Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ନାହିଁ,କିଛି ନାହିଁ, ସେମିତି କିଛିର ଅଛି କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୭

ଏଇଠି ସବୁରି ଭିତରେ “କିଛି” ସଂଯୁକ୍ତ ଭାବରେ ରହିଥାଏ ଯାହାକୁ କୁହାଯାଇପାରିବ  ଏକ୍ସ ଫାକ୍ଟର । ସେମିତି ଏକ ଏକ୍ସ ଫାକ୍ଟର ର ବସ୍ତୁତଃ ଆମେ ଖୋଜିବାର ପ୍ରୟାସ କରୁଛେ ଏଇଠି ଯେତେ ଯେତେ “ନାହିଁ “ର ସମସ୍ତ ଜଟିଳ ଗଭୀର ଅଚେତନ ର ତଳାନ୍ତରୁ ।

ମୂଳତଃ ଏହା ନାହିଁର ଏକ୍ସ ଫାକ୍ଟରର ଏକ ଦର୍ଶନମନସ୍କ ଅନୁସନ୍ଧାନ।

ଆଶା ଉଲ୍ଲେଖରେ ଥିବା ଶୀର୍ଷକଟି  ଆପଣମାନଙ୍କୁ ପ୍ରଥମରୁ ବିଭ୍ରାନ୍ତ କରି ନାହିଁ ।

ଏଇ ବାକ୍ୟ ଶେଷରେ ତ ସମାପନ ଆକାରରେ ନାହିଁ ବୋଲି ସେମିତି ଲେଖିଛି। ତାହାର ଅର୍ଥ କ’ଣ ଏମିତି ସେଥିରୁ ବାହାରି ଆସୁନାହିଁ  ଯେ ନାହିଁ ହେଉଛି ଅସଲରେ ଏମିତି ଏକ ଅବସ୍ଥା ଯାହା କୌଣସି ପ୍ରକ୍ରୀୟାର ଶେଷ ଅବସ୍ଥାନ ? କୌଣସି ନାହିଁ କୁ ଆମେ ଯେତେବେଳେ ଏକ ପୂର୍ଣ୍ଣଚ୍ଛେଦବାଚକ ପ୍ରକ୍ରିୟାରେ ରଖିଦେଉ ସେତେବେଳେ ଗୋଟିଏ ଶେଷ ସହିତ ଆମର ସହାବସ୍ଥାନ ଘଟିଥାଏ। ଆପଣା ଆପେ ଆମେ ସେଇ ଶେଷ ବା ସମାପ୍ତି ବା ନାହିଁ ଭଳି କଥାରେ ଏକେଲା ରହିଥାଉ କି ? ସେମିତି ରହି ପାରିବୁ କି ? ଯେତେବେଳେ ନାହିଁ ଉପଗତ ହୁଏ ଆଉ ଆମେ ସେଇଠି ଯାହାକୁ ନାହିଁ ଅଥବା ଶେଷ କର୍ମ ବୋଲି ବିଚାରି ଥାଉ,ସେଇଠି ଏକ ପାରସ୍ପରିକ କ୍ରୀୟା ( ଏକ ପ୍ରକାର ସଂଘାତ) ହଠାତ୍ ଦେଖିବାକୁ ମିଳେ। ସେଇ ନାହିଁ କାଳର ସଂଘାତଟି ହେଉଛି ଅସଲରେ “ନାହିଁ” ନାମକ କ୍ରୀୟା ଏବଂ “ଆମେ ବା ମୁଁ” ଭଳି ବ୍ୟକ୍ତି-ଉପସ୍ଥିତି କ୍ରୀୟା ,ଏଇ ଭଳି ଦୁଇଟି କ୍ରୀୟାର ସଂଘାତ। ତେଣୁ ନାହିଁ ର ଅନ୍ତଟି ଯଦି ହଠାତ୍ ଉପସ୍ଥିତ ହୁଏ ତେବେ ଆମେ କୌଣସି କାଳବିଳମ୍ବ ନକରି ସେହି ନାହିଁର ଉପରକୁ ଝାଂପି ପଡୁ ,ସେହି ନାହିଁକୁ ଅସ୍ୱୀକାର ବା ତାହାର ସ୍ଥାନରୁ ତଡି ଦେବା ପାଇଁ ଅଥବା ସେଇ ନାହିଁକୁ ତାହାର ସ୍ଥାନରେ ସାବ୍ୟସ୍ତ ଅଥବା ଅଟକାଇ ରଖିବା ପାଇଁ । ତେଣୁ ନାହିଁ କୁ ଏକ ସମାପ୍ତି ଆକାରରେ  ଧରି ରଖିବା ଅଥବା ଦୂରେଇ ଦେବା ,ଏଇ ଉଭୟରେ ନାହିଁଟି  କୌଣସି ଶେଷ ବା ” ଦି ଏଣ୍ଡ” ହୋଇ ଆଉ  ରହିପାରେ ନାହିଁ,ଏହା ତାହାପରେ ଏକ ନିରନ୍ତରତା ,ଏକ “ଅଛି “ରେ ତୁରନ୍ତ ବଦଳିଯାଏ ।

