ଗଳ୍ପ : ଅଳି

ସେଦିନ ଥିଲା ଜ୍ୟେଷ୍ଠ ଶୁକ୍ଳ (ନୃସିଂହ ଜନ୍ମ) ଚତୁର୍ଦ୍ଦଶୀ । ବଡ଼ଦାଣ୍ଡରେ ଚଳଚଞ୍ଚଳ ରଥଖଳା । ଏହିି ଦିନ ରୂପକାରମାନେ ରଥ ସେବାରେ ସାମିଲ ହୁଅନ୍ତି । ମହାରଣାମାନେ କାଠ ସବୁ ମାପ ଅନୁସାରେ ଚଉରସ କରି ସେମାନଙ୍କୁ କୋଣ ଗୁଜରେ ଗଜସିଂହର ରୂପ ଖୋଦେଇ
ଆରମ୍ଭ କରିବାପାଇଁ ଯୋଗାଇ ଦେବେ । ନିର୍ଦ୍ଦିଷ୍ଟ ଦିନ ନିର୍ଘଣ୍ଟରେ ସେବା ସୂଚୀ ସ୍ଥିରୀକୃତ ହୋଇଅଛି କାହିଁ କେଉଁ କାଳରୁ । ସେଥିରୁ ବିଚ୍ୟୁତ ହେଲେ ରଥ ନିର୍ମାଣରେ ପ୍ରମାଦର ଆଶଙ୍କା । ଶିଳ୍ପ ସେବକମାନେ ସକଳ ନିଷ୍ଠା ଓ ଉତ୍ସର୍ଗ ମନୋଭାବ ସହିତ ନିଜନିଜର ଦାୟିତ୍ୱ ତୁଲାଇବାକୁ ତତ୍ପର ଅଛନ୍ତି । ତିନି ବାଡ଼ର ବାଡ଼ଗ୍ରାହୀ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରଥକାର୍ଯ୍ୟ ଚାଲିଛି । ଚକର ତୁମ୍ବ
କେତେଗୋଟି ଖୋଳା ସରି ବିନ୍ଧ ଫିଟି ସାରିଲାଣି । ଭଉଁରୀ ଦିନ ନିଶ୍ଚିତ ତିନିରଥର ହଳେ ଲେଖାଁଏ ଚକ ଡେରାଯିବ । ସେଥିପାଇଁ ଅରରେ ସାଲ ସଜଡ଼ା ଯାଇ କଳଷା ଓ ବିନ୍ଧ କାମ ଚାଲିଛି । ସବୁ ସଠି୍‌କ ମାପଚୁପ ହିସାବ ଆଧାରରେ ନିର୍ଦ୍ଧାରିତ ସମୟ ଅନୁସାରେ ସଂପନ୍ନ ହେବା ବିଧେୟ ।

ପୁରୀ ସହରର ବୀରହରେକୃଷ୍ଣପୁର ପଞ୍ଚାୟତର ଲାଉକେରା ଗ୍ରାମର ବୁଦ୍ଧିଆ ମହାରଣା ଭାଇପୁଅ ହିସାବରେ ଗତ କୋଡ଼ିଏ ବର୍ଷରୁ ଅଧିକ କାଳ ହେଲାଣି ଆସି ରଥକାମରେ ନିୟମିତ ଖଟୁଛି । ଷୋହଳ ବର୍ଷ ବୟସରେ ବାପା ସହିତ ଆସି ରଥ କାମରେ ଯୋଗ ଦେଇଥିଲା । ବାପ ତା’ର ସ୍ୱର୍ଗବାସୀ ହେବା ପ୍ରାୟ ବାର ବର୍ଷ ହେଇଯିବ । ଦୈନିକ ହାଜିରା ୧୨ ଟଙ୍କାରୁ ଆସି ତିନିଶହ ଟଙ୍କାରେ ପହଁଚି ଗଲାଣି । ବାହାରେ ଅଧିକ ପଇସା ମିଳିଲେ ମଧ୍ୟ ରଥକାମରେ ଯୋଗଦେଇ ସେ ଆତ୍ମସନ୍ତୋଷ ପାଏ । ମହାପ୍ରଭୁଙ୍କ ସେବା ଭାବି ସେ କାମ କରେ । ଏହାକୁ ପରମ ସୌଭାଗ୍ୟ ବୋଲି ମନେକରେ । ରଥଖଳାରେ ତା’ର ବଡ଼ ଆଦର । ଭିଡ଼ କାମକୁ ହାତ ଲଗାଇବାକୁ
ବାଡ଼ଗ୍ରାହୀ ଖୋଜିଥାନ୍ତି ବୁଦ୍ଧିଆକୁ । ଚଉଡ଼ା ଛାତି, ବଳିଷ୍ଠ ଭୁଜ ବିଶିଷ୍ଟ ନିଦା ଚେହେରାର ମଣିଷ ।

