ଗଳ୍ପ : ବାଲିଘର

ସତ୍ୟ ସୁନ୍ଦର ମିଶ୍ର 

ପିଲାଦିନ ଏକ ଅପୂର୍ବ ମାହେନ୍ଦ୍ର ସମୟ ହସି ହସି ଖେଳୁ ଖେଳୁ । କେମିତି ହଜିଯାଏ ସେଇ ପୁଲକିତ ସୁନାଝରା ଦିନ ଗୁଡିକ। ଫେରେ ପୁଣି ଭାବନା ନଈରେ ନା ହୋଇ ସ୍ମୃତି ସଢେଇରେ ଚୁଲି କରି ମିଛି ମିଛିକା ଭାତ ଡାଲି ରାନ୍ଧଣା ପୁଣି ବୋହୂ ବୋହୂକା ଖେଳ । ବଡବୋଉ ଅବା ଖୁଡୀର ଲୁଗା ଗୁଡେଇ ସୁନାନାକୀ ବୋହୂ ଓଢ଼ଣା ତଳେ ଲାଜ ଲାଜ ମୁହଁ ନାନୀର ତା ସାଙ୍ଗ ମାନଙ୍କ ସହ।

ଅଜାଣତରେ ଦୌଡି ଆସୁ ଆସୁ ଭାଙ୍ଗି ଯାଏ କଳ୍ପନାର ଘର । ତା’ ନରମ ପାଦର ଆଘାତରେ । ରାଗରେ ନାନୀର ତା’ ପିଠିରେ ଖୁନ୍ଦା କୁନି ଆଖିରେ ଲୁହ ନିରୀହ ପିଲାକଳିକୁ ବୋଉର ତାଗିଦ । ଏସବୁ କ’ଣ ସ୍ଵପ୍ନ! ଏକୁଟିଆ ବସି ଜୀବନ ବହିର ପୃଷ୍ଠା ଓଲଟାଉଛି ସେ !

