Latest Odisha News

ଗଳ୍ପ : ଚିରକାଳର ମା’

ପ୍ରଦୀପ କୁମାର ରାୟ

ସେଦିନ କାହିଁକି କେଜାଣି ଭୀଷଣ ଉଦାସ ଲାଗୁଥାଏ । ଘରେ ମୁଁ ଏକା । ପିଲାମାନେ ହଷ୍ଟେଲରେ , ଶ୍ରୀମତୀ ବାପଘରକୁ ଯାଇଥାନ୍ତି । ସକାଳୁ ନିତ୍ୟକର୍ମ ସାରି କଲେଜକୁ ବାହାରିଲି । ବାଟରେ ଜଳଖିଆ ଖାଇବା ପାଇଁ ହୋଟେଲ ଭିତରକୁ ଯଦିଓ ପଶିଗଲି କିନ୍ତୁ କିଛି ଖାଇବାକୁ ଇଛ୍ଛା ହେଲା ନାହିଁ । କେବଳ କପେ ଚା ପିଇ ଚାଲି ଆସିଲି । କମନ୍ ରୁମରେ ପହଞ୍ଚି ତରତର ହୋଇ କପ୍ ବୋର୍ଡରୁ ଆଟେଣ୍ଡଡେନ୍ସ ରେଜିଷ୍ଟର ଧରି ବାହାରୁଛି , ସହକର୍ମୀ ଅଧ୍ୟାପକ ବନ୍ଧୁ ଦିଲୀପ ବାବୁ କହିଲେ , ସାର୍ ଆଜି କ୍ଲାସ ସସ୍ ପେଣ୍ଡ । ଆପଣଙ୍କ ଅନର୍ସର ସାହାଜୀ ବାରିକ କାଲି ରାତିରେ ମରିଗଲା । ଆପଣ ଜାଣି ନାହାନ୍ତି ! ଏଗାରଟା ବେଳକୁ ଶୋକସଭା ହେବ । 

ହଠାତ୍ ଏମିତି ଏକ ଖବର ଶୁଣି ମୁଁ ନିର୍ବାକ ହୋଇ ବସି ପଡିଲି । ଦିଲୀପ ବାବୁ ଆଉସବୁ କଣ କଣ କହି ଚାଲିଥାନ୍ତି, ମୁଁ କିନ୍ତୁ କିଛି ଶୁଣିପାରୁ ନଥାଏ ।

ସାହାଜୀ ବାରିକ , ଆମ ଅନର୍ସ ର ଫାଇନାଲ୍ ଇଅର ର ଛାତ୍ରୀ । ସବୁବେଳେ ହସ ହସ , ଚଞ୍ଚଳ । ନାଚ ଗୀତ , ଡିବେଟ୍ ସବୁଥିରେ ଆଗ । ହଁ, ଗତମାସ ଆଦୌ କ୍ଲାସ ଆସିନଥିଲା । ମଝିରେ ଯେତେବେଳେ କିଛିଦିନ ପାଇଁ କ୍ଲାସ ଆସିଥିଲା ,ବେଶ୍ ଦୁର୍ବଳ ଜଣା ପଡୁଥିଲା ।

ପଚାରିଥିଲି , କ୍ଲାସ ଆସୁନଥିଲୁ କାହିଁକି ? କଣ ଦେହ ଖରାପ ଥିଲା ? ଏମିତି ଝଡି ଯାଇଛୁ ଯେ !
ହସିବାର ଚେଷ୍ଟା କରି କହିଥିଲା , ହଁ ସାର, ମୋର ଦେହ ଭଲ ରହୁନାହିଁ । ଟ୍ରିଟମେଣ୍ଟ ଚାଲିଛି । ବାପା, ମା ତ ଆଦୌ ଛାଡୁନଥିଲେ । ଘରେ ଏକା ଏକା ମୋଟେ ଭଲ ଲାଗୁନଥିଲା । କଲେଜରେ , ହଷ୍ଟେଲରେ ସାଙ୍ଗମାନଙ୍କ ସାଥିରେ ରହିଲେ ଭଲ ଲାଗିବ ବୋଲି ଜିଦ କରି ଚାଲି ଆସିଲି ।

