Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୮)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ ଅନୁବାଦ ବି କରିଛନ୍ତି । ଜଣେ ସୃଜନାତ୍ମକ ଲେଖକ ଭାବରେ ତାଙ୍କର ଦୁଇଟି ବିଶେଷତ୍ୱ । ପ୍ରଥମ: ବିଷୟର ଅଭିନବତ୍ୱ । ଅପାରମ୍ପରିକ ବିଷୟକୁ ନେଇ ଗଳ୍ପ ରଚି ପାରନ୍ତି ସେ । ଆଉ ଦ୍ୱିତୀୟ: ତାଙ୍କ କାହାଣୀଗୁଡ଼ିକରେ ହସ ଆଉ ଲୁହ ମିଶାମିଶି ହୋଇ ଥାଏ । ଅଧ୍ୟାପନାରୁ ସକ୍ରିୟ ସାମ୍ବାଦିକତା ପୁଣି ସେଠୁ ଗଣମାଧ୍ୟମ-ଅଧ୍ୟାପନାକୁ ଆସି ଏବେ ସେ ଭାରତୀୟ ଜନସଂଚାର ସଂସ୍ଥାନର ପୂର୍ବ ଭାରତୀୟ ଶାଖାର ପ୍ରଫେସର ତଥା ଆଞ୍ଚଳିକ ନିର୍ଦ୍ଦେଶକ ଅଛନ୍ତି । (ଯୋଗାଯୋଗ: ୯୪୩୭୦୨୬୧୯୪)

‘କୁକୁର କାହାଣୀ’ ଉପନ୍ୟାସରେ କଣ ଅଛି ?

(ଆପଣମାନଙ୍କ ଚାରିପାଖରେ ଦେଖିବେ ଦୁଇ ପ୍ରକାର କୁକୁର ବସବାସ କରନ୍ତି । ଦଳେ ହେଲେ ପୋଷାକୁକୁର । ଦଳେ ବୁଲାକୁକୁର । ଏ ଦୁଇ ଜାତିର କୁକୁରଙ୍କ ଭିତରେ ବିଶେଷ ସଦ୍ଭାବ ନାହିଁ । ବୁଲାକୁକୁରମାନଙ୍କ ଭିତରେ ମଧ୍ୟ ନିଜ ଏରିଆକୁ ନେଇ, ସୁନ୍ଦରୀ କୁକୁରୀଙ୍କ ଉପରେ ଅଧିକାରକୁ ନେଇ ବହୁତ ବିବାଦ । ବହୁସହସ୍ର ବର୍ଷ ଧରି ମଣିଷ କୁକୁରକୁ ପୋଷା ମନେଇ ରଖିଛି । କିନ୍ତୁ ଧରନ୍ତୁ ଯଦି ଏ କୁକୁରମାନେ ନିଜର ବିବାଦ ଓ ବିଭେଦ ଭୁଲି ଏକ ହୁଅନ୍ତି ଆଉ ମଣିଷଜାତି ବିରୋଧରେ ଯୁଦ୍ଧ ଘୋଷଣା କରନ୍ତି, ତେବେ କଣ ହେବ? ଇଏ ହେଲା ଏ ଉପନ୍ୟାସର କାହାଣୀ-ସାର । କୁକୁରମାନଙ୍କ କାହାଣୀ ଭିତରେ ଯଦି ପାଠକ ଆଉକିଛି କଥା ଓ କାହାଣୀ ଖୋଜି ପାଇଲେ- ତେବେ ସେ କୃତିତ୍ୱ ସମ୍ପୂର୍ଣ୍ଣ ଭାବେ ତାଙ୍କର ।)

କୁକୁର କାହାଣୀ

ମୃଣାଳ

(ଧାରାବାହିକ ଉପନ୍ୟାସର ଅଷ୍ଟମ ଭାଗ)

୮: ଚାରି ଘଟଣା

ଘଟଣା-ଏକ:

ସକାଳଟା ଥିଲା ଚମତକାର । ଆଦ୍ୟ ଶରତର ସୁନେଲି ଖରା ତମାମ ଦୁନିଆ ଉପରେ ହାଲ୍କା ଭାବରେ ବିଛେଇ ପଡ଼ିଥିଲା । ପରିସ୍କାର ନୀଳ ଆକାଶ । ପାର୍କର ଘାସଗୁଡ଼ାକ ବି ଦିଶୁଥିଲା ଅଦଭୁତ ଉଜ୍ଜ୍ୱଳ ସବୁଜ । ସୁଖମୟ ବାବୁ ରକିକୁ ନେଇ ସବୁଦିନ ଭଳି ବୁଲି ଆସିଛନ୍ତି । ରକିର ବେକରେ ଗୋଟେ ଚମଡ଼ା ପଟି ଲାଗିଥାଏ । ସେଥିରେ ଗୋଟେ ଲୁହା ଶିକୁଳି ବନ୍ଧା ହୋଇଥାଏ । ଶିକୁଳିର ଆର ପଟଟା ଗୋଟେ ପ୍ଲାଷ୍ଟିକ ହ୍ୟାଣ୍ଡଲ ଭିତରେ ପଶିଥାଏ । ତାକୁ ସୁଖମୟ ବାବୁ ଧରିଥାନ୍ତି । ପ୍ରାତଃକୃତ୍ୟ ପାଇଁ ସେ ଶିକୁଳିଟାକୁ ରକି ବେକର ଚମଡ଼ା ପଟିରୁ ଖୋଲି ଦିଅନ୍ତି । ପୁଣି ଗଲା ବେଳକୁ ଲଗେଇ ଦିଅନ୍ତି ।

ରକି ପାର୍କର ଗୋଟେ ବୁଦା ମୂଳରେ ପ୍ରାତଃକୃତ୍ୟ ସାରୁଛି- ଦୂରରେ ଦିଶିଲା ସେଇ ବଙ୍କା ଲାଂଜ ସୁନ୍ଦରୀ କୁତ୍ତିଟି । ତା ଆଡ଼କୁ ଅପଲକ ଆଖିରେ ଚାହିଁଛି । ଆଖିରେ ଆଖି ମିଶିଲା ତ ପ୍ରଥମ ଥର ପାଇଁ ସେ କହିଲା: ଭୋଃଭୋଃ । ପେଟ ପରିସ୍କାର ହେଲା ତ! ଭୁଃଭୁଃ । ଅନ୍ୟମାନେ ଜାଣିନାହାନ୍ତି, କୁକୁର ସମାଜରେ ଏହା ହେଲା ହସିବା ।

ରକି କହିଲା: ଭାଉ ଭାଉ । ହଁ । ତୁମେ କିଏ?

