Latest Odisha News

BREAKING NEWS

ଶ୍ରୀମନ୍ଦିରରେ ମହାଦୀପ ସେବା

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” 

ପ୍ରତି ଏକାଦଶୀ ଦିନ ସନ୍ଧ୍ୟା ଧୂପ ବସିବା ପରେ ଚୂନରା ସେବକମାନେ ସାଙ୍ଗରେ ମହାଦୀପ ଜାଳିବା ପାଇଁ ତାଡ଼, ଘିଅ ଓ ବଳିତା ଇତ୍ୟାଦି ନେଇ ଶ୍ରୀମନ୍ଦିର ଚୂଡ଼ାକୁ ଉଠିଥାଆନ୍ତି । ଅଁଳା ବେଢ଼ା ଉପରେ ଦଧିନଉତି ପାଶ୍ୱର୍ରେ ମହାଦୀପ ଜଳିବାର ପରମ୍ପରା ଅତ୍ୟନ୍ତ ପ୍ରାଚୀନ । ଏହି ସେବା କଷ୍ଟସାଧ୍ୟ, ଶ୍ରମ ଓ ସତର୍କତା ସାପେକ୍ଷ । ଶ୍ରୀମନ୍ଦିର ଚୂଡ଼ାରେ ମହାଦୀପ ଜଳିବା ଦର୍ଶନ କରିବା ପାଇଁ ପାଟଅଗଣାରେ ଜନସମାଗମ ହୁଏ । ରାତ୍ରିକାଳରେ ଦୂରଦୂରାନ୍ତକୁ ଏହି ଦୀପର ଜ୍ୟୋତି ଦୃଶ୍ୟ ହେଉଥିବାରୁ ବହୁ ଭକ୍ତ ଏହା ଦର୍ଶନ କରି ଭାବବିହ୍ୱଳିତ ହୁଅନ୍ତି । ବହୁ କଷ୍ଟ ସ୍ୱୀକାର କରି ମହାପ୍ରଭୁଙ୍କ ନିକଟରେ ସମର୍ପିତ ଭାବ ସହିତ ଚୂନରା ସେବକମାନେ ନିଷ୍ଠାର ସହ ଏହି ସେବା ଅର୍ପଣ କରିଥାଆନ୍ତି ।

ଶ୍ରୀମନ୍ଦିରରେ ବିମାନ ପୃଷ୍ଠରେ ଚୂନ ଆସ୍ତରଣ ରହିଥିବା ବେଳେ ରଜାଙ୍କ ଆଜ୍ଞାକ୍ରମେ ନିୟମିତ ବ୍ୟବଧାନରେ ଚୂନରେ ଧଉଳା କାର୍ଯ୍ୟ ଏହି ଚୂନରା ସେବକମାନଙ୍କ ଦ୍ୱାରା ସମାପିତ ହେଉଥିଲା । ଏହିମାନେ ପ୍ରତ୍ୟହ ନୀଳଚକ୍ର ଚୂଡ଼ାରେ ବାନା ବାନ୍ଧିବାର କାର୍ଯ୍ୟ ମଧ୍ୟ କରିଥାଆନ୍ତି । ବାନା ବନ୍ଧା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କୁ କୌଣସି ପାରିଶ୍ରମିକ ମିଳେନାହିଁ । ଯାତ୍ରୀ ବା ଭକ୍ତମାନେ ନିଜର ମାନସିକ ଅନୁସାରେ ବାନା ବାନ୍ଧିବା ପାଇଁ ଏମାନଙ୍କୁ ପାଉଣା ଆକାରରେ ଦେଇଥାଆନ୍ତି ।

ନୂଆ ବାନା ବାନ୍ଧିବା ପରେ ପୁରୁଣା ବାନାଗୁଡ଼ିକୁ ଫିଟାଇ ଆଣି ଏମାନେ ଯାତ୍ରୀମାନଙ୍କୁ ବିକ୍ରି କରନ୍ତି । ପ୍ରତ୍ୟହ ଅପରାହ୍ନରେ ପାଳିଆ ଚୂନରା ସେବକ ଯଜମାନଙ୍କର ବାନାଗୁଡ଼ିକୁ ସାଙ୍ଗରେ ଧରି ଅଭ୍ୟାସଗତ କୌଶଳ ଜରିଆରେ ମନ୍ଦିର ଉପରକୁ ଚଢ଼ି ନିର୍ଦ୍ଧାରିତ ନିୟମ ଅନୁସାରେ ବାନାଗୁଡ଼ିକୁ ବାନ୍ଧି ପୁଣି ପୁରୁଣା ବାନାଗୁଡ଼ିକୁ ସେହିଭଳି ଗଣ୍ଠିଲି କରି ଅଣ୍ଟାରେ ଗୁଡ଼ାଇ ତଳକୁ ଓହ୍ଲାଇ ଆସିବା ପ୍ରକ୍ରିୟା ପ୍ରତ୍ୟକ୍ଷ କରିବା ପାଇଁ ବହୁ ସଂଖ୍ୟାରେ ଭକ୍ତ ପାଟଅଗଣାରେ ଉର୍ଦ୍ଧ୍ୱମୁଖା ହୋଇ ଚାହିଁରହିଥାଆନ୍ତି । ଦେଖାଯାଏ ବହୁ ଭକ୍ତ ଏହି ସେବା ଦେଖିବା ପାଇଁ ଅନେକ ସମୟ ଅପେକ୍ଷା କରି ରହିଥାଆନ୍ତି । ଚୂନରା ସେବକ ବାନା ବାନ୍ଧି ଆସିବା ପରେ ଭକ୍ତମାନେ ସେମାନଙ୍କ ପାଦ ଛୁଇଁ ନୀଳଚକ୍ର ସ୍ପର୍ଶ କରିବାର ଅନୁଭବ କରନ୍ତି! ଅଧୁନା ପ୍ରଚଳିତ ନିୟମ ଅନୁସାରେ ସର୍ବାଧିକ ଚଉଦ ହାତ ଲମ୍ବ ବାନା ସହିତ ଅନେକ ଗୁଡ଼ିଏ ଛୋଟ ବାନା ସବୁ ଲାଗୁଅଛି । ନୀଳଚକ୍ର ଶୀର୍ଷରେ ସଂଯୁକ୍ତ ଚଉଦ ହାତ ଲମ୍ବର ବାଉଁଶରେ କେବଳ ଗୋଟିଏ ବଡ଼ ବାନା ଲାଗିଥାଏ । ଅନ୍ୟ ଛୋଟ ବାନାଗୁଡ଼ିକୁ ମାଳ ଆକାରରେ ତା ତଳକୁ ଝୁଲାଇ ଦିଆଯାଏ ।

ପୁୁରୁଣା ବାନା ଓଲାଗି ହେବା ପରେ ଲମ୍ବ ବାନାଟିକୁ ପ୍ରଶାସନକୁ ଦେବା ପରେ ଛୋଟ ବାନାଗୁଡ଼ିକ ସେବକଙ୍କ ପ୍ରାପ୍ୟ ଭାବରେ ଧରାଯାଉଛି । ଏହି ସେବା, ବଂଶ ପରମ୍ପରା କ୍ରମେ କେବଳ ସାବାଳକମାନେ କରନ୍ତି । ଏହା ଶାଢ଼ିବନ୍ଧା ସେବା ନୁହେଁ । ଚୂନରା ସେବକମାନଙ୍କର ଏକ ନିଯୋଗ ରହିଛି । ସେଥିରେ ବର୍ତ୍ତମାନ ରହିଥିବା ୩୭ ଜଣ ସଦସ୍ୟଙ୍କ ମଧ୍ୟରୁ ଦଶ ଜଣ ଶାଢ଼ିବନ୍ଧା ସେବକ ଅଟନ୍ତି । ନିଯୋଗର ସଭାପତି ଜଗନ୍ନାଥ ମହାପାତ୍ର ଓ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର ରହିଛନ୍ତି । ଚୂନରା ସେବକଙ୍କ ଗୋତ୍ର ମୁଦ୍‌ଗଲ । ସାଧାରଣତଃ ଏମାନେ ମହାପାତ୍ର ଓ ମହାନ୍ତି ସାଙ୍ଗିଆଧାରୀ ହେଇଥାନ୍ତି । ଶ୍ରୀମନ୍ଦିରରେ ପ୍ରଚଳିତ ‘ସେବାବିଧି’ ଅନୁସାରେ ବାନା ବନ୍ଧା ସେବା ସହିତ ଏହି ବର୍ଗର ସେବକଙ୍କର ଅନ୍ୟ କେତୋଟି ସେବା ମଧ୍ୟ ରହିଛି ଯାହା ଏବେ କିଛିକାଂଶରେ ସଂକୁଚିତ ହୋଇଥିବା ଲକ୍ଷ୍ୟ କରାଯାଉଛି ।

