ଦାଶରଥି ପଟ୍ଟନାୟକ
(୧୯୦୭-୧୯୯୭)
କ୍ଷେତ୍ର: ଭାଷା-ସାହିତ୍ୟ (ଗ୍ରନ୍ଥାଗାର)
ଓଡ଼ିଶାରେ ପାଠାଗାର ଆନ୍ଦୋଳନ କ୍ଷେତ୍ରରେ ଯାହାଙ୍କ ଶ୍ରମ ଓ ଅବଦାନକୁ କଦାପି ଅସ୍ୱୀକାର କରିହେବ ନାହିଁ, ସେ ହେଲେ ଦାଶରଥି ପଟ୍ଟନାୟକ । ଦାସିଆ ଅଜା ନାମରେ ଖ୍ୟାତ ଏହି ମହାପୁରୁଷ ୧୨ ଜୁଲାଇ ୧୯୦୭ରେ ନୟାଗଡ଼ ଜିଲ୍ଲାର ଉଦୟପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ଷଷ୍ଠ ଶ୍ରେଣୀ ଯାଏ ପାଠ ପଢ଼ିଥିଲେ ସେ । ସୀମିତ ଶିକ୍ଷା ଓ ଆର୍ଥିକ ଦୁସ୍ଥିତି ସତ୍ତ୍ୱେ ତାଙ୍କର ଥିଲା ଦୃଢ଼ ମନୋବଳ । ଫଳରେ ସେ ଓଡ଼ିଶାର ସାଂସ୍କୃତିକ ଜଗତରେ ନିଜର ଦୃପ୍ତ ପାଦଚିହ୍ନ ରଖିବାକୁ ସକ୍ଷମ ହୋଇଥିଲେ । ଜୀବନରେ ପାଠାଗାରର ଆବଶ୍ୟକତା ଯେ କେତେ ତାହା ବେଶ୍ ଡେରିରେ ହେଲେ ବି ବୁଝିଥିଲେ । ତାଙ୍କ ମନରେ ଏହି ଆନ୍ଦୋଳନର ବୀଜ ବୁଣିଥିଲେ ତାଙ୍କର ଜଣେ ସ୍କୁଲ୍ ଟିଚର୍ ।
ମାତ୍ର ୫ ଖଣ୍ଡ ବହି ଓ ଗୋଟେ ଟିଣ ବାକ୍ସରୁ ଆରମ୍ଭ ହୋଇଥିବା ତାଙ୍କର ପାଠାଗାର ଅଭିଯାନ ତାଙ୍କୁ ପରବର୍ତ୍ତୀ ସମୟରେ ନେଇ ପହଞ୍ଚାଇଥିଲା ୫୦ ହଜାର ବହି, ୬୫ ହଜାର ପତ୍ରିକା, ୨୫୦୦ ସମ୍ବାଦପତ୍ରର ବିଶାଳ ଗ୍ରନ୍ଥାଳୟ ପାଖରେ । କେବଳ ସେତିକି ନୁହେଁ ୫୦୦୦ରୁ ଅଧିକ ପୋଥି, ଅସଂଖ୍ୟ ଧାତବ ମୁଦ୍ରା, ମୂର୍ତ୍ତି, ବିରଳ ବ୍ୟବହାର୍ଯ୍ୟ ପଦାର୍ଥ, ଖେଳଣା, କଣ୍ଢେଇ, ମୃତଜୀବଙ୍କ ଫସିଲ୍, ଜହ୍ନର ପଥର, ମହେଞ୍ଜୋଦାରୋର ଶିଳାଖଣ୍ଡ, ଶ୍ରୀରାମଙ୍କ ଭାସମାନ ପଥର, ପୁରାତନ କଳାକୃତି ଆଦି ଅସଂଖ୍ୟ ପଦାର୍ଥ ତାଙ୍କ ପାଠାଗାରର ଶୋଭା ବର୍ଦ୍ଧନ କଲା ।
ତାଙ୍କୁ ଯେତେବେଳେ ୫୦ ବର୍ଷ, ସେତେବେଳେ ସେ ପତ୍ନୀ ଓ ମାଙ୍କ ହାତରେ ଘରସଂସାର ଦାୟିତ୍ୱ ନ୍ୟସ୍ତ କରି ଏହି ଅଭିଯାନରେ ବାହାରି ଯାଇଥିଲେ ଓ ସାରା ଓଡ଼ିଶା ବୁଲିବୁଲି ୯୦ ବର୍ଷ ଯାଏ ଏହି ମହତ କାର୍ଯ୍ୟରେ ସକ୍ରିୟ ରହିଥିଲେ । ଏହି ସମୟକାଳ ମଧ୍ୟରେ ସେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ, ପ୍ରଶାସକ, ଲେଖକ, କଳାକାର– ସମସ୍ତଙ୍କୁ ଭେଟିଥିଲେ ଓ ତାଙ୍କର ଅଭିଯାନକୁ ସଫଳ କରିବାକୁ ଆହ୍ୱାନ କରିଥିଲେ ।
ବହିଟିଏ ଦେଖିଲେ ତାଙ୍କର ଆଖି ଚକ୍ଚକ୍ କରିଉଠୁଥିଲା, ମନରେ ଖେଳିଯାଉଥିଲା ଚମକ । ଅଣ୍ଟାରେ ଖଣ୍ଡେ ଗାମୁଛା, ମୁଣ୍ଡରେ ଗୋଟେ ପଗଡ଼ି ଓ ହାତରେ ଖଣ୍ଡେ ଝୁଲାମୁଣି– ଏତିକି ହିଁ ଥିଲା ତାଙ୍କର ଭେକ । ଅଥଚ ସେଇ ଦୁର୍ବଳିଆ ହାଡ଼ୁଆ ଚେହେରା ଦିନେ ସାରା ଓଡ଼ିଶା ପାଇଁ ଆଇକନ୍ ପାଲଟି ଯାଇଥିଲା । କାହାରି ସାହାଯ୍ୟ ନନେଇ ଏକୁଟିଆ, ଖାଲି ପାଦରେ ଚାଲିଚାଲି ସେ ଯେଉଁ କୀର୍ତ୍ତିସ୍ତମ୍ଭ ରଖିଯାଇଛନ୍ତି, ତାହା ଯେତିକି ଅବିଶ୍ୱସନୀୟ ସେତିକି ଅସମ୍ଭବ ।
୯୦ ବର୍ଷ ବୟସରେ ୧୯୯୭ ମସିହାରେ ଏହି ବିରଳ ବ୍ୟକ୍ତିତ୍ୱଙ୍କର ମହାପ୍ରୟାଣ ଘଟିଥିଲା ।
ଆଲେଖ୍ୟ © ସରୋଜ ବଳ