Latest Odisha News

BREAKING NEWS

ଗଳ୍ପ : ନିଷ୍ପତ୍ତି

ଶ୍ୱେତପଦ୍ମା ପାଢ଼ୀ 

ରାତି ସାରା କାନ୍ଦି କାନ୍ଦି ମୀରାର ମୁହଁ ଆଖି ଲାଲ ପଡ଼ି ଫୁଲି ଯାଇଛି । ଏଇ ଘନ ଅନ୍ଧକାର ଅମାବାସ୍ୟାରେ ସେ ଖୋଜି ପାଇ ପାରୁନି ଜୀବନର ଗନ୍ତବ୍ୟ ସ୍ଥଳ , ବଞ୍ଚିବାର ଲକ୍ଷ୍ୟ । ଜୀବନର ଗତିପଥ ବଦଳାଇବାକୁ ଯେତେ ଚେଷ୍ଟା କରୁଛି ସମୟର ଚକ୍ରବ୍ୟୁହରେ ସେତେ ଭିତରକୁ ଧସି ଧସି ଯାଉଛି ; ଏମିତି ଲାଗୁଛି ଏଇ ଘନ ଅନ୍ଧକାରରେ ସେ ହଜି ଯିବ । ରାତି ସାରା ଅତୀତର ସ୍ମୃତି ରୋମନ୍ଥନ୍ କରିବା ବେଳେ ଇଚ୍ଛା ହେଉଥାଏ ତା’ର ଅତୀତକୁ ଫେରି ଯାଇ ଜୀବନର ସେ ଅମାବାସ୍ୟାକୁ ପୂର୍ଣ୍ଣମୀରେ ପରିଣତ କରିଦେବା ପାଇଁ, ଯାହା କି ଆଉ କେବେ ହେଇ ପାରିବନି ।

ଡାକ୍ତର କହିଥିଲେ ନଷ୍ଟ କରି ଦେବା ଉଚିତ ।

ପିଲାଟି ଠିକ୍ ଭାବେ ଶାରୀରିକ ଆଉ ମାନସିକ ସ୍ତରରେ ଅଗ୍ରସର ହୋଇ ନାହିଁ । ପରେ ହୁଏତ ଶାରୀରିକ ଅବସ୍ଥା ସୁଧୁରି ଯାଇ ପାରେ ହେଲେ ମାନସିକ ଅବସ୍ଥା ଠିକ୍ ନ ହେଇ ପାରେ କାରଣ ସବୁ ମେଡିକାଲ ପରୀକ୍ଷା ର ରିପୋର୍ଟ ପଜିଟିଭ ଆସିଥିଲା । ହେଲେ ବାହାଘରର ଚାରିବର୍ଷ ପରେ ଛୁଆଟା ହେଉଥିବାରୁ ମୀରା ଡାକ୍ତର କଥା ଶୁଣି ନ ଥିଲା । ହେଲେ ଆଦିତ୍ୟ ଡାକ୍ତରଙ୍କ ମତ ଗ୍ରହଣ କରି ମୀରାକୁ ବୁଝେଇ ଥିଲା, ଭଗବାନଙ୍କର ଏଇ ସୃଷ୍ଟି ଜୀବନ ପାଇଁ ସୁଖ ନୁହଁ ଅଭିଶାପ ହେଇ ଆସିବ । ପରିବାରରେ ଅନ୍ୟମାନେ ମଧ୍ୟ ବୁଝେଇଥିଲେ ସମସ୍ୟାର ଗାମ୍ଭିର୍ଯ୍ୟ ଓ ଭବିଷ୍ୟତର ପରିଣତି ବିଷୟରେ । କିଛି ଜଣ ଦୟା ଦେଖେଇ ଆଉ କେତେ ଜଣ ତାତ୍ସଲ୍ୟରେ କହି ଥିଲେ ଅପ୍ରିୟ ସତ୍ୟକୁ ଗ୍ରହଣ କରିବାକୁ ।

କିନ୍ତୁ ସେ ଯେ ମା’ ! ମା’ ମନ କ’ଣ କେବେ ବୁଝେ ? ତା’ ନିଜ ଶରୀରରେ ବଢୁଥିବା ନିଜ ଅଂଶକୁ କେମିତି ସେ ନିଜେ ନଷ୍ଟ କରି ଦେବ ? ମା’ ହେଇ କେମିତି ସେ କଂସ ସାଜି ପାରିବ ? ସମସ୍ତଙ୍କ ବାରଣ ସତ୍ତ୍ୱେ ସେ ପିଲାଟାକୁ ଆଣିଥିଲା ଦୁନିଆକୁ ।