ତେଣୁ ନାହିଁ ବୋଲି କିଛି ନାହିଁ ,ଯାହା ରହିଥାଏ ତାହା କେବଳ ହେଉଛି “ଅଛି ।”

କିଙ୍ଗ ଲିଅର୍ ନାଟକରେ ଉଇଲିଅମ ଶେକସପିଅର୍ ଠାଏ ଲେଖିଛନ୍ତି :

ରାଜା ଲିଅର : କହ ।
କର୍ଡେଲିଆ : କିଛି ନାହିଁ,ପ୍ରଭୂ ମୋର
ରାଜା ଲିଅର୍: କିଛି ନାହିଁ !
କର୍ଡେଲିଆ :କିଛି ନାହିଁ ।
ରାଜା ଲିଅର: କିଛି ନାହିଁ ଆସିବ କିଛି ନାହିଁରୁ :ଆଉ ଥରେ କହ।

ଏଇ ଦୁଇଟି ଚରିତ୍ର ନାହିଁ ଉପରେ ଯେଉଁ ବକ୍ତବ୍ୟ ପରସ୍ପର ସହିତ ସହଭାଗ କରୁଛନ୍ତି ସେତେବେଳେ ସେଇ ଦୁଇଟି ଯାକ ଚରିତ୍ରଙ୍କର  ନାହିଁକୁ ନେଇ ବିଶେଷରେ କିଛି ନିରନ୍ତର ଧାରଣା ରହିଛି ଆଉ ତାହାକୁ ଦେଖି ବା ଶୁଣି ଆମର ଭିତରେ ବି ନାହିଁକୁ ନେଇ କିଛି “ଅଛି” ବିଚାର ସୃଷ୍ଟି ହୋଇ ଯାଉଛି।

ଏଇଠୁ ତାହାଲେ ଆମର ଏମିତି ଅବବୋଧ ଆସୁଚି ତାହା ହେଉଛି ଶେଷ ର ନିରନ୍ତରତା ବା ନାହିଁ ର ନିରନ୍ତରତା। ତେଣୁ ନାହିଁ ର ବିଚାର କଲାବେଳେ ଏଇ ନିରନ୍ତରତା ବା ନାହିଁ ସମସ୍ତର “ନାହିଁବାଦ” ବା ନଥିଙ୍ଗନେସ୍ କୁ ପରିଭାଷିତ କରୁଅଛି ।

ତେଣୁ ନିରନ୍ତରତା ବା କଣ୍ଟିନୁଇଟି “ଅଛି” କୁ ପ୍ରତିସ୍ଥାପନା କରିବା ସମୟରେ “ନାହିଁ”କୁ କିଛି ପରିମାଣରେ କାହିଁକି ଅନେକ ପରିମାଣରେ “ଅଛି”ରେ ପରିଣତ କରି ଦେଇଥାଏ।

