କବିତା : ଦେବୀପକ୍ଷ

ମନୋଜ ରଥ

ନିଜ ଉପରେ ଗଦେଇ ହେଇଯିବା ଯାଏଁ                                                             
ନିଜ ଦେହର ଖଣ୍ତ୍ ହର୍
ସମୟ ଚଳୁ କରି ଦେଇଥିବା ବୟସର
ନଗ୍ନ ତାଳୁରୁ ଝୁଲୁଥାଏ
ରାତି ହେଲେ ରଂଗ ବଦଳେଇ
ଜଳୁ ଥାଏ ଗୋଟେ ଗୁମରର ଝୁମର୍ !

ତମେ ଯେତେବେଳେ ବଂଦ୍ କରିନିଅ ପଲକ
ଆଉ ମୁଁ ଆଲୋକ
ତମାମ୍ ଦିନର କୁହୁଡି ପୋଛି ମୁହଁରୁ
ଅନ୍ଧାର ରେ ତମେ କେମିତି ଲହଡି ଭାଂଗ
ସତେ ଯେମିତି ମୁଁ ହଜାରେ ପୂର୍ଣ୍ଣମୀର ଚନ୍ଦ୍ର
ଆଉ ତମେ ଲକ୍ଷେ ଜୁଆର ସମୁଦ୍ର  ।

ଫିଟି ଯାଇ ପୁଣି ମେଘ ମାନେ
ତମ କବରୀକୁ ଫେରିଗଲା ପରେ
ସେ ସହସ୍ର ଫଣାର ସମୁଦ୍ର
ସଦ୍ୟସ୍ନାତ ସେଇ ବେଳାଭୂମୀକୁ ପଚାରେ :
ସେଇ ଦ୍ୱୀପରୁ ମୁଁ କେତେ ଦୂର ?

ଆର୍ଦ୍ର ନିରବତା କହୁଥାଏ ସାରାରାତି
ଯେତେଦୂର ଏ ଚର୍ମରୁ ମର୍ମ ଗଭୀର
ଯେତେଦୂରେ ସ୍ୱପ୍ନରୁ ମାଧୁର୍ଯ୍ୟ ସ୍ପର୍ଶର ।

ମତେ ଲାଗେ :
ମୁଁ ନିର୍ଜନ ଟାପୁ ର ବ୍ରୁକ୍ଷ ଏକ
ତମେ ନୀଳମଗ୍ନ ଚତୁର୍ଦିଗ ।

ପୁଣି ଲାଗେ :

ମୁଁ ଜହ୍ନ ଆତୁର ଯକ୍ଷ ଏକ
ତମେ ଶୀତଳ ଆଶ୍ୱିନ ଦେବୀ ପକ୍ଷ ।

ଅଧ୍ୟାପକ ଇଂରାଜୀ ବିଭାଗ , ଇନ୍ଦ୍ରାବତୀ ମହାବିଦ୍ୟାଳୟ, ଇନ୍ଦ୍ରାବତୀ, ନବରଂଗପୁର-୭୬୪୦୮୫  (ମୋ)-୯୦୭୮୦୬୧୬୧୬