Latest Odisha News

ଖୁବଶୀଘ୍ର ସବୁ ପଂଚାୟତକୁ ପହଂଚିବ ବ୍ରୋଡବ୍ୟାଣ୍ଡ !

ଭୁବନେଶ୍ଵର: ହାତଗଣତି ରାଜ୍ୟ ଭାବେ ଏକଦା ଓଡ଼ିଶାକୁ ଦେଶର ଶ୍ରେଷ୍ଠ ଚାରିଟି ଆଇଟି କମ୍ପାନୀ ଆସିଥିଲେ ହେଁ ସେତେବେଳେ ଆଇଟି କ୍ଷେତ୍ର ଭାବେ ଆମ ରାଜ୍ୟର ଭିତ୍ତିଭୂମି ଓ ପରିବେଶ ନ ଥିବାରୁ ଆମେ କିଛିଟା କ୍ଷେତ୍ରରେ ପଛୁଆ ରହିଗଲୁ । ଏବେ ଆଇଟି ଏବଂ ଆଇଟିଇଏସ୍ କ୍ଷେତ୍ରକୁ ବେଶ୍ ପ୍ରାଧାନ୍ୟ ଦିଆଯାଉଛି ବୋଲି ସୂଚନା ଓ ପ୍ରଯୁକ୍ତି ବିଭାଗ ସଚିବ ମନୋଜ କୁମାର ମିଶ୍ର ପ୍ରକାଶ କରିଛନ୍ତି ।

ଓଡ଼ିଶା କର୍ପୋରେଟ୍ ଫାଉଣ୍ଡେସନ ପକ୍ଷରୁ “ଓଡ଼ିଶାରେ ଆଇଟି ଏବଂ ଆଇଟିଇଏସ୍ କ୍ଷେତ୍ରରେ ସୁଯୋଗ ” ବିଷୟବସ୍ତୁ ଉପରେ ଆୟୋଜିତ ଏକ ୱେବିନାରରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ସେ ଏହା କହିଥିଲେ । ତତ୍ ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ “ ଆଇଟି କ୍ଷେତ୍ର ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ହେଉଛି ସରକାରଙ୍କର ଦାୟିତ୍ୱ ” ।

ଓଡ଼ିଶାରେ ଅନୁକୂଳ ଭୌଗଳିକ ଅବସ୍ଥାନ ସହ ଅନେକ ସୁବିଧାମାନ ରହିଛି । ଆଇଟି ଏବଂ ଆଇଟିଇଏସ୍ କ୍ଷେତ୍ର ପାଇଁ ଯାହାସବୁ ଆବଶ୍ୟକ ଯେପରିକି ଭିତ୍ତିଭୂମି, ଅନୁକୂଳ ପରିବେଶ, ସଡକ ତଥା ରେଳ ସଂଯୋଗ ସହିତ ଅନ୍ତର୍ଜାତୀୟ ବିମାନ ସେବା, ଉଚ୍ଚକୋଟୀର ଶିକ୍ଷା, ସ୍ୱାସ୍ଥ୍ୟକ୍ଷେତ୍ର ଓ ସାମାଜିକ ଭିତ୍ତିଭୂମି ଆଦିରେ ଆମେ ଅନ୍ୟ ରାଜ୍ୟ ତୁଳନାରେ ଆଖୁଦୃଶିଆ ଉନ୍ନତି କରିଛନ୍ତି । ମେକ୍ ଇନ୍ ଓଡ଼ିଶା ଏବଂ ଦକ୍ଷତା ବିକାଶ ସକରାତ୍ମକ ଭାବେ କାର୍ଯ୍ୟ କରୁଥିବା ବେଳେ ଭୁବନେଶ୍ଵରର ଦକ୍ଷତା ବିକାଶ ପରିବେଶ ବେଶ୍ ଉଚ୍ଚକୋଟୀର । ଅନ୍ୟ ଆଇଟି ସହର ମାନଙ୍କ ଭଳି ଭୁବନେଶ୍ୱର ମଧ ଆଇଟି ସହର ହେବା ପାଇଁ ସମର୍ଥ ।

ଖୁବ୍‌ଶୀଘ୍ର ଆମ ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତକୁ ବ୍ରଡବ୍ୟାଣ୍ଡ ସଂଯୋଗ ସୁବିଧା ପହଞ୍ଚାଇବାର ଲକ୍ଷ୍ୟ ରହିଛି । ଏହି ଅବସରରେ ଏସଟିପିଆଇ ( Software Technology Parks of India ) ର ନିର୍ଦ୍ଦେଶକ ମାନସ ପଣ୍ଡା ସମସ୍ତ ପ୍ରକାରର ସମର୍ଥନ ଏବଂ ସେବା ସୁନିଶ୍ଚିତ କରି ଓଡିଶା ଷ୍ଟାର୍ଟଅପର ବ୍ୟବସାୟିକ ଏବଂ ଶିଳ୍ପାୟନ ରଣନୀତି ବିଷୟରେ ସୂଚନା ପ୍ରଦାନ କରିଥିଲେ । ଏହା ସହିତ ବର୍ତ୍ତମାନର ମହାମାରୀ ସମୟରେ କିପରି ଯୁବ ଉଦ୍ୟୋଗୀ ଏବଂ ଷ୍ଟାର୍ଟଅପ ମାନଙ୍କ ପାଇଁ ଏକ ସୁଯୋଗ ନେଇ ଆସିଛି ସେ ବିଷୟରେ ଆଲୋକପାତ କରିଥିଲେ ।

