ସାହିତ୍ୟରେ ପ୍ରତ୍ୟେକ ଅନୁବାଦ ଏକ ଅନୁସୃଜନ : ପ୍ରଦୀପ କୁମାର ରାୟ

ପୃଥିବୀର ପ୍ରାୟ ସବୁ ଭାଷାର ସାହିତ୍ୟ ଅଛି । କିନ୍ତୁ ସବୁ ଭାଷାର ସାହିତ୍ୟକୁ ପଢିବା ସମ୍ଭବ ନୁହେଁ । ଅନ୍ୟ ଭାଷାର ସାହିତ୍ୟ ଜାଣିବାକୁ ହେଲେ , ନିଜ ଭାଷାରେ ତାର ଅନୁବାଦ ଆବଶ୍ୟକ । କିନ୍ତୁ ଅନୁବାଦ ଏତେ ସହଜ ନୁହେଁ । ମୂଳ ସାହିତ୍ୟ ସହ ସମନ୍ୱୟ ରଖି ଆଉ ଗୋଟିଏ ଭାଷାରେ ତାକୁ ରୂପ ଦେବା ଖୁବ କଷ୍ଟସାଧ୍ୟ । ସେଥିପାଇଁ ଅନୁବାଦକଙ୍କ ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ । ସେହି ଗୁରୁତ୍ୱ ପୂର୍ଣ୍ଣ ଭୂମିକାକୁ ଖୁବ ସୁନ୍ଦର ଭାବରେ ନିର୍ବାହ  କରୁଛନ୍ତି ପ୍ରଦୀପ କୁମାର ରାୟ  । ଭାଷା ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସେ ଖୁବ ଚେଷ୍ଟିତ ।

କାରା କାହାଣୀ , ପ୍ରାଣତରଙ୍ଗ , ପ୍ରତିବେଶୀଙ୍କ ପ୍ରେମ ଗଳ୍ପ , ସାର ବାସୁଦେବ ସୁଢଳଦେବ , ପ୍ରେମ ଓ ମୃତ୍ୟୁର କବିତା, ସହିଷ୍ଣୁ ପାଷାଣ , ସମାଜତନ୍ତ୍ରର ସଙ୍କଟ ବିଶ୍ଵସଙ୍କଟ, ଯାହାର ଯାହା ହଜିଯାଇଛି , ବିଚାରୀ ଏରେନଦିରା ଓ ତାର ନିର୍ଦ୍ଦୟ ଜେଜୀମାଙ୍କ ଅବିଶ୍ବାସ୍ୟ କରୁଣ କାହାଣୀ , ଖଣ୍ଡିତା , ଶ୍ରୀଜଗନ୍ନାଥ , ଜୀବନର ଝର କଲମ , ଇତିବୃତ୍ତେ ଚଣ୍ଡାଳ ଜୀବନ , ରୂପକଥାର ରାଜକନ୍ୟାମାନେ , ଗାବ୍ରିୟେଲ ଗାର୍ସିଆ ମାର୍କ୍ବେଜ ଗଳ୍ପ ସମଗ୍ର,ନିସଂଗତାର ଏକଶହ ବର୍ଷ ଓ ନିର୍ବାଚିତ ୫୦ ଆଦି ତାଙ୍କର ଅନବଦ୍ୟ ଅନୁଦିତ ପୁସ୍ତକ ।

ନିଜର ଅକୁଣ୍ଠ ସାହିତ୍ୟ ସାଧନା ପାଇଁ ସାଗରିକା ଫିଚର ସମ୍ମାନ , ଝଙ୍କାର ଅନୁବାଦ ପୁରସ୍କାର , ତୀରତରଙ୍ଗ ଅନୁବାଦ ପୁରସ୍କାର, ବଉଦ କଲ୍ଚରାଲ ଏକାଡେମୀ ପୁରସ୍କାର, ରାଜଧାନୀ ପୁସ୍ତକ ମେଳା ପୁରସ୍କାର ସହିତ ଆହୁରି ଅନେକ ସାହିତ୍ୟିକ ଅନୁଷ୍ଠାନ ଦ୍ୱାରା ସେ ସମ୍ମାନିତ ଓ ସମ୍ବର୍ଦ୍ଧିତ ।

