ଗପ : ପୋଡ଼ା ଅଙ୍ଗାର

ଶ୍ରୀୟା                                                                             

ନୀରବ ଆଉ ନିଃଶବ୍ଦରେ ସେ ଆଙ୍କିଯାଏ । କେବେ ପୋଡ଼ା ଅଙ୍ଗାରର କଳା କଳା ଗୁଣ୍ଡ ଗୁଡ଼ା ନଖ କୋଣରେ ପଶି ବିଚିକିଟିଆ ଦିଶେ ତ କେବେ ନାଲି ନେଳୀ ରଙ୍ଗ ଛିଟିକା ପଡ଼ି ମୁହଁ ଟା ବିକୃତିଆ ଦିଶେ । ତାକୁ କେହି କେବେ ବିରକ୍ତ ହେବାର ଦେଖିନି । ସେ ହସେନି କେବେ, ହେଲେ ତା ହାତ ତିଆରି ମଣିଷ ଗୁଡ଼ା ସତେ ଯେପରି କଥା କୁହନ୍ତି । ନିରିଖେଇ ଦେଖିଲେ ଲାଗେ, ଯେମିତି ଆଖିରେ ଆଖି ମିଶେଇ ନିଜ ସ୍ରଷ୍ଟାର ପ୍ରଶଂସା ଗାଉଛନ୍ତି । ଖାଲି ମଣିଷ ଗୁଡ଼ା କି?? ନା ନା…. ତାର ଜୀବଜନ୍ତୁ, ଏପରିକି ଗଛର ସବୁଜ ଆଉ ହଳଦିଆ ମିଶା ପତ୍ରଗୁଡ଼ିକ ବି ନିଃଶ୍ୱାସ ନିଅନ୍ତି । ହେଲେ ତାକୁ ବଞ୍ଚିବାର କେହି ଦେଖିନି ।

ନିଃଶ୍ୱାସ ନେବାକୁ ବଞ୍ଚିବା କୁହାଯାଏ କି? ହୃତପିଣ୍ଡର ସ୍ପନ୍ଦନକୁ ବଞ୍ଚିବା କୁହାଯାଏ କି? କେହି କେହି ମନ୍ତବ୍ୟ କରନ୍ତି, ନିଜ ଭାବନା ଦୁନିଆର ଅପୂର୍ବ କଳ୍ପନାକୁ ସେ ରଙ୍ଗ ତୂଳୀ ରେ ରୂପ ଦେଉଛି! ରଙ୍ଗ ତୂଳୀରେ ତାକୁ ଜୀବନର ଷଡ଼ରସର ମାଧୁର୍ଯ୍ୟ ଅନୁଭୂତ ହେଉଛି । ହେଲେ ସେଇ ମଣିଷ ଗୁଡ଼ା ପୁଣି ଲଞ୍ଚ ଟାଇମରେ ଟିଫିନ ନ ମିଳିଲେ ସର୍ବଗ୍ରାସୀ ଦାନବ ପାଲଟି ଯାଆନ୍ତି । ତାକୁ କେହି କେବେ ପଚାରେନି, କଳା ନାଁରେ କେତେଟା ଦିନ ତାର ଅଖିଆ କଟିଛି ।

ରାଜରାସ୍ତାରେ ଗାଡ଼ି ଗଡେଇ ଗଡେଇ ନେଲା ବେଳେ ମୁଁ ଭେଟିଥିଲି ତାକୁ । ଗାଡ଼ି ଚକାରୁ ପବନ ବାହାରି ଯାଇଥିଲା । ନହେଲେ କାହିଁକି ନଜର ପଡନ୍ତା ଗୋଟେ ରାସ୍ତା କଡର ମଣିଷ ଉପରେ । ମୁଁ ଥକା ହୋଇ ଠିଆ ହୋଇଯିବାର ଦେଖି କହିଲା, “ମାଆ, ଆସ ଚିତ୍ର ଟିଏ ଆଙ୍କିଦେବି ତୁମ ପାଇଁ । ପଚାଶ ଶହେ ଯାହା ଦେଵ ଚଳିବ ।” ମଳି ମୁଣ୍ଡିଆ ନିପଟ ଗାଉଁଲି ଲୋକଟେ । ପିନ୍ଧା କପଡ଼ା ବୋଧେ କେବେଠୁ ଧୋଇନି । ଆଉ ହାତ ଟା ସୁଦୁ କଳା! ନଖ ଗୁଡ଼ା ଯେମିତି ଉତ୍ପୀଡନ ଗ୍ରସ୍ତ ହୋଇ ଆଙ୍ଗୁଠି ଭିତରକୁ ପଶିଯାଇଛନ୍ତି । ମୁଁ ମନା କଲି । ମନା କରିବା ବି ସ୍ୱାଭାବିକ କଥା !! ମୋ ପାଇଁ ।

ସେ କିଛି କହିଲାନି । ବନ୍ଧୁ ଜଣଙ୍କୁ କଲଟେ କରିଦେଇ ସେଇଠି ଠିଆ ହେଇ ରହିଥିଲି । ବର ଗଛ ମୂଳେ ସେ ମଣିଷଟି ସେମିତି ବସିଥିଲା । ଅନେକ ସମୟ ମୋ ଆଡ଼େ ଚାହିଁଲା । ବିରକ୍ତ ହୋଇ ମୁଁ ଫୋନ ଆଡ଼େ ଦେଖିବାରେ ଲାଗିଥିଲି । ଚିକେନ୍ ତନ୍ଦୁରୀ ସାଙ୍ଗକୁ ଫିସ ଫ୍ରାଏ….. ମସରୁମ ମଞ୍ଚୁରିଆନ….. ସତେ ଯେମିତି ଫୋନର ସ୍କ୍ରିନ ଭିତରୁ ବାସ୍ନା ମହକେଇ ଦେଉଥିଲା ମୋତେ, ନୟନ ଯୁଗଳ କୃତକୃତ୍ୟ ହୋଇଯାଉଥିଲେ ସେ ଅପରୂପ ଦୃଶ୍ୟରେ । ରାସ୍ତା କଡ଼ର ସେ ଅପଦାର୍ଥ ମଣିଷଟା କୁଆଡ଼େ ହଜିଯାଇଥିଲା ମାନସପଟର ଅଲୋଡ଼ା ଆବର୍ଜନା ଭିତରେ ।

