Latest Odisha News

ମନୋଜ ମନୋଜ୍ଞ ପୃଥିବୀର ବିଷ୍ଣୁ ଶର୍ମା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ

ପ୍ରଜ୍ଞା ପୁରୁଷ, ବାଗ୍ମୀ ପୁରୁଷ, ଯୁଗ ଶତାବ୍ଦୀ ପୁରୁଷ, ବିଶ୍ୱ ପୁରୁଷ ମନୋଜ ଦାସ, ଓଡ଼ିଆ ସାହିତ୍ୟ ଜଗତରେ ନୁହଁନ୍ତି କି ଭାରତୀୟ ସାହିତ୍ୟ ଜଗତରେ ନୁହଁନ୍ତି ସେ ଅନ୍ତର୍ଜାତୀୟ ସାହିତ୍ୟ ଜଗତର ଜଣେ ଶ୍ରେଷ୍ଠ ମନୋଜ୍ଞ ପୁରୁଷ । କହିବାର ଅର୍ଥ ବିଶ୍ୱର ପ୍ରସିଦ୍ଧ ଗାଳ୍ପିକମାନଙ୍କ ମଧ୍ୟରେ ସେ ସବୁଠାରୁ ଶୀର୍ଷରେ । ବିଶ୍ୱ ପ୍ରସିଦ୍ଧ ସାହିତ୍ୟିକମାନଙ୍କ ଦୃଷ୍ଟିରେ ମଧ୍ୟ ମନୋଜ ଦାସ ଥିଲେ ସମସ୍ତଙ୍କଠାରୁ ବହୁ ଉର୍ଦ୍ଧ୍ୱରେ । ବିଶ୍ୱ ସ୍ତରୀୟ ଗଳ୍ପ ସଙ୍କଳନର ମନୋନୀତ କଥାକାରମାନଙ୍କ ଗୋଟିଏ ଗଳ୍ପ ନିର୍ବାଚିତ ହୋଇ ପ୍ରକାଶ ପାଇବା କଷ୍ଟକର ଥିବା ବେଳେ ମନୋଜ ଦାସଙ୍କ ଏକାଥରକେ ଚାରୋଟି ଗଳ୍ପ ସେହି ସଙ୍କଳନରେ ପ୍ରକାଶ ପାଇବା ବାସ୍ତବରେ ବିଶ୍ୱ କଥାକାରଙ୍କଠାରୁ ସେ ଏକ ବିସ୍ମୟ କହିଲେ ଅତ୍ୟୁକ୍ତି ହେବନାହିଁ ।

ଏହି ପ୍ରତିଭାବାନ ଶତାବ୍ଦୀ ପୁରୁଷଙ୍କ ୧୯୩୪ ମସିହା ଫେବୃଆରୀ ୨୭ରେ ବାଲେଶ୍ୱର ଜିଲ୍ଲାର ଶଙ୍ଖାରି ଗାଁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବାପା ଥିଲେ ମଧୁସୂଦନ ଦାସ ଓ ମା କାଦମ୍ବିନୀ ଦେବୀ । ବାଲେଶ୍ୱର ଜିଲ୍ଲା ସ୍କୁଲରେ ତାଙ୍କ ପାଠପଢ଼ା ଆରମ୍ଭ ହୋଇଥିବାବେଳେ ତାଙ୍କ ପରିବାର ବ୍ୟାସକବି ଫକୀରମୋହନ ସେନାପତିଙ୍କ ବାସଭବନରେ ରହୁଥିଲେ । ପ୍ରାରମ୍ଭରେ ନିଜର ସାଧନା ଦୀପ୍ତ ଅନୁଭୂତି ପ୍ରାଣରୁ ଉତ୍ସାହିତ କରିବାରେ ବ୍ୟାସଙ୍କ ବାସଭବନ ବୋଧହୁଏ ତାଙ୍କ ପାଇଁ ପ୍ରକୃଷ୍ଟ ଅନୁକୂଳ ସ୍ଥାନ । ବାଲ୍ୟ ଜୀବନରୁ ସାହିତ୍ୟ ପ୍ରତି ତାଙ୍କର ଥିଲା ପ୍ରଗାଢ଼ ଅନୁରାଗ ।

