ଅନୁଭୂତିରେ ରଥଯାତ୍ରା : ଚନ୍ଦ୍ରା ମିଶ୍ର

ସ୍ମୃତିର ବଡଦାଣ୍ଡରେ 

ଚନ୍ଦ୍ରା ମିଶ୍ର 

ପୁରୀ ପଥୁରିଆ ସାହିରେ ମୋର ଜନ୍ମ । ସେଇଠି କଟିଛି ମୋର ଅପାସୋରା ପିଲାଦିନ । କେତେ ଯାତ୍ରା , ପର୍ବପର୍ବାଣି, ସାଙ୍ଗସୁଖ, ସାହିବୁଲା, ଦିଅଁଦର୍ଶନ, ପୋଖରୀପହଁରା, ଫୁଲତୋଳା, ପୁରାଣପଢା, ଖଜାଖିଆ ସବୁ ମୋର ସ୍ମୃତିର ବଡଦାଣ୍ଡରେ ଢଳଢଳ ହେଇ ଉଭାହୁଅନ୍ତି । ଦୂର ପ୍ରବାସରେ ବିତିଗଲାଣି ପଚାଶବର୍ଷ । ଗୋଟିଏ ଶତାଦ୍ଦୀର ଅର୍ଦ୍ଧେକ ଭାଗ । ୧୯୬୯ ମସିହାରେ ଶେଷଥର ପାଇଁ ଦେଖିଥିଲି ପୁରୀ ରଥଯାତ୍ରା । ତାପରେ ଆଉ ସେ ସୁଯୋଗ ପାଇନି । ଆଜିକାଲିର ସମୟ ତ କେତେ ଅଲଗା ।

ଅକ୍ଷିତୃତୀୟାରେ ରଥଖଳାରେ ରଥ ତିଆରି ଅନୁକୂଳ ହେବାବେଳକୁ, ସବୁ ଖବର ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ପ୍ରଚାରିତ ହେଉଛି । ସାନ୍ନପୂର୍ଣ୍ଣିମା ବେଳକୁ ରଥଯାତ୍ରା ପାଖେଇ ଆସିଲାଣି ବୋଲି ମନଟା ଉଚ୍ଚାଟ ହେଉଛି । ସ୍ନାନପୂର୍ଣ୍ଣିମାର ସିଧାପ୍ରସାରଣ ବିଭିନ୍ନ ଚ୍ୟାନେଲ୍ ମାଧ୍ୟମରେ ଦେଖିହେଉଛି । କିନ୍ତୁ ବହୁବର୍ଷ ଧରି ମୋର ପ୍ରବାସୀ ଜୀବନରେ ଏତିକି ସୁଯୋଗ ମିଳୁନଥିଲା । ଖଣ୍ଡେ ଚିଠି ପହଞ୍ଚିବା ପାଇଁ ଦଶ ପନ୍ଦର ଦିନ ଲାଗିଯାଉଥିଲା । ଏବେ ଯେମିତି ଟିଭି ଦେଖିକି ଜାଣିପାରୁଛି ସ୍ନାନାଯାତ୍ରା ଗଲା, ଠାକୁରେ ଅଣସର ଘରେ ରହିଲେ ଆଉ ତାପରେ ସୁସ୍ଥ ହେଇ ବଡଦାଣ୍ଡକୁ ଆସିବେ; ପୂର୍ବରୁ ସେସବୁ ଜାଣିବାର ସୁଯୋଗ ନଥିଲା ।

ଏଇ ସ୍ନାନଯାତ୍ରା ବେଳକୁ ଘରେ ବସି ଠାକୁରଙ୍କ ହାତୀବେଶ ଦେଖିଲି । ମୋ ମନଟା ତ ସେଇ ପଥୁରିଆ ସାହିରେ ବନ୍ଧା ପଡିଛି ।ସ୍ମୃତିର ବଡଦାଣ୍ଡରେ ଉଜାଣି ବହିଗଲି କାହିଁ କେଉଁ ପିଲାଦିନର ଘଟଣା ପାଖକୁ । ମୋର ହେତୁ ପାଇବା ଦିନରୁ ବାହାଘର ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷର ରଥଯାତ୍ରା ଅନୁଭୂତି ଗୋଟିଗୋଟି କରି ମନେରଖିଛି । ବିଶେଷ କରି ନଅ-ଦଶବର୍ଷର ହେଲାବେଳକୁ ଯାହାସବୁ ଦେଖିଥିଲି ସେଇ ଛୋଟଛୋଟ ଅନୁଭୂତି ଗୁଡ଼ିକ ।

