Latest Odisha News

କନିଷ୍ଠ ପାଣ୍ଡବ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ନିଶ୍ଚିତପୁର ଗାଁରୁ ପ୍ରଥମ ଗ୍ରାଜୁଏଟ୍, ତା ପୁଣି ବିଶ୍ୱବିଦ୍ୟାଳୟରେ ଶ୍ରେଷ୍ଠ ସ୍ନାତକ ଭାବେ ଯେଉଁଦିନ କନିଷ୍ଠ ପାଣ୍ଡବର ନାଁ ଖବରକାଗଜରେ ପ୍ରକାଶ ପାଇଲା, ସେଦିନ ତାକୁ ଲାଗୁଥିଲା, ସେ ଜୀବନରେ ନିଶ୍ଚୟ କିଛି କରିବ। ତେବେ ଏ ଖବର ସେ ଯେତେବେଳେ ଯାଇ ଘରେ ବାପା ମାଆଙ୍କୁ କହିଲା, ସେମାନେ ପୃଥିବୀର ସବୁଠୁ ଆନନ୍ଦିତ ଦମ୍ପତି ଭଳି ପ୍ରତୀୟମାନ ହେଉଥିଲେ। କିନ୍ତୁ ସେହିକଥା ଯେତବେଳେ ଗାଁର ଅନ୍ୟମାନେ ଜାଣିଲେ, ସେମାନେ ତାକୁ ଏତେ ଗୁରୁତ୍ୱ ଦେଲେନାହିଁ। ତଥାପି ହତୋତ୍ସାହିତ ନଥିଲା କନିଷ୍ଠ ପାଣ୍ଡବ। ତାର ଗୋଟିଏ ହିଁ ଲକ୍ଷ୍ୟଥିଲା, ନିଜ ବାପା ମାଆଙ୍କ ପରିଶ୍ରମର ସେ କିଭଳି ଭରଣା କରିବ। କାରଣ, ସେ ନିଦରୁ ଉଠିଲା ବେଳକୁ, ବାପା ତାର କ୍ଷେତରେ ମାଟି ସାଙ୍ଗରେ ମାଟି ହୋଇ କାମ କରିବାରେ ଲାଗିପଡୁଥିଲେ। କେବେ କେମିତି ନିଜେ ସେ ବି ବାପାଙ୍କୁ ସାହାଯ୍ୟ କରିବା ପାଇଁ କ୍ଷେତ ମୁଣ୍ଡରେ କୋଦାଳ ଧରି ପହଞ୍ଚି ଯାଏ। ବାପା କିନ୍ତୁ ତାକୁ କାମ କରିବାରୁ ବାରଣ କରନ୍ତି। ସେ କହନ୍ତି, ତୁ ତୋ କାମ କର। ତୋତେ ମଣିଷ କରିବା ପାଇଁ ମୁଁ ରାତିରୁ ରାତି ଯାଏଁ ଖଟୁଛି, ତେଣୁ ତୁ ପାଠପଢ଼ାରେ ମନ ଦେ। ବାକି ଆଗକୁ ଯାହା ହେବ ଦେଖିବା। ତଥାପି ଜୋର କରି ଛୁଟି ଦିନରେ ସେ ବାପାଙ୍କୁ ସାହାଯ୍ୟ କରେ।

କନିଷ୍ଠ ପାଣ୍ଡବର ଗାଁରେ ସ୍କୁଲ ନଥିଲା। ସେଥିପାଇଁ ତାକୁ ପାଖ ଗାଁକୁ ଯିବାକୁ ପଡୁଥିଲା। ତା ପରେ କଲେଜ ପଢ଼ିବା ପାଇଁ ଗାଁରୁ ୨୨ କିଲୋମିଟର ଦୂର ପ୍ରତିଦିନ ସାଇକେଲ ଚଳାଇ ସେ ଯାଏ ଏବଂ ୨୨ କିଲୋମିଟର ବାଟ ଫେରେ। ଏମିତି ସଂଘର୍ଷ ଭିତରେ ସ୍ନାତକ, ସ୍ନାତକୋତ୍ତର ତା ପରେ ପୁଣି ଏକ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲା କନିଷ୍ଠ ପାଣ୍ଡବ । ସେ ଥିଲା ନିଶ୍ଚିତପୁର ଗାଁର ସବୁଠୁ ଉଚ୍ଚ ଶିକ୍ଷିତ ଯୁବକ । କିନ୍ତୁ ଗାଁର ସଂପର୍କୀୟ ଓ ଅନ୍ୟମାନେ କେବେ ବି ତା ଶିକ୍ଷାକୁ ଗୁରୁତ୍ୱ ଦିଅନ୍ତି ନାହିଁ । ବରଂ ଓଲଟା ସେମାନଙ୍କ ଗାତ୍ରଦାହ ହୁଏ। କ୍ଷେତରେ କାମ କରୁଥିବା ଜଣେ ସାଧାରଣ ଚାଷୀର ପୁଅ ଏତେ ପାଠ ପଢ଼ିପାରିଲା କେମିତି? କେହି କେହି ତ ତାକୁ ନେଇ ଅନେକ ମନଗଢ଼ା କାହାଣୀ କହନ୍ତି । କିଏ କହେ, ଅମୁକ ପ୍ରଫେସରଙ୍କ ଶୁଭଦୃଷ୍ଟି ପଡ଼ିବାରୁ ସେ ମଣିଷ ହୋଇଗଲା। ଆଉ କିଏ କହେ, ପୁଅ ପାଠ ସିନା ପଢ଼ିଦେଲା, ହେଲେ ଏବେ ଚାକିରି କରିକି ଦେଖାଉ, ତା ପରେ ଜଣା ପଡ଼ିବ, ପ୍ରକୃତରେ ସେ କେତେ ପାଠ ପଢ଼ିଛି।

