ନିରଞ୍ଜନ ସେଠୀ (କବି ଚନ୍ଦ୍ର)
ପୂର୍ଣ୍ଣିମାର ଚାନ୍ଦ ପଦ୍ମ କମଳ ପ୍ରୀତି ପାରାବର ଛିଟା
ପଲ୍ଲବିତ ଛଳେ ମଦିରା ମଲ୍ହାର କଢ଼ ଧରି ହୁଏ ଗୋଟା ।
କଣ୍ଟକ ଆଘାତ ଭୟ ଦାବାନଳେ ଛାତିରେ ଛନକା ଅତି
ବିଭବ ମଣ୍ଡଳେ ବୈରୀ ପରାଭବ ତା ସାଥେ ସୃଜଇ ଭୀତି ।
ଭଙ୍ଗୁର ପଥ ଭଗ୍ନ ପାନ୍ଥଶାଳା ବିଭାବରୀ ବନ ଜୋସ୍ନା
ତଥାପି ବୈଭବ ଆଶା କୁଞ୍ଜେ ପ୍ରୀତି କରେ ନିତି ଆନମନା ।
ମୁଦି ଦେଲେ ଆଖି ଦିଶେ ତମ ଛବି ପୂରିଯାଏ ହୃଦ ଫମ୍ପା
ଅନ୍ଧାର ଭିତରେ ତମେ ପୂର୍ଣ୍ଣ ରେଣୁ ସ୍ଵର୍ଣ୍ଣକଢି ସ୍ଵର୍ଣ୍ଣଚମ୍ପା ।
ମଦିରା ଛଳେ ମରମ ମହକେ ଅଧରେ ଅଧର ଚୁମି
ଚହଲା ଢେଉରେ ଭାସିଯାଏ କ୍ଷଣେ ସରାଗେ ସରଗ ରମି ।
ଆଖି ଖୋଲି ଯେବେ ନିରେଖି ଖୋଜଇ ନୋଚାକୋଚା ଶେଜ ପରେ
ବ୍ୟାକୁଳ ହୃଦୟ ବିରହ ବେଦନା ଝାଞ୍ଜି ବହେ ଖରତରେ ।
ମୋହ ମନ୍ଦାକିନୀ ମଧୁର ମୂର୍ଚ୍ଛନା ମହମହ ବାସ୍ନା ମୋହେ
ମୁଁ ଥାଇ ନ ଥାଏ ମୋ ନିଜ ଭିତରେ ରାହୁ ଗ୍ରାସେ ଗ୍ରହ ଦ୍ରୋହେ ।