ଆମ ପଥୁରିଆସାହିରେ ବିଭିନ୍ନ କାରିଗର ରହୁଥିଲେ । ଅଧିକାଂଶ ଲୋକ ପଥର କାମ ବା ବଢେଇ କାମ କରୁଥିଲେ । ପାଖ ସାହି ଚିତ୍ରକର ଗଳିରେ ଚିତ୍ରକରମାନେ ରହୁଥିଲେ । ସେମାନେ ସମସ୍ତେ ରଥ ତିଆରିରେ ଭାଗ ନେଉଥିଲେ । ରଥକୁ ଚିତ୍ରବିଚିତ୍ର କରି ସୁନ୍ଦର କରିବା ପାଇଁ ସେମାନେ ରଙ୍ଗତୂଳୀ ଧରି କାମରେ ଲାଗି ପଡ଼ନ୍ତି । ଏମିତିକି ଆମ ସାହିର ମଧୁଦର୍‌ଜୀ ଦିଅଁଙ୍କ ରଥର ରେଶମୀ କନାରେ ହେଉଥିବା ଆବରଣ ସିଲେଇ କରିବାରେ ନିୟୋଜିତ ଥିଲେ । ଆମ ସାହିର ବଢେଇ ବିନ ମହାରଣା ରଥ ଚକ କାମ ଆରମ୍ଭ ବେଳରୁ ସବୁଦିନ ତାଙ୍କର ହାତ ହତିଆର ନେଇ ସକାଳୁ ଗଣ୍ଡେ ପଖାଳ ଖାଇ ବାହାରି ଯାଆନ୍ତି ରଥ ତିଆରି କାମରେ ଯୋଗ ଦେବାକୁ । ତାଙ୍କର ଝିଅ ବୁଢିଆ ମୋର ସାଙ୍ଗ ଥିଲା । ଖରା ଛୁଟି ଯୋଗୁ ଆମର ସ୍କୁଲ ବନ୍ଦ୍ ଥାଏ । ଆମେ ଦୁଇ ପହରରେ ବା ଚାରିଟା ବେଳେ ରଥ ତିଆରି କାମ କେତେ ଦୂର ଗଲା ବୋଲି ଦେଖିବାକୁ ଯାଉ । ଯିବାର ମୂଳ ଉଦ୍ଦେଶ୍ୟ ଥାଏ ରଥ ତିଆରି ହେଲାବେଳେ ବହୁତ ଛୋଟଛୋଟ କାଠ ପଡ଼ିଥାଏ । ସେଗୁଡ଼ିକ ଏକାଠି କରି ଆମେ ବେତା ଓ ବଡ଼ ଅଖାବ୍ୟାଗ୍‌ରେ ପୂରାଇ ଘରକୁ ଆଣୁ । ସେତେବେଳେ ଲୋକମାନଙ୍କ ଘରେ କାଠଚୁଲିରେ ହିଁ ରୋଷେଇ ହେଉଥିଲା । ଚୁଲି ଲଗାଇବା ପାଇଁ ସେଇ ଛୋଟକାଠ ଗୁଡ଼ିକ ବହୁତ ଦରକାର ହୁଏ । ବୁଢିଆମାଆ ତାକୁ ଆଉ ମତେ ଦୋପଇସିଟିଏ ଲେଖାଏ ଦିଅନ୍ତି । ଦୋ ପଇସି ଧଳା ବା ହଳଦିଆ ରଙ୍ଗର ହେବାର ମନେ ପଡ଼ୁଛି । ଦୋ ପଇସିଟି ପାଇ ମୁଁ ଆଉ ବୁଢିଆ ଭାରି ଖୁସି ହେଉ । କାରଣ ଦୁଇପଇସାରେ କେତେ ଜିିିନିଷ କିଣିବାକୁ ମିଳୁଥିଲା । କେବେ ଜାମୁରୋଳ ଦୁଇଟି, ତାଳସଜଟିଏ ବା ବେତକୋଳି ମୁଠାଏ କିଣି ଆମେ ଖାଉଥିଲୁ । ବେଳେବେଳେ ନରେନ୍ଦ୍ର ପୋଖରୀରେ ଯାଇ ଘେରେ ପହଁରି ବି ଆସୁ ।