– ମୋ ନାଁ ରାନି ।

– ତୁମେ ମୋତେ ସବୁବେଳେ ଏମିତି ଚାହୁଁଛ କାହିଁକି?

– ତୁମେ ଲକ୍ଷ୍ୟ କରିଛ?

– ହଁ । ଜର୍ମାନ ଶେଫାର୍ଡ ଜାତିର କୁକୁର ମୁଁ । ସବୁ ଲକ୍ଷ୍ୟ କରେ ।

କୁକୁରମାନେ ମଣିଷମାନଂକ ଭଳି ପୂର୍ବରାଗରେ ବେଶି ସମୟ ନଷ୍ଟ କରନ୍ତନି । ରକି କହିଲା, ତୁମେ କଣ ମୋ ସଙ୍ଗିନୀ ହେବ?

ରାନିର ମନେ ହେଲା, ତା ସ୍ୱପ୍ନ ଏବେ ସତ ହେବାକୁ ଯାଉଛି । ମୁଣ୍ଡ ତଳକୁ କରି କହିଲା: ସେଇଥିପାଇଁ ତ ଅପେକ୍ଷା କରିଛି ।

ରକି ବୁଦା ପଛପଟକୁ ଚାଲିଆସିଲା । ରାନି ବି ଆଗେଇ ଆସିଲା । ଆଉ ସେମାନେ ମିଳିତ ହେଲେ ।

ଏଇ ସମୟରେ ଅଳ୍ପ ସମୟ ବ୍ୟବଧାନରେ ଆଉ ଦୁଇଟି କଥା ହେଲା । ରାନି କୁଆଡେ଼ ଗଲା ବୋଲି ଖୋଜୁ ଖୋଜୁ ଭୋଳୁ ସେଠି ଆସି ପହଞ୍ଚିଲା । ଆଉ ତାର କିଛି ସମୟ ପରେ ରକି କୁଆଡେ଼ ଗଲା ବୋଲି ଖୋଜୁ ଖୋଜୁ ସୁଖମୟ ବାବୁ ସେଠି ଆସି ପହଞ୍ଚିଲେ ।

ରାନି ଆଉ ରକିକୁ ସହବାସରେ ମଗ୍ନ ଅବସ୍ଥାରେ ଦେଖି ଭୋଳୁ ଚିକ୍ରାର କରି ଉଠିଲା । ଭାଉ । ଭାଉ । ରାନି ଏ କଣ କରୁଛୁ? ସେ ଝପଟି ଗଲା । ପ୍ରଚଣ୍ଡ କ୍ରୋଧରେ ସେ ରକିକୁ କାମୁଡ଼ି ଦେବାକୁ ଚାହୁଁଥିଲା । ହେଲେ ରାନିର ମୁହଁରେ ମାଟିଆ ନୀଳ ଆଖିରେ ଏକ ଅଦଭୁତ ପ୍ରଶାନ୍ତି ଦେଖିପାରିଲା ସେ । ରାନି ଯେମିତି ଏକ ଅନ୍ୟ ଦୁନିଆକୁ ଚାଲିଯାଇଛି । ଯୁକ୍ତି, ବୁଦ୍ଧି, ହିତ ଅହିତର ସୀମାରୁ ବହୁ ଦୂରର ଏକ ଦୁନିଆ । ସ୍ୱପ୍ନର ଦୁନିଆ ।

ଅଟକିଗଲା ଭୋଳୁ । ସେ ରାନିକୁ ଭଲ ପାଉଛି । ରାନି ରକିକୁ ଭଲ ପାଉଛି । ସେ ଯଦି ରାନିକୁ ଭଲ ପାଉଛି ତେବେ ରାନି ଭଲ ପାଉଥିବା ଜନର ଅନିଷ୍ଟ କେମିତି କରିବ ସେ? ତା ମାନେ ତ ରାନିକୁ ଅନିଷ୍ଟ କରିବା । ଭୋଳୁର ସମସ୍ତ ଅନ୍ତରାତ୍ମା ମନ୍ଥନ କରି ଶବ୍ଦ ବାହାରିଲା: ଭୋଉ ଭୋଉ ।

ଏଇ ସମୟରେ ସୁଖମୟ ବାବୁ ସେଠି ଆସି ପହଞ୍ଚିଲେ । ହାତରେ ଧରିଥିଲେ ଗୋଟେ ରୁଳ ବାଡ଼ି । ମର୍ଣ୍ଣିଂ ୱାକରେ ଗଲାବେଳେ ଅନେକେ ବୁଲା କୁକୁର ମାଂକଡ଼ଙ୍କୁ ଘଉଡେ଼ଇବା ପାଇଁ ଏମିତି ବାଡ଼ି ଧରିଥାନ୍ତି । ରକିକୁ ଗୋଟେ ରାସ୍ତାର କୁତ୍ତି ସହିତ ସହବାସରେ ମଗ୍ନ ଦେଖି ରାଗରେ ତାଙ୍କ ଦେହ ଜଳି ଗଲା । ଆବେ କୋଡ଼ିଏ ହଜାର ଟଂକା ଦେଇ କିଣିଛି ତୋତେ – ଘରେ ରଖି ଏତେ ଯତ୍ନରେ ପାଳୁଛି, ମାସକୁ ପାଞ୍ଚ ହଜାର ତୋ ପଛରେ ଖର୍ଚ୍ଚ କରୁଛି କଣ ଏଇଥିପାଇଁ! ବ୍ରିଡର ଚାହିଁ ବସିଛି ତୋତେ ନେବା ପାଇଁ । ବିଦେଶୀ କୁତ୍ତି ସହିତ ସହବାସ କରେଇଲେ ଥରକୁ ଦଶ ହଜାର ମିଳିବ । ଆଉ ତୁ ଏଠି…ଏ ଦେଶୀ କୁତ୍ତି ସାଂଗରେ…! ଛିଃ! ରକି.. ଚିତ୍କାର କଲେ ସେ ।

ରକିକୁ କିଛି ଶୁଭିଲାନି । ସେ ଏକ ଭିନ୍ନ ଦୁନିଆରେ ଥିଲା ସେତେବେଳେ । ଏକ ଅପୂର୍ବ ଆନନ୍ଦମୟ ଦୁନିଆରେ ।