ସତକୁ ସତ ଭଗବାନଙ୍କ ଚକ୍ରାନ୍ତ କହିପାର କି ଭାଗ୍ୟର ଦୋଷ କହିପାର ଦୁଇ ବର୍ଷ ପରେ ଜଣା ପଡିଲା ପୁଅ ଅଂଶ ଏକ ମାନସିକ ଅନଗ୍ରସର ରୋଗରେ ( ଅଟିଜିମ ) ସମ୍ପୂର୍ଣ ଭାବେ ପୀଡ଼ିତ । ପାଞ୍ଚ , ଛ ବର୍ଷ ପର୍ଯ୍ୟନ୍ତ ଡାକ୍ତର , ମେଡ଼ିସିନ୍, ବିଭିନ୍ନ ପ୍ରକାର ଥେରାପି କରି ମଧ୍ୟ ବିଶେଷ କିଛି ଫରକ ପଡିଲାନି ।

ଧୀରେ ଧୀରେ ପରିବାର ଓ ସମ୍ପର୍କୀୟ ମାନେ ଏଇଟା ଗୋଟେ ଅଭିଶାପ ବୋଲି ଆଖ୍ୟା ଦେବା ଆରମ୍ଭ କରିଦେଲେ । ଏତେ ବଡ଼ ମଲ୍ଟି ନ୍ୟାସନାଲ କମ୍ପାନୀରେ ବୈଷୟିକ ଯନ୍ତ୍ରୀ ଭାବେ କାର୍ଯ୍ୟରତ ହେଇ ପ୍ରଚୁର ପଇସା ରୋଜଗାର କରି ମଧ୍ୟ ଆଦିତ୍ୟର ଅବସ୍ଥା ବିପର୍ଯ୍ୟସ୍ତ ଆଡ଼କୁ ଗତି କରୁଥାଏ କାରଣ ସବୁ ଉପାର୍ଜିତ ଅର୍ଥ ଅଂଶର ମେଡିସିନ ଓ ଥେରାପିରେ ସରି ଯାଉଥାଏ । ଅଂଶକୁ ମାନସିକ ଅନଗ୍ରସର ବିଦ୍ୟାଳୟ ରେ ନାମ ଲେଖାଇବା ପରେ ଆଦିତ୍ୟ ଓ ମୀରା ଭାବିଥିଲେ ହୁଏତ ନିଜ ସମବୟସ୍କ ପିଲାମାନଙ୍କ ସହିତ ରହି ଅଂଶର କିଛି ବ୍ୟବହାର ଓ କଥାବାର୍ତ୍ତାରେ ପରିବର୍ତ୍ତନ ଆସିବ ବରଂ ପରିଣାମ ବିପରୀତ ହେଲା । ଅଂଶ ଅଧିକରୁ ଅଧିକ ଜିଦିଆ ଆଉ କ୍ରୋଧୀ ସ୍ବଭାବର ହେବାକୁ ଲାଗିଲା । ଏସବୁ ପରେ ଆଦିତ୍ୟ ଓ ମୀରାର ଜୀବନ ପରିସର ହେଇ ଯାଇଥିଲା ବେଦନାସିକ୍ତ । ସମସ୍ତଙ୍କ ତାତ୍ସଲ୍ୟ ଶୁଣି ଶୁଣି ମୀରା ସବୁ କିଛି ପାଇଁ ନିଜକୁ ଦୋଷୀ ବୋଲି ଭାବିଲା ।

