ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୯
“ଫଲନ୍ ଆଷ୍ଟ୍ରୋନଟ୍” ର ଗୋଟିଏ ଶୁଦ୍ଧ ଓଡିଆ ଭାଷାନ୍ତର ଟିକିଏ ଜଗି ରଖି ମୂଳଶବ୍ଦକୁ ସେମିତି ଅସମ୍ମାନ ନ କରି ଭାଷାର ସଂଭ୍ରମତା ରକ୍ଷାକରି ସାହିତ୍ୟ ସାହିତ୍ୟ ଲାଗିବା ଭଳି, ଏହିପରି କରାଯାଇପାରେ, ଅର୍ଥାତ୍, “ଅବନତ ନଭଚାରୀ” । ଯଦିଓ “ଫଲ୍” ଭଳି ଏକ ପତନବାଚକ ଶବ୍ଦର ସିଧା ସଳଖ ସରଳ ଅର୍ଥ ହେବ ଭୂଇଁ ମାଡି ତଳେ କଚାଡି ହୋଇ ପଡିବା ଆଉ ଟିକିଏ ଗହୀରକୁ ଗଲେ ଭାରସାମ୍ୟ ହରାଇବା କାରଣରୁ ଅକସ୍ମାତ ଭୂପତିତ ହେବା ଭଳି କ୍ରୀୟାକୁ ବୁଝାଇଥାଏ ।
ଏହି ଭଳି ଭାଷାନ୍ତର କରିବାକୁ ଗଲାବେଳେ ଆମ ଆଗରେ ଉପସ୍ଥିତ ହୋଇଛି ଯେଉଁ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଶବ୍ଦ ତାହା ହେଉଛି “ଆଷ୍ଟ୍ରୋନଟ୍” ବା ନଭଚାରୀ । ନଭଚାରୀ ସହିତ ଭୂଇଁରେ କଚାଡି ହୋଇ ପଡିବା ଭଳି ଏକ ବିଶେଷଣକୁ ଯୋଡିବା ବେଳେ ଆମର ମନ ସହଜରେ ଏହାକୁ ମାନିନେଇ ପାରିବ ନାହିଁ । ଏହାର ଏକମାତ୍ର କାରଣ ହେଉଛି ନଭଚାରୀ ମାନେ ଆମର ଚେତନାରେ ସବୁବେଳେ ବିଜୟୀ ହିସାବରେ ଏକ ପ୍ରକାର ସଂଭ୍ରମତାର ଆସ୍ଥାନରେ ଅବସ୍ଥାପିତ ହୋଇଥାନ୍ତି । ଆଉ ଟିକିଏ ବିସ୍ତାରରେ କହିଲେ ଆମ ଆଗରେ ଯେଉଁ ତିନୋଟି ଗତିପଥ ବିଦ୍ୟମାନ ରହିଥାଏ ସେଭିତରୁ ମର୍ତ୍ତ୍ୟ ସାଧାରଣ ମଣିଷର ଗତିପଥ, ପାତଳ ଅସୁର ବା ସଇତାନ ର ଗତିପଥ ଏବଂ ସ୍ୱର୍ଗ ବା ଆକାଶ ହେଉଛି ଦେବତା ମାନଙ୍କର ଗତିପଥ । ଦେବତାମାନଙ୍କର ସ୍ୱାଭାବିକ ଗତିପଥ ହୋଇଥିବା କାରଣରୁ ଯେତେ ଯେତେ ନଭଚାରୀ ଅଛନ୍ତି ସେମାନଙ୍କୁ ଆମେ ଠିକ୍ ଦେବତା ପରି ନହେଲେବି ଶ୍ରଦ୍ଧା ଆଉ ସମ୍ମାନର ଆଖିରେ ଦେଖିଥାଉ । ଉଦାହାରଣ ଆକାରରେ କହିଲେ ,ଆମେ ଦେଖିବା ଯେ କୌଣସି ପକ୍ଷୀକୁ ଆମେ କେବେ କୌଣସି ଖରାପ କଥା କହିପାରୁନା ।