ଏଇଠି ଗୋଟିଏ ଦାର୍ଶନିକ ଅବଧାରଣାର କଥା ଆସିବ । ତାହା ହେଉଛି ସ୍ୱାଭାବବାଦ ବା “ଇନାଟିଜମ” । ସରଳଭାବରେ କହିଲେ ଏହାର ପରିପ୍ରେକ୍ଷ୍ୟ ହେଉଛି,ଆମର ଚେତନା ସମସ୍ତ ଜ୍ଞାନ ଅଥବା ଧାରଣା ସହ ଜନ୍ମଲାଭ କରିଥାଏ,ଆମର ଚେତନାଟି ର ଆରମ୍ଭ କୌଣସି ” ଫାଙ୍କା ସିଲଟ ” ବା ଯାହାକୁ କୁହାଯାଏ “ଟାବୁଲା ରସା” ପରି ନୁହଁ । ପ୍ରାଚୀନ ଗ୍ରୀସ୍ ର ଚିନ୍ତାନାୟକ ମାନେ ଏଇଭଳି ଆରମ୍ଭରେ ବିଶ୍ୱାସ କରୁଥିଲେ। ଆମେ ବସ୍ତୁତଃ କୌଣସି ପଦାର୍ଥକୁ ( ଯାହା ଆମର ଚେତନା ଠାରୁ  ସ୍ୱାଧୀନ ଆଉ ସ୍ୱତନ୍ତ୍ର ଆଉ ପାରସ୍ପରିକ ଭାବରେ ଅସଂଲଗ୍ନ ରହିଥାଏ ) କେଉଁ ଭଳି ଗୋଟିଏ ପଦାର୍ଥ ଆକାରରେ ଚିହ୍ନିବାକୁ ସକ୍ଷମ ହୋଇଥାଉ ? ଏହାର ଗୋଟିଏ ବ୍ୟାଖ୍ୟା ହେଉଛି ସେଇ ସବୁ ପଦାର୍ଥ ଆମର ଇନ୍ଦ୍ରୀୟ ଉପରେ ପ୍ରଭାବ ପକାଇଥାଏ ଆଉ ସେହି କାରଣରୁ ଆମେ ତାହାକୁ ଚିହ୍ନିବାକୁ ସକ୍ଷମ ହେଉ। ଡେମୋକ୍ରିଟସ୍ ( ଖ୍ରୀପୂ ୪୬୦-ଖ୍ରୀପୂ ୩୭୦) ଯିଏ ଅଣୁବାଦ ବା ଆଟମିଜମ୍ ର ପ୍ରବକ୍ତା ତାଙ୍କ ଅନୁସାରେ ପଦାର୍ଥମାନ ଛୋଟ ଛୋଟ ଅଣୁରେ ବିଶେଷତଃ ନିର୍ମିତ ଆଉ ଆମେ ଏଇ ପଦାର୍ଥମାନଙ୍କରୁ ଚହଟି ଆସୁଥିବା କ୍ଷୁଦ୍ରାତିକ୍ଷୁଦ୍ର ଅଂଶମାନଙ୍କ ଦ୍ୱାରା ଆମର ଇନ୍ଦ୍ରୀୟମାନେ ପ୍ରଭାବିତ ହେଉଥିବା କାରଣରୁ ଆମେ ତାହାକୁ ଅର୍ଥାତ ପଦାର୍ଥମାନଙ୍କୁ ଚିହ୍ନିଥାଉ। ତେଣୁ ପଦାର୍ଥ ତଥା ପଦାର୍ଥର କ୍ଷୁଦ୍ରାତି କ୍ଷୁଦ୍ର ଅଂଶ ଏବଂ ତାହାର ଇନ୍ଦ୍ରୀୟ ପ୍ରଭାବ ଏଇ ତିନୋଟି କଥାକୁ ନେଇ ଆମର ଚେତନାର ଚିହ୍ନିବା କର୍ମ ବା କଗନିଟିଭ୍ ପ୍ରୋସେସ୍ ର ଆରମ୍ଭ । ଏହା ଆମର ସ୍ୱଭାବବାଦ ବା ଇନାଟିଜମ୍ ର ଏକ ଆଧାର। ଆମେ ପଦାର୍ଥକୁ ଚିହ୍ନିବା ପାଇଁ ଆଉ ଏକ ବ୍ୟାଖ୍ୟା ତଥା ସ୍ୱଭାବ ବାଦର ଆଉ ଏକ ପରିଭାଷା ହେଉଛି ଆମର ଚେତନାରେ ପ୍ରାରମ୍ଭରୁ ପଦାର୍ଥ ସଂପର୍କରେ ସମସ୍ତ ଅବଧାରଣା ଗଚ୍ଛିତ ହୋଇ ସୁପ୍ତ ଆକାରରେ ରହିଥାଏ ଆଉ ଆମର ଜନ୍ମ ପରେ ଆମର ଚେତନାରେ ବିଚାର ଏବଂ ଅନୁଭବରେ ସେଗୁଡିକ କ୍ରମଶଃ ଉନ୍ମୋଚିତ ହୋଇଥାଏ ।