ଅନୁବାଦ ସାହିତ୍ୟର କାଳଜୟୀ ସ୍ରଷ୍ଟା ପ୍ରଦୀପ କୁମାର ରାୟଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ ।

୧. ଅନୁବାଦ ଓ ଅନୁସୃଜନ ଭିତରେ କି ପାର୍ଥକ୍ୟ ଅଛି ବୋଲି ଆପଣ ମନେ କରନ୍ତି ?

ଉତ୍ତର : ଶ୍ରୀକୃଷ୍ଣଙ୍କର ମା କିଏ ? ଦେବକୀ ତ! ଯଶୋଦା କ’ଣ ଶ୍ରୀକୃଷ୍ଣଙ୍କ ମା ନୁହଁନ୍ତି ? ସାହିତ୍ୟର ଅନୁବାଦ ଖବର ବା କୈାଣସି ସାହିତ୍ୟର ଅନୁବାଦ ସମାନ ନୁହେଁ । ସାହିତ୍ୟରେ ପ୍ରତ୍ୟେକ ଅନୁବାଦ ଏକ ଅନୁସୃଜନ। ଦେବକୀ ନନ୍ଦନଙ୍କୁ ଅନ୍ତରର ସବୁ ସ୍ନେହ ଦେଇ ପାଳିଥିବାରୁ ତ ଯଶୋଦାଙ୍କ ମମତାମୟୀ ମାତୃ ରୂପର ବନ୍ଦନା କରାଯାଏ। ମୂଳ ସୃଷ୍ଟି ଦେବକୀ ନନ୍ଦନ ହେଲେ ଅନୁଦିତ ସୃଷ୍ଟି ଯଶୋଦା ନନ୍ଦନ ।

୨. ଅନୁବାଦ କରିବା ପଛରେ ଆପଣଙ୍କର କେଉଁ ଆଭିମୁଖ୍ୟ ଥାଏ ?

ଉତ୍ତର : ମୁଁ ଆଜି ପର୍ଯ୍ୟନ୍ତ ଯାହା ବି ଅନୁବାଦ କରିଛି , ପ୍ରଥମେ ସେହି ଲେଖା ଗଭୀର ଭାବରେ ମୋତେ ଜାବୁଡ଼ି ଧରିଛି ବୋଲି ତ ସେସବୁକୁ ମୁଁ ଅନୁବାଦ କରିଛି। ଯେତେବେଳେ କୈାଣସି ଲେଖା ମୋର ଅନ୍ତରକୁ ଛୁଇଁଛି , ସେହି ଲେଖାର ଅନୁବାଦ କରି ମୁଁ ଯେଉଁ ଆନନ୍ଦ ପାଇଛି , ସେହି ଆନନ୍ଦକୁ ଶବ୍ଦରେ ପ୍ରକାଶ କରିବାକୁ ମୁଁ ଅସମର୍ଥ । ଲେଖାକୁ ଭଲ ପାଇଛି ,ଅନୁବାଦ କରି ଆନନ୍ଦ ପାଇଛି ।

୩ . ବଙ୍ଗଳାରୁ ଓଡ଼ିଆ ସାହିତ୍ୟକୁ ନେଇ ପ୍ରଚୁର ଅନୁବାଦ ହୋଇଛି ହେଲେ ସେହି ଅନୁପାତରେ ଓଡ଼ିଆରୁ ବଙ୍ଗଳା ହୋଇନାହିଁ । ଏହି ବିଡ଼ମ୍ବନାକୁ ଆପଣ କିପରି ଦେଖନ୍ତି ?