ରଥ ତିଆରି କାମ ଯେମିତି ଆଗକୁଆଗକୁ ଯାଏ, ପୁରୀକୁ ଅନ୍ୟଦେଶରୁ ଆସୁଥିବା ଯାତ୍ରୀମାନଙ୍କର ସଂଖ୍ୟା ମଧ୍ୟ ସେମିତି ବଢି ବଢି ଚାଲେ । ସେତେବେଳେ ହୋଟେଲ ଏତେ ନଥିଲା  । କିନ୍ତୁ ପୁରୀର ମଠ ଆଉ ଧର୍ମଶାଳାଗୁଡ଼ିକ ପୂରିଯାଉଥିଲା । ଅନ୍ୟ ସହରର ଲୋକଙ୍କ ଆଗମନରେ । ସେମାନଙ୍କର କଥାବାର୍ତା, ଲୁଗା ବନ୍ଧାଶୈଳୀ, ଖାଇବାି ପିଇବା ସବୁ ଆମ ଓଡ଼ିଶା ଲୋକଙ୍କ ଠାରୁ ଅଲଗା ଥିଲା । ତେଣୁ ସେମାନେ ଆମପୁରୀର ନୁହଁ ବୋଲି ଆମେ ଜାଣି ପାରୁଥିଲୁ । ତାଙ୍କର ଚାଲିଚଳଣି ବି ପୁରୀ ଲୋକଙ୍କ ଅପେକ୍ଷା ଅଲଗା ଥିଲା । ରଥଯାତ୍ରା ସମୟରେ ଆମଘରେ ବି ଗାଁରୁ କୁଣିଆ ଆସିବା ଆରମ୍ଭ ହେଉଥିଲା । ସମସ୍ତେ ଦିଅଁକୁ ରଥରେ ଦେଖିବା ପାଇଁ ଶ୍ରୀକ୍ଷେତ୍ରକୁ ଆସନ୍ତି । ପୁରୀ ପୁରା ଉତ୍ସବମୟହୋଇ ହୁଲୁସ୍ତୁଲ୍ ହୁଏ । ବେପାରୀମାନଙ୍କର କାମ ବଢେ ଆଉ ତା ସାଙ୍ଗେ ଉପାର୍ଜନ ମଧ୍ୟ । ଯାତ୍ରୀ, ଗୁମାସ୍ତା ଆଉ ଦୈତାରୀ ମାନଙ୍କ କଥା ନକହିଲେ ଚଳିବ ।

ସେମାନେ ଯେତିକି ବ୍ୟସ୍ତ ରୁହନ୍ତି ପୁରୀଭାଷାରେ ଗାଳିଗୁଲଜ ବି ସେତିକି କରନ୍ତି । ମୁଁ ବୟସରେ ସାନ ହେଲେବି ଏଇ ସବୁ ପରିବର୍ତ୍ତନ ଭଲରେ ଅନୁଭବ କରିପାରେ । ଆଜି ବି ସେସବୁ ଦୃଶ୍ୟ ମୋର ମନେ ଅଛି । ରଥରେ ଚିତ୍ର ହୋଇ ଯେତେବେଳେ ରେଶମ କନାରେ ରଥ ସଜାଇ ଦିଆଯାଏ, ସେତେବେଳେ ଭାରି ଖୁସିଲାଗେ । ଅବଶ୍ୟ ସେତେବେଳେ ବୁଢିଆ ଆଉ ମୁଁ ସବୁଦିନ ରଥ ପାଖକୁ ଯାଉନା , କାରଣ କାଠ କାମ ସରିଯାଇଥାଏ । ଆଉ ବୁଢିଆର ମାଆ ଆମକୁ ପଇସା ଦେବାର ପ୍ରଶ୍ନ ନଥାଏ । କିନ୍ତୁ ଅନେକ ସମୟରେ ମୁଁ ଆମଘରକୁ ଗାଁରୁ ଆସିଥିବା କୁଣିଆମାନଙ୍କ ସଙ୍ଗେ ଦେଉଳକୁ ଯାଏ । ଆଉ ବହୁତ ସମୟ ଧରି ରଥକୁ ଅନାଏ, ରଥକୁ ଛୁଏଁ  । କାରଣ ମୁଁ କାଠଗଣ୍ଡିରୁ ଏତେ ସୁନ୍ଦର ରଥ ମୋରି ଆଖି ଆଗରେ ତିଆରି ହେବା ଦେଖି ଚକିତ ହେଉଥିଲି । ଆଉ କାରିଗରମାନେ କେତେ କୁଶଳୀ ସେଇ କଥା ଭାବୁଥିଲି ।