ହାତରେ ଧରିଥିବା ବାଡ଼ିରେ ସୁଖମୟ ବାବୁ ଜୋରରେ ପିଟିଦେଲେ ରକିକୁ । ରକି ଯନ୍ତ୍ରଣାରେ ଚିକ୍ରାର କଲା ତ ରାନି ବି ଚିକ୍ରାର କରି ଉଠିଲା । ଯନ୍ତ୍ରଣା ଯେମିତି ରକିର ନୁହେଁ- ତାର । ସେ ଯେମିତି ଭାବରେ ଚିତ୍କାର କଲା ଲାଗିଲା ସେ ଆଉ ରକି ଅଲଗା ନୁହନ୍ତି । ଏକା ଦେହ । ରକିର ଯନ୍ତ୍ରଣା ମାନେ ରାନିର ଯନ୍ତଣା । ଆଉ ରାନିର ଯନ୍ତ୍ରଣା ମାନେ ଭୋଳୁର ଯନ୍ତ୍ରଣା । ଭୋଳୁ ମୁଣ୍ଡରେ ରକ୍ତ ଚଢ଼ିଗଲା । ରାନିକୁ କନ୍ଦେଇବୁ ତୁ – ତୋର ଏତେ ସାହସ ।

ଭୋଳୁ ସୁଖମୟ ବାବୁଙ୍କ ଗୋଡ଼ପେଣ୍ଡାକୁ କାମୁଡ଼ି ଦେଲା । କାମୁଡ଼ି ଧରିଲା ତ ଝରି ପଡ଼ିଲା ରକ୍ତ । ଉଷ୍ମ ରକ୍ତର ଲୁଣିଆ ସ୍ୱାଦ ଭୋଳୁକୁ ଆହୁରି ହିଂସ୍ର କରି ତୋଳିଲା । ସେ ତାର ଦେହର ସବୁ ଶକ୍ତି ଲଗେଇ ସୁଖମୟ ବାବୁଙ୍କ ଗୋଡ଼ ପେଣ୍ଡାକୁ କାମୁଡ଼ି ଧରିଲା ।

ସୁଖମୟ ବାବୁ ଯନ୍ତ୍ରଣାରେ ଛଟଫଟ ହୋଇ ଚିକ୍ରାର କରିବାକୁ ଲାଗିଲେ । ନିଜ ଗୋଡ଼ଟାକୁ ଭୋଳୁର ମୁହଁରୁ ଛଡେ଼ଇବା ପାଇଁ ପ୍ରାଣାନ୍ତକ ଚେଷ୍ଟା କରୁଥିଲେ ସେ । ରୁଳ ବାଡ଼ିରେ ତାକୁ ପିଟି ଚାଲିଥିଲେ । ଗୋଟେ ସମୟରେ ନିଜ ଗୋଡ଼କୁ ଭୋଳୁ ମୁହଁରୁ ଛଡେ଼ଇନେବାରେ ସେ ସଫଳ ହେଲେ ଆଉ ଛାଟିପିଟି ହୋଇ ସେ ଜାଗାରୁ ଦଉଡ଼ି ପଳେଇବାକୁ ଲାଗିଲେ । ତାଙ୍କ ପଛେ ପଛେ ଭୋଳୁ ଭୋ ଭୋ ହୋଇ ଗୋଡେ଼ଇ ଗଲା । ହେଲେ ସୁଖମୟ ବାବୁ ଏତେ ଜୋରରେ ଦଉଡ଼ିଲେ ଯେ ଅଲମ୍ପିିକରେ ଏମିତି ଦଉଡ଼ିଥିଲେ ସୁନା ପଦକଟା ଥୁଆ ଥିଲା । ଭୋଳୁ ଆଉ ତାଙ୍କୁ ଧରି ପାରିଲାନି । ଗୋଟେ ସମୟରେ ଭୋଳୁ ଅଟକିଗଲା । ହେଲେ ସେ ଆଉ ରାନି ପାଖକୁ ଫେରିଲାନି । ଥାଉ ରାନି ତାର ରକିକୁ ନେଇ ।

…..     …..     …..

ଘଟଣା-ଦୁଇ

ଭରତପୁର ସହର ବାହାରେ ନୂଆ କରି ଗଢ଼ିଉଠିଥିବା ବସ୍ତିରେ କୁଞ୍ଜର ପଲିଥିନ ଢଙ୍କା ଅସନା ଘର ଛାଡ଼ି ଯେତେବେଳେ ବାହାରିଲା ବିଉଟି ସେତେବେଳେ ରାତି ଅଧ । କୁଞ୍ଜ ପେଟେ ଦେଶୀ ପିଇ ଡାଉନ । ବିଉଟି ରାସ୍ତାକୁ ବାହାରି ଆସିଲା । ବସ୍ତିରେ ରାସ୍ତା ଆଲୁଅ ନାହିଁ । ଆକାଶରେ ମଇଳା ହଳଦିଆ ରଂଗର ଖଣ୍ଡିଆ ଜହ୍ନ ବଡ଼ ବାଧ୍ୟବାଧକତାରେ ଝୁଲି ରହିଥିଲା ଆଉ ବଡ଼ କୃପଣ ଭାବରେ ଅଳ୍ପ କିଛି ଆଲୁଅ ବିଂଚି ଦେଇଥିଲା ଏ ଅପରିଚ୍ଛନ୍ନ ବସ୍ତି ଉପରେ । ସେ ଆଲୁଅରେ ନା ଥିଲା ଦିପ୍ତି ନା ଥିଲା ଦ୍ୟୁତି । ଅଧ ରାତିର ବହଳ ଅନ୍ଧାରକୁ ଦୂର କରି ପାରୁନଥିଲା ସେ ଆଲୁଅ । କେବଳ ତାର ଘନତ୍ୱକୁ କିଛିଟା କମେଇ ଦେଇଥିଲା । ଛାଇ ଅନ୍ଧାରରେ ବସ୍ତି ଭିତରେ ଲମ୍ବି ଯାଇଥିବା ରାସ୍ତାଟା ଗୋଟେ ବଡ଼ ଅଜଗର ସାପ ଭଳି ଦିଶୁଥିଲା । ବିଉଟି ଯେତେବେଳେ ଘରୁ ବାହାରି ରାସ୍ତାରେ ପାଦ ଦେଲା- ମନେ ହେଲା ଅଜଗର ଭଳି ଏ ରାସ୍ତାଟା ବୋଧେ ତାକୁ ଗିଳିଦେବ । ଥରେ ଭବିଲା ବିଉଟି ଫେରିଯିବ ନିରାପଦ ଆଶ୍ରୟକୁ । ଅଳିଆ ହେଉ, ଅସନା ହେଉ କୁଞ୍ଜ ଲୋକଟା ବି ବଡ଼ ଅବନକସସ ଏବଂ ବିରକ୍ତିକର – ହେଲେ ସେଠି ନିରାପତ୍ତା ଅଛି । କିନ୍ତୁ ସେ ଚିନ୍ତାଟିକୁ ତା ଦେହ ଲୋମରେ ସାଲୁସାଲୁ ହେଉଥିବା ପୋକଟିକୁ ଝାଡ଼ି ପକେଇଦେବା ଭଳି ମନରୁ ଝାଡ଼ିଦେଇ ବିଉଟି ରାସ୍ତାକୁ ପାଦ ବଢେ଼ଇଲା ।