ଉତ୍ତର : କେବଳ ବଙ୍ଗଳା ସାହିତ୍ୟରୁ କାହିଁକି , ଅନ୍ୟାନ୍ୟ ଭାରତୀୟ ଭାଷା ସାହିତ୍ୟରୁ ଏବଂ ବିଶ୍ବ ସାହିତ୍ୟରୁ ଓଡ଼ିଆ ଭାଷାକୁ ପ୍ରଚୁର ଅନୁବାଦ ହେଉଛି । ଯେଉଁମାନେ ଭିନ୍ନ ସାହିତ୍ୟକୁ ଅନୁବାଦ ମାଧ୍ୟମରେ ଆମ ପାଖକୁ ପହଞ୍ଚାଇ ଦେଉଛନ୍ତି , ସେମାନେ ସମସ୍ତେ ଆମର ନମସ୍ୟ , କାରଣ ସେମାନଙ୍କ ପାଇଁ ଆମେ ଅନ୍ୟ ଭାଷାର ସାହିତ୍ୟ ସହିତ ପରିଚିତ ହୋଇପାରୁଛୁ । କିନ୍ତୁ ଆଶ୍ଚର୍ଯ୍ୟର କଥା, ମାତ୍ର ହାତଗଣତି କେତେଜଣଙ୍କୁ ଛାଡିଦେଲେ , ବାକି ସମସ୍ତେ ଅନ୍ୟ ଭାଷାର କବି/ ଲେଖକମାନଙ୍କ ସହିତ ଆମର ତ ପରିଚୟ କରାଉଛନ୍ତି , କିନ୍ତୁ ଆମ ଭାଷାର ଜଣେ ହେଲେ କବି/ ଲେଖକଙ୍କୁ ସେହି ସେହି ଭାଷାର ପାଠକମାନଙ୍କ ସହିତ ପରିଚୟ କରାଇବା ପାଇଁ ଆଦୌ ପ୍ରୟାସ କରୁନାହାନ୍ତି । ଆମ ସାହିତ୍ୟ ପ୍ରତି ନିଶ୍ଚିତ ଭାବରେ ସେମାନେ ଅନ୍ୟାୟ କରୁଛନ୍ତି । ପ୍ରୟାସର ଅଭାବ ଜଳଜଳ ଦେଖାଯାଉଛି ।

୪. ଆପଣଙ୍କ ଜୀବନର ସଂଘର୍ଷ ଆପଣଙ୍କୁ କିପରି ଗଢ଼ିଛି ?

ଉତ୍ତର : ” ଆଲୁଅର ସୁଡ଼ଙ୍ଗେ ଆଖି ମୋର ଝଲସି ଯାଏ , ମୁଁ ଜୀବନ୍ୟାସ ନିଏ ବାହାରେ ଅନ୍ଧାରକୁ ଆସି ।”