ଛାତ୍ରାବସ୍ଥାରେ ଥିଲେ ବାମପନ୍ଥୀ ଛାତ୍ରନେତା । ବାଲେଶ୍ବରରେ ଛାତ୍ର ଥିବାବେଳେ ବାମପନ୍ଥୀ ଆନ୍ଦୋଳନ ସହ ସମ୍ପୃକ୍ତ ଥିଲେ । ଏପରିକି ଫକୀରମୋହନ ମହାବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ର ଥିବାବେଳେ ସେ ଛାତ୍ର ସଂସଦର ସଭାପତି ଥିଲେ ଓ ରାଜ୍ୟ ଛାତ୍ର ଫେଡେରେସନର ଉପସଭାପତି ଥିଲେ । ବାଲେଶ୍ବରରେ ପଢ଼ା ସରିବା ପରେ ସେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ କଟକରେ ଆଇନ ପଢ଼ିଥିଲେ। ଏଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ କଲେଜରେ ପଢ଼ିବାବେଳେ ସେଠାରେ ମଧ୍ୟ ଛାତ୍ର ସଂସଦର ସଭାପତି ଥିଲେ । ପରେପରେ ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ୧୯୫୯ ରେ କଟକ ଖ୍ରୀଷ୍ଟ ମହବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ଜଣେ ସଫଳ ଛାତ୍ର ନେତା ସଫଳ ଇଂରାଜୀ ଅଧ୍ୟାପକ ଭାବରେ ଓଡ଼ିଶାରେ ସୁନାମ ଅର୍ଜନ କରି ଆସୁଥିବା ମନୋଜ ଦାସଙ୍କ ଶ୍ରୀଅରବିନ୍ଦଙ୍କ ଦର୍ଶନ ପ୍ରତି ଥିଲା ବିଶେଷ ଆକର୍ଷଣ । ଫଳତଃ ୧୯୬୩ ରେ ମନୋଜ ଦାସ ପଣ୍ଡିଚେରୀ ଶ୍ରୀଅରବିନ୍ଦ ଆଶ୍ରମ ଚାଲିଯାଇ ସେଠାକାର ଅନ୍ତର୍ଜାତୀୟ ଶିକ୍ଷାକେନ୍ଦ୍ରରେ ଅଧ୍ୟାପନା ଯୋଗ ଦେଇଥିଲେ । ଦୀପ୍ତିମାନ ଏହି ଉଜ୍ଜ୍ୱଳ ବାଗ୍ମୀ ପୁରୁଷଙ୍କୁ ସତେ ଯେମିତି ସୁଯୋଗ ଅପେକ୍ଷା କରି ରହିଥିଲା ପଣ୍ତିଚେରୀର ପବିତ୍ର ମହାର୍ଘ୍ୟ ଆଶ୍ରମ । ମନୋଜ୍ଞ ପୃଥିବୀର ଅକୁହା କଥାକୁ ନିଜ ଶିଳ୍ପ-ମାନସରେ ରୂପାୟନ କରି ଅନ୍ତର୍ଜାତୀୟ ସ୍ତରରେ ଅଜସ୍ର ସମ୍ମାନରେ ସମ୍ମାନିତ କରିବାକୁ…!

ସୃଷ୍ଟି ଶିଳ୍ପର ପ୍ରାରମ୍ଭ କାଳରୁ ସେ ଉଭୟ କବିତା ଓ ଶିଳ୍ପ ସର୍ଜନାରେ ଧ୍ୟାନସ୍ଥ ରହିଥିଲେ ମଧ୍ୟ ଗୁଣାତ୍ମକ ଓ ପରିମାଣାତ୍ମକ ଦିଗରୁ ବିଶେଷ କରି ଗଳ୍ପ ସାଧନରେ ଅଧିକ ସଫଳତାର ଶୀର୍ଷରେ ଥିଲେ । କବିତା ପ୍ରେରଣା ଆବେଗ ତାଙ୍କ ଗଳ୍ପ ସର୍ଜନାରେ ଏକ ସୁନ୍ଦର କାବ୍ୟିକ ଭାବମୂର୍ତ୍ତି ଗଠନ କରିବାରେ ସହାୟକ ହୋଇଥିଲା । ଯଦିଓ ତାଙ୍କ କବିତାରେ ପ୍ରତିଫଳିତ ମାର୍କସୀୟ ପ୍ରାଚୁର୍ଯ୍ୟ ସମକାଳୀନ ଗଳ୍ପଗୁଡ଼ିକରେ ସିଧାସଳଖ ଭାବେ ପରିଲକ୍ଷିତ ହୋଇନାହିଁ । ସୂକ୍ଷ୍ମ ଦୃଷ୍ଟିରୁ ବିଚାର କଲେ ସାମ୍ୟବାଦୀ ଚେତନାର ଉଗ୍ର ଅଜବ ଧାରା ଶ୍ରୀଅରବିନ୍ଦଙ୍କ ଦର୍ଶନ ଦିଗରେ ମୁହାଁଇବା ଫଳରେ ତାଙ୍କ ଗଳ୍ପ ସୃଷ୍ଟିରେ ରୂପାନ୍ତରିତ ହୋଇଛି । ମନୋଜ ଦାସ ଥିଲେ ଜଣେ ଧୂରୀଣ ଅଧ୍ୟାପକ, ପ୍ରବୀଣ ବକ୍ତା, ସଚେତନ ସମାଜ ସଂସ୍କାରକ, ସ୍ୱୟଂସିଦ୍ଧ ସାରସ୍ଵତ ସ୍ରଷ୍ଟା ଓ ସୁନାମଧନ୍ୟ ସଂପାଦକ । କିଶୋର ବୟସରେ ସ୍ୱହସ୍ତ ଲିଖିତ ପତ୍ରିକା ପ୍ରକାଶ ଆରମ୍ଭ କରି ପରବର୍ତ୍ତୀ ସମୟରେ ମାସିକ ସାହିତ୍ୟ ‘ଦିଗନ୍ତ’ ପତ୍ରିକାର ସୁଯୋଗ୍ୟ ସଂପାଦକ ଥିଲେ । ଏପରିକି ବିଖ୍ୟାତ ଚାନ୍ଦାମାମା ପ୍ରକାଶନ ପକ୍ଷରୁ ପ୍ରକାଶ ପାଇଥିବା ‘ ଦି ହେରିଟେଜ୍ ‘ରେ ତାଙ୍କ ରୁଚି ପୂର୍ଣ୍ଣ ସଂପାଦନାର ସ୍ୱାକ୍ଷର ବହନ କରିଥିଲା । ଏପରିକି ‘ବିଜୟା’ ପତ୍ରିକାର ସମ୍ପାଦକ ରୂପେ କାର୍ଯ୍ୟ ତୁଲାଇଥିଲେ ।

ବହୁଳ ସମସ୍ୟା ମଣ୍ତିତ ସମାଜ ମଧ୍ୟରେ ମୂଲ୍ୟବୋଧ ସଚେତନ ଆଧ୍ୟାତ୍ମିକ ପ୍ରବେଶ ଆଡ଼କୁ ଗତି ଫେରାଇ ଥିବା ମନୋଜ ଦିବ୍ୟ ଦର୍ଶନକୁ ଅନୁଭବ କରିଥିଲେ । ଯାହା ଦ୍ବାରା ଉତ୍ତରିତ ଗାଳ୍ପିକ ସର୍ତ୍ତାମାନସ ଅଧିକ ଉଦାର ଓ ସମ୍ବେଦନଶୀଳ ହୋଇ ପଡ଼ିଥିଲା । ଗଦ୍ୟ ଶିଳ୍ପର ଅନ୍ୟ ଦିଗ ଗୁଡିକ ଭିତରେ ବିଶେଷ କରି ସନ୍ଦର୍ଭ, ଭ୍ରମଣ କାହାଣୀ, ରମ୍ଯମୂଳକ ରଚନା ଭିତରେ ସମାଜର ଦାୟିତ୍ଵ ନିର୍ବାହ କରିବାକୁ ଲେଖନୀ ଶକ୍ତ କରିଥିଲେ । ସାମାଜିକ ଆଦର୍ଶ ପ୍ରତି ଦୃଷ୍ଟି ଦେଇ ସେ ଯାହା କିଛି ବକ୍ତବ୍ୟ ରଖୁଥିଲେ ହୁଏତ ସେଥିରେ ସୃଜନଶୀଳ ପ୍ରେରଣା ନଥାଇ ପାରେ କିନ୍ତୁ ତାହାର ନେପଥ୍ୟରେ ମନୋଜ୍ଞ ମନୋରମ ମନୋନୀୟ ଏକ ଗୃଢ ବିସ୍ମିତ ଢଙ୍ଗ ଓ ଦର୍ଶନ ସହଜରେ ଧରାପଡିଯାଏ ତାହା କେବଳ ମନୋଜ ଦାସ ପ୍ରେମୀ ବୁଝିପାରନ୍ତି । ଅର୍ଥାତ୍ ମନୋଜ ଦାସଙ୍କୁ ପ୍ରାଣ ଭରି ଭଲ ପାଉଥିବା ସକଳ ପାଠକ ଗୋଷ୍ଠୀଙ୍କ ନିମନ୍ତେ ତାଙ୍କର ପ୍ରକାଶ କରିବାର କଳା କୈାଶଳ ସ୍ପଷ୍ଟ ହୋଇଯାଏ । ଅଗଣିତ ପାଠକ ତାଙ୍କର ସୃଷ୍ଟି ସମ୍ପଦରେ ହୋଇଥାନ୍ତି ମନ୍ତ୍ର ମୁଗ୍ଧ । ତାଙ୍କର ଅମଳିନ ସୃଷ୍ଟି ସଂପଦ ମଧ୍ୟରେ ‘ମନୋଜ ଦାସଙ୍କ କଥା ଓ କାହାଣୀ’, ‘ଶେଷ ବସନ୍ତର ଚିଠି’, ‘ ଆବୁ ପୁରୁଷ ଓ ଅନ୍ୟାନ୍ୟ କାହାଣୀ’, ‘ ଧୂମାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ’, ‘ବିଷ କନ୍ୟାର କାହାଣୀ’, ‘ଆରଣ୍ୟକ’, ‘ସମୁଦ୍ରର କ୍ଷୁଧା, ‘ ନନ୍ଦାବତୀର ମାଝୀ’, ମଧୁବନର ମେୟର’, ‘ରବିବାସରୀୟ ସଂଗୀତ’, ‘ପଦଧ୍ୱନୀ’, ‘ଜୀଵନର ସ୍ୱାଦ’, ‘ସରଳ ରାମାୟଣ’, ,’ ଦୂର ଦୂରାନ୍ତ, ‘ ବୁଲଡୋଜର୍ସ’, ଆଧୁନିକ ଅବଲୋକରା କାହାଣୀ ଆଦି ଅବିସ୍ମରଣୀୟ । ସେ ଜଣେ ସଫଳ ଉଚ୍ଚକୋଟୀର ପ୍ରାବନ୍ଧିକ । ଆଧୁନିକ ଚିନ୍ତା ଚେତନାରେ ପରିପୃଷ୍ଟ ‘ ଦୂର ଦୂରଦୂରାନ୍ତର’ ଏକ ସରସ ଓ ମାନବଧର୍ମୀ କାହାଣୀ । ଭାରତୀୟ ପରମ୍ପରାକୁ ହୃଦୟ ଭରି ଭଲ ପାଉଥିବା ମନୋଜଙ୍କ ଶ୍ରେଷ୍ଠ ଅବଦାନ ‘ ଅନ୍ତରଙ୍ଗ ଭାରତ’ । ଦୂର ଦୂରଦୂରାନ୍ତରେ ଭ୍ରମଣ କରି କିଛି ସ୍ମୃତି ଓ ଅନୁଭୂତିକୁ ପାଥେୟ କରି ରଚନା କରିଥିଲେ ଭ୍ରମଣ କାହାଣୀ ‘ ଦୂରଦୂରାନ୍ତର’ , ‘ କେତେକ ଦିଗନ୍ତ’ ଓ ‘ଇଣ୍ତୋନେସିଆ କାହାଣୀ’ । ତାଙ୍କର ପ୍ରତ୍ୟେକଟି ସୃଷ୍ଟି କାଳଜୟୀ, ଯାହା ଆଜିର ପାଠକଙ୍କ ପାଇଁ କେବଳ ନୁହେଁ, ଆଗାମୀ ପାଠକଙ୍କ ପାଇଁ ଆଦରଣୀୟ ଓ ଗ୍ରହଣୀୟ ହେବ ‌ ।

ମନୋଜ ଦାସଙ୍କ ସାଧନା ଦୀପ୍ତ ସୃଷ୍ଟି ସମ୍ପୂର୍ଣ୍ଣ ନିଆରା । ଏ ସୃଷ୍ଟି ଜଗତର ସର୍ବ ଶ୍ରେଷ୍ଠ ମଣିଷକୁ ସୁନାକୁ ପରଖିବା ଭଳି ପରଖି ନେଇଛନ୍ତି । ତନ୍ନତନ୍ନ କରି ଅନୁଶୀଳନ କରି ତା’ର ହସ କାନ୍ଦ, ସୁଖ ଦୁଃଖକୁ ଅନୁଭବ କରି ବ୍ୟଥିତ ହୋଇଛନ୍ତି । ଦରଦୀ ହୃଦୟରେ ସହାନୁଭୂତି ଦର୍ଶାଇ ଅସହାୟତାର ସୂଚନା ଦେଇଛନ୍ତି । ମୁଖା ପିନ୍ଧି