କନିଷ୍ଠ ପାଣ୍ଡବ କିନ୍ତୁ କାହାକୁ କିଛି କହେନି। ନମ୍ରନ୍ତି ଫଳିନୋ ବୃକ୍ଷାଃ । ବାସ୍ .. ନମ୍ରତାର ସହିତ ସେ ସମସ୍ତଙ୍କ ସହ ସମ୍ପର୍କ ରଖିଛି। ଗାଁକୁ ଗଲେ ସମସ୍ତ ଗୁରୁଜନଙ୍କୁ ସେ ଯଥାମାନ୍ୟ ହୁଏ। ସମସ୍ତଙ୍କ ସହ ସମ୍ମାନର ସହିତ କଥାହୁଏ। ଏତେ ବର୍ଷ ଧରି ବାପାଙ୍କ ପରିଶ୍ରମରେ ପାଠ ପଢ଼ିଥିବା କନିଷ୍ଠ ପାଣ୍ଡବ, ଆଉ ଅଧିକ ଦିନ ଧରି ଗାଁରେ ରହିପାରିଲା ନାହିଁ। ଦିନେ ସ୍ଥିର କଲା ସେ ଦିଲ୍ଲୀ ଯିବ। ସେଇଠି ଚାକିରି ପାଇଁ ଚେଷ୍ଟା କରିବ। ଦିଲ୍ଲୀର ହାଡ଼ଭଙ୍ଗା ଶୀତରେ ପୂରା ଦୁନିଆ ରେଜେଇର ଉଷୁମ କୋଳରେ ଶୋଉଥିଲା ବେଳେ ସେ ସଂଘର୍ଷ କରେ । ଆଜି ଏ ଅଫିସ୍, କାଲି ସେ ଅଫିସ୍ ବୁଲି ବୁଲି ଚାକିରି ଖୋଜିଲା କନିଷ୍ଠ ପାଣ୍ଡବ। ତା ସଂଘର୍ଷର କାହାଣୀ ଦେଖିଛି ମହନଗରୀ ଦିଲ୍ଲୀର କୋଣ ଅନୁକୋଣ । ସେହି ସଂଘର୍ଷ ଭିତରୁ ମୁଣ୍ଡଟେକି ଉଠିଛି ଜଣେ ବଳିଷ୍ଠ ପରିଚାଳକ କନିଷ୍ଠ ପାଣ୍ଡବ। ନିଶ୍ଚିତପୁର ଗାଁର ସେ ପ୍ରଥମ ସରକାରୀ ଚାକିରିଆ। ଆଜି ଦେଶର ଏକ ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ସେ ମୁଖ୍ୟ ପରିଚାଳକ। ଏମିତି ଏକ ସ୍ଥାନରେ ପହଞ୍ଚିଲା ପରେ ମଧ୍ୟ ତା ପାଦ ଏବେ ବି ଗାଁ ମାଟି ସହିତ ଯୋଡ଼ିହୋଇ ରହିଛି ।