ରାଜ୍ୟରେ ଏସଟିପିଆଇ ୨୦,୦୦୦ ରୁ ଉର୍ଦ୍ଧ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିଥିବାବେଳେ ଆଗାମୀ ଦିନମାନଙ୍କରେ ରାଜ୍ୟରେ ୩ ରୁ ୪ ଟି ଏସଟିପିଆଇ ଗଠନ କରିବାର ଯୋଜନା ହୋଇଥିବା ସୂଚନା ଦେଇଥିଲେ । ଦେଶର ସମୁଦାୟ ୧୨ଟି ସ୍ଥାନରେ ହେବାକୁ ଯାଉଥିବା ନେକ୍ସଟ ଜେନେରେସନ ଇନକ୍ୟୁବେସନ ସେଣ୍ଟର ମଧ୍ୟରୁ ଭୁବନେଶ୍ୱରରେ ଗୋଟିଏ ଖୋଲିବାର ଯୋଜନା ରହିଛି ତତ୍ ସହିତ ରାଜ୍ୟ ସରକାରଙ୍କର ସହଯୋଗ କ୍ରମେ ଭୁବନେଶ୍ବରରେ କ୍ୟାରେକ୍ଟରାଇଜ ଲ୍ୟାବ ଖୋଲିବାର ଯୋଜନା ଅଛି ବୋଲି ସେ ସୂଚନା ପ୍ରଦାନ କରିଥିଲେ । ଏହି ଆଲୋଚନାଚକ୍ରରେ ଯୋଗ ଦେଇ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଗୁପ୍ ପ୍ରେସିଡେଣ୍ଟ ବିଜୟ କୁମାର ସାହୁ ଓଡ଼ିଶାରେ ଡିଜିଟାଲ କୌଶଳ, ଏହାର ବିକାଶ ଏବଂ ଭବିଷ୍ୟତ ପାଇଁ କାର୍ଯ୍ୟପନ୍ଥା ତଥା ସୁଯୋଗ ସୃଷ୍ଟି କରିବାର ପ୍ରଭାବଶାଳୀ ଉପାୟ ବିଷୟରେ ଆଲୋକପାତ କରିଥିଲେ । ଏଥିସହ ଓଡ଼ିଶାର ଶିଳ୍ପ ଏବଂ ଆଇଟି କ୍ଷେତ୍ରର ବର୍ତ୍ତମାନର ସ୍ଥିତି ଉପରେ ସମ୍ୟକ ସୂଚନା ଦେବା ସହ ଉକ୍ତ କ୍ଷେତ୍ରକୁ ଆଗକୁ ନେବା ପାଇଁ ବର୍ତ୍ତମାନର ସମୟ ଉପଯୁକ୍ତ ବୋଲି ମତପୋଷଣ କରିଥିଲେ ।

“୨୦୧୦ ପରଠୁ ଓଡିଶାର ଶିଳ୍ପ ଏବଂ ଆଇଟି ପରିବେଶରେ ବେଶ ପରିବର୍ତ୍ତନ ଦେଖାଦେଇଛି, ଆମ ରାଜ୍ୟରେ ଏକ ଷ୍ଟାର୍ଟଅପ୍ ପରିବେଶ ସୃଷ୍ଟି ହୋଇସାରିଛି । ସବୁ ଷ୍ଟାର୍ଟଅପ୍ ମଧ୍ୟରୁ ପ୍ରାୟ ୨୩ ପ୍ରତିଶତ ଷ୍ଟାର୍ଟଅପ୍ ହେଉଛନ୍ତି ଆଇଟି କ୍ଷେତ୍ର ସମ୍ପର୍କୀତ । ରାଜ୍ୟ ସରକାର ଷ୍ଟାର୍ଟଅପ୍ ମାନଙ୍କ ପାଇଁ ବିଭିନ୍ନ ସୁଯୋଗ ଏବଂ ସୁବିଧା ପ୍ରଦାନ କରୁଛନ୍ତି । ଏପରିକି ରାଜ୍ୟ ସରକାର ଷ୍ଟାର୍ଟଅପ୍ ଗୁଡିକୁ ପ୍ରୋତ୍ସାହିତ କରିବା ସହିତ ସେମାନଙ୍କୁ ପ୍ରେରଣା ମଧ୍ୟ ଦେଉଛନ୍ତି । ଆମକୁ ଏ କ୍ଷେତ୍ରରେ ଆହୁରି ଆଗକୁ ଯିବାର ଅଛି ଏବଂ ଏହି କ୍ଷେତ୍ରରେ ଓଡିଶାର ଭବିଷ୍ୟତ ବେଶ୍ ଉଜ୍ଜଳ” ବୋଲି ତତ୍ତ୍ଵ ଟେକ୍‌ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ଅୟଶକାନ୍ତ ମହାନ୍ତି ଏହି ଅବସରରେ ଯୋଗ ଦେଇ କହିଥିଲେ ।

ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ କହିଥିଲେ ଯେ “ପ୍ରଯୁକ୍ତି ବୈଷୟିକ ଶିକ୍ଷା କ୍ଷେତ୍ରର ସମୃଦ୍ଧି ଉପରେ ରାଜ୍ୟର ସଫଳତା ନିର୍ଭର କରେ । ଆମେ ଏହାକୁ ସାମୂହିକ ଭାବେ ଆଗେଇ ନେଇ କିଭଳି ଏହି କ୍ଷେତ୍ରକୁ ସଫଳ କରିପାରିବା ସେ ଦିଗରେ କାର୍ଯ୍ୟ କରିବା ଆବଶ୍ୟକ ” । ସିଙ୍ଗାପୁର ବିସିଜିର ମନ୍ମଥ ସାହୁ ଏହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଆଲୋଚନା ଚକ୍ରରେ ରାଜ୍ୟ ତଥା ବିଦେଶରେ ଅବସ୍ଥାନ କରୁଥିବା ବହୁ ପ୍ରତିଷ୍ଠିତ ଓଡିଆ ଆଇଟି ଏବଂ ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.