Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ସୁନ୍ଦରର ତୃପ୍ତି

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୦

ସୁନ୍ଦରତା ବା ସୁନ୍ଦରପଣ ଉପରେ ଯାହା ଲେଖାହେବ ତାହା ଯେ ସୁନ୍ଦର ହେବ ସେକଥା ଆଦୌ ନୁହଁ । ତଥାପି ଆମେ ସଭ୍ୟ ସାଧାରଣ ମଣିଷ ଯାହା କରିବାକୁ ଚାହୁଁ ତାହାକୁ ସବୁବେଳେ ଆମର ସାମର୍ଥ୍ୟ ଅନୁସାରେ ସୁନ୍ଦର ଆକାର ଉପସ୍ଥାପନା କରିବାରେ ଆଗ୍ରହୀ ଥାଉ।

ଏବେ ସୁନ୍ଦରପଣ ଉପରେ ଏହି ସ୍ୱଳ୍ପ ଗଳ୍ପ।

ଏମିତିରେ କହିବାକୁ ଗଲେ ଆମ ସମସ୍ତଙ୍କ ଭିତରେ ସୁନ୍ଦରତାକୁ ନେଇ ନିଜ ନିଜର ବ୍ୟକ୍ତି ପରକ ଦୃଷ୍ଟିଭଙ୍ଗୀ ରହିଛି। ସୁନ୍ଦରପଣ ସାଧାରଣତଃ ଦେଖିବା ଲୋକର ଆଖିରେ ଥାଏ ବୋଲି ଏକ ଆପ୍ତବାକ୍ୟ ଆମମାନଙ୍କ ଭିତରେ ବେଶ୍ ପ୍ରଚଳିତ।ତେଣୁ ଆମେ କେତେବେଳେ ଆଖି ଖୋଲି କ’ଣ ଦେଖିବୁ ଆଉ ହଠାତ୍ ଆମର ମନ ମର୍ଜିରେ ଆମର ମାଲିକାନାରେ ଥିବା କାରଣରୁ ଆମ ଆଖିକୁ ବନ୍ଦ କରିଦେବୁ ସେଇଟି ଆମର ନିଜର ଆୟତ୍ତାଧୀନ। ତେଣୁ ଟିକିଏ ଜଟିଳ ବାଗାଡମ୍ବର କରି କହିଲେ ଆମେ ଦୟାପରବଶ ହୋଇ ଆମର ଆଖିର ମାର୍ଫତ୍ ରେ କୌଣସି ବସ୍ତୁ ଭିତରେ ବନ୍ଦୀ ହୋଇ ଯେଉଁ ସୁନ୍ଦର ପଣଟି ରହିଅଛି ତାହାକୁ ମୁକ୍ତ କରିଦେଉ।

