ଅନୁଭୂତିରେ ରଥଯାତ୍ରା : ସୁଷମା ପରିଜା

ଦୟାନିଧି – କରୁଣାସାଗର 

ଶ୍ରୀ ଜଗନ୍ନାଥ ଆମ ହୃଦୟର ଠାକୁର। ସେ କୈବଲ୍ୟଦାତା, ପରମ କରୁଣାମୟ । କେହି ଭକ୍ତି ସହକାରେ ମନେ ମନେ ଯାହା ମାଗିଲେ ସେ ଅବଶ୍ୟ ଭକ୍ତର ମନୋକାମନା ପୂରଣ କରନ୍ତି। ଦୁଇ ହଜାର ଅଠର ମସିହାରେ ମୋ’ ଜୀବନର ସେମିତି ଗୋଟିଏ ଅନୁଭୂତି ହୋଇଥିଲା ।

ପୁରୀର ରଥଯାତ୍ରା ବିଶ୍ଵପ୍ରସିଦ୍ଧ । ମୋର ଜନ୍ମ କଟକ ଜିଲ୍ଲାରେ ,ବାପଘର, ଶାଶୁଘର ମଧ୍ୟ କଟକରେ। ପିଲାଟି ବେଳରୁ ବାପାଙ୍କ ସାଥୀରେ ହେଉ କି ବାହାଘର ପରେ ସ୍ୱାମୀଙ୍କ ସହ ହେଉ ଅନେକ ଥର ପୁରୀ ଯାଇଛି, ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛି ,ପୁରୀରେ ଅନ୍ୟାନ୍ୟ ଦେବାଦେବୀ ଯେମିତି ଶ୍ରୀ ଲୋକନାଥ, ସିଦ୍ଧ ମହାବୀର, ମାଆ ଶ୍ୟାମାକାଳୀ ,ସୁନାର ଗୌରାଙ୍ଗ, ଗୌରବିହାରର ଚୈତନ୍ୟଙ୍କ ଆଶ୍ରମ ଇତ୍ୟାଦି ଦର୍ଶନ କରି ସମୁଦ୍ର କୂଳରେ ବୁଲାବୁଲି କରି ଫେରିଛି ହେଲେ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାର ସୁଯୋଗ କେବେ ମିଳିନାହିଁ । ସମସ୍ତେ କହନ୍ତି ମଣିଷ ଜୀବନରେ ଯଦି ଥରଟିଏ ବି ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ନାହଁ ତେବେ ସେ ଜନ୍ମ ଅକାରଣ । ଶାସ୍ତ୍ର କହେ ରଥାରୂଢ ବାମନଙ୍କୁ ଦର୍ଶନ କଲେ ପୁନର୍ଜନ୍ମ ହୁଏ ନାହିଁ, ମଣିଷ ମୋକ୍ଷ ପ୍ରାପ୍ତି ହୁଏ । କିନ୍ତୁ ମୋର ଦୁର୍ଭାଗ୍ୟ ଯେ ଜନ୍ମରୁ ଆଜି ପର୍ଯ୍ୟନ୍ତ ମୁଁ କେବେ ପୁରୀ ରେ ରଥଯାତ୍ରା କିମ୍ବା ବାହୁଡା ଯାତ୍ରା ଦେଖିବାକୁ ସୁଯୋଗ ପାଇନାହିଁ। ଚାକିରୀ କାଳ ମଧ୍ୟରେ କେବେ ସମୟ ସୁବିଧା ମିଳୁ ନଥିଲା ରଥଯାତ୍ରା ଦେଖିଯିବାକୁ , ଗତ ବର୍ଷରୁ ଅବସର ନେବା ପରେ ଏବର୍ଷ କାହିଁକି ପୁରୀ ରଥଯାତ୍ରା ଦେଖିବାକୁ ଖୁବ୍ ଇଚ୍ଛା ହେଉଥିଲା ।