ଆଜି ରଥଖଳାରେ ପହଁଚି ଗୋଡ଼ ହାତ ଧୋଇ ପାନ ଖଣ୍ଡେ ପାଟିରେ ପକାଇ ହତିଆର ସଜାଡ଼ି ନୀଳଚକ୍ରକୁ ଚାହିଁ ନିହଣ ମୁଗୁର ମୁଣ୍ଡରେ ଛୁଆଁଇ ବାଡଗ୍ରାହୀଙ୍କ ବରାଦ ମୁତାବକ କାମ ଆରମ୍ଭ କରିଦେଲା । ସବୁ ବଢେଇମାନଙ୍କ ନିହଣ ମାଡର ସାମୁହିକ ଠକ୍ ଠକ୍ ଶବ୍ଦରେ ତା’ର ନିହଣର ଶବ୍ଦ ଏକ ହୋଇଗଲା । ଠିକ୍‌ ଯେମିତି ମନ୍ଦିର ନିର୍ମାଣ ବେଳେ ଶିଳ୍ପୀମାନଙ୍କ ନିହଣ ସ୍ପର୍ଶରେ ପଥରରୁ ଝଙ୍କୃତ ହେଇଥିବ
ମଧୁର ସଙ୍ଗୀତ । କେବଳ ପ୍ରଭେଦ ଏତିକି ରଥ କ୍ଷେତ୍ରରେ କାଠ ଆଉ ସେ ଥିଲା ପଥର । ବୁଦ୍ଧିଆ ସର୍ବଦା ନିଘା ରଖିଥାଏ କାମରେ । ପ୍ରଭୁଙ୍କ ସେବାରେ ଆତ୍ମ ସମର୍ପଣର ଏକନିଷ୍ଠତା ।