ଇସଲାମ୍ ଧର୍ମରେ “ସାଦାକ୍” ବୋଲି ଗୋଟିଏ ସୁନ୍ଦର ପୁଣ୍ୟ ଅର୍ଜନକାରୀ ପ୍ରଥା ରହିଛି।ପୃଥିବୀର ଯେତେ ସବୁ ଧର୍ମ ରହିଛି ସେହି ସବୁ ପାଳନର ପଛରେ ପୁଣ୍ୟ ଅର୍ଜନ କରିବାହିଁ ହେଉଛି ମଣିଷର ଏକମାତ୍ର ଅଭିଳାଷ।ମଣିଷର ଅର୍ଜିତ ପୁଣ୍ୟ ହିଁ ତାହାର ମୋକ୍ଷ ପ୍ରାପ୍ତି ଉଦ୍ଦେଶ୍ୟରେ ଯୋଗାଉଥିବା ନିର୍ଭରଯୋଗ୍ୟ ବାଟଖର୍ଚ୍ଚ ଯେମିତି। ତାହା ଫଳରେ ଆମର ତପ୍ତ ବୈତରଣୀ ହେଉ କି ରିଭର୍ ଷ୍ଟାଇକସ୍ ହେଉ ସେସମସ୍ତକୁ ମରଣୋପରାନ୍ତ ଅତିକ୍ରମ କରିବା ପାଇଁ ଆମକୁ ସହଜ ହୁଏ। ସେ ଯାହାହେଉ ଆଉ କାହାକୁ କଷ୍ଟ ଦେଇ ପୁଣ୍ୟ ଅର୍ଜନ କରାଯାଏ ନାହିଁ ବୋଲି ଆପଣମାନେ ଜାଣନ୍ତି। ଇସଲାମରେ ପୁଣ୍ୟ ଅର୍ଜନ କରିବା ପାଇଁ ସେମାନେ ଦରିଦ୍ରକୁ ଦାନ କରିଥାନ୍ତି, ଯାହାକୁ “ଜାକତ୍” ବୋଲି କୁହାଯାଏ। ଏହାଛଡା ସେମାନେ ପଂଜୁରୀବଦ୍ଧ ପକ୍ଷୀମାନଙ୍କୁ ପଞ୍ଜୁରୀ ଖୋଲି ମୁକ୍ତ କରିଥାନ୍ତି। ପକ୍ଷୀମାନଙ୍କୁ ପଞ୍ଜୁରୀରୁ ମୁକ୍ତ କରିବା ଭଳି ପୁଣ୍ୟକାମକୁ ଇସଲାମ୍ ରେ “ସଦାକ୍”ବୋଲି କହିଥାନ୍ତି। ସେଇଥିପାଇଁ ସେହି ପବିତ୍ରଦିନମାନଙ୍କରେ ପକ୍ଷୀବିକ୍ରେତାମାନେ ବିଭିନ୍ନ ମସଜିଦର ବାହାରେ ପଞ୍ଜୁରୀ ବଦ୍ଧ ପକ୍ଷୀମାନଙ୍କୁ ଧରି ବସିଥାନ୍ତି।

କହିବା କଥା ହେଉଛି ପଞ୍ଜୁରୀରୁ ମୁକ୍ତ ହୋଇ ଡେଣା ହଲାଇ ଉଡିଯାଉଥିବା ପକ୍ଷୀ ହେଉଛି ପୃଥିବୀର ଅନ୍ୟତମ ସୁନ୍ଦରତମ ଦୃଶ୍ୟ। ଆମେ ଆଖି ଖୋଲୁ କି ଆଖି ବନ୍ଦ କରୁ ଏମିତି ଦୃଶ୍ୟର ସୁନ୍ଦର ପଣରେ ଟିକିଏ ବୋଲି ଆଞ୍ଚ ଆସେନାହିଁ। ଏହା କହିବାର ତାତ୍ପର୍ଯ୍ୟ ହେଉଛି ଯେ କିଛି ସୁନ୍ଦରପଣ ହେଉଛି ଏକ ପ୍ରକାର ଧ୍ରୁବ ଆଉ ସେମାନେ ଏକ ପ୍ରକାର ମାନକ ଅନ୍ୟ ସବୁ ସୁନ୍ଦର ପଣର।