ଏ ଅଞ୍ଚଳର ରାସ୍ତାଘାଟ ବିଶେଷ ଚିହ୍ନିନି ବିଉଟି । କୁଆଡେ଼ ଯିବ- ସେ ବିଷୟରେ ତାର ନିର୍ଦ୍ଧଷ୍ଟ କିଛି ଧାରଣା ନଥିଲା । କୁଞ୍ଜ ଘରୁ ବାହାରିବାକୁ ପଡ଼ିବ- କୁଞ୍ଜ ପାଖରୁ ତାକୁ ଯିବାକୁ ପଡ଼ିବ- ଏହା ଥିଲା ପ୍ରଥମ କଥା । ଆଦ୍ୟ ଶରତ ରାତିରେ ଥଣ୍ଡା ବି ପଡ଼ିଲାଣି । କେତେବାଟ ଏବଂ କେତେ ସମୟ ଯେ ଚାଲିଥିଲା ବିଉଟି ତାର ହିସାବ ନାହିଁ । ଚାଲୁ ଚାଲୁ ସେ କାନ୍ଦୁଥିଲା । ନିଜ କର୍ମକୁ ନିନ୍ଦୁଥିଲା । ବିପଦଭଂଜନ ବାବୁଙ୍କୁ ଝୁରି ହେଉଥିଲା । ସେ କାହିଁକି ତାକୁ ସାଂଗରେ ନେଇ ନ ଗଲେ- ଏଥିପାଇଁ ଅଭିମାନ ବି କରୁଥିଲା ।

ହଠାତ ବିଉଟି ଆବିଷ୍କାର କଲା ଯେ ସେ ଭରତପୁର ବଜାର ଭିତରେ । ଆଉ ତାକୁ ୫-୬ ବଳିଷ୍ଠ କୁକୁର ଘେରି ଧରିଛନ୍ତି । ବିଉଟି ଡରିଗଲା । ତାକୁ ପ୍ରାତଃକୃତ୍ୟ ପାଇଁ ବାହାରକୁ ନେଲାବେଳେ ରାସ୍ତାର ବୁଲା କୁକୁରମାନେ ତାକୁ ଲୋଭିଲା ଆଖିରେ ଚାହାନ୍ତି- ସେ ତାହା ଲକ୍ଷ୍ୟ କରିଛି । କେହି କେହି ତାକୁ ସହବାସ ପାଇଁ ଈଶାରାରେ ହେଉ ବା ଖୋଲାଖୋଲି ହେଉ- ଆମନ୍ତ୍ରଣ ବି କରିଛନ୍ତି । ଏଥିକୁ ସେ ବିରକ୍ତ ହୋଇଛି । ହେଲେ କେତେବେଳେ କେମିତି ପୁରୁଷର ଲୋଭିଲା ଆଖିର ଚାହାଣୀ ସେ ଉପଭୋଗ ବି କରିଛି । କିନ୍ତୁ ଭୟ କେବେ କରିନି । କାରଣ ତା ପାଖରେ ସବୁବେଳେ କେହି ନା କେହି ତାକୁ ସୁରକ୍ଷା ଦେବା ପାଇଁ ରହୁଥିଲେ । ହୁଏତ ବିପଦଭଂଜନ ବାବୁ ନିଜେ ବା କୁଞ୍ଜ । ଏବେ ତ କେହି ନାହାନ୍ତି । ବିଉଟି ଡରିଗଲା । ଭୟର ଏକ ଶୀତଳ ସ୍ରୋତ ତା ମେରୁଦଣ୍ଡ ଭିତରେ ପ୍ରବାହିତ ହୋଇଗଲା । ତାର ଟିକି ଛାତି ଭିତରେ ହୃତପିଣ୍ଡଟି ଖୁବ ଜୋରରେ ସଞ୍ଚାଳିତ ହେବାକୁ ଲାଗିଲା । ସେ ତା ଲୋମଶ ଲାଙ୍ଗୁଡ଼କୁ ପଛ ଦୁଇ ଗୋଡ଼ ଭିତରେ ଜାକି କେଉଁ ବାଟେ ଧାଇଁ ପଳାଇବ ସେ କଥା ଚିନ୍ତା କରୁଥିଲା କି କସରା ରଙ୍ଗର କୁକୁରଟିଏ କହିଲା: ଆମକୁ ଦେଖି ଡରି ଗଲ କି? ଡରନି । ଥଣ୍ଡାଟା ଜୋର ପଡ଼ିଛି ତ ସେଇଥିପାଇଁ ଆମେ ତମକୁ ଘେରିଗଲୁ । ତମ ଦେହଟା ଉଷୁମ ରହିବ ।

ବିଉଟିର ଡର ତଥାପି ଗଲାନି । ସେ ଭୁକଭୁକ କରି ଭୁକିଲା । କୁକୁରଟି କହିଲା, ଆଚ୍ଛା ହେଉ । ତୁମେ ଯଦି ଆମକୁ ଡରୁଛ, ତେବେ ତୁମେ ତମ ବାଟରେ ଯାଅ, ଆମେ ଆମ ବାଟରେ ଯାଉଛୁ । ଆମେ କୁକୁର । ମଣିଷ ନୋହୁଁ ।

କସରା ରଙ୍ଗ କୁକୁରଟିର ଏଇ କଥାରେ ତାକୁ ଭଲ କରି ଚାହିଁଲା ବିଉଟି । କସରା ରଂଗ ଉପରେ ଧଳା ଛିଟ । ଲାଂଜ ସରୁ । ଗୋଜିଆ ମୁହଁରେ କଳା ଚିହ୍ନ । ଦେହରେ ବେଶୀ ଲୋମ ନାହିଁ । କିନ୍ତୁ ଚମଡ଼ା ଭାରି ଚିକ୍କଣ । ବିଉଟିକୁ ଭଲ ଲାଗିଲା ତାର କଣ୍ଠସ୍ୱର । ତାର ହାବଭାବ । ସେ ଚୁପ ହୋଇ ଠିଆହେଲା ।

କୁକୁରଟି କହିଲା, ମୋ ନାଁ ଭୋଳୁ । ମୁଁ ଭରତପୁର ମହାତ୍ମାଗାନ୍ଧୀ ବଜାରରେ ରହେ । ତମେ?