ପୂର୍ବ କଥିତ ବନ୍ଧୁଙ୍କ କଲ ଆସିବାରୁ ମୁଁ ପ୍ରକୃତିସ୍ଥ ହେଲି । ଚତୁର୍ପାର୍ଶ୍ବର ଉଦୁ ଉଦିଆ ଖରାବେଳର ଝାଞ୍ଜି ପବନ ଖାଇ ଦେହ ଗରମ ହେଇଯାଇଥିଲା । ହେଲେ ମନ ଟିକେ ଶାନ୍ତି ହେଇଗଲା, ଦଶ ମିନିଟରେ ବନ୍ଧୁ ଜଣକ ଆସିଯିବେ । ଏକଡ଼ ସେକଡ଼ ହେଲା ଭିତରେ ପୁଣି ଆଖି ଆଗରେ ଆବିର୍ଭାବ ହେଲା ସେଇ ମଣିଷଟା । ହାତରେ କାଗଜଟେ । କିଛି ନ କହି ହାତକୁ ବଢ଼େଇ ଦେଲା ଆଉ ନିଃଶବ୍ଦରେ ପେଡ଼ି ପୁଟୁଲି ବାନ୍ଧି ସାଇକେଲର ପେଡାଲ ମାରି ମାରି ଲୁଚିଗଲା ଦୃଷ୍ଟି ଅନ୍ତରାଳରୁ । ବିଶି ଆଙ୍ଗୁଠି ଆଉ ବୁଢ଼ା ଆଙ୍ଗୁଠିରେ ମୁଁ ଧରିଥାଏ କାଗଜଟା, ଅପରିଚ୍ଛନିଆ ମଣିଷଟା, ରୋଗ ବୈରାଗ ଥିବ ଯଦି !!

ଏଣୁ ତେଣୁ ଗପି ଗପି ମୁଁ କାଗଜଟା ଖୋଲିଦେଲା ବେଳକୁ, ହଠାତ କି ହୃତ ସ୍ପନ୍ଦନ ବଢ଼ିଗଲା ମୋର । ସଫା ଧଳା କାଗଜ ଉପରେ ପୋଡ଼ା ଅଙ୍ଗାରରେ ପଡ଼ିଛି କିଛି ଅକ୍ଷୁର୍ଣ୍ଣ ରେଖା, ସେ ଭିତରେ ହଳଦୀ ଆଉ ଗୋଲାପୀ ବର୍ଣ୍ଣର ସମାହାର! କୃଷ୍ଣ ଆଲୁଳାୟିତ କେଶ ଭିତରୁ ସ୍ପଷ୍ଟ ଫୁଟି ଉଠୁଛି ସ୍ମିତ ହାସ୍ୟ ଭରା ଚିହ୍ନା ଚିହ୍ନା ଚେହେରାଟିଏ । ମୋ ଆଖିରୁ ଦୁଇ ଠୋପା ଲୁହ ଅଜାଣତରେ ଝରିପଡ଼ିଲା । ଯେଉଁଠି ମଣିଷ ଆତ୍ମବିଶ୍ଲେଷଣ କରିବାକୁ ଅସମର୍ଥ, ସେଠି ଜୀବନର ରୁକ୍ଷ ଅପରାହ୍ନକୁ ଦେଖି ଶୈଶବର କଳ୍ପନା କରିବା…… !!! ହଁ, ସେଇ ଅପଦାର୍ଥ ମଣିଷଟା ପାଇଁ ହିଁ ତା’ ସମ୍ଭବ ।

ସେ ଅପର୍ଚ୍ଛନିଆ ମଣିଷ ସହିତ ଆଉ କେବେ ଭେଟ ହେଇନି । ସେ ରାସ୍ତାରେ ଗଲା ବେଳେ ଖୋଜି ଖୋଜି ବି ସେ ମିଳିନି । ପାଞ୍ଚ ବର୍ଷୀୟ ସେଇ ଚପଳା କନ୍ୟାର ସେଇ ଚିତ୍ରକୁ ଆଜି ବି ମୁଁ ସାଇତି ରଖିଛି ମୋ ଡ୍ରଇଂରୁମରେ । ସେ ମଣିଷର ପାଉଣା ଆଜି ବି ଦେବାକୁ ବାକି ଅଛି । ଧଳା କାଗଜଟା ହଳଦିଆ ପଡ଼ିଗଲାଣି, ହେଲେ ବି ମାସେ ଦୁଇ ମାସରେ ଥରେ ତାକୁ ବାହାର କରି ଦେଖେ ମୁଁ । ସେ ଝିଅଟା ବି କଥା କୁହେ, ତା ସ୍ରଷ୍ଟାର ଠିକଣା ପଚାରେ । ଆଉ ମୁଁ କେବଳ ନିରୁତ୍ତର ରହି ଦେଖିଚାଲେ, କାଳେ କେବେ ବଞ୍ଚିବା ଭୁଲିଯିବି, ସେଇ ଡରରେ ।