୧. ମକର ସଂକ୍ରାନ୍ତି ଦିନ ଦଧିନଉତିରେ ଚୂନ ଓ ଗେରୁ ଲଗାନ୍ତି ।

୨. ବଡ଼, ମଝି ଓ ଭୋଗମଣ୍ଡପ ଦେଉଳରେ ଯେତେ ଗଛ ଉଠିବ ଏମାନେ ସବୁ କାଟନ୍ତି ।

୩. ଶ୍ରୀମନ୍ଦିରରୁ ଧୂପ ସିକୁଳା ନେଇ ଗୁଣ୍ଡିଚା ଘରେ ବାନ୍ଧନ୍ତି । କନକମୁଣ୍ଡିରେ, ସିଂହାସନ ଉପରେ, ଅଣସର ଘରେ, ପନ୍ତି ଉପରେ, ଅଣସର ପିଣ୍ଡି ଉପରେ, ଦକ୍ଷିଣି ଘରେ ବର୍ଷକୁ ବର୍ଷ ଚାନ୍ଦୁଆ ବାନ୍ଧିବା ଏହାଙ୍କ କାମ । ଗୁଣ୍ଡିଚା ଘରେ ମଧ୍ୟ ସେହିପରି
କରନ୍ତି । ସ୍ନାନ ବେଦୀ ଚାନ୍ଦୁଆ ଫିଟାଇ ମୁଦୁଲିକୁ ଦିଅନ୍ତି ।

୪. ମାର୍ଗଶୀର ମାସର ଦେବଦୀପାବଳୀ ଅବସରରେ ମହାପ୍ରଭୁ ତିନିଦିନ ବ୍ୟାପୀ ପୂର୍ବପୁରୁଷମାନଙ୍କୁ ଶ୍ରାଦ୍ଧ ଅର୍ପଣ କରିବା ନୀତି ପାଳନ ହେଉଥିବାରୁ ତିନି ଦେଉଳ ଉପରେ ଦୀପ ଜଳାନ୍ତି । ଏହି ତିନି ଦିନ ମହାଦୀପ ଉଠେ । ସବୁ ଭଗାରି ମିଶି ଏହା କରନ୍ତି ।

ଗରୁଡ଼ ସେବା :-
୫. ଚୂନରା ସେବକମାନଙ୍କ ମଧ୍ୟରୁ ମାତ୍ର କେତେଜଣ ଶାଢ଼ିବନ୍ଧା ସେବକ ଭାବରେ ଗରୁଡ଼ ସେବା କରିଥାଆନ୍ତି । ଜଗମୋହନରେ ସ୍ଥିତ ଗରୁଡ଼଼ ଖମ୍ବରେ ଥିବା ବିଗ୍ରହଙ୍କୁ ଏମାନେ ପ୍ରତ୍ୟହ ମାଜଣା କରିଥାଆନ୍ତି । ନିଶୁଣୀ ସାହାଯ୍ୟରେ ଚଢ଼ି ଚୂଆ, ଚନ୍ଦନ ଇତ୍ୟାଦି ଲେପନ କରି ଗରୁଡ଼ ମୂର୍ତ୍ତିଙ୍କୁ ସ୍ନାନ କରାଇ ବସ୍ତ୍ର ଓ ପୁଷ୍ପରେ ସଜାଇଥାଆନ୍ତି । ଏହି ଗରୁଡ଼ ସ୍ନାନ ସମୟରେ ବହୁ ଭକ୍ତ ପାଦୁକ ପାଇବା ଆଶାରେ ଚତୁଃପାଶ୍ୱର୍ରେ ଅପେକ୍ଷା କରିଥାଆନ୍ତି । ସମ୍ପୃକ୍ତ ସେବକ ଗରାରେ ପାଣି ନେଇ ନିଶୁଣୀ ଉପରେ ରହି ମାଜଣା କରିବା ସମୟରେ ସ୍ନାନ ଜଳକୁ ତଳେ ସ୍ତମ୍ଭ ଚାରିପଟେ ଅପେକ୍ଷାରତ ଭକ୍ତମାନଙ୍କ ଉପରେ ଛିଞ୍ଚି ଦିଅନ୍ତି । ଏହି ସ୍ନାନ ଜଳ ସିଞ୍ଚନରେ ଅନେକ ରୋଗ ବ୍ୟାଧି ଉପଶମ ହୁଏ ବୋଲି ବିଶ୍ୱାସ ଥିବାରୁ ସେଥିରେ ଭକ୍ତମାନେ କୃତାର୍ଥ ଲାଭ କରନ୍ତି । କେହି କେହି ଭକ୍ତ ଏହି ସ୍ନାନ ଜଳ ସଂଗ୍ରହ କରିବା ପାଇଁ ହାତରେ ପାତ୍ରମାନ ଧରି ରହିଥାଆନ୍ତି ।

