ବ୍ୟଙ୍ଗ : ବହୁ ନାଆର ନାବିକ

ଓଁ ଅଭିଜ୍ଞାନ ସାହୁ

ଗତ ଥର କହିଥିଲି ମାଡୁଆ ଭାଇର ଦୁଃଖ । ଦୁଇ ନାଆରେ ଗୋଡ଼ ଦେଇ ବିଚରା ଅନାଥ ହେବାର ଯନ୍ତ୍ରଣାକୁ ମରଣାନ୍ତକ ଦୁଃଖ ଭଳି ଭୋଗ କରୁଥିଲେ । ଆଜିର କଥାରେ ଆମ ଭାଡୁଆ ଭାଇ । ବହୁ ନାଆକୁ ଅନାୟାସରେ ବାହି ପାରନ୍ତି ସେ ଖୋଳିଥିବା ରୋମାଣ୍ଟିକ ଲେକରେ ।

ମାଡ଼ୁଆ ଭାଇଙ୍କଠୁ ବୟସର ଦେଢ଼ଗୁଣାରୁ ଟିକିଏ କମ ଭାଡୁଆ ଭାଇ । ସ୍ମାର୍ଟ ଫୋନ ଦୁଇଟା ପ୍ୟାଣ୍ଟ ପକେଟରେ ଥାଏ । ବ୍ଲୁ ଟୁଥ ଲାଖିଥାଏ ଅସରପା ଭଳି କାନରେ । ପାନରେ ରଙ୍ଗେଇ ଯାଇଥିବା ଦାନ୍ତ ଭାଡିକ ଦେଖେଇ ସେ ଠୋ ଠୋ ହସି ପାରନ୍ତି ମାଡୁଆ ଭାଇଙ୍କ ଭଳି ଲୋକକୁ ଦେଖେଇ ହୋଇ କେଇଲି କଲା ଭଳି । ତାଙ୍କ ଘରଣୀ ନୁହେଁ ତ ଯେମିତି ଅଚଳ ଚାରେଣୀ । “କେଉଁଠି ଅଛ ? ” ବୋଲି ଯଦି ଫୋନଟେ ଆସିଲା ଘରମଣୀଙ୍କର, ଘଡ଼ଘଡ଼ିଆ ଗଳାରେ ଶୁଣେଇ ଦିଅନ୍ତି ଆଚ୍ଛା କରି ଦି’ପଦ ଭାଡୁଆ ଭାଇ । “ତୋ’ ଧୋବିଲା ମୁହଁକୁ ଅନେଇ ଧେଇ ଧେଇ ହୋଇ ଘରକଣଟାରେ ନାଚୁଥାନ୍ତି କଣ ବିଲେଇ ହୋଇ ? ଘରେ ଥିଲା ବେଳେ କାମ ମନେ ପଡୁନି ବାହାରକୁ ଆସିଲେ ବାହାରୁଚି ଛଇ । ଗୋଟେ ଅଭ୍ୟାସ ହୋଇଗଲାଣି ଛେକିବା । ” ତାପରକୁ ତାପର ସେ ଯାହା ବକିଯାଆନ୍ତି ସେତକ ନିରିମାଖୀ ଭାଉଜ ଆମର ଉଁ ଚୁଁ ନକରି ଶୁଣନ୍ତି । ‘ହଉ ରଖ ରଖ ଭୁଲ ହୋଇଗଲା ‘ କହି ଫୋନ ରଖନ୍ତି ।