ଶେଷରେ ଆଜି ତା ନିଜ ବୋଉ ମଧ୍ୟ ଫୋନରେ ଗପିବା ବେଳେ ତାତ୍ସଲ୍ୟ କରି କହିଲେ , ତୋରି ଜିଦ ପାଇଁ ଆଜି ତମମାନଙ୍କ ଜୀବନ ନିଶଦ୍ଦ ହେଇଯାଇଛି ଆଉ କୈାଣସି ସୁଖର ସମ୍ଭାବନା ନାହିଁ । ଅଂଶକୁ ମାନସିକ ଅନଗ୍ରସର ଆବାସିକ ବିଦ୍ୟାଳୟରେ ନେଇ ଛାଡ଼ି ଦେ । ଆଉ ଗୋଟେ ସନ୍ତାନ ପାଇଁ ଚିନ୍ତା କର । କ’ଣ ଜୀବନ ସାରା ଏଇ ଦୁଃଖର ବୋଝ ନେଇ ବଞ୍ଚିବୁ ? ସାଧାରଣ ପିଲା ମାନେ ମଧ୍ୟ ଆବାସିକ ବିଦ୍ୟାଳୟରେ ପଢୁଛନ୍ତି। ଅଂଶ ପଢ଼ିବାକୁ ଗଲେ ଅସୁବିଧା କେଉଁଠି ? ଆଉ ତମେ ମାନେ ମଧ୍ୟ ନିଜ ଜୀବନଟାକୁ ସହଜ କରିପାରିବ ! ଏଥିରେ ଏତେ ଚିନ୍ତା କରିବାକୁ କ’ଣ ଅଛି ?

କିଛି ଉତ୍ତର ନ ଥିଲା ମୀରା ପାଖରେ । ରାତି ସାରା କାନ୍ଦି କାନ୍ଦି ବିତେଇଛି । ମୀରା ଭାବୁଥିଲା ଅଂଶ କ’ଣ ଏତେ ବଡ଼ ସମସ୍ୟା ଯେ ସେଥିରୁ ବିରତି ନେବା ନିହାତି ଆବଶ୍ୟକ ! କ’ଣ ଏହା ଛଡ଼ା ଆଉ କୈାଣସି ରାସ୍ତା ନାହିଁ ? ଅଂଶ ତା’ର ସୃଷ୍ଟି । ମା’ ହେଇ ସେ କ’ଣ ଛାତିକୁ ପଥର କରି ଜୀବନ ଯୁଦ୍ଧରେ ହାର ମାନିଯିବ ?

ସକାଳୁ ସକାଳୁ ମୀରାର ମୁହଁ ଦେଖି ଦେଇ ଆଦିତ୍ୟ ଜାଣି ପାରିଲା ତା ମନ କଥା । ହେଲେ ମୀରା କ’ଣ ନିଷ୍ପତ୍ତି ନେଲା ପଚାରିବାକୁ ସାହାସ କରି ପାରୁ ନଥିଲା । ସମ୍ଭାବନା ସବୁ ବିମୁଖ ହେଇଯିବେ କି ? ମୀରା ହାର ମାନି ଯିବ କି ? ଏତେ ବାଟ ଏତେ ବର୍ଷର ପରିଶ୍ରମ ଶୁଖୁଆ ପୋଡ଼ା ରେ ଯିବ ! ବୃଦ୍ଧାବସ୍ଥାରେ ଅଂଶ ବଞ୍ଚିବାର ଅବଲମ୍ବନ ନ ହେଇପାରେ ! କିନ୍ତୁ ଲୋକଙ୍କ ତାତ୍ସଲ୍ୟ ଆଉ ଛଳନାଭରା ଉପଦେଶ ମୀରାର ମନକୁ କବଳିତ କରୁନି ତ ? ଆଦିତ୍ୟ ଚାହୁଁ ନାହିଁ ଯେ ମୀରା ହାର ମାନୁ ବୋଲି । ଅଂଶକୁ ଜୀବନ ଯୁଦ୍ଧରେ ତାତ୍ସଲ୍ୟର ଭୟ ଭାବେ ସ୍ଥାନ ନ ଦେଇ ଏକ ଆହ୍ଵାନ ସଦୃଶ୍ୟ ନେଉ ।

