Latest Odisha News

ଭାରତ ମାତା କି ଜୟ: କିଏ ଏହି ଭାରତ ମାତା?

ଭାରତ ମାତା କି ଜୟ: କିଏ ଏହି ଭାରତ ମାତା?

କେଦାର ମିଶ୍ର

୩୦ ଡିସେମ୍ବର ୧୯୦୩, ସମୟ ଦିନ ୧୧ ଘଣ୍ଟା, ସ୍ଥାନ – କଟକ ସହରର ଇଦଗା ପଡିଆ । ସମବେତ ଉତ୍କଳର ପ୍ରାୟ ପାଂଚ ଶହ ବିଶିଷ୍ଟ ନାଗରିକଂକ ଆଗରେ ସେଦିନ ଚାରୋଟି ସଂଗୀତ ଗାନ କରାଯାଇଥିଲା। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଆହୂତ ଏହି ପ୍ରଥମ ଉତ୍କଳ ସମ୍ମିଳନୀରେ ଆମେ ଓଡିଆ ଜାତୀୟତା ଓ ଭାରତୀୟ ଜାତୀୟତାର ଏକ ରୋମାଂଚକର ସମନ୍ୱୟ ଦେଖିବାକୁ ପାଇଲୁ। ସେଦିନ ପ୍ରଥମ ଥର ଲାଗି ଭାରତକୁ ମାତା ବୋଲି ସମ୍ବୋଧନ କରି ସଂସ୍କୃତ ଓ ବଂଗଳା ଭାଷାରେ ଦୁଇଟି ଗୀତ ଗାନ କରା ଯାଇଥିଲା । ସଂସ୍କୃତ ଗୀତଟି ଥିଲା କବିବର ରାଧାନାଥ ରାୟଂକ ରଚିତ “ସର୍ବେଷାମ୍ ନୋ ଜନନୀ ଭାରତ ଧରଣୀ କଲ୍ପଲତେୟଂ…ଏବଂ ଏହି ଗୀତ ସହିତ ଦେଶକୁ ମା ଭାବରେ ପୂଜା କରିବାର ଜାତୀୟ ଚେତନା ବୋଧ ହୁଏ ରାଜନୈତିକ ସ୍ତରରେ ବିକଶିତ ହୋଇଥିଲା।

ଏହା ପୂର୍ବରୁ ଓଡିଆ ସାହିତ୍ୟରେ କୋଉଠି ହେଲେ ଦେଶକୁ ମା ଅଥବା ଦେବୀ ଭାବରେ ଚିତ୍ରିତ କରା ଯାଇ ନାହିଁ । ଦେଶ ସବୁବେଳେ “ଭାରତ ବର୍ଷ” ଓ ଏହା ପୁଂଲିଂଗ ବାଚକ ଭାବରେ ବିବେଚିତ। ଉତ୍କଳ ସମ୍ମିଳନୀ ଭାରତ ଜନନୀ ଓ ଉତ୍କଳ ଜନନୀକୁ ଏକା ମଞ୍ଚରେ ଓ ଏକା ସାଂଗରେ ପ୍ରତିଷ୍ଠିତ କରୁଛନ୍ତି । ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ରେ ବୋଲା ଯାଇଥିବା ବଂଗାଳୀ ଗୀତଟି ଭାରତ ଜନନୀଙ୍କ ଲୁହ ଜରଜର ଓ କରୁଣ ଭାବରେ ବର୍ଣ୍ଣନା କରିଛି। “ଜନନୀ ଦୁଖିନୀ କେନ ମଲିନ ବଦନ, ଅଶ୍ରୁ ନୀରେ ଭାସେ କେନ କମଲ ନୟନ..” ଉତ୍କଳ ସମ୍ମିଳନୀରେ ବଂଗଳା ଭାଷାରେ ରଚିତ ଏହି ସଂଗୀତରେ ଉତ୍କଳ ଲାଗି କୌଣସି ବାର୍ତ୍ତା ନଥିବା ବେଳେ ଏଥିରେ ଭାରତ ମାତାର ବ୍ୟଥା ଓ ବେଦନାକୁ ଦୂର କରି ଏକତା ସୂତ୍ରରେ ବାନ୍ଧି ହେବାକୁ ଭାରତୀୟଂକୁ ଆହ୍ୱାନ ଦିଆ ଯାଇଛି ।