ଅଭିନୟ କରୁଥିବା ମଣିଷର ମୁଖା ସମାଜ ସାମ୍ନାରେ ଖୋଲିଦେଇଛନ୍ତି । ବିଭିନ୍ନ ପଦପଦବୀ ମଣ୍ଡନ କରି ଅବସ୍ଥାନ କରୁଥିବା ଆଧୁନିକ ମଣିଷର ନିର୍ବୋଧତା, ହୀନମନ୍ୟତା ପାଇଁ ବିଦ୍ରୁପ କରିବାରେ ଅବହେଳା କରିନାହାନ୍ତି । ଦୁର୍ନୀତିଗ୍ରସ୍ତ ପଦସ୍ଥ ମଣିଷର ଭ୍ରାନ୍ତି, ଅହମିକାର ରୂପାୟନ କରି ପାଠକଙ୍କ ନିକଟରେ ସେମାନଙ୍କ ସହାନୁଭୂତି ଲୋଡିଛନ୍ତି । ଆକର୍ଷଣର କେନ୍ଦ୍ରବିନ୍ଦୁ ଭିତରକୁ ଟାଣି ଆଣି କାଠଗଡ଼ାରେ ଦୋଷୀକୁ ଠିଆ କରାଇଛନ୍ତି । ପତନୋନ୍ମକ୍ତ ସାମନ୍ତ ବାଦୀ ଚରିତ୍ରର ଅସହାୟତା ପ୍ରତି ଅହେତୁକ ସମାବେଦନା ଦେବାରେ କେବେ କାର୍ପଣ୍ୟ କି କୁଣ୍ଠିତ ହୋଇନାହାନ୍ତି । ମନୋଜ ସତରେ ଥିଲେ ଜଣେ ମନୋଜ୍ଞ ପୁରୁଷ । ତାଙ୍କର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପ୍ରକାଶିତ ଗଳ୍ପ ଗୁଡ଼ିକ ଓଡିଆରେ ପଢିବା ବେଳେ ଓଡିଆରେ ଅବିକଳ ଅନୁବାଦ ଭଳି କେବେ ମନେ ହୁଏନାହିଁ । ବିଶେଷ କରି ସଂସ୍କୃତ, ଭାରତୀୟ ପରମ୍ପରା , ଓଡ଼ିଶାର ସଂସ୍କୃତି, ଓଡ଼ିଆ ଲୋକ ଗଳ୍ପ, ଫକିରମୋହନଙ୍କ କଥା ସାହିତ୍ୟ, ସର୍ବୋପରି ବେଦ, ଉପନିଷଦ, ଶ୍ରୀମା ଅରବିନ୍ଦଙ୍କ ଦର୍ଶନ ଶାସ୍ତ୍ର ତାଙ୍କ କଳ୍ପନାର ପୃଷ୍ଠଭୂମି କହିଲେ ଭୁଲ୍ ହେବନାହିଁ । ସାମ୍ୟବାଦ ଚେତନାର ଆଦ୍ୟ ଶଂଖ ନାଦ ତୋଳିଥିବା ମନୋଜ ଦାସଙ୍କ ଗଳ୍ପ ପରବର୍ତ୍ତୀ କାଳରେ ଶ୍ରୀମା ଅରବିନ୍ଦଙ୍କ ଦର୍ଶନରେ ପ୍ରବେଶ କରି ଆଧ୍ୟାତ୍ମିକ ଦିଗକୁ ପ୍ରସାରିତ ହୋଇଥିଲା । ବ୍ୟଙ୍ଗାତ୍ମକ ଢଙ୍ଗରେ ମଣିଷର ଆଧ୍ୟାତ୍ମିକ ପ୍ରତାରଣା, ଛଳନା, ସାମାଜିକ ଜଟିଳ ସମସ୍ୟା, ମାନବ ଜୀବନର ଅସହାୟତା, ରାଜନୀତିରେ ଦେଖାଯାଇଥିବା ଅବକ୍ଷୟତ୍ୱକୁ ପ୍ରକାଶ କରିବାରେ ଥିଲେ ସିଦ୍ଧହସ୍ତ । ବରଫ ପରି ତରଳି ଯାଉଥିବା ହୃଦୟ ତନ୍ତ୍ରୀରୁ ସେ ବ୍ୟଙ୍ଗ କାହାକୁ ଆଘାତ ଦେଇପାରେ ନାହିଁ, ବରଂ ଓଜାଡି ଦିଏ ସହାନୁଭୂତିର ମଲମ । ମଣିଷକୁ ଟିକିଏ ମାନବିକ ଗୁଣରେ ଉଦ୍ଦିପ୍ତ କରିବା ପାଇଁ ଏଭଳି ବ୍ୟଙ୍ଗ ଥିଲା ସର୍ବଶ୍ରେଷ୍ଠ ଅମୋଘ ଅସ୍ତ୍ର ।