ତା’ପରେ ମୁଁ ଆଉ ବେଶିକିଛି ନପଚାରି କ୍ଲାସ ନେଇ ଫେରି ଆସିଲି । ଦୁଇ ଦିନ ପରେ ଖବର ପାଇଲି ହଠାତ୍ ହଷ୍ଟେଲରେ ସିରିୟସ୍ ହୋଇ ପଡିଲା ସାହାଜୀ । ତାର ବାପା ଆସି ତାକୁ ନେଇ ଯାଇଛନ୍ତି ।

ଆଉ ଆଜି ହଠାତ୍ ଏମିତି ତାର ମରିଯିବାର ଖବର ମୋତେ ପଥର କରିଦେଲା ।

ଚୁପ୍ ଚାପ ବସି ରହିଛି , ଗତବର୍ଷ ହଷ୍ଟେଲର ଫଙ୍କସନ ଦିନର କଥା ମନେ ପଡିଗଲା । ସବୁ ଛାତ୍ରୀ ମାନଙ୍କର ବାପା ମାଁ ଙ୍କୁ ନିମନ୍ତ୍ରଣ କରାଯାଇ ଥାଏ । ପେରେଣ୍ଟସ୍ ମିଟିଂ ପାଇଁ ଆସୁଥିବା ବାପା ମାଁଙ୍କର ନାମ ଲେଖି ସେମାନଙ୍କୁ ସ୍ବାଗତ କରିବା ପାଇଁ ଗେଟ ପାଖରେ ସାହାଜୀ ଓ ଫଇନାଲ୍ ଇଅରର ଅନ୍ୟ ତିନିଜଣ ଛାତ୍ରୀଙ୍କୁ ଦାୟିତ୍ବ ଦିଆଯାଇ ଥାଏ । ଲକ୍ଷ୍ୟକଲି +୨ ର ଛାତ୍ରୀଟିଏ ଅନେକ ବେଳୁ ଗେଟ ପାଖରେ ଛିଡା ହୋଇଛି । ତାକୁ ଟିକେ ଉଚ୍ଚ ସ୍ବରରେ କହିଲି , ଗେଟ ବାହାରେ କଣ କରୁଛ ? ଭିତରକୁ ଯାଅ । ଝିଅଟି କାନ୍ଦିବା ଆରମ୍ଭ କରିଦେଲା । ପଚାରିଲି , କାନ୍ଦୁଛ କାହିଁକି ? ସେମିତି କାନ୍ଦୁ କାନ୍ଦୁ କହିଲା , ସମସ୍ତଙ୍କର ବାପା ମା ଆସିଲେଣି , ମୋର ବାପା ମା ଆସୁ ନାହାନ୍ତି । କେତେ କରି କହିଥିଲି ।
ଟିକେ ହସି କହିଲି , ଅସୁବିଧା ବଶତଃ ବୋଧହୁଏ ଆସିପରି ନାହାନ୍ତି । ମନ ଦୁଃଖ କରନି , ରିସେପ୍ସନ ଖାତାରେ ତୁମ ବାପାଙ୍କ ସ୍ଥାନରେ ମୋ ନାଁ ଲେଖିଦିଅ । ମୁଁ ଆଜି ତୁମ ବାପାଙ୍କ ତରଫରୁ ମିଟିଂ ଆଟେଣ୍ଡ କରିବି । ଏବେ ଖୁସି ତ । ଝିଅଟି ଲୁହ ପୋଛୁ ପୋଛୁ ଭତରକୁ ଚାଲିଗଲା ।

ହଠାତ୍ ସାହାଜୀ ମୋ ପାଖକୁ ଆସି କହିଲା , ସାର୍ , ଆପଣ ଖାଲି ତାର ବାପା ହେଲେ ଚଳିବ ନାହିଁ । ମୋର ବାପା ମା ବି ଆଜି ଆସିପାରିବେ ନାହିଁ । ମୁଁ ରେଜିଷ୍ଟରରେ ମୋର ବାପାଂକ ସ୍ଥାନରେ ଆପଣଙ୍କର ନାଁ ଲେଖି ଦେଇଛି । ଦସ୍ତଖତ କରିଦେବେ ଆସନ୍ତୁ । ମୋତେ ଜୋର୍ କରି ନେଇ ଦସ୍ତଖତ ବି କରେଇ ନେଲା ।