ସେ ଯାହାହେଉ ଦେବସୁଲଭ ଯାତ୍ରୀ କୌଣସି ନଭଚାରୀ କୁ ଆମେ ଭୂଇଁରେ ଭାରସାମ୍ୟବିହୀନ କଚାଡି ହୋଇ ପଡିଛି ବୋଲି କହିବା ବଦଳରେ ଟିକିଏ “ଅବନତ” ହୋଇ ରହିଛି ବୋଲି କହିବା ଭିତରେ ଆମର ଏକାଧାରରେ ନଭଚାରୀର କୌଣସି ପରାଜୟକୁ ଉଦାର ଆଉ ସ୍ନିଗ୍ଧତା ର ସହ ଦେଖିପାରିବା ଭଳି ସୌମ୍ୟ ଦୃଷ୍ଟିଟିଏ ପ୍ରତିଫଳିତ ହୋଇଥାଏ।
ସ୍ରଷ୍ଟା ଜଣକ ନିଜର ସୃଷ୍ଟିକୁ ଯେତେବେଳେ ନାମକରଣ କରିଛନ୍ତି “ଫଲନ୍ ଆଷ୍ଟ୍ରୋନଟ୍ ” ସେତେବେଳେ ଆମର ଆଉ କରିବାର କ’ଣ ଅଛି ?
“ଫଲନ୍ ଆଷ୍ଟ୍ରୋନଟ୍ ” ବୋଲି ଏଇଠି ଯେଉଁ ଶୀର୍ଷକକୁ ନେଇ ଏତେ ସାତକାହାଣ ତାହା ଅସଲରେ ହେଉଛି ଗୋଟିଏ କଳାକୃତିର ନାଆଁ । ଏଇ ବିଶେଷ କଳାକୃତି ସଂପର୍କରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏହା ସଂପ୍ରତି ପୃଥିବୀରେ ଅନୁପସ୍ଥିତ । ଏବେ ଏହା ଯେଉଁଠି ଅଛି ସେଇଠି ତାହା ସୁରକ୍ଷିତ ହୋଇ ରହିଛି କି ନାହିଁ ତାହା କାହାକୁ ଗୋଚର ନୁହଁ ,କାରଣ ସେଇ କଳାକୃତିଟିକୁ ଯେଉଁଠି ଛାଡିଦିଆ ହୋଇଛି ତାହାର ପରେ ସେଇ ଇଲାକାର ଆଖପାଖକୁ ଆଉ କେହି କେବେ ଯାଇନାହାଁନ୍ତି । ତେଣୁ ଏହା ଅକ୍ଷତ ରହିଛି କି ନାହିଁ କେହି ସଠିକ ଭାବରେ କହିପାରିବ
ନାହିଁ । କେବଳ ଏତିକି କଥା ବିଜ୍ଞାନସମ୍ମତ ଭାବରେ କୁହାଯାଇପାରିବ ଯେ ଏଇ କଳାକୃତିଟି ମାତ୍ର ୯ ସେଣ୍ଟିମିଟର ( ସାଢେ ତିନି ଇଞ୍ଚ ) ଉଚ୍ଚତା ବିଶିଷ୍ଟ ଥିଲା। ଏବଂ ବାହ୍ୟ କାଳକ୍ଷୟୀ ପ୍ରଭାବରୁ ମୁକ୍ତ ରହିବା ପାଇଁ ଆଲୁମିନିଅମ୍ କୁ ମୂଳ ପଦାର୍ଥ ଆକାରର ନେଇ ସେଥିରେ ଏହାକୁ ତିଆରି କରାଯାଇଥିଲା।