କିଛି ସମୟ ପରେ ଆଉ ଜଣେ ଭାଇପୁଅ ନିଜ ପୁଅକୁ ସାଙ୍ଗରେ ନେଇ ଆସି କାମରେ ଯୋଗ ଦେଲା । ପନ୍ଦର ଷୋହଳ ବର୍ଷର ପୁଅ । ନିଶ ଦାଢି ଗଜୁରୁଛି । ସୁନ୍ଦର ଚେହେରା । ପିନ୍ଧିଛି ହାଫପ୍ୟାଣ୍ଟ ଓ ସାର୍ଟ । ଭାଇ କହିଲା, ଏ ଟୋକା ପାଠଶାଠ ପଢିଲାନି । ରଥକାମ ଶିଖିବା ପାଇଁ ଇଷ୍ଟେଟରୁ ଅନୁମତି ଆଣିଛି । ସର୍ଦ୍ଦାରର ମଧ୍ୟ ସହମତି ଅଛି । ବୁଦ୍ଧିଆ ମୁଣ୍ଡ ଟୁଙ୍ଗାରି ସମର୍ଥନ ଜଣାଇଲା ସିନା କେଜାଣି କାହିଁକି ତା ମନରେ ଭାବାନ୍ତର ଘଟିଲା । ସେ କିଛି ସମୟ ପାଇଁ ଗମ୍ଭୀର ହେଇ ନୀଳଚକ୍ର ଆଡକୁ ଚାହିଁଲା । ଭାବିଲା ତା’ର ଯଦି ଏମିତି ପୁଅଟିଏ ଥାଆନ୍ତା! ସେ ବି ତାକୁ ରଥଖଳାକୁ କାମ କରିବା ପାଇଁ ସାଙ୍ଗରେ ଆଣି ଆସିଥାନ୍ତା । ଚେର ନ ଲାଗିଲେ ଗଛ ଦ୍ରୁମ ହୁଏନାହିଁ । ସେହିଥିରେ ରହିଛି ପୂର୍ଣ୍ଣତା ଯେଉଁଥିରୁ ଆଜି ସେ ବଞ୍ଚିତ।  ତା’ର ନିଜର ଦୁଇଟି ଝିଅଙ୍କ କଥା ତା’ର ସହସା ମନେ ପଡ଼ିଲା । ବଡକୁ ଛଅ ବର୍ଷ ଆଉ ଛୋଟକୁ ଚାରି ବର୍ଷ । ଦୁଇଟିଯାକ ଏତେ ଗେହ୍ଳା ଯେ କାମରୁ ଫେରିବା ବେଳକୁ ବାପା ବାଟକୁ ଚାହିଁ ବସିଥିବେ । ବାପ କାମରୁ ଫେରି ଆଗ ତାଙ୍କୁ ଝାଳ ସଡ଼ସଡ଼ ଦେହରେ ଦଣ୍ଡେ ନଧରିଲେ ସେମାନେ ଛାଡ଼ିବେନି । ମିଠେଇ ବିସ୍କୁଟ କିଛି ନା କିଛି ସେମାନଙ୍କ ପାଇଁ ନେବା ପାଇଁ କେବେ ବି ଭୁଲେନି ବୁଦ୍ଧିଆ । କେବେବି ସେ ମନ ଉଣା କରେନି ଦୁଇଟି ଝିଅର ବାପା ହେଇଥିବା ପାଇଁ । କୋଉ ଝିଅ ପୁଅ ସ୍ୱର୍ଗକୁ ନେବେ ବାପ ମାଆଙ୍କୁ ! ସେମାନେ ଯେଝା ବାଟକାଟି ଶାଶୁ ଘରକୁ ଯାଇ ଘର କରିବେ । ଯେତେଦିନ ଗୋଡ଼ ହାତ ଚଳୁଥିବ ସେତେଦିନ ସବୁ ଠିକ୍ । ସବୁ ସେଇ ମାଲିକଙ୍କ ଇଛା ।

ମାତ୍ର ଆଜି ଭାଇପୁଅ ସାଙ୍ଗରେ ତା’ର ପୁଅ ଆସି ରଥ କାମରେ ଯୋଗଦେବା କଥାରେ ତା’ର ପିତୃତ୍ୱ ଓ ପୁରୁଷପଣିଆ ସତେ ଅବା ଅସମ୍ପୂର୍ଣ୍ଣ ସେହିଭଳି କିଛି ନ୍ୟୁନ ମନୋଭାବ ଅହେତୁକ ଭାବରେ ତାକୁ ଘାରିଛି । ତା’ର ଆଶଙ୍କା ଯେ ତା ଅନ୍ତେ ପ୍ରଭୁଙ୍କ ସେବା କରିବା ପାଇଁ ତା ଘରୁ କେହି ଆସିବେ ନାହିଁ । ଏଣୁ ଦୀର୍ଘ ଏକ ପରମ୍ପରାର ପୂର୍ଣ୍ଣଛେଦ ପଡ଼ିବ । କ୍ରମେ ଏହି ଭାବ ତାକୁ ଆକ୍ରାନ୍ତ କଲା ଫଳରେ
ତା’ର ଆଉ ସେଦିନ କାମରେ ମନ ଲାଗିଲା ନାହିଁ । ବାରମ୍ବାର ନୀଳଚକ୍ରକୁ ଚାହିଁ ଭାବିଲା ଯେ ସେ ପ୍ରଭୁଙ୍କ ଦୟାରୁ କାହିଁକି ବଞ୍ଚିତ ହେଲା । ମହାପ୍ରଭୁ କ’ଣ କରୁଣାର ସାଗରରୁ ବିନ୍ଦୁଏ ଜଳ ଦେବେନି ତା’ର ଖୋଲା ଆଞ୍ଜୁଳାରେ । ଏମିତି ସେ ତ କିଛି ପାପ କରିନି । କାହାକୁ ଟାଣ କଥା ପଦେ ବି କେବେ କହିନାହିଁ । ବଂର ଯେତିକି ପାରିଛି ଅନ୍ୟର ଦୁଃଖ କଷ୍ଟ ବେଳେ ସାହାଯ୍ୟ ସହଯୋଗ କରିଛି । ତେବେ ତା’ବେଳକୁ ପ୍ରଭୁଙ୍କର ଏଭଳି ଅବିଚାର କାହିଁକି । ତା’ହେଲେ ମହାପ୍ରଭୁ କଅଣ ଚାହାନ୍ତି ନାହିଁ ତା’ ଅନ୍ତେ ତା ଘରୁ କିଏ ତାଙ୍କର ସେବା କରିବା ପାଇଁ ଆସୁ ବୋଲି ?

