଲେ ଆମର।ଆମ ଘର ର ମୁଖ୍ୟ ଦ୍ୱାର ଟି ଗଳି ଆଡକୁ ଏବଂ ପଛ ପଟ ଦ୍ୱାର ଟି ଖୋଲିଲେ ମାଉସୀ ଘର। ମଝିରେ ବିରାଟ ଅଗଣା । ଅଗଣା ଭିତରେ ରାଧାମାଧବ ଙ୍କର ମଠ। ମଠ ର ଗୋଟିଏ ପଟରେ ଘର ତ ଆର ପଟଟି ତାଙ୍କର କାରଖାନା । ସେଇଠି କୁନ୍ଦରେ ତିଆରି ହୁଏ ଶିଙ୍ଘ ର ପାନିଆଁ, ବଗବଗୁଲି, ଚିଙ୍ଗୁଡି ମାଛ , ଗଛ ପତ୍ର ଇତ୍ୟାଦି ଇତ୍ୟାଦି ଅନେକ ସୌଖୀନ ଜିନିଷ। ମଉସାଙ୍କ ବାପା ଦାଦା ଦୁଇଜଣ ମୁଖ୍ୟ କାରିଗର ଆଉ ସବୁ ସାଧାରଣ କାରିଗର। ସବୁବେଳେ ହାତ ହତିଆର ରେ କାମ ଚାଲିଥାଏ।ମୁଁ ଛୋଟ ପିଲାଟିଏ ହୋଇଥିବାରୁ ବୋଉ ମୋତେ ସେପଟକୁ ଛାଡେନାହିଁ। ମାଉସୀ ର ପିଲାପିଲି ହୋଇନଥାନ୍ତି, ତେଣୁ ଦୁଇ ପରିବାର ରେ ମୁଁ ଏକା ଗେହ୍ଲା ଝିଅ। ମୋ’ର ଜେଜେବାପା, ଜେଜେମାଆ କହିଲେ ମୁଁ ସେଇମାନଙ୍କୁ ହିଁ ବୁଝେ କାରଣ ମୋ’ ବାପା ଙ୍କ ପରିବାର ରେ ନିଜର ବୋଲି ଆଉ କେହି ନଥିଲେ।

ସେତେବେଳକୁ କଟକରେ ବିଜୁଳି ଆଲୁଅ ନଥିଲା । ଗଳି ମୁଣ୍ଡରେ ଗୋଟିଏ, ମଝିରେ ଗୋଟିଏ ଆଉ ଶେଷରେ ଗୋଟିଏ କାଠ ଖୁଣ୍ଟ ଉପରେ କିରାସିନି ଲଣ୍ଠନ ଜଳେ। ସରକାରଙ୍କ ଲୋକ ଆସି ଦିନ ସରିବା ବେଳକୁ ସେଇ ଲଣ୍ଠନ ସଫାକରି କିରାସିନି ପକେଇ ଆଲୁଅ ଲଗାଇ ଦେଇ ଯିବ ଯେ ସାରା ରାତି ଦିକି ଦିକି ହୋଇ ଜଳୁଥିବ ସେଇଟି।ମଙ୍ଗଳାବାଗ ଟି କଟକର ଏକ ପ୍ରମୁଖ ସ୍ଥାନ। ଅଳ୍ପ ଦୂରରେ ମହାନଦୀ,କାଠଗୋଲା, ନଦୀ କୂଳ ରେ ସେତେବେଳର ବଡ ମେଡିକାଲ ( ଏସ୍ ସି ବି ମେଡିକାଲ କଲେଜ ଓ ହସ୍ପିଟାଲ)ଆଉ ଇଞ୍ଜିନିୟରିଂ ସ୍କୁଲ୍ । ଆମ ଘର ର ଠିକ୍ ସାମନା ରେ ପୋଷ୍ଟ ଅଫିସ୍ । ଶହେ ଫୁଟ ଦୂରରେ ମଙ୍ଗଳାବାଗ ଥାନା। ଥାନା ସାମନା ରେ ତିନିଛକି ରାସ୍ତା । ଗୋଟିଏ ମେଡିକାଲ କୁ ଆଉ ଗୋଟିଏ କଟକର ସେତେବେଳର ପ୍ରସିଦ୍ଧ କାର୍ ଦୋକାନ ହାଓଡା ମୋଟର୍ସ କୁ ଏବଂ ଅନ୍ୟ ରାସ୍ତା ଟି ଥୋରିଆ ସାହି ( ଭୂଦାନ ଅଫିସ୍) ଆଡକୁ । ସେଇ ତିନିଛକି ଉପରେ ବଡ ଚଉତରା ଟିଏ । ମଝିରେ ଅଶ୍ୱତ୍ଥ ଗଛ ।