Latest Odisha News

ଗଳ୍ପ : ତଥାପି ଅଛି

ରବି ପଣ୍ଡା 

ବେଶ୍ କିଛିଦିନ ଧରି ନିଷିଦ୍ଧ ଓ ନିଷ୍କ୍ରିୟ ହେଇ ପଡିଥିବା କଲିଂବେଲ ହଠାତ ଜଣାଇ ଦେଲା କେହି ଜଣେ ଆଗନ୍ତୁକ ଦୂଆରେ। ସେ ଗାଧୋଇ ବାହାରି ଥିଲେ। ପତ୍ନୀ ଥିଲେ ଠାକୁର ଘରେ। ଦେଖତ .. ମୁଁ ପୂଜା କରୁଚି। ତାଙ୍କ ସ୍ୱରରେ କିଞ୍ଚିତ ବିସ୍ମୟର ଆଭାସ ଥିଲା। ସେ ହଉ କହି କବାଟ ଫିଟାଇ ଦେଲେ। ସାମ୍ନାରେ ଦୁଇତିନି ଜଣ ପୋଲିସ। ତାଙ୍କର ଆତଙ୍କିତ ସ୍ୱର , ଆଜ୍ଞା
:ଆପଣ ଖଗପତି ଖଟୁଆ?
: ଆଜ୍ଞା
: ଘରେ ଆଉ ଜଣେ ମହିଳା କିଏ ଅଛନ୍ତି?
: ମୋ ପତ୍ନୀ ଆଜ୍ଞା
: ଠିକ୍ ଠିକ୍.. ଚାଲନ୍ତୁ ଶିଘ୍ର.. ଆପଣ ଦୁଇଜଣ ସନ୍ଦିଗ୍ଧ କରୋନା ଆକ୍ରାନ୍ତ, କ୍ୱାରେଣ୍ଟାଇନରେ ଯିବେ ।

ଖଗପତି ବାବୁ ଆକାଶରୁ ପଡିଲେ। କ୍ୱାରେଣ୍ଟାଇନ୍!! ନାଇଁ ଆଜ୍ଞା ,  ଆମେତ ଠିକ୍ ଅଛୁ!

: ସବୁ ରୋଗୀ ସେମିତି କହନ୍ତି। ଆପଣଙ୍କ ଘରୁ କ୍ରମାଗତ କାଶ ଛିଙ୍କ ଶୁଭୁଛି ବୋଲି ପବ୍ଲିକ ଆଲିଗେସନ ଅଛି।

: ଆଲିଗେସନ!!

ଆମେତ ଏଠାରେ ବହୁତ ଦିନରୁ ଅଛୁ ; ଲକଡାଉନ ଘୋଷଣା ହେବାଠୁଁ ଘରୁ ବି ବାହାରିନୁ .. ଆଉ ?

ପୋଲିସ କିଛି ଶୁଣିବା ମୁଡରେ ନଥିଲେ। କହିଲେ, ଦେଖନ୍ତୁ , ଏବେ ଆମେ ଇମରଜେନ୍ସିରେ ଅଛୁ । ଏତେ ଭଟ ଭଟ ହେବାକୁ ଆମ ପାଖରେ ସମୟ ନାହିଁ.. ଶିଘ୍ର ବାହାରନ୍ତୁ। ବିନା ସୂଚନାରେ ଆମେ ଆସନ୍ତୁ କାହିଁକି ? ଏ ରୋଗକୁ କ’ଣ ଲୁଚେଇ ହୁଏ?

ତାଙ୍କ ମୁହଁକୁ ଚାହିଁ ବିକଳରେ କହିଲେ, ଆମ ଘରୁ କାଳେ ଖାଲି କାଶ ଛିଙ୍କ ଶୁଭୁଚି । କିଏ ସାଇପଡିଶାରେ ଶହେଚାରିକୁ ଫୋନ୍ କରି ଜଣାଇଛି  ।

ପୋଲିସ ଅଫିସର ଟିକେ ଗମ୍ଭୀର ହେଇ ପଚାରିଲେ, କାଲି ଆପଣ ଖୁବ୍ ଛିଙ୍କି ଥିଲେ କି ନାହିଁ ? ମିସେସ କାଶି ଥିଲେ କି ନାହିଁ ?
ଖଗପତି ବାବୁ ମନେ ପକେଇଲେ। ଟିକେ ସଲ୍ଲଜ ହସ ହସି କହିଲେ, ଆଜ୍ଞା ଆଜ୍ଞା, କଥା କ’ଣ କି ; ଏ ନାକ ଭିତରେ ଏତେ ଚୁଳ ବଢି ଯାଇଚି ଯେ , ଖାଲି ସଲ ସଲ ହେଉଚି । ମୁଁ କେଇଟା ଟାଣି ଛିଣ୍ଡାଇ ଦେଲି ଯେ , ଖାଲି ତ ପରକୁପର ଛିଙ୍କ ଆଜ୍ଞା । ସେକଥା ମନେ ପଡିଲେ ଖାଲି ତୁହାକୁ ତୁହା ଛିଙ୍କ ମାଡି ଆସୁଛି ଏବଂ ସେ ହଟାତ ଛିଙ୍କି ଦେଲେ ବି !