ଯାହାର ଜୀବନରେ ସଂଘର୍ଷ ନାହିଁ , ସେ ଜୀବନକୁ ଚିହ୍ନି ନାହିଁ । ଶୈଶବରୁ ଜୀବନର ଯାତ୍ରା ପଥରେ ବାରମ୍ବାର ଝୁଣ୍ଟିଛି , ପଡ଼ିଛି, ଖଣ୍ଡିଆ ଖାବରା ଏବଂ ରକ୍ତାକ୍ତ ହୋଇଛି। ବେଳେବେଳେ ମନେ ହୋଇଛି ବୋଧହୁଏ ଆଉ ପାଦେ ହେଲେ ଆଗକୁ ଯାଇ ପାରିବି ନାହିଁ । ଅନ୍ଧାର ଭିତରେ ପଚିସଢି ମରିବା ହିଁ ମୋର ଭାଗ୍ୟ ବୋଲି ମନେ ହୋଇଛି । କିନ୍ତୁ ପୁଣି ସଳଖି ଛିଡ଼ା ହୋଇ ଚାଲିବାର ଏକ ଅଜବ ଜିଦ୍ ପାଇଁ ଆଜି ମୁଁ ଏଠି। ନଚେତ୍ ହୁଏତ ସେହି ଶୈଶବରୁ ଯେଉଁ ସ୍ତର ସବୁ ଅତିକ୍ରମ କରି ଜୀବନ ଜୀଇଁଛି ; ହୁଏତ କୈାଣସି ହୋଟେଲରେ କପ୍ ପ୍ଲେଟ୍ ଧୋଇ , ଷ୍ଟେସନରେ ବୋଝ ବୋହି, ରିକ୍ସା ଚଳାଇ , ନଚେତ ଦାଗୀ ଆସାମୀ ଭାବରେ ଜେଲ ଭିତରେ ସଢି ସଢି ଜୀବନ ଜୀଉଁଥାନ୍ତି । ସେହି ଅଜବ ଜିଦ୍ ପାଇଁ ଯେଉଁଦିନ କନଭୋକେସନ୍ ପ୍ୟାଣ୍ଡେଲରୁ ମହାମହିମ ରାଜ୍ୟପାଳଙ୍କ ହାତରୁ  ଏମ୍ . ଏ. ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ପାଇଥିବାରୁ ବିଶ୍ବବିଦ୍ୟାଳୟର ସ୍ବର୍ଣ୍ଣ ପଦକ ଗ୍ରହଣ କରି ମଞ୍ଚ ଉପରୁ ଓହ୍ଲାଇ ଆସି ମୋ ମାଁର ପାଦ ଛୁଇଁଥିଲି , ଏତେ ଲୋକଙ୍କ ଗହଳି ଭିତରେ ବି ମୋ ମା କଇଁ କଇଁ ହୋଇ କାନ୍ଦି ଉଠିଥିଲା । ଆଉ ସେହି ଲୁହ ମୋତେ ଅନ୍ଧାର ଭିତରେ ନୂତନ ଜୀବନ୍ୟାସ ଦେଇଥିଲା । ମା ସବୁବେଳେ କହୁଥିଲା , ଆମ ଚାରିପାଖରେ ଏତେ ଲୋକ ଏବଂ ସେମାନଙ୍କର ଏତେ ଦୁଃଖ ଯେ , ସେମାନଙ୍କ ଦୁଃଖ ତୁଳନାରେ ଆମର ଦୁଃଖ ଖୁବ୍ ଅଳ୍ପ । ତେଣୁ ନିଜ ଦୁଃଖ ପାଇଁ କାନ୍ଦିବାକୁ ଯେଉଁ ଦିନ ଲାଜ ଲାଗିବ, ସେଦିନ ତୁ ଜୀବନ ଯୁଦ୍ଧରେ ବିଜୟୀ ହେବୁ। ବାସ୍, ଅନ୍ଧାରକୁ ପ୍ରେମ କରି ମୁଁ ଆଜି ଏଇଠି ।

୫. କେଉଁ ଲେଖକଙ୍କୁ ଅନୁବାଦ କରି ଆପଣ ବେଶି ଆନନ୍ଦିତ ହୋଇଛନ୍ତି ଏବଂ କାହିଁକି ?

ଉତ୍ତର : ଯେତେବେଳେ କୈାଣସି ବଙ୍ଗଳା/ ଓଡ଼ିଆ ବହି/ ଲେଖା ପଢି ଚକିତ ହୋଇଛି, ବିଭୋର ହୋଇଛି , ବିହ୍ବଳ ହୋଇଛି ; ଭାବିଛି, ଆଃ ମୁଁ ଏପରି ଲେଖି ପାରନ୍ତି କି ? ମୋର ଅକ୍ଷମତା ହେତୁ ନିଜକୁ ଧିକ୍କାରିଛି । ପର ମୂହୂର୍ତ୍ତରେ ଭାବିଛି , ମୁଁ ନ ଲେଖି ପାରିଲେ କ’ଣ ହେଲା , ଏହାକୁ ଅନୁବାଦ କରି ଓଡିଆ/ ବଙ୍ଗଳା ପାଠକମାନଙ୍କ ପାଖକୁ ତ ପହଞ୍ଚାଇ ଦେଇ ପାରିବି । ବାସ୍, ଅତି ସାଧାରଣ କ୍ଷୁଦ୍ର ଗୁଣ୍ଡୁଚିମୂଷା ପରି ଭାଷା- ସାହିତ୍ୟରେ ସେତୁବନ୍ଧନର ଦୁଃସାହସ କରିଛି କେବଳ ।