ତା’ରି ଚାରିପଟେ ଛୋଟ ଛୋଟ ଦୋକାନ ଘର ଏବଂ ମେଡିକାଲ ରାସ୍ତା କୁ ମୁହଁ କରି ଦୁର୍ଗା ଘର।ଲୋକମାନେ କୁହନ୍ତି କଟକ ସହର ର ମୁଖ୍ୟ ଦେବୀ ପୂଜା ଆରମ୍ଭ ହୋଇଥିଲା ଚାନ୍ଦିନୀଚୌକରୁ ।

ଜଣେ ବଙ୍ଗୀୟ ଜମିଦାର ପ୍ରଥମେ ଆରମ୍ଭ କରିଥିଲେ ସେଠାରେ ଦୁର୍ଗା ପୂଜା। ଦେବୀଙ୍କର ମୃଣ୍ମୟୀ ମୂର୍ତ୍ତି ତିଆରି ହୋଇ ବିଧିବଦ୍ଧ ଭାବରେ ପୂଜାର୍ଚ୍ଚନା କରିଥିଲେ କଲିକତାରୁ ଆସିଥିବା ପୂଜକ। ତା’ପରେ ଚୌଧୁରୀବଜାର ରେ ଏବଂ ତୃତୀୟ ରେ ଆରମ୍ଭ ହୋଇଥିଲା ମଙ୍ଗଳାବାଗରେ ଦୁର୍ଗା ପୂଜା ରେ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ । ସେ ସମୟରେ ଶ୍ରୀ ହାଡିବନ୍ଧୁ ଦାସ ଏବଂ ଶ୍ରୀ ପ୍ରାଣବନ୍ଧୁ ସାହୁ ଥିଲେ ସାହି ର ଆର୍ଥିକ ସ୍ୱଚ୍ଛଳ ବ୍ୟକ୍ତି । ସାହି ର ସେଇ ଦୁଇଜଣଙ୍କ ଆର୍ଥିକ ସହାୟତା ଏବଂ ଅନ୍ୟ ମୁରବୀ ମାନଙ୍କ ପରାମର୍ଶ ରେ ଆରମ୍ଭ ହୋଇଥିଲା ମଙ୍ଗଳାବାଗରେ ଦୁର୍ଗା ପୂଜା ର ବିଧାନ। ଦଶହରା ଆସିଗଲେ କେମିତି ଗୋଟାଏ ଅଦ୍ଭୁତ ଶିହରଣ ଆସିଯାଏ ସବୁ କଟକିଆଙ୍କ ମନରେ । ସତେ ଯେମିତି କଟକର ମାଟି ଶିହରିତ ହୋଇପଡେ ଶରତ ର ଆଗମନରେ। ଦଶହରା ର ବହୁ ପୂର୍ବରୁ ଆରମ୍ଭ ହୋଇଯାଏ ଘରଦ୍ବାର ସଜଡା ସଜଡି, ଝିଅଝିଆଣିଆ ବନ୍ଧୁବାନ୍ଧବଙ୍କୁ ଶଙ୍ଖୋଳା ଇତ୍ୟାଦି ଇତ୍ୟାଦି ଅନେକ ପ୍ରାକ୍ ପ୍ରସ୍ତୁତି। ରାସ୍ତା ଘାଟ ପରିଷ୍କାର ହୁଏ , ବଜାର ଘାଟ ରେ ଦୋକାନ ସବୁ ନୂଆ ନୂଆ ଭାବରେ ସଜେଇ ହୁଅନ୍ତି , ମିଠା ଦୋକାନରେ ନୂଆ ନୂଆ ପ୍ରକାରର ମିଠା ସଜେଇ ହୋଇ ରଖାଯାଏ।