– ମୋ ନାଁ ବିଉଟି ।

– ତମ ବେକରେ ଚମଡ଼ା ବକଲସ ଲାଗିଛି । ତମକୁ ଦେଖି ତ ଲାଗୁନି ତମେ ରାସ୍ତାର କୁକୁର । କଉଠି ରୁହ?

– ଥିଲି । ବିପଦଭଂଜନ ବାବୁଙ୍କ ଘରେ ।

– ସେ ତ ଆମେରିକା ଚାଲିଯାଇଛନ୍ତି । ପୁଅ ପାଖକୁ ।

– ହଁ । ମୋତେ ତାଙ୍କ ଚାକର କୁଞ୍ଜ ପାଖରେ ଛାଡ଼ି ଦେଇ ଯାଇଥିଲେ । ସେଠି ମୁଁ ରହି ପାରିବିନି । ତେଣୁ ଚାଲିଆସିଲି ।

– ଏବେ?

– ଜାଣିନି । ବିଉଟିର ଦୀର୍ଘଶ୍ୱାସ ମିଶିଗଲା ରାତିର ଅନ୍ଧକାରରେ ।

– ଆମ ସହିତ ରହିପାର ।

– ତମ ସହିତ?

– ହଁ । ଆମ ସମାଜରେ ରହିପାର ।

ବିଉଟି ଭାବିଲା- ମନ୍ଦ କଣ! ଯଦିଓ ପୋମେରାନିଆନ କୁକୁରମାନେ ଅନ୍ୟ କୁକୁରମାନଙ୍କୁ ବିଶେଷ ପସନ୍ଦ କରନ୍ତି ନାହିଁ, କିନ୍ତୁ ଏଇ କୁକୁରଟି ତ ବେଶ ଭଦ୍ର ଜଣାପଡ଼ୁଛି । ତା ସହିତ ସମୟ ମନ୍ଦ କଟିବା ଭଳି ଲାଗୁନି ।

– ଠିକ ଅଛି । ରହିବି ।

ଭୋଳୁ କହିଲା, ତେବେ ଆମ ସହିତ ଆସ ।

ବିଉଟି ଯେତେବେଳେ ତା ପାଖେପାଖେ ଚାଲିଲା- ଧଳା ବାଦଲ ଉହାଡ଼ୁ ମୁହଁ ବାହାର କରି ଚେନାଏ ଜହ୍ନ ତାର ମାୟାବୀ ଆଲୁଅରେ ଗାଧୋଇଦେଲା ପରିବେଶକୁ । ଭୋଳୁକୁ ଲାଗିଲା, ଜଣେ ରାଜକୁମାରୀ ଉଭା ହୋଇଛି । ହଠାତ ତାର ମନେ ହେଲା ଭଗବାନ ଏ ରାଜକୁମାରୀକୁ ତା ପାଇଁ ପଠେଇ ଦେଇଛନ୍ତି । ରାନି କଥା ମନେ ପଡ଼ିଲା ତାର । ହେଲେ ରାନି ତ ଏବେ ରକିର । କି ଆଶ୍ଚର୍ଯ୍ୟ, ଯେଉଁ ଦିନ ସକାଳେ ରାନି ରକି ସହିତ ସହବାସରେ ମତ୍ତ ହେଲା, ସେଇ ରାତିରେ ଏ ରାଜକୁମାରୀର ଆଗମନ । ବୋଧହୁଏ ଏଟା ଭଗବାନଙ୍କ ଲୀଳା । ଭଗବାନ ବିଉଟିକୁ ତା ପାଇଁ ପଠେଇଛନ୍ତି । ଭୋଳୁ ବିଉଟି ପାଖକୁ ଘୁଞ୍ଚି ଆସିଲା । ତା ଦେହରେ ନେଶି ହେଲା । ବିଉଟିକୁ ବି ଭଲ ଲାଗିଲା ଏକ ପୁରୁଷ କୁକୁରର ସ୍ପର୍ଶ । ତା ଜୀବନରେ ପ୍ରଥମ ଥର । ସେମାନେ ପାଖାପାଖି ହୋଇଗଲେ । ଅନ୍ୟାନ୍ୟ କୁକୁରମାନେ ସେମାନଙ୍କୁ ଏକୁଟିଆ ଛାଡ଼ି ଆଗକୁ ଚାଳିଗଲେ । ଥାଆନ୍ତୁ ସେମାନେ ଏକୁଟିଆ କିଛିସମୟ ।

…..     …..     …..

ଘଟଣା-ତିନି

ଶନିବାର ଦିନ ବଡ଼ି ସକାଳୁ କଳା କୁକୁରକୁ ରୁଟି ଦେଲେ ରିଷ୍ଟ ଖଣ୍ଡନ ହେବ ବୋଲି ଖବରକାଗଜରେ ପ୍ରକାଶିତ ରାଶିଫଳ ପଡ଼ି ହରିପଦବାବୁ ବାହାରିଲେ କଳା କୁକୁର ସନ୍ଧାନରେ । ସାଙ୍ଗରେ ନେଲେ ବାସି ରୁଟି ଚାରି ପଟ ।

ସେଦିନ କଣ ହେଲା କେଜାଣି, ଧଳା, କସରା, ବାଦାମୀ- ସବୁ ରଂଗର କୁକୁର ଦିଶୁଥାନ୍ତି- କଳା କୁକୁରର ଦର୍ଶନ ନାହିଁ । ଖୋଜି ଖୋଜି ନୟାନ୍ତ ହେଲା ପରେ, ଗୋଟେ ବଡ଼ ଘରର ଗେଟ ପାଖରେ ଗୋଟେ ରୁମୁରୁମିଆ କଳା କୁକୁର ଦେଖିଲେ ସେ । ତା ଚିକିଚିକିଆ ଚେହେରା ଆଉ ବେକରେ ପଡ଼ିଥିବା ବେଲଟ ଦେଖି ହରିପଦ ବାବୁ ବୁଝିପାରିଲେ ଇଏ ଅର୍ଡିନାରି ବଜାର ବୁଲା କୁକୁର ନୁହେଁ । ଇଏ ଖାନଦାନି କୁକୁର । ଘରର ଚାକର ତାକୁ ବାହାରକୁ ବୁଲେଇ ଆଣିଥିବ । ତଥାପି କଳା କୁକୁର ତ, ହରିପଦ ବାବୁ ରୁଟି ଚାରିପଟ ପଲିଥିନ ପ୍ୟାକେଟରୁ ବାହାର କରି ତାକୁ ଦେଲେ । କହିଲେ, ଖାଲୋ ମା, ଖାଇଦେ । ମୋ ରିଷ୍ଟ ଖଣ୍ଡନ ହୋଇଯାଉ । ପ୍ଲିଜ ଖାଇ ଦେ ।