୬ . ଜଣେ ସଫଳ ଅନୁବାଦକ ହେବାର ସୂତ୍ର କଣ ?

ଉତ୍ତର : ମୁଁ ? ସତରେ ସଫଳ ? ଆଉ ଶତକଡା ଏକ ଭାଗ ବି ସଫଳ ବୋଲି ଯଦି କେହି ଭାବନ୍ତି , ତେବେ କୈାଣସି ସୂତ୍ର ଅନୁସରଣ କରି ସେହି ଏକ ଭାଗ ସଫଳତା ମୋତେ ମିଳିଛି ବୋଲି ମୁଁ ଭାବେ ନାହିଁ ।

୭)କଥା ସାହିତ୍ୟରେ ଆପଣଙ୍କର ସ୍ୱତନ୍ତ୍ର ଦକ୍ଷତା ରହିଛି । ଏଥିପାଇଁ ପାଠକମାନଙ୍କ ତରଫରୁ କି ପ୍ରକାର ପ୍ରତିକ୍ରିୟା ପାଇଛନ୍ତି ?

ଉତ୍ତର : ମୁଁ ପୁଣି କଥାକାର ? ପ୍ରଥମ ଗଳ୍ପ ଲେଖିଥିଲି ୧୯୭୭ ମସିହାରେ , ଡିସେମ୍ବର ମାସର ‘ସପ୍ତର୍ଷି’ରେ ତାହା ପ୍ରକାଶ ପାଇଥିଲା । ୨୧ ନମ୍ବର ଗଳ୍ପ ଲେଖିଛି ୨୦୨୦ ମସିହାରେ । ଏଇ ସ୍ବଳ୍ପ ଏବଂ ନଗଣ୍ୟ କୃତି ନେଇ କ’ଣ “କଥାକାର” ର ପରିଚୟରେ ପରିଚିତ ହେବା ଶୋଭନୀୟ ? ହଁ , ବହୁ ପୂର୍ବରୁ ସମ୍ବାଦ ସାହିତ୍ୟ ପୃଷ୍ଠାରେ ପ୍ରକାଶ ପାଇଥିବା ମୋର ” ଭୋକ ” ଗଳ୍ପକୁ ବଙ୍ଗଳା ଭାଷାରେ ଅନୁବାଦ କରିଥିଲେ ବିଶିଷ୍ଟ କବୀ ଏବଂ ଅନୁବାଦିକା ଶ୍ୟାମଳୀ ସେନଗୁପ୍ତ । ଶିଲିଗୁଡି ,ପଶ୍ଚିମବଙ୍ଗର ଏକ ଗଳ୍ପ ପାଠୋତ୍ସବରେ ସେ ଏହି ଗଳ୍ପଟି ପାଠ କରିବା ବେଳେ କୋହ ଚାପି ରଖି ପାରିନଥିଲେ ଏବଂ ଉପସ୍ଥିତ ସମସ୍ତ ଶ୍ରୋତା କୁଆଡେ ସ୍ତବ୍ଧ ହୋଇ ରହିଥିଲେ ଏବଂ ଏହାହିଁ ମୋ ଜୀବନର ସର୍ବଶ୍ରେଷ୍ଠ ପୁରସ୍କାର ।

୮) ଓଡ଼ିଆରେ ଫିଚର ରଚନା କ୍ଷେତ୍ରରେ ଆପଣଙ୍କର ରହିଛି ଅପୂର୍ବ ଦକ୍ଷତା । ଭଲ ଫିଚର ଲେଖାଯିବାର ମାର୍ଗଟି କଣ ?