ନିଜର ଅସୁସ୍ଥତା ଏବଂ ସମୟ ସୁବିଧା ଅଭାବରୁ ପୁରୀ ଯିବା ସମ୍ଭବ ହେଲା ନାହିଁ । କଟକ ମହାନଦୀବିହାର ଜଗନ୍ନାଥ ମନ୍ଦିରରେ ଯାଇ ରଥଯାତ୍ରା ଦେଖିଲି । ହେଲେ ମନ ଟା ଖାଲି ପୁରୀ ଯିବାକୁ ଆଉଟୁ ପାଉଟୁ ହେଉଥାଏ । ମନେ ମନେ କାଳିଆ ଠାକୁରଙ୍କୁ ଡାକୁଥାଏ ପ୍ରଭୁ ! କେମିତି ହେଲେ ମତେ ଟିକିଏ ଦର୍ଶନ ର ସୁଯୋଗ ଦିଅ । ମୁଁ କ’ଣ ମରିବା ଆଗରୁ ଥରଟିଏ ବି ତୁମକୁ ରଥରେ ଦର୍ଶନ କରି ପାରିବିନି ପ୍ରଭୁ ? ମୋ ଠାରେ କ’ଣ ତୁମ ଡୋରି ଲାଗିବନି କେବେ? ଏମିତି ସବୁବେଳେ ଭାବୁଥାଏ । ମନେ ମନେ କାଳିଆ ଠାକୁର ଙ୍କୁ ପ୍ରାର୍ଥନା କରୁଥାଏ ।

ବାହୁଡା ଦଶମୀ ଆଉ ଦୁଇଦିନ ବାକି ଥାଏ । ସେଦିନ ରାତିରେ ମୋ ସାନ ସମୁଦି ବୁଲି ଆସିଥିଲେ ଆମ ଘରକୁ । ଏଣୁ ତେଣୁ ଗପ କରିବା ଭିତରେ ରଥଯାତ୍ରା କଥା ପଡିଲା । ସେ ପଚାରିଲେ ଆପଣ କେବେ ପୁରୀ ରଥଯାତ୍ରା ଦେଖିଛନ୍ତି ? ମନ ଦୁଃଖ ରେ ଉତ୍ତର ଦେଲି ମୁଁ ”ନାଁ ” । ସେ କହିଲେ ମୁଁ ମଧ୍ୟ ଦେଖିନି କେବେ । ଭିଡ ଯୋଗୁଁ କେବେ ଯିବା ଲାଗି ଇଚ୍ଛା କରେନି। ମୁଁ କହିଲି ମୋର କିନ୍ତୁ ଯିବାକୁ ଭାରି ଇଚ୍ଛା, ହେଲେ ଗୋଡ ର ଅସୁବିଧା ଯୋଗୁଁ ସାହସ ହେଉନି । ସେଇଠୁ ହଠାତ୍ କରି ସେ କହିଲେ,  ମନ କଷ୍ଟ କାହିଁକି କରୁଛନ୍ତି ସମୁଦୁଣୀ ! ଚାଲୁ ନାହାଁନ୍ତି କାଲି ଯିବା । ଗୁଣ୍ଡିଚା ମନ୍ଦିରରେ ଆଢପ ମଣ୍ଡପ ରେ ତିନି ଠାକୁର ଙ୍କୁ ଦର୍ଶନ କରି ଆଢପ ଅବଢା ଖାଇ ଆସିବା ”।

ରଥଯାତ୍ରା ସମୟରେ ପୁରୀ ସହରର ଭିଡ ଟିଭିରେ ଦେଖିଥିଲି, ତେଣୁ ଥତମତ ହୋଇ ମୁଁ କହିଲି,  ନାଇଁ ମ ସମୁଦି ,  ଏବେ ତ ଗୁଣ୍ଡିଚା ମନ୍ଦିରରେ ପ୍ରବଳ ଭିଡ ହେଉଥିବ। ଏତେ ଲୋକ ଗହଳିରେ ଭିଡ ଠେଲି ମୁଁ କ’ଣ ଯାଇ ପାରିବି ? ଗଲେ ମଧ୍ୟ ଆଢପ ମଣ୍ଡପ ରେ ପଶି କ’ଣ ପ୍ରଭୁ ଙ୍କୁ ଦର୍ଶନ କରି ପାରିବି ? ”