ସୁରମ୍ୟ ପ୍ରାସାଦର ପାରିବାରିକ ସହମତିରେ ଏଇ ନୂଆ ସମ୍ପର୍କର ଆରମ୍ଭ ।

ଚାରିକାନ୍ଥର ଏଇ ଘରକୁ ମନ୍ଦିର ଭାବି ଜୀବନ ଜିଇଁବାରେ ସେ କ’ଣ କେବେ କେଉଁଠି ଊଣା କରିଛି ? ନିଜକୁ ପ୍ରଶ୍ନ କଲା । କାଳେ କେଉଁଠି କିଛି ସମ୍ଭାବନାକୁ ଅଜାଣତରେ ଏଡେଇ ଯାଇଛି କି? ଏମିତି ଗଭୀରଭାବେ ଭାବି ଲାଗିଲା । ତଥାପି ସ୍ଵାମୀଙ୍କ ନିର୍ଲିପ୍ତ ଭାବ ତା’କୁ ଅନେକ ସମୟରେ ଅଡୁଆରେ ପକାଏ। ସେ କିନ୍ତୁ ନିରବରେ ସହିଯାଏ।ନିରବରେ ସହିଯିବାର ଗୁଣ କୁ କିନ୍ତୁ କେହି ତା’ର ଦୁର୍ବଳତା ନ ଭାବନ୍ତୁ ଏଇ କଥାକୁ ପ୍ରତି ପଦପାତରେ ମନେ ରଖିଥିଲା। ସବୁ ଭିତରେ ବି ଅଜାଣତରେ ତା’ ଜୀବନ ପରିଧିକୁ ପଶି ଆସେ ସୁଚିତ୍ରା ନାନୀ।ତା’ର ନିରବ ସମର୍ଥନରେ ଭାଇନାଙ୍କ ଅବାଞ୍ଛିତ ମତ ଓ ମନ୍ତବ୍ୟ। ସେ ସବୁବେଳେ ଭାବେ ମୋ ଠାରୁ ପାଞ୍ଚ ବର୍ଷ ଆଗରୁ ନାନୀ କରିଛି ଘର ସଂସାର। ଦୁଇଟି ଛୁଆର ମା’ ବି। ଅଧିକ ଅନୁଭୂତି ନିଶ୍ଚିତ ପାଇଛି। କେମିତି ବୁଝି ପାରୁନି ସ୍ଥୂଳ ଘରଟି ଆସ୍ଥା,ବିଶ୍ଵାସ ଓ ଭରସାରେ ହିଁ ହେଇ ଉଠେ ମନ୍ଦିର । ଯାହା ସବୁ ନାରୀର କାମ୍ୟ। ନାରୀ ଟିଏ ଯୋଡେ ଘର।ସେ ବି ତ ଏକ ନାରୀ ! ସେ କ’ଣ ଜାଣେନି କେତେ ତ୍ୟାଗ ଓ ତିତିକ୍ଷାରେ ଗଢା ହୁଏ ଘର। ନାନୀ ମୂଳରୁ ହିଁ ଏମିତି । ସବୁବେଳେ ସବୁ କଥାକୁ ହାଲୁକା ଭାବେ ନିଏ।ଏଇ ଗୁଣ କେତେକ ଯାଗାରେ ବି ଉପଯୋଗୀ। କେବେ ମଧ୍ୟ ୟା ଭିତରେ ଗମ୍ଭୀରତା ଅପେକ୍ଷା ରଖିବା କଥା ତା’ର ପ୍ରମୁଖତା ହରାଇବସେ।ସେଥିପାଇଁ ଯାହା ମନକୁ ଆସେ କହି ଦିଏ। ସେଇ କହିବା କଥା ଯେ ଏକାଧିକ ଭୁଲ ବୁଝାମଣାର ମଞ୍ଜି ବୁଣିଦିଏ ଜାଣି ପାରେନା। ଯାହାକୁ ବଢେଇ ଦିଅନ୍ତି ଅବା ଅନୁକୂଳ ପରିବେଶ ଯୋଗାନ୍ତି ଭାଇନା।ପୁଣି ଭାବେ ଏମାନେ ଆରମ୍ଭରୁ ତ ଏମିତି ନଥିଲେ। କେତେ ହସ ଖୁସିରେ କଟିଥିଲା ସେଇ ସମୟ ସବୁ। ମୁଁ ବି ଭାବିଥିଲି ଭାଇନା ଆମର କେତେ ଦରଦୀ ଓ ନିଜର ସତେ। ସେ ନିଶ୍ଚୟ ଆମ ଦୁଃଖ ସୁଖରେ ସାଥୀ ହେଇ ପାରିବେ। ଯାହା ବାସ୍ତବ ସମ୍ପର୍କର ସଂଜ୍ଞା। ଯେଉଁ ସମ୍ପର୍କ ଭରିଦିଏ ପାରସ୍ପରିକତାରେ ନିରୁତା ମଧୁରତା। ହେଲେ ମୋ ବାହାଘର ପରେ ହିଁ ସମ୍ପର୍କର ଛିଦ୍ର ଦେଖାଦେଲା ! ନା କେବେ ନୁହେଁ ! ଛିଦ୍ର ଆଗରୁ ହିଁ ଥିଲା । କିନ୍ତୁ ସ୍ପଷ୍ଟ ଦୃଷ୍ଟି ଗୋଚର ହେଉ ନଥିଲା। ସେମାନଙ୍କ ଉପରେ ଆମର ରହିଥିବା ଅଖଣ୍ଡ ବିଶ୍ଵାସ ଘୋଡେଇ ରଖିଥିଲା ସେ ସବୁ। ସବୁ ମୂଳରେ ଥିଲା ମୋର ଏକ ସମ୍ଭ୍ରାନ୍ତ ଘରକୁ ବୋହୂ ହେଇ ଆସିବା। ଭାଇନାଙ୍କୁ କେମିତି ଗ୍ରାସିଲା ଭୟର ଭୂତାଣୁ। କାଳେ ତାଙ୍କ ମାନ ଓ ସାମାଜିକ ସ୍ଥିତି କୁ ନେଇ ଉଠିବ ପ୍ରଶ୍ନ। ହେବ ପରସ୍ପରର ଅହଂର ମୁହାଁମୁହିଁ। କାଳେ ପରିଣତିରେ କମିଯିବ ତାଙ୍କର ପ୍ରତିଷ୍ଠା ଓ ମର୍ଯ୍ୟାଦା ଏଇ ନୂଆ ସମ୍ପର୍କର ପରିସରରେ। ଏମିତିରେ ବି ବାପା ପ୍ରଥମେ ପ୍ରଥମେ ଟିକେ ପ୍ରସ୍ତୁତ କରିପାରୁ ନଥିଲେ ନିଜକୁ। ସବୁଠୁ କଠିନ ଥିଲା ମୋ ଶାଶୁ ଘରଲୋକଙ୍କ କଥା ” ଆମେ ବୋହୂ ପସନ୍ଦ କରିଛୁ ବନ୍ଧୁ ନୁହେଁ ” ଏକଥାକୁ ବି ପଛକୁ ରଖି ବାପା ରାଜି ହେଇଥିଲେ ଏ ପ୍ରସ୍ତାବରେ।

