ବ୍ୟଙ୍ଗ : ଈଶ୍ୱରୀୟ ଲୀଳା

ଦିନେ ଗଙ୍ଗା କହିଲେ, “ମୁଁ ସମସ୍ତଙ୍କ ପାପ ଧୋଉଛି । ମୋ ଜଳରେ ମଣିଷର ଶୋଷ ମେଣ୍ଟୁଛି । ଫସଲ ହଉଛି । ସମସ୍ତଙ୍କୁ ଖାଦ୍ୟ ମିଳୁଛି । ତେଣୁ ମୁଁ ବଡ଼, କେବଳ ମୋର ପୂଜା ହେବା ଦରକାର । ” ଶିବ କହିଲେ, “ତୁମେ କି ବଡ଼ ହୋ, ତୁମେତ ମୋ ଜଟା ଭିତରୁ ବହାରିଛ ତେଣୁ ମୁଁ ସବୁଠୁ ବଡ଼ । ” ଏହା ଶୁଣି କୈଳାସ ପର୍ବତ କହିଲେ “ତୁମେ କି ପ୍ରକାର ବଡ଼ ? ତୁମେ ତ ମୋ ଶରୀରର ଗୋଟିଏ ଛୋଟ ଗୁମ୍ଫା ଭିତରେ ରହୁଛ ତେଣୁ ମୁଁ ତୁମ ସମସ୍ତଙ୍କଠୁ ବଡ଼ ।” ହନୁମାନ କହିଲେ, “ମୁଁ ତ ପୁରା କୈଳାସ ପର୍ବତକୁ ମୋ ହାତ ପାପୁଲିରେ ଧରି ଲକ୍ଷେ ଯୋଜନ ଉଡି ପାରୁଛି । ତେଣୁ ମୁଁ ବଡ଼ ।” ଏହା ଶୁଣି ପ୍ରଭୁ ରାମଚନ୍ଦ୍ର କହିଲେ ତୁମେ ତ ମୋ ପାଦ ତଳେ ବସୁଛ ତେଣୁ ସବୁଠୁ ବଡ଼ ମୁଁ । ଶେଷରେ ମଣିଷ କହିଲା “ତୁମ ସମସ୍ତଙ୍କ ଠାରୁ ବଡ଼ ହେଲୁ ଆମେ । କାରଣ ତୁମ ସମସ୍ତଙ୍କ ଠାରୁ ବଡ଼ ପ୍ରଭୁ ରାମଚନ୍ଦ୍ରଙ୍କୁ ଆମେ ଗଲା ପଚାଶ ବର୍ଷ ହେଲାଣି ରାମଜନ୍ମ ଭୂମି ବିବାଦରେ ଏମିତି ଫସେଇ ଦେଇଛୁ ଯେ ସେ ଏ ପର୍ଯ୍ୟନ୍ତ ସେଥିରୁ ମୁକୁଳି ପାରୁନାହାନ୍ତି ।

ଅତଏବ ଦୁନିଆର ସବୁଠୁ ଶେଷ୍ଠ ଓ ବଡ଼ ହେଲା ମନୁଷ୍ୟ । ସିଏ ଯେତେବେଳ ଯେଉଁ ଭଗବାନଙ୍କୁ ଚାହିଁବ ବିବାଦରେ ଫସେଇ ଦେଇପାରିବ । ଇଚ୍ଛା ହେଲେ ଭଗବାନଙ୍କୁ ଭୋକରେ ରଖିପାରିବ (ସେବାୟତଙ୍କ ଗଣ୍ଡଗୋଳ ଯୋଗୁଁ ମନ୍ଦିରରେ ଭୋଗ ନୀତି ବାରମ୍ବାର ବନ୍ଦ ହେଉଥିବା ଖବର ପଢୁଥିବେ)। ଇଚ୍ଛା କଲେ ଭଗବାନ ସପରିବାର ଘରେ ଥିଲା ଅବସ୍ଥାରେ ବି ତାଙ୍କ ଘର ଭାଙ୍ଗି ଖୋଲା ଆକାଶ ତଳେ ତାଙ୍କୁ ବସେଇ ଦେଇପାରିବ (ମନ୍ଦିର ଉଚ୍ଛେଦ ଘଟଣା ଶୁଣିଥିବେ)।