ଘରର ସମସ୍ତଙ୍କ ପାଇଁ ନୂଆ ଲୁଗାପଟା କିଣାକିଣି ହୁଏ। ଆମେ ପିଲାମାନେ ଅପେକ୍ଷା କରି ରହିଥାଉ ସେଇ ସମୟକୁ। ଛୋଟ ବେଳେ ଜେନାଙ୍କ ସହିତ ଦୁର୍ଗା ମଣ୍ଡପ ରେ ମୂର୍ତ୍ତି ଗଢା ଦେଖିବାକୁ ଯାଏ ସବୁଦିନେ । ଆଜି ନଡାବନ୍ଧା, ତ କାଲି ଏକଚାଟିଆ, ତା’ ପରଦିନ ଦୋ’ମାଟିଆ ହୁଅନ୍ତି ଦେବୀ ପ୍ରତିମା । ମହାଳୟା ଦିନ ଖଡି ଲାଗି ଦେବୀ ଙ୍କ ମୁଣ୍ଡରେ ।

କଟକରେ ମହାଳୟା ଅମାବାସ୍ୟା କୁ” ଖଡିଚଢା ଅମେଇସା” ବୋଲି କହନ୍ତି । ତା’ପରଦିନ ଦେବୀଙ୍କର ସାରା ଶରୀର ରେ ଖଡି ଚଢେ। ଦୁଇ ଦିନ ଯାଏଁ ଛାଡି ଦିଆ ଯାଏ। ତା’ପରେ ରଙ୍ଗ ଦିଆ ଯାଏ। ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରଙ୍ଗକାମ ଜେଜେଙ୍କ ସାଥିରେ ଦେଖୁଥାଏ ମୁଁ । ଘରେ ବୋଉଠାରୁ କମ୍ ଗାଳି ଖାଇନି ସେଥିପାଇଁ ହେଲେ ମୋ’ ଦେବୀ ଦେଖା ବନ୍ଦ ହୁଏ ନାହିଁ । ପ୍ରତିଦିନ ଯିବା କଥା, ଯାଏ କେବେ ମଉସାଙ୍କ ସାଥିରେ ତ କେବେ ଜେଜେ ଙ୍କ ସାଥିରେ। ଦେବୀଘରେ ପ୍ରତିମା ମାନଙ୍କ ଦେହରେ ରଙ୍ଗ ଲାଗେ , ତୂଳୀ ଧରି ଶିଳ୍ପୀମାନେ କୁଟିକମ କରି କେତେ ସୁନ୍ଦର କରି ଦିଅନ୍ତି ଦେବୀଙ୍କର ମୂର୍ତ୍ତି ମାନଙ୍କୁ । ବନାରସୀ ପାଟ ସହିତ ଜରିରେ ତିଆରି ଆଭୂଷଣ ସବୁ ଅଠାରେ ଲଗାନ୍ତି, ଝୋଟରେ ଦେବୀଙ୍କର କେଶ ଠାରୁ ଆରମ୍ଭ କରି ସିଂହାର କେଶରୀ, ମହିଷାସୁର ର ନିଶ ଯାଏଁ ସବୁ ତିଆରି ହୁଏ, ରଙ୍ଗ ଲାଗେ। ମା’ ଦୁର୍ଗା, ମହାଲକ୍ଷ୍ମୀ, ମହାସରସ୍ୱତୀ, ଶ୍ରୀଗଣେଶ, କାର୍ତ୍ତିକେଶ୍ବର ଏବଂ ସେମାନଙ୍କ ବାହନ ସମସ୍ତେ ଜୀବନ୍ତ ହୋଇ ଉଠନ୍ତି ଶିଳ୍ପୀମାନେ ହାତରେ। କଟକ ସହର ର ସବୁ ଦୁର୍ଗା ମୂର୍ତ୍ତିଙ୍କ ଭିତରେ ମଙ୍ଗଳାବାଗର ଦୁର୍ଗା ମୂର୍ତ୍ତି ଙ୍କର ମୁହଁ ଆଉ ମେଢ ସବୁଠାରୁ ସୁନ୍ଦର ବୋଲି ଲୋକମାନେ କୁହନ୍ତି । ମେଢ ଏପଟେ ବଡ ବଡ ତାଳମୂଳୀ ବାଜା ,ଭେରୀ, ତୂରୀ ଝାଞ୍ଜ, ଶଙ୍ଖ, ଢୋଲ,ପତାକା ସବୁ ସଜ ହେଉଥାଏ। ଗହଗହ ହୋଇ କମ୍ପୁଥାଏ ମଙ୍ଗଳାବାଗ ଛକ। ଆମ ମନରେ ଲହଡି ମାରୁଥାଏ ଦଶହରା ର ଖୁସି ।

ମୁଁ ପାଞ୍ଚ ଛଅ ବର୍ଷର ହେଲା ବେଳକୁ ବୋଧହୁଏ ବିଜୁଳି ଆଲୁଅ ଆସିଲା କଟକ ସହରକୁ। ଓଃ .. ସେତେବେଳେ କି ଆନନ୍ଦ ! ଦଶହରା ସମୟରେ ସବୁଦିନ ମୁଁ ଯାଇ ରାସ୍ତା ଉପରେ ମଉସାଙ୍କ ଦୋକାନ ରେ ବସେ । କେତେ କେତେ ନାଲି ନେଳି ସବୁଜ ହଳଦିଆ ଲିଚୁ ଲାଇଟ୍ ରେ ଝଲସି ଉଠୁଥାଏ ରାସ୍ତା ସବୁ। ରାତି ଟା ଦିନ ଭଳିଆ ଲାଗେ। ଗାଡି ଘୋଡା ବେଶୀ ନଥାଏ ରାସ୍ତା ରେ। ଦୂରଦୂରାନ୍ତରୁ କଟକ ଦଶହରା ଦେଖିବାକୁ ଆସିଥିବା ଲୋକମାନେ ଦଳ ଦଳ ହୋଇ ଧାଡିବାନ୍ଧି ଚାଲିଥାନ୍ତି ରାସ୍ତା ଉପରେ । କାଳେ କିଏ ହଜିଯିବ ସେଥିପାଇଁ ସବାଆଗରେ ବଡ ମଣିଷ ଜଣେ ଚାଲିଥାଏ କାନ୍ଧ ଉପରେ ଛୁଆ ଟିଏ ବସାଇ , ତା’ ପଛକୁ ତା’ପଛ ତିରିଲା ମାନେ, ଟିକିଏ ଠେକ ହୋଇଥିବା ପିଲାମାନେ ଚାଲିଥାନ୍ତି ପରସ୍ପରର ଅଣ୍ଟା କୁ ଧରି ଧରି , ସବା ଶେଷ କୁ ପୁଣି ବଡ ମଣିଷ ଟିଏ ଜଗୁଆଳି ହୋଇ ଚାଲିଥାଏ । ଖୁବ୍ ମଜା ଲାଗେ ଆମକୁ ସେସବୁ ଦେଖି । ମଝିରେ ମଝିରେ ରାଣୀହାଟ ଗୋପାଳସାହିର ର ପେଡା ବାଲା ରବି ବେହେରା ଚାଲି ଚାଲି ଶିକାରେ ଡେକଚି ଭିତରେ ପେଡା ଧରି ଆସେ ବିକ୍ରି କରିବା ପାଇଁ । ଜେଜେ ପାଞ୍ଚ ଟଙ୍କାର ପେଡା କିଣନ୍ତି ସାରା ପରିବାର ପାଇଁ । ମତେ ବି ଭାଗ ମିଳେ ସେଥିରୁ । ଖାଣ୍ଟି ଖୁଆ ରେ ତିଆରି ପେଡା, ଖୁବ୍ ସୁସ୍ୱାଦୁ, ଆଜି ମଧ୍ୟ ତା’ର ସ୍ୱାଦ କୁ ଝୁରି ହୁଏ ମୁଁ ।

