Latest Odisha News

BREAKING NEWS

ଦୀପାଳି-ବର୍ଷା-ଅଳକା: କାହାକୁ ଟିକେଟ, କାହାର କଟିବ ?

ଭୁବନେଶ୍ୱର: ୩ ଉପନିର୍ବାଚନ ବିଜେତାଙ୍କୁ ପ୍ରଥମ ପର୍ଯ୍ୟାୟରେ କାହିଁକି ମିଳିଲାନି ବିଜେଡି ଟିକେଟ ? ପ୍ରାର୍ଥୀ ଘୋଷଣା ପରେ ବରଗଡ ଲୋକସଭା କ୍ଷେତ୍ରକୁ ନେଇ ବଢ଼ିଛି ଚର୍ଚ୍ଚା । ଗତକାଲି ବିଜେଡି ବରଗଡ ଜିଲ୍ଲା ତଥା ଲୋକସଭା କ୍ଷେତ୍ରର ୪ ବିଧାନସଭା ପାଇଁ ପ୍ରାର୍ଥୀ ଦେଲା । ବାକି ରହିଲା ଆଉ ତିନିଟି ଆସନ ପଦ୍ମପୁର, ଝାରସୁଗୁଡ଼ା ଓ ବ୍ରଜରାଜନଗର । ଏହି ୩ଟି ସିଟରେ ନବୀନଙ୍କ ପଞ୍ଚମ ପାଳି ସରକାର ପରେ ଉପନିର୍ବାଚନ ହୋଇଥିଲା । ୩ଟି ସ୍ଥାନରେ ବାଜି ମାରିଥିଲା ବିଜେଡି। ବ୍ରଜରାଜନଗରରେ ଅଳକା ମହାନ୍ତି, ପଦମପୁରରେ ବର୍ଷା ସିଂହ ବରିହା ଓ ଝାରସୁଗୁଡାରେ ଜିତିଥିଲେ ଦିପାଳି ଦାସ । ବିଜେଡିର ତିନି ମହିଳା ବିଧାୟିକା । କିନ୍ତୁ ପ୍ରଥମ ପର୍ଯ୍ୟାୟ ତାଲିକାରେ ତିନି ନାଁକୁ ନେଇ ରହିଛି ସସପେନ୍ସ ।

ଦୀପାଳି ସାଂସଦ ପ୍ରାର୍ଥୀ ହେବେ !
ଦିବଂଗତ ନେତା ନବ ଦାସଙ୍କ ଝିଅ ଦୀପାଳି। ଉପନିର୍ବାଚନରେ ୪୮ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ପ୍ରଥମ ତାଲିକାରେ ତାଙ୍କ ନାଁ ନାହିଁ କାହିଁକି ? ଚର୍ଚ୍ଚା ହେଉଛି ଦୀପାଳିଙ୍କୁ ଦଳ ବରଗଡ ଲୋକସଭା ଲଢେଇବାକୁ ଚିନ୍ତା କରୁଛି ବିଜେଡି। ଝାରସୁଗୁଡାରେ ତାଙ୍କ ଭାଇ ବିଶାଳ ଦାସଙ୍କୁ ବିଧାୟକ ଟିକେଟ ମିଳିପାରେ । ଏଦିଗରେ ବିଚାରବିମର୍ଶ ଚାଲିଥିବାରୁ ବରଗଡ ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା ଝୁଲି ରହିଛି । ଦୀପାଳି ତାଙ୍କ ବାପା ନବ ଦାସଙ୍କ ସହ ପୂର୍ବରୁ ବରଗଡର ସବୁ ବିଧାନସଭା ବୁଲିଛନ୍ତି । ଦଳ ପାଇଁ ପ୍ରଚାର ବି କରିଛନ୍ତି । ତେଣୁ ତାଙ୍କ ନା ସାଂସଦ ପାଇଁ ସୁପାରିସ ହୋଇଥିବା ଶୁଣିବାକୁ ମିଳୁଛି। କିନ୍ତୁ ଚୂଡାନ୍ତ ନିଷ୍ପତ୍ତି ନେବେ ନବୀନ ପଟ୍ଟନାୟକ।

କଟିବ କି ବର୍ଷାଙ୍କ ଟିକେଟ ?
ଅନ୍ୟପଟେ ପଦମପୁର ଥିଲା ଦିବଂଗତ ନେତା ବିଜୟ ରଞ୍ଜନ ସିଂ ବରିହାଙ୍କ ରାଜନୈତିକ କର୍ମଭୂମୀ। ତାଙ୍କ ବିୟୋଗରେ ଝିଅ ବର୍ଷା ସିଂ ବରିହା ଉପନିର୍ବାଚନ ବାଜି ଜିତିଥିଲେ । ୪୨ ହଜାରରୁ ଅଧିକ ଭୋଟ ମାର୍ଜିନରେ ଜିତିଥିଲେ ବର୍ଷା । ପ୍ରଥମ ପର୍ଯ୍ୟାୟରେ ତାଙ୍କ ନାଁ ବି ନାହିଁ । କୁହାଯାଉଛି ବର୍ଷାଙ୍କ ବଦଳରେ ତାଙ୍କ ଭାଇଙ୍କୁ ପ୍ରାର୍ଥୀ କରିପାରେ ବିଜେଡି । ଚର୍ଚ୍ଚା ହେଉଛି ନିର୍ବାଚନ ମଣ୍ଡଳୀରେ ବର୍ଷାଙ୍କ ସର୍ଭେ ରିପୋର୍ଟ ଭଲ ନାହିଁ । ଅନ୍ୟପଟେ ପଦମପୁର ରେସରେ ଦିବଂଗତ ନେତା ମହେନ୍ଦ୍ର ବଢ଼େଇଙ୍କ ପତ୍ନୀ ବି ଥିବା କୁହାଯାଉଛି ।

ପୁଣି ଅଳକା ନା ନୂଆ ମୁହଁ !
ବ୍ରଜରାଜନଗର ପାଇଁ ବି ବାକି ଅଛି ବିଜେଡିର ପ୍ରାର୍ଥୀ ଘୋଷଣା । ଏଠାରୁ ବିଧାୟିକା ଅଛନ୍ତି ଅଳକା ମହାନ୍ତି। ଦିବଂଗତ ନେତା କିଶୋର ମହାନ୍ତିଙ୍କ ପତ୍ନୀ । ଉପନିର୍ବାଚନ ଜିତିଥିଲେ ଅଳକା । ଏଥର ତାଙ୍କୁ ଦଳ ଟିକେଟ ଦେବ ନା ନାହିଁ ? ନା ନୂଆ ମୁହଁ ଦେଖିବ ବ୍ରଜରାଜନଗର ? ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ଏବେ ଅଟକିଛି ।

 

Leave A Reply

Your email address will not be published.