ଉତ୍ତର : ଓଡ଼ିଆରେ ଅନେକ ଲେଖକ ଅଛନ୍ତି , ଯେଉଁମାନେ ଚମତ୍କାର ଫିଚର ଲେଖନ୍ତି । ‘କଥା କଥା କବିତା କବିତା’ର ପୃଷ୍ଠା ଓଲଟାଇଲେ ଆପଣ ତାହାର ପରିଚୟ ପାଇ ପାରିବେ । ଫିଚର ଲେଖିବା ପାଇଁ ବହୁ ପଠନ , ଶ୍ରମ , ସାଧନା ଓ ନିଷ୍ଠା ଦରକାର । ମୁଁ ଭଲ ଫିଚର ଲେଖେ କି ନା , ମୁଁ ଜାଣି ନାହିଁ । ତେବେ ବାଲେଶ୍ଵରରୁ ପ୍ରକାଶ ପାଉଥିବା ” ସାଗରିକା ” ପତ୍ରିକା ମୋତେ ପ୍ରଥମେ ଜଣେ ଫିଚର ଲେଖକର ସ୍ବୀକୃତି ଦେଇ ସମ୍ବର୍ଦ୍ଧିତ କରିଥିଲା । ତାପରେ ” ସଚିତ୍ର ବିଜୟା ” ର ସମ୍ପାଦକ ସୁନୀଲ ପୃଷ୍ଟି ଏବଂ ‘କଥା କଥା କବିତା କବିତା’ ର ସମ୍ପାଦକ ଅକ୍ଷୟ ବେହେରା ମୋତେ ଫିଚର ଲେଖିବା ପାଇଁ ଯଥେଷ୍ଟ ପ୍ରେରଣା ଯୋଗାଇଛନ୍ତି । ତେଣୁ ସେମାନଙ୍କ ପାଖରେ ଏବଂ ପାଠକମାନଙ୍କ ନିକଟରେ ମୁଁ କୃତଜ୍ଞ ।

୯)ଜଣେ ଛାତ୍ରବତ୍ସଳ ଅଧ୍ୟାପକ ଭାବରେ ଛାତ୍ରମାନଙ୍କୁ ନେଇ କିଛି ବିଶେଷ ଅନୁଭୂତି ବର୍ଣ୍ଣନା କରନ୍ତୁ ।

ଉତ୍ତର : ମୁଁ ନିହାତି ଭାଗ୍ୟବାନ ଯେ ମୁଁ ଜୀବନରେ ଶିକ୍ଷକ ହୋଇ ପାରିଥିଲି । ଦୀର୍ଘ ୩୭ ବର୍ଷର ଶିକ୍ଷକତା ଭିତରେ ଅଗଣିତ ଛାତ୍ରଛାତ୍ରୀଙ୍କ ଭଲପାଇବା ମୋର ସବୁଠାରୁ ମୂଲ୍ୟବାନ ସମ୍ପଦ । ମୋର ହୃଦୟରେ ଘର କରି ରହିଛନ୍ତି ଅସଂଖ୍ୟ ପ୍ରିୟ ଛାତ୍ରଛାତ୍ରୀ । ସେମାନଙ୍କୁ ନେଇ ଏତେ ସୁନ୍ଦର ଅନୁଭବ ସବୁ ରହିଛି ଯେ ଲେଖି ବସିଲେ ବହିଟିଏ ହେବ ଏବଂ ସେଥିପାଇଁ ଇଚ୍ଛା ମଧ୍ୟ ଅଛି ।

୧୦)ସୋସିଆଲ ମିଡ଼ିଆର ସାହିତ୍ୟ ସମ୍ବନ୍ଧରେ ଆପଣଙ୍କ ମତ କଣ ?

