Latest Odisha News

ନିଜ ଢୋଲ

ଶ୍ରୀମାନ ସର୍ବଗିଳାଙ୍କ ‘ଲଘୁକଥା’

ନାରଙ୍ଗୀ ଭାଉଜ ଓ ପଡ଼ୋଶୀ ପିତେଇ ନାନୀଙ୍କ ଭିତରେ ଥିଲା ଶାଗ-ତିଅଣ ଦିଆ-ନିଆର ସୁସମ୍ପର୍କ । ଏକାଠି ଆଗରୁ ନଈ-ପୋଖରୀକି କାମ ସାରିବାକୁ ଯାଉଥିଲେ । କିନ୍ତୁ ହଠାତ ଦିନେ ନାରଙ୍ଗୀ ଭାଉଜଙ୍କ ନାଟଦେଖି ନବା ଭାଇ ତାଟକା !ସାରାଦିନ ଖାଇବା ପିଇବା ନାହିଁ ! ରାତିରେ ଶୋଇବା ବାହାନାରେ ଶେଜ ତକିଆ ଲୁହରେ ଅଧେ ଭିଜେଇ ସାରିଲେଣି ! ଭାଇ ଯେତେ କଅଁଳେଇ ବୁଝେଇଲେ ବି ଭାଉଜ ବୁଝୁନଥିବା ଦେଖି ବାଧ୍ୟରେ ନବାଭାଇ କହିଲେ.. ହ.. ହଉ ହେଲା, ତମରିକଥା ରହିଲା । ଘରର ଦୁହାଁଳିଆ ଗାଈ ବାଛୁରୀ ସିନା ବିକିବି, ତମପାଇଁ ସହର ଯାଇ ଭଲ ବିଦେଶୀ ଭାଲୁଆ କୁକୁର କିଣିଆଣିବି l
ଓଃ.. ହୋ !ସାରାଦିନର ଘରଣୀଙ୍କର ହଙ୍ଗରଷ୍ଟ୍ରାଇକ୍, ଦାବୀପୂରଣର ପ୍ରତିଶ୍ରୁତି ମିଳିଲାପରେ ଘର ଶାନ୍ତପଡିଲା । ନାରଙ୍ଗୀ ଭାଉଜ ମନେମନେ ଭାରି ଖୁସିହୋଇ ଭାବୁଥିଲେ.. ତାଙ୍କ ମାନ-ଅଭିମାନର ଶକତି ବଳରେ ଏ ମରଦର ପଥର ଛାତି ଏତେବେଳକେ ନରମିଲା ! ତହୁଁ ଆଉ ଡେରି ନକରି ତରବରରେ ଶେଯରୁ ଉଠି ଦୌଡିଲେ ରୋଷେଇ ଘରକୁ । ହଂସା ଉଡ଼ିବା ଆଗରୁ କଂସାଏ ଭାତ ତୁଣରେ ପେଟ ପୂରେଇ ଦୀର୍ଘଶ୍ୱାସ ଛାଡ଼ି ଭାବୁଥିଲେ.. ଏବେ ସେ ପିତେଇନାନୀକି ଦେଖେଇଦେବ ହୁଁ.. ଆମେ ବି କିଛି କମ ନୋହୁଁ ମ ! ଆ.. ରେ.., ଏ ମରଦଗୁଡା କାହୁଁ ଜାଣିବେ ପଡୋଶୀଙ୍କର କୋଉଥିରେ ବଢ଼ତି ହେଲେ, ଆମଭଳିଆ ମାଇପିଙ୍କ ଛାତି ଭିତର କେମିତି କରତି ହୋଇଯାଏ ବୋଲି ! ପିତେଇ ଗିରସ୍ତ କଣ କୋଡିଏ ହଜାରେ ଟଙ୍କାରେ ସହରିଆ ବିଦେଶୀ କୁକୁର କିଣି ଛାତି ଫୁଲେଇ ଦେଖେଇ ହଉଚି ! ମୁଁ ବି ତାଠୁଁ ବଳିକି ବେଶି ଦାମରେ ଉନ୍ନତମାନର ବିଦେଶୀକୁକୁର କିଣିକି, ମୋ ଗିରସ୍ତକୁ ସକାଳୁ ନିଦରୁ ଉଠେଇ କହିବି.. ହେଇଟି ଗଲ ଗଲ.. ଶୀଘ୍ର ଆମ ଟମିକି ବୁଲେଇବା ବାହାନାରେ ଗାଁ ରାସ୍ତାକଡରେ ହଗେଇ-ମୁତେଇ ଆଣିବ ! ମୋ କୁକୁରକୁ ସମସ୍ତେ ଦେଖି ଆଁ ଟା କରି ଅନେଇ ଏମିତି ତାରିଫ୍ କରିବେ ଯେ, ପିତେଇ ଦେହ ଶୀତେଇ ଉଠିବ.. ତା ଦେହ ଜଳିଯିବ ।
ସେଇଆ ହେଲା । ଦୁହାଁଳିଆ ଦେଶୀଗାଈ ବିକି ପଚିଶି ହଜାରେ ଟଙ୍କାରେ ଗୋଟେ ଛଇଲା ବିଦେଶୀ କୁକୁର ଘର ଦୁଆର ମୁହଁରେ ଜଗି, ଯାହାକୁ ଦେଖିଲା ଭୁକିଲା । ଏଥର ଆଉ କୋଉ ଗାଁ ସାହିଭାଇ କି କୋଉ ବନ୍ଧୁ-ବାନ୍ଧବ ଆଗପରି ସଳଖା ସରସର ଘରେ ପଶି ନଯାଇ, ଦୁଆରେ ଘଡ଼ିଏ ଠିଆହୋଇ ମୋ କୁକୁର ଆଉ ମତେ ପ୍ରଶଂସା ନକରି ଯିବେ କୁଆଡେ ମୁଁ ଦେଖିବି ।

ପିତେଇ ନାନୀର ଦେହ ସହେ କେତେ? ଆଗରୁ ତା ଝିଅ ଝୁମୁରି ଆଉ ନାରଙ୍ଗୀ ପୁଅ ନାରଣ ଏକାଠି ଗାଁର ଓଡ଼ିଆ ସର୍କାରୀ ସ୍କୁଲରେ ପଢୁଥିଲେ । ପିତେଇନାନୀ ତା ଝିଅକୁ ସେଇ ସ୍କୁଲରୁ ଉଠେଇନେଇ ଆଠ କିଲୋମିଟର ଦୂରରେ ଗୋଟେ ମଡେଲ ଇଂରାଜୀ ମାଧ୍ୟମ ସ୍କୁଲରେ ଚାଳିଶି ହଜାରଟଙ୍କା ଖର୍ଚ୍ଚକରି ନାଁ ଲେଖେଇବା ଦେଖି ନାରଙ୍ଗୀ ଭାଉଜ ରାଗରେ ଗରଗର ହେଉଥାଏ । ଦିନେ ପିତେଇ, ତା ଝୁଅ ଝୁମୁରିକି ୟୁନିଫର୍ମ ଡ୍ରେସ ପିନ୍ଧେଇ, ବେକରେ ଟାଏ ଭିଡ଼େଇ, ପିଠିରେ ସ୍କୁଲବ୍ୟାଗ ପକେଇ, ୱାଟର ବଟଲ ଛାତିରେ ଝୁଲେଇ, ପାଦରେ ଜୋତା-ମୋଜା ପିନ୍ଧେଇ ଛାଡିବାକୁ ସ୍କୁଲବସରେ ଗଲାବେଳେ ନାରଙ୍ଗୀ ଭାଉଜ ଆଖିରେ ଆଖି ମିଶିଗଲା ।

ଏତିକିବେଳେ ପିତେଇନାନୀ ଏମିତି ତାତ୍ସଲ୍ୟ ଭରା ମୁରୁକି ହସ ମାରିଦେଲେ ଯେ, ଯେମିତି ଲାଗିଲା ନାରଙ୍ଗୀ ଭାଉଜ ଛାତିରେ ମୁନିଆଁ ଶରଟାଏ ସାଇଁକିନା ଗଳିଗଲା ! ମୁହଁରେ ସିନା କିଛି କହିଲେନି, ହେଲେ ମନେମନେ କହୁଥିଲେ.. ମଲାମୋର ! କେତେ ତୁ ଦେଖେଇ ହେଉଛୁ ଲୋ ! ରହ ମୁଁ ତୋ ଛାତି ଫଟଉଛି l ମୁଁ ଯଦି ତାଠୁ ବଡ଼ ଇସୁକୁଲୁରେ ମୋ ପୁଅକୁ ନ ପଢ଼େଇଛି, ତେବେ ମୋ ନାଁ ରେ କୁକୁର ପାଳିବୁ ! ଆଲୋ ନାଇଁ ଲୋ, ସେ କୁକୁର ପାଳିଛି l ହଁ ମୋ ନାଁ ରେ ଗୋଟେ ଭୁଆ ବିଲେଇ ପାଳିବୁ! ଯାଉ ଲାକ୍ଷେ ଟଙ୍କା ଖରଚ ହେଇ l କିଏ ଡରୁଚି ?

ବିଚରା ଯେମିତି ଢଙ୍ଗରେ ଏଇ ଦୁଇଜଣ ଭାଉଜ – ନାନୀ ଟକ୍କର ଦେଲେଣି, ଜାଣ ନବାଭାଇର ଛୋଟିଆ ବେପାର ବୁଡିବାର ଅବସ୍ଥା ଉପୁଜିଲାଣି । ତଥାପି ଭାଉଜ ଛାଡ଼ିବାର ନୁହନ୍ତି । ଯେମିତି ହେଉ, ତାଙ୍କ ପୁଅ ବଡ ସାହେବୀ ଇସୁକୁଲୁରେ ପଢ଼ିବ । ନବା ଭାଇକି ବୁଝେଇଲେ.. ମଲା , ଏଇ ଗାଁ ଓଡ଼ିଆ ଇସୁକୁଲୁରେ ପଢ଼ି ମୋ ଗୋଟେ ବୋଲି ପୁଅ କଣ କୋଢ଼ିଆ ହେଇ ତମରି ପରିକା ଦୋକାନ ଖୋଲି ବସିବ ? କାହିଁ, ଜମି ଆମର କଣ ହବ କି ? ବିକିଦେଉନ ଦି ‘ଗୁଣ୍ଠୁ !

ସରଳିଆ ନବାଭାଇ ବା କାହୁଁ ଜାଣନ୍ତା.. ପୁଅର ସୁନେଲି ଭବିଷ୍ୟତର ସପନ ତା ଆଖିରେ ଭରିଦେଇ, ପଡ଼ୋଶୀଙ୍କ ଈର୍ଷାରେ ହମ୍ ବଡା ନୀତିରେ ସେ ବକରା ସାଜି ବଳୀ ପଡ଼ିବାକୁ ଯାଉଛି ବୋଲି ! ତା ଛଡା, ପତ୍ନୀକଥା ନରଖିଲେ ଅବସ୍ଥା କଣ ହୁଏ, ଏ କଥା କଣ ବିଜ୍ଞଜନଙ୍କୁ ତୁଣ୍ଡଖୋଲି କହିବାକୁ ପଡିବ? କଥା ରଖିବାକୁ ବାଧ୍ୟହେଲେ ।

କେତେଦିନ ଗଲାପରେ ପିତେଇନାନୀ ତା ସ୍ୱାମୀଙ୍କୁ କହି ତାଙ୍କ ଆଜବେଷ୍ଟ ଘରଭାଙ୍ଗି ଦାଣ୍ଡିଏ ଛାତଘର ତୋଳିଲେ । ତା ସ୍ୱାମୀ ସହରରେ ସିନା ବଡ଼ ଚାକିରୀ କରି ମୋଟା ଟଙ୍କା ପଠାଉଛନ୍ତି ବୋଲି ସିଏ ଛାତଘର କରୁଛନ୍ତି, ମାତ୍ର ନାରଙ୍ଗୀ ଭାଉଜକୁ ଲାଗୁଥାଏ, ସେ ଛାତ-ଘର କରୁନିଯେ, ବରଂ ତା ଛାତିଭିତରେ ଯେମିତି ହୁତୁହୁତୁ କରି ନିଆଁ ଜଳୁଛନ୍ତି ! ସେଇ ନିଆଁକୁ ଲିଭେଇ ନାନୀ ଉପର ରାଗ ଦାଉ ନବାଭାଇକୁ ସୁଝେଇବାକୁ ପଡିଲା ନାରଙ୍ଗୀଭାଉଜ ଜିଦିରେ ବୋପା -ଜେଜେ ଅମଳର ଦୋ ଫସଲି ସୁନଭଳିଆ ଜମି ଚାରି ଏକର ବିକି ଏମାନେ ବି ତୋଳିଲେ ଛାତଘର ।
ତାଙ୍କଘରେ ଟାଇଲି ପଡିଲାବେଳେ ନବାଭାଇ ଘରହେଲା ମାର୍ବଲ ଛପର । ସିଏ ପଙ୍ଖା ବୁଲେଇଲେ, ଇଏ ଲଗେଇଲେ ଏସି -କୁଲର । ଇଏ କିଣିଲେ ଦୁଇ ଶ ‘ଲିଟର ଫ୍ରିଜ, ସିଏ କିଣିଲେ ତିନିଶ ‘ଲିଟର ରେଫ୍ରିଜେରେଟର । ଶିଳ ବଟା ଛାଡ଼ି ଘାଇଁ ଘାଇଁ ବାଟିଲାଣି ଗ୍ରାଇଣ୍ଡର । ସିଏ ସୀଲକିଶାଢ଼ୀ ପିନ୍ଧିବା ଦେଖି, ଇଏ କିଣିଲେଣି ପାଟଶାଢ଼ୀ । ତାଙ୍କଘରେ ଟୁହୁଇଲର ମଟରସାଇକଲ, ଏଇ ଲୋନ କରି ଚଢ଼ିବୁଲିଲେଣି ବୁଲେଟଗାଡ଼ି । ତାଙ୍କ ଘରେ ଚିକିନ ରନ୍ଧା ବାସ୍ନା ଶୁଙ୍ଘି, ଇଏ ରାନ୍ଧୁଥିଲେ ମଟନ ତରକାରୀ । ପିତେଇ ଝୁଅର ବାର୍ଥ ଡେ ରେ ଶହେ ସାଙ୍ଗ ଆସିବା ଦେଖି, ନାରଙ୍ଗୀ ପୁଅର ବାର୍ଥ ଡେ ରେ ନନଭେଜ ସାଙ୍ଗକୁ ଦୁଇଶହ ଲୋକଙ୍କ ଖାଇବାସାଙ୍ଗରେ ଚାଲିଥିଲା କେକ୍ କଟା । ଏମିତିରେ ଉଭୟଙ୍କ ପିଲାଏ ଯହୁଁ ଯହୁଁ ବଡହୋଇ ଉଚ୍ଚଶିକ୍ଷା ଲାଭ ପାଇଁ ସହରକୁ ଆଗଉଥିଲେ, ଏପଟେ ଦୁଇ ପଡୋଶୀ ନିଜ ନିଜ ଇର୍ଷାର ବଡ଼ପଣକୁ ବଡକରି ଆପଣା ଡମ୍ବରୁ ତାଂ ବଡା ତାଂ ବଡା..ଜୋରରେ ବଜେଇଚାଲିଥିଲେ । ଉପରେ ଚାଲିଥିଲା ମଧୁରକଥା.. ଅନ୍ତରରେ ବଢୁଥିଲା ଅକୁହା ବ୍ୟଥା ।

କେତେବର୍ଷ ପରେ ଉଭୟଙ୍କ ପିଲାଏ ଗାଁକୁ ନ ଆସିବାରୁ ପରସ୍ପର ପିଲାଙ୍କ ଦୋଷ ବଛାବଛି ଝଗଡା ବଢିଲା ବେଳକୁ ପିତେଇନାନୀ ଖବର ପାଇଲେ, ତାଙ୍କ ଝିଅ ଝୁମୁରୀ କୋଉ ଅଲଗା ଧର୍ମର ପୁଅ ସେଥିରେ ଲଭକରି ଲିଭ-ଇନ -ରିଲେସନରେ ରହୁଛି । ଏକମାତ୍ର ଝିଅ ମୋହକୁ ବାପା-ଭୁଲିବା କି ସମ୍ଭବ? ଫେରେଇଆଣିବାକୁ ଯାଇ ତା ଫ୍ରେଣ୍ଡ ଓ ନିଜ ଝିଅଠୁ ଢ଼େରେ ଅପମାନ ପାଇ ନିରାଶହୋଇ ମୁଣ୍ଡକୋଢ଼ି, ଆଖିରେ ଆଖିଏ ଲୁହନେଇ ଗାଁକୁ ଫେରିବାର ପନ୍ଦରଦିନ ପରେ ନିଉଜରୁ ଜାଣିଲେ.. ତାଙ୍କ ଝିଅ ଭଲପାଉଥିବା ଟୋକା ହାତରେ ସତରଖଣ୍ଡ ହୋଇସାରିଛି । ଏ ଦୁଃଖଦ କାହାଣୀର ଅନ୍ତ ନହେଉଣୁ, ମୁମ୍ବାଇରେ ନାରଙ୍ଗୀ ଭାଉଜ ପୁଅ ଚାକିରୀକରି ରହୁଥିବାବେଳେ କୋଉ ଝିଅର ଭଲପାଇବାର ପ୍ରେମର ଅଠାଳିଆ ଜାଲ ଛିଣ୍ଡେଇ ପ୍ରେମିକା ଧୋକାଦେଇ ଟଙ୍କା ପଇସା ନେଇ ଆଉ କାହା ସାଥୀରେ ଫେରାର ହୋଇଯିବାର ଯନ୍ତ୍ରଣା ସହି ନପାରି ସିଲିଂ ଫ୍ୟାନରେ ରସି ଲଗେଇ ନାରଣ ଆତ୍ମହତ୍ୟା କରିଦେଇଛି । ଏଇ ଖବର ଖଣ୍ଡମଣ୍ଡଳକୁ ଦୁଃଖରେ ଦୋହଲେଇଦେଇଥିଲା । ଉଭୟ ପଡୋଶୀଙ୍କ ଘରୁ ବୁକୁଫଟା କ୍ରନ୍ଦନ ଭିତରେ ଶୁଭୁଥିଲା.. କାହାପାଇଁ କୋଉ ଲୋଭ ମାୟାରେ.. ଏ ଘର ସମ୍ପତ୍ତି?

ଢ଼େରେଦିନ ଗାଁ ପଡୋଶୀଙ୍କ ତାଂ ବଡା.. ତାଂ ବଡା ବାଜୁଥିବା ଡମ୍ବରୁର ସ୍ୱର ନରମୀ ଆସି ନୀରବି ଯାଇଥିଲା.. ଉଭୟ ପରିବାର ଆଶ୍ରୟ ନେଇଥିବା କେଉଁ ଏକ ଜରାଶ୍ରମ ମନ୍ଦିର ଭିତରେ…।

Leave A Reply

Your email address will not be published.