ଏମିତି ବହୁ ପ୍ରକାର ଅଭିମାନ ଭରା କଥା ମନରେ ଭାଳି ବୁଦ୍ଧିଆ ଅନ୍ୟମନସ୍କ ଭାବେ ସିଂହଦ୍ୱାର ପର୍ଯ୍ୟନ୍ତ ଗଲା । ସେଦିନ ସେ ହାଜିରା ପାଉଣା ମଧ୍ୟ ନେବାକୁ ଭୁଲିଗଲା । ସିଂହଦ୍ୱାର ସମ୍ମୁଖରେ ଅରୁଣ ସ୍ତମ୍ବ ନିକଟରେ ଛିଡ଼ାହେଇ ପତିତପାବନଙ୍କୁ ଦର୍ଶନ କଲା । ଦର୍ଶନ କରି ଅଭିମାନରେ ମୁହଁ ଆଡ଼େଇଦେଲା । ସତେ ଯେମିତି ସେ ତା’ର ଅତି ଆପଣାର ଜଣେ କେହି ଆତ୍ମୀୟ, ସବୁ ଜାଣି ନଜାଣିଲା ଭଳି ଚାହିିଁଛନ୍ତି । ସେ ଆଉ ମନ୍ଦିର ଭିତରକୁ ଗଲାନାହିଁ । ଲୁଗାପଟା ଭଲ ନଥିଲେ ସେ ଯାଏ ନାହିଁ । ପୁଣି ଅଭିମାନରେ ଫାଟି ପଡ଼ୁଥାଏ ତା’ ମନ । ପ୍ରଭୁଙ୍କ ଆଗରେ ଅଳି କରି କହିଲା ମୋ କଥା ନବୁଝିବା ଯାଏଁ ତମ ମନ୍ଦିରକୁ ଯିବିନାହିଁ । ଅଭିମାନରେ ତା ଆଖିରୁ ଦୁଇଠୋପା ଲୁହ ଗଡ଼ି ଆସିଲା ।