ପୋଲିସ ମାନେ ମୁହଁର ମାସ୍କଟାକୁ ଜୋରରେ ଭିଡି ଧରି ପଛକୁ ତୁରନ୍ତ ହଟୁ ହଟୁ କହିଲେ, ଫାଷ୍ଟ ଆଲିଗେସନ ପ୍ରୁଫଡ ।

ଖଗପତି ବାବୁ ପରବର୍ତ୍ତୀ ଛିଙ୍କଟାକୁ ଟାୱେଲରେ ରୋକି ସାରିଥିଲେ।
ପୋଲିସ ବାବୁ ସେଇ ଦୂରତାରେ ଥାଇ କହିଲେ,ମିସେସ ବି କାଶୁ ଥିଲେ !
ଖଗପତି ବାବୁଙ୍କ ଉତ୍ତର ପୋଲିସ ବାବୁଙ୍କୁ ସନ୍ତୁଷ୍ଟ କରିପାରିଛି  ; ଏଇ ଆଶ୍ୱାସନା ରେ ଟିକେ ଦମ୍ଭିଲା ସ୍ୱରରେ କହିଲେ, ତମେ କାଲି ଖୁବ୍ କାଶୁଥିଲ କିହୋ ?
ପତ୍ନୀ କହିବେ କ’ଣ ଉତ୍କଣ୍ଠାରେ କାଶି ପକେଇଲେ ।
ପୋଲିସ ଅଫିସର ନିଚ୍ଚା ସ୍ୱରରେ କହିଲେ, ସେକେଣ୍ଡ ଆଲିଗେସନ ପ୍ରୁଫଡ !
ପତ୍ନୀ କୈଫିୟତ ଦେବା ସ୍ୱରରେ କହୁଥିଲେ, ଆଜ୍ଞା ,  ପୁଅବୋହୂ ମୁମ୍ବାଇରେ ଅଟକିଛନ୍ତି । କାଲି ତାଙ୍କ ହାଲତ ଶୁଣି ପାଣି ପିଇ ଦେଲିତ ତଣ୍ଟିରେ ଲାଗିଗଲା । ତା’ର କିଛିସମୟ ପରେ କୋଲକାତାରୁ ଭାଇ ଫୋନ କଲା । ଏଠାକାର ଅବସ୍ଥା ଖୁବ୍ ସାଙ୍ଘାତିକ ଅପା , କିମିତି ମୁକୁଳି ନଗଲେ ମୁସ୍କିଲ । ମୋତେ ଭାରି କାନ୍ଦ ମାଡିଲା ଆଜ୍ଞା ।  କାନ୍ଦୁ କାନ୍ଦୁ କାଶ ।  ସଞ୍ଜ ବେଳକୁ ଜ୍ୱାଇଁ ଫୋନ କଲେ ସୁରତରୁ । ଟ୍ରେନ ବାତିଲ ହାୟ, ହାୟ  ତାପରେ ତ ଆଜ୍ଞା ଖାଲି କାନ୍ଦ , କାଶ  ତା’ ସାଙ୍ଗକୁ ୟାଙ୍କର ନାକ ସଲ ସଲ ଛିଙ୍କ  ।

ୟା’କୁ ନେଇ କିଏ ?

ପୋଲିସ ଅଫିସରଙ୍କ ଧୈର୍ଯ୍ୟଚ୍ୟୁତି ଘଟୁଥିଲା। କହିଲେ, ଏତେ ଧାରାବିବରଣୀ ଦିଅନ୍ତୁ ନାହିଁ ।  ଆପଣଙ୍କର ତ ସବୁ ଡେଞ୍ଜର ଏରିଆ ସହିତ ଲିଙ୍କ । ପୁଣି ଦେଖୁଛି , କହୁ କହୁ କାଶ ଛିଙ୍କ। ଆମକୁ କଡା ହୁକୁମ ନୋ କଂପ୍ରମାଇଜ୍ ।  କମ୍ୟୁନିଟି ଷ୍ପ୍ରେଡିଂ ଆଦୌ ହବାକୁ ଦିଆଯିବ ନାହିଁ । ଆଲିଗେସନ ମିନ୍ସ କ୍ୱାରେଣ୍ଟାଇନ୍ । ଶିଘ୍ର ବାହାରନ୍ତୁ , ଆମ୍ବୁଲାନ୍ସ ଆସୁଛି ।  ଆମେ ଏଇଠି ଓ୍ୱେଟ୍ କଲୁ ।  କୌଣସି ରିସ୍କ ନେଇ ହବନି ।

Leave A Reply

Your email address will not be published.