Latest Odisha News

BREAKING NEWS

କବିତା ହେଉଛି ସାହିତ୍ୟର ଆଦ୍ୟ ସୃଜନ : ପିନାକୀ ମିଶ୍ର

ଓଡ଼ିଆ ସାହିତ୍ୟର ଏକ ସଶ୍ରଦ୍ଧ ଉଚ୍ଚାରଣ ପିନାକୀ ମିଶ୍ର । ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ ରଚିତ କବିତାର ଶବ୍ଦବିନ୍ୟାସ ଏବଂ ନିଖୁଣ ଉପସ୍ଥାପନା ତାଙ୍କ ସମାଲୋଚକଙ୍କୁ ମଧ୍ୟ ବାଧ୍ୟ କରିଦିଏ ତାଙ୍କ ପ୍ରଶଂସା କରିବା ପାଇଁ ।

କାଲିର ସକାଳ, ସୂର୍ଯ୍ୟସନ୍ଧି, ଶବ୍ଦବିଜ , ବିଭାବରୀ , ପଦ୍ମରାଗ ପ୍ରଭୃତି କବିତା ସଙ୍କଳନ ସହିତ ଆହୁରି ଅନେକ କବିତା ଏବଂ ପ୍ରବନ୍ଧର ସେ ସ୍ରଷ୍ଟା। ଏହା ସହ ଆକାଶବାଣୀ କେନ୍ଦ୍ରର ସେ ଜଣେ ସ୍ଵୀକୃତିପ୍ରାପ୍ତ ଗୀତିକାର । ସାହିତ୍ୟ ସର୍ଜନା ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ।

କବି ପିନାକୀ ମିଶ୍ରଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ଆଳାପ

 

 

୧. କବିତା ଜୀବନର ଆରମ୍ଭ କେମିତି ହେଲା କୁହନ୍ତୁ ?

ପଞ୍ଚମ ଶ୍ରେଣୀରୁ ପାଠ୍ୟ ପୁସ୍ତକର ପଦ୍ୟ ସବୁ ମନକୁ ଭାରି ଟାଣିଲା । ଗାଉ ଗାଉ ମନେ ବି ରହିଲା। ପୃଥିବୀ ପ୍ରତି, କାଳିଜାଇରେ ସନ୍ଧ୍ୟା, ଦୁଃଖିଧନ ନିଲମଣିରେ , ପଦ୍ମ , ମହିମା, ଦେଲୁ ମତେ ମହାଶିକ୍ଷା, ଗାନ୍ଧାରୀର ଆଶୀର୍ବାଦ , ଶେଫାଳି ପ୍ରତି ଇତ୍ୟାଦି କବିତା ଗଭୀର ଭାବରେ ମନକୁ ଛୁଇଁଲା। ଖରା ଛୁଟିରେ ସେସବୁକୁ ମୁଁ ଛାତ ଉପରେ ବସି ବଡ଼ ପାଟିରେ ଗାଏ। ୧୯୮୬ ମସିହା ଗୋପବନ୍ଧୁ ଜୟନ୍ତୀରେ ମୋ ରଚିତ କବିତାଟିଏ ଆବୃତ୍ତି କଲି। ଧୀରେ ଧୀରେ କଲେକ, ପ୍ରାଚୀପତ୍ର ‘ସମ୍ବିତ’ରେ ପ୍ରକାଶ ପାଇଲା । ବିଜ୍ଞାନ ଛାତ୍ର ଭାବରେ ମୋ ସାଙ୍ଗମାନେ ଖୁସି ହେଲେ। ତା’ପରକୁ ପ୍ରଜାତନ୍ତ୍ର , ଅମୃତାୟନ ଆଦି ପତ୍ର ପତ୍ରିକାରେ ମୋ କବିତା ପ୍ରକାଶ ପାଇଲା। ମୋ କବିପ୍ରାଣ ବାଟ ଖୋଜିଲା।

୨. ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା ଆପଣଙ୍କୁ କିପରି ଭାବରେ ଅନୁପ୍ରାଣିତ କରିଥିଲା ?

