ଗପ: ଧର୍ମ ସଙ୍କଟ

ଅମିତ୍ ଜେନା       

ଅକ୍ଟୋବର ମାସର ସନ୍ଧ୍ୟା, ଶୀତ ପଡିଆସିଲାଣି । କାହିଁକି କେଜାଣି ଏକ ଅଜଣା ଡର ନଳିନୀ ଦେବୀ ଙ୍କୁ ଭାରି ଚିନ୍ତାଗ୍ରସ୍ତ କରୁଥାଏ । ଏକମାତ୍ର ପୁଅ ରବି ଦ୍ବିପହରୁ କେଉଁ ବାହାଘର ଭୋଜି ଖାଇବାକୁ କଟକ ଯାଇଛି ଯେ ଏଇଯାଏଁ ଫେରିନି । କୋଡିଏ ବର୍ଷ ତଳେ ସ୍ୱାମୀ ଗାଡି ଦୁର୍ଘଟଣା ରେ ଆରପାରି କୁ ଚାଲିଯିବା ପରେ ପୁଅ ହିଁ ତାଙ୍କ ପାଇଁ ସବୁକିଛି । ସଂସାରର ଝଡଝଞ୍ଜା ଭିତରେ ଭାଙ୍ଗି ନପଡି ରବିକୁ ମଣିଷ କରିବା ପାଇଁ ବହୁତ ଚେଷ୍ଟା କରିଛନ୍ତି ସେ । ତାଙ୍କର ଉଦ୍ୟମ ଯେ ସମ୍ପୁର୍ଣ ବିଫଳ ହେଇଛି ସେକଥା ବି ନୁହେଁ । ରବି ଟା ଆମର ଭଲ ପିଲାଟା, କିନ୍ତୁ ବୟସ ଆଉ ସଙ୍ଗଦୋଷ ହେତୁ କେବେ କେବେ ବହୁତ ହଇରାଣ ରେ ନିଜେ ପଡେ ଆଉ ମା ଙ୍କୁ ବି ପକାଏ । ଗଲା ମାସରେ ବହୁତ ଜିଦି କରି ମୋଟର-ସାଇକେଲ ଗୋଟେ କିଣେଇଛି । ଆର୍ଥିକ ଅବସ୍ଥା ସେତେ ଭଲ ନଥିଲେବି ପୁଅ ର ଅଳିକୁ ଟାଳି ପାରିନାହାନ୍ତି ନଳିନୀ ଦେବୀ ।

ଆଜି ସକାଳେ ରାଶିଫଳ ଦେଖି ମନା କରୁଥିଲେ ତାକୁ କୁଆଡେ ବି ଯିବା ପାଇଁ । କିନ୍ତୁ ଯୌବନର ବେଳାଭୂମିରେ ନୁଆ ପଦାର୍ପଣ କରିଥିବା ରବି ଆଧୁନିକତାର ବାହାସ୍ଫୋଟ ମାରି ମା ଙ୍କ କଥାକୁ ହସରେ ଉଡେଇଦେଲା । ”ଦୁନିଆଁ କୋଉଠି ଯାଇଁ ପହଂଚିଲାଣି, ତୁମେ କିନ୍ତୁ ନିଜ ଗାଉଁଲି ବୁଦ୍ଧି କେବେ ଛାଡିବନି ।” କହି ବାହାରିଗଲା ରବି । ଆଖି ଲୁହ ଦୁଇଟୋପାର ତାଳେ ତାଳେ ସତେ ଯେମିତି କିଏ କାନେ କହିଗଲା ଯେ ଗାଁ ନାହାକଙ୍କ ଗାଉଁଲି କଥା ମାନି ମାଙ୍ଗଳିକ ପ୍ରସ୍ତାବରେ ରାଜି ନ ହେଇଥିଲେ ବୋଧେ ରବି ଆଜି ବାପା ଡାକରୁ ବଂଚିତ ହେଇନଥାନ୍ତା । ଏମିତି ଭାବୁଭାବୁ ଟିକିଏ ନିଦ ଲାଗିଯାଇଛି ତାଙ୍କୁ ।

ହଠାତ୍ ଚାକରାଣୀ ରୁପା ର ଡାକ ଶୁଣି ଚମକି ପଡିଲେ ନଳିନୀ ଦେବୀ । “ଛୁଆ ବାବୁଙ୍କର ଆକ୍ସିଡେଣ୍ଟ ହେଇଛି ମା, ଘରକୁ ଡାକ୍ତରଖାନାରୁ ଫୋନ ଆସିଛି ।”  ସତେ ଅବା ଚଡକ ପଡିଗଲା ତାଙ୍କ ମୁଣ୍ଡରେ । ଏଇ ସଡକ ଦୁର୍ଘଟଣା, ସଂସାର ଆରମ୍ଭ କରୁ କରୁ ଯେ ତାଙ୍କ ସିନ୍ଦୂର ଲିଭେଇ ସାରିଛି । ସମୟର ଏଇ ଅକାଳ ପ୍ରହାର ହେତୁ ମସ୍ତିସ୍କର ଶରୀର ଉପରେ ନିୟନ୍ତ୍ରଣ ରହୁନି, ଆଉ ମନ ଟା ଭଗବାନଙ୍କ ଆଡକୁ ଗୁଡ଼ାଏ ପ୍ରଶ୍ନବାଣ ମାରି ସାରିଲାଣି । ସଂଜ୍ଞାହୀନ ହେବାର ପ୍ରାକ୍-ଅବସ୍ଥା, ତଥାପି ଯେନତେନ ପ୍ରକାରେଣ ନିଜକୁ ସମ୍ଭାଳି ରୁପା ସହ ଡାକ୍ତରଖାନା ଯିବାପାଇଁ ପ୍ରସ୍ତୁତ ହେଲେ ସେ ।

ଡାକ୍ତରଖାନା ଗଲା ବାଟରେ କ୍ରୋଧ ଓ ପ୍ରତିକ୍ରିୟାରେ ଆତ୍ମଲୀନ ହୋଇ ରୁପା ଆଗରେ ଟ୍ରାଫିକ୍-ପୋଲିସରୁ ଆରମ୍ଭ କରି ଟ୍ରକ୍-ଚାଳକ ପର‌୍ୟ୍ୟନ୍ତ ସମସ୍ତଙ୍କ ଦୋଷତ୍ରୁଟି ବର୍ଣନା କରୁଥାନ୍ତି ସେ । ରୁପା ବି ମାଙ୍କ ଅବସ୍ଥା ବୁଝି ଉଁ କି ଚୁଁ କିଛି କରୁନଥାଏ । ଏତଦ୍ ଭିତରେ ଡାକ୍ତରଖାନା ପହଁଚିଗଲେ ଦୁଇଜଣ । ତିଳେହେଁ ବିଳମ୍ବ ନକରି ପୁଅ କୁ ଦେଖିବା ପାଇଁ ଝପଟି ଗଲେ ମା । ପୁଅକୁ ଦେଖି ମାଙ୍କ ମନ ଟିକେ ଆଶ୍ୱସ୍ତ ହେଲା । ଡାକ୍ତର କହିଲେ ” ମଦ ପିଇକି ଗାଡି ଚଲାଉଥିଲା ଆପଣଙ୍କ ପୁଅ, ଭାଗ୍ୟ ବଳରୁ ବଂଚିଗଲା । କିନ୍ତୁ ଗୋଟେ ପାଦଚଲା ପଥିକ ଉପରେ ଗାଡି ଚଢେଇ ତା ଅବସ୍ଥା ସଙ୍କଟପୁର୍ଣ୍ଣ କରି ଦେଇଛି ।” ଚିରାଚରିତ ଭଙ୍ଗିରେ ଘଟଣାରେ ପୁର୍ଣ୍ଣଛେଦ ଲାଗିଲା ବେଳକୁ ପୋଲିସ୍ ବାବୁ ଆସି ପହଁଚିଲେ । ଉଚ୍ଚସ୍ୱରରେ ପାଟି କରି ଡାକ୍ତରଙ୍କ ଠାରୁ କିଛି ବୟାନ ନେଲେ ଆଉ ସିଧା ଗାଡି ଚଢି ଯାଇଥିବା ପଥିକର ଚିକିତ୍ସା କୋଠରୀ ଆଡକୁ ମାଡିଗଲେ ।

କିଛି ସମୟ ପରେ ପୋଲିସ୍ ବାବୁ ମାଙ୍କ ପାଖକୁ ଆସି କହିଲେ ” ଆରେ ସେ ଲୋକଟା ମରିସାରିଲାଣି, ବାସପୁରରେ ଘର ବୋଲି ତାକୁ ଡାକ୍ତରଖାନା ଆଣିଥିବା ଲୋକମାନେ କହୁଛନ୍ତି । ଏଇ ଯାଏଁ ସଠିକ ଚିହ୍ନଟ ହେଇ ପାରିନି, ସେ ଯାହା ବି ହେଉ ଏବେ ଆପଣଙ୍କ ପୁଅ ନାଁ ରେ ଚାର୍ଜସିଟ୍ ବନିବ । କାଲି ଅମୁକ ଥାନା କୁ ଆସନ୍ତୁ ।” କିଂକର୍ତ୍ତବ୍ୟବିମୁଢ ଅବସ୍ଥାରେ ବି ବାସପୁର ନାଁ ଟା ଶୁଣିଲା ଶୁଣିଲା ପରି ଲାଗିଲା ମାଙ୍କୁ ।ରୁପାର ଗାଁ ପରା, ବୁଲିକି ଚାହାନ୍ତି ତ ରୁପା ନାହିଁ ପାଖରେ । କିଛି କରିବା ପୂର୍ବରୁ ରୁପା ର କାନ୍ଦ ଶୁଣି ମାଙ୍କ ମନରେ ଆର୍ତ୍ତନାଦ ଖେଳିଗଲା । ଦଉଡ଼ିଯାଇ ଦେଖନ୍ତି ତ ରୁପା ଛାତି ଫଟେଇ କାନ୍ଦୁଚି ଆଉ ଖଟିଆ ଉପରେ ପଡିଛି ତା ସ୍ୱାମୀ ରାମର ପ୍ରାଣହୀନ ଶରୀରଟି । ଘଟଣାକୁ ସମ୍ପୁର୍ଣ ଭାବେ ବୁଝିବାକୁ ଆଉ ଡେରି ହେଲାନି ମାଙ୍କୁ । ଭାଗ୍ୟ ଆଜି ସେଇ ଚାରିଛକରେ ତାଙ୍କୁ ପକେଇ ଦେଇଛି ଯେଉଁଠି କେବେ ସେ ଭଗବାନଙ୍କୁ ବାରବାର ଠିଆ କରୁଥିଲେ ।