“ଫଲନ୍ ଆଷ୍ଟ୍ରୋନଟ୍ ” କୁ ନିର୍ମାଣ କରିଥିଲେ ଜଣେ ବେଲଜିଅମ୍ ର କଳାକାର, ତାଙ୍କର ନାଆଁ,ପଲ୍ ଭନ୍ ହୋଇଡଙ୍କ୍ ( ଜନ୍ମ ୧୯୨୫ )।
ଏହି କଳାକୃତିଟି ସହ ଆରମ୍ଭରୁ ଏକ ଗୋପନତା ଜଡିତ ଥିଲା। ପଲ୍ ଭନ ହୋଇଡଙ୍କ୍ ଙ୍କୁ ଏଇ କଳାକୃତି ସଂପର୍କରେ ଆଗାମୀ ଯୋଜନାର କଥା ବିସ୍ତାରରେ ବୁଝାଇ କୁହାଯାଇଥିଲା। ସେ ଏଇ ପ୍ରକଳ୍ପର ଗୋପନୀୟତାକୁ ଭଲ ଭାବରେ ବୁଝିଥିଲେ ଏବଂ ସହମତ ହୋଇଥିଲେ ଯେ ,ସେ କେବେହେଲେ ଏଇ କଳାକୃତିର ବିନ୍ଦୁବିସର୍ଗ ବାହାରେ କାହାରକୁ କିଛି କହିବେ ନାହିଁ । ଯେଉଁମାନେ ଏଇ ଭଳି କଳାକୃତିଟିଏ କରିବା ପାଇଁ ଶିଳ୍ପୀ ପଲ୍ ଭନ୍ ଙ୍କୁ ଅନୁରୋଧ କରିଥିଲେ ସେମାନେ ତାଙ୍କୁ କହିଥିଲେ ଯେ, ସେହି ଗୋପନ କାର୍ଯ୍ୟଟି ସଂପାଦନ ହୋଇଗଲା ପରେ ସେମାନେ ଏଇ କଳାକୃତିର କଥା ସର୍ବସାଧାରଣରେ ପ୍ରକାଶ କରିବେ ଆଉ ସେତେବେଳେ ଯାଇ ଏଇ ବେଲଜିଆନ୍ ଶିଳ୍ପୀ ପଲ୍ ଭନ୍ ହୋଇଡଙ୍କ୍ ସର୍ବସାଧାରଣଙ୍କ ସାମ୍ନାକୁ ଆସିବେ ।
ସେତିକି ବେଳେ ଅର୍ଥାତ୍ ଯେତେବେଳେ ସମସ୍ତ ପ୍ରକଳ୍ପଟି ଗୋପନତାରେ ଆଛନ୍ନ ହୋଇ ରହିଥିଲା ସେତିକିବେଳେ ନିର୍ମାଣ ହେବା ଆଗରୁ ଏଇ ୯ ଇଞ୍ଚ ଉଚ୍ଚତାବିଶିଷ୍ଟ ଆଲୁମିନିଅମ କଳାକୃତିର ନାମ କରଣ ସାମୁହିକ ଭାବରେ କରାଯାଇଥିଲା “ଫଲନ୍ ଆଷ୍ଟ୍ରୋନଟ୍ “।
ଏହାପରେ ଆପଣମାନେ ଏହି କଳାକୃତି ପଛରେ ଥିବା ସମସ୍ତ ରହସ୍ୟକୁ ଘଡିକରେ ଭେଦ କରିପାରିବେ।