ସେଇଦିନ ଠାରୁ ବନ୍ଧୁତାକୁ ନଜର ଦେଇ ଆସିଛି ସୁମିତ୍ରା ।ସମୟ ଆସିଲେ ସଭିଏଁ ବୁଝିପାରିବେ ମୋ ବାପାଭାଇ ଓ ନାନୀଭାଇନା ହୋଇପାରିବେ ଉପଯୁକ୍ତ ବନ୍ଧୁ।ବନ୍ଧୁତା କେବଳ ସାମାଜିକ ସ୍ଥିତି ଓ ଅର୍ଥ ଅଧାରରେ ମପା ଯାଏନି।ଏହା ବି ବିଦ୍ୟାବୁଦ୍ଧି ଓ ବ୍ୟକ୍ତିତ୍ଵ ଦ୍ଵାରା ମୂଲ୍ୟାୟନ ହୋଇପାରେ। ସତରେ ଲୋ ନାନୀ ତତେ କେବେ ବି ମୁଁ ଅଭିଯୋଗ କରିନି। ସବୁ ପ୍ରତିକୂଳ ପରିସ୍ଥିତିରେ ମୁଁ କେବେ ଯେସାକୁ ତେସା ନୀତି ଆପଣେଇନି।ଆପଣେଇ ଥିଲେ ହୁଏତ ମତେ ଆଜି ଏତେ କଥା ଭାବିବାକୁ ପଡି ନଥାନ୍ତା।ରକ୍ତ ସମ୍ପର୍କର ଧାରା ସ୍ଵାଭାବିକ ଗତିରେ ନବହି ବାଟବଣା ହୋଇଥାନ୍ତା। ଏଥିପାଇଁ ମତେ କେତେ କଥା ସହିବାକୁ ପଡିଛି ସେ କଥା ମୁଁ କେବେ ବି କହିନି।ସେଥିପାଇଁ ୟାଙ୍କ ସହ ଅନେକଥର ଲଘୁ ଆଲୋଚନାରେ ବି ଭରିଯାଏ ତର୍କର ତାତି।

ତୁ କେମିତି ଭାବି ପାରିଲୁ ନାହିଁ କେତେ କଥା ପଥର ହେଇ ସହିଲେ ହିଁ ମୁଁ ମୋ ଘରେ ସମସ୍ତଙ୍କ ସହ ସମନ୍ୱୟ ରଖି ଜୀବନ ଜୀଇଁବି ବାହାଘର ପରେ ପରେ ତ ପ୍ରାୟ କିଛି ନା କିଛି ଶୁଣିବାକୁ ପଡେ।ଏମିତିକି ବାପାବୋଉଙ୍କୁ ବି କହେନି। ସେମାନଙ୍କ ସହଜ ଓ ହାଲୁକା ଭାବନାକୁ ଭାରାକ୍ରାନ୍ତ କରିବାକୁ। ମୁଁ କେବେ ବି ଚାହେଁନି ମୋ ନାନୀ ଭାଇନାଙ୍କ ଆଡକୁ କିଏ ଅଙ୍ଗୁଳି ଉଠାଉ। କିନ୍ତୁ ମୁଁ କିଛି ବି ସାହାରା ପାଇନି। ସବୁବେଳେ ସୁଯୋଗ ଅପେକ୍ଷାରେ ଥାଏ ତମ ସପକ୍ଷରେ ଯୁକ୍ତି କରି ଦେଖେଇ ଦେବି ମୋ ଭାଇନା ନାନୀ ଏମିତି ନୁହନ୍ତି ବୋଲି। ପୁଣି ମନରେ ପ୍ରଶ୍ନ ଆସେ ମୁଁ ଯେଉଁ କଥା ପ୍ରମାଣ କରିବାକୁ ଚାହୁଁଛି ତା ବାସ୍ତବ ତ ! ଥରେ ତ ସେ ସୁଯୋଗ ଖୋଜି ମୁଁ ସ୍ଵପ୍ନ ବିଭୋର ହୋଇଥିଲି। ଯେଉଁ ଭାବନାକୁ ମୁଁ କାହାକୁ ବି କହି ନଥଲି। ଏମିତିକି ତୋ ଭଉଣୀ ଜୋଇଁଙ୍କୁ ବି। ଗୋଟିଏ ନର୍ସିଂ ହୋମରେ ଆମେ ଥିଲେ। ମୁଁ ଦ୍ଵିତୀୟ ସନ୍ତାନ ଓ ତୁ ତୃତୀୟ ସନ୍ତାନର ଅପେକ୍ଷାରେ ।