ଘରେ ଆମର ଚହଳ ଲାଗୁଥିଲା । ଗାଁରୁ ଆସିଥିବା ଲୋକମାନେ ଚୁଡ଼ା ଚକଟା, ଛତୁଆ, ଲିଆ ଇତ୍ୟାଦି ନୂଆ ପ୍ରକାର ଖାଇବା ଖାଆନ୍ତି ଆଉ ମତେ ବି ଦିଅନ୍ତି । ମୁଁ ସେମାନଙ୍କୁ ଆମ ଘରର କୋଉଠି କଣ ଜିନିଷ ଥୁଆ ହୋଇଛି ସେସବୁ ବତାଇ ଦିଏ । ମୋ ମାଆକୁ ସେମାନେ ରୋଷେଇ କରିବାରେ ସାହାଯ୍ୟ କରନ୍ତି । ଆମଘର ସାମ୍‌ନାରେ ଅଧିକାରୀ ମଠ ଥାଏ । ସେଠି ଅନେକ ଯାତ୍ରୀ ଆସି ରହି ଥାଆନ୍ତି । ସବୁବେଳେ ଯିବା ଆସିବା ଲାଗିଥାଏ । ମତେ ଲାଗେ ଯେମିତି ଆମ ସାହିରେ ବାହାଘର ହେଉଛି । କୋଳାହଳ ମତେ ସବୁବେଳେ ଭଲ ଲାଗେ । ତେଣୁ ମୋର ଖୁସି କହିଲେ ନସରେ । ରଥଯାତ୍ରାର ପୂର୍ବ ଦିନ ଯାଇ ମୁଁ ରଥରେ  ଦଉଡ଼ି ଲାଗିବା ଦେଖେ । କାଠଘୋଡ଼ା ସବୁରଙ୍ଗ ହୋଇ ଚିିତ୍ରକରଙ୍କ ପାଖରୁ ଆସି ବଡ଼ ସୁନ୍ଦର ଦେଖାଯାଆନ୍ତି । ଦେଖିଲେ ଲାଗେ ଯେମିତି ଜୀବନ୍ତ ଘୋଡ଼ାମାନେ ରଥ ସାମ୍ନାରେ ବନ୍ଧା ହୋଇଛନ୍ତି । ବଡ଼ଦାଣ୍ଡରେ ସେଦିନ ସାରା ରାତି ଲୋକମାନେ ଯିବା ଆସିବା କରନ୍ତି । ଅବଶ୍ୟ କେବେ ରାତି ଏଗାରଟା ପରେ କାହାସାଙ୍ଗରେ ବଡ଼ଦାଣ୍ଡକୁ ଯିବା ମୋର ମନେନାହିଁ ।