ଆଜି ପ୍ରଶ୍ନବାଣ ତ ବହୁତ ଅଛି, କିନ୍ତୁ ତାର ଦିଶା ଓଲଟା ଜ୍ଝ ସତେ ଯେପରି ରାମ ଶବରେ ତାଙ୍କୁ ନିଜ ମୃତ ପତି ଙ୍କ ଚେହରା ଦିଶୁଥିଲା । ଭଗବାନ ଯେମିତି ବିଦ୍ରୁପ କଲା ଭଙ୍ଗି ରେ ଆଜି ପଚାରୁଥିଲେ ଯେ ।” ଧର୍ମ ରେ ଦାୟ ନା ପୁଅ ରେ ଦାୟ?” ଆଉ ମା ଙ୍କର ନା ରୁପା ମୁହଁକୁ ଚାହିଁ ପାରିବାର ନା ଭଗବାନଙ୍କୁ ଉତ୍ତର ଦେବାର ସାହସ ଥିଲା । ପୋଲିସ୍ ବାବୁ ଏଇ ସମୟରେ ପାଖକୁ ଆସି ଧୀରେ କହିଲେ ” ମାଡାମ୍, ଦୁଇ ଲକ୍ଷ ଟଙ୍କା ର ବ୍ୟବସ୍ଥା କଲେ ଆମେ ସବୁ ସମ୍ଭାଳି ନେବୁ ।” ଏଇ କଥା ଟା ମାଙ୍କର ଆତ୍ମ-ଅଭିମାନ ଉପରେ ଏକ ଶକ୍ତ ଚାପୁଡ଼ା ଥିଲା । ଦୁଇ ଲକ୍ଷ ଦେଇ ସୁଦ୍ଧା ଯେ ଆଜି ରୁପା ର ଆଖିଲୁହ କିଣିବାକୁ ଅସମର୍ଥ, ଏକଥା ସେ ଜାଣିସାରିଥିଲେ । ତଥାପି ବାତ୍ସଲ୍ୟ ମମତା ର ଶଙ୍ଖଧ୍ୱନି ଆଗରେ ନାରୀବାଦର ଡେଙ୍ଗୁରା କ୍ରମଶଃ ଫିକା ପଡୁଥିଲା । ମଣିଷପଣିଆକୁ ଗଳାରୁଦ୍ଧ କରି ମାରିବା ବେଳେ ମା ଶୁଣିପାରୁଥିଲେ ନିଜ ବିବେକ ର ଆର୍ତ୍ତ ଚିତ୍କାର । ସମୟ ଦର୍ପଣ ରଖିଦେଇଥିଲା ସାମନାରେ ଆଉ ମା ଆଜି ନିଜର କୁତ୍ସିତ ପ୍ରତିବିମ୍ବକୁ ଚିହ୍ନି ପାରୁନଥିଲେ । କିଛି ସମୟପରେ ଦୁଇଲକ୍ଷ ଟଙ୍କାର ଜୁଇରେ ମା ନିଜର ମଣିଷପଣିଆକୁ ଶୁଆଇଦେଲେ । ନିଆଁ ଧରିସାରିଥିଲା ଆଉ ଧୂଆଁ ମାଙ୍କ ଭିତରୁ ଦୀର୍ଘଶ୍ଵାସ ହେଇ ବାହାରିଗଲା ବେଳେ ଚେତେଇ ଯାଉଥିଲା ଯେ ପୁଅର ଭବିଷ୍ୟତ ବଂଚେଇବାକୁ ଯାଇ ସେ ସବୁଦିନ ପାଇଁ ଭଗବାନଙ୍କ ଆଗରେ ମୁକ ହେଇଯାଇଛନ୍ତି ।