ମନୋଜ ଦାସ ଥିଲେ ହାସ୍ୟ ଓ ବ୍ୟଙ୍ଗର ସୁମଧୁର, ସୁ କୋମଳ ବ୍ୟକ୍ତି ସର୍ତ୍ତାଟିଏ । ସବୁବେଳେ ସ୍ମିତ ହସ ରେଖା ତାଙ୍କର ଦରୋଟି ଓଠରେ ଉକୁଟି ଲାଖିଥାଏ । ନିରାଡମ୍ବର ଗମ୍ଭୀର ଭାବ ପୂର୍ଣ୍ଣ ଅଥଚ ଭିନ୍ନ ଇଲାକାରେ ତାଙ୍କ ମାନବଧର୍ମୀ ବ୍ୟକ୍ତି ସର୍ତ୍ତାଟି ବିଚରଣ କରୁଥିବା ବେଳେ ଆଧୁନିକ ମଣିଷର ଅସହାୟତାକୁ ବେଶ ପାଖରେ ଦେଖିଛନ୍ତି । ଫଳସ୍ୱରୂପ ତାଙ୍କ ଗଳ୍ପ ଗୁଡ଼ିକରେ ମଣିଷର ଅସହାୟ, ମନସ୍ତାତ୍ତ୍ୱିକ ଧର୍ମୀ ଚେତନା, ଅବକ୍ଷୟମାଣ ସାମନ୍ତ ବାଦୀ ମଣିଷର ସମାଜର ଚିତ୍ରର ପ୍ରତିଫଳନ ଘଟିଛି । ତାଙ୍କ ସୃଷ୍ଟି ସମୂହରେ ଆନ୍ତରିକତା, ସମ୍ବେଦନଶୀଳତା, ସାଂସ୍କୃତିକ ପରମ୍ପରା ପ୍ରତି ସମ୍ମାନବୋଧ, କୁସଂସ୍କାର ବିପକ୍ଷରେ ପ୍ରତିବାଦର ଦୃଢସ୍ୱର ପ୍ରତିଧ୍ଵନିତ୍ୱ ହୋଇଛି । ମନୁଷ୍ୟର ଚେତନାକୁ ଉର୍ଦ୍ଧାୟତ ଉନ୍ନତ କରିବାରେ ସତ ଚେଷ୍ଟିତ ଥିଲେ । ସାହିତ୍ୟର ବିଭିନ୍ନ ଦିଗରେ ଲେଖନୀ ଚାଳନା କରିଥିବା ମନୋଜଙ୍କ ପ୍ରତିଷ୍ଠା ସର୍ବଜନ ସ୍ୱୀକୃତ । ଆମେରିକୀୟ ଗଳ୍ପ ସଂକଳନରେ ୧୯୭୫ରେ ଭାରତୀୟ ଲେଖକଙ୍କ ଭିତରେ ପ୍ରକାଶ ପାଇଥିବା ପାଞ୍ଚଟି ଗଳ୍ପର ଏକାକୀ ମନୋଜ ଦାସ ଥିଲେ ତାହାର ସ୍ରଷ୍ଟା । ଆମେରିକାର ଅତି ଉଚ୍ଚାଙ୍ଗ, ଖ୍ୟାତନାମା ପତ୍ରିକାରେ ମନୋଜଙ୍କ ଗଳ୍ପ ସର୍ବାଗ ସ୍ଥାନରେ ସ୍ଥାନିତ ଲାଭ କରୁଥିଲା । ଏପରିକି ଇଲିନୋଆ ବିଶ୍ୱବିଦ୍ୟାଳୟ ଦ୍ଵାରା ପ୍ରକାଶିତ ଆସେଣ୍ଟ ଓ ଲାୟଲା ବିଶ୍ୱବିଦ୍ୟାଳୟ ଦ୍ଵାରା ପ୍ରକାଶିତ ‘ନିଉ ଅର୍ଲିନ୍ସ ରିଭିୟୁ’ ପତ୍ରିକା, ଯାହାର ପ୍ରସାର ବିଶ୍ୱବ୍ୟାପୀ ସେସବୁରେ ତାଙ୍କର ଲେଖା କେବଳ ପ୍ରକାଶ ପାଉଥିଲା ତା ନୁହେଁ, ବରଂ ତାଙ୍କ ଗଳ୍ପକୁ ଅଗଣିତ ପାଠକ, ସଂପାଦକ ଆଦର ଓ ସମ୍ମାନ ଦିଅନ୍ତି । ତାଙ୍କର ପ୍ରତ୍ୟେକଟି ଗଳ୍ପ ଚରିତ୍ର ଏତେ ବେଶୀ ସ୍ଵାଭାବିକ ଓ ଜୀବନ୍ତ ଯାହାକୁ ବିଦେଶୀ ସମାଲୋଚକ ମାନେ ବିନା ଦିଗ୍ଧାରେ ସ୍ୱୀକାର କରିଛନ୍ତି । ସାଧାରଣ ଘଟଣା ବହୁଳ ବାସ୍ତବତା ଓ ସ୍ୱାଭାବିକତାରେ ପରିପୂର୍ଣ୍ଣ ତାଙ୍କ ଗଳ୍ପ ଅତି ମନୋଜ୍ଞ ତାହା ଅସ୍ୱୀକାର କରିହେବ ନାହିଁ ।