ମୋ ଅପେକ୍ଷା ତୋର ଅଧିକ ଆବେଗିକ ପ୍ରତୀକ୍ଷା ଥିଲା ନୂଆ ସମ୍ଭାବନା ପ୍ରତି।ତୁ ଅପେକ୍ଷା ରଖିଥିଲୁ ପୁଅ କାରଣ ଆଗରୁ ତୁ
ଦୁଇ ଝିଅର ମା ହେଇ ସାରିଥିଲୁ। ତୋ ଶାଶୁଘରେ ସଭିଏଁ ଚାହୁଁଥିଲେ ପୁଅ। ଏମିତିକି ଭାଇନା କୁଆଡେ ରାଗିକି ତୋ ସହ ଝଗଡା କରିଥିଲେ ପୁଅର ମା ହୋଇ ଘରକୁ ଫେରିବାକୁ।ଏ ସବୁ ଶୁଣି ମୁଁ ତୋ ଭଉଣୀ ଜୋଇଁକୁ ବି ରାଜି କରେଇ ଥିଲି। ମୋର ପୁଅ ଆଉ ତୋର ଝିଅ ହେଲେ ଆମେ ନବଜାତକଙ୍କୁ ବଦଳ କରିଦେବା। ତୋର ତ ଝିଅ ହେଲା କିନ୍ତୁ ମୁଁ ପୁଅର ମା ହେଲି ନାହିଁ। ମୋର ତ କିଛି ସମସ୍ୟା ନଥଲା। କାରଣ ମୁଁ ପ୍ରଥମରୁ ପୁଅର ମା ହେଇ ସାରିଥିଲି । ଯାହା ସବୁ ଶାଶୁଘରେ ଚାହାନ୍ତି। ଆଉ ଭାଇନା ତ ସବୁବେଳେ ବଂଶରକ୍ଷା କଥା କହି ତୋତେ ଦୋଷ ଦେଇ ଅଶାନ୍ତି ସୃଷ୍ଟି କରନ୍ତି। ସେସବୁ ମୋର ସ୍ଵପ୍ନରେ ରହି ଯାଇଛି। ତଥାପି ମୁଁ ସୁଯୋଗକୁ ଅପେକ୍ଷା କରିଥିଲି । ସରିତା ଓ ବନିତା ବାହାଘରକୁ ମାଉସୀ ଭାବରେ ହାତଖୋଲା ସାହାଯ୍ୟ ବି କରିଥିଲି। ଅବଶ୍ୟ ଏଥିରେ ଭାଇନା କେତେକାଂଶରେ ଆମ ସମ୍ପର୍କର ସମୀକରଣକୁ ବୁଝି ସାରି ଥିଲେ ବୋଲି ମୁଁ ଭାବେ। କିନ୍ତୁ ନାନୀ ସମୟ ସବୁବେଳେ ସମସ୍ତଙ୍କ ସାଥିରେ ନଥାଏ। ତୋର ବି ଦୁଃସମୟ ଆସିଲା।ଭାଇନା ତୋ ହାତ ଛାଡି ଅଫେରା ପଥରେ ବାଟହୁଡି ଚାଲିଗଲେ।

ମୋ ସଂକଳ୍ପ ଅଧା ରହିଗଲା। ମୁଁ ଭାବିଥିଲି ଏମିତି ଏକ ସମୟ ଆସିବ ଯେଉଁ ଦିନ ମୁଁ ତମ ଦୁହିଁଙ୍କୁ ବୁଝେଇବି ରକ୍ତର ସମ୍ପର୍କରେ ବାଡ ଦେବା କେତେ କଷ୍ଟ। ମୁଁ କିନ୍ତୁ ବାରମ୍ବାର ସେଇ ପରିସ୍ଥିତିକୁ ସାମ୍ନାକରି ଆସିଛି। ତଥାପି ତୁ ଧୈର୍ଯ୍ୟ ଧରିଲୁ । ବବିତାକୁ ପାଠ ପଢେଇଲୁ।ସରିତା ଓ ବନିତା ବି ପଢିଥିଲେ ତାଙ୍କ ଦକ୍ଷତା ଓ ବୁଦ୍ଧିମତା ଅନୁସାରେ ।ବବିତା କିନ୍ତୁ ସଭିଙ୍କଠୁ ଅଲଗା ଥିଲା। ସେ ପରିଶ୍ରମୀ ଅଧ୍ୟବସାୟୀ ଓ କର୍ମପ୍ରବୀଣା ଥିଲା। ସେଥିପାଇଁ ସେ ପାଇଗଲା କେନ୍ଦ୍ରୀୟ ବିଦ୍ୟାଳୟରେ ପିଜିଟି ପୋଷ୍ଟ। ସମସ୍ତେ ଖୁସି ହେଲେ। ପରେ ତା’ର ବାହାଘର। ବିବାହ ଠିକ୍ ହେଲା ସରକାରୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକଙ୍କ ସହ। ଏତିକି ବେଳେ ତୋର ଦୁଇ ଝିଅ ଜ୍ବାଇଁ ତୋ ସହ ସହମତ ହେଲେ ନାହିଁ।ତର୍କ ଆରମ୍ଭ ହେଲା ବାହାଘରର ସାମଗ୍ରିକ ଖର୍ଚ୍ଚ ଓ ନୂଆ ଜୋଇଁଙ୍କ ପାଇଁ ସୁନାଚେନ୍ ବରାଦ ଠାରୁ ।ଯେଣୁ ପୂର୍ବରୁ ବଡ ଦୁଇ ଜୋଇଁଙ୍କୁ ଏଇଟି ଦିଆଯାଇ ନଥିଲା। ଯଦିଓ ତୁ ସାନ ଜୋଇଁଙ୍କ ପଦମର୍ଯ୍ୟାଦାକୁ ନଜରରେ ରଖି ଏଇନିଷ୍ପତ୍ତି ନେଇଥିଲୁ।କାରଣ ସେଇ ବିନ୍ଦୁରେ ହିଁ ଶେଷ ସହମତି ନିର୍ଭର କରୁଥିଲା। ମଧ୍ୟସ୍ଥିଙ୍କ କହିବାନୁସାରେ ଭାବୀଶାଶୁ କହିଥିଲେ ” ଆମର ଝିଅ ପସନ୍ଦ କିନ୍ତୁ ମୋ ପୁଅର ମର୍ଯ୍ୟାଦା ରଖି ଯାହାଦେବେ”।ଏଇ କଥାରେ ହଡବଡେଇ ଯାଇଥିଲୁ ।ତୋ ଭଉଣୀଜୋଇଁ ତୋତେ ସାହସ ଦେଲେ ।” ଦୁଇଜୋଇଁଙ୍କୁ ଯେମିତି ମର୍ଯ୍ୟାଦା ଆମେ ଦେଇଛୁ ତା’ତ ନିଶ୍ଚୟ ଦେବୁ ତା’ଛଡା ଆମ ଦକ୍ଷତାନୁସାରେ ଆମେ ଆମ ସାନଜୋଇଁର ସାମାଜିକ ମର୍ଯ୍ୟାଦା ରଖିବୁ”।ଏମିତି ବୁଝାସୁଝାକରି ଭାଙ୍ଗିବାର ଆଶଙ୍କା ଥିବା ସମ୍ପର୍କକୁ ଯୋଡିଦେଲେ। ସେ ସମସ୍ତଙ୍କୁ ବୁଝାଇ ବାହାଘରଟା ସାରିଦେଲେ। ସତରେ ଲୋ ନାନୀ ଏସବୁ କାହିଁକି ମୋର ମନେ ପଡୁଛି ମୁଁ ଭାବିଲେ ଆଶ୍ଚର୍ଯ୍ୟ ହୁଏ। ନିରବ ହେଇ ଭାବିଲେ ମତେ ଲାଗେ ମୋର ଯେଉଁ ସଂକଳ୍ପ ଥିଲା ତା କ’ଣ ପୂରଣ ହେବାର ସମୟ ଆସିନି। ଯାହା ମୁଁ ଏବେ ବି ଅଜାଣତରେ ଖୋଜି ଚାଲିଛି।