ରାଧାନାଥ କିନ୍ତୁ ତାଂକର ଭାରତ ଗୀତିକାରେ ଭାରତ ମାତା ଓ ଉତ୍କଳ ମାତାକୁ ଗୋଟିଏ ସୂତ୍ରରେ ଗୁନ୍ଥିଛନ୍ତି । ଆପାତତଃ ଏହାହିଁ ଓଡିଶାର ଜାତୀୟ ଓ ବୌଦ୍ଧିକ ଜୀବନରେ ଭାରତ ମାତାର ପ୍ରଥମ ଉଦୟ । ତାପରେ ମଧୁସୂଦନ ରାଓଙ୍କ “ତୁହି ମା ଜନମ ଭୂମି ପବିତ୍ର ଭାରତ ଭୂମି…ଦେଶକୁ ମାତା ରୂପରେ ପୂଜା କରିବାର ପରମ୍ପରାକୁ ପ୍ରତିଷ୍ଠା ଦେଇଛି ।

ଏହି ଐତିହାସିକ ପୃଷ୍ଠଭୂମିକୁ ଉଦାହରଣ ଭାବରେ ବ୍ୟବହାର କରି ଏବେ ମୂଳ ପ୍ରସଂଗକୁ ଆସିବା । ଓଡିଶା ପରି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ଜାତୀୟତା ଓ ଦେଶ ବନ୍ଦନାର ପରମ୍ପରା ନିର୍ମାଣ ହୋଇଛି । ସ୍ୱାଧୀନତା ଆନ୍ଦୋଳନ ଏହି ସବୁ ପରମ୍ପରାକୁ ଏକାଠି କରି ଏକ ସର୍ବଜନଗୃହୀତ ଓ ସର୍ବଜନସମ୍ମତ ଜାତୀୟତାକୁ ପୁନଃ ପ୍ରତିଷ୍ଠା ଦେଇଛି । ଜାତୀୟତାର ନବ ନିର୍ମାଣ ପର୍ବରେ ଭାରତ ମାତାର ସଂଜ୍ଞା ନିରୂପଣ କରିବାକୁ ଯାଇ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍ ନେହରୁ ତାଂକର “ଡିସ୍କଭରୀ ଅଫ ଇଣ୍ଡିଆ” ପୁସ୍ତକର ତୃତୀୟ ଅଧ୍ୟାୟରେ ଲେଖିଥିଲେ – “ସ୍ୱାଧୀନତା ଆନ୍ଦୋଳନ ସମୟରେ ଗୋଟେ ସଭାରୁ ଆଉ ଗୋଟେ ସଭାକୁ ଘୂରିବୁଲିବା ବେଳେ ମୁଁ ଲୋକମାନଂକୁ ଆମର ଦେଶ କଥା କହୁଥିଲି । ଦେଶ କହିଲେ ଆମେ ହିନ୍ଦୁସ୍ତାନ୍ ବା ଭାରତ ବୋଲି ବୁଝୁ। ଭାରତ ସେଇ ପୁରାଣ ପ୍ରସିଦ୍ଧ ରାଜାଂକ ନାମରେ ନାମିତ। ମୁଁ ଏ ଦେଶର କୃଷକ ମାନଂକଠାରୁ ଜାଣିବାକୁ ଚାହୁଁଥିଲି ସେମାନେ ଦେଶକୁ କେମିତି ବୁଝନ୍ତି। ଏ ଦେଶର ଚାଲି ଚଳଣି ଯେତେ ଅଲଗା ହେଲେ ବି ସବୁଠି କୃଷକମାନଂକର ସମସ୍ୟା ଏକ। ସବୁଠି ଦାରିଦ୍ର୍ୟ, ଋଣ ବୋଝ, ଜମିଦାରୀ, ନ୍ୟସ୍ତସ୍ୱାର୍ଥ, ମହାଜନୀ କାରବାର, ପୋଲିସ୍ ଜୁଲୁମ୍- ସବୁ କିଛି ବିଦେଶୀ ଶାସକର କୁଶାସନର ଫଳ।” ନେହରୁ ପ୍ରଥମ ଥର ଲାଗି ମାନବୀୟ ସମସ୍ୟା ଓ ରାଜନୈତିକ ସଂକଟର ଆଧାରରେ ଜାତୀୟତାର ପ୍ରସଂଗକୁ ଆଲୋଚନା କରୁଛନ୍ତି। ଧର୍ମ, ଜାତି ଓ ଅଂଚଳ ଭେଦକୁ ପୂରାପୂରି ଖାରଜ କରି କୃଷକ ଓ ଶ୍ରମିକର ଜୀବନ-ଜୀବିକାକୁ ଜାତୀୟତାର ପ୍ରଶ୍ନ ଭାବରେ ଉପସ୍ଥାପନ କରାଯାଇଛି ।