ସିଂହଦ୍ୱାର ସୂଚନା କେନ୍ଦ୍ରରେ ସେଦିନ ଶ୍ରୀମନ୍ଦିରର ନୃସିଂହ ଚତୁର୍ଦ୍ଦଶୀ ନୀତି ବିଷୟରେ ସୂଚନା ଦିଆଗଲା । ବୁଦ୍ଧିଆର ମନେ ପଡ଼ିଲା ଘରୁ ବାହାରିବା ସମୟରେ ସ୍ତ୍ରୀ ରାଧାମଣୀ ମନେପକାଇ କହିଥିଲା ଯେ ଆଜି ରେଣ୍ଢା ଯାଇ ଦର୍ଶନ କରି ଦୀପ ବସାଇ ବାବାଙ୍କଠାରୁ ବିଭୂତି ଆଣି ଆସିବାକୁ । ଏଣୁ ସେ ଅବିଳମ୍ବେ ସାଇକେଲ  ଛୁଟାଇଦେଲା ରେଣ୍ଢା ଅଭିମୁଖେ । ସେ ସବୁ ବର୍ଷ ଏହି ଦିନ ସେଠାକୁ ସସ୍ତ୍ରୀକ ଯାଇ ଦର୍ଶନ କରି ଆସେ । ସେଦିନ ସ୍ତ୍ରୀର ଅସୁବିଧା ରହିଥିବାରୁ ସେ ଏକୂୁଟିଆ ସେଠାକୁ ଗଲା । ପୁରୀଠାରୁ ବ୍ରହ୍ମଗିରି ଆଡ଼କୁ ପ୍ରାୟ ଷୋହଳ କି.ମି ପରେ ଜାତୀୟ ରାଜପଥରୁ ବାମ ପଟେ ସାମାନ୍ୟ ଭିତରକୁ ଗଡ଼ିଲେ ଅଭୟ ନୃସିଂହ ମହାପ୍ରଭୁଙ୍କ ଭବ୍ୟ ଆସ୍ଥାନ ଅତ୍ୟନ୍ତ ରୁଚିପୂର୍ଣ୍ଣ ପରିବେଶରେ ବିଦ୍ୟମାନ । କିଏ ଏହାକୁ ମଠ କୁହେ ତ କିଏ ପୁଣି ଆଶ୍ରମ । ଜଣେ ବାବା ମୁଖ୍ୟ ଭାବରେ ରହିଥାନ୍ତି । ଲଣ୍ଡିତ ମସ୍ତକ, କ୍ଷୀଣଦେହ ଯୁକ୍ତ, କୌପୀନଧାରୀ ଏହି ବାବା ଜଣେ ସିଦ୍ଧ ପୁରୁଷ ଭାବରେ ବହୁ ଭକ୍ତଙ୍କୁ ଆକୃଷ୍ଟ କରିଥାନ୍ତି । ପ୍ରତ୍ୟେକ ସଂକ୍ରାନ୍ତି ଓ ମଙ୍ଗଳବାର ଦିନ କାହିଁ କେତେ ଦୂରରୁ ଛୁଟି ଆସନ୍ତି ଭକ୍ତମାନେ । ସ୍ତ୍ରୀ ପୁରୁଷ ନିର୍ବିଶେଷରେ ବାବା ସମସ୍ତଙ୍କର ପ୍ରିୟ । ରୁଗ୍‌ଣ ସନ୍ତାନ
ଉପରେ ବାବା ହାତ ବୁଲାଇ ଆଣି ତା କପାଳରେ ଯଜ୍ଞ ବିଭୂତି ଟିକେ ମାରିଦେଲେ ପିଲା ସୁସ୍ଥ ହେଇଯାଏ । ମହିଳାମାନେ ନିଜ ବନ୍ଧ୍ୟାତ୍ୱ ଦୂର ବା ପୁତ୍ର ପ୍ରାପ୍ତି ଆଶା ରଖି ଆସି ବାବାଙ୍କ ଆଗରେ ମନକଥା ବ୍ୟକ୍ତ କରି ଅନେକାଂଶରେ ସୁଫଳ ପାଇଛନ୍ତି ।ବାବାଙ୍କ ବୟସ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସଠିକ୍ ଭାବେ କେହି ଜାଣିନଥିଲେ । ମୃତ୍ୟୁର ବହୁ ପୂର୍ବରୁ ତାଙ୍କ ପ୍ରତିକୃତି ଭକ୍ତମାନେ ନିର୍ମାଣ କରି ମଠ ପରିସରରେ ରଖିଥିଲେ ।