ମନୋଜ ଦାସ ତାଙ୍କ ଗଳ୍ପ ଗୁଡ଼ିକୁ ବ୍ୟଙ୍ଗାତ୍ମକ କରି ଗଢି ତୋଳିବା ସ୍ୱୀକାର କରିଛନ୍ତି । ସେ କୁହନ୍ତି- ” ମଣିଷର ଅସହାୟତାକୁ ଚିତ୍ରଣକରି ମୁଁ ତା’ ପାଇଁ ଅନ୍ୟମାନଙ୍କ ସହାନୁଭୂତି ଆକର୍ଷଣ କରିବାକୁ ଚାହେଁ । ରାଜନୈତିକ ଓ ସାମାଜିକ ଜୀବନରେ କେହି କ୍ଷମତା ବା ଅନ୍ୟ କେହି ଧର୍ମର ମୁଖା ଧରି ପ୍ରତିଷ୍ଠିତ ହୋଇଥାନ୍ତି । କିନ୍ତୁ ଏହି ମୁଖା ତଳେ ଥିବା ତା’ର ପ୍ରକୃତ ଅସହାୟ ଅବସ୍ଥା କଥା ଭାବି ମୁଁ ଅଭିଭୂତ ହୁଏ ଏବଂ ଜଣେ ଜୀବନ ଶିଳ୍ପୀ ଭାବରେ ଯେତେବେଳେ ମୁଁ ତା’ର ମୁଖା ଖୋଲେ ସୁଖର ଆକୃତି ଗଳ୍ପର ରୂପ ନିଏ ତାହା କିଛି ମାତ୍ରାରେ ତୀର୍ଯ୍ୟକ ବ୍ୟଙ୍ଗରେ ପରିଣତ ହୁଏ ।” ବାସ୍ତବରେ ତାଙ୍କ ଗଳ୍ପରେ ଅହଂପ୍ରମତ୍ତ ବ୍ୟକ୍ତି ପ୍ରତି ଭରିରହିଛି ବ୍ୟଙ୍ଗ । ଦୁର୍ନୀତିଗ୍ରସ୍ତ ସମାଜ ଓ ବ୍ୟକ୍ତି ଚରିତ୍ର, ଧୂର୍ତ୍ତ ରାଜନୈତିକ ବ୍ୟକ୍ତି ଓ କଳୁଷିତ ଅନୁଷ୍ଠାନର ସ୍ୱରୂପକୁ ପଦାରେ ଖୋଲି ଦେବାପାଇଁ ସେ ଯେ ବ୍ୟଙ୍ଗାତ୍ମକ ଶୈଳୀକୁ ଆପଣେଇ ନେଇଥିବା ମନେହୁଏ ।

ଭକ୍ତି ଯୋଗ ଓ ଜ୍ଞାନ ଯୋଗର ଭିତ୍ତିଭୂମି ଉପରେ ଦଣ୍ତାୟମାନ ରହି ସେ ଶ୍ରୀମାଙ୍କର ଜଣେ ପରମ ଓ ସାର୍ଥକ ଶିଷ୍ୟ ଥିଲେ । ଆଧ୍ୟାତ୍ମିକ ସାଧନା ସହ ସାହିତ୍ୟ ସୃଷ୍ଟି କରୁଥିବା ଏହି ପ୍ରଚଣ୍ଡ ପ୍ରତିଭାଧର ବାଗ୍ମୀ ପୁରୁଷ କହନ୍ତି- ” ଅଭୀପ୍ସାର ନିମ୍ନ ପ୍ରକୃତି ତ୍ୟାଗ କରି ଉଚ୍ଚ ପ୍ରକୃତିକୁ ଉନ୍ନୀତ ହେବା ଓ କଠିନ ସମର୍ପଣ ଯୋଗରେ ସିଦ୍ଧିଲାଭ କରିବା ହେଉଛି ସମସ୍ତ ମଣିଷର ଏକାନ୍ତ ଶ୍ରେୟ କର୍ତ୍ତବ୍ୟ ।” ବାସ୍ତବରେ ସକଳ କ୍ଷେତ୍ରରେ ସିଦ୍ଧିଲାଭ କରିଥିବା ମନୋଜ ଦାସଙ୍କ ଶତାଧିକ ଗଳ୍ପ ମଧ୍ୟରୁ ‘ ଲକ୍ଷ୍ମୀର ଅଭିସାର’ ଓ ‘ଆରଣ୍ୟକ’ କାହାଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହେବା ସହ ଜାତୀୟ ପୁରସ୍କାର ଲାଭ କରିଛି । ଜଣେ ବାଗ୍ମୀ ଭାବେ ମଧ୍ୟ ସୁପରିଚି ମନୋଜ ଦାସ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ କରିଥିବା ବେଳେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର, ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ, ସାହିତ୍ୟ ଏକାଡେମୀ ଫେଲୋସିପ୍, ଶାରଳା ପୁରସ୍କାର, ସାରଳା ସମ୍ମାନ, ଉତ୍କଳରତ୍ନ ସମ୍ମାନ, ପ୍ରଜାତନ୍ତ୍ର ବିଷୁବ ମିଳନ ପୁରସ୍କାର ଓ ସାହିତ୍ୟ ଭାରତୀ ସମ୍ମାନ ସମେତ ଦେଶବିଦେଶରୁ ଅନେକ ସ୍ବୀକୃତି ଲାଭ କରିଥିଲେ । ଓଡ଼ିଆ ବିଷ୍ଣୁ ଶର୍ମା ଭାବେ ପରିଚିତ ଲାଭ କରିଥିବ ମନୋଜ ଦାସଙ୍କୁ ଚଳିତ ବର୍ଷର ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହେବାକୁ ଘୋଷଣା କରାଯାଇଥିବା ଗଳ୍ପ ସାହିତ୍ୟର ଏହି ବାଗ୍ମୀ ବିଷ୍ଣୁ ଶର୍ମା, ଭୀଷ୍ମ ପିତାମହଙ୍କୁ ହରାଇ କେବଳ ଓଡ଼ିଶା ରାଜ୍ୟ ନୁହେଁ, ସମଗ୍ର ଦେଶ, ସର୍ବୋପରି ବିଶ୍ୱ ମର୍ମାହତ ଓ ଦୁଃଖିତ । ତାଙ୍କର ଅବର୍ତ୍ତମାନରେ ପ୍ରତିଶ୍ରୁତି ଦେଇଥିବା ମନୋଜ୍ଞ ମନୋଜ ସେଇ ଦୁଇ ଧାଡି ଏବେ ବି ଅଶ୍ରୁ ସିକ୍ତ ପାଠକ ହୃଦୟରେ ଗୁଂଜରି ଉଠେ-

” ମୁଁ ପୁଣି ଆସିବି ଫେରି ସମୟର ଶୁଭ୍ର ବାଲୁଚରେ
ବାରି ବାରି ପଦଚିହ୍ନ, ଏ ବିସ୍ତୃତି ତିମିର ଶିବିରେ
ବେନିକରେ ଆଣିଥିବି ସେଦିନ ମୁଁ ଆବୋରି ଯତନେ
ପ୍ରଥମ ପ୍ରଦୀପ ଏଇ ଅଭିଶପ୍ତ ପ୍ରଦାହ ସଦନେ ।”।।।

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪
ଦୂରଭାଷ : ୯୦୪୦  ୧୫୧୪ ୭୫
Email: Laxmansahoo9040@gm

Comments are closed, but trackbacks and pingbacks are open.