ତେଣିକି ନିଜ ଆଡୁ ଫୋନ ଲଗେଇ ନୂଆ ନୂଆ ପ୍ରେମିକା ସହ କଥା ହୁଅନ୍ତି ଭାଡୁଆ ଭାଇ । ଏଇଲେ ଜଣଙ୍କୁ କହିଥିବେ ,’ ତୁମ ପାଇଁ ଜାନୁ ଜାନ ହାଜିର ହେ ।” ସଙ୍ଗେ ସଙ୍ଗେ ଆଉ କାହାକୁ କହିଥିବେ, “ହେଇ ବାହାରିଲି । ମଡ଼ର୍ଣ ରେଷ୍ଟୁରାଣ୍ଟରେ ଆମ ଟେବୁଲ ବୁକ୍ ଅଛି।” କାହାକୁ ପାର୍କ ତ କାହାକୁ ସିନେମା ନେଇ ଭାଡୁଆ ଭାଇ ବଡ଼ ଏନର୍ଜିଟିକ ଲାଗନ୍ତି । ଭାଉଜଙ୍କୁ ଧରି ଭିନ୍ନେ ହୋଇ ସହର ମଝିରେ ଯେଉଁ ସୁଦୃଶ୍ୟ କୋଠା ଖଣ୍ଡକରେ ରହିଲେ ସେଇଟା କୁଆଡେ ଶଳା ଶଶୁରଙ୍କୁ ଧପେଇକି ଆଣିଛନ୍ତି । କଣ ନା ତୁମ ଝିଅ ଆମ ଘରେ ମନ ମିଳେଇ ରହି ପାରୁନି । ତାର ଭିନ୍ନେ ହୋଇ ରହିବାର ଇଚ୍ଛା ଅଛି ଯଦି ହାତ ଧରିଛି କେମିତି ଯିବିନି ? ହେଲେ ଝିଅ ପାଇଁ ଭିନ୍ନ ଘର ତୁମେ କର ମୁଁ ଗୋଟିଏ ନୂଆ ପଇସା ଦେବିନି । ମୋ ଘର ଥାଉ ଥାଉ ଆଉ ଗୋଟେ ଘର କଣ ହେବ । ତୁମ ଝିଅ ଘର ସେ ଭୋଗୁ । “ଭାଉଜଙ୍କ ନାଁରେ ଘର ନହୋଇ ତୁମ ନାଁରେ କେମିତି ରେଜେଷ୍ଟି ହେଲା” ପଚାରିଲେ ଭାଇନା କହିବେ ସେଇ ମୂର୍ଖ କଣ ସମ୍ଭାଳି ପାରିବ ଘର କିଣା ବିକାର ଆଇନ କାନୁନ । ସମ୍ଭାଳିବ ଏଇ ଲୋକ । ସେମାନେ ଝିଅ ଦେଇଛନ୍ତି ମୋତେ , ଝିଅର ଦୁଃଖଟି କହୁଛନ୍ତି ମୋତେ । ମୁଁ କଣ ଭିନ୍ନେ ହେବାକୁ କହୁଛି ତାଙ୍କୁ !!’

ଆମକୁ ସବୁ କେବେ କେମିତି ଭାଡୁଆ ଭାଇଙ୍କ ଫଟଫଟିଆରେ ବିକଟ ବେଶିନୀମାନେ ନଜର ଆସନ୍ତି । ଘାଗଡା କଣ୍ଠରେ ଗୀତ ବଡ଼ ଶ୍ରୁତିକଟୁ ହେଉଥିଲେ ହେଁ ଭାଇନା ଆମର ଗୀତ ଗାଇ ଗାଇ ମାଡୁଆ ଭାଇଙ୍କ ଭଳି ଲୋକଙ୍କ ମନ ଓ ଦେହରେ ମାଡ଼ର ପରାଶ ଦିଅନ୍ତି । ଆମେ ଶୁଣିଚୁ ଏହି ନାଆମାନଙ୍କ ନାହା ହୋଇପାରିଥିବା ଭାଇ ଏଇଥିପାଇଁ ଗୋଟାଏ ପଇସା ଖର୍ଚ୍ଚ କରନ୍ତି ନାହିଁ । ଗାଡିର ପେଟ୍ରୋଲଠାରୁ ରେଷ୍ଟୁରାଣ୍ଟର ବିଲ ଯାଏଁ ସବୁ ଆପଣା ଛାଏଁ ମିଳିଯାଏ ଟେମ୍ପରାରି ଗାର୍ଲଫ୍ରେଣ୍ଡମାନଙ୍କ ଠାରୁ । ଆଜି ଯାଏଁ କାହା କଥା କୋଉଠି ନାହିଁ । ଗଣ୍ଡଗୋଳର ସୋର ଶବ୍ଦ ନାହିଁ ।ଆମେ ପଞ୍ଝାକ ଦାନ୍ତ କାମୁଡ଼ି , ଓଠ କାମୁଡ଼ି ଯେତେ ରବେଇ ଖବେଇ ହେଲେ କଣ ହେବ ଭାଡୁଆ ଭାଇଙ୍କ ନାଆ ଚଲା ଅଟକେ ନାହିଁ । ତାଙ୍କ କପାଳ କାଁ ଭାଁ ଲୋକଙ୍କୁ ମିଳେ ପ୍ରାୟ ଲୋକଙ୍କୁ ମିଳେ ନାହିଁ ।

ବନମାଳୀ ଭବନ
ଖାନ ନଗର , କଟକ