ଆଦିତ୍ୟ ମୀରାକୁ ଏଇ ଆହ୍ବାନ ସହିତ ପରିଚୟ କରିବା ପାଇଁ , ବାହାରକୁ ବୁଲି ଯିବା କହି ଅଫିସରୁ ଛୁଟି ନେଲେ । ଗାଡ଼ି ଧରି ବାହାରିଗଲେ ଗୋଟିଏ ଲମ୍ବା ଯାତ୍ରାରେ । ଅଂଶୁପା ଆଡେ ବୁଲି ଗଲେ । ମୀରାର ମନ ପରିବର୍ତ୍ତନ ଲକ୍ଷ୍ୟ କରୁଥାନ୍ତି ବାରମ୍ବାର । କିଛି ସମୟ ବୁଲାବୁଲି ପରେ ହ୍ରଦ ପାଖ ବେଞ୍ଚରେ ବସି ପ୍ରାକୃତିକ ସୈାନ୍ଦର୍ଯ୍ୟର ଉପଭୋଗ କରୁଥାନ୍ତି । ସେତିକିବେଳେ ପାଖରେ ଏକ ପରିବାରକୁ ଦେଖିଲେ , ସେମାନଙ୍କ ଝିଅ ଯନ୍ତ୍ରଚାଳିତ ଚେୟାରରେ ବସିଥାଏ ଆଉ ପାଖରେ ବାପା ମା ଦୁଇ ଭାଇ ଭଉଣୀ କଥା ହେଉଥାନ୍ତି । ଝିଅଟି ପକ୍ଷାଘାତରେ ପୀଡ଼ିତ । ତଥାପି ପୂରା ପରିବାର ମୁହଁରେ ହସ ଥାଏ । ସେମାନଙ୍କୁ ଦେଖି ଆଦିତ୍ୟ ମୀରାକୁ କହିଲେ, ତମ ମନରେ ବି ଅନେକ ଦ୍ଵନ୍ଦ ଅଛି ନା ? ଆମେ କ’ଣ ଏତେ ଜଲଦି ହାର ମାନିଯିବା ମୀରା ? ଏଇ ପରିବାର ଭଳି ଆମେ କ’ଣ ଆମର ସୁନ୍ଦର ନୀଡ଼ ଟିଏ ଗଢି ପାରିବାନି ? ଆଉ ଗୋଟେ ସନ୍ତାନକୁ କ’ଣ ଆମେ ଅଂଶ ସହ ସମାନ୍ତରାଳରେ କୋଳେଇ ପାରିବାନି ?

ଆଶ୍ଚର୍ଯ୍ୟ ହେଇ ମୀରା କହିଲା, ଅର୍ଥ କେଉଁଠୁ ଆସିବ ? ଦୁଇଟା ଛୁଆଙ୍କ ଖର୍ଚ୍ଚ ଆଉ ଅଂଶର ମେଡିକାଲ ଖର୍ଚ୍ଚ ନିଜ ପାଇଁ ଘର ଖଣ୍ଡିଏ ଏମିତି ଅନେକ କିଛି ଆମେ ଚଳେଇବା କେମିତି ?
ଆଦିତ୍ୟ ପୂର୍ବ ଭଳି ଦୃଢ଼ତାର ସହ କହିଲା, କାହିଁ ତମେ ଚାକିରୀ କରି ପାରିବନି ? ପରିବାରରୁ କେହି ଜଣେ କିଛି ସମୟ ପାଇଁ ଛୁଆଟାକୁ ଦେଖି ପାରିବେନି ? ଯଦି ନ ପାରିବେ ଆମେ ଆୟା ରଖି ଦେବା । ଦୁଇଟା ଛୁଆଙ୍କୁ ଆମେ ଏକ ସାଙ୍ଗରେ ପାଳିବା । କେତେ ବର୍ଷ ହେଲାଣି ଆମେ ସଂଗ୍ରାମ କରୁଛେ ଜୀବନ ଯୁଦ୍ଧରେ , ଆବଶ୍ୟକ ଆଉ ଟିକେ ଆତ୍ମବିଶ୍ବାସର ବରଂ ଆତ୍ମବିଶ୍ବାସରେ ଆମେ ଦୁହେଁ ସବୁ ସମସ୍ୟାର ସମାଧାନ କରିପାରିବା ।

ମୀରା ଭାବୁଥିଲା ସତରେ ଜୀବନ ଯୁଦ୍ଧରୁ ନୁହଁ ବରଂ ତାତ୍ସଲ୍ୟର ଭୟରୁ ବିରତି ଆବଶ୍ୟକ । ଜୀବନର ସମସ୍ୟାକୁ ଆହ୍ବାନ ଭାବେ ଗ୍ରହଣ କରିବ ଆଉ ମନେ ମନେ ନିଷ୍ପତ୍ତି ନେଲା ଧୈର୍ଯ୍ୟ ଓ ଆତ୍ମବିଶ୍ବାସ ସହ ସମସ୍ୟାର ସମାଧାନ କରି ଏକ ନୂତନ ସୁନ୍ଦର ପରିବାର ଗଢି ତୋଳିବ ।

ଝାରପଡା ଭୁବନେଶ୍ୱର

Leave A Reply

Your email address will not be published.