ବହୁଦିନ ପରେ ସେ ଗାଁକୁ ଆସିଥିଲା ତା ବାପାମାଆଙ୍କୁ ନେଇ ଦିଲ୍ଲୀ ଫେରିବ ବୋଲି। କିନ୍ତୁ ଗାଁ ମାଟିରେ ଜନ୍ମ ହୋଇ ସଂଘର୍ଷ କରି ନିଜ ଜୀବନର ସତୁରୀ ବର୍ଷରୁ ଅଧିକ ସମୟ ବିତାଇ ଦେଇଥିବା ତା ବାପା ମାଆ ଏତେ ସହଜରେ ଗାଁକୁ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ। ତଥାପି ବହୁ ଅନୁରୋଧ ବିନତି କରି ବାପାମାଆଙ୍କୁ ରାଜି କରାଇଲା କନିଷ୍ଠ ପାଣ୍ଡବ। ସାଙ୍ଗରେ ନେଇ ବାହାରିଲା ଦିଲ୍ଲୀ। ତା ନିଜ କାର ନିଜେ ଚଳାଇ ଯେତେବେଳେ ସେ ନିଶ୍ଚିତପୁର ଗାଁ ଦାଣ୍ଡରେ ତା ବାପାମାଆଙ୍କୁ ବସାଇ ବାହାରିଲା, ସେତେବେଳେ ଗାଁର ଲୋକମାନେ କେବଳ ଡିମା ଡିମା ଆଖିରେ ତାକୁ ଦେଖୁଥିଲେ, କେହି କିଛି କହୁନଥିଲେ। ଏତିକିବେଳେ ତା ଗାଡ଼ି ସାମ୍ନାକୁ ଆସି ଅଟକାଇଲେ ଜଣେ ବୃଦ୍ଧ।

କନିଷ୍ଠ ପାଣ୍ଡବ ଗାଡ଼ିରେ ବ୍ରେକ୍ ଦେଲା। ଦେଖିଲା ସାମ୍ନାରେ ହାତ ଦେଖାଇ ଗାଡ଼ି ଅଟକାଉଥିବା ବୃଦ୍ଧ ଜଣକ ଚିହ୍ନା ଚିହ୍ନା ଲାଗୁଛନ୍ତି। ସେ ଗାଡ଼ି ଅଟକାଇ ଓହ୍ଲାଇ ପଡ଼ିଲା। ଗାଁ ଦାଣ୍ଡରେ ଠିଆ ହୋଇଥାଏ ତା ଗାଡ଼ି। ସେ ଆଗକୁ ଯାଇ ପାଖରେ ଦେଖିଲା, ସାମ୍ନାରେ ଥିବା ବୃଦ୍ଧ ଜଣକ ତା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ। କନିଷ୍ଠ ପାଣ୍ଡବ ଗାଁକୁ ଆସିଛି ଶୁଣି, ସେ ପାଖ ଗାଁରୁ ଆସିଛନ୍ତି ତାକୁ ଦେଖା କରିବା ପାଇଁ। କନିଷ୍ଠ ପାଣ୍ଡବ ନିଜ ଗୁରୁଜୀଙ୍କୁ ପାଖରୁ ଦେଖି ଖୁସି ହୋଇଗଲା। ପାଦ ଛୁଇଁ ପ୍ରଣାମ ହେଲା। ଗାଁ ଦାଣ୍ଡରେ ଲୋକମାନେ ସମସ୍ତେ ଏ ଦୃଶ୍ୟ ଦେଖୁଥାନ୍ତି। ଏତିକି ବେଳେ ଆଶୀର୍ବାଦ ଦେଲା ଭଳି ତା ମୁଣ୍ଡକୁ ଆଉଁସି ଦେଲେ ସାର୍। କହିଲେ, ମୁଁ ଜାଣିଥିଲି ତୁ ନିଶ୍ଚେ ଦିନେ ନିଶ୍ଚିତପୁର ଗାଁର ନାଁ ରଖିବୁ। ତୁ ନିଶ୍ଚୟ ଜଣେ ବଡ଼ ମଣିଷ ଆଉ ଭଲ ମଣିଷ ହେବୁ। ତତେ ଦେଖି ବହୁତ ଖୁସି ଲାଗୁଛିରେ ପାଣ୍ଡବ। ସାର୍ ତାକୁ କନିଷ୍ଠ ପାଣ୍ଡବ ନ ଡାକି ସବୁବେଳେ ପାଣ୍ଡବ କିମ୍ବା ପାଣ୍ଡବ ବୀର ବୋଲି ଡାକନ୍ତି। ସାର୍ ଟିକିଏ ଆଗକୁ ଆସି ପାଣ୍ଡବର ବାପା ମାଆଙ୍କୁ କହିଲେ, ମୁଁ କହିଥିଲି ନା, ତମେ ପୁଅ ନୁହଁ, ଗୋଟିଏ ହୀରା ଜନ୍ମ କରିଛ। ଦେଖିଲ, ତମକୁ ସେ ଆଜି ଗାଡ଼ିରେ ବସାଇ ଦିଲ୍ଲୀ ନେଉଛି।