ସେ ଆଶ୍ୱାସନା ଦେଇ କହିଲେ ” ରୁହନ୍ତୁ ,ପୁରୀରେ ଗୁଣ୍ଡିଚା ମନ୍ଦିର ପାଖରେ ମୋର ଜଣେ ଡାକ୍ତର ବନ୍ଧୁ ଅଛନ୍ତି , ତାଙ୍କୁ ପଚାରିବା, ଯଦି ସେ କିଛି ସାହାଯ୍ୟ କରି ପାରିବେ” । ସେ ଫୋନ୍ ଲଗାଇଲେ ତାଙ୍କ ବନ୍ଧୁଙ୍କୁ।

ଭାଗ୍ୟକୁ ସେ ବନ୍ଧୁ ଜଣକ ମିଳିଗଲେ । ହେଲେ ତାଙ୍କ ଅସାମର୍ଥ୍ୟ ଜଣାଇ କହିଲେ ଗତ ବର୍ଷ ମୋର ବାପାଙ୍କ କାଳ ହୋଇଥିଲା, ବର୍ଷିକିଆ ଯାଇନି, ତେଣୁ ମୁଁ ମନ୍ଦିର ଭିତରକୁ ଯିବିନି। ଆମେ ଭାବିଲୁ ଆଉ କେମିତି ଯିବା ତେବେ ? ମନମାରି ଆସିଥାଏ ମୁଁ । ସମୁଦିଙ୍କର ସେଇ ବନ୍ଧୁ ଜଣକ ପୁଣି କିଛି ସମୟ ପରେ ନିଜ ତରଫରୁ ଫୋନ୍ କରି କହିଲେ” ଆଚ୍ଛା, ମୋର ଜଣେ ମନ୍ଦିର ପୋଲିସ୍ ଚିହ୍ନା ଅଛନ୍ତି ତାଙ୍କୁ କହି ମୁଁ ଆପଣମାନଙ୍କ ପାଇଁ ଦର୍ଶନର ସୁବିଧା କରି ଦେଇ ପାରିବି, ଆପଣମାନେ ଆସନ୍ତୁ” । ଆମେ ଆଶ୍ବସ୍ତ ହେଲୁ ।

ଠିକ୍ କଲୁ ଶୁକ୍ରବାର ସକାଳୁ ବାହାରିବୁ ପୁରୀ । ସମୁଦି କହିଲେ ଏତେ ଭିଡରେ ମୁଁ ନିଜେ ଗାଡି ଡ୍ରାଇଭ୍ କରି ଯାଇ ପାରିବିନି, ଆପଣ ଗୋଟିଏ ଡ୍ରାଇଭର ଯୋଗାଡ କରନ୍ତୁ । ଦୁର୍ଭାଗ୍ୟର କଥା ସେଦିନ ଶତ ଚେଷ୍ଟା କଲେ ବି ଆମକୁ ଡ୍ରାଇଭର୍ ଟିଏ ମିଳିଲାନି । ନିରାଶ ହୋଇ ଶେଷରେ ମୁଁ ସେଇଠି ପାଖରେ ରହୁଥିବା ମୋ ଭାଇକୁ କହିଲି , ସିଏ କୌଣସିମତେ ଟ୍ୟାକ୍ସି ଟିଏ ବନ୍ଦୋବସ୍ତ କରିଦେଲା।