ଯୁକ୍ତରାଷ୍ଟ୍ର ଆମେରିକାର ସମସ୍ତ ମହାକାଶ ଗବେଷଣା ତଥା ଅଭିଯାନ ଆଦିକୁ ପରିଚାଳନା କରୁଥିବା ସର୍ବୋଚ୍ଚ ନିୟାମକ ସଂସ୍ଥା “ନାସା” ଏଇ କଳାକୃତି ସଂପର୍କରେ ସାମାନ୍ୟ ଟେର୍ ପାଇନଥିଲା । ସେତେବେଳକୁ “ନାସା” ତାହାର ଚନ୍ଦ୍ରପୃଷ୍ଠକୁ ଅଭିଯାନ ହିସାବରେ ଆପୋଲୋ-୧୫ କାର୍ଯ୍ୟକ୍ରମ ର ଉପକ୍ରମ କରିଥିଲା ଯାହା ୩୦ ଜୁଲାଇ ୧୯୭୧ ମସିହା ଦିନ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା। ଆପୋଲୋ-୧୫ ର ସେଦିନ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ମାନବ ଦୁଇଜଣ ଥିଲେ ଯଥାକ୍ରମେ ଏଇ ପ୍ରକଳ୍ପର ସଂଚାଳକ ତଥା ମିଶନ୍ କମାଣ୍ଡର ଡେଭିଡ ଆର୍ ସ୍କଟ୍ ଏବଂ ମୋଡ୍ୟୁଲ୍ ପାଇଲଟ୍ ଜେମସ୍ ଇରୱିନ୍ ।
” ଫଲନ୍ ଆଷ୍ଟ୍ରୋନଟ୍” ଭଳି କଳାକୃତିର ସମସ୍ତ ପରିକଳ୍ପନା ଡେଭିଡ୍ ଆର୍ ସ୍କଟ୍ ଙ୍କର । ସେ ନିଜର ଏଇ ଗୋପନ ଅଭିଳାଷର କଥା ତାଙ୍କର ସେହି ଚନ୍ଦ୍ର ଅଭିଯାନର ଆର ଦୁଇଜଣ ସାଥିଙ୍କୁ ଜଣାଇଦେଇଥିଲେ ।
‘ନାସା’କୁ ସମ୍ପୂର୍ଣ୍ଣ ଆଢୁଆଳରେ ରଖି ଆପୋଲୋ -୧୫ ର ଏଇ ସଫଳ ଚନ୍ଦ୍ର-ଅଭିଯାତ୍ରୀ ତିନିଜଣ ଏହି “ଫଲନ୍ ଆଷ୍ଟ୍ରୋନଟ୍” ଶୀର୍ଷକ କଳାକୃତିଟିକୁ ସେମାନଙ୍କର ମହାକାଶଯାନ ଭିତରକୁ ଏତେ ସୁରକ୍ଷାବଳୟ ସତ୍ତ୍ୱେ କେମିତି ନେଇପାରିଥିଲେ ତାହା ହିଁ ଆଶ୍ଚର୍ଯ୍ୟର କଥା। ପରେ କୁହାଯାଏ ଯେ ଏଇଥିପାଇଁ ସ୍କଟ୍ ‘ନାସା’ର ଉଚ୍ଚ କର୍ତ୍ତୃପକ୍ଷଙ୍କ ସମର୍ଥନ ପାଇଥିଲେ ଏବଂ ନାସା ତରଫରୁ ଏହାକୁ ଗୋପନ ରଖିବାପାଇଁ କୁହାଯାଇଥିଲା। ସେ ଯାହାହେଉ ସେମାନେ କେବଳ ଯେ ଏଇ କଳାକୃତି “ଫଲନ୍ ଆଷ୍ଟ୍ରୋନଟ୍” କୁ ଗୋପନରେ ମହାକାଶ ଯାନ ଭିତରକୁ ନେଇଥିଲେ ସେକଥା ନୁହଁ ,ଏଇ କଳାକୃତି ସହିତ ସେମାନେ ବେଲଜିଆନ୍ ଶିଳ୍ପୀଙ୍କୁ ଆଉ ଗୋଟିଏ କାମ ର ବି ବରାଦ କରିଥିଲେ ,ସେଇଟି ବି ଥିଲା। ସେଇଟି କଳାକୃତି “ଫଲନ୍ ଆଷ୍ଟ୍ରୋନଟ୍” ଭଳି କେବଳ ଆଲୁମିନିଅମ୍ ରେ ନୁହଁ,ସମସ୍ତ କାଳକ୍ଷୟୀ ପ୍ରଭାବକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଆନୋଡାଇଜଡ୍ ଆଲୁମିନିଅମ୍ ଯାହାକୁ ମେଟାଲଫଟୋ ବୋଲି କୁହାଯାଏ ସେଥିରେ ତିଆରି ହୋଇଥିବା ଗୋଟିଏ ଫଳକ,ସେଇ ଫଳକରେ ଇଂରେଜୀ ବର୍ଣ୍ଣକ୍ରମରେ ଲେଖାଯାଇଥିଲା ଚଉଦଜଣ ଆମେରିକୀୟ ଆଉ ଋଷୀୟ ନଭଚାରୀଙ ନାମ ,ଯେଉଁମାନେ ଚନ୍ଦ୍ର ଅଭିଯାନ କାର୍ଯ୍ୟକ୍ରମରେ ନିଜର ପ୍ରାଣକୁ ଆହୁତି ଦେଇଛନ୍ତି ।
ଡେଭିଡ୍ ଆର୍ ସ୍କଟ୍ ଏଇ କଳାକୃତି “ଫଲନ୍ ଆଷ୍ଟ୍ରୋନଟ୍” ଏବଂ ନିଜର ପ୍ରାଣକୁ ଚନ୍ଦ୍ର ଅଭିଯାନ ପ୍ରକଳ୍ପରେ ଜଳାଞ୍ଜଳୀ ଦେଇଥିବା ସେଇ ଚଉଦଜଣ ନଭଚାରୀଙ୍କ ସ୍ମରଣଲେଖକୁ ଚନ୍ଦ୍ରପୃଷ୍ଟରେ ଗୋଟିଏ ନିର୍ବାପିତ ଆଗ୍ନେୟଗିରି ର ଜ୍ୱାଳାମୂଖ ସମ୍ମୁଖରେ ସ୍ଥାପନା କରିଥିଲେ। ସେଦିନ ଥିଲା ୧୯୭୧ ମସିହାର ଅଗଷ୍ଟ ପହିଲା।
ପ୍ରକଳ୍ପଟି ସଫଳ ହେବାପରେ ଆପୋଲୋ-୧୫ ର ଯେଉଁ ଛବିଟି ସବୁଠାରୁ ଅଧିକ ଲୋକପ୍ରିୟ ହୋଇଥିଲା ତାହା ଥିଲା ଚନ୍ଦ୍ରପୃଷ୍ଠରେ ଏଇ କଳାକୃତି “ଫଲନ୍ ଆଷ୍ଟ୍ରୋନଟ୍” ଏବଂ ସେହି ସ୍ମରଣଲେଖ ଏବଂ ତାହାର ପାଖରେ କେତେଗୁଡିଏ ପଦଚିହ୍ନ ।
ସେହି ପଦଚିହ୍ନ କାହାର ଜଣାନାହିଁ ।
ବିଜ୍ଞାନର ଜୟଯାତ୍ରାରେ ଏଇ ବଳିଦାନର ପ୍ରତୀକ ବହନ କରି ଚନ୍ଦ୍ରପୃଷ୍ଟରେ ଅବସ୍ଥାନ କରୁଥିବା ସେଇ କଳାକୃତିଟି ନିର୍ଲିଙ୍ଗ ।
ଆକାଶର ମେଘବିମୁକ୍ତ ଇଲାକାରେ ପୂର୍ଣ୍ଣଚନ୍ଦ୍ରକୁ ଦେଖିବା ବେଳେ ଆମର ସେଇ ଅବନତ ନଭଚାରୀମାନେ ବେଳେବେଳେ ମନେ ପଡିଯାଆନ୍ତି ,ଯେଉଁମାନେ ମାନବଜାତିର ସେହି ଶକ୍ତ ଛୋଟ ପାଦଟିକୁ ଠିକ୍ ପକାଇ ପାରି ନାହାଁନ୍ତି ଆଉ ଜ୍ୟୋତ୍ସ୍ନା ହୋଇଯାଇଛନ୍ତି ।