କନିଷ୍ଠ ପାଣ୍ଡବର ବାପା ମାଆ ସଙ୍ଗେ ସଙ୍ଗେ ଗାଡ଼ିରୁ ଓହ୍ଲାଇ ସାରଙ୍କୁ ଜୁହାର ହେଲେ। ଆଉ କୃତଜ୍ଞତାର ସହିତ କହିଲେ, ଆଜ୍ଞା .. ଆପଣ ନିଅଁ ପକାଇଥିଲେ ବୋଲି ଆଜି ସେ ତା ଉପରେ ଘର ତିଆରି କରିପାରିଛି ଆଉ ଆପଣଙ୍କ ସାମ୍ନାରେ ଠିଆ ହେବାକୁ ଯୋଗ୍ୟ ହୋଇପାରିଛି। ଆପଣ ସବୁବେଳେ ତା ଉପରେ ଆଶୀର୍ବାଦ ରଖିଥାନ୍ତୁ। ସାରଙ୍କଠାରୁ ବିଦାୟ ନେଇ ସେମାନେ ବାହାରିଲେ ଦିଲ୍ଲୀ ଅଭିମୁଖେ। ସେପଟେ ଚିରାଚରିତ ଢଙ୍ଗରେ ଗାଁ ଲୋକମାନେ ନିଜ ନିଜର ମନଗଢ଼ା କାହାଣୀ ସବୁ ତିଆରି କରିଚାଲିଥିଲେ କନିଷ୍ଠ ପାଣ୍ଡବ ଓ ତା ବ୍ୟକ୍ତିଗତ ଜୀବନକୁ ନେଇ।

ଜଣେ ସଚ୍ଚୋଟ ଅଫିସର ଭାବେ ନିଜକୁ ପ୍ରତିଷ୍ଠିତ କରିଥିବା କନିଷ୍ଠ ପାଣ୍ଡବ ସମ୍ପର୍କରେ ସେମାନେ କରୁଥିଲେ ବିଭିନ୍ନ କାହାଣୀ… ତାକୁ କୁଆଡ଼େ ତା ଶ୍ୱଶୂର ଘର ଏ ଗାଡ଼ି ଘର ଆଉ ଚାକିରି ସବୁ ଦେଇଛନ୍ତି। ଆଉ କିଏ କହୁଥିଲା, ସିଏ ପରା କିଳାପୋତେଇ କରି ଧନ ଅର୍ଜିଛି। ଅନ୍ୟଜଣେ କହୁଥିଲା, ଆରେ ନାହିଁ, ସେ ଦିଲ୍ଲୀରେ ଗୋଟେ ବଡ଼ଲୋକ ପାଖରେ କାମ କରୁଥିଲା। ତା ଅନୁପସ୍ଥିତିରେ ତାର ସବୁ ସୁନାରୂପା ଓ ଟଙ୍କା ପଇସା ଏବଂ ଗାଡ଼ି ନେଇ ସେ ଗାଁକୁ ପଳେଇ ଆସିଛି। ଏମିତି ଯେତେ ମୁହଁ ସେତେ କାହାଣୀ। କିନ୍ତୁ ନିଜ ଛାତ୍ର ଜୀବନରୁ ହିଁ ନିର୍ବିକାର ଥିବା କନିଷ୍ଠ ପାଣ୍ଡବ ଏବେ ବି କୌଣସି ଲୋକକଥା କିମ୍ବା ଏଭଳି ଗୁଜବ ଦ୍ୱାରା ଆଦୌ ପ୍ରଭାବିତ ନଥିଲା। ବରଂ ଏ ସବୁ କଥା ତା ମନୋବଳକୁ ଆହୁରି ବଢ଼ାଇ ଦେଉଥିଲା।