ପରଦିନ ସକାଳୁ ଆମେ ସମସ୍ତେ ଉତ୍ସାହରେ ଥାଉ । ମୁଁ ଦିନ ଦଶଟା ବେଳୁ ଜାମା ଯୋଡ଼ି ହୋଇ ବସିଥାଏ ରଥଟାଣି ଯିବାକୁ । ମୋ ଜେଜେମା (ଘରମା) କହେ ଚନ୍ଦୁ, ଖାଇଦେଇ ଯିବୁ । ମୁଁ କିନ୍ତୁ ଜାଣିଛି ରଥପାଇଁ ବଡ଼ଦାଣ୍ଡକୁ ଅନେକ ଖାଇବା ଦୋକାନୀ ଆସିଥିବେ । ଆଳୁଦମ୍‌, ଦହିବରା, ପକଡି, ଚିନାବାଦାମ୍ ଭଜା, ଛେନାଗଜା, ଲୁଣିଗଜା, ସେଉ ଆଉ ନିମିକି ଆଦି ବିଭିନ୍ନ ସୁଆଦିଆ ଖାଇବା ଜିନିଷ ମିଳେ । ପଇସା ମୋ ପାଖରେ କିଛି ଜମାକରି ଏଇ ଦିନଟି ପାଇଁ ରଖିଥାଏ । ଆଉ ଘରେ କିଏ ସନ୍ତୁଳା, ଭାତ, ଡ଼ାଲି ଆଉ ଭଜା ଖାଇବାକୁ ଚାହିଁବ? ତେବେ ଅଳ୍ପ ଖାଇଦିଏ ବାପାଙ୍କ ମାଡ଼ ଡ଼ରରେ ଆଉ ମାଆର କଥା ରଖି । ସମସ୍ତଙ୍କୁ ତରତର କରାଇ ଆମେ ଯାଇ ପହଞ୍ଚୁ ଜଗନ୍ନାଥ ବଲ୍ଲଭ ମଠରେ । ସେଠି ଆମର ଜଣେ ସମ୍ପର୍କୀୟ କକେଇ କାମ କରୁଥିଲେ । ତାଙ୍କ ନାଁ କହି ଆମେ ସେ ମଠ କାନ୍ଥ ଉପରେ ଯାଇ ବସିଯାଉ । ସେଇ ମଠ ବଡ଼ଦାଣ୍ଡ ଉପରେ । ତେଣୁ ଉପରୁ ଭଲରେ ରଥ ଦେଖିହୁଏ ଏବଂ ଅଳ୍ପ ସମୟରେ ତଳକୁ ଆସି ଲୋକଙ୍କ ସଙ୍ଗେ ରଥଟାଣିବାକୁ ସମୟ ଲାଗେନି । ଗହଳଚହଳ ଆଉ ହୋହଲ୍ଲା ମଧ୍ୟରେ କେମିତି ଦୁଇଟା ବାଜିଯାଏ ଜଣା ପଡ଼େନି । ମଠଟା ରାଜନଅରର ପ୍ରାୟ ସାମ୍‌ନାରେ ଥିବା ଯୋଗୁ ରାଜା ଛେରାପହଁରାକୁ ଗଲାବେଳେ ସୁନ୍ଦର ଭାବେ ସବୁ ଦେଖିହୁଏ । ଆଉ କେତେ ପରିବାର ତାଙ୍କ ପିଲାଙ୍କ ସଙ୍ଗେ ଆସି ଥାଆନ୍ତି ସେ ମଠର ଛାତ ଉପରୁ ରଥ ଦେଖିବାକୁ । ଆମେ ପିଲାମାନେ ମିଶି ଛାତ ଉପରେ ଖେଳିବାରେ ଲାଗିଯାଉ ।

