ହେ ଦୀନବନ୍ଧୁ…

ଜୟଶ୍ରୀ ଦାଶ

ଆଶାର ବାରିଧି କ୍ଷମାର ଜଳଧି
କରୁଣାକର ସାତସିନ୍ଧୁ,
ତୁମେ ଦୀନବନ୍ଧୁ ଭକ୍ତ ଜନବନ୍ଧୁ
ବର୍ଷୁଥିବ କୃପାବିନ୍ଦୁ ।

ନୁହେଁ ପ୍ରେମମୟୀ ବୃଷଭାନୁ ଜେମା
ଅବା କୃଷ୍ଣପ୍ରାଣ ମୀରା,
ତୋ ପାଦ ଯୁଗଲେ ସମର୍ପି ଦେଇଛି
ମୋର ଜୀବନ ପସରା ।

ଦୁଃଖ ଦରିଆରେ ତୋର ନାମ ଧ୍ୟାୟୀ
ଭସାଇ ଦେଇଛି ନାଆ,
ଦଦରା ମୋ ନାଆ କୂଳେ ଲଗାଇବୁ
ତୁହି ଏକା ମୋର ସାହା ।

ଜୀବନ ବି ସତ୍ୟ ମୃତ୍ୟୁ ବି ନିଶ୍ଚିତ
ଯଦିବା ଜାଣିଛି ମୁଁହି,
ଜୀବନ ଜୀବିକା ଜଞ୍ଜାଳ ଜାଲରେ
ଛନ୍ଦି ହୋଇ ଅଛି ରହି ।

ତୋ ନାମ ଭଜନ ତୋ ନାମ କୀର୍ତ୍ତନ
କରି ପାରୁ ନାହିଁ ମୁଁହି,
କୃପା ରଖି ଥିବୁ କୃପା ବାରିଧି ହେ
ଦୀନ ଅକିଞ୍ଚନ ମୁଁହି ।