ରାସ୍ତାସାରା ବୁଦ୍ଧିଆ ମହାପ୍ରଭୁଙ୍କ ନିନ୍ଦା କରି ଚାଲିଲା । ତା ପ୍ରତି ପ୍ରଭୁଙ୍କ ଅବିଚାର ଆଉ ଅବହେଳା କଥା ଭାବି ବାରମ୍ବାର ନିଜ ଜୀବନକୁ ଧିକ୍କାର କଲା । ବର୍ଷକୁ ଦି’ ମାସ ରଥକାମ କରି ବାକି ଦଶ ମାସ ପରଦୁଆରେ ଖଟି ସେ କରିଛି କ’ଣ? ମହାବାତ୍ୟା ବେଳେ ସମ୍ପୂର୍ଣ୍ଣ ଛପର ଉଡ଼ିଯାଇଥିବା ଚାଳ ଘରକୁ ମଧ୍ୟ ସେ ସବୁ ବର୍ଷ ନଡ଼ା ଛପର କରିପାରୁନାହିଁ । ଭୁବନେଶ୍ୱରରେ ଗୋଟିଏ ଠିକା କାମ କରି ଏକ
ପୁରୁଣା ଲୁନା କିଣିଥିଲା । ଏବେ ସେଇଟି ମଧ୍ୟ ଖରାପ ହୋଇ ପଡ଼ିବାରୁ ଏବେ ପୁରୁଣା ସାଇକେଲ ଖଣ୍ଡିକ ପେଲୁଛି । ପୁଣି ସନ୍ତାନ ବୋଲି ଦୁଇଟି ଝିଅ । ତା’ର ସବୁ ବିପର୍ଯୟ ପାଇଁ ମହାପ୍ରଭୁ ଦାୟୀ । କାରଣ ସିଏ ଭଲ କରି ଜାଣିଛି, ଦିଅନ୍ତି ସିଏ ଆଉ ନିଅନ୍ତି ସିଏ, ଗଢନ୍ତି ସିଏ ପୁଣି ବିଗାଡ଼ନ୍ତି ସିଏ । ମଣିଷର ପ୍ରାପ୍ତି ଅପ୍ରାପ୍ତି ସବୁ ତାଙ୍କରି ହାତରେ । ତାଙ୍କଠାରୁ କରୁଣାର ବାରିଧାରା ଛୁଟି ଚାଲିଛି
ସର୍ବଦା । ସେଥିରୁ କାହା ଭାଗ୍ୟରେ କେତେ ପରିମାଣର ପ୍ରାପ୍ତି ଅଛି ସେକଥା ସେଇ ହିଁ କେବଳ ଜାଣନ୍ତି । ଏଇ ତ ପୂର୍ଣ୍ଣ ସମର୍ପଣ ଭାବ ।

ସେଠାରେ ପହଁଚିଲା ବେଳକୁ ସଞ୍ଜ ଗଡ଼ି ଅନ୍ଧାର ଚରିଗଲାଣି । ଆଶ୍ରମ ସାମନାରେ ରହିଥିବା ପ୍ରାଚୀନ ବିଶାଳ ବରଗଛ ଯେମିତି ଆବୋରି ବସିଛି ସେ ମାଟିର ମହାନତାକୁ, ଠାକୁରଙ୍କ ମହିମାକୁ ଓ ସେ ବାବାଙ୍କର ସିଦ୍ଧିକୁ ।

ବୁଦ୍ଧିଆ ପ୍ରଥମେ ଅଭୟ ନୃସିଂହଙ୍କ ପାଖରେ ଦୀପ ଜଳେଇ ଦର୍ଶନ ସାରି ବାବାଙ୍କ ଆଶୀର୍ବାଦ ନେବାପାଇଁ ଆସିଲା । ବାବାଙ୍କୁ ମୁଣ୍ଡିଆ ମାରିଲା ବେଳକୁ ତା ମୁଣ୍ଡରେ ହାତ ରଖି ବାବା କହିଲେ “ମନ ଉଣା କେବେ କରନା ଧନ, କାହିଁକି ସିଂହଦ୍ୱାର ସମ୍ମୁଖରେ ଛିଡ଼ା ହୋଇ କାନ୍ଦୁଥିଲୁ? ମୁଁ ଜାଣେ ତୁ ସବୁ ବର୍ଷ ଏଠାକୁ ଆସୁ । ଏବେ ଧୈର୍ଯ୍ୟ ଧର, ସେ ସମୟ ପ୍ରାୟ ଆସିଗଲାଣି । କାଳିଆ ବଳିଆ ଆସି ପହଁଚିବେ
ତୋ ଘରେ । ନେ, ଏ ବିଭୂତି ଟିକେ ଭାର୍ଯ୍ୟାକୁ ଦେବୁ, ଏ ଚନ୍ଦନ ଟିକେ ତା କପାଳରେ ଲଗାଇ ଦେବୁ ଆଉ ଦି’ଜଣ ଟିକେ ଟିକେ ପାଇବ । ଯାଃ, ମାଲିକ ନିଶ୍ଚେ ଶୁଣିବେ ତୋ ଦୁଃଖ” । ବାବାଙ୍କ ମୁହଁରୁ ଅଲୌକିକ ଅମୃତବାଣୀ ଶୁଣି ବୁଦ୍ଧିଆ ଆବାକାବା ହୋଇ ଚାହିଁଲା ଏବଂ ସାଷ୍ଟାଙ୍ଗ ହେଲା । ଚରଣ ସ୍ପର୍ଶ କରି ପ୍ରଣାମ ଜଣାଇ ବାବା ଦେଇଥିବା ବିଭୂତି ଓ ଚନ୍ଦନ ଯତନରେ ଧରି ଛୁଟିଲା ଘରକୁ ।

