ବ୍ୟଙ୍ଗ : ବାଙ୍ଗି ଭାତ୍

ଓଁ ଅଭିଜ୍ଞାନ ସାହୁ 

କରୋନା ପ୍ରଭାବରୁ ଏବେ ସବୁ ଅନ୍ ଲାଇନ୍ । ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ଖରାଦିନ ଛୁଟି ଆରମ୍ଭ ହେଲେ ବାପା ମାଆମାନଙ୍କ ଛୁଟି ଆରମ୍ଭ ହୁଏ । ଏହି ସମୟରେ ପ୍ରାୟ ବିଭିନ୍ନ ଜାଗାକୁ ବୁଲିଯିବା ହେଉ କି ଗତ କିଛି ବର୍ଷ ହେଲା ଛୁଟିର ଆକର୍ଷଣ ବନିଥିବା ବାର୍ଷିକ ପୁରାତନ ବନ୍ଧୁ ମିଳନ ହେଉ । କିନ୍ତୁ ହାୟ , ଏ କରୋନା ସବୁ ଫିକା କରିଦେଲା । ଏହାକୁ ଦୃଷ୍ଟିରେ ରଖି କିଛି ବନ୍ଧୁବତ୍ସଳ ଉଦ୍ୟୋକ୍ତା ଏବେ ଅନ୍ ଲାଇନ୍ ବନ୍ଧୁ ମିଳନର ଆୟୋଜନରେ ଲାଗିଛନ୍ତି ।

ଗତ ସପ୍ତାହରେ ଏମିତି ଏକ ପୁରାତନ ବନ୍ଧୁ ମିଳନରେ ଯୋଗ ଦେବାର ସୌଭାଗ୍ୟ ପାଇଥିଲି । ଦେଶ ବିଦେଶରୁ ମିଶେଇ ଆମେ ପ୍ରାୟ ପନ୍ଦର ଜଣ ସେ ବନ୍ଧୁ ମିଳନରେ ଥିଲୁ । ବିଭିନ୍ନ କଥା ଭିତରେ ବିଦେଶରେ ରହୁଥିବା ବନ୍ଧୁ ଜଣଙ୍କ କହିଲେ ସେ ଆଜି ବାଙ୍ଗି ଭାତ୍ (ବାଇଗଣ ଭାତ- ଓଡ଼ିଆରେ ବୋଧେ ଏଇଆ ହିଁ କହିବା ) ଖାଇଛନ୍ତି । ସେଇଟା କଣ ପଚାରନ୍ତେ ଆଉ ଜଣେ ବନ୍ଧୁ ସୁଦୂର ବାଙ୍ଗାଲୋରରୁ ଉତ୍ତର ଦେଲେ ଏଇଟା ବ୍ରିଞ୍ଜଲ ରାଇସ ।ମହାରାଷ୍ଟ୍ରିଆନ ଖାଦ୍ୟ ବନେଇବା ସହଜ କିନ୍ତୁ ବିଶେଷ ପ୍ରକାରର ମସଲା ନହେଲେ ନଚଳେ । ଭୁବନେଶ୍ୱରରୁ ଆଉ ଜଣେ ବନ୍ଧୁ କହିଲେ , ତାହାହେଲେ ଆମ ପାଇଁ ପଠାଅ । ସଙ୍ଗେ ସଙ୍ଗେ ଅନ୍ ଲାଇନ୍ ବାଙ୍ଗି ଭାତ୍ ର ଦିଆ ନିଆ ଚାଲିଲା । ଏମିତି ବନ୍ଧୁମାନଙ୍କ ଅନଲାଇନ ଦିଆନିଆ ଭାବ ଦେଖି ମୋ ଆଖି ଛଳ ଛଳ ହେଇଗଲା । ଆହା ! ଏ କରୋନାର କରୁଣା ନଥିଲେ ସତରେ କଣ ଏମିତି ଦେବା ପାଇଁ କିଏ ଅଳି କରୁଥାନ୍ତା ! ଦୁଇ ତିନି ଜଣ ବାହାପିଆ ପାଟିରେ ଟକଳା ବଜେଇ ବନ୍ଧୁଙ୍କ ବାଙ୍ଗିଭାତର ଅପୂର୍ବ ସୁଆଦର ପ୍ରଶଂସା ବି କରୁଥାନ୍ତି ।

ମୋ ଭଳି ପଖାଳ ପିଆଜ ସଂସାର ଭିତରେ ଜିଉଁଥିବା ଆଉ କିଛି ବନ୍ଧୁଙ୍କୁ ବାଙ୍ଗି ଭାତ୍ ଭଳି ଅନ୍ୟ କିଛି ଖାଦ୍ୟର ନାଁ ଅଜବ ଲାଗୁଥିଲେ ବି ଯେତେବେଳେ ଏତେ ବଡ଼ ବଡ଼ ପଦସ୍ଥ ଅଧିକାରୀ ଖାଉଛନ୍ତି ମାନେ ନିଶ୍ଚେ କମ କ୍ୟାଲେରୀ ଓ ଅଧିକ ପୃଷ୍ଟିକର ହୋଇଥିବ ଭାବି ଚୁପ ରହିଲୁ । କିଛି ସମୟ ଉତ୍ତାରୁ ଜଣେ ପାଟି ଟାକଳେଇ ବାଙ୍ଗିଭାତର ସୁଆଦ ବିଷୟରେ କହୁଥିବା ବନ୍ଧୁଙ୍କୁ ଛିଗୁଳେଇ କହିଲେ, ସାଙ୍ଗ ବହୁତ ସମୟ ହେଲା ଖାଇଲୁଣି ଏବେ ଟିକେ ପାଣି ପିଇଦେ । ଆଚ୍ଛା , ସବୁ ହେଲାଯେ ଏବେ ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ସବିସ୍ତାରେ କହ । ଏପରି ଟାହିଆ ମାରିବା ବୋଧେ ତାଙ୍କୁ ଭଲ ଲାଗିଲା ନାହିଁ ସଙ୍ଗେ ସଙ୍ଗେ ଉତ୍ତର ଆସିଲା , ୟୁଟ୍ୟୁବ ଦେଖ ।