ଏମିତି କେତେ କ’ଣ ଭାବି ଚାଲିଛି ସୁମିତ୍ରା। ସେ ବି ଅନୁମାନ କରିଛି ବବିତାର ବାହାଘର ପରେ ନାନୀ ଦାୟିତ୍ବ ମୁକ୍ତ ହେଲା । କିନ୍ତୁ ତା’ ପରେ ଯେଉଁ ଝଡ ଆସନ୍ନ ତା’କୁ ନାନୀ ସାମ୍ନା କରିପାରିବ ତ? ଅବଶ୍ୟ ନାନୀ ମନରେ ଏ ବିଷୟରେ ଶଙ୍କା ଥିବ, ଅଛି ବି । ସମସ୍ତ ଆଶଙ୍କାକୁ ସତ କରି ଯେବେ ବବିତା ଓ ଜୋଇଁ ପ୍ରଥମ ବୁଲିବା ପାଳିରେ ଆସିଲେ, ସେତେବେଳେ ନାନୀ
ଏକ ପାରିବାରିକ ବନ୍ଧୁମିଳନର ପ୍ରସ୍ତାବ ଦେଲା। ସରିତା ଓ ବନିତା ଯୋଗ ଦେବାକୁ ଅନିଛା ପ୍ରକାଶ କଲେ।ଏପରି କି ସୁଧାର ଏବଂ ସୁଶୀଳ ଦୁଇ ଜୋଇଁ ବୋଧହୁଏ ସହମତ ଥିଲେ ଏ ଭାବନା ସହ। ନାନୀ ବିବ୍ରତ ହୋଇ ପଡିଥିଲା। ଭାବି ପାରୁ ନଥିଲା ସମାଧାନର ସରଳ ସୂତ୍ର ।ତଥାପି ସାହସ ରଖିଛି ।ଭରସା ବେଶି କରୁଛି ମୋ ଉପରେ। ଏମିତି ଭାବୁ ଭାବୁ ଫୋନ ରିଂ ହେଲା। ସେପାଖରୁ ଧୀର ସ୍ଵରରେ କହିଲା ନାନୀ ” ସୁମି ତୁ ଜୋଇଁ , ପିଲାଙ୍କୁ ନେଇ ଆସିବୁ ଆସନ୍ତା ବୁଧବାର ଦିନ। ବବିତା ଓ ବିବେକଙ୍କୁ ଡାକିଛି ପ୍ରଥମ ଥର। ସରିତା ଓ ବନିତାକୁ ବି କହିଛି। ପ୍ରଥମେ ଅରାଜି ଥିଲେ ତୋ ନାଁ କହି ବୁଲେଇଲା ପରେ ରାଜି ହେଲେ। ” ହଉ ଠିକ୍ ଅଛି ନାନୀ ମୁଁ ପହଞ୍ଚିବି।

