Latest Odisha News

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୪

ଲତା ଗୁଡେଇଗଲାକି ଗଛ ଦେହରେ.. । ଆଉଜି ପଡିଲେ କେତେ ସୁନ୍ଦର ଆଣ୍ଟି। ଭରସି ପଚାରି ପାରିବିନି କିଛି, ଖାଲି ଅନୁଭବକଲି ସେ ଯେମିତି ଆପଣେଇବାକୁ ଚେଷ୍ଟିତ …। ମାଆ ଗାଉଥିବା ମଧୁରାଷ୍ଟକମ୍ ଆପେ ଆପେ ଝରିଗଲା…। କେଜାଣି ଆମ ଦୁହିଁଙ୍କ ସମ୍ପର୍କର ନାମ କ’ଣ… ଅନାମ…।

ଏଇ ଯୋଉ ଆଉଜି ପଡିବା ତାହାହିଁ ଡକ୍ଟର ଆଣ୍ଟିଙ୍କୁ ଖୁସିର ଖୋରାକ ଦେଉଥିଲା। ଏଥର ହାତଧରି ବସେଇ ପାଦ ଖଟତଳକୁ ଲମ୍ବେଇ ଦେଉଥିଲି।ସେ କିଛି ନ କହି ଅନଉଥିଲେ କେବଳ।ମନ ପସନ୍ଦର ଖାଇବାସହ ଆଉଁସି ଦେଉଥିଲି। ଧିରେ ଧିରେ ସେ ସହଜ ହେଉଥିଲେ କି…କେଜାଣି।

ଆଜି ମୋତେ ଭରା ଦେଇ ଛିଡା କରେଇଲି । ପାଦ ପକେଇବେ କି ଆଗକୁ …ପକେଇଲେ ସତରେ …ଦୁଇ, ତିନି ପାଦ…ବାସ୍ ପୁଣି ପୂର୍ବ ଅବସ୍ଥା। ଆସ୍ଥା ଆସୁଥିଲା ମନରେ….କିନ୍ତୁ କ୍ଷଣିକ ପାଇଁ।

ମଣିଷ ନହସି ରହିପାରେ…। କାଚ ଆଖି କି ମାଛ ଆଖି ଭଳି ନିଷ୍ପଲକ ଚାହାଣିରେ ଅନେଇଥାଏ ଛାତକୁ…ସତେ ଯେମିତି ଝୁଲିଛି ଢେରଖୁସି ସେଠାରେ। ମୁହଁ ନ ଖୋଲି କହିପାରେ… ନୀରବତାକୁ ପଢିବାର ଶକ୍ତି ଥାଏ କାହା ପାଖରେ…। ଲାଗେ ଯେମିତି ସମୟ ଗଡୁନି ଜମା …ସ୍ଥିର…ଅସମ୍ଭବ ..।

ମାଆ ନଥିବା ସମୟରେ ଏମତି ମାଆଟିଏ ମିଳିଲେ ଯେ ନିଜକୁ ବ୍ୟକ୍ତ କରିବାକୁ ଅକ୍ଷମ। ମୋତେ ଲାଗେ ମୁଁ ମାଆ ଆଉ ସେ ମୋ’ର କାଳିଆ କାହ୍ନୁ।ମୁଣ୍ଡ ଉପରେ ହାତ ଦେଇ ଥରେ ଆଉଁସି ଦିଅନ୍ତେନି ଆଣ୍ଟି …। ଜବା ବୋଲି ଡାକନ୍ତେନି…। ଆଶା …ଆଶାରେ ରହିବ ନା ଆଗକୁ କିଛି ଦିବ୍ୟ ଅନୁଭବକୁ ନେଇ ସୁନ୍ଦର ସକାଳ ଆସିବ…ଆସିବ …ହୁଁ …ଅପେକ୍ଷାରେ ଥିଲି…।

କିଏ ଠକଠକ କଲା ମ ଏ ଅସମୟରେ। ଭାବନାକୁ ଚାବି ପକେଇ ଆସିଲି କବାଟର କାଚ ଆଖି ଦେଇ ଦେଖିବାକୁ…। ଆରେ ଏ କେମିତି …। ଏ ତ ମକବୁଲ୍ ଭାଇ…। କ’ଣ ଜାଣିଦେଲା ମୋ’ ଠିକଣା। ଏଇ କମ୍ପଲେକ୍ସର ସୋସାଇଟି ପକ୍ଷରୁ ବେଶ ନିରାପତ୍ତା ଥାଏ। କେମିତି ସୁରାକ ପାଇଲା ଯେ…। ଏବେ ହବ କ’ଣ…। କବାଟ ତ ସେ ଭାଙ୍ଗି ପାରିବନି …। ମୁଁ ଖୋଲିବିନି। ମିଥିଳାଦିଦି କେମିତି ଜାଣେ… ପିମ୍ପୁଡିକୁ ଚିନି ବାସ୍ନା ହୁଏ…ନା, ଏ ଡାହାଳକୁ ମାଂସ ବାସେ…।

ସବୁ ସାହସ ମୋ’ର ପାଣିଫୋଟକା ପରି ମିଳେଇଯାଉଥିଲା। ଧରି ନେବେ …ନା ମ…। ଦାଦାଭାଇଙ୍କ କଥା ସତ ହୋଇ ଯିବ କି…। ନା ନା …ନା..। ଜବା ଚିହ୍ନେନି କାହାକୁ ..ଜାଣେନି ସେମାନଙ୍କୁ …। କେତେ ପରୀକ୍ଷା ..କେତେ ପ୍ରକାରରେ …। କି ଜୀବନ ଇଏ! ପାଦ ଦମ୍ଭ ନହେଉଣୁ ଚାପ ନା ତାପ…। ମାଡି ଆସିଲା ଏମିତି …।

ବାରମ୍ବାର ଠକ୍ ଠକ୍ ଶବ୍ଦ …କବାଟ ଏପାଖେ ଧଡଧଡ ହେଉଥିଲା ଜବା। ପାଦତଳୁ ମାଟି ଖସିଗଲା କି….ପାତାଳକୁ ପଶିଯିବ। ସେ ସୈତାନ ଏଥର ବିରକ୍ତ ହୋଇ ଚାଲି ଯାଆନ୍ତାନି।କେଜାଣି ବାବା ସେ ସୁରାକ ପାଇଲା କେମିତି …।

ଉଃ! ଆଉ ଟିକିଏ ପରେ ଜୁବୁଲି ଆସିବ। ଆଉ ଏ ରାକ୍ଷସ ଛିଡା ହୋଇଥିବ ଯଦି ପଶି ଆସିବ କି ତା’ ସହିତ …।

ଡକ୍ଟର ଆଣ୍ଟିଙ୍କୁ ଫୋନ କଲି ରୋଷେଇ ଘରକୁ ଯାଇ।ଗୋଟାପଣେ ଝାଳନାଳ। ଉଠାଅ ଆଣ୍ଟି ଫୋନ ….। ସବୁ ଭୁଲ ହୋଇଗଲା କି ଆଉ। ନା, ସେ ବ୍ୟସ୍ତ ଥିବେ।ଫୋନ ଧରିଲେନି। ଧାଇଁଲି ଆଣ୍ଟି ପାଖକୁ। ସେ ନିର୍ବିକାର…।

ଭାଗ୍ୟ ଭଲ ନୂଆ ଫୋନ ନୂଆ ସିମ୍। ନହେଲେ ଏମାନେ ରଖନ୍ତେ କି…ଟାଣି ବିଦାରି ଖାଇ ଯାଆନ୍ତେ। ମୋର ବ୍ୟସ୍ତତା ଯେମିତି କିଏ ଦେଖୁଥିଲା,ସେମିତି ଅନୁଭବ ହେଲା। ଯା ହେଉ ସୁରକ୍ଷା କର୍ମୀ ହେଉ ବା ଅନ୍ୟ କେହି ହେଉ ମକବୁଲକୁ କୁଆଡେ ନେଇଗଲେ। ଜୁବୁଲି ଆସି ସେମିତି କିଛି କହିଲା…। ମୁଁ ମିଶାଇଲି କଥାକୁ ଚିତ୍ରରେ। ଟେକ୍ସଟ କଲି ଆଣ୍ଟିଙ୍କୁ ଆସିବାକୁ। ଥରୁଥିଲା ଦେହ ଗୋଟାପଣେ।ଜୁବୁଲି ଭଲ ଚା ବନେଇଲା…ପାଣି ପିଏଇଲା। ଯା’ହେଉ ଟିକିଏ ଭଲ ଲାଗିଲା।

ଜୁବୁଲିର ସମୟ ସରିଲେ ସେ ଯିବ। ଆଉ ପୁଣି ମୁଁ ଜଣେ ଅସହାୟ ସହିତ ଏକୁଟିଆ ହେବି ….। ନା, କିଛି କରିବାକୁ ହବ।
ଡକ୍ଟର ଆଣ୍ଟି ଫୋନକଲେ,ଆସିବେ ବୋଲି। ଆଶ୍ବସ୍ତ ହେଲି, ଦମ୍ଭ ଫେରିଲା…। ଅପେକ୍ଷା ରହିଲା ପୁଣି … ଏ ଡାହାଳମାନଙ୍କ ଆଖି ଆଢୁଆଳରେ ରଖିବି କେମିତି ନିଜକୁ …।

ଖୋଲି ଦେଲି ବୋହୂପଣିଆ ଡକ୍ଟର ଆଣ୍ଟିଙ୍କର ନିର୍ଦ୍ଦେଶରେ । ବାସ୍ ସେଇ ମୋ’ର ପ୍ରାପ୍ୟ ଥିଲା ବୋଧହୁଏ। ନଜର ରଖିଥିବା ଅନ୍ୟ ଅନେକଙ୍କୁ ଲୁଚେଇ ରାତି ଅଧରେ ଏଆରପୋର୍ଟ କୁ ଗଲି। ଶୋଇଥିଲେ ଜଣେ ଆଣ୍ଟି, ଆଉଜଣେ ମୋ ‘ ସହିତ ଗଲେ। ଆଜି ନୂଆଜଣେ ଦାୟିତ୍ୱ ନେଲେ ମୋ’ଠାରୁ। ବାସ୍ ଏ ସହର ସହିତ ସମ୍ପର୍କ କାଟି ନୂଆ ଜାଗାକୁ ଉଡିଗଲି।   ( କ୍ରମଶଃ )

Leave A Reply

Your email address will not be published.