ସକ୍ରେଟିସ୍ ଆଉ ପ୍ଲାଟୋଙ୍କ ଯୁଗରେ ଗୋଟିଏ ବିଚାର ଧାରା ପ୍ରଚଳିତ ଥିଲା। ତାହା ହେଉଛି,ଆମେ ଯେତେବେଳେ ଆଖି ଖୋଲୁ ଆମ ଆଖିରୁ ଏକ ପ୍ରକାରର ଅଦୃଶ୍ୟ ନିଆଁ ବାହାରେ ଆଉ ସେହି ଅଦୃଶ୍ୟ ନିଆଁ ଆମ ସାମନାରେ ଥିବା ସମସ୍ତ ପଦାର୍ଥକୁ ପୋଡି ଛାରଖାର କରିଦିଏ। ଯେଉଁ ସବୁ ପଦାର୍ଥ ଆମର ଆଖିରୁ ବାହାରୁ ଥିବା ଭିନ୍ନ ଭିନ୍ନ କିସମର ଅଦୃଶ୍ୟ ନିଆଁରେ ପୋଡି ଛାରଖାର ହୋଇ ଯାଆନ୍ତି ସେମାନଙ୍କୁ ଆମେ ବସ୍ତୁତଃ ଦେଖିପାରୁ ବୋଲି ସେଯୁଗରେ ସେମାନଙ୍କର ବିଶ୍ୱାସ ଥିଲା।ଆମର ଦେଖିବା ସହିତ ଗୋଟିଏ ବସ୍ତୁର ତଥା ତାହାର ସୁନ୍ଦର ପଣର ଛାରଖାର ହେବା ପଛରେ ଏକ ଉପଭୋକ୍ତାବାଦୀ ବା କଂଜ୍ୟୁମରିଷ୍ଟିକ୍ ବିଚାର ର ଆରମ୍ଭ ସେଇଠୁ। ଅନ୍ୟ ଭାବରେ କହିଲେ ଦେଖିବା ଆଉ ଛାରଖାର କରିବା ଭିତରେ ବସ୍ତୁର ସୁନ୍ଦର ପଣର ସ୍ଥିତି ଏହିଭଳି।

ଖାଲି କ’ଣ ଆଖିରେ ଆମର ସୁନ୍ଦର ପଣ ତିଷ୍ଠିଥାଏ ? ଆମର ସମସ୍ତ ଇନ୍ଦ୍ରିୟ ବି ଆମ ପାଇଁ ସବୁବେଳେ ସୌନ୍ଦର୍ଯ୍ୟ ନିର୍ବାହୀ ମାଧ୍ୟମ ହୋଇ ରହିଥାନ୍ତି। ସଂକ୍ଷେପରେ, ଏଇଠି ଯାହା ଭଲ ତାହା ସୁନ୍ଦର ବୋଲି କଥାର ଊତ୍ପତ୍ତି। ସେଇଠୁ ଆସିବ ଆମର ବିଶ୍ୱାସ,ଆମର ନିର୍ଜ୍ଞାନ (ଏହି ଶବ୍ଦକୁ ଅବଚେତନ ବା ଅନକନସସନେସ୍ କୁ ବୁଝିବା ପାଇଁ ବ୍ୟବହାର କରାଯାଇଛି।ଆମେ କୌଣସି ଦୁର୍ଘଟଣାରେ ପଡି ଚେତନା ହରାଇବା ଆଉ ଆମର ଅବଚେତନ ଏଇ ଦୁଇଟି ସମାନ କଥା ନୁହଁ।ପ୍ରଥମ ଅବସ୍ଥାରେ ଆମର କୌଣସି ଜ୍ଞାନ ନଥାଏ,ଯାହାକୁ ଆମେ ଅଜ୍ଞାନ ବୋଲି କହି ପାରିବା ଆଉ ଦ୍ୱିତୀୟ ଅବସ୍ଥାରେ ଆମ ଭିତରେ ଯେଉଁ ଜ୍ଞାନ ଦମିତ ଅବସ୍ଥାରେ ଅଛି ଯାହାର ସଜ୍ଞାନ ବା କଗନିଟିଭ୍ ପ୍ରୋସେସ୍ ବେଳେବେଳେ ଉପଗତ ହୁଏ,ଜ୍ଞାନ ଅଛି ମାତ୍ର ଅଜ୍ଞାନ ଅବସ୍ଥା ତାହାକୁ ବୁଝିବାକୁ ସହଜ ହେବ ବୋଲି ନିର୍ଜ୍ଞାନ ବୋଲି କୁହାଯାଇଛି।),ଆମର ଗୋଷ୍ଠୀ ଅବଚେତନ।ଏ ସମସ୍ତ ଆମ ଭିତରରେ ସୁନ୍ଦର ର ଏକ ଅବଧାରଣା ତିଆରି କରିଥାନ୍ତି ଆଉ ତାହାପରେ ସେହି ସୁନ୍ଦରକୁ ଭୋଗିବା ପାଇଁ ଆମକୁ ପ୍ରସ୍ତୁତ କରି ଯେଉଁ କ୍ଷେତ୍ରରେ ସୁନ୍ଦରତା ରହିଛି ତାହାକୁ ସାମ୍ନା କରିବା ପାଇଁ ଛାଡିଯାଆନ୍ତି।