ବୁଧବାର ଦିନ… ସମସ୍ତେ ପହଞ୍ଚିଲେ ଆଗ ପଛ ହୋଇ। ଯୌଥ ପରିବାରର ଦାୟିତ୍ବ ନିର୍ବାହ କରି ବୋହୂ ସୁମିତ୍ରା କିନ୍ତୁ ବିଳମ୍ବରେ ପହଞ୍ଚିଲା। ସୁଚିତ୍ରା ଆଶାରେ ଥିଲା ସୁମିତ୍ରା ନହେଲେ ନାହିଁ ତା’ ଦି ଝିଅ ଠିକ୍ ସମୟରେ ପହଞ୍ଚିଗଲେ କିଛି ଅସୁବିଧା ହେବନାହିଁ। କିନ୍ତୁ ନା.. ସେମାନେ ବି ଡେରିରେ ପହଞ୍ଚିଲେ ।ସୁଚିତ୍ରା ଏକୁଟିଆ ପ୍ରସ୍ତୁତ କଲା ସଭିଙ୍କ ପାଇଁ ମଧୁର ବ୍ୟଞ୍ଜନ। ଦୁଇ ଭଉଣୀ ମିଶି ସମସ୍ତଙ୍କ ପାଇଁ ଏକାଠି ଖାଇବା ପାଇଁ ପ୍ରସ୍ତୁତ କଲେ। ପିଲାମାନଙ୍କ ଅନୁରୋଧରେ ବି ଦୁଇ ଭଉଣୀ ସାଙ୍ଗ ହୋଇ ବସିଗଲେ ଖାଇବାକୁ।ଅନେକ ଦିନ ପରେ ମା’ ଅବା ଆଇ ହାତରନ୍ଧା ଖାଇ ସମସ୍ତେ ପ୍ରଶଂସା କରୁଥିଲେ। ଖୁବ୍ ଖୁସିର ବାତାବରଣ। ବାରି ବି ହେଉ ନଥିଲା ଅସହମତର ବାସ୍ନା। ସୁମିତ୍ରା ପଚାରିଲା — ସରିତା ବନିତା ତମେ ଟିକେ ଆଗରୁ ଆସି ମା’କୁ ସାହାଯ୍ୟ କରିଥିଲେ କେମିତି ହେଇଥାନ୍ତା ? ହଁ ଯେ ମାଉସୀ ମୁଁ କିନ୍ତୁ ଠିକ୍ ସମୟରେ ବାହାରି ପାରିଲିନି… କହିଲା ସରିତା। ଆଉ ବନିତା କହିଲା ତୁ ଜାଣୁ ଆମ ଘର କଥା ସମସ୍ତଙ୍କ କଥା ବୁଝି ସାରିଲେ ତ! ଆମେ ଗୃହିଣୀ ତେଣୁ ବାହାରିବା ସମୟ ସ୍ଥିର କରି ନିଷ୍ପତ୍ତି ନେବାର ଅଧିକାର ଆମ ହାତରେ ନଥାଏ।

ଠିକ୍ ଅଛି… ଅଧିକାର କେହି ଦିଏନାହିଁ। ଏହାକୁ ନିଜର ବୁଦ୍ଧିରେ ହାସଲ କରିବାକୁ ପଡେ। ମୁଁ ଅଧିକାର ଛଡେଇ ଆଣିବା କଥା ଆଦୌ କହୁନାହିଁ। ଘରର ପରିବେଶ ଏପରି ହେବା ଦରକାର ଯେପରିକି କେହି ଭାବିବେ ନାହିଁ ତା’ ଅଧିକାରରୁ ତାକୁ କେହି ବଞ୍ଚିତ କରୁଛନ୍ତି….।

