କବିତା : ଛକି ଶୂନ

ସ୍ମୃତି ରଞ୍ଜନ ତ୍ରିପାଠୀ

ଗୋଟେ ହିସାବ କଲୁ
ଆମେ ଦୁହେଁ ମିଶି
ବିଜୟ ଆଉ ପରାଜୟ,
ତା’ ରଫ ଖାତାରେ
କିଛି ଅନୁଭୂତି କିଛି ପ୍ରେମ
ସେତିକି ତ କଳଙ୍କ।।
ଧେତ୍ !
ଛକି ଶୂନରେ ପରା
ଶୂନ୍ୟ ମୋର ପ୍ରାପ୍ୟ ।

ତା’ ବହୁଳ ଅଙ୍କକସା
ଆଉ
ମୋ ଜ୍ୟାମିତିକ ପ୍ରେମରେଖା
ଠିକ୍
ଛାଇ ଆୟୁଷ ଛାଡିଲା ପରି
ଅଣଦେଖା, ଅସ୍ପଷ୍ଟ ।।

ସ୍ମୃତି ସବୁ କୁଆଡେ
ଏମିତି ଭୋଗୀ ହୁଅନ୍ତି,
ଗୋଟିଏ ଦିଗକୁ କାଖେଇ
ସମୟକୁ ହାତ ମୁଠାରେ
କୋଳେଇବାର ସାହସ
କାହାର ବା ଅଛି?
ସର୍ତ୍ତ ହେଲା
ମୋ ଖରାକୁ
କାଖେଇଥିବା ସୂର୍ଯ୍ୟ
ମୁଁ ବିନିମୟ କରିବି
ପ୍ରତିବଦଳେ
ବଳକା ଗାରର ତପସ୍ୟା?
ଧେତ୍
ଛକି ଶୂନରେ ପରା
ଶୂନ୍ୟ ମୋର ପ୍ରାପ୍ୟ ।

ଆଉ ଲେଖୁନି
କଳାପଟାର ଦୀର୍ଘସ୍ଵରରେ
ସେ ଫିଙ୍ଗିଥିବା ଚକ ଖଡ଼ିର
ଗୋଟାଏ ଅଲୌକିକ ଦୃଶ୍ୟପଟ।
ସାଉଁଟୁଛି ଏବେ
ବ୍ୟସ୍ତ ବହୁଳ ସାଗର ତୀରରେ
ଧୂଳି କୁ ବେଲଗାମ କରିଥିବା ଧର୍ଯ୍ୟ
ହଁ
ଲହଡି ଆସି ଫେରେଇ ନିଅନ୍ତାକି
ସମୟର ଛକ ସବୁକୁ
ଆଉ ଧୀରେ ଧୀରେ ଲିଭେଇ ଚାଲନ୍ତି
କ୍ଷଣ କ୍ଷଣର ଶୁନ୍ୟତା ମୁଁ
ସବୁ ଦେଖି ନଦେଖିଲା ଭଳି
ମୁରୁକି ହସୁଥାନ୍ତି
ଠିକ ଅସହାୟ ବାଲି ଉପରେ
ଥରେ ଗୋଟେଇ ପୁଣି ଥରେ
ପ୍ରାପ୍ତିର ସମ୍ମୋହନ ପରି।।
ଧେତ୍ ! ଛକି ଶୂନ ରେ
ଶୂନ୍ୟ ପରା ମୋର ପ୍ରାପ୍ୟ ପରା।।

ଯୋଉଠି ଆକାଶ କୋଳାଏ
ଅପସାରିତ ବାଦଲ
ଅନବରତ କହୁଥାଏ
ହଁ ଏଇଟା ହିଁ ଜୀବନ
ମୁଁ କୁହେ
ଧେତ୍ ! ଛକି ଶୂନ ରେ
ଶୂନ୍ୟ ମୋର ପ୍ରାପ୍ୟ ।
ଛକି ଶୂନ ହିଁ
ପ୍ରେମର ଅକୁହା ମନ୍ଥନ।।
କାନଭାସରେ ରଙ୍ଗେଇ ହେଇପାରୁ ନଥିବା
ଗୋଟେ ବଳକା ଜହ୍ନ।