ନାନାପ୍ରକାର ଭକ୍ତି ଜଣାଣ ବଡ଼ ଗ୍ରାମଫୋନ୍‌ରେ ବାଜୁଥାଏ । ବଡ଼ଦାଣ୍ଡରେ ଲୋକଙ୍କ ମୁଣ୍ଡ ଖାଲି ଦିଶୁଥାଏ । ମୁଁ ସେତେବେଳେ ଭାରି ପତଳା ଥିଲି । ତେଣୁ ଲୋକଙ୍କ ଭିଡରେ ଗଳି ମୁଁ ଧାଡ଼ି ଆଗରେ ଛିଡ଼ା ହୋଇ ଯାଉଥିଲି ଯଦି କିଛି ମ୍ୟାଜିକ୍ ସୋ ଚାଲିଥାଏ । ତେବେ ସବୁଠାରୁ ବେଶୀ ଖୁସି ଲାଗେ ଆମେ ବେଲୁନ୍ ହାତରେ ବାନ୍ଧି ଦୌଡ଼ିବାବେଳେ । ଥରେ ମୁଁ ବେଲୁନ୍ ହାତରେ ବାନ୍ଧି ଦୌଡ଼ି ଆସିଲାବେଳେ ଜଣେ ବୟସ୍କା ବିଧବାଲୋକଙ୍କୁ ନଦେଖି ଧକ୍କା ମାରିଦେଲି । ସିଏ ରାଗି ଯାଇ ମତେ ଗୋଟିଏ ଥାପଡ଼ ମାରିଥିଲେ । ତାଙ୍କ ମାଡ଼ ମୋ ଗାଲରେ ନବାଜି ମୋ ବେଲୁନରେ ଲାଗିଥିଲା ଆଉ ବେଲୁନ୍‌ଟି ଫାଟିଯାଇଥିଲା । ମୁଁ ବହୁତ କାନ୍ଦିବାର ମନେଅଛି । ପିଲାମନରେ ଭାବିଥିଲି ବୋଧେ ସିଏ ବେଲୁନ୍ ଉପରେ ରାଗି ତାକୁ ମାରିଥିଲେ ।

ରଥ ଆସିବାରେ ପ୍ରାୟ ଡ଼େରିହୁଏ । ଆମେ ଅନେଇଥାଉ ରଥ ଆମଜାଗାକୁ ଆସିଲେ ଦୌଡ଼ିଯାଇ ରଥ ଦଉଡ଼ି ଟାଣିବୁ ବୋଲି । ପୋଲିସମାନେ ମଧ୍ୟ ଥାନ୍ତି । କିଛି ଗଣ୍ଡଗୋଳ ଦଇତା ଆଉ ପଣ୍ଡାମାନଙ୍କ ଭିତରେ ହେଉଥିବା ଯୋଗୁ ବଡ଼ାଟିରେ ବଚସା ଶୁଣିବାର ମନେଡ଼େ । ଶେଷରେ ମୀମାଂସା ହୋଇ ରଥଚାଲେ । ମୋ ବାପା କେବେହେଲେ ରଥ ଦେଖିବାକୁ ବଡ଼ଦାଣ୍ଡକୁ ଆମସଙ୍ଗେ ଆସିବାର ମୋର ମନେନାହିଁ । ବାପା ଆମ ଛାତ ଉପରୁ ହାତ ଟେକି ଦିଅନ୍ତି ବୋଲି କହନ୍ତି । ଆମ ଦୋତାଲା ପକ୍କା ଉପରୁ ଦିଅଁଙ୍କର ରଥର ଚୁଳ ତ ଦିଶେ , କିନ୍ତୁ ଦିଅଁ ଦେଖା ଯାଆନ୍ତିନି । ଆଉସବୁ କୋଳାହଳ ଦେଖି ହୁଏନି କି ଶୁଣି ହୁଏନି । ବୋଧେ ବାପା ଆମ ମାନଙ୍କ ପାଟିତୁଣ୍ଡରୁ ଟିକିଏ ଛୁଟାଇ ଏକୁଟିଆ ଦିଅଁଙ୍କୁ ହାତଯୋଡ଼ି ଦିଅନ୍ତି । ସେତେବେଳେ ଟିଭି ନଥିଲା । କେବଳ ସିଂହଦ୍ୱାରରୁ ରେଡ଼ିଓରେ ରଥ ବିଷୟରେ ପ୍ରସାରଣ ହେବାର ମନେଅଛି । ରଥ ଆସିଲାବେଳେ ମୁଁ ଦୌଡ଼ିଯାଇ ରଥ ଦଉଡ଼ି ଛୁଇଁବାକୁ ଚେଷ୍ଟା କରେ । ଭିଡ଼ ବହୁତ ହୋଇଥାଏ । ଲୋକମାନେ ହାତ, କହୁଣୀ ଲଗାଇ ଆଗଲୋକଙ୍କୁ ପେଲିଦେଇ ରଥଦୌଡ଼ି ଛୁଇଁବାର ଚେଷ୍ଟାରେ ଥାଆନ୍ତି । ମୁଁ କେତେଥର ଲୋକଙ୍କ ଗୋଡ଼ ଭିତର ଦେଇ ତଳବାଟେ ଗଳିଯାଏ କାରଣ ସେତେବେଳେ ମୁଁ ଭାରିପତଳା ଆଉ ନମନୀୟ ଥିଲି । ସମସ୍ତେ ହାତରେ ପେଲାପେଲିରେ ବ୍ୟସ୍ତଥିବାରୁ ତଳକୁ କେହି ଅନାଉ ନଥାନ୍ତି ବୋଧେ?