ଯାହା ଆମକୁ ସରଳ ଦିଶେ ତାହା ପଛରେ ଅନେକ ଜଟିଳ କ୍ରିୟା ପ୍ରତିକ୍ରିୟାମାନ ଘଟି ଚାଲୁଥାଏ ।ଆମକୁ ସେ କଥା ଜଣା ନଥାଏ। ଆମେ ଭାବୁ ଆରେ ଏଇଟା ଏମିତି କି କଥା ମ! ଆମେ ସବୁବେଳେ ଟିପ୍ ଅଫ୍ ଦି ଆଇସବର୍ଗ।ଆମର ପୋତାଭାଗଟି ବିରାଟ।

ପଦାର୍ଥର ସୁନ୍ଦର ବିଚାରରେ ଆମକୁ ଯାହା ସୁନ୍ଦର ଦିଶେ ଆଉ ଆମେ ଯାହାକୁ ସୁନ୍ଦର ବୋଲି କହୁ ଏଇ ଦୁଇଟି ପ୍ରସ୍ତାବନା ଭିତରେ ସାଧାରଣତଃ ଆମେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଚରିତ୍ରକୁ ଦେଖିଥାଉ। ସେହି ତିନୋଟି ଚରିତ୍ର ହେଉଛନ୍ତି ଯଥାକ୍ରମେ ଈଶ୍ୱର,ସମ୍ରାଟ ଏବଂ ଆମେ ନିଜେ,ସ୍ୱୟଂ ମଣିଷ ।

ପ୍ରଥମରେ ସୁନ୍ଦରର ଯେଉଁ ଅବବୋଧ ଆମ ପାଖକୁ ଆସିଥାଏ ତାହା ଈଶ୍ୱରକର୍ତ୍ତୃକ ଏକ ଆୟୋଜନ । ଈଶ୍ୱର ଯାହା ନିର୍ମାଣ କରିଛନ୍ତି ତାହା ମନୋହର ଏବଂ ମଙ୍ଗଳମୟ ବୋଲି ଆମେ ପିଲାଟି ଦିନରୁ ବିଶ୍ୱାସ କରିଆସୁଛୁ । ପ୍ରକୃତି ହେଉ କି ପୁରୁଷ ହେଉ କି ପରିବେଶ ହେଉ ଈଶ୍ୱରଙ୍କ ସକଳ ସର୍ଜନାକୁ ସୁନ୍ଦର ବୋଲି ବିଶ୍ୱାସ କରିବା ପଛରେ ବସ୍ତୁତଃ ଆମ ଆଗରେ ଗୋଟିଏ ପ୍ରସଂଗ ସ୍ପଷ୍ଟ ହୋଇ ଦିଶିବ।ତାହା ହେଉଛି ଯାହା ସ୍ୱାଭାବିକ, ଯାହା ସ୍ୱତଃସ୍ଫୃର୍ତ୍ତ ତାହା ହିଁ ସୁନ୍ଦର । ଈଶ୍ୱରଙ୍କ ସର୍ଜନାରୁ ଏହିଭଳି ସୁନ୍ଦର ର ଅବଧାରଣା ଆମ ପାଖକୁ ଆସିଛି । ଇସଲାମ୍ ଧର୍ମର ଉଲ୍ଲେଖ ଆଉ ଥରେ କରୁଛି । ଇସଲାମଧର୍ମାବଲମ୍ବୀମାନେ ଆଲ୍ଲାତାଲ୍ଲାଙ୍କ ନିକଟରେ ପ୍ରାର୍ଥନା କଲାବେଳେ ମୋର ଦୁଃଖକୁ ଦୂର କରିବା ପାଇଁ ନିବେଦନ କି ମୋର ଅମୁକ ଦରକାର ସମୁକ ଦରକାର ସେ କଥା କହନ୍ତି ନାହିଁ । ତାଙ୍କର ବିଶ୍ୱାସ ଅନୁସାରେ ଈଶ୍ୱରଙ୍କର ସୃଷ୍ଟି ହେଉଛି ସମ୍ପୂର୍ଣ୍ଣ ନିଖୁଣ ଆଉ ନିଜର ପ୍ରାର୍ଥନାରେ ଈଶ୍ୱରଙ୍କ ଠାରୁ କିଛି ମାଗିବାର ଅର୍ଥ ହେଉଛି ତାଙ୍କର ସୁନ୍ଦରତମ ସୃଷ୍ଟିରେ କିଛି ଖୁଣ ଦେଖିବା ଭଳି କଥା ହେବ । ତେଣୁ ଇସଲାମଧର୍ମାବଲମ୍ବୀ ମାନେ ସେମାନଙ୍କର ପ୍ରାର୍ଥନାରେ କୌଣସି ନିବେଦନ କରନ୍ତି ନାହିଁ । ସେମାନେ ତାଙ୍କର ପ୍ରାର୍ଥନାରେ କେବଳ ଆଲ୍ଲାତାଲ୍ଲାଙ୍କୁ କୃତଜ୍ଞତା ଜଣାଇଥାନ୍ତି,ତାଙ୍କର ସୃଷ୍ଟିର ପ୍ରଶଂସା
କରିଥାନ୍ତି ।