ଷଷ୍ଠୀ ଦିନ ଭୋର୍ ରୁ ବେଲବରଣୀ ପାଇଁ ଶୋଭାଯାତ୍ରା ବାହାରେ ଖୁବ୍ ଯାକଯମକ ରେ। ସହକାରୀ ଭିତରେ କଦଳୀଗଛ ବୋହୁ ଭଳି ଓଢଣା ଟାଣି ବସିଥାଏ। ଆମେ କହୁ “ ଦେଖରେ , ଶାଶୁ ଆସିଗଲା, ଏବେ ଚକ୍ଷୁଦାନ ହେବ “। ବୋଉ ମାଉସୀ ମିଶି ପୂର୍ବ ଦିନଠାରୁ ଢାଉ ରଙ୍ଗ ଦେଇ ଘର କାନ୍ଥରେ ଚିତ୍ର କରିଥାନ୍ତି, ହଜରା ( ହରଗୌରା)ଫୁଲ କୁ ବାଟି ସମସ୍ତଙ୍କ ହାତ ପଚାଇ ଥାଆନ୍ତି।ଜେଜେମା’ କହେ ଖାଲି କାନ୍ଥ ଆଉ ଖାଲି ହାତରେ ଦେବୀଙ୍କର ଦୃଷ୍ଟି ପଡିଲେ ପରିବାର ର ଅମଙ୍ଗଳ ହୁଏ। ସପ୍ତମୀ ଦିନ ଠାରୁ ଘରେ କୁଣିଆମୈତ୍ର ଙ୍କ ଗହଳି। ଭଲ ଭଲ ଜିନିଷ ରନ୍ଧାବଢା ଖିଆପିଆ ରେ ଦିନ କୁଆଡେ ସରିଯାଏ।ଅଷ୍ଟମୀ ଦିନ ଆମ ଘର ମାନଙ୍କରେ ” ଖଣ୍ଡାପୂଜା “ ହୁଏ । ଘରଦ୍ବାର ଧୂଆପୋଛା ହୋଇ ଅସ୍ତ୍ର ଶସ୍ତ୍ର ର ସଜ ବସେ । ପରିବାର ର ମୁଖ୍ୟ ପୂଜାର୍ଚ୍ଚନା ରେ ବସନ୍ତି ।ମହିଳା ମାନେ ଅଷ୍ଟମୀ ଉପବାସ ରଖି ବ୍ରତ କରନ୍ତି । କୁଷ୍ମାଣ୍ଡ ବଳୀ ପଡେ। ତା’ପରେ ଆମିଷ ରନ୍ଧା ହୁଏ । ଘରେ ବାହାରେ ଭୋଗଲାଗି ହୋଇ ପରିବାର ର ସମସ୍ତେ ଏକାଠି ବସି ଖାଆନ୍ତି। ଦଶହରା ଷଷ୍ଠୀ ଦିନଠାରୁ ବାବାଙ୍କର ଛୁଟି ହୁଏ। ବାବା ଘରେ ରହିଲେ ଆମର ମଜା। ବାବାଙ୍କ ଜିପ୍ ରେ ଆମେ ପ୍ରତି ରାତିରେ ବଜାର ଭିତରେ ଦେବୀ ଦେଖିବାକୁ ଯାଉ। କୋଉ କୋଉ ଗଳି କାନ୍ଦି ଭିତର ଦେଇ ବାବା ଆମକୁ ସାରା କଟକ ସହର ବୁଲେଇ ଆଣନ୍ତି । ସେତେବେଳେ ଅଳ୍ପ ସଂଖ୍ୟକ ଦେବୀ ମୂର୍ତ୍ତି ଏବଂ ବହୁ ସଂଖ୍ୟକ ମହାଦେବଙ୍କ ମୂର୍ତ୍ତି ହେଉଥିଲେ।

ହେଲେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ଚୌଧୁରୀ ବଜାରର ଚାନ୍ଦିମେଢ, ଚାନ୍ଦିନୀଚୌକ ର ରାଜାଘର ମେଢ ର ସୁନା ଗହଣା, ଥୋରିଆ ସାହି ର ହାତ ଗୋଡ ହଲାଇ ପାଟି ପାକୁ ପାକୁ କରୁଥିବା ଦଶମୁଣ୍ଡ , କୋଡିଏହାତ ଯୁକ୍ତ ଦାଢିଆ ରାବଣ କଣ୍ଢେଇ, ପିଠାପୁରର କାଳୀୟଦଳନ ମୂର୍ତ୍ତି ଆଉ ମାଛୁଆବଜାରର ସର୍ପାକୃତି ଦୁର୍ଗା।ଆମ ପିଲାମାନଙ୍କର ମୁଖ୍ୟ ଆକର୍ଷଣ ଥିଲା ଜେଲ୍ ରୋଡ ( ଦରଘାବଜାର) ର କଣ୍ଢେଇ କୁଞ୍ଜ। କୁଞ୍ଜ ମାନେ ଗୋଟିଏ ଝାଟି ମାଟିର ଛୋଟ ଚାଳିଆ ଟିଏ ତିଆରି ହୋଇଥିବ। ସେଥିରେ ବସିଥିବେ ବିଭିନ୍ନ ପ୍ରକାର କାମ କରୁଥିବା କଣ୍ଢେଇ ମାନେ । କୋଉଠି କଣ୍ଢେଇଟିଏ ଢିଙ୍କି ରେ ଧାନ କୁଟୁଥିବ ତ , କୋଉଠି କୁଲାରେ ଚାଉଳ ପାଛୁଡୁ ଥିବ, କେଉଁଠି ଜାଲ ପକାଇ ମାଛ ଧରୁଥିବ ତ ,କେଉଁଠି କୁମ୍ଭାର ଟିଏ ହାଣ୍ଡି ଗଢୁଥିବ, କୋଉଠି ବଢେଇ କରତଟିଏ ଧରି କାଠ କାଟୁଥିବ, କୋଉଠି ଚୁଲ୍ଲୀ ରେ ରୋଷେଇ କରୁ କରୁ ସ୍ତ୍ରୀ ଲୋକଟି ଫୁଙ୍କନଳା ଧରି ଫୁଙ୍କୁଥିବ । ସମସ୍ତଙ୍କ ପଛପଟକୁ ଥିବ ଧଳା ପରଦାଟିଏ। ବଡ ହେଲା ପରେ ଜାଣିଲି ଯେ ସେଇ ପରଦା ପଛରେ ବସିଥିବା କଣ୍ଢେଇବାଲା ଟି ହାତରେ ଥାଏ ସବୁ କଣ୍ଢେଇ ମାନଙ୍କରେ ଲାଗିଥିବା ସୁର ସୁର ସୁତୁଲି, ଯାହାକୁ ଧରି ଟାଣି ଟାଣି ନିଜ ଇଚ୍ଛା ମୁତାବକ ସମସ୍ତଙ୍କୁ ନଚାଉଥାଏ ସେ। ଆଜିକାଲି ଆଉ ସେମିତି କଣ୍ଢେଇ କୁଞ୍ଜ କାହିଁ କେଉଁଠି ଦେଖିବାକୁ ମିଳୁନାହିଁ । ସବୁ ବୁଲାବୁଲି ସାରି ଆମେ ଯାଉ କଟକର ଅଧିଷ୍ଟାତ୍ରୀ ଦେବୀ କଟକଚଣ୍ଡୀ ଆଉ ବାରବାଟୀ ଦୁର୍ଗ ଭିତରେ ଥିବା ଗଡଚଣ୍ଡୀ ମନ୍ଦିର । ଖୁବ୍ ସୁନ୍ଦର ବେଶଭୂଷା ହୋଇ ଷୋହଳପୂଜା ଚାଲିଥାଏ ସେଠାରେ। ଅଷ୍ଟମୀ ଆଉ ନବମୀର ସନ୍ଧି ସମୟରେ ସନ୍ଧି ପୂଜା ହୁଏ ,ସେତେବେଳେ ପଶୁ ବଳି ପଡୁଥିଲା । ଦଶମୀ ଦିନ ଘରେ ମଣ୍ଡା ପିଠା ହୋଇ ପୂଜା ହୁଏ। ଦଶମୀ ଦିନ ମଙ୍ଗଳାବାଗ ଛକରେ ରାବଣପୋଡି ଉତ୍ସବ । ଛକ ଉପରେ ଥିବା ବଡ ବରଗଛ ମୂଳେ ବାଣ ଦେଇ ତିଆରି ହୋଇଥାଏ ବିରାଟ ରାବଣେ ମୂର୍ତ୍ତି। ନନା ପୂଜା ସାରିଲା ପରେସାହି ମୁରବୀ ଶ୍ରୀ ହାଡିବନ୍ଧୁ ଦାସ ଧନୁରେ ନିଆଁ ତୀର ଯୋଖି ମାରନ୍ତି ରାବଣେ ର ଛାତିକୁ । ଢୋ… ଢା.. ହୋଇ ବାମ ଫୁଟି ହାଲୋର ଦିଶେ ଖଣ୍ଡମଣ୍ଡଳ। ଲଡୁ ଭୋଗ ବଣ୍ଟା ହୁଏ ସମସ୍ତଙ୍କୁ । ଆମେ ପିଲାମାନେ ଦୂରରେ ରହି ତାଳି ମାରୁ। ଭାରି ମଜା ଲାଗେ।

ତା’ପରଦିନ ଭସାଣି ଯାତ୍ରା । ଅସଲରେ କଟକ ଦଶହରାର ମଜା ସେଇଦିନ ମିଳେ । ହାରାହାରି ଶହେଟି ମେଢ ଧାଡି ଧାଡି ହୋଇ ଶୋଭାଯାତ୍ରା କରି ରାସ୍ତାରେ ଯିବେ। ସବୁ ମେଢକୁ କାନ୍ଧେଇଥିବେ କାନ୍ଧିଆ ମାନେ , ମେଢ ଆଗରେ ମଠା ର ଧୋତି ପଞ୍ଜାବୀ ପିନ୍ଧା ସାହି ମୁରବୀ ବେକରେ ଫୁଲମାଳ ପକାଇ ଚାଲିଥିବେ, କାନ୍ଧରେ ଥିବ ପାକଲା ଗାମୁଛା , ପାଦରେ କଠଉ, ହାତରେ ହାତୀଦାନ୍ତ ଗୋବଦିଆ ବଙ୍କୁଲି ବାଡି ଧରିଥିବେ , ମୁହଁ ରେ ଥିବ ବିଜୟୀ ର ହସ, ପାନଖିଆ ଦାନ୍ତ ସ୍ପଷ୍ଟ ଦିଶୁଥିବ ବାହାରକୁ । ପେଟ୍ରୋମାକ୍ସ ଆଉ ଛତ୍ର ଧରି ଚାଲିଥିବେ ମୂଲିଆ ସବୁ, ଚକ୍ରି ବନାଟି, ନିଆଁ ବନାଟି ବୁଲାଉଥିବେ ଆଖଡା ର ପହିଲିମାନ ମାନେ , ତାଳମୂଳି ବାଜାର ତାଳେ ତାଳେ ନାଚୁଥିବ ବାଘ ବେଶଧାରୀ ମଣିଷ ଅବା ଷଣ୍ଢ ମୁଖା ଧାରୀ ମଣିଷ ନହେଲେ ନାଗା ବେଶଧାରୀ ମଣିଷଟିଏ। ବ୍ୟାଣ୍ଡପାର୍ଟି ବାଜାଦଳ ଭିତରେ ଅଣ୍ଟା ହଲେଇ ଅଙ୍ଗଭଙ୍ଗୀ କରି ନାଚୁଥିବ ନାଚୁଣୀ କିନ୍ନର । ସେମାନଙ୍କ ପଛରେ ଥିବେ ଟୋକାଦଳ, ମସ୍ତ ହୋଇ ନାଚୁଥିବେ କୋଉଠି କୋଉଠି ରହି ମହତାବ( ବାଣ) ମାରି ମେଢରେ ମୁହଁକୁ ଦେଖାଉଥିବେ। ସବୁ ଗଳିମୁଣ୍ଡ ରେ ସେହିଠାରେ ଯାକଯମକ ଲୋକ ଗଦା ହୋଇଥିବି ମେଢ ଦେଖିବାକୁ । ଆମ ପିଲାମାନଙ୍କୁ ସେଦିନ ଦଶହରା ଖର୍ଚ୍ଚ ମିଳେ ବଡ ମାନଙ୍କ ଠାରୁ।

ରାସ୍ତା କଡ଼ରେ ଠିଆ ହୋଇଥିବା ଆଇସ୍ କ୍ରିମ୍ ବାଲା, ବମ୍ବେଇ ମିଠେଇ ବାଲା ଆଉ ବେଲୁନ୍ ବାଲା ପାଖରେ ସେ ପଇସା ଖର୍ଚ୍ଚ କରୁ କରୁ ଆମେ ମେଢ ଦେଖୁ। ରାସ୍ତା କଡ଼ରେ ଥିବା କୋଠା ଘର ମାନଙ୍କ ଉପରେ ବସି ବସି ଝିଅ ବୋହୂମାନେ ମେଢ ଦେଖନ୍ତି । ରାତି ସାରା ଚାଲିଥାଏ ଏମିତି ଶୋଭାଯାତ୍ରା । କଟକର ସବୁ ମେଢ ମଙ୍ଗଳାବାଗ ଦେଇ ଶୋଭାଯାତ୍ରା ରେ ଯାଆନ୍ତି ଚାନ୍ଦିନୀଚୌକର ରାଜାର ମେଢ ପାଖକୁ । ସିଏ କାଳେ ସମସ୍ତଙ୍କ ବଡ ଭଉଣୀ । ସେଇଠି ଦେବୀ ମେଳନ ହୁଏ । ସବୁ ସାହି ର ମୁରବୀଙ୍କୁ ସେଇଠି ସମ୍ମାନୀତ କରାଯାଏ । ତା’ପରେ ଆଗ ବଡ ଭଉଣୀ ଶୋଭାଯାତ୍ରା କରି ଗଡନ୍ତି କାଠଯୋଡି କୂଳ ର ବିସର୍ଜନ ସ୍ଥଳ ଦେବୀ ଗଡା କୁ। ପଛେ ପଛେ ଆଉ ସମସ୍ତେ ଗଡନ୍ତି । ବହୁ ଦୋକାନ ବଜାର ବସିଥାଏ ଦେବୀ ଗଡା ରେ ବାଲି ଉପରେ।କୁଲା, ଡାଲା , ବଢିଣା , ଛାଞ୍ଚୁଣୀଠାରୁ ଆରମ୍ଭ କରି ଖେଳନା ଓ ରହିବାର ଆଳୁଦମ୍ ଯାଏ। ପ୍ରାୟ ସପ୍ତାହରେ ଧରି ରହେ ସେ ଦୋକାନବଜାର। ଆଜି ଯୁଗ ବଦଳିଛି, ଦଶହରା ର ଚାକଚକ୍ୟ ବଦଳିଛି ହେଲେ ସେଦିନର ଦଶହରା ର ମହକ ଆଜି ଆଉ ନାହିଁ । ଆଜି ଉତ୍ତର ବୟସରେ ମଧ୍ୟ ମନ ମୋର ଝୁରିହୁଏ ସେଇ ପିଲାଦିନେ ଦେଖିଥିବା କଟକ ଦଶହରା କୁ। ଜୟ ମା ‘ ଦୁର୍ଗା ।

ଶାରଳା ଭବନ ପୋତାପୋଖରୀ କଟକ

Leave A Reply

Your email address will not be published.