୬. ଗରୁଡ଼ ସେବା ସହିତ ସିଂହଦ୍ୱାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭ ଶୀର୍ଷରେ ସ୍ଥାପିତ ଅରୁଣ ବିଗ୍ରହଙ୍କ ମାର୍ଜନା କରିବା ମଧ୍ୟ ଏହି ଚୂୂନରା ସେବକମାନଙ୍କ ସେବାର ଅନ୍ତର୍ଭୁକ୍ତ । ମାତ୍ର ଏହି ସ୍ତମ୍ଭର ଉଚ୍ଚତା ଦୃଷ୍ଟିରୁ ଉକ୍ତ ସେବା ପ୍ରାୟତଃ କରାଯାଏ ନାହିଁ ।

୭. ରଥଯାତ୍ରାରେ ଚତୁର୍ଦ୍ଧାମୂତ୍ତି ରଥାରୂଢ଼ ହୋଇ ଆଡ଼ପ ମଣ୍ଡପକୁ ବିଜେ କରିବା ପରେ ଅଣସର ଘରେ ଯେଉଁ ପିଣ୍ଡି ଉପରେ ମହାପ୍ରଭୁ ବିଜେ କରିଥାଆନ୍ତି ସେଗୁଡ଼ିକର ସୁରକ୍ଷା ଚୂନରା ସେବକଙ୍କ ଉପରେ ନ୍ୟସ୍ତଥାଏ । ସେଠାରୁ ପିଣ୍ଡିକା ଆକାରରେ ଯାହା ଆୟ ହୁଏ ତାହାର ସିଂହଭାଗ ଚୂନରା ନିଯୋଗର ପ୍ରାପ୍ୟ ।

ଚୂନରା ସେବକମାନଙ୍କର ସେବା, ଦାୟିତ୍ୱ, କାର୍ଯ୍ୟକାରିତା ତଥା ପ୍ରାପ୍ୟ ଆଦି ବିଷୟରେ ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ କରିବା ଉଦ୍ଦେଶ୍ୟରେ ବରିଷ୍ଠ ସେବକ  ଶରତ କୁମାର ମହାନ୍ତିଙ୍କର ଉକ୍ତି ଏହିପରି :-

ପ୍ରଶ୍ନ :- ଏକାଦଶୀ ଦିନ ମହାଦୀପ ଉଠିଲା ବେଳେ କେତେଜଣ ସେବକଙ୍କ ଆବଶ୍ୟକ ପଡ଼େ ଓ ଦୀପ ଜାଳିବା ସମୟରେ କ’ଣ ଡାକ ଦିଆଯାଏ ?
ଉତ୍ତର :- ଏକାଦଶୀ ଦିନ ସନ୍ଧ୍ୟା ଧୂପ ବସିବା ପରେ ଆମେ ତିନି ବା ଚାରିଜଣ ସେବକ ସମସ୍ତେ ଆବଶ୍ୟକୀୟ ଜିନିଷ ଯଥା ମାଟିତାଡ଼, ଘିଅବୁଡ଼ା ବଳିତା, ଚନ୍ଦ୍ରଉଦିଆ, କର୍ପୂର, ଫୁଲତୁଳସୀ, ଘୋରା ଚନ୍ଦନ ଓ ଦିଆସିିଲି ଇତ୍ୟାଦି ସାଙ୍ଗରେ ନେଇ ଉପରକୁ ଉଠିଥାଉ । ପବନର କ୍ଷୀପ୍ରତାକୁ ଜଗି ଅତ୍ୟନ୍ତ ସାବଧାନତାର ସହିତ ମହାଦୀପ ଜଳାଇବାକୁ ହୋଇଥାଏ । ତା’ପରେ ଚନ୍ଦ୍ରଉଦିଆ ଜଳାଇ ଦଧିନଉତିକୁ ପରିକ୍ରମା କରି ଡାକ ଦିଆଯାଏ ।

ପ୍ରଶ୍ନ :- ସେ ଡାକରେ କ’ଣ କୁହାଯାଏ?