ସେଇ ଜାଗାରେ ନେହରୁ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା କହୁଛନ୍ତି । “କୌଣସି ସଭାରେ ପହଂଚିଲା ପରେ ଲୋକେ ଭାରତ ମାତାକୀ ଜୟ ବୋଲି ସ୍ଲୋଗାନ୍ ଦେଇ ଆମକୁ ସ୍ୱାଗତ କରନ୍ତି । ମୁଁ ସେମାନଂକୁ ପଚାରେ- କୁହନ୍ତୁ ତ, ଏ ସ୍ଲୋଗାନର ମାନେ କଣ? କିଏ ଏଇ ଭାରତ ମାତା ? ସେମାନେ ଟିକେ ବିବ୍ରତ ଓ ଇତସ୍ତତଃ ହୁଅନ୍ତି । ମୁଁ ପୁଣି ସେମାନଂକୁ ସେଇ ସମାନ ପ୍ରଶ୍ନ ପଚାରେ। ଶେଷରେ ଜଣେ ଜାଠ କୃଷକ କୁହନ୍ତି- ଏଇ ଧରିତ୍ରୀ ଆମର ଭାରତମାତା । ମୁଁ ପୁଣି ପଚାରେ, ଧରିତ୍ରୀ ମାନେ କଣ କେବଳ ନିଜର ଗାଁ, ନିଜର ଜିଲ୍ଲା, ନିଜର ରାଜ୍ୟ ନା ପୂରା ଭାରତ ଦେଶ ? ସେମାନେ ପ୍ରଶ୍ନାକୁଳ ଆଖିରେ ମୋତେ ଦେଖନ୍ତି। ମୁଁ କହେ, ହଁ, ଏ ମାଟି ଆମର ମାତା । ଏହାର ପର୍ବତ ଓ ସମୁଦ୍ର, ଏହାର ଜଂଗଲ ଓ କ୍ଷେତ, ସବୁ ଆମର ପ୍ରିୟ। ତେବେ ସବୁଠୁ ବଡ ହେଉଛି ଏ ଦେଶର ପ୍ରତ୍ୟେକ ମଣିଷ। ଭାରତ ମାତା ହେଉଛନ୍ତି ଏହି ବିଶାଳ ଜନ ସମୂହ । ଆମେ ସମସ୍ତେ ଭାରତ ମାତାର ଅଂଶ ବିଶେଷ । ତମେ ଯେଉଁମାନେ ‘ଭାରତ ମାତା କି ଜୟ’ ବୋଲି ସ୍ଲୋଗାନ ଦେଉଛ, ତମେ ନିଜେ ଇ ନିଜର ଜୟ ଜୟକାର କରୁଛ।” ବୋଧହୁଏ ଭାରତମାତାର ସବୁଠୁ ସୁନ୍ଦର ସଂଜ୍ଞା ଏହାଠୁ ଅଲଗା କିଛି ହୋଇ ପାରିବ ନାହିଁ ।

ଭାରତ ମାତା, ଏକ ମାନଚିତ୍ର, ମୂର୍ତ୍ତି ବା ପତାକା ନୁହଁ, ସେ ଏ ଦେଶର ୧୨୫ କୋଟି ଭାରତୀୟଂକ ଆତ୍ମାର ପ୍ରତିମା। ଏତକ ବୁଝିଗଲେ ଆମର ସବୁ ସମସ୍ୟା ତୁଟି ଯାଆନ୍ତା। ଆଜି ଆମେ ଜାତୀୟତାର ଏକ ନୂଆ ଅର୍ଥ ଓ ତତ୍ୱ ତିଆରି କରିଛୁ। ଦେଶ ଆମର, କିନ୍ତୁ ଦେଶର ସବୁ ନାଗରିକ ଆମର ନୁହନ୍ତି । ବୈଚାରିକ ଓ ରାଜନୈତିକ ମତ ବିରୋଧକୁ ଦେଶଦ୍ରୋହ ସହିତ ଯୋଡ଼ିବାର ଏକ ଜଘନ୍ୟ ଖେଳ ଏବେ ଦେଶର ଅସ୍ତିତ୍ୱକୁ ଦୋହଲାଇ ଦେଉଛି।

Leave A Reply

Your email address will not be published.