ଗୁରୁବାର ରାତିଟି ଖାଲି ପ୍ରଭୁ ଙ୍କୁ ଦେଖିବାର ଉତ୍କଣ୍ଠା ଭିତରେ କଟିଲା । ଶୁକ୍ରବାର ଦିନ ସକାଳୁ ସକାଳୁ ଆରମ୍ଭ ହୋଇଗଲା ପ୍ରବଳ ବର୍ଷା । ବର୍ଷାର ଅବସ୍ଥା ଦେଖି ମୋ ସ୍ୱାମୀ କହିଲେ “ ଆଜି ଆଉ ଯାଇ ହେବନି, ଇଏ ଲଘୁଚାପ ବର୍ଷା, ତିନି ଦିନ ଧରି ପ୍ରବଳରୁ ପ୍ରବଳତର ହୋଇ ବର୍ଷିବ ବୋଲି ଟିଭି ନିଉଜରେ କହୁଛି । ସେଠାରେ ବଡଦାଣ୍ଡରୁ ଶରଧାବାଲି ଯାଏ ଜଳାର୍ଣ୍ଣବ ହୋଇଥିବ । ଥାଉ ,ଗାଡିବାଲାଙ୍କୁ ମନା କରିଦେବା, ଆଉ କେବେ ଦେଖିବା” ।

ମୋ ଆଖିରେ ଲୁହ ଆସିଗଲା । ମନେ ମନେ ଡାକିଲି “ପ୍ରଭୁ ! ଏ ବର୍ଷ ବି ଡୋରି ଲାଗିଲାନି ତୁମକୁ ଦର୍ଶନ କରିବାକୁ । କିଏ ଜାଣେ ଆର ବର୍ଷ କୁ ମୁଁ ଥିବି କି ନାହିଁ “।

ଅନ୍ତର୍ଯ୍ୟାମୀ କାଳିଆ ଠାକୁର କୃପା କଲେ । ଦିନ ଦଶଟା ବେଳକୁ ବର୍ଷା ପୁରାପୁରି ଛାଡି ଗଲା । ଆମେ ଆରାମରେ ପୁରୀ ଯାଇ ଗୁଣ୍ଡିଚା ମନ୍ଦିରରେ ଆଢପ ମଣ୍ଡପ ରେ ଶ୍ରୀ ଜୀଉ ମାନଙ୍କୁ ସୁନ୍ଦର ଭାବେ ଦର୍ଶନ କରି , ରଥ ଦଉଡି ଛୁଇଁ , ଆଢପ ଅବଢା ଧରି ଭୂବନେଶ୍ୱର ଫେରିବା ଯାଏ ମଧ୍ୟ ବର୍ଷାର ଚିହ୍ନ ବର୍ଣ୍ଣ ନଥିଲା । ମୋ ମନ ଆନନ୍ଦରେ ନାଚି ଉଠିଲା ପ୍ରଭୁଙ୍କ ଏମିତି ବିଚିତ୍ର ଲୀଳା ଦେଖି । ତାଙ୍କର ଅପାର କରୁଣା ପାଇ ମୋ ଜୀବନର ଗୋଟିଏ ବଡ ଅବଶୋଷ ମେଣ୍ଟିଗଲା । ରଥ ଦେବତାଙ୍କୁ ମୁଣ୍ଡ ଲଗାଇ ପ୍ରଣାମ କଲି।

ଆଖିରେ ଆଖି ଲୁହ ଧରି ମନେ ମନେ ଅଶେଷ ଧନ୍ୟବାଦ ଜଣାଇଲି “ ଜୟ ଜଗନ୍ନାଥ ,ଜୟ ବାଞ୍ଛା କଳ୍ପତରୁ , ଜୟ ପତିତପାବନ , ଧନ୍ୟ ତୋର ମହିମା । ମୋ ଭଳି ଅକିଞ୍ଚନର ଇଚ୍ଛା ପୂର୍ଣ୍ଣ କଲୁ । ମତେ ଧନ୍ୟ କରିଦେଲୁ ରେ କଳାଠାକୁର ….। ତତେ କୋଟି କୋଟି ପ୍ରଣାମ “।

ଶାରଳା ଭବନ ପୋତାପୋଖରୀ କଟକ