ଖାନଦାନି କୁକୁର କହିଲା, ଭାଉ ଭାଉ । ଛିଃ! ଏ ରୁଟି ଖାଇଲେ ତମର ସିନା ରିଷ୍ଟ ଖଣ୍ଡନ ହୋଇଯିବ, ମୋର ପେଟ ଖରାପ ହୋଇଯିବ । ମୁଁ ପ୍ୟାକେଟର ଡଗଫୁଡ ଖାଏ । ଏମିତି ବାସି ମାସି ରୁଟି ଖାଏନି । ଯାଅ ଏଠୁ । ଭୋଃ, ଭୋଃ.. ।

ହରିପଦବାବୁ ମନ ଦୁଃଖରେ ରୁଟି ଚାରିପଟ ଅଳିଆ ଗଦାକୁ ଫୋପାଡ଼ି ଦେଲେ ।

କଉଠି ଥିଲା କାଳିଆ, ମାଳିଆ ଧେଢ଼ନେଡ଼ ପିଲାଟିଏ, ଧାଇଁଯାଇ ସେ ରୁଟି ଚାରି ପଟ ଝାମ୍ପି ନେଲା ଅଳିଆ ଗଦାରୁ ଆଉ ମହାନନ୍ଦରେ ଖାଇବାକୁ ଲାଗିଲା ।

ହରିପଦ ବାବୁ ଦେଖିଲେ । ହେଲେ ମଣିଷ ପିଲାକୁ ରୁଟି ଦେଲେ ରିଷ୍ଟ ଖଣ୍ଡନ ହୁଏ କି ନାହିଁ, ସିଓର ହୋଇପାରିଲେନି । ରାଶିଫଳରେ ତାହା ଲେଖା ନାହିଁ । ସେ ଘରକୁ ଫେରିବାକୁ ବାହାରିଲେ ।

ଏଇ ସମୟରେ ଆଉ ଚାରିଟା କୁକୁର କୁଆଡେ଼ ଥିଲେ ଯେ ଧାଇଁ ଆସି ମଣିଷ ପିଲାଟିର ଚାରିପଟରେ ଘେରିଗଲେ । ଭାଉ ଭାଉ କରି ତାଙ୍କ ଭାଷାରେ ପିଲାଟିକୁ ଗାଳି ଦେବାକୁ ଲାଗିଲେ, ଆବେ ତୋର ଏଡେ଼ ବହପ, ଅଳିଆ ଗଦାରେ ଫୋପଡ଼ା ହୋଇଥିବା ରୁଟିକୁ ଗୋଟାଇ ନେବୁ? ତାକୁ ଖାଇବୁ? ଏ ରୁଟିରେ କେବଳ ଆମର ଅଧିକାର । ଛାଡ଼ ସେ ରୁଟି ।

ପିଲାଟି କୁକୁରର ଭାଷା ବୁଝିପାରିଲାନି କିମ୍ବା ସେଇ ସମୟରେ ରୁଟି ତାର ନିହାତି ଦରକାର ଥିଲା କହି ହେବନି- ରୁଟି ଚାରିପଟକୁ ସେ ଜୋର ମୁଠାରେ ଧରି ରହିଲା ଆଉ ତଳୁ ଗୋଟେ ଟେକା ଉଠେଇ ଗୋଟେ କୁକୁର ଉପରେ ଫୋପାଡ଼ି ଦେଲା । ଟେକାଟି ବାଜିଲା କୁକୁର ଦେହରେ । କାଉଁ କରି ଚିକ୍ରାର କରି ଉଠିଲା ସେ । ସାଙ୍ଗେ ସାଙ୍ଗେ ଅନ୍ୟ କୁକୁରମାନେ ଝାମ୍ପି ପଡ଼ିଲେ ମଣିଷ ପିଲାଟି ଉପରେ । ତା ହାତକୁ କାମୁଡ଼ି ଦେଲେ । ମଣିଷ ପିଲାଟି ତଥାପି ରୁଟି ଗୁଡ଼ିକୁ ଛାଡ଼ୁନଥାଏ । ଚାରି କୁକୁର ଚାରିପଟକୁ ତାକୁ ଆକ୍ରମଣ କଲେ । ଜଣେ ତା ହାତକୁ, ଜଣେ ତା ଗୋଡ଼କୁ କାମୁଡ଼ି ଧରିଲା । ପିଲାଟି ତଳେ ପଡ଼ିଗଲା । ଏଇ ସୁଯୋଗରେ ଆଉ ଗୋଟେ କୁକୁର ତା ବେକ ପାଖକୁ ଜୋରରେ କାମୁଡ଼ି ଧରିଲା । ଏଥର ପିଲାଟି ହାତରୁ ରୁଟି ପଡ଼ିଗଲା । ତାକୁ ମୁହଁରେ ଧରି ଚାରି କୁକୁର ସେଠୁ ଚାଲିଗଲେ ।