ମୋର ପ୍ରଥମ କବିତାଟି ‘ଓଡ଼ିଆ ମଥାମଣି ‘ଶୀର୍ଷକରେ ୧୯୮୬ରେ ଉଦାରବାଦୀ କବି ଗୋପବନ୍ଧୁଙ୍କ ଉପରେ ରଚିତ। ମୁଁ କବିତାର ଛଳଛଳ ଛନ୍ଦାୟିତ , ହୃଦୟର କଇଁଫୁଟା ଶବ୍ଦକୁ ଶୁଣି ପାରିଲି।

୩. ଆପଣଙ୍କ ବାପା କବି ମଦନ ମୋହନ ମିଶ୍ରଙ୍କର ପ୍ରଭାବ ଆପଣଙ୍କ ସାହିତ୍ୟିକ ଜୀବନରେ କିପରି ଭାବରେ ପଡିଥିଲା ?

ମତେ ତିରିଶ ବର୍ଷ ହେବା ପରେ ମୁଁ ବାପାଙ୍କ କବିତା ଆଡ଼କୁ ମୁହାଁଇଲି। ବାପା ମଦନ ମୋହନ ମିଶ୍ର ଜଣେ ପ୍ରଥିତଯଶା କବି। ତାଙ୍କ କବିତାର ଅପୂର୍ବ ଛନ୍ଦ, ଲାଳିତ୍ୟ, ରସାଳ ଚିତ୍ରକଳ୍ପ ମତେ ଆହୁରି ପରିପୁଷ୍ଟ କଲା। ମୁଁ ଯେମିତି କସ୍ତୁରୀର ଅନ୍ୱେଷଣ କରିପାରିଲି। କବିତା ମୋର ଆତ୍ମା ସଦୃଶ୍ୟ ହୋଇଗଲା।

୪. ଆପଣଙ୍କ କବିତାର ଅନ୍ତଃସ୍ବର କଣ ?

କବିତା କ୍ଳାନ୍ତ ମଣିଷକୁ ଆଉଁସି ଦେଉ। ସମ୍ବେଦନାର ସୋରିଷ ବୁଣିଦେଉ। କବିତାର ଚଇତାଳି ସମସ୍ତଙ୍କ ହୃଦୟରେ ବହୁଥାଉ।

୫. ଏତେ ବର୍ଷର ସାହିତ୍ୟ ସାଧନା ଭିତରେ ଆପଣଙ୍କ ଇପ୍ସିତ ସୃଷ୍ଟିକୁ ରୂପ ଦେଇ ପାରିଛନ୍ତି କି ?

ମୋର କବିତା ଖୋଜା ଚାଲିଛି , ଚାଲିଥିବ। କବିତା ଆପେ ଆପେ ଆସେ। କେତେ ବେଳେ କେଉଁ ରୂପ ନେବ ତାହା ନିର୍ଦ୍ଧିଷ୍ଟ ନୁହେଁ। ସେ ତା ବାଟ ଖୋଜିବ, ତା ବାଗରେ ଚାଲିବ। ସମସ୍ତେ ଉଦାରମାନବ ବାଦର ସରଳ ସଂପ୍ରୀତିରେ ଜୀବନ ଜୀଅଁନ୍ତୁ। ମୋ କବିତାର ମର୍ମ ଏତିକି।

୬. ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟମ କେତେ ମାତ୍ରାରେ ସହାୟକ ହୋଇଛି ?

ପ୍ରେରଣାଦାୟକ ସାଜିଛି । ଓଡ଼ିଆ ସାହିତ୍ୟ, ରାଷ୍ଟ୍ରର ବହୁଭାଷୀ ସାହିତ୍ୟ, ବିଶ୍ୱ ସାହିତ୍ୟକୁ ଆମେ ପାଇ ପାରୁଛୁ।

୭. ପୁରସ୍କାର ଓ ପରିଚିତି ଜଣେ ସାହିତ୍ୟିକଙ୍କୁ କିପରି ପ୍ରୋତ୍ସାହିତ କରେ ?