ଈଶ୍ୱରଙ୍କ ପରେ ଆମର ସୁନ୍ଦରପଣର ବିଚାରର ପରିସରକୁ ଆସିଥାନ୍ତି ରାଜା,ଆମ କ୍ଷମତାଶାସ୍ତ୍ର ର ନିୟାମକ ଦଣ୍ଡଧର । ରାଜାମାନେ ବେଳେବେଳେ ନିଜର ପସନ୍ଦ ପାଇଁ କିଛି ନିଜ ପସନ୍ଦର କଥାକୁ ସୁନ୍ଦର ବୋଲି କହିଥାନ୍ତି ଆଉ ଚାହାଁନ୍ତି ଆମେ ଯେମିତି ତାହାକୁ ଆକ୍ଷରିକ ଭାବରେ ସୁନ୍ଦର ବୋଲି ମାନିନେଉ। କହିବାକୁଗଲେ ସୁନ୍ଦରପଣର ରାଜସୁଲଭ ପରିଭାଷାମାନ ବାରମ୍ବାର ଆମର ଚର୍ଚ୍ଚା ର ପରିସରକୁ ଆସୁଥାଏ। ଆମେ ତାହାକୁ ଅନେକ ପରିମାଣରେ ମହାଜନମାନଙ୍କର ପନ୍ଥା ଭଳି ବିଶ୍ୱାସ କରିଥାଉ ,ଆଉ ବେଳେବେଳେ ଅବିଶ୍ୱାସ ବି କରିଥାଉ।

ଆମେ ଜାଣୁ , ଆମର ବିଶ୍ୱାସରେ ସବୁ ରାଜକନ୍ୟାମାନେ ଅପରୂପା,ସୁନ୍ଦରୀ।

ରାଜାମାନେ ଦଣ୍ଡଧର ହିସାବରେ ସୁନ୍ଦରର ପ୍ରତିମା ଏବଂ ପ୍ରତିମାନ ମାନ ଆମ ପାଇଁ ନିର୍ମାଣ କରିଥାନ୍ତି ।