ଅନେକ ଦିନରୁ ମୁଁ ଗୋଟିଏ ସଂକଳ୍ପ କରିଥିଲି ତାହା ପୂରଣ କରିବାକୁ ମତେ ସୁଯୋଗ ମିଳିନି। ଭାବୁଛି ଆଜି ଠାରୁ ଆଉ ବୋଧେ ଭଲ ଦିନ ମୋ ପାଇଁ ଆସିବ ନାହିଁ… କହିଲା ସୁମିତ୍ରା। ତମେ ଜାଣ ଯେ ମା ସେତିକି ବେଳେ ଖୁସି ହୁଏ ଯେବେ ତା’ ସନ୍ତାନ ଖୁସିରେ ରହନ୍ତି।ମା ଆଖିରୁ ସେଇ ଦିନ ଆନନ୍ଦର ଅଶ୍ରୁ ଝରେ ଯେବେ ସେ ଦେଖେ ତା’ର ରକ୍ତଜ ବୁଦ୍ଧିବିଦ୍ୟାରେ ପ୍ରତିଭାର ବିକଶିତ ବ୍ୟକ୍ତିତ୍ବର ଅଧିକାରୀ ହୋଇ ତା’କୁ ଅତିକ୍ରମି ଯାଇଛନ୍ତି। ଅନ୍ତତଃ ତା ଆଖିରେ ଆନନ୍ଦର ଲୁହକୁ ଅପେକ୍ଷା ରଖ । ମା ଜନ୍ମ ଦିଏ ।ସଭିଙ୍କୁ ସମାନ ନଜରରେ ଦେଖେ। କିନ୍ତୁ ଆମକୁ ଆମ କର୍ମ ଓ ପରିସ୍ଥିତି ଅନୁସାରେ ଆମ ପ୍ରତିକ୍ରିୟାରୁ ମିଳେ ସୁଖ। ଏଥିରେ ଆମ ବ୍ୟକ୍ତିତ୍ୱ ହି ପ୍ରଭାବୀ ହୁଏ। ଯେବେ ଆମେ ଏଇ ଅଭାବ ଅସୁବିଧାର ପାଚେରୀକୁ ଅତିକ୍ରମ କରିପାରିବାନି ତେବେ ଆମ ସମ୍ପର୍କର ଡୋର ଦୁର୍ବଳ ହେବ। ଏ ସବୁ ମୁଁ କାହିଁକି କହୁଛି ତମେ ନିଶ୍ଚୟ ବୁଝି ସାରିବଣି। ତମେ ଦୁଇ ଜଣ ଯେଉଁ ମନ ଊଣା କରିଛ ବବିତାର ବାହାଘର ଖର୍ଚ୍ଚକୁ ନେଇ ଯାହା ମୁଁ ତମମାନଙ୍କର ଚାପା ଗୁଞ୍ଜରଣରୁ ଆଭାସ ପାଇଛି। ତା’ର ସତ୍ୟାସତ୍ୟ ଏବେ ଶୁଣ। ତୁମ ତିନିଙ୍କ ପାଇଁ ସମାନ ରାଶି ନାନୀ ସଞ୍ଚିତ କରି ରଖିଥିଲା। ଯେଉଁ ଅଧିକା ଖର୍ଚ୍ଚ ହେଲା ତାହା ଆମ ପାଇଁ ଅପରିହାର୍ଯ୍ୟ ଥିଲା।ଆଉ ସେଇ ରାଶି ମୁଁ ଦେଇଛି। ତମର ବି ତମ ସାନ ଭଉଣୀଟି ପାଇଁ କିଛି କର୍ତ୍ତବ୍ୟ ଅଛି ନା? ଅନ୍ତତଃ ଏତିକି ତ୍ୟାଗ ତମ ଠାରୁ ସେ ଆଶା ରଖିବ। ସେତିକିରେ ତମ ମାନଙ୍କର ମଧ୍ୟରେ ଏକ ଚିରସ୍ଥାୟୀ ସମନ୍ଵୟ ରହି ପାରିବ। ଯାହା ରକ୍ତ ସମ୍ପର୍କରେ ବାଡକୁ ଏଡେଇ ଦେବ। ଯାହାକୁ ନେଇ ଆମେ ସଭିଏଁ ଆନନ୍ଦରେ ଜୀଇଁ ପାରିବା ଆମ ଅଭିଳଷିତ ଜୀବନ। ଆବଶ୍ୟକ ବେଳେ ପରସ୍ପରର ସହଯୋଗୀ ହେଇ ପାରିବା। ତମେମାନେ ଯଦି ଏ ସବୁ ଠିକ୍ ଠାକ୍ ବୁଝି ଜୀବନ ଜିଇ ପାରିବ ତେବେ ମୋର ଗତ ପଚିଶ ବର୍ଷର ଶ୍ରମ ସାର୍ଥକ ହେବ। କ’ଣ ପଚିଶ ବର୍ଷର ଶ୍ରମ ମାଉସୀ ?