ଉତ୍ତର : ସାହିତ୍ୟ ଯେକୌଣସି ଫର୍ମାଟରେ ଥିଲେ ମଧ୍ୟ ସାହିତ୍ୟ । ସୋସିଆଲ ମିଡ଼ିଆ ସମ୍ପ୍ରତି ସବୁଠାରୁ ସହଜ ଉପଲବ୍ଧ ମାଧ୍ୟମ । ମୁଁ ତ ଅନେକ ସୁନ୍ଦର ଲେଖା ଏହି ମାଧ୍ୟମରୁ ପଢ଼ିବାର ସୈାଭାଗ୍ୟ ଅର୍ଜନ କରିଛି । କବି ପବିତ୍ର ମୋହନ ଦାଶଙ୍କ ଏକ ଅନବଦ୍ୟ କବିତା ” ଲୋଭନୀୟ ଦୁଃଖ ” କୁ ମୁଁ ବଙ୍ଗଳା ରେ ଅନୁବାଦ କରିଥିଲି ଏବଂ ପ୍ରଖ୍ୟାତ ଅଭିନେତ୍ରୀ ଭାସ୍ବତୀ ବସୁ ତାହାର ଆବୃତ୍ତି ‘ୟୁ ଟ୍ୟୁବ୍’ ମାଧ୍ୟମରେ ପୋଷ୍ଟ କରିଥିଲେ । ବାଂଲାଦେଶ ଏବଂ ପଶ୍ଚିମବଙ୍ଗର ମିଳିତ ଉଦ୍ୟମରେ ପ୍ରକାଶ ପାଉଥିବା ବଙ୍ଗଳା ପତ୍ରିକା ‘ଉନିଶେ ମେ’ ର ସମ୍ପାଦକ ୟୁ ଟ୍ୟୁବରୁ ସେହି କବିତା ଶୁଣି ତାଙ୍କ ପତ୍ରିକାରେ ପ୍ରକାଶ କରିବା ପାଇଁ ଅନୁମତି ମାଗିଥିଲେ ଏବଂ କବିତାଟି ତାଙ୍କ ପତ୍ରିକାରେ ପ୍ରକାଶ ପାଇଥିଲା । ଠିକ୍ ସେହିପରି ଫେସବୁକରେ ମୁଁ ପୋଷ୍ଟ କରିଥିବା ପ୍ରଦୀପ କୁମାର ପଣ୍ଡାଙ୍କ କବିତାର ବଙ୍ଗଳା ଅନୁବାଦ ପଢି, ବଙ୍ଗଳା ଅନୁବାଦ ପତ୍ରିକାର ସମ୍ପାଦିକା ସେହି କବିତାରୁ ପାଞ୍ଚଟି କବିତା ତାଙ୍କ ପତ୍ରିକାରେ ପ୍ରକାଶ କରିଥିଲେ । ‘ଉନିଶେ ମେ’ ପତ୍ରିକାର ସମ୍ପାଦକ ମୋ ଦ୍ବାରା ଅନୁଦିତ ସମକାଳୀନ ଓଡ଼ିଆ କବିତାର ବଙ୍ଗଳା ଅନୁବାଦ ପୋଷ୍ଟ ପଢି ତାଙ୍କର ଆଗାମୀ ସଂଖ୍ୟା ପାଇଁ ୧୦ଟି ଓଡ଼ିଆ କବିତାର ଅନୁବାଦ ପାଇଁ ଅନୁରୋଧ କରିଛନ୍ତି । ସୋସିଆଲ ମିଡ଼ିଆ ଆମକୁ ଯୋଡିବାରେ ସହାୟକ ହୋଇଛି ।

୧୧) ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଆଲୋଚନା ବିଭାଗଟି ଦୁର୍ବଳ । ଏହି ଦୁର୍ବଳତାକୁ ନେଇ ଆପଣଙ୍କ ମତ କଣ ?