–ହଁ ଭାଇ । ବଡ଼ ଲୋକଙ୍କ ବଡ଼ ବଡ଼ ଉତ୍ତର । ଆମର ଏଠିତ ମା’ ମାନେ ଝିଅକୁ ମାନଚିତ୍ରିଆ ରୁଟିକୁ ଗୋଲ କରିବା କଳା ଥରକରେ ଶିଖେଇଦିଅନ୍ତି । କୋଉ ମା’ ୟୁଟ୍ୟୁବ ଦେଖି ଝିଅକୁ ରୋଷେଇ ଶିଖଉଥିବାର ଏଠି ମୋ ନଜ଼ର କୁ ଆସିନି । ହଉ ମନ କଥା ମନରେ ରଖିଲି । ଶ୍ରୀମତୀଙ୍କୁ ଡାକି ପଚାରିଲି , “ଏ ବାଙ୍ଗି ଭାତ୍ କେମିତି ହୁଏ ଜାଣିଛ ?” ଶ୍ରୀମତୀ କହିଲେ, “କଣ ପାଇଁ ପଚାରୁଛ ?”

ମୁଁ କହିଲି ,”ମୋର ଟିକେ ରୋଷେଇ କରିବାକୁ ଇଚ୍ଛା ହେଲାଣି ।”

ମୋ କଥା ଶୁଣି ଲଙ୍କାରେ ରାମ ନାମ ଶୁଣିଲା ପରି ସେ ଚମକି ପଡିଲେ ।କହିଲେ,” ବାହାଘରକୁ ପନ୍ଦର ବରଷ ହେଲାଣି ତୁମର ଏ ଇଚ୍ଛାଟିକୁ ମୋଠୁ ଲୁଚେଇ ରଖିଥିଲ କେଉଁ ସକାଶେ ! ହଉ କାଲି ମୁଁ ତୁମକୁ ତିନି ଚାରି ପ୍ରକାରର ତରକାରୀ ଆଉ ଭଜା ବନେଇବା ଶିଖେଇଦେବି । ଏକା ଏକା ଏ ରନ୍ଧା ରନ୍ଧି କାମରେ ଭାରି ଦହଗଞ୍ଜ ହେଉଛି ।” ରାତି କଥା ରାତିରେ ରହିଲା । ସକାଳୁ ଏପଟ ସେପଟ ଟହଲ ମାରିବା ଦେଖି କହିଲେ, “ରାତିରେ କଣ କହୁଥିଲ ପରା ରୋଷେଇ ଶିଖିବ ବୋଲି ! ଆସୁନ ତରକାରୀ ପାଇଁ ପରିବା କାଟୁଛି ଶିଖେଇଦେବି କିଛି ରେସିପି । ଭାବିଲି ଭଲା ଏ ଅନଲାଇନ ବନ୍ଧୁ ମିଳନ ମୋତେ ଫସେଇଦେଲା । ମୋତେ ପାଖକୁ ଆସିବା ଦେଖି କହିଲେ , ସେ ପରିବା ଡାଲାରୁ ବିନ୍ ଛୁଇଁ ଆଣିଲ ।

–ଏ ବିନଛୁଇଁଟା କେମିତିକା ଦେଖିବାକୁ ଆଗ କୁହ । ମୁହଁ ଓହଳେଇ ମୁଁ ପଚାରି ବସିଲି ।

— କଣ ସତରେ ବିନଛୁଇଁ କେମିତିକା ଜାଣିନ ! ରୋଷେଇ ଶିଖିବ କଣ ଚୋପା ? ଗର ଗର ହୋଇ କହିଲେ ଘରମଣି । ସେ ଠିକ ବୁଝୁଥିଲେ ମୁଁ ଫୁଟକି ମାରୁଛି । ଷାଠିଏ ପଉଟିର ଭାର ଲକ୍ଷ୍ମୀ ଠାକୁରାଣୀ ନେଲା ଭଳି ଆମ ରୋଷେଇ ଖନ୍ଦାର ଭାରକୁ ବୋହି ଶ୍ରୀମତୀ ମୋ ବଗୁଲିଆ ନଜରରୁ ଆଡ଼ ହୋଇଗଲେ ।

ମନେ ମନେ ହସୁଥିଲି । ମଳୁ ଖୋଜୁଥିଲା ଯାହା ବଇଦ ବତେଇଲେ ତାହା । ଯାହା ହେଉ ଆସନ୍ନ ଜଞ୍ଜାଳରୁ ବଞ୍ଚିଗଲି । ଖରାଦିନିଆ ମଧ୍ୟାହ୍ନ ଭୋଜନରେ ତବତ ଭାତ ସହ କେବଳ ବାଇଗଣ ଭର୍ତ୍ତା ଦେଖି ମୁଁ ଭୁରୁ କୁଞ୍ଚେଇ ପ୍ରଶ୍ନ କରିବା ପୂର୍ବରୁ ଶ୍ରୀମତୀ ମୁର୍କି ହସି କହିଲେ ,ବଡ଼ ଶ୍ରଦ୍ଧା କରୁଥିଲ ବାଙ୍ଗି ଭାତ ଖାଇବାକୁ ପରା !

ବନମାଳୀ ଭବନ , ଖାନ ନଗର
କଟକ