ଉତ୍ତର :- ହରିବୋଲ । ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟୋତ୍କଳ ବର୍ଗେଶ୍ୱର ଅଭିରାୟ ଭୂତଭୈରବ ଅନିକରଣେ ରାଉତରାୟ ଦୁଃସହ ଦୁଃଶାସନ ଅତୁଳବଳ ପରାକ୍ରମୀ ସଂଗ୍ରାମେ ସହସ୍ରବାହୁ କ୍ଷତ୍ରୀୟକୂଳ ଧୂମକେତୁ ବୀରାଧିବୀରବର ଶ୍ରୀ ଶ୍ରୀ ଶ୍ରୀ ଦିବ୍ୟସିଂହ ମହାରାଜାଙ୍କୁ ଶଙ୍ଖେ ପୂରାଇ ଚକ୍ର ଉହାଡ଼େ ରଖିଥାଅ ହେ ! ମହାପ୍ରଭୁ । ସଂସାର ସୁଖୀ ରଖ ହେ ମହାପ୍ରଭୁ ।
(ମହାଦୀପ ଜଳାଇବା ସହିତ ଗଜପତିଙ୍କ ସୁରକ୍ଷା ତଥା ସଂସାରର ସୁଖ କାମନା କରି ଏହି ଡାକ ଆମ ସଂସ୍କୃତିର ‘ ସର୍ବଜନ ହିତାୟ ସର୍ବଜନ ସୁଖାୟ’ ନୀତିର ଅନନ୍ୟ ନିଦର୍ଶନ)

ପ୍ରଶ୍ନ :- ଆପଣଙ୍କ ସେବା ଅନୁଭୂତି ଓ ସେବାଜନିତ ପ୍ରାପ୍ତି ତଥା ପ୍ରଶାସନର ସହଯୋଗ ବିଷୟରେ କୁହନ୍ତୁ ।

ଉତ୍ତର :- ମୁଁ ବାର ବର୍ଷ ବୟସରେ ପ୍ରଥମେ ମୋ ବାପା କୁଞ୍ଜ ମହାନ୍ତିଙ୍କ ସହିତ ଶ୍ରୀମନ୍ଦିରର ଅଧା ଉଚ୍ଚତା ପର୍ଯ୍ୟନ୍ତ ଚଢ଼ିଥିଲି । ତା’ପରେ ସମୟକ୍ରମେ ସାହସ ବାନ୍ଧି ଉପର ପର୍ଯ୍ୟନ୍ତ ଚଢ଼ିପାରିଲି । ଏହା ଆମ ବର୍ଗର ପ୍ରାୟ ସମସ୍ତ ସେବକଙ୍କ କ୍ଷେତ୍ରରେ ସେବା କାର୍ଯ୍ୟ ଆରମ୍ଭ କରିବା ସମୟରେ ଘଟିଥାଏ । ବାନା ବାନ୍ଧିବା ପାଇଁ ଉଠିବା  ପୂର୍ବରୁ ଆମେ ମା’ ବିମଳାଙ୍କୁ ସ୍ମରଣ କରି ଦେଉଳ ଉପରକୁ ଚଢ଼ିଥାଉ । ଶ୍ରୀମନ୍ଦିର ଚୂଡ଼ାରେ ଚଢ଼ି ବାନା ବାନ୍ଧୁଥିବାର ସ୍ୱାଭିମାନ ରହିଥିଲେ ମଧ୍ୟ ମହାପ୍ରଭୁଙ୍କ ନିକଟରେ ସମର୍ପିତ ହୋଇଥାଉ । ଆମ ସେବା ପାଇଁ ପ୍ରଶାସନ ପକ୍ଷରୁ ପାରିଶ୍ରମିକ ବ୍ୟବସ୍ଥା ନାହିଁ । କେବଳ ମକର ସଂକ୍ରାନ୍ତି ଭଳି ପର୍ବରେ ସାମାନ୍ୟ କ୍ଷେଇ ବ୍ୟବସ୍ଥା ରହିଛି । ୨୦୧୫ ମସିହାରେ ତତ୍‌କାଳୀନ ମୁଖ୍ୟ ପ୍ରଶାସକ ଆମେ ପୁରୁଣା ବାନା ସବୁ ଯାତ୍ରୀମାନଙ୍କୁ ବିକ୍ରି କରୁଥିବାର ଦେଖି ବାନାଗୁଡ଼ିକୁ ଜବତ୍ କରିବାକୁ ଚାହିଁଲେ । ଏହା ଆମର କୌଳିକ ବୃତ୍ତି ଏବଂ ନାର୍ଯ୍ୟପ୍ରାପ୍ତି ଏବଂ ବାନା ଜବତ କଲେ ଆମେ ଆମ ସେବା ବନ୍ଦ କରିବାକୁ ବାଧ୍ୟ ହେବୁ ବୋଲି ଜଣାଇଲୁ । ତଥାପି ସେ ଅଡ଼ି ବସିଲେ ତେଣୁ ଆମେ ତାଙ୍କୁ ନିଜେ ଧୋତି ପିନ୍ଧି ମନ୍ଦିର ଉପରକୁ ଚଢ଼ି ବାନା ବାନ୍ଧିଦିଅନ୍ତୁ ବୋଲି ଆହ୍ୱାନ କଲୁ । ଦ୍ୱନ୍ଦ୍ୱ କ୍ରମେ ଅଦାଲତି ମାମଲାକୁ ଗଲା । ଅଦାଲତଙ୍କ ନିଷ୍ପତ୍ତି ଅନୁସାରେ ଏବେ ସବୁଠାରୁ ଦୀର୍ଘ ଚଉଦ ହାତର ବାନା ପ୍ରଶାସନ ନେଇ ଭକ୍ତମାନଙ୍କୁ ବିକ୍ରି କରୁଛନ୍ତି । ଆମକୁ ବାକି ଅନ୍ୟସବୁ ଛୋଟ ବାନାଗୁଡ଼ିକ ମିଳୁଛି ।

