ଗଳ୍ପ : ଜୀବନ ଯନ୍ତ୍ରଣା

ପ୍ରିୟମ୍ବଦା ରଥ 

ପ୍ରାୟ ରାତି ଦୁଇଟା ବେଳେ ମେଡିକାଲରୁ ଫୋନକରି ଜଣାଇଲେ ପ୍ରଭାତ ।ଖବରଟି ପାଇବା ପରେ ବ୍ୟତିବ୍ୟସ୍ତ ହୋଇପଡିଲେ ରୀତିକା । କିଛି ସମୟ ପାଇଁ ନିଜର ସ୍ଥିତିକୁ ସେ ଅନୁଭବ କରିପାରିନଥିଲେ। ସବୁକିଛି ନିସ୍ତବ୍ଧ ହୋଇଯାଇଥିଲା ଯେପରି। ସ୍ଵାଭାବିକ ଅବସ୍ଥାକୁ ଫେରିବାକୁ ତାଙ୍କୁ ପ୍ରାୟ ଦୁଇଘଣ୍ଟା ଲାଗିଗଲା ।

ବହୁକଷ୍ଟର ଝିଅର ଶୋଇବା ଘରକୁ ଯାଇଁ ଥରେ ଦେଖିଆସିଲେ । ହାତ ଦୁଇଟି ଏପରି ଥରୁଥାଏ ଯେ ଝିଅକୁ ଛୁଇଁବାର ସାହସ ଜୁଟାଇ ପାରୁନଥିଲେ ସେ। ନା ..ନା ଛୁଆଟା ଶୋଇଥାଉ । ଏତେବଡ ଆଘାତ ସେ ସାମ୍ନା କରିପାରିବନି । ଦୁହେଁ ପିଲାଦିନର ବାନ୍ଧବୀ। କେତେବା ବୟସ ତାର ! ଏଇ ଉଣେଇଶି ପୁରି କୋଡିଏ ଚାଲିଥିଲା । ଇଏ କି ପ୍ରକାର ଅନ୍ୟାୟ ଘଟିଗଲା ତା ଜୀବନ ରେ!! ଏଇମାତ୍ର ପାଞ୍ଚମାସ ତଳେ ମେଞ୍ଚା ମେଞ୍ଚା ସୁନେଲି ସ୍ଵପ୍ନକୁ ମନରେ ସଜାଇ ବାହା ହୋଇ ଶାଶୁଘରକୁ ଯାଇଥିଲା। ଫୁଲକଢିଟା ଫୁଟିବା ଆଗରୁ ଝାଉଁଳି ତଳେ ପଡିଗଲା ସତରେ !

କେତେ ମନ କରିଥିଲା ଝିଅଟି ଆଉଟିକେ ଆଧିକା ପାଠ ପଢିବା ପାଇଁ ! ବାପା,ମା ଭଲଘର ଓ ଚାକିରିଆ ବର ଦେଖି ଜିଦ୍ କରି ତା’ର ବିବାହ କରିଦେଲେ। ତାର ଇଚ୍ଛା ଅନିଚ୍ଛା ପଚାରି ବୁଝିବାକୁ ସମୟ ନଥିଲା କାହାରି । ସମୟେ ସମୟେ ଫୋନ କରି ମୋ ଝିଅକୁ କିଛି କହେ , ଅନେକ କିଛି ଲୁଚାଏ । “ମୁଁ ଯନ୍ତ୍ରଣା ସାହିପାରୁନି,ଏମାନଙ୍କର କେବଳ ଯୌତୁକ ଦରକାର । ମୁଁ ବଡଝିଅ ବୋଲି ବୋହୁକରି ଆଣିଥିଲେ ବାପା ପୁଳାଏ ଦେବେ ବୋଲି, କିନ୍ତୁ ସେତିକି ସମ୍ଭବ ହେଲାନି। ମୋତେ ବହୁତ ଭୟ ଲାଗୁଛି । ବାପା,ମା ତ ସମାଜ ନାଁ ରେ ପଥର ହୋଇ ଯାଇଛନ୍ତି ଲୋ । କହୁଛନ୍ତି , “ମାଡି ଜାକି ରହିଯା, ସବୁକିଛି ଠିକ୍ ହୋଇଯିବ,ଥାନା ପୋଲିସରେ ଖବର ଦେଲେ କଥାଟା ଅଧିକା ବଢିବ।” ଝିଅର ପ୍ରିୟ ବାନ୍ଧବୀ ଏଣୁ ଝିଅ ଫୋନ ରଖିଲା ପରେ ଉଦାସ ରହେ । ତାକୁ ନେଇ ଅଧିକା ଚିନ୍ତାକରେ ।

ରୀତିକା ଝିଅକୁ ଆଶ୍ଵାସନା ଦିଅନ୍ତି,” ଛୁଆବୟସ କ’ଣ ଟିକେ ଭୁଲ ଭଟକା କରୁଥିବ,ସବୁକିଛି ଧୀରେଧୀରେ ଠିକ ହୋଇଯିବ । ବ୍ୟସ୍ତହେବାର କିଛିନାହିଁ। ତାଙ୍କ ଘରର ଲକ୍ଷ୍ମୀକୁ ସେମାନେ କେବେ ଅନାଦାର କରିବେନି ।” କିନ୍ତୁ ଏସବୁ କେବଳ ଆଶା ଯାହା ଆଶା ହୋଇ ରହିଗଲା ତାଙ୍କର। ବାସ୍ତବତା କଳ୍ପନାଠାରୁ ଅଧିକ ନିଷ୍ଠୁର ହୋଇଗଲା । ମଣିଷ ଜୀବନଠାରୁ ଧନ ଦୌଲତ ବହୁତ ଉର୍ଦ୍ଧ୍ଵରେ ରହିଲା । ଶେଷରେ କେଇ ଭରି ସୁନା ଗହଣା,ଗାଡ଼ି , କ୍ୟାସ ପାଇଁ ଝିଅଟିକୁ ଜୀବନରୁ ମାରିଦେଲେ ସେମାନେ। ଜୀବନ ଯନ୍ତ୍ରଣାରେ ଛଟପଟ ହୋଇ ସେ ଶେଷନିଶ୍ଵାସ ତ୍ୟାଗକଲା।

ହାଇଦ୍ରାବାଦ
ତେଲେଙ୍ଗାନା