ମୋ ପିଲାବେଳର କଥା। ନାନୀକୁ ପାଞ୍ଚ କି ଛବର୍ଷ ମତେ ତିନି କି ଚାରି।ଠିକ୍ ମନେ ପଡୁନି। ସେ ଖେଳୁଥାଏ ସାଙ୍ଗ ମାନଙ୍କ ସହ। ବୋହୂ ହୋଇ ବାଲିଘର କରି। ସବୁସାଙ୍ଗ ତା’ର ବୋହୂ ବେଶକୁ ଦେଖି ଖୁସିରେ ଫାଟି ପଡୁଥାନ୍ତି। ବୋଧହୁଏ ସେ ଉଡିବୁଲୁଥିଲା କଳ୍ପନା ରାଇଜରେ। ହଠାତ୍ ମୁଁ ଦୌଡି ଯାଉ ଯାଉ ମୋ ଗୋଡ ବାଜି ଭାଙ୍ଗିଗଲା ତା’ ଘର। ସେଦିନ କଥା ତ ମନେ ପଡୁନି ତଥାପି ତା’ର ବୋଧେ ଡେଣା କଟିଗଲା। ପଡିଗଲା ଭୂଇଁରେ। ରାଗରେ ତମତମ ହୋଇ ମୋ ପିଠିରେ ଗୋଟେ ଖୁନ୍ଦା ଦେଲା। ମୁଁ କାନ୍ଦି ଉଠିଲି। ବୋଉ ମୋ କାନ୍ଦ ଦେଖି କଥା କ’ଣ? ପଚାରିଲା। ମୁଁ ନିରବରେ ଲୁହ ଗଡାଇ ଚାଲିଥାଏ। ଏତିକିବେଳେ ନାନୀ ଆସି ସବୁକଥା କହିଲା। ବୋଉ ରାଗିକରି କହିଲା ” ତୋ ଗେହ୍ଲା ସାନ ଭଉଣୀ ଟା ତୁ ଜାଣିପାରିଲୁନି। ଆଲୋ ବାଲିଘର ଭାଙ୍ଗି ଦେଲା ବୋଲି ଏତେ ରାଗ। ଆଉ ଯଦି ଘର ଭାଙ୍ଗି ଦେଇଥାନ୍ତା ତୁ କେମିତି ସହି ଥାଆନ୍ତୁ ? “। ବୋଉର କଥାରେ ନାନୀର କ’ଣ ମନୋଭାବ ହେଲା ମୁଁ ଜାଣିନି ମୋ ମନରେ କିନ୍ତୁ ଗୋଟିଏ ସଂକଳ୍ପ ଦାନା ବାନ୍ଧିଲା ଏତେ ଛୋଟ ବେଳୁ କି ମତେ ଯେତେ ତ୍ୟାଗକରି ବାକୁ ପଡୁ ପଛେ ମୁଁ ଘର ବସେଇବାକୁ ସତତ ପ୍ରୟାସ କରିବି। ଯାହା ମୁଁ ଆଜି ତମ ମାନଙ୍କ ଠାରୁ ଆଶା କରୁଛି। ସେତେବେଳେ ମୋ ବୋଉ ଆଉ ମୁଁ ଯେଉଁ ଭୂମିକା ନେଇଥିଲୁ ଏବେ ନାନୀ ଆଉ ତମେ ଦି ଭଉଣୀ ସେଇ ଭୂମିକା ନେବ। ପରିସ୍ଥିତିକୁ ହୃଦୟଙ୍ଗମ କରି ନିରବରେ ସକାରାତ୍ମକ ଅବଧାରଣା ନେଇ ଅପେକ୍ଷା କରିବ।ସମୟ ତମକୁ ନିଶ୍ଚୟ ସୁଯୋଗ ଦେବ। ସେ ସମୟର ଦୟନୀୟତା ମୋର ଓ ବୋଉର ସିନା ନାନୀ ବୁଝି ପାରି ନଥିଲା କିନ୍ତୁ ଏବେ ବୁଝି ପାରିବ। ଏ ସବୁରେ ଜୋଇଁ ମାନଙ୍କର କିଞ୍ଚିତ୍ ତଥା ଉପଯୁକ୍ତ ପ୍ରଭାବୀ ଭୂମିକା ବି ଜରୁରୀ। କାରଣ ପରିବାର ଜଣକୁ ନେଇ ଗଢି ହୁଏନା। ଯଦିଓ ଏକକ ପରିବାରର ଆଜି ସମସ୍ତଙ୍କର ଧ୍ୟେୟ।

କେବଳ ଏତିକି ଆମେ ଜୀବନକୁ ଯେଉଁ ଦୃଷ୍ଟିକୋଣରୁ ଦେଖୁ ଜୀବନ ସେମିତି ହିଁ ହେଇ ଉଠେ। ଭାବୁକ ହୋଇ ପଡିଲେ ସଭିଏଁ। ସୁଚିତ୍ରା କିନ୍ତୁ ଲୁହଭରା ଆଖିରେ ବିଭୋର ହୋଇ ଛାତିରେ ଆଉଜେଇ ଆଣିଲା ସୁମିତ୍ରାକୁ।ବାଷ୍ପାକୁଳ କଣ୍ଠରେ କହିଲା ବଡ ଭଉଣୀ ହିସାବରେ ମୁଁ ତୋର ମା’ ଭୂମିକା ନେବାକଥା ହେଲେ ତୁ ମୋର ମା’ ହେଲୁ। ଗଭୀର ନିରବତା ଛାଇଗଲା ସାରା ପରିବେଶ। ତିନି ଭଉଣୀ ପରସ୍ପର ଆଡକୁ ଅନୁରାଗବୋଳା ନଜରରେ ଚାହିଁ ଲାଗିଥିଲେ।

ସରକାରୀ ଉଚ୍ଚ ବିଦ୍ୟାଳୟ
କୋଣାର୍କ,
ପିନ୍-୭୫୨୧୧୧
ଯୋଗାଯୋଗ -୯୮୬୧୩୭୭୧୭୮
ସତ୍ୟସୁନ୍ଦର ମିଶ୍ର