ପ୍ରଶ୍ନ :- ବାନା ବାନ୍ଧିବା ପାଇଁ ଶ୍ରୀମନ୍ଦିର ଉପରକୁ ଗଲେ ସେଠାରେ କ’ଣ ଅନୁଭବ ହୁଏ ଓ କ’ଣ ଦୃଶ୍ୟମାନ ହୁଏ ?

ଉତ୍ତର :- ପ୍ରଥମତଃ ଉପରେ ଆମର ଆମ ସେବା ଉପରେ ନିଘା ରହିଥାଏ । ପ୍ରଚଣ୍ଡପବନ ମାଡ଼ ସମ୍ଭାଳି ସେବା କରିବାକୁ ହୁଏ । ଉପରୁ ଦୂରଦୂରାନ୍ତ ପର୍ଯ୍ୟନ୍ତ ଅଞ୍ଚଳ ଭଲ ପାଗ ଥିଲେ ଦେଖାଯାଏ । ପଶ୍ଚିମ ଆଡ଼କୁ ଦେଖିଲେ ଚିଲିକା ଭିତର ପାହାଡ଼ କେତୋଟି ସହିତ ଦୃଷ୍ଟି ଉତ୍ତର ଦିଗକୁ ବୁଲାଇଲେ ବାଣପୁରର ପାହାଡ଼, ତା’ ପରେ ବରୁଣେଇ ପାହାଡ଼ ଓ ଶେଷରେ ବିଶ୍ୱନାଥ ମୁଣ୍ଡିଆ ଆଦି ଦେଖାଯାଏ । ଏହି ବିଶ୍ୱନାଥ ମୁଣ୍ଡିଆ ପୁରୀର ନିକଟତମ ମୁଣ୍ଡିଆ ବୋଲି ଜଣାଯାଏ ।

ପ୍ରଶ୍ନ :- ଆପଣଙ୍କ ସେବା ଜୀବନ ଭିତରେ ସେମିତି କିଛି ଅଲୌକିକ ଅନୁଭୂତି ରହିଛି କି?