ବାପା ମାଆଙ୍କୁ ନେଇ ମହାନଗୀର ଦିଲ୍ଲୀରେ ପହଞ୍ଚିବା ପରେ ଯେତେବେଳେ ତା ବାପାମାଆ ଗାଡ଼ିରୁ ଓହ୍ଲାଇ ବାହାର ଦୁନିଆକୁ ଦେଖିଲେ, ତାଙ୍କ ଆଖି ସବୁ ଏତେ ବଡ଼ ବଡ଼ ହୋଇଗଲା। ଗାଁ ଗହଳିଆ ଲୋକ ସେମାନେ । ଅଧିକରୁ ଅଧିକ ହେଲେ ସେମାନେ ଗାଁ ଜମିଦାରର ଦି ମହଲା ଘର ଦେଖିଛନ୍ତି। ଏବେ ମହାନଗରର ଏ ଚାକଚକ୍ୟ ଦେଖିଲା ପରେ ସେମାନଙ୍କୁ ଲାଗୁଥିଲା ପ୍ରକୃତରେ ଏଇଟା ସତ ନା ସ୍ୱପ୍ନ। କନିଷ୍ଠ ପାଣ୍ଡବ ବାପା ମଆଙ୍କୁ ନେଇ ତା ଘରେ ପହଞ୍ଚିଲା । ସେ ଦିଲ୍ଲୀରେ ଏକ ବିରାଟ ଘର କିଣିଛି। ସେଇ ଘରେ କିନ୍ତୁ ସେ ଏ ଯାଏଁ ଗୃହପ୍ରବେଶ କରିନି। ବାପାମାଆଙ୍କୁ ସେଥିପାଇଁ ଆଣିଛି ସେ। ଏଇଆ ଦେଖାଇବ ଯେ, ହେଇ ଦେଖ କ୍ଷେତରେ କାମ କରୁଥିବା ଜଣେ ଚାଷୀର ପୁଅ ପାଖରେ ଆଜି ରାଜଧାନୀ ଦିଲ୍ଲୀରେ ଅଛି ଏକ ବିଶାଳ ଘର । ବାପା ମାଆଙ୍କ ଖୁସି କହିଲେ ନସରେ। ବାପା ଭାବୁଥିଲେ, ଯାହା ହେଉ ମୋ ଜୀବନ ତମାମର କଷ୍ଟ ସବୁ ଦୂର ହୋଇଗଲା। ପୁଅ ଏବେ ତାଙ୍କ ସ୍ୱପ୍ନ ପୂରଣ କରିଛି।

ମାତ୍ର ପନ୍ଦର ଦିନ ପରେ ତାଙ୍କୁ ଆଉ ସେ ଘର ଭଲ ଲାଗିଲା ନାହିଁ। ତାଙ୍କୁ ଲାଗୁଥିଲା ସତେ ଯେମିତି ସେମାନେ ଏକ ପଞ୍ଜୁରୀ ଭିତରେ ବନ୍ଦୀ ହୋଇଯାଇଛନ୍ତି। ଉଭୟଙ୍କୁ ଗାଁ ବେଶୀ ମନେ ପଡ଼ିଲା। ତାଙ୍କ କ୍ଷେତ, ସେ କ୍ଷେତର ଫସଲ, ଗାଁର ଗାଈଗୋରୁ, ଗାଁ ଲୋକମାନେ ଏମିତି ସବୁକିଛି । ତା ପରେ ସେମାନେ ଜିଦ୍ କଲେ, ବାପାରେ, ତୁ ଆମକୁ ଗାଁରେ ଛାଡ଼ି ଦେ। ଆମେ ସେଇଠି ହିଁ ଠିକ୍ ଅଛୁ। ଏତେ ବଡ଼ ଘର, ଏତେ ବଡ଼ ସହର ଆମକୁ ଅଣନିଃଶ୍ୱାସୀ ଲାଗୁଛି। ବାଧ୍ୟହୋଇ ପୁଣି ଥରେ ଗାଁକୁ ଆସିବାକୁ ପଡ଼ିଲା କନିଷ୍ଠ ପାଣ୍ଡବକୁ। ତେବେ ସେ ସର୍ତ୍ତ ରଖିଲା ବାପା ମାଆଙ୍କ ଆଗରେ। ପ୍ରତି ଦୁଇମାସରେ ଥରେ ମୁଁ ଗାଁକୁ ଆସିବି। ଆଉ ଅନ୍ୟୁନ ପନ୍ଦର ଦିନ ପାଇଁ ଅନ୍ତତଃ ତମେ ମୋ ସାଙ୍ଗରେ ଦିଲ୍ଲୀ ଆସିବ। ଏଭଳି ସର୍ତ୍ତକୁ ବାପା ମାଆ ବି ମାନି ନେଲେ। ସେବେଠୁ କନିଷ୍ଠ ପାଣ୍ଡବର ଜୀବନ ଯାତ୍ରା ଦିଲ୍ଲୀରୁ ଗାଁ ଆଉ ଗାଁରୁ ଦିଲ୍ଲୀ ଭିତରେ ପାଲଟି ଯାଇଛି ଗୋଟିଏ ପେଣ୍ଡୁଲମ୍ ।

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି
ମୋହାଲି, ପଞ୍ଜାବ । ପିନ୍-୧୪୦୪୧୩
ଫୋନ୍ ୯୯୩୭୨୫୨୪୬୪

Leave A Reply

Your email address will not be published.