ପ୍ରତିଭା ସବୁବେଳେ ବିଭୁଦତ୍ତ। ନିଜର ବୋଲି ଦାବି କରିବାକୁ ଚାହୁଁନି। ପୁରସ୍କାର ଓ ପରିଚିତି ପରିଶ୍ରମର ଫଳ ; ଯାହା ଆଗକୁ ବଢ଼ାଏ । ହେଲେ ସୁଜନଶୀଳତା କମିଯିବ ବୋଲି ମୋ ମନରେ ଆଶଙ୍କା ସୃଷ୍ଟି ହୁଏ। ପାଠକର ଶ୍ରଦ୍ଧା ଓ ସମ୍ମାନ ପ୍ରେରଣା ଦିଏ।

୮. ଓଡ଼ିଆ ସାହିତ୍ୟରେ କବିତାର ପ୍ରଭାବ କେମିତି ?

ସାହିତ୍ୟର ଆଦ୍ୟ ପ୍ରାଣ କବିତା ଯାହାକି ପରିପ୍ରକାଶର ଏକ କୋମଳ ତଥା ଲଳିତ ପନ୍ଥା । କାବ୍ୟ କବିତା ପାଇଁ ସାହିତ୍ୟର ସିନ୍ଦୁକ ପୁରି ଉଠିଛି ବୋଲି କହିବି। କବିତା ଜୀବନକୁ ଆଲୋକିତ କରେ। କବିତା ସାହିତ୍ୟର ମଥାମଣି ସଦୃଶ୍ୟ।

୯. ସମ୍ପ୍ରତି ସାହିତ୍ୟରେ କାବ୍ୟଗ୍ରନ୍ଥ କେବଳ ଆଲୋଚନାର ବିଷୟ ହୋଇ ରହି ଯାଉଛି। ଏହି ବିଷୟରେ କ’ଣ କହିବେ।

କର୍ମଶାଳା ହେଉ, ଆଲମାରୀରେ ସାଇତା ନରହି ତା’ର ବ୍ୟାପକତା ଖେଳିଯାଉ। ତପସ୍ୱିନୀ, ଚିଲିକା ପରି କାବ୍ୟ ସବୁ ଧୀରେ ଧୀରେ ଦୂରେଇ ଯାଉଛି ମାନସପଟରୁ।ନବଯୁଗର ଛାତ୍ରମାନେ ଗ୍ରନ୍ଥର ଗହୀରତାକୁ ଯାଇ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରନ୍ତୁ।

୧୦ ସାହିତ୍ୟକୁ ନେଇ ଆପଣଙ୍କ ଭବିଷ୍ୟତ ଯୋଜନା କ’ଣ ?

ଓଡ଼ିଆ ସାହିତ୍ୟ ସଙ୍କଟରେ। ପିଲାମାନେ ଇଂରାଜୀ ମିଡ଼ିୟମରେ ପଢନ୍ତୁ ମନା ନାହିଁ। କିନ୍ତୁ ଘରେ ବାପା, ମା ଓଡ଼ିଆ କହିବା , ଲେଖିବା ଓ ପଢ଼ିବା ଉପରେ ଗୁରୁତ୍ୱ ଦିଅନ୍ତୁ। ଛବିଳ ମଧୁ ବର୍ଣ୍ଣବୋଧ ପାଠ୍ୟକ୍ରମକୁ ପୂର୍ବପରି ଫେରିଆସୁ। ତାର ବିକଳ୍ପ ନାହିଁ। ସାହିତ୍ୟ ସମ୍ବେଦନଶୀଳ ହେଉ , ବିଜ୍ଞାନଧର୍ମୀ ବି ହେଉ।

Leave A Reply

Your email address will not be published.