ଉତ୍ତର :- ୧୯୯୯ ମହାବାତ୍ୟା ବେଳେ ଦିନେ ପବନରେ ବାନା ଉଡ଼ିଯାଇ ମହାପ୍ରଭୁଙ୍କ ଭୋଗ ବନ୍ଦ ରହିଥିବା ଖବର ପାଇ ମୋ ମନ ଆନ୍ଦୋଳିତ ହୋଇ ଉଠିଲା । ସେଇ ବର୍ଷାପବନ ମାଡ଼ ମଧ୍ୟରେ ମୁଁ ଘରୁ ବାହାରି ଆସି ଏକ ପୁରୁଣା ବାନା ସଂଗ୍ରହ କରି ଶ୍ରୀଜଗନ୍ନାଥଙ୍କ ନାମ ନେଇ ଉପରକୁ ଉଠିଲି । ଜଣେ ସେବକ ଚଢ଼ିବା ବେଳକୁ ମୋତେ ଦେଖି ଆଶ୍ଚର୍ଯ୍ୟ ହେଲେ । କଷ୍ଟ ଅଧିକା ହେଲା ମାତ୍ର ଉପରକୁ ଯାଇ ପହଁଞ୍ଚିବା ପରେ ଅବସ୍ଥା ଅସମ୍ଭାଳ ହେଇପଡ଼ିଲା । ବର୍ଷା ସହ ପବନର ବେଗ ଏତେ ଅଧିକ ଥିଲା ଯେ ମନରେ ଭୟ ଆସୁଥିଲା । ପୁଣି ମନ ସ୍ଥିରକରି ମହାପ୍ରଭୁଙ୍କୁ ସ୍ମରଣ କରି ନୀଳଚକ୍ର ଉପରୁ ବାଉଁଶ ଖୋଲିବା ବେଳକୁ ମୋତେ ଲାଗିଲା ସତେ ଯେମିତି କିଛି ସମୟ ପାଇଁ ପବନ ସ୍ଥିର ହୋଇଗଲା । ମୁଁ ସୁବିଧାରେ ବାନା ବାନ୍ଧି ଓହ୍ଲାଇ ଆସିଲି । ବାନା ଲାଗିବା ପରେ ଭୋଗ ବସିଲା । ଅନ୍ୟ ସେବକମାନେ ମୋର କାର୍ଯ୍ୟକୁ ପ୍ରଶଂସା କଲେ ।

ପ୍ରଶ୍ନ :- ଏହି ସେବା କରିବା ଅବସରରେ କେବେ କିଛି ଦୂର୍ଘଟଣା ଘଟିଛି କି?

ଉତ୍ତର :- ମୁଁ ଜାଣିବାରେ ମହାପ୍ରଭୁଙ୍କ ଅପାର କରୁଣାରୁ କେବେ ସେମିତି କିଛି ଘଟିନାହିଁ । ମନେ ପଡ଼ୁଛି କିଛି ଦିନ ତଳେ ଆମର ଜଣେ ଯୁବ ସେବକ ଅଁଳା ତଳେ ଥିବା ମହାବୀରଙ୍କୁ ଦୀପ ଦେବା ବେଳେ କିଛି ଅସାବଧାନତା ସକାଶେ ମହୁମାଛି ଆକ୍ରମଣର ଶିକାର ହୋଇଥିଲା । ସେହି ସ୍ଥାନରେ ଏକ ମହୁଫେଣା ରହିଛି । ସେ ଆକ୍ରମଣ ଏତେ ତୀବ୍ର ଥିଲା ଯେ ସେ ବହୁ କଷ୍ଟରେ ତଳକୁ ଓହ୍ଲାଇବା ପରେ ତା’ର ଅବସ୍ଥା ଶୋଚନୀୟ ହୋଇପଡ଼ିଲା । ପ୍ରଥମେ ପୁରୀ ଡାକ୍ତରଖାନାରେ ଭତ୍ତି ହେଲା ଏବଂ ସଙ୍ଗେ ସଙ୍ଗେ କଟକ ମେଡ଼ିକାଲକୁୁ ନିଆଗଲା । ସେଠାରେ ତ୍ୱରିତ ଚିକିତ୍ସା ନମିଳିବାରୁ ଆମେ ଗଣମାଧ୍ୟମର ସହାୟତା ନେଇଥିଲୁ । ଦୂରଦର୍ଶନରେ ସେହି ଖବର ପ୍ରସାରିତ ହେବାରେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ପ୍ରକାଶ ପାଇଥିଲା ଏବଂ ସେ ସେବକ ଚିକିତ୍ସିତ ହୋଇ ଜୀବନ ବଞ୍ଚାଇପାରିଥିଲା । ସବୁ ସେଇ ମହାପ୍ରଭୁଙ୍କ ଦୟା ।

କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ- ୯୪୩୭୧୬୬୩୬୯

Leave A Reply

Your email address will not be published.