ରକ୍ତାକ୍ତ ପିଲାଟି ପଡ଼ି ରହିଲା ଅଳିଆ ଗଦା ଉପରେ । କିଛି ସମୟ ଭିତରେ ଲୋକ ସେଠି ଜମା ହେଇଗଲେ । କେମିତି କଣ ହେଲା ବୋଲି କେତେକେ ଅନୁସନ୍ଧାନ କରିବାକୁ ଲାଗିଲେ । କେତେକେ ଏ ପିଲାଟି କିଏ- ତାର ଖୋଜ କରିବାକୁ ଲାଗିଲେ । ଏ ପିଲାଟି ଜରି ଗୋଟାଏ ବୋଲି ଶୁଣିବା ପରେ ସେମାନଙ୍କ ଭିତରୁ କେତେଜଣ ଆଉ ଆଗ୍ରହ ଦେଖେଇଲେନି । ଏହା ଭିତରେ କେତେକଙ୍କର ମନେ ହେଲା: ପିଲାଟିକୁ ହାସପାତାଳ ନେବା ଦରକାର । ସେତେବେଳେ ଅନେକଙ୍କର ନିଜ ଘର କାମ କଥା ମନେ ପଡ଼ିଲା ଓ ସେମାନେ ଘଟଣାସ୍ଥଳରୁ ଚାଲିଗଲେ । କେତେକେ କହିଲେ, ଏଟା ନିଶ୍ଚୟ ପୋଲିସ କେସ । ସେମାନେ ଆସି କଣ କରିବାର କଥା କରନ୍ତୁ । ପୋଲିସ କାମରେ ଆମେ ଭଦ୍ରଲୋକ ମୁଣ୍ଡ ପୂରାଇବା ଉଚିତ ନୁହେଁ । ଆଉ କେତେକେ କହିଲେ, ନାଇଁ ଏମିତି କେସ ଦମକଳ ବାଲାଏ ହ୍ୟାଣ୍ଡଲ କରିବା କଥା । ସେଥିରେ କିଛିସମୟ ଯୁକ୍ତିତର୍କ ଚାଲିଲା । ଜଣେ କହିଲେ ଦମକଳ ତ ନିଆଁ ଲିଭେଇବା ପାଇଁ । କାହାକୁ କୁକୁର କାମୁଡ଼ିବ- ସେକଥାରେ ସେମାନେ କଣ କରିବେ? ଅନ୍ୟ ଜଣେ ଉତ୍ତର ଦେଲେ: ଆପଣ ଜାଣିନାହାନ୍ତି । ପ୍ରାକୃତିକ ଦୁର୍ଯେ୍ୟାଗ, ପାଣିରେ ବୁଡ଼ା କେସ- ସବୁଥିରେ ସେମାନେ ଆସିବେ । ତ ଠିକ ହେଲା ଉଭୟ ପୋଲିସ ଓ ଦମକଳକୁ ଖବର ଦିଆଯାଉ । ଦିଆଗଲା । ପୋଲିସ ଓ ଦମକଳ ଉଭୟେ ସେମାନଙ୍କ ସମୟରେ ଆସିଲେ । ଫୋନ ପାଇଲାମାତ୍ରେ ବସିବା ସ୍ଥାନରୁ ଉଠି ଚାଲିଆସିବେ- ଏମିତି କେବଳ ସେଇ କେସରେ ହିଁ ସମ୍ଭବ ଯେଉଁଥିରେ କୌଣସି ଭିଆଇପି ସମ୍ପୃକ୍ତ । ଅଳିଆଗଦାରେ ଜରି ଗୋଟାଇବା ପିଲାକୁ ଦଳେ କୁକୁର କାମୁଡ଼ିଛନ୍ତି- ଏମିତି କେସରେ ତରବର ହେବାର କୌଣସି କାରଣ ସେମାନେ ଆବିଷ୍କାର କଲେ ନାହିଁ । କିନ୍ତୁ ଗୋଟେ ସମୟରେ ସେମାନେ କହଞ୍ଚିଲେ । ପିଲାଟିକୁ ବି ହାସପାତାଳ ନିଆଗଲା । ସେଠି ଡାକ୍ତରମାନେ କହିଲେ, ଅତିରିକ୍ତ ରକ୍ତ କ୍ଷରଣ ଫଳରେ ପିଲାଟିର ମୃତ୍ୟୁ ହୋଇଛି । କିଛି ସମୟ ଆଗରୁ ଆଣିଥିଲେ ହୁଏତ ସେ ବଞ୍ଚିଥାନ୍ତା ।

…..     …..     …..

ଘଟଣା-ଚାରି

ମାଟିବିରାଡ଼ିଆ ସାପ ଆଉ କଙ୍କି ଭଳି ପାଗଳ ଦେଖିଲାମାତ୍ରେ କିଛି ପିଲାଙ୍କୁ କଉକୁତ କରିବାକୁ ଇଚ୍ଛା ହୁଏ । ପାଗଳ ପଛରେ ଲାଗିବାକୁ, ତାକୁ ଚିଡେ଼ଇବାକୁ, ଟେକା ମାରିବାକୁ ଇଚ୍ଛା ହୁଏ ।

ଭରତପୁରରେ ସ୍କୁଲ ଫେରନ୍ତା କିଛି ପିଲା ଦାଶୁକୁ ଦେଖିଲାମାତ୍ରେ ଟିଟକାରୀ ମାରି କିଛି କହିବା, ତା ଉପରେ ଟେକା ମାରିବା- ଇତ୍ୟାଦି କରନ୍ତି । ଦାଶୁ ଯେବେଠୁଁ ଭରତପୁରରେ ରହିଲାଣି- ଇଏ ହୋଇଆସୁଛି । ଅଧିକାଂଶ ଦିନ ଦାଶୁ ଏସବୁରେ କିଛି ପ୍ରତିକ୍ରିୟା ଦେଖାଏ ନି । ସେ ତାର ତା ମନରେ ଥାଏ । ଟେକା ଦିଟା ଦେହରେ ବାଜିଲେ ବି କିଛି କ୍ରତିକ୍ରିୟା ଦେଖାଏନି । ପିଲାମାନେ ଶେଷକୁ ବୋର ହୋଇଯାଇ ନିଜ ବାଟରେ ଚାଲିଯାଅନ୍ତି । ଜଣକୁ ଚିଡେ଼ଇବାକୁ ଆସିଥିବ ଆଉ ସେ ଚିଡ଼ୁନଥଇବ- ଏହାଠାରୁ ବୋରିଂ ଆଉ କିଛି ନାହିଁ ।