ହଁ, ନିଜେ ମଣିଷ ବୋଲି ମୁଁ ମଣିଷକୁ ବଡ଼ ପ୍ରମାଣିତ କରିବାକୁ ଯାଇ ମଣିଷ ସପକ୍ଷରେ ଅଧିକ ଗୁଡ଼ାଏ ବକି ଗଲିଣି । ଭଗବାନ ବି ମଝିରେ ମଝିରେ ତାଙ୍କ ଉପସ୍ଥିତିକୁ ଜାହିର କରିବାକୁ ଯାଇ ଭୂମିକମ୍ପ, ମହାବାତ୍ୟା, ମହାମାରୀ ଭଳି ଅନେକ କାଣ୍ଡ କାରଖାନା କରୁଛନ୍ତି । ନକରିବେ ବି କାହିଁକି ? ଯେତେବେଳ ନିଜର ସୃଷ୍ଟିକୁ ନିଜ ଅକ୍ତିଆରରୁ ଖସିଯାଉଥିବା ଦେଖୁଛନ୍ତି ,କିମ୍ବା ଯେତେବେଳେ ଦେଖୁଛନ୍ତି ଖୋଦ ସୃଷ୍ଟି ସ୍ରଷ୍ଟାଙ୍କ ପ୍ରତି ବିପଦ ହେଲାଣି ସେତେବେଳେ ଅତି ସାଧାରଣରୁ ସାଧାରଣ ଜୀବଟିଏ ବି ପ୍ରତିଶୋଧ ପରାୟଣ ହେବା ସ୍ବାଭାବିକ । କିନ୍ତୁ ଏ ଲଢେଇରେ ମଣିଷ ବି କୋଉ ଛାଡିବା ଜନ୍ତୁ । ଜାପାନର ଭୟଙ୍କର ସୁନାମୀ ପରେ ମାତ୍ର କିଛି ସପ୍ତାହ ମଧ୍ୟରେ ଯଥା ପୂର୍ବାଂ ତଥା ପରଂ ସ୍ଥିତିକୁ ଫେରେଇ ଆଣିବା ସ୍ରଷ୍ଟାଙ୍କ ପ୍ରତିଶୋଧ ପ୍ରତି ଏକ ତାଛଲ୍ୟ ନୁହେଁ କି ? ଈଶ୍ୱରଙ୍କ ମାନବୀୟଲୀଳା ଅପେକ୍ଷା ମାନବ ମାନଙ୍କ ଈଶ୍ୱରୀୟଲୀଳା ସର୍ବଦା ଅଧିକ ଚମକ୍ ପ୍ରଦ,ଏଥିରୁ ପ୍ରମାଣିତ ହେଉନାହିଁ କି?

ଏହା ଭିତରେ ଉଭୟପଟରୁ କିଛି ପଳାୟନ ପନ୍ଥୀ ନିଜେ ନିଜକୁ ଅନ୍ୟ ଗୋଷ୍ଠୀର ବୋଲି ପ୍ରମାଣିତ କରିବାକୁ ଚେଷ୍ଟାରେ ଲାଗିଛନ୍ତି । କିଛି ମଣିଷ ନିଜକୁ ଭଗବାନ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରୁଥିବା ବେଳେ ଭଗବାନଙ୍କ କିଛି ଅବତାର ମାନେ ନିଜକୁ ଭଗବାନଙ୍କ କୂଳରେ ଜନ୍ମ ହେଲେବି ତାଙ୍କର ସମସ୍ତ କାର୍ଯ୍ୟକ୍ରମ ମାନବୀୟଲୀଳା ବୋଲି ଦର୍ଶାଉଛନ୍ତି । କିନ୍ତୁ ଅଧିକାଂଶ ସମୟରେ ସେମାନେ ବିଭିନ୍ନ ମାନବଗୋଷ୍ଠୀ ଦ୍ୱାରା ଆକ୍ରମିତ ଓ ଲୋକହସା ହେଉଛନ୍ତି । ସେମାନଙ୍କ ଭିତରୁ କେତେକ ଏବେ ମାମୁଁ ଘରେ ଏକାନ୍ତବାସ କରୁଥିବା ବେଳେ,ସେହି ଅବତାର ବାବା ଓ ମା’ ମାନଙ୍କ ସ୍ୱର୍ଗୀୟଲୀଳା ଓ ମାନବୀୟଲୀଳା ଭିତରେ ପାର୍ଥକ୍ୟ ବୁଝି ପାରୁନଥିବା କେତେକ କନଫ୍ୟୁଜ୍ଡ଼୍ ଭକ୍ତ ପାଗଳଖାନାରେ ପଶିଲେଣି ।