ଉତ୍ତର : ମନେହୁଏ କିଛି ପରିମାଣରେ ଦୁର୍ବଳ। କାରଣ ଜଣେ ଭଲ ଆଲୋଚକ ହେବା ପାଇଁ ପ୍ରଚୁର ଅଧ୍ୟୟନର ଆବଶ୍ୟକତା ରହିଛି। ତା ସହିତ ଶ୍ରମ , ସାଧନା ,ଧୈର୍ଯ୍ୟ , ଏକାଗ୍ରତା ଏବଂ ନିଷ୍ଠା ଲୋଡା। ଅଥଚ ଆଲୋଚନାର ପାଠକ ସଂଖ୍ୟା ଏକାବେଳକେ ନଗଣ୍ୟ । ସୃଜନଶୀଳ ଲେଖକ ବା କବିଟିଏ ତା’ର ଭଲ ଲେଖା ପାଇଁ ଯେତେ ପାଠକୀୟ ଶ୍ରଦ୍ଧା ଓ ସମ୍ମାନ ପାଏ , ଜଣେ ଆଲୋଚକ ଚମତ୍କାର ଆଲୋଚନା ପାଇଁ ତା’ ତୁଳନାରେ କିଛି ପାଏ ନାହିଁ। ବୋଧହୁଏ ଏହି ସବୁ କାରଣରୁ ଆଲୋଚନା ବିଭାଗଟି ଦୁର୍ବଳ ବୋଲି ମନେ ହୁଏ ।

୧୨) ସାହିତ୍ୟ ଆଡ଼କୁ ମୁହାଁଇବାର ପଛରେ ପ୍ରେରଣା କଣ ?

ଉତ୍ତର : ରବୀନ୍ଦ୍ରନାଥ କହିଥିଲେ, we purge our excess emotion through literature . ( ଆମେ ସାହିତ୍ୟ ମାଧ୍ୟମରେ ଆମ  ଭାବ ପ୍ରବଣତାକୁ ପ୍ରତିଫଳିତ କରୁ।) ମୁଁ ଆଉ ଅଧିକ କ’ଣ ବା କହିବି !

୧୩) ଆପଣ ନିଜେ ସାହିତ୍ୟରୁ କଣ ପାଇଛନ୍ତି?

ଉତ୍ତର : ଏଠି , ସେଠି , ସବୁଠି , ଆପଣମାନଙ୍କୁ; ସମସ୍ତଙ୍କୁ ପାଇଛି। ଏହାଠାରୁ ଆଉ ଅଧିକ କିଛି ପାଇବାର ଆଶା ବା ଆକାଂକ୍ଷା ନାହିଁ ।

୧୪) ନୂଆ ପୀଢ଼ି ପାଇଁ ଆପଣଙ୍କର ସନ୍ଦେଶ କଣ ରହିବ ?

ଉତ୍ତର : ଏକଦା ମହାନ୍ ସ୍ରଷ୍ଟା ଗୋପୀନାଥ ମହାନ୍ତି କହିଥିଲେ, ” ମାଟି, ପାଣି, ପବନ , ଆକାଶକୁ ; ନଈ , ନାଳ , ବଣ , ପାହାଡକୁ ; ଗଛ , ଲତା , ଫୁଲ , ଫଳକୁ ; କୀଟ , ପତଙ୍ଗ , ପଶୁ , ପକ୍ଷୀକୁ ତଥା ସର୍ବୋପରି ମଣିଷକୁ ଯିଏ ପ୍ରାଣଭରି ଭଲ ପାଇ ପାରିନାହିଁ , ସେ କେବେ ଭଲ ଲେଖକ ହୋଇପାରିବ ନାହିଁ ।” କେବଳ ନୂତନ ପୀଢ଼ି କାହିଁକି ସୃଜନ-ଜଗତ ସହିତ ସମ୍ପର୍କିତ ସମସ୍ତଙ୍କ ପାଇଁ ଏହା ସର୍ବକାଳୀନ ସତ୍ୟ ।