ସେଇ ସାହାଜୀ ଏମିତି ନିରବରେ ଚାଲିଗଲା ଅଥଚ ମୁଁ କିଛି ବି ଜାଣି ପାରିଲି ନାହିଁ ।

ଶୋକସଭାକୁ ନ ଯାଇ ଘରକୁ ଫେରି ଆସିଲି । କିଛି ଭଲ ଲାଗୁନଥିଲା । ଡାଏରୀ କାଢି କିଛି ଲେଖିବି ବୋଲି ଭାବୁଛି , ହଠାତ୍ ଡାଏରୀ ଭିତରୁ ଚିଠି ଖଣ୍ଡେ ଗଳି ପଡିଲା । ଆଶ୍ଚର୍ଯ୍ୟ, ଚିଠି ଖଣ୍ଡକ ସାହାଜୀର , କିଛିଦିନ ପୂର୍ବରୁ ଘରୁ ଡାକରେ ପଠାଇ ଥିଲା ।

ଚିଠି ଖୋଲି ପଢି ବସିଲି , ସାହାଜୀ ଲେଖିଥିଲା –
ସମ୍ମାନଷ୍ପଦ ସାର୍ ,
ପ୍ରଣାମ ଗ୍ରହଣ କରିବେ ।ଦେହ ଭଲ ରହୁନାହିଁ । ଗୋଟିଏ କଥା ଆପଣଙ୍କୁ କହିବି କହିବି ବୋଲି କହି ପାରିନାହିଁ । ମୋର ବାପା ମା ବହୁତ ଭଲ , ମୋତେ ବହୁତ ଭଲ ପାଆନ୍ତି । ତଥାପି ମୋ ମନରେ ଅବସୋସ୍ ରହିଯାଇଛି ଯେ , ମୁଁ କାହିଁକି ଆପଣଙ୍କର ଝିଅ ହୋଇ ଜନ୍ମ ନେଲି ନାହିଁ ।
ଏ ଜନ୍ମରେ ନ ହେଲା କିନ୍ତୁ ଆର ଜନ୍ମରେ ମୁଁ ନିଶ୍ଚୟ ଆପଣଙ୍କର ଝିଅ ହୋଇ ଜନ୍ମ ହେବି ।
ଆହୁରି କେତେ କଣ ଲେଖିଥିଲା ସେ , ମୁଁ କିନ୍ତୁ ଆଉ ପଢି ପାରିଲି ନାହିଁ ।
ମୋର ଆଖିଡେଳା ଦି’ଟା ଭାସୁଥଲେ ଲବଣାକ୍ତ ଅଶ୍ରୃର ସାଗରରେ ।

କିଛି ସମୟ ପରେ ସାହାଜୀକୁ ତା ଚିଠିର ଉତ୍ତର ଲେଖି ବସିଲି ,
ସାହାଜୀ ,
ମା ମୋର ,
ଜୀବନଟା ମୋର ବା’ ଆଉ କେତେ ଦିନ !
ମରିଗଲା ପରେ ପୁଅ ହୋଇ ମୁଁ ଜନ୍ମ ନେବି ତୋରି ଗର୍ଭରୁ ,
ସେତେବେଳେ କଣ କୋଳରେ ଧରି
ବାପା ବୋଲି ଗେଲ ତୁ କରିବୁନି ମୋତେ !
ମୋର ଝିଅ ହେଲେ ବି’ ତୁ ମୋର ମା
ମୁଁ ତୋର ପୁଅ ହେଲେ ବି’ ତୁ ମୋର ମା ,
ତୁ ତ କାଳ କାଳର ମା ଲୋ ,
ଚିରକାଳର ମା ।

ଭୁବନେଶ୍ୱର

Leave A Reply

Your email address will not be published.