ହେଲେ ଆଜି ବୋଧେ ଦାଶୁର ମେଜାଜଟା ଭଲ ନଥିଲା । ମଣିଷର ମେଜାଜ- ବେଳେବେଳେ ବିଗିଡ଼ିପାରେ । ପାଗଳ ହେଲେ ବି ଦାଶୁ ତ ମଣିଷ! ପୁଣି ପାଗଳର ମଗଜ ତ ଏମିତିରେଇ ବିଗିଡ଼ି ଥାଏ । ତାଙ୍କ ମେଜାଜର କଳକବଜା ତ ବିକଳ । ତ ସେଦିନ ଦାଶୁ ହଠାତ କାହିଁକି ବିଗିଡ଼ି ଗଲା । ଆଉ ପିଲାମାନଙ୍କୁ ଗୋଡେ଼ଇଲା । ଅବୋଧ୍ୟ କଣ୍ଠରେ କିଛି କହିଲା । ବିଚିତ୍ର ଅଙ୍ଗଭଙ୍ଗୀ କଲା । ପାଗଳର ପ୍ରତିକ୍ରିୟାରେ ପିଲାମାନେ ଅଧିକ କଉତୁକ ଅନୁଭବ କଲେ । ଆଉ ତାକୁ ଅଧିକ ଖତେଇବାକୁ ଲାଗିଲେ । ଟେକା ମାରିବାକୁ ଲାଗିଲେ । ଦାଶୁ ଅଧିକ ବିରକ୍ତ ହେଲା । ପିଲାମାନଙ୍କୁ ଗୋଡେ଼ଇଲା । ପିଲାମାନେ ଖଣ୍ଡେ ବାଟ ଧାଇଁ ପଳେଇଲେ । ଆଉ ତାକୁ ଅଧିକ ଟେକା ମାରିଲେ । ଟେକା ବାଜି ଦାଶୁର ଦେହରୁ ରକ୍ତ ଝରିପଡ଼ୁଥିଲା । କିଛି ସମୟ ଭିତରେ ଗୋଟେ ପାଟର୍ଣ୍ଣ ତିଆରି ହୋଇଗଲା । ଦାଶୁ ଖଣ୍ଡେ ବାଟ ଧାଉଁଥିଲା । ଥକି ଯାଇ ବସି ପଡ଼ୁଥିଲା । ଦୁଷ୍ଟ ପିଲାମାନେ ପୁଣି ତାକୁ ଟେକା ମାରୁଥିଲେ । ଏମିତି କରି କରି ସେ ଯେଉଁ ଜାଗାରେ ଆସି ପହଞ୍ଚି ସାରିଥିଲା- ସେଟା ହେଲା ରଜନୀକାନ୍ତ ଆଉ ଭୋଳୁ ଦଳର ଇଲାକାର ସୀମା ।

ଯୋଗକୁ ସେତେବେଳେ ରଜନୀକାନ୍ତ ସେବାଟେ କଉଠି ଯାଉଥିଲା । ସେ ଘଟଣାକୁ ଦେଖି ବଡ଼ ଉତକ୍ଷିପ୍ତ ହେଲା । ଆବେ ଦାଶୁ ହେଲା ପାଗଳ ଲୋକ । କାହାରି କଉ କଥାରେ ନଥାଏ । ସେ ତାର ଏକୁଟିଆ ବସିଥାଏ । ତମେ ବାଳୁଙ୍ଗାଦଳ ତାକୁ ଟେକା କାହିଁକି ମାରୁଛ? ସେ ଭାଉ ଭାଉ ଶବ୍ଦ କରି ପିଲାମାନଙ୍କୁ ଆକଟ କରିବାକୁ ଚେଷ୍ଟା କଲା ।

ପିଲାମାନେ ସେତେବେଳେ ଟେକା ମାରିବାରେ ମଜା ପାଉଛନ୍ତି । ସେମାନେ ଗୋଟେ ବୁଲା କୁକୁରର ଭାଉଭାଉ କାହିଁକି ଶୁଣିବେ! ଗୋଟେ ମୋଟା ପିଲା ରଜନୀକାନ୍ତ ଉପରକୁ ବି ଟେକାଟିଏ ଫୋପାଡ଼ିଲା । ସେ ଟେକା ଦେହରେ ବାଜିଲା ତ ରଜନୀକାନ୍ତ ବିଲକୁଲ ଫାୟାର ହେଇଗଲା । ଆବେ ଶଳା ତୋର ଏତେ ସାହସ । ଫର ନଥିଂ ମୋତେ ଟେକା ମାରିବୁ! ଦାଶୁକୁ ଟେକା ମାରି ରକ୍ତାକ୍ତ କରିବୁ? ସେ ବିକଟ ଶବ୍ଦରେ ଗର୍ଜନ କରି ଗୋଡେ଼ଇ ଗଲା ପିଲାମାନଙ୍କ ଆଡ଼କୁ । ତା ଭାଉଭାଉରେ ତା ସମାଜର କୁକୁରମାନେ ତ ଆସିଲେ ଭୋଳୁର ସମାଜର କୁକୁରମାନେବି କଣ ହୋଇଛି ବ୍ୟାପାରଟା ବୁଝିବାକୁ ଚାଲିଆସିଲେ ।

ରଜନୀକାନ୍ତ ମୋଟା ପିଲାଟାକୁ ତ ପୁଳାଏ କାମୁଡ଼ିଦେଲା । ତାକୁ ବଞ୍ଚେଇବାକୁ ଚେଷ୍ଟା କରୁଥିବା ଆଉ ଦିଟା ପିଲାକୁ ବି କାମୁଡ଼ିଦେଲା । ରଜନୀକାନ୍ତର ଚେଲାଚାମୁଣ୍ଡାମାନେ ଆଉ ଦିଟାଙ୍କୁ । ଆଉ ଚାରି ଛଟା ପିଲା ଇଲୋ ବାପାଲୋ… ମାଲୋ କହି ସେଠୁ ଧାଇଁ ପଳେଇଲେ । ଆଖପାଖର ଲୋକମାନେ ଧାଇଁ ଆସିନଥିଲେ ଆଉ ଯାହା ହୋଇଥାନ୍ତା- ହେଲେ ଲୋକବାକ ଆସିଯିବାରୁ ରଜନୀକାନ୍ତ ଆଉ ତାର ଦଳବଳ ସେଠୁ ଚାଲିଗଲେ ।

ଭୋଳୁ ଆଉ ତା ଦଳର କୁକୁରମାନେ କାହାକୁ କାମୁଡ଼ି ନାହାନ୍ତି । ଭୋଳୁ ଦାଶୁ ପାଖକୁ ଧାଇଁଗଲା । ତା କ୍ଷତସ୍ଥାନକୁ ଜିଭରେ ଚାଟିଦେଲା । ତା ଦଳର ଅନ୍ୟମାନେ ଦାଶୁ ଚାରିପଟରେ ଘେରି ଠିଆହେଲେ- ଯେମିତି ଆଉ କେହି ଦାଶୁକୁ ଟେକା ମାରିନପାରିବେ । କିନ୍ତୁ ଲୋକମାନେ ସେମାନଙ୍କ ଆଡ଼କୁ ବି ଖେଦି ଆସିଲେ । ଲୋକେ ଭାବୁଥିଲେ: ସେମାନେ ବୋଧେ ଦାଶୁକୁ କାମୁଡ଼ିଦେବେ!

ଲୋକମାନେ କଣ ଜାଣନ୍ତି- କୁକୁରମାନେ ପାଗଳଙ୍କୁ କେତେ ଭଲ ପାଆନ୍ତି!

Leave A Reply

Your email address will not be published.