ଧୀରେ ଧୀରେ ରଥ ଆଗକୁ ଯାଏ ଆଉ ମନରେ କେମିତି ଗୋଟାଏ ଦୁଃଖର କଳା ବାଦଲ ଛାଇ ଗଲା ପରି ଲାଗୁଥିବାର ମନେଅଛି । କାରଣ ବୋଧେ ଆମ ବଡ଼ ଦେଉଳ ଖାଲି ଖାଲି ଲାଗୁଥିଲା ବୋଲି । ମାଉସୀ ମା ମନ୍ଦିର ପୁରୀର ଆର ମୁଣ୍ଡରେ ହେଲେବି କିଛି ଶୂନ୍ୟଲାଗେ । ବଡ଼ଦାଣ୍ଡରେ ସେ ଗହଳିସବୁ ପୁରୀରୁ କିଏ ନେଇଗଲା ପରିଲାଗେ । ପୁଣି ବାହୁଡ଼ା ଆସିବ ଭାବି ମନେମନେ ହସେ । ହଁ, ଜଗନ୍ନାଥ କୁଆଡ଼େ ଯିବେ ଆମକୁ ଛାଡ଼ି । ଆଉ ମତେ ଛାଡ଼ି । ରଥ ସମୟରେ ଆଉ ଗୋଟେ କଥା ମନେପଡ଼େ । ବେଳେବେଳେ ଆମ ସାମ୍ନା ଅଧିକାରୀ ମଠରୁ ଲୋକଙ୍କର କାନ୍ଦ ଶୁଣାଯାଏ । ହଇଜାରେ କିଛି ଯାତ୍ରୀ ମରିିବାର ମୁଁ ଦେଖିଛି । କେତେଲୋକ କଥା ବାର୍ତ୍ତା ହୁଅନ୍ତି, ଦେଖ ଶ୍ରୀକ୍ଷେତ୍ରରେ ମଲା, ସିଧା ସ୍ୱର୍ଗକୁ ଯିବ । କିନ୍ତୁ ତାଙ୍କ ସଙ୍ଗେ ଆସିଥିବା ପରିବାରର ସଦସ୍ୟମାନେ ଓ ସାଙ୍ଗମାନେ କାନ୍ଦୁଥିବାର ଦେଖି ମୋ ମନରେ ବହୁତ କଷ୍ଟ ହେଉଥିଲା । ଏମିତି ସବୁ ଛୋଟ ଛୋଟ କଥା ମୋର ମନେ ପଡ଼େ । ଆମ ପିଲାଦିନର ରଥଯାତ୍ରା ସମୟର । ମୋ ବାହାଘର ପରେ ମୁଁ ଆଉ କେବେ ପୁରୀଯାଇ ରଥଯାତ୍ରାରେ ଯୋଗ ଦେଇନି । କେବଳ ଟିଭିରେ ଯାହା ଦେଖୁଛି । କିନ୍ତୁ ବହୁତ ଅଲଗା  ଏବେର ରଥଯାତ୍ରା ଆଉ ମୋ ପିଲାଦିନର ରଥଯାତ୍ରାର ସ୍ମୃତି ବୋଧେ !

୧୧୨ ଗୁଏନମଣ୍ଟ ( ସି ଆର୍)
ନର୍ଥୱାଲେସ ପି ଏ ୧୯୪୪୫୪

ପଥୁରିଆ ସାହି , ପୁରୀ