ଜଣେ ରାଜା ସେମିତି ଗୋଟିଏ ସୁନ୍ଦର ନାରୀ ମୂର୍ତ୍ତୀର ନିର୍ମାଣ ପାଇଁ ତାଙ୍କର ପ୍ରତିପାଳିତ ଶିଳ୍ପୀକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଥିଲା ଶିଳ୍ପୀ ଜଣକ ରାଜ୍ୟ ସାରା ବୁଲି ବୁଲି ଯେଉଁଠି ଯାହା ନାରୀର ସୁନ୍ଦର ଅବୟବ ଅର୍ଥାତ୍ ମୁହଁ, ଆଖି ଓ ଅନ୍ୟାନ୍ୟ ଅବୟବକୁ ଦେଖିବ ତାହାର ସମସ୍ତ ବିଧିବଦ୍ଧ ପରିମାପକୁ ସଂଗ୍ରହ କରି ସେହି ଅନୁସାରେ ଏହି ସୁନ୍ଦର ନାରୀମୂର୍ତ୍ତୀଟିକୁ ନିର୍ମାଣ କରିବ । ଶିଳ୍ପୀ ଜଣକ ରାଜ୍ୟସାରା ଭ୍ରମଣ କରି ସୁନ୍ଦର ମୁହଁ ,ସୁନ୍ଦର ଆଖି ଆଦିର ହିସାବ ସଂଗ୍ରହ କରି ଶେଷରେ ନାରୀମୂର୍ତ୍ତୀଟିକୁ ନିର୍ମାଣ କରିଥିଲା । ଏହି ବିଶେଷ ମୂର୍ତ୍ତୀକୁ ଅନାବରଣ କଲାପରେ ଦେଖାଗଲା ଯେ ଏହି ମୂର୍ତ୍ତୀଟି ହେଉଛି ରାଜ୍ୟର ସବୁଠାରୁ ଅସୁନ୍ଦର ମୂର୍ତ୍ତୀ ।

ଏହି ଭଳି ଘଟିବାର କାରଣ ଅତି ସହଜରେ ବୁଝାଯାଇପାରିବ । ଯଦିଓ ଶିଳ୍ପୀଙ୍କ ପାଖରେ ରାଜ୍ୟର ସୁନ୍ଦରୀ ନାରୀମାନଙ୍କର ସାଧାରଣ ଭାବରେ ସୁନ୍ଦର ଦିଶୁଥିବା ଅବୟବର ପରିସଂଖ୍ୟାନମୂଳକ ତଥ୍ୟ ରହିଥିଲା କିନ୍ତୁ ଅଭାବ ଥିଲା ସାମଗ୍ରିକତାର ଆନୁପାତିକ ବିନ୍ୟାସ ବା “ସିମେଟ୍ରି”ର । ସରଳ ଭାବରେ କହିଲେ ସ୍ୱତନ୍ତ୍ର ଏକକ ହିସାବରେ କୌଣସି ଆଖି କି ଓଠ କି ମୁହଁ ସୁନ୍ଦର ଦିଶିବ ନାହିଁ, ଆଖି ହଳକ ମୁହଁ ସହିତ ଏକାଠି ଆନୁପାତିକ ବିନ୍ୟାସରେ ସୁନ୍ଦର ଦିଶିଥାନ୍ତି ।

ଆମର ସୁନ୍ଦରପଣର ବିଚାରରେ ଈଶ୍ୱର ଏବଂ ରାଜାଙ୍କ ପରେ ଉପସ୍ଥିତ ହେଉ ଆମେ ନିଜେ ଅର୍ଥାତ୍ ସାଧାରଣ ମଣିଷ । ଏହାପରେ ଏହି ସାଧାରଣ ମଣିଷ ହିଁ ସୁନ୍ଦରପଣର ଅସଲ ଧାରକ ଅର୍ଥାତ୍ ସେହି ଆନୁପାତିକ ବିନ୍ୟାସ ର ଏକ୍ସ-ଫାକ୍ଟରକୁ
ଉଜାଗର କରି ସର୍ବକାଳୀନ ସୁନ୍ଦରପଣ କୁ ପ୍ରତିଷ୍ଠିତ କରିଥାଏ ।

ସୁନ୍ଦରପଣରେ ସେଇଥିପାଇଁ ଆମର ଚିର ତୃପ୍ତି,କୌଣସି ଅବସାଦ ନାହିଁ ।

Comments are closed, but trackbacks and pingbacks are open.