ସୃଷ୍ଟି ସ୍ରଷ୍ଟାର ପ୍ରଭୁତ୍ୱ ମାନିବାକୁ ନାରାଜ । ସ୍ରଷ୍ଟା ବି ଆପଣା ମହତ ଆପେ ରଖିବା ନ୍ୟାୟରେ ମାନବକୁ ନିଜ କିଳା ନିଜେ ସଜ କରିବାକୁ ଛାଡ଼ିଦେଉଛନ୍ତି । ଅବଶ୍ୟ ଏବେବି ବେଳେବେଳେ ଈଶ୍ୱର ଓ ମନୁଷ୍ୟଙ୍କ ଭିତରେ ସମ୍ ଝୋତା ହୋଇଯାଉଛି । ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ସତର୍କବାଣୀ ଶୁଣେଇଥିବାବେଳେ ଈଶ୍ୱର ସୁପ୍ରିମକୋର୍ଟକୁ ତଥାସ୍ତୁ ବାଣୀ ଶୁଣେଇଛନ୍ତି । ତେବେ ଏଠି ବି କିଛି ଆଗଚଲା ମନୁଷ୍ୟ ନିଜକୁ ଈଶ୍ୱରଙ୍କଠାରୁ ଅଧିକ ସର୍ବଜ୍ଞ ବୋଲି ପ୍ରମାଣ କରିପାରୁଛନ୍ତି । ଗପଟିଏ ଶୁଣନ୍ତୁ । ବିଷୟଟା ଅଧିକ ଫର୍ଚ୍ଚା ହୋଇଯିବ ।

ଏକ ଆସନ୍ନ ପ୍ରସବା ନାରୀଙ୍କ ଘରକୁ ଜଣେ ଜ୍ୟୋତିଷ ଆସିଥାନ୍ତି । ଦମ୍ପତିଙ୍କ କୋଷ୍ଠୀ ଗଣନା କରି ଜ୍ୟୋତିଷ ମହୋଦୟ କହିଲେ ତାଙ୍କର ଗୋଟେ ପୁତ୍ର ସନ୍ତାନ ଜାତ ହେବ । ଦମ୍ପତି ଖୁସିରେ ଜ୍ୟୋତିଷଙ୍କୁ ସୁସ୍ୱାଦୁ ବ୍ୟଞ୍ଜନ ସହ ଦାନ ଦକ୍ଷିଣାରେ ସନ୍ତୁଷ୍ଟ କଲେ । ଜ୍ୟୋତିଷ ଯିବା ପୂର୍ବରୁ ଗୋଟେ କାଗଜରେ କିଛି ଲେଖି ଏକ ନାଲିକନାରେ ଗୁଡେଇ ଚାଳରେ ଖୋସି ଦେଲେ ଓ କହିଲେ ଏହି ମନ୍ତୁରା କନାକୁ ଯେପରି କେହି ନଛୁଅନ୍ତି । କିଛି ମାସ ପରେ ଦମ୍ପତିଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହେଲା । ସେମାନେ ଜ୍ୟୋତିଷଙ୍କୁ ପଚାରିବାରୁ ଜ୍ୟୋତିଷ କହିଲେ ମୋ ଗଣନା ଠିକ ଥିଲା କିନ୍ତୁ ଆପଣଙ୍କ ମନ ଦୁଃଖ ନକରିବା ପାଇଁ କାଗଜରେ ଝିଅ ହେବ ବୋଲି ଲେଖି ଚାଳରେ ଖୋସି ଦେଇଆସିଥିଲି । ଯଦି ବିଶ୍ୱାସ ହେଉନି ତେବେ ନାଲିକନାରେ ଗୁଡା ହୋଇଥିବା କାଗଜ ଦେଖନ୍ତୁ ।

ଅତଏବ, ଯଦି ସୁପ୍ରିମକୋର୍ଟ ରଥଯାତ୍ରା ବିରୁଦ୍ଧରେ ରାୟ ଦେଇଥାନ୍ତେ ତେବେ ତାହା ପ୍ରଭୁ ଜଗନ୍ନାଥଙ୍କ ଲୀଳା ବୋଲି ପ୍ରମାଣିତ ହୋଇଥାନ୍ତା । ଏବେ ସୁପ୍ରିମକୋର୍ଟ ରଥଯାତ୍ରା ସପକ୍ଷରେ ରାୟ ଦେଲେ ତାହାମଧ୍ୟ ସେହି ଲିଳାମୟଙ୍କ ଲୀଳା ବୋଲି ସର୍ବଜ୍ଞ ମନୁଷ୍ୟ ଜାଣିପାରିଛି ।