ତା’ ପରବର୍ଷ ନୃସିଂହ ଚତୁର୍ଦ୍ଦଶୀକୁ ବୁଦ୍ଧିଆ ସକାଳୁ ପ୍ରଥମେ ରେଣ୍ଢା ଗଲା । ସେଠାରେ ଅଭୟନୃସିଂହଙ୍କୁ ଭୋଗରାଗ ପୂର୍ବକ ଦର୍ଶନାନ୍ତେ ବାବାଙ୍କ ପାଖକୁ ଆସିଲା । ବାବାଙ୍କୁ ପାଦତଳେ ମୁଣ୍ଡିଆ ମାରିବା ବେଳକୁ ବାବା ତା ମୁଣ୍ଡରେ ହାତ ରଖି ପଚାରିଲେ, “କହରେ ବାୟା ତୋ ମନସ୍କାମନା ପୂରଣ ହେଲା? ମୋ କାଳିଆ ବଳିଆ କେମିତି ଅଛନ୍ତି । ମନେ ରଖିବୁ ପୁଅ ଦି’ଟାକୁ ଆଣି ଠାକୁରଙ୍କ ପାଖରେ ମୁଣ୍ଡିଆ ମାରି ନେଇଯିବୁ ଆଉ ସେମାନଙ୍କର ପ୍ରଥମ କେଶ ଏଇଠି ପକାଇବୁ ।”

ବୁଦ୍ଧିଆ ଯୋଡ଼ହସ୍ତ ହୋଇ କ’ଣ କହିବ ତା’ର ପାଟି ଖନି ମାରିଗଲା । ବାରମ୍ବାର ଛେପ ଢୋକି ସେ କହିଲା, ତା’ର ଯାଆଁଳା ପୁଅ ଦି’ଜଣଙ୍କୁ ମାତ୍ର ଦୁଇ ମାସ ହେଇଛି । ଏତେ ଛୋଟ ଛୁଆଙ୍କୁ ଧରି ଆସିବା ଅସୁବିଧା ବୋଲି ସେମାନଙ୍କ ମା’ ମଧ୍ୟ ଆଜି ଆସିପାରିଲା ନାହିଁ ।

ବୁଦ୍ଧିଆର କଥା ବାବାଙ୍କ ପର୍ଯ୍ୟନ୍ତ ପହଁଚିଲା କି ନାହିଁ କେହି ଜାଣିନାହିଁ କାରଣ ସେତେବେଳକୁ ଆଉ ବହୁତ ଲୋକଙ୍କର ଅଳି ପୂରଣ କରିବା ପାଇଁ ସେ ତତ୍ପର ଥିଲେ । ବୁଦ୍ଧିଆ ରେଣ୍ଢାରୁ ଫେରି ରଥ କାମରେ ଯୋଗଦେଲା । ସନ୍ଧ୍ୟାରେ ସିଂହଦ୍ୱାର ଯାଇ ପତିତପାବନ ଦର୍ଶନ କରି ଭାବିଲା ଏମିତି କାଳ କାଳ ଧରି ନୀଳଚକ୍ରରେ ପତିତପାବନ ଉଡୁଥିବ ଆଉ ବଡ଼ଦାଣ୍ଡରେ ଘୋର୍ଘର ନାଦ କରି ରଥର ଚକ ଗଡ଼ି ଚାଲଥିବ । ସେଥିରେ ଆମେ ସବୁ ନିମିତ୍ତ ମାତ୍ର । ସବୁ ତାଙ୍କରି ଦୟା ଆଉ ମାୟା ।

କୁଣ୍ଡେଇବେଣ୍ଟ ସାହି, ପୁରୀ
ମୋ:୯୪୩୭୧୬୬୩୬୯