ଏଇଠି ଚିନ୍ତାନାୟକ ପ୍ଲାଟୋଙ୍କର ଏକ ବ୍ୟାଖ୍ୟାନକୁ ଆମର ସ୍ମରଣ ରଖିବା ଉଚିତ। ପ୍ଲାଟୋ କହିଛନ୍ତି:

“ଆମେ କୌଣସି ଶିକ୍ଷା ଗ୍ରହଣ କରୁନା ଆଉ ଆମେ ଯାହାକୁ ଶିକ୍ଷା ଗ୍ରହଣ କରିବା ବୋଲି ମନେ କରିଥାଉ ତାହା ଅସଲରେ ହେଉଛି କେବଳ ଗୋଟିଏ ମନେପକାଇବାର ପ୍ରକ୍ରିୟା।”

ଏଇ ସ୍ୱଭାବବାଦ ବା ଇନାଟିଜମ୍ କୁ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀର ଶେଷ ଭାଗରେ ପିଥାଗୋରସ୍ ଭଳି ଦାର୍ଶନିକ ଙ୍କ ଚିନ୍ତନରେ ପ୍ରଥମେ ଆଉ ପରେ ସକ୍ରେଟିସ୍ ( ଖ୍ରୀପୂ ୪୭୦ -ଖ୍ରୀପୂ ୩୯୯) ରେ ଆସିଥିଲା। ବିଶେଷ ଭାବରେ ସେତେବେଳେ ସ୍ୱଭାବବାଦ ବା ଯାହା “ନିରନ୍ତର ଥାଏ” ତାହାକୁ ପ୍ରତିଷ୍ଠା କରିବା ପାଇଁ ସେତେବେଳେ ଯୁକ୍ତି କରାଯାଉଥିଲା ଯେ ଜଣେ ଅଶିକ୍ଷିତ ବାଳକ ପିଥାଗୋରସ୍ ଙ୍କ ଉପପାଦ୍ୟକୁ ସଠିକ ବ୍ୟବହାର କରିପାରିବ ଯଦି ତାହାକୁ ଉପଯୁକ୍ତ ପ୍ରଶ୍ନ ପଚରାଯାଏ । ଏହାର ପରେ “ଆଇ ଥିଙ୍କ୍ ,ଦେୟାରଫୋର୍ ଆଇ ଆମ୍” ବୋଲି ଦେହ ଆଉ ମନର ଦ୍ୱିବିଧକରଣର ପ୍ରବକ୍ତା ରେନେ ଡେକାର୍ଟ ଆମର ସ୍ୱଭାବବାଦ ବା ” ଚିରନ୍ତନ ଅଛି” କୁ ବୁଝାଇବା ପାଇଁ ମହମ କୁ ନେଇ ଏକ ଦାର୍ଶନିକ ପରୀକ୍ଷା ସମସ୍ତଙ୍କ ସାମ୍ନାରେ ଉପସ୍ଥାପନା କରିଛନ୍ତି। ଗୋଟିଏ ମହମକୁ ନିଆଁ ପାଖରେ ଧରିଲେ ଆମେ ଭିନ୍ନ ସମୟରେ  ଭିନ୍ନ ଅନୁଭବ କରିପାରିବା । ନିଆଁ ଆଗରେ ଧରିଲେ ମହମ ଭଳି ପଦାର୍ଥଟିର ଭିନ୍ନ ଭିନ୍ନ ଆକୃତି,ଭିନ୍ନ ଭିନ୍ନ ସ୍ଥିତି,ଭିନ୍ନ ଭିନ୍ନ ଭିନ୍ନ ତାପମାନ ଆଉ ଶେଷରେ ଏକ ଅବଶେଷ ,ଏସବୁକୁ ଆମେ କେବଳ ମହମ ବୋଲି କହିଥାଉ । ଏହାର ଯେତେକ ପରିବର୍ତ୍ତନ ପାଇଁ ଆମର କୌଣସି ନିର୍ଦ୍ଦିଷ୍ଟ ଭିନ୍ନ ପରିଭାଷା ନାହିଁ ,ଯାହା ରହିଛି କେବଳ ଗୋଟିଏ ପରିଭାଷା, ପଦାର୍ଥର ପରିଭାଷା ମହମ,ଏବଂ ଏହିଭଳି ପଦାର୍ଥର ଏକମାତ୍ର ପରିଭାଷାମାନ ଆମ ସହିତ ଥିଲା ଆଉ ଆମ ସହିତ ଜନ୍ମ ଲାଭ କରିଛି ।

ଅତି ସଂକ୍ଷେପ ରେ କହିଲେ ଆମର ସ୍ୱଭାବବାଦ ବା ଇନାଟିଜମ୍ ର ଧାରଣା ଆମର ଶିକ୍ଷା କ୍ଷେତ୍ରକୁ ଆଉ ମନସ୍ତତ୍ତ୍ୱର କ୍ଷେତ୍ରକୁ ବିଶେଷ ଭାବରେ ପ୍ରଭାବିତ କରିଛି । ସେଇ ଦୁଇଟି କ୍ଷେତ୍ରରେ ଯାହା ଅଛି ,ନିରନ୍ତର ଭାବରେ ଅଛି ତାହାକୁ ନେଇ ପରବର୍ତ୍ତି ପ୍ରବାହ । ସେଥିରେ ନାହିଁ ବୋଲି କିଛି ନାହିଁ ।

ନାହିଁର ପରିପ୍ରେକ୍ଷ୍ୟରେ ଏଇ ଅଛି ର କଥା ବଖାଣ କରିବାକୁ ଗଲାବେଳେ ଆମର ନିଶ୍ଚୟ ମନେ ପଡିବ ପ୍ରାଚୀନ ଗ୍ରୀସ୍ ର ଅନ୍ୟତମ ସେହି ଚିନ୍ତାନାୟକଙ୍କୁ।

ତାଙ୍କର ନାଆଁ ପାରମାନିଡେସ୍। ତାଙ୍କର ସମୟକାଳ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀର ପ୍ରଥମ ଭାଗ।

ପାରମାନିଡେସ୍ ସର୍ବପ୍ରଥମେ କହିଥିଲେ ପଦାର୍ଥର ଭିନ୍ନ ଭିନ୍ନ ଅବସ୍ଥା ଭଳି ପଦାର୍ଥର “ନଥିବା” ହେଉଛି ଏକ ଅବସ୍ଥା। ସେ ଯେଉଁ “ନଥିବାପଣର ଅବବୋଧ” ବିଷୟରେ ଚର୍ଚ୍ଚା ଆରମ୍ଭ କରିଥିଲେ ତାହାର ମୂଳକଥା ଟି ଥିଲା “ନାହିଁ” ବୋଲି ସେଇ ଭାବନା କଦାପି ନିରର୍ଥକ ଭାବନା ହେବ ନାହିଁ । “ନାହିଁ” କୁ ନେଇ ତାହାପରେ ତାଙ୍କର ସାର୍ଥକ ଦାର୍ଶନିକ ଯାତ୍ରା ଆରମ୍ଭ ହୁଏ।

ବନ୍ଧୁଗଣ,ନାହିଁପଣର ଏତିକି “ଅଛି” ସହିତ ପରବର୍ତ୍ତି “ଅଛି” ର ସାକ୍ଷାତରେ ତ ଆମେ ସବୁବେଳେ ରହିଥାଉ